ଲେଖା: ଶ୍ରୀକାନ୍ତ ସିଂହ
~ ଅଳଗୁମର ଗତେଶ୍ୱର ମହାଦେବ ମନ୍ଦିର ~
ଗଙ୍ଗବଂଶୀ ରାଜତ୍ୱ ସମୟରେ ତତ୍କାଳୀନ ଉତ୍କଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଅନେକ ଶୈବ ଓ ବୈଷ୍ଣବ ମନ୍ଦିରମାନ ନିର୍ମାଣ ହୋଇଥିଲା l ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ ଗଙ୍ଗବଂଶୀ ଶାସନ କାଳର ଦୁଇଟି ପ୍ରମୁଖ ମନ୍ଦିର ରହିଛି l ସେଥିମଧ୍ୟରେ ନୂଆସୋମେଶ୍ୱରପୁର ଗ୍ରାମରେ ଥିବା ଗୋପୀନାଥ ମନ୍ଦିର ଯାହାକି ଚତୁର୍ଦଶ ଶତାବ୍ଦୀରେ ନିର୍ମାଣ ହୋଇଥିବା କାରୁକାର୍ଯ୍ୟପୂର୍ଣ୍ଣ ଏକ ବୈଷ୍ଣବ ମନ୍ଦିର ଓ ଅନ୍ୟ ଗୋଟିକ ହେଲା ଅଳଗୁମ ଗ୍ରାମରେ ଥିବା ଦଶମ ବା ଏକାଦଶ ଶତାବ୍ଦୀରେ ନିର୍ମିତ ବହୁ ପ୍ରାଚୀନ ଗତେଶ୍ୱର ମହାଦେବ ମନ୍ଦିର l
(ରେଖ ଶୈଳୀରେ ନିର୍ମିତ ଗତେଶ୍ୱର ମହାଦେବ ମନ୍ଦିର, ଅଳଗୁମ)
ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିର ଠାରୁ ପ୍ରାୟ ଦଶ କିଲୋମିଟର ଦୂରରେ ଏହି ମନ୍ଦିରଟି ଅବସ୍ଥିତ l ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରର ଗର୍ଭ ଗୃହରେ ଶିବଲିଙ୍ଗ ପ୍ରାଣ ପ୍ରତିଷ୍ଠିତ ହୋଇଥିବା ବେଳେ, ମନ୍ଦିର ଗାତ୍ରରେ ଗଣେଶ, କାର୍ତ୍ତିକ ଓ ପାର୍ବତୀଙ୍କ ପ୍ରତିମା ପାର୍ଶ୍ୱଦେବତା ରୂପେ ରହିଛନ୍ତି l ରେଖ ଶୈଳୀରେ ନିର୍ମିତ ମନ୍ଦିର ବିମାନରେ ବିଶେଷ କାରୁକାର୍ଯ୍ୟ ଦେଖିବାକୁ ମିଳେ ନାହିଁ l ରାହୁମୁଖ ତଳେ ଓ ପାର୍ଶ୍ଵଦେବଦେବୀଙ୍କ ମୂର୍ତ୍ତିର ଉପରିଭାଗରେ କେତେକ କାରୁକାର୍ଯ୍ୟ ଯାହା ଦେଖିବାକୁ ମିଳେ l
(ପାର୍ଶ୍ୱଦେବତା ଅଷ୍ଟଭୁଜ ନଟଗଣେଶଙ୍କ କମନୀୟ ମୂର୍ତ୍ତି)
ଜଗତସିଂହପୁର ଜିଲ୍ଲା ଅଲଣାହାଟ ନିକଟ କୁଣ୍ଡେଶ୍ୱର ଗ୍ରାମରେ ଥିବା ତ୍ରିଲୋଚନେଶ୍ୱର ମନ୍ଦିର ଓ କଟକ ଜିଲ୍ଲାର ଅଡ଼ଶପୁର, କଣ୍ଟାପଡ଼ା ନିକଟରେ ଥିବା ଅଖଣ୍ଡେଶ୍ୱର ମନ୍ଦିର ନିର୍ମାଣଶୈଳୀ ସହିତ ଏହି ଗତେଶ୍ୱର ମନ୍ଦିରର ନିର୍ମାଣ ଶୈଳୀରେ କିଛିଟା ସାମଞ୍ଜସ୍ୟ ଥିବା ଦୃଷ୍ଟିଗୋଚର ହୁଏ l ଅବଶ୍ୟ ଅଖଣ୍ଡେଶ୍ୱର ମନ୍ଦିର ଗର୍ଭଗୃହର ପ୍ରବେଶ ପଥରେ କେତେକ ସୁକ୍ଷ୍ମ କାରୁକାର୍ଯ୍ୟ ଦେଖିବାକୁ ମିଳେ l
(ଗର୍ଭଗୃହସ୍ଥ ଶିବଲିଙ୍ଗ)
ଗ୍ରାମ୍ୟ ପରିବେଶ ସହିତ ଗତେଶ୍ୱର ମହାଦେବ ମନ୍ଦିର ପରିସରଟି ମଧ୍ୟ ଖୁବ୍ ପରିଷ୍କାର ଓ ପରିଚ୍ଛନ୍ନ l ଏହି ହଜାର ବର୍ଷର ପ୍ରାଚୀନ ମନ୍ଦିରଟି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ସଂରକ୍ଷିତ ଓ ସୁରକ୍ଷିତ l ଅଳଗୁମ ଗ୍ରାମର ଏହି ଗତେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଜାଗେଶ୍ୱରୀ ଠାକୁରାଣୀଙ୍କ ମନ୍ଦିର ରହିଛି l ଗର୍ଭଗୃହସ୍ଥ ମା’ଙ୍କ ପ୍ରତିମାଟି ଏକ ପ୍ରାଚୀନ ମୂର୍ତ୍ତି l
ମାଆ ଜାଗେଶ୍ବରୀଙ୍କର ପ୍ରତ୍ୟେକ ବର୍ଷ ଭାଦ୍ରବ ମାସରେ ପାରମ୍ପରିକ ରୀତିରେ କାଠିଯାତ୍ରା ଅନୁଷ୍ଠିତ ହୁଏ l ଏ ସମ୍ପର୍କରେ ସତ୍ୟବାଦୀର ସଂସ୍କୃତିପ୍ରେମୀ ସିଂହାରୀ ଆଲୋକ ଖୁଣ୍ଟିଆ କୁହନ୍ତି, ପରମ୍ପରା ଅନୁଯାୟୀ ବର୍ଷକ ଜାକ ମା’ଙ୍କ ଆଖି ମୁଦ ଦିଆଯାଇ ବନ୍ଦ କରି ରଖାଯାଇଥାଏ, ଆଉ ଭାଦ୍ରବ ମାସ ଷଠିଓଷା ତିଥିରେ ମା’ଙ୍କ ଆଖିରୁ ଯାବ ଖୋଲାଯିବା ପରେ ୧୨ ପଡ଼ାରେ ୯ ଦିନ ଯାଏ ଘରକୁ ଘର ବୁଲି ମାଆ ଭୋଗ ଖାଇଥାନ୍ତି l ଦୁଆରି ଭୋଗରେ ଗ୍ରାମବାସୀମାନେ ମା’ଙ୍କୁ ଆମିଷ ରୋଷେଇର ଭୋଗ ଅର୍ପଣ କରନ୍ତି l
(ଗତେଶ୍ୱର ମହାଦେବ ମନ୍ଦିର ପରିସରରେ ଥିବା ଦେବୀ ଜାଗେଶ୍ବରୀ)
ଏହି ଯାତ୍ରାପର୍ବ ୧୨ ଦିନ ଧରି ଚାଲିଥାଏ l ଯାତ୍ରାର ନବମ ଦିନ ପୂର୍ଣ୍ଣମୀ ତିଥିର ମଧ୍ୟାହ୍ଣରେ ମା’ଙ୍କ ଚଳନ୍ତି ପ୍ରତିମା ମନ୍ଦିରକୁ ଫେରିବା ପରେ କାଠିଯାତ୍ରା ଆରମ୍ଭ ହୋଇଥାଏ l ଘଣ୍ଟ, କାହାଳୀ, ଢୋଲ, ମହୁରୀ, ହରିବୋଲ, ହୁଳହୁଳି ଧ୍ୱନି ମଧ୍ୟରେ ମା’ଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଅଣାଯାଇ ୨୨ ହାତ ୨୨ ଅଙ୍ଗୁଳି ଲମ୍ବ ବିଶିଷ୍ଟ ଏକ ଶାଳକାଠର ଅ୍ରଗ୍ର ଭାଗରେ ଫୁଲମାଳ ଏବଂ ହାଣ୍ଡିବନ୍ଧା ଯାଇଥାଏ l ମାନସିକଧାରୀ ମାନେ ମା’ଙ୍କୁ ଅର୍ପଣ କରିଥିବା ଶହଶହ ସଂଖ୍ୟାରେ ଶାଢ଼ୀଗୁଡିକ ମହାରଣା ସେବକମାନେ ସେହି କାଠିରେ ବାନ୍ଧିଥାନ୍ତି l ଶାଢୀ ବନ୍ଧା ପର୍ବ ସରିବା ପରେ ସୁସଜ୍ଜିତ କାଠି ମା’ଙ୍କ ଶ୍ରୀଅଙ୍ଗରେ ଲଗାଯାଇ ବେଢା ପରିକ୍ରମା କରାଯାଇଥାଏ l
(ପାର୍ଶ୍ୱଦେଵୀ ମା’ ପାର୍ବତୀଙ୍କ କମନୀୟ ପ୍ରତିମା, ଗତେଶ୍ୱର ମହାଦେବ ମନ୍ଦିର)
ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ କାଠିଟିକୁ ମନ୍ଦିରଠାରୁ ଏକ କିଲୋମିଟର ଦୂର ବାରବାଟୀ ପଡିଆକୁ ବିରାଟ ପଟୁଆରରେ ନିଆଯାଇ ସେଠାରେ ପୋତା ଯାଇଥାଏ l ପରେ ପରେ ମା’ଙ୍କୁ ମହାପ୍ରସାଦ, ପଣା, ପଇଡ ଭୋଗ ପୂଜାରୀ ସେବକମାନେ ସମର୍ପଣ କରିବା ପରେ ସେହି ୨୨ହାତ ଓ ୨୨ ଆଙ୍ଗୁଳି ବିଶିଷ୍ଟ କାଠିରେ ବସି ଦେବୀଙ୍କ ଶକ୍ତିଧାରୀ କାଳେସି ଗୁହାରିଆ ପଡିଥିବା ବିଭିନ୍ନ ଅଞ୍ଚଳର ମାନସିକ ଧାରୀଙ୍କ ମାନସିକ ପୂର୍ଣ୍ଣ ହେବା ପାଇଁ ଆଶିର୍ବାଦ ଦେବାସହ ପ୍ରସାଦ ଭାବରେ ଫୁଲ ପକାଇଥାନ୍ତି l
(ପାର୍ଶ୍ୱଦେବତା ଚତୁର୍ଭୁଜ କାର୍ତ୍ତିକେୟଙ୍କ କମନୀୟ ମୂର୍ତ୍ତି)
ସନ୍ଧ୍ୟାରେ କାଠି ବାରବାଟୀ ପଡିଆରୁ ମନ୍ଦିରକୁ ଫେରିବା ପରେ ମା’ଙ୍କୁ ମନ୍ଦିର ବେଢାରେ ଥିବା ବରଗଛ ମୂଳରେ ଅବସ୍ଥାନ କରାଯାଇ ମା’ଙ୍କ ନିକଟରେ ଶାନ୍ତି ବଳି ପଡ଼ିବା ସହିତ ଖଜୁରୀ ତାଡି ସମର୍ପଣ କରାଯାଇଥାଏ l ପୂର୍ଣ୍ଣମୀ ପରଦିନ ସକାଳୁ ଦେବୀଙ୍କର ଦାନ୍ତକାଠି ମାଜଣା ଏବଂ ସମସ୍ତ ନୀତିକାନ୍ତି ସରିବା ପରେ ସୁନାବେଶ ଆଉ ଟାହିଆଲାଗି ଅନୁଷ୍ଠିତ ହୁଏ l
ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ବିଳମ୍ବିତ ରାତ୍ରିରେ ମା’ଙ୍କ ଚକ୍ଷୁଦ୍ୱୟରେ ପରମ୍ପରା ଅନୁଯାୟୀ ବିରିବଟା ଜାବ ଦେଇ ଆସନ୍ତା ବର୍ଷ ଷଷ୍ଠୀଓଷା ପର୍ଯ୍ୟନ୍ତ ଚକ୍ଷୁ ବନ୍ଦ କରିଦିଆଯାଏ l ଗ୍ରାମର ଏହି ପାରମ୍ପରିକ ବିଶ୍ଵାସର ପର୍ବରେ ଗ୍ରାମବାସୀଙ୍କ ସହିତ ବନ୍ଧୁ ବାନ୍ଧବ ଏବଂ ଦୂରଦୂରାନ୍ତରୁ ମାନସିକଧାରୀ ଭକ୍ତମାନେ ସାମିଲ ହୁଅନ୍ତି l