ଲେଖା: ବନ୍ଧନ ଦଳେଇ

ଓଡିଆ ନାଟ୍ୟ ସାହିତ୍ୟର ବିକାଶରେ ଲୀଳା, ସୁଆଙ୍ଗ, ଗୀତିନାଟ୍ୟ, ଗୀତାଭିନୟ ନୃତ୍ୟଗୀତ ଉତ୍କଳୀୟ ନାଟ୍ୟକଳାର ଶ୍ରେଷ୍ଠ ନିଦର୍ଶନ ଏଥିରେ ସନ୍ଦେହ ନାହିଁ। ଏସବୁ ଉତ୍କଳୀୟ ନାଟ୍ୟ ପରମ୍ପରାର ଅଗ୍ରଗତି କରାଇବାରେ ଯାହାଙ୍କ ବିଶିଷ୍ଟ ଭୂମିକା ରହିଛି, ସେ ହେଉଛନ୍ତି ଗଣକବି ବୈଷ୍ଣବ ପାଣି।

କଟକ ଜିଲ୍ଲା ବିରୂପାନଦୀ କୂଳସ୍ଥ ମାହାଙ୍ଗା ଥାନା ଅନ୍ତର୍ଗତ କୋଠପଦା ଗ୍ରାମରେ ଦରିଦ୍ର ବ୍ରାହ୍ମଣ ପରିବାରରେ ୧୮୮୨ ମସିହା କୁମାର ପୂର୍ଣ୍ଣିମା ଗୁରୁବାର ରାତ୍ରରେ ତାଙ୍କର ଧରାବତରଣ ହୋଇଥିଲା। ମାତାଙ୍କ ନାମ ଚାନ୍ଦଦେବୀ, ପିତାଙ୍କ ନାମ ସୁଦର୍ଶନ ପାଣି। ବୈଷ୍ଣବଙ୍କ ପିଲାଦିନର ନାମ ଶତ୍ରୁଘ୍ନ ଥିଲା।


ଲୋକମୁଖ ଶ୍ରୁତି ଯେ ଜନ୍ମହେବାର କେତେକ ମାସ ପରେ କୌଣସି ସାଂଘାତିକ ରୋଗରେ ପ୍ରପୀଡିତ ହେବାରୁ ତାଙ୍କ ପରିବାର ଲୋକେ ଜଗନ୍ନାଥ ମହାପ୍ରଭୁଙ୍କ ବଡଛତା ତଳେ ତାଙ୍କୁ ବୈଷ୍ଣବ କରି ଦେଇଥିଲେ। ତେଣୁ ସେବେଠାରୁ ସେ ବୈଷ୍ଣବ ନାମରେ ପରିଚିତ ହେଲେ।

ଉଦର ପୋଷଣ ନିମିତ୍ତ ଗୋରକ୍ଷା ଠାରୁ ପାଚକଗିରି ପର୍ଯ୍ୟନ୍ତ ନାନା କର୍ମ କରି ଅବଶେଷରେ ନାଟ୍ୟକଳାକୁ ସେ ଜୀବନର ଚାରଣଭୂମି ରୂପେ ବରଣ କରିନେଇଥିଲେ। ମହନ୍ତ ରଘୁନାଥ ପୁରୀଙ୍କର ଯାତ୍ରା ଦଳରେ ଏକ କିଶୋର ଅଭିନେତା ରୂପେ ସେ ନିଜର କଳାକାର ଜୀବନ ଆରମ୍ଭ କରିଥିଲେ, କିନ୍ତୁ ନିଜର ଅସାମାନ୍ୟ ପ୍ରତିଭା ତଥା ଅଦ୍ଭୁତ ସାଧନା ବଳରେ ସେ ଓଡିଆ ଗଣନାଟ୍ୟ ଜଗତର ମୁକୁଟବିହୀନ ସମ୍ରାଟ ହୋଇପାରିଥିଲେ।

ଓଡିଆ ଯାତ୍ରାର ଆଧୁନିକୀକରଣ ଓ ନବରୂପାୟନରେ ତାଙ୍କର ଦାନ ଅତୁଳନୀୟ। ଦୀର୍ଘ ଅର୍ଦ୍ଧଶତାବ୍ଦୀ କାଳବ୍ୟାପୀ ତାଙ୍କର ସାହିତ୍ୟସାଧନା ଭିତରେ ସେ ଶତାଧିକ, ସୁଆଙ୍ଗ, ଗୀତିନାଟ୍ୟ, ଗୀତାଭିନୟ ଏବଂ ବହୁସଂଖ୍ୟକ ପ୍ରହସନ ରଚନା କରି ଓଡିଆ ଯାତ୍ରା ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି।

ଗଣକବି ବୈଷ୍ଣବ ପାଣିଙ୍କର ନାଟ୍ୟକୃତି ସମୂହକୁ ତିନିପ୍ରଧାନ ଶ୍ରେଣୀରେ ବିଭକ୍ତ କରାଯାଇପାରେ:
୧. ପୌରାଣିକ:
କଂସବଧ, ପାରିଜିତ ହରଣ, ପ୍ରହ୍ଲାଦ ଚରିତ, ଧ୍ରୁବଚରିତ, ରାବଣବଧ, ମେଘନାଦବଧ, ବାଳିବଧ, ଦକ୍ଷଯଜ୍ଞ, ବ୍ରଜଲୀଳା, ହରିଶ୍ଚନ୍ଦ୍ର, ଶଙ୍ଖଚୂଡ ବଧ, କୀଚକବଧ, ସୁଭଦ୍ରାହରଣ, କଂସବଧ, କର୍ଣ୍ଣବଧ, ଯଦୁବଂଶ ଧ୍ୱଂସ ପ୍ରଭୃତି।

୨. ଐତିହାସିକ ଓ କିମ୍ବଦନ୍ତୀମୂଳକ:
ସଂଯୁକ୍ତା ପରିଣୟ, ଚନ୍ଦ୍ରଗୁପ୍ତ, କଳାପାହାଡ, ମୀରାବାଈ, ଗୋବିନ୍ଦଚନ୍ଦ୍ର, ସାକ୍ଷୀଗୋପାଳ, ଯଯାତିକେଶରୀ, କାଞ୍ଚିକାବେରୀ ଇତ୍ୟାଦି।

୩. କାଳ୍ପନିକ:
କାନ୍ଚନକୁମାର, ଶ୍ୱେତବସନ୍ତ, ଲାବଣ୍ୟବତୀ, ଖୁଲଣାସୁନ୍ଦରୀ, କେଦାରଗୌରୀ, ମଲ୍ଲୀଫୁଲ, ଚୌରଚନ୍ଦ୍ରଚୂଡାମଣି, ଚନ୍ଦ୍ରାବତୀ ହରଣ ଇତ୍ୟାଦି।


ଗଣକବି ପାଣିଙ୍କ ରଚନାବଳୀର ବିଷୟବସ୍ତୁ ବିବିଧ ଓ ବହୁମୁଖୀ। ପ୍ରତ୍ୟେକଟି ରଚନାରେ ପାଣିଙ୍କର ଅସାମାନ୍ୟ ନାଟ୍ୟ ପ୍ରତିଭାର ସ୍ୱାକ୍ଷର ସୁସ୍ପଷ୍ଟ।

ଗଣକବି ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ଗୁଡିକରେ କଥାବସ୍ତୁର ନାଟକୀୟତା ଓ ଚମତ୍କାରିତା ସଙ୍ଗେ ଆବେଗ, ଉତ୍କଣ୍ଠା, ଦ୍ୱନ୍ଦ ଓ ଆକସ୍ମିକତା ଆଦି ନାଟକୀୟ ଧର୍ମ ନ୍ୟୁନାଧିକ ପରିମାଣରେ ବିଦ୍ୟମାନ ଥିଲେ ହେଁ ସେଗୁଡିକ ମୁଖ୍ୟତଃ ରସପ୍ରଧାନ। ଶୃଙ୍ଗାର, ବୀର, କରୁଣ, ହାସ୍ୟ, ରୌଦ୍ରାଦି ରସର ପରିସ୍ପୁଟନରେ ସେ ଅଦ୍ଭୁତ ଶକ୍ତିମତ୍ତା ପ୍ରଦର୍ଶନ କରିଅଛନ୍ତି।

ବୈଷ୍ଣବଙ୍କ ନାଟ୍ୟକୃତି  ସମୂହର ପ୍ରଧାନ ଆକର୍ଷଣ କେନ୍ଦ୍ର ହେଉଛି ସଙ୍ଗୀତ। ଚରିତ୍ରମାନେ ପ୍ରଥମେ ସଙ୍ଗୀତ ମାଧ୍ୟମରେ ନିଜ ନିଜର ଭାବ ପ୍ରକାଶ କରନ୍ତି। ପରେ ସରଳ ଗଦ୍ୟରେ ସଙ୍ଗୀତର ଭାବକୁ ପ୍ରକାଶ କରାଯାଏ ।

ସଙ୍ଗୀତ ଗୁଡିକ ନାନାବୃତ୍ତ ଓ ଲୋକପ୍ରିୟ ରାଗରାଗିଣୀରେ ରଚିତ। ଏହି ସଙ୍ଗୀତ ଗୁଡିକରୁ ଆମେ ତାଙ୍କର ଅସାମାନ୍ୟ କବିପ୍ରତିଭାର ପରିଚୟ ପାଉ। ସାମସମୟିକ ଘଟଣାବଳୀ ଓ ପରିସ୍ଥିତିକୁ ଭିତ୍ତି କରି ରଚିତ ହୋଇଥିଲେ ମଧ୍ୟ ସେଗୁଡିକର ଆବେଦନ ସାର୍ବଜନୀନ ଓ ସର୍ବକାଳୀନ । ତାହାଙ୍କର ଗଦ୍ୟ ସଂଳାପ ସରଳ, ମାର୍ଜିତ, ରସାନୁଧାରୀ ଓ ପାତ୍ରାନୁକୂଳ।

ଗଣକବି ବୈଷ୍ଣବ ପାଣିଙ୍କର ଅନ୍ୟ ଏକ ବିଶେଷତ୍ୱ ହେଉଛି ଜଗତ ଓ ଜୀବନ ପ୍ରତି ତାଙ୍କର ବାସ୍ତବ ଓ ବୈପ୍ଲବିକ ଦୃଷ୍ଟିଭଙ୍ଗୀ।


ସମାଜରେ ଯେଉଁମାନେ ଦଳିତ, ଲାଞ୍ଛିତ, ଅବହେଳିତ ଓ ଉପେକ୍ଷିତ ସେମାନଙ୍କୁ ସେ ତାହାଙ୍କ ନାଟ୍ୟକୃତି ସମୂହରେ ସ୍ଥାନ ଦେଇଛନ୍ତି।

ବୈଷ୍ଣବ  ସୁଆଙ୍ଗ, ଗୀତିନାଟ୍ୟ ଓ ଗୀତାବଭିନୟ ମାନଙ୍କରେ ଗଣକବି ମନୁଷ୍ୟକୁ ହିଁ ଶ୍ରେଷ୍ଠସ୍ଥାନ ପ୍ରଦାନ କରିଛନ୍ତି।

ଆଧୁନିକ ପାଶ୍ଚାତ୍ୟ  ଶିକ୍ଷାର ଅବାଞ୍ଛନୀୟ ପ୍ରଭାବ, ଗ୍ରାମ ଓ ସହର ମଧ୍ୟରେ ରହିଥିବା ତାରତମ୍ୟ, ଧନୀଦରିଦ୍ରଭେଦ, ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ବ୍ୟଙ୍ଗବିଦ୍ରୁପ ଛଳରେ ସେ ଯେଉଁ କଟୁ ମନ୍ତବ୍ୟ ପ୍ରକାଶ କରିଅଛନ୍ତି ତହିଁରୁ ନାଟ୍ୟକାର ଭାବରେ ତାହାଙ୍କ ଅଗ୍ରଗାମୀ ଦୃଷ୍ଟିଭଙ୍ଗୀର ପରିଚୟ ମିଳେ।

ଗଣକବି ବୈଷ୍ଣବ ପାଣିଙ୍କର କଳାକୃତି ସମୂହର ଯଥାର୍ଥ ମୂଲ୍ୟାଙ୍କନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ। ଏ ଦିଗରେ ପ୍ରଧାନ ଅନ୍ତରାୟ ହେଉଛି ତାଙ୍କର ସାମାଜିକ ପୃଷ୍ଠଭୁମି। କଳାରେ ହିଁ କଳାର ସାର୍ଥକତା, ଏହା ଯଦି ସତ୍ୟ ହୁଏ ତାହେଲେ ଗଣକବି ବୈଷ୍ଣବ ପାଣି ଚଳିତ ଶତାବ୍ଦୀର ଶ୍ରେଷ୍ଠ କବି ଓ ନାଟ୍ୟକାରମାନଙ୍କର ସହିତ ସମାନ ଆସନରେ ଆସୀନ ହେବା ପାଇଁ ଯେ ସର୍ବଥା ଯୋଗ୍ୟ ବିବେଚିତ ହେବେ, ଏଥିରେ ସନ୍ଦେହ ନାହିଁ।

ବିଗତ ଏକ ଦଶନ୍ଧି ହେଲା ଗଣକବି ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ଓ ଗୀତାଭିନୟ ଗୁଡିକ ପ୍ରତି ଦେଶର ଶିକ୍ଷିତ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷିତ ହେଉଥିବା ଅତ୍ୟନ୍ତ ଆନନ୍ଦର ବିଷୟ।

© ବନ୍ଧନ ଦଳେଇ Bandhan Dalai

Spread the love
admin

Recent Posts

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

6 hours ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 week ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago