ଲେଖା: ଅକ୍ଷୟ ଓଝା

ଗାଁର ଲମ୍ବି ଯାଇଥିବା ଅସରନ୍ତି ସଡ଼କଟା । ଆଜି ଚାଲିଲେ କାହିଁକି ଖୁସିରେ ଛାତି କୁଂଢେମୋଟ ହେଇ ଯାଏ । ସୁଲୁସୁଲିଆ ହାଲୁକା ଶୀତୁଆ ପବନ, ପବନରେ ଗଛଳତାର ଫୁଲ ଫଳର ସୁଗନ୍ଧ । ଧାନକଟା ସରିଯିବାର ଦୃଶ୍ୟ । ଫୁଙ୍ଗୁଳା ବିଲରେ ପୁଳାଏ ପୁଳାଏ ଗାଈ ଗୋଠ ।

ବଡବନ୍ଧ ବରଗଛ ତଳୁ ପିଲାଟିର ଲାଞ୍ଜଥିବା ଗୁଡି । ନିଛାଟିଆ ରାସ୍ତାରେ କେହି କେହି ପଥିକ । ବେଳେବେଳେ ସାଇକଲଟିଏ ତ ବେଳେବେଳେ ମୋଟର ସାଇକଲ । ଏଇ ଅସରନ୍ତି ଗାଁ ରାସ୍ତାରେ ଗଡ଼ି ଚଳନ୍ତି ଗନ୍ତବ୍ୟ ରେ । ଏଇ ସଡ଼କରେ କେତେ ବିଦେଶିଆ, କଲିକତିଆ ରାତି ପାହନ୍ତା କଳସ ବସେଇ ବିଦେଶ ଯାଆନ୍ତି ଆଖିରେ ଆଖିଏ ଲୁହ ଭରି ।

ସୁଖରେ ପରିବାର ଚଳୁ, ଭଉଣୀ ବାହାଘରକୁ ପଇସା ଦି’ ପଇସା ଯୋଡ଼ି ବାପାର ବୋଝ ହାଲୁକା କରିବା ଇଛାରେ ଗାଆଁ ସୁଖକୁ ଜଳାଞ୍ଜଳି ଦେଇ ଦାଦନ ଖଟେ । ପର ଦେଶରେ ମନ ଉଣା କରେ । ଅପେକ୍ଷା କରେ ଆଗ ଉତ୍ସବରେ ଗାଆଁକୁ ଫେରିବାକୁ ଏଇ ରାସ୍ତାରେ । ଏଇ ମାଟିରେ ପାଦ ରଖିଲେ ଛାତି କୁଣ୍ଢେ ମୋଟ ହେଇଯାଏ ଯେମିତି ।

ଗାଁ ରାସ୍ତା ରାସ୍ତା ଦେଇ କୁଆଁରୀ କନିଆଁ ହେଇ ଶାଶୁଘର ଚାଲିଯାଏ ହାତେ ଓଢଣା ଟାଣି । ସବାରୀରେ ବସି ବୋଉକୁ ଝୁରେ । ଗାଁକୁ ଝୁରେ । ସାଙ୍ଗ ସାଥୀ, ଘର, ଦାଣ୍ଡଅଗଣା ଚଉଁରାକୁ ଝୁରି କାନ୍ଦି କାନ୍ଦି ବିଦା ହେଇଯାଏ ଏଇ ରାସ୍ତାରେ ସବୁଦିନ ପାଇଁ । ବାପାଙ୍କୁ ମନେ ପକେଇ ବାହୁନି କାନ୍ଦେ । ଗଛଲତାକୁ ସାକ୍ଷୀ କରି କହି ଯାଏ ମୋତେ ପର କରିଦେଲ ବୋଲି ।

ଭାରି ବର୍ଷାରେ ସ୍କୁଲ୍ ଫେରନ୍ତ୍ତା କାଦୁଅ ପାଣିରେ ଗୋଡ ଚାପି ଚାପି ଚାଲିବାର ଚଗଲାମି, କାଗଜ ଫାଡ଼ି ଡଙ୍ଗାଟିଏ ଚୁବୁ ଚୁବୁ ପାଣିରେ ଭସେଇ ଦେବାର ବାଲ୍ୟ ପାଗଳାମି ମନେ ପଡ଼ିଯାଏ । ସାଙ୍ଗ ମାନଙ୍କ ସହିତ ଟଣା ଘୋସରା ଠେଲାପେଲା ଭାବି ବସିଲେ ମନ ଉଣା ହେଇଯାଏ । ବାଲି ରଚ ରଚ ଓଦା ମାଟିରେ କାଠି ଖଣ୍ଡେ ଧରି କ’ଣଟିଏ ଲେଖିଦେବା କିମ୍ବା ଚିତ୍ରଟିଏ ଆଙ୍କି ଦେବା ଖୁବ୍ ମନେ ଅଛି ଏହି ରାସ୍ତାରେ ।

ନୂଆକରି ସାଇକଲ ଶିଖିବା ପଡି ଉଠି ନିଜକୁ ସମ୍ଭାଳିବା ଏଇ ରାସ୍ତାରେ ଇତିହାସ ହେଇ ଯାଇଛି ଯେମିତି ସବୁଦିନେ ।


ଏଇ ରାସ୍ତାରୁ ଅବଲୋକନ କଲେ ମନେ ପଡେ ଏହି ଶୁଖି ଆସୁଥିବା ରାସ୍ତା କଡ ଗଡ଼ିଆରେ ମୀନଟିଏ । ଧଳା ବଗୁଲିର ନଇଁ ନଇଁ ମୀନଟିଏ ଖୋଜୁଥିବା ମଫସଲ ଗାଁର ଚିରାଚରିତ ଦୃଶ୍ୟ ଜୀବନ୍ତ କରିଦିଏ ଫେରି ପଡିଲେ ଗାଁକୁ । କିଆବୁଦା ଆଡୁ ଡାହୁକର ଡ଼ାକ, ମୁଁହସଂଜରେ ହାଲୁକା ଡର, ଖରା ଦିନରେ ନିଛାଟିଆ ଏକୁଟିଆ ପାଦଚଲାର ଜୀବନ୍ତ ଅନୁଭୂତି ମନ ଆନ୍ଦୋଳିତ କରିଦିଏ ଆଜି । ପୁଣି ଥରେ ଏଇ ରାସ୍ତାରେ ଚାଲିଲେ ।
 
ସକାଳୁ ସକାଳୁ ଖରାରେ ବସି ପଖାଳ ଖାଉଥିବା ପିଲାଟି, ପୁଣି ସ୍କୁଲ ଯିବା ପାଇଁ ତିଆରି ତର ତର ହେଇ ବାହାରି ପଡେ ଏଇ ରାସ୍ତାରେ ଚାଟଶାଳୀ ଆଡେ। ଏଇ ରାସ୍ତାରେ ଶୁଭିଯାଏ  ଫେରିବାଲାର ଡାକ, ଚାଦର ଢ଼ଙ୍କା ହରି ଦାଦା ଆଖି ଉପରେ ହାତ ରଖି କିଏ ବୋଲି ପଚାରି ଦେବାର ଆତ୍ମୀୟତା । ଗାଁ ମାଟିର ସତ୍ୟତାକୁ ଟାଣି ଆଣେ ପିଲାଦିନକୁ ମନେ ପକେଇ । ପଡିଆ ପ୍ରାନ୍ତର ବୃକ୍ଷ୍ୟରେ ଚୁପଚାପ ଚଢ଼େଇମାନଙ୍କର ଖେଳ ପଥିକକୁ ସୁଭି ଯାଏ କ୍ଷଣିକ । ବାଟୋଇ ଅନ୍ୟମନସ୍କ ହେଇଯାଏ ଘଡ଼ିଏ ।

ଗାଁ ରାସ୍ତା କଡର ବରଡାଳରୁ ଡାଳ ଦେଇ ବୁଲିବା, କାଉମାନେ କା କା କରି ଉଡ଼ିବୁଲୁଥିବା, କପୋତ ମାନଙ୍କର ଗୁମୁରି ଗୁମୁରି ଯେମିତି କେଉଁ ମହାକାବ୍ୟ ପଢ଼ିବାର ଶୈଳୀ ଯେମିତି ଜୀବନର ଆଉ ଏକ ରଙ୍ଗ କୁ ଉଜାଗର କରିଥାଏ । ଏଇ ସବୁ ପ୍ରକୃତିର ରଙ୍ଗରେ ଗାଁ ରଙ୍ଗେଇ ହେଇ ଥାଏ । ମନେହୁଏ ଏଇଠି ଏଇମିତି ଜୀବନକୁ ଜୀଇ ଯିବାକୁ ବାକି ସମୟ ପର୍ଯ୍ୟନ୍ତ ।।

ଏଇ ରାସ୍ତାରେ କେତେ ଲୋକେ ଶେଷ ଯାତ୍ରାରେ ଚାଲି ଯାନ୍ତି । କିଏ ଖଇକଉଡି ବିଞ୍ଚି ତ କିଏ ରାମ ନାମ ସତ୍ୟ ହେ ଧ୍ୱନିରେ ଶ୍ମଶାନ ଆଡେ ଚାଲି ଯା’ନ୍ତି ନୀରବରେ । ଏଇ ମାଟିସଡ଼କରେ ଚାଲୁଥିବା ମଣିଷ । କେତେ ମାଟି ଖାଇ ଗଲାଣି କେତେ ଆସିଲେଣି ସବୁର ମୁକସାକ୍ଷୀ ଏଇ ଗାଁ ରାସ୍ତା ।

ଗାଁ ରାସ୍ତା ଓ ଶିକ୍ଷକ ସମସ୍ତକୁ ପହଞ୍ଚାଇ ଦିଅନ୍ତି ସେମାନଙ୍କ ଗନ୍ତବ୍ୟରେ, କିନ୍ତୁ ସେମାନେ ସେଇଠି ସବୁଦିନ ସେତିକି ହେଇ ପଡି ରହିଥାଆନ୍ତି ଅନନ୍ତ କାଳ ପର୍ଯ୍ୟନ୍ତ । 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 weeks ago