ଲେଖା: ବନ୍ଧନ ଦଳେଇ
~ ଗୋପାଳଜୀଉ ମଠ ~
ବିପୁଳ ଓ ବ୍ୟାପକ ସନାତନ ଧର୍ମ କେଉଁ ଆବାହମାନ କାଳରୁ ଆର୍ଯ୍ୟଭୂମି ଭାରତରେ ଅନୁସୃତ ହୋଇଆସୁଛି ଏହି ଧର୍ମଧାରାକୁ ଅକ୍ଷୁର୍ଣ୍ଣ ଓ ଅବ୍ୟାହତ ରଖିବାପାଇଁ ମଠଗୁଡ଼ିକ ସର୍ବଦା ତତ୍ପର ରହିଆସିଛନ୍ତି । ଆଦି ଶଙ୍କରାଚାର୍ଯ୍ୟ ପ୍ରଥମେ ମଠସଂସ୍କୃତିର ପରିକଳ୍ପନା ଓ ପ୍ରତିଷ୍ଠା କରିଥିଲେ ବୋଲି ଐତିହାସିକ ପ୍ରମାଣ ମିଳେ। ସନାତନ ଧର୍ମର ଭିନ୍ନ ଭିନ୍ନ ସିଦ୍ଧାନ୍ତ, ସାଧନା ଓ ସଂପ୍ରଦାୟ ସେ ଜାତୀୟ ମଠଗୁଡ଼ିକରେ ପରମ୍ପରାକ୍ରମେ ସୁରକ୍ଷିତ ହୋଇ ରହିଛି । ପ୍ରାୟତଃ ଶାସ୍ତ୍ରବିଚାର, ସେବାପୂଜା, ନାମ ସଂକୀର୍ତ୍ତନ ଓ ଧ୍ୟାନଧାରଣା ପ୍ରଭୃତି ଶିକ୍ଷା ଦେବା ତଥା ଅଖଣ୍ଡିତ ଭାବେ ଆଚରଣ କରିବା ମଠର ମୂଳକାର୍ଯ୍ୟ। ଏଣୁ ଆଧ୍ୟାତ୍ମିକ ଓ ପାରମାର୍ଥିକ ଦୃଷ୍ଟିକୋଣରୁ ବିଚାର କଲେ ସମାଜରେ ମଠମାନଙ୍କର ସ୍ଥାନ ଅତୁଳନୀୟ।
ପରମ ପବିତ୍ର ଐତିହାସିକ ସହର କଟକରେ ମଧ୍ୟ ଦୃଶ୍ୟମାନ ହୁଅନ୍ତି ଅଗଣିତ ମଠ ! ଶତାବ୍ଦୀ ଶତାବ୍ଦୀ ଧରି ଆଧ୍ୟାତ୍ମିକତାର ବାସ ଚହଟାଇବା ସହ କଳାସାହିତ୍ୟ, ସଂସ୍କୃତିର ପରିସ୍ଫୁଟନ ଘଟାଇ ଜନଜୀବନରେ ସୁପ୍ରଭାବ ବିସ୍ତାର କରିଥିବା ସତ୍ତ୍ୱେ ଐତିହାସିକ ଅବା ଗବେଷକମାନଙ୍କ ସଦୟ ଦୃଷ୍ଟିରୁ ବଞ୍ଚିତ ରହିଛନ୍ତି ଏଇ ମଠମାନ !
#କଟକ ମହାନଗରର ବାଣିଜ୍ୟିକ ଅଞ୍ଚଳ #ଚଉଧୁରୀ_ବଜାର ର ଗାରିମାମୟ ଦେବୀପୀଠ ଓ କଟକ ମହାନଗର ନିଗମ କାର୍ଯ୍ୟାଳୟରର ଅଦୂରରେ ଅବସ୍ଥିତ ଐତିହାସିକ #ଗୋପାଳଜୀଉ_ମଠ । ଘନ ଜନବସତି ଭିତରେ ଏକରେ ଜମି ପରିମିତ ଅଞ୍ଚଳର ଏ ମଠ ସହରବାସୀଙ୍କ ଆଧ୍ୟାତ୍ମିକ ଚେତନାକୁ ପରିପୁଷ୍ଟ କରିଆସୁଛି ।
ବିଗତ ବର୍ଷର ଶେଷ ସପ୍ତାହରେ ଅଧିକାଂଶ ବନ୍ଧୁଙ୍କ ଅନୁପସ୍ଥିତି ସତ୍ତ୍ୱେ ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରାର ପରବର୍ତ୍ତୀ ପର୍ବ ଭାବେ ଆମେ କେଇଜଣ ପହଞ୍ଚିଥିଲୁ ଏପରି ଏକ ଧାର୍ମିକ ତଥା ଆଧ୍ୟାତ୍ମିକ ଅନୁଷ୍ଠାନରେ । ମଠର ଇତିହାସ ତଥା ଅଞ୍ଚଳବାସୀଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନରେ ଏହାର ଅହେତୁକ ପ୍ରଭାବ ବାବଦରେ ଯଥାସମ୍ଭବ ତଥ୍ୟାନୁସନ୍ଧାନ ପାଇଁ ଚେଷ୍ଟା କରିଥିଲୁ ଆମେ !
ମଠଟିର ପ୍ରାଚୀନତା ବିଷୟରେ ବିଶେଷ ତଥ୍ୟ ମିଳି ପାରି ନ ଥିଲେ ମଧ୍ୟ ଶ୍ରୀଚୈତନ୍ୟଙ୍କ ସମୟରେ ସହରରେ ପରିବ୍ୟାପ୍ତ ହୋଇଥିବା ବିଭୁଚେତନାରୁ ହୁଏତ ଏ ମଠର ପରିକଳ୍ପନା ଓ ସ୍ଥାପନା ହୋଇଥିବା ଅନୁମେୟ ! ତେବେ ମଠଟି ଯେ ଆହୁରି ପ୍ରାଚୀନ ସେ ବାବଦରେ ମଧ୍ୟ କେହି କେହି ମତ ଦିଅନ୍ତି !
ଦୁଃଖର କଥା ଯେ, ଆମ କଟକରେ ଉନ୍ନବିଂଶ ଶତାବ୍ଦୀ ବେଳକୁ ଥିଲା ଦୁଇଶହରୁ ଅଧିକ ମଠ ! ସେ କାଳର ସନ୍ଥ ମହନ୍ତ ଅବା ରାଜାରାଜୁଡ଼ାଙ୍କ ହାତଗଢ଼ା ସେଇ ମଠଗୁଡ଼ିକରୁ ଆଧ୍ୟାତ୍ମିକତାର ଯେଉଁ ସ୍ବର ଶୁଭିଥିଲା, ସେ ସ୍ବରର ବଳୟ ସ୍ପର୍ଶ କରିଥିଲା ସମଗ୍ର ଭୂଖଣ୍ଡକୁ ! ଗୋପାଳଜୀଉ ମଠର ଇତିହାସ ଅଣ୍ଡାଳି ନିର୍ଦ୍ଦିଷ୍ଟ ସ୍ମୃତିର ଗାଥା ଆମେ ପାଇଁ ପାରି ନ ଥିଲୁ ସତ, କିନ୍ତୁ ସହରର ସେଇ ପବିତ୍ର ବୈଷ୍ଣବ ପୀଠଟି ଅଞ୍ଚଳବାସୀଙ୍କ ମନ ଓ ହୃଦୟରେ ଆଧ୍ୟାତ୍ମିକତାର ସ୍ପନ୍ଦନ ତୋଳିଚାଲିଛି, ଶତାବ୍ଦୀ ଶତାବ୍ଦୀ ଧରି !
କହିବା ବାହୁଲ୍ୟ, ଅଞ୍ଚଳବାସୀଙ୍କ ସୁଖଦୁଃଖର ସାଥୀ ସାଜିଥିବା ଏ ଗୋପାଳଜୀଉ ମଠ ସହରର ପୂଜାପାର୍ବଣ, ଅନ୍ୟାନ୍ୟ ଦେବ ଅବା ସାଂସ୍କୃତିକ ପୀଠର ଉନ୍ନତି ସହିତ କଳାସଂସ୍କୃତିର ପରିବ୍ୟାପ୍ତି ପାଇଁ ସତତ ଚେଷ୍ଟିତ ରହିଆସିଛି !
ପ୍ରଭୁଙ୍କ ସେବା ପାଇଁ ସେ ସମୟରୁ ବିଭିନ୍ନ ସେବାକାରୀଙ୍କ ପାଇଁ ‘ଖଞ୍ଜା’ର ବ୍ୟବସ୍ଥା କରାଯାଇଥିଲା ! ଏବେ ଅବଶ୍ୟ ମଠର ବିପୁଳ ସମ୍ପତ୍ତି ଆଜି କିଛି ବାହୁବଳୀଙ୍କ ଦ୍ଵାରା କବଳିତ ! ଏହାସତ୍ତ୍ୱେ ନୀତିକାନ୍ତିର ସମସ୍ତ ଖର୍ଚ୍ଚ ସ୍ବୟଂ ବହନ କରିଚାଲିଛି ଏଇ ବିଶାଳ ଗୋପାଳଜୀଉ ମଠ !
ମହାନଗରର ବକ୍ଷସ୍ଥଳର ଏଇ ଭବ୍ୟ ପୀଠଟିର ଗାଥା ଅସରନ୍ତି !