ଲେଖା: ଦେଵ ତ୍ରିପାଠୀ
୧୯୨୦ ସାଲ । ନଇବଢ଼ି ସମୟ ।
ବନ୍ୟାବିଧ୍ୱସ୍ତ ଜେନାପୁର ଓ ଅନ୍ୟ ଗ୍ରାମଗୁଡିକରେ ବନ୍ୟାପ୍ରପୀଡ଼ିତ ଲୋକଙ୍କ ଅବସ୍ଥା ଦେଖି କାନ୍ଦି ଉଠିଲା ଯାଜପୁରର ତତ୍କାଳୀନ ଡେପୁଟି ମାଜିଷ୍ଟ୍ରେଟଙ୍କ ଦରଦୀ ହୃଦୟ ।
ସରକାରୀ ସାହାଯ୍ୟକୁ ଅନୁଧ୍ୟାନ କରି ସେତକ ଦେଖି ଯଥେଷ୍ଟ ନୁହେଁ ବୋଲି ଅଧିକ ସାହଯ୍ୟ ନିମନ୍ତେ ଦାବି ଜଣାଇଥିଲେ । ମାତ୍ର ବ୍ରିଟିଶ ସରକାର ତାଙ୍କ ଦାବି ଅଗ୍ରାହ୍ୟ କରିଦେବାରୁ ସେ ସରକାରୀ ଚାକିରୀରୁ ଇସ୍ତଫା ପ୍ରଦାନ କରିଥିଲେ । ଯେଉଁ ସରକାର ଜନତାର ଦୁର୍ଦ୍ଦିନରେ ସହାୟତା କରିବାକୁ ଅକ୍ଷମ ସେ ସରକାର ଅଧୀନର ଚାକିରୀକୁ ପାଦରେ ଆଡେଇ ଜନତାର ସେବାରେ ବ୍ରତୀ ହେଲେ । ସାହେବୀ ପୋଷାକ ଉତାରି ଆଣ୍ଠୁ ଲୁଚୁ ନ ଥିବା ଖଦଡ଼ ଲୁଗା ପିନ୍ଧି ଚାଲିଗଲେ ଚିର ବନ୍ୟାପ୍ରପୀଡ଼ିତ ବରୀ ଅଞ୍ଚଳକୁ । ଆଜି ମଧ୍ୟ ସେଠାରେ ତାଙ୍କ ହାତଗଢା ବରୀଆଶ୍ରମ ସଗର୍ବେ ବିଦ୍ୟମାନ ।
ଦୁଃଖୀ ଓ ଅସହାୟ ଜନତାର ସେବା ଯେମିତି ଥିଲା ତାଙ୍କ ଜୀବନର ମୂଳମନ୍ତ୍ର, ତାଙ୍କ ପାଇଁ ଜୀବନ ଜୀଇଁବାର ବାଟ । ଜନସେବାର ମୂର୍ତ୍ତିମନ୍ତ ପ୍ରତୀକ ବକୁଳବନର ସନ୍ଥ ମହାତ୍ମା ଭାରତମଣି ଗୋପବନ୍ଧୁଙ୍କୁ ଗୁରୁତୂଲ୍ୟ ମାନିଥିବା ସେଇ ମହାନ ଦେଶପ୍ରେମୀ ସମାଜସେବୀ ଥିଲେ ଏ ମାଟିର ଆଉ ଜଣେ ଗୋପବନ୍ଧୁ, ଧୂଳିମାଟିର ସନ୍ଥ – ଗୋପବନ୍ଧୁ ଚୌଧୁରୀ ।
କଂଗ୍ରେସରେ ଯୋଗଦାନ, ଗାନ୍ଧୀନୀତି ଅନୁସରଣ, ଖଦଡ଼ଲୁଗା ପିନ୍ଧିବା, ଆଶ୍ରମ ଓ ଦରିଦ୍ରନାରାୟଣଙ୍କ ସେବା ଆଦି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ଋଷିପ୍ରତିମ ଗୋପବନ୍ଧୁ । ୧୯୨୧ ମସିହାରେ ଅଳକା ନଦୀ କୁଳରେ ପ୍ରଥମେ ଏକ ଶିକ୍ଷାନୁଷ୍ଠାନ ଓ ପରେ ଅଳକାଶ୍ରମ ପ୍ରତିଷ୍ଠା କରିଥିଲେ । ୧୯୩୪ ମସିହାରେ ଗାନ୍ଧୀଜୀଙ୍କ ନିର୍ଦ୍ଦେଶରେ ସେ ବରୀକୁ ନିଜର କର୍ମକ୍ଷେତ୍ର ରୂପେ ବାଛି ଗ୍ରାମସଫେଇ, ନିଶା ନିବାରଣ, ପ୍ରୌଢ଼ଶିକ୍ଷା, ହରିଜନ ସେବା, ମୌଳିକ ଶିକ୍ଷା ସହ ଗ୍ରାମ୍ୟ ଅର୍ଥନୀତିର ଉନ୍ନତି ପାଇଁ ଉଦ୍ୟମ କରିଥିଲେ ।
ଜୀବନର ଯଜ୍ଞକୁଣ୍ଡରେ ସୁଖସମ୍ଭୋଗର ଯୂପକାଠକୁ ଅର୍ପଣ କରି ନିଜେ ଜଳି ଅନ୍ୟମାନଙ୍କୁ ଆଲୋକ ଦେଖାଇବାର ସଙ୍କଳ୍ପ କରି ନେଇଥିଲେ ଗୋପବନ୍ଧୁ ଚୌଧୁରୀ । ସାଧନାର ହିରଣ୍ମୟ ଯଜ୍ଞବେଦୀରେ ନିଜ ସହ ଅଭିଷିକ୍ତ କରାଇଥିଲେ ନିଜ ପରିବାରକୁ । ଉତ୍କଳଗୌରବ ମଧୁସୂଦନଙ୍କ କନିଷ୍ଠଭ୍ରାତା ତଥା ଭୀମାଭୂୟାଁ ଉପନ୍ୟାସର ରଚୟିତା ଗୋପାଳବଲ୍ଲଭଙ୍କ କନ୍ୟା ରମାଦେବୀଙ୍କୁ ବିବାହ କରିଥିଲେ । ରାମଙ୍କ ପଛେ ପଛେ ସୀତାଙ୍କ ପରି ସ୍ବାମୀଙ୍କ ପଦାଙ୍କ ଅନୁସରଣ କରିଥିଲେ ଜମିଦାର ଘରର ଝିଅ ତଥା ବୋହୂ ରମାଦେବୀ । ଭ୍ରାତା ନବକୃଷ୍ଣ ଚୌଧୁରୀ, ପୁତ୍ର ମନମୋହନ ଓ ଝିଅ ଅନ୍ନପୂର୍ଣ୍ଣା ସଭିଏଁ ଥିଲେ ମୁକ୍ତି ସଂଗ୍ରାମର ଯଜ୍ଞ ବେଦୀରେ ଉତ୍ସର୍ଗୀକୃତ ।
ସ୍ୱାଧୀନତା ଆନ୍ଦୋଳନର ବିଭିନ୍ନ ପର୍ଯ୍ୟାୟରେ ଲବଣ ସତ୍ୟାଗ୍ରହ, ଅଗଷ୍ଟ ବିପ୍ଳବ ଓ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇ ସେ କାରାବରଣ କରିଥିଲେ ଗୋପବନ୍ଧୁ । ୧୯୩୦ର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ଓ ୧୯୪୨ର ଭାରତଛାଡ଼ ଆନ୍ଦୋଳନ ସତ୍ୟାଗ୍ରହ ବେଳେ ପୁଲିସ ଲାଠିଚାଳନାରେ ଆହତ ହୋଇଥିଲେ ଗୋପବନ୍ଧୁ । ସ୍ୱାଧୀନତା ପରେ ସନ୍ଥ ବିନୋବା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହୋଇଥିଲେ ଭୂଦାନ ଆନ୍ଦୋଳନରେ ।
ସେଇ ମହାନ ତ୍ୟାଗପୂତ ଯୁଗପୁରୁଷ ଗୋପବନ୍ଧୁଙ୍କ ତପଶ୍ଚର୍ଯ୍ୟାର କାହାଣୀରେ ତାଙ୍କ ସାଧନା ଓ ସିଦ୍ଧିର ସ୍ବାକ୍ଷର ଆଙ୍କିଛନ୍ତି ଜ୍ଞାନପୀଠ ପୁରସ୍କାର ବିଜୟୀ ଡଃ ଗୋପୀନାଥ ମହାନ୍ତି, ତାଙ୍କୁ “ଧୂଳିମାଟିର ସନ୍ଥ” ଭାବେ ଆଖ୍ୟାୟିତ କରି ।
୧୮୯୫ ମଇ ୮ ତାରିଖରେ ଗୋପବନ୍ଧୁଙ୍କୁ କୋଳରେ ଧରିଥିବା କଟକର ସେ ପବିତ୍ରଗୃହ ଆଜି ସ୍ବରାଜଆଶ୍ରମ ନାମରେ ସେଇ ମହାସନ୍ଥଙ୍କର ତ୍ୟାଗ ଓ ତପସ୍ୟାର ଅରୁଣ ଆଭାରେ ବିଭାସିତ ।
ଆଜି ଆମ ଆଗରେ ଗୋପବନ୍ଧୁ ଚୌଧୁରୀଙ୍କ ସେ ଅତୀତ ଅପାଙ୍କ୍ତେୟ, ସେଦିନର ସାଧନା ଆଜି ଆମ ପାଇଁ ଇତିହାସ, ତାଙ୍କ ସଙ୍କଳ୍ପସବୁ ଆମ ପାଇଁ ସ୍ବପ୍ନ, ତାଙ୍କ ମୂଲ୍ୟବୋଧମାନ ଆମ ଲାଗି ଅଭିଧାନର ଅଚଳଶବ୍ଦ ।
ବନ୍ଦେ କଳିଙ୍ଗ ମାତା ।