ଲେଖା: ଅମ୍ବିକା ପଟ୍ଟନାୟକ
~ ଅକାରଣେ ନିନ୍ଦିତ ଗଜପତି ପ୍ରତାପରୁଦ୍ର ଦେବ ~
1479ର କଥା l ପରମହଂସନାଥ ମହାଦେବଙ୍କ ଦର୍ଶନ ନିମିତ୍ତ ଓଡ଼ିଶା ଗଜପତି ପୁରୁଷୋତ୍ତମ ଦେବ ଆସନ୍ନ ପ୍ରସବା ପଦ୍ମାବତୀ ପାଟ ମହାଦେଈଙ୍କ ସହ ଯାଉଛନ୍ତି l ମନ୍ଦିର ନିକଟରେ ପାଟମହାଦେଈଙ୍କ ପ୍ରସବ ବେଦନା l ପୁତ୍ରବଧୂତୁଲ୍ୟା ପାଟମହାଦେଈଙ୍କ ଉଲଗ୍ନ ଶରୀର ଦେଖିବେ ନାହିଁ ବୋଲି ପ୍ରଭୁ ପାତାଳି ହୋଇଗଲେ l ସେଇଠି ଜନ୍ମହେଲେ ଓଡ଼ିଶାର ଭାବୀ ଗଜପତି . . ପୁରୁଷୋତ୍ତମ ଦେବ ଶ୍ରଦ୍ଧାରେ ନାମ ଦେଲେ ପ୍ରତାପ ଜେନାମଣି l
ପଞ୍ଚଦଶ ଶତାବ୍ଦୀର କଥା l ଗଙ୍ଗମାନଙ୍କ ଶିଥିଳ ହସ୍ତରୁ ନିଜ ବଜ୍ରମୁଷ୍ଟି ଦ୍ଵାରା ଓଡ଼ିଶା ଅଧିକାର କରିଥିଲେ ‘ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ବିରାଧୀବୀରବର ଶ୍ରୀ ଶ୍ରୀ ଶ୍ରୀ କପିଳେନ୍ଦ୍ର ଦେବ’ l ପୂର୍ବରେ ଗଙ୍ଗାଠାରୁ ଦକ୍ଷିଣରେ ରାମେଶ୍ୱର ପଶ୍ଚିମରେ ୱାରଙ୍ଗଲ କଳବର୍ଗ ପର୍ଯ୍ୟନ୍ତ ବିଜୟର ଜୈତ୍ରଯାତ୍ରା ଉଡ଼ାଇ ଥିବା ଦିଗବିଜୟୀ ସମ୍ରାଟ l ପୁତ୍ର ପୁରୁଷୋତ୍ତମ ଦେବ ସେ ସାମ୍ରାଜ୍ୟର ବହୁଳାଂଶ ରକ୍ଷା କରିପାରିଥିଲେ l କେବଳ ବିଜୟନଗର ରାଜା ଶାଲ୍ୱ ନରସିଂହ ଦେବ ଓ ଗୋଲକୁଣ୍ଡା ସୁଲତାନଙ୍କ ସହ ସଂଘର୍ଷ ଛଡ଼ା ବାକି ସମୟ ସେ ନିରୂପଦ୍ରଵ ଭାବେ କାଟିଥିଲେ l
1497ରେ ପିତାଙ୍କ ଅଚାନକ ମୃତ୍ୟୁ ପରେ ବିଶାଳ ସେ ଗଜପତି ସାମ୍ରାଜ୍ୟର ଦାୟିତ୍ୱ ନେଇଥିଲେ ମାତ୍ର ଅଠର ବର୍ଷର ସୁନ୍ଦର ସୁଯୋଦ୍ଧା ସାହିତ୍ୟିକ ଗଜପତି ପ୍ରତାପରୁଦ୍ର ଦେବ l ପାଞ୍ଚଶହ ପଚିଶ ବର୍ଷ ପରେ ମଧ୍ୟ ଐତିହାସିକ ସମାଲୋଚକଙ୍କ ଦୃଷ୍ଟିରେ ନିନ୍ଦିତ, ଅପାଙକ୍ତେୟ, ଶ୍ରୀଚୈତନ୍ୟ ପ୍ରୀତିରେ ଓଡ଼ିଶାର ସର୍ବନାଶକାରୀ ଭାବେ ଚିନ୍ହିତ l ଶ୍ରୀଚୈତନ୍ୟ ଓଡ଼ିଶାର ନାମ ସଂକୀର୍ତ୍ତନ ପ୍ରଚାର କଲେ ଓ ଶିଷ୍ୟ ପ୍ରତାପରୁଦ୍ର ସମ୍ପୂର୍ଣ୍ଣ ସହଯୋଗ କରି ଓଡିଶାର ସାମରିକ ସଂସ୍କୃତି ଧ୍ବଂସ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି ମତ ଦେଉଥିବା ସମାଲୋଚକ ମାନଙ୍କ ତଥ୍ୟର ମୁଖ୍ୟ ଆଧାର “ଶ୍ରୀ ଚୈତନ୍ୟ ଚରିତାମୃତ” ଓ ଅନ୍ୟାନ୍ୟ ଭାକ୍ତିକ କାବ୍ୟଗ୍ରନ୍ଥ ଏବଂ ଶ୍ରୀ ଚୈତନ୍ୟଙ୍କ ଏକ ନାମ ‘ଗଜପତି ପ୍ରତାପରଦ୍ର ସନ୍ତ୍ରାତା “l କିନ୍ତୁ ଭାକ୍ତିକ କାବ୍ୟ ସମୂହ ପ୍ରକୃତ ଇତିହାସ ବର୍ଣ୍ଣନା ନୁହେଁ l
ସବୁ ସମୟ ସମାନ ନୁହେଁ l ଗଜପତି କପିଳେନ୍ଦ୍ରଙ୍କ ସୁଦକ୍ଷ ସହଯୋଗୀ ଥିଲେ ପୁତ୍ର କଳାହମ୍ବୀର ଦେବ, ଓଡ଼ିଶାର ସର୍ବକାଳୀନ ଶ୍ରେଷ୍ଠ ସେନାପତି l ପୁରୁଷୋତ୍ତମଙ୍କ ସମୟ ନିରୁପଦ୍ରଵ ସୀମାନ୍ତ l ପୁରୁଷୋତ୍ତମ ଦେବଙ୍କ ନିଷ୍କ୍ରିୟତା ସମ୍ଭବତଃ ଓଡ଼ିଆ ସୈନ୍ୟଙ୍କୁ ଧୀରେ ଧୀରେ ନିଷ୍କ୍ରିୟ କରି ଦେଇ ଥିଲା l ଗଜପତି ପ୍ରତାପରୁଦ୍ର 1509ରେ ଦକ୍ଷିଣକୁ ଯୁଦ୍ଧ ଯାତ୍ରାରେ ଯାଇଥିବା ବେଳେ ବଙ୍ଗର ଇସମାଇଲ ଗାଜୀ ପୁରୀ ପର୍ଯ୍ୟନ୍ତ ମାଡ଼ି ଆସିଥିଲା ଯେ ଶ୍ରୀ ଜଗନ୍ନାଥଙ୍କୁ କୋକଲଗଡ଼ ନିଆ ଯାଇଥିଲା l ଏ ଘଟଣା ଶୁଣି ଗଜପତି ଦ୍ରୁତ ଗତିରେ ଫେରି ଆସି ଇସମାଇଲ ଗାଜୀକୁ ମନ୍ଦାରଣ ପର୍ଯ୍ୟନ୍ତ ଘଉଡ଼ି ନେଇ ଥିଲେ l ମନେ ରଖିବା ଉଚିତ କୃଷ୍ଣା ନଦୀ ତୀରରୁ ଗଙ୍ଗା ତୀର ପ୍ରାୟ 1600 କିଲୋମିଟର l ଏ ଘଟଣା ପ୍ରମାଣ କରୁଛି ଯେ ସେନାପତି ଓ ସୈନ୍ୟଙ୍କୁ ଧୀରେ ଧୀରେ ଅବଶତା ଗ୍ରାସ କରୁଥିଲା l କାରଣ ଗଜପତି ପ୍ରତାପରୁଦ୍ର ଦେବ ତ ଆଉ ଜୌନପୁର ଓ ବଙ୍ଗଳା ଶତ୍ରୁତା ଭୁଲି ନଥିବେ l ତା ସହ ସେନାପତି ଗୋବିନ୍ଦ ବିଦ୍ୟାଧରଙ୍କ ବିଶ୍ୱାସ ଘାତକତା l ଏହା ମଧ୍ୟ ମନେ ରଖିବା ଉଚିତ ଯେ କଟକରୁ ଗଙ୍ଗାକୂଳ ତ୍ରିବେଣୀ ଚାରିଶହ କିଲୋମିଟର ହେଲାବେଳେ ତିରୁପତି ପାଖରେ ଥିବା ଉଦୟଗିରି ବାରଶହ କିଲୋମିଟର ଦୂର l ରାଜଧାନୀରୁ ବାରଶହ କିଲୋମିଟର ଦୂର ପର୍ଯ୍ୟନ୍ତ ପ୍ରଶାସନିକ ଗତିବିଧି ବା ସାମରିକ ଗତିଵିଧି ସଂଚାଳନ ଅତୀବ କଠିନ l
ଗଜପତି ପ୍ରତାପରୁଦ୍ରଙ୍କ ଚରିତ୍ର ବୁଝିବାକୁ ହେଲେ କେତୋଟି ଚରିତ୍ର ବୁଝିବାକୁ ହେଵ, ଶ୍ରୀ ଚୈତନ୍ୟ, କୃଷ୍ଣଦେବ ରାୟ, କୁମାର ବୀରଭଦ୍ର, ଅଦୃଶ୍ୟ ସୂତ୍ରଧର ତିମ୍ମରସୁ, ରାୟ ରାମାନନ୍ଦ l ବିଶିଷ୍ଟ ଭକ୍ତ ରାମାନନ୍ଦ ପଟନାୟକ ଏକ ନାଟକ “ବିଦଗ୍ଧ ମାଧବ” ରଚନା କରି ଶ୍ରୀ ଜଗନ୍ନାଥ ମନ୍ଦିରରେ ଅଭିନୟ କରେଇ ଥିଲେ l ମୁଗ୍ଧ ଗଜପତି ତାଙ୍କୁ ‘ରାୟ’ ଉପାଧି ଦେଇ ତାଙ୍କୁ ରାଜମହେନ୍ଦ୍ରୀର ଶାସନକର୍ତ୍ତା ଭାବେ ନିଯୁକ୍ତ କରିଥିଲେ l ରାଜମହେନ୍ଦ୍ରୀରେ ପରେ ରାୟ ରାମାନନ୍ଦ ଶ୍ରୀ ଚୈତନ୍ୟଙ୍କୁ ଐକାନ୍ତିକ ଭକ୍ତି ତତ୍ତ୍ୱର ଶିକ୍ଷା ଦେଇଥିଲେ l ସାମରିକ ଆବଶ୍ୟକତା ଦୃଷ୍ଟିରୂ ଗଜପତି ପରେ କବି ଡିଣ୍ଡିମ ଜୀବଦେବଙ୍କୁ ବାହିନୀପତି ଉପାଧି ଦେଇ ରାଜମହେନ୍ଦ୍ରୀ ଭାର ଦେଲେ ରାମାନନ୍ଦ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଭାର ନେଲେ l
ଶ୍ରୀ ଚୈତନ୍ୟଙ୍କ ଓଡ଼ିଶା ଆଗମନ 1510, ବିଭିନ୍ନ ତୀର୍ଥ କ୍ଷେତ୍ର ବୁଲି ବୁଲି 1512/13 ବେଳକୁ ପୁରୀରେ ସ୍ଥାୟୀ ଅବସ୍ଥାନ l 1534ରେ ଦେହତ୍ୟାଗ ପର୍ଯ୍ୟନ୍ତ ପୁରୀରେ ଅବସ୍ଥାନ, କିନ୍ତୁ ଶ୍ରୀଜଗନ୍ନାଥ ମନ୍ଦିର ଗରୁଡ଼ ସ୍ତମ୍ଭ ଦେଇ କେବେ ଆଗକୁ ଯାଇ ନାହାନ୍ତି l ସେଇ ସମୟରେ ଓଡ଼ିଶା ଉପରେ ଦୁର୍ଯୋଗର କଳା ବାଦଲ ନଇଁ ଆସୁଥିଲା l
1509ରେ କୃଷ୍ଣଦେବ ରାୟ ବିଜୟନଗର ସାମ୍ରାଜ୍ୟ ଅଧିପତି ହେଲେ l ସେ ଜଣେ ବିଚକ୍ଷଣ ଯୋଦ୍ଧା, କୁଶଳ ରଣନୀତିକାର ଓ ବାସ୍ତବବାଦୀ ରାଜନୀତିଜ୍ଞ ଥିଲେ l ତାଙ୍କ ପ୍ରଧାନମନ୍ତ୍ରୀ ତଥା ସାମରିକ ପରାମର୍ଶଦାତା ଭାବରେ ସେ ଥିଲେ ଅନ୍ୟ ଏକ ବିଚକ୍ଷଣ ବ୍ୟକ୍ତି ଦୂରଦର୍ଶୀ ତିମ୍ମରସୁ l ପର୍ତ୍ତୁଗୀଜମାନେ 1510ରେ ଗୋଆ ଅଧିକାର କଲାବେଳେ ସେ ବିରୋଧ କରି ନଥିଲେ ବରଂ ବନ୍ଧୁତା କରି ସେମାନଙ୍କ ଠାରୁ ଉନ୍ନତ ଘୋଡ଼ା ଏବଂ ବନ୍ଧୁକ ପାଇଥିଲେ l
ପୂର୍ବ ପରାଜୟ ମାନଙ୍କ ପ୍ରତିଶୋଧ ପାଇଁ ଯୋଜନାବଦ୍ଧ ଭାବେ କୃଷ୍ଣଦେବରାୟ ଓ ତିମ୍ମରସୁ ଓଡ଼ିଶା ବିରୋଧରେ ଯୁଦ୍ଧ ଆରମ୍ଭ କଲେ l 1512-1519 କ୍ରମାଗତ ସାତ ବର୍ଷ ବିଜୟନଗର ଓଡ଼ିଶା ଯୁଦ୍ଧ l ଉଦୟଗିରି ଠାରୁ ଆରଂଭ ସିମାଞ୍ଚଳ ପୋଟନୁରୁରେ ଶେଷ l ଉଦୟଗିରି ବର୍ଷେ, କୋଣ୍ଡାଭିଡୁ ଦେଢ଼ ବର୍ଷ ଏମିତି ପ୍ରତିରୋଧ ଥିଲା l ଉପଯୁକ୍ତ ସୈନ୍ୟବଳ ଅଭାବରୁ ଗଜପତି ଗୋଲକୁଣ୍ଡାର ସେନାପତି ସିପାତ ଖାଁର ସାହାଯ୍ୟ ମଧ୍ୟ ନେଇଥିଲେ l 1520 ରେ ଅପମାନଜନକ ସନ୍ଧି ହେଲା, ପ୍ରତାପରୁଦ୍ର କନ୍ୟା ଜଗନ ମୋହିନୀଙ୍କୁ କୃଷ୍ଣଦେବ ବିବାହ କରି ତୁକ୍କା ନାମ ଦେଲେ କିନ୍ତୁ ମଧୁଶଯ୍ୟା ରାତ୍ରିରେ ଜଗନମୋହିନୀଙ୍କ ଛୁରୀ ଦେଖି ସମ୍ପର୍କ ରଖିଲେ ନାହିଁ l ପୋଟନୁରୁରେ ବିଜୟସ୍ତମ୍ଭ ପ୍ରତିଷ୍ଠା କରି, ସମସ୍ତ ବିଜିତ ଅଞ୍ଚଳ ଫେରେଇ କୃଷ୍ଣଦେବ ରାୟ ଫେରିଗଲେ l
କଥା ହଉଛି ବଙ୍ଗଳା ଵା ବିଜୟନଗର ଯେପରି ସମୃଦ୍ଧ ଥିଲା ଓଡିଶା ସେପରି ନ ଥିଲା l ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ କ୍ରମାଗତ ବଢ଼ି ମରୁଡ଼ି ଓଡିଶାର ମେରୁଦଣ୍ଡ ଭାଙ୍ଗି ଦେଇଥିଲା l ଯୁଦ୍ଧ ଅଭିଯାନ ଖର୍ଚ୍ଚ ସାପେକ୍ଷ କିନ୍ତୁ ପ୍ରତାପ ରୁଦ୍ରଙ୍କ ଅବସ୍ଥା “କୋଡ଼ିଏ ବର୍ଷ ପରେ”ର ପ୍ରଥମ ଚାର୍ଲସଙ୍କ ଉକ୍ତି ଉକ୍ତି ପରି “ତିନି ବର୍ଷ ଧରି ସାହସୀ ସ୍କଚମାନେ ରକ୍ତ ବିନିମୟରେ ଗୌରବ ଛଡ଼ା ଆଉକିଛି ପାଇ ନାହାନ୍ତି l”
କେତେ ଅବା ବୟସ ହୋଇଥିଲା? ଅଠର ଉଣେଇଶ ବର୍ଷ ବେଳେ ବିଶାଳ ଗଜପତି ସାମ୍ରାଜ୍ୟର ସମ୍ରାଟ l ଚାଳିଶ ଏକଚାଳିଶ ବର୍ଷ ବେଳକୁ ପ୍ରିୟତମ ଯୋଗ୍ୟ ପୁତ୍ରର ଆତ୍ମହତ୍ୟା, ରାଣୀ ବନ୍ଦିନୀ, ଅଧା ସାମ୍ରାଜ୍ୟଚ୍ୟୁତ, ଅପମାନଜନକ ଭାବେ ନିଜ ଠାରୁ ବୟସ୍କ କୃଷ୍ଣଦେବ ରାୟଙ୍କୁ ନିଜ ପ୍ରିୟ କନ୍ୟା ଜଗନମୋହିନୀ ପ୍ରଦାନ l କନ୍ୟାର ବିଡ଼ମ୍ବିତ ଦାମ୍ପତ୍ୟ ଜୀବନ l ବିବାହ ପରେ ମଧୁଶଯ୍ୟା ରାତିରେ କୃଷ୍ଣଦେବ ଜଗନମୋହିନୀଙ୍କ ଅଣ୍ଟାର ଛୁରୀ ଦେଖି ଫେରିଯାଇଥିଲେ l ଏସବୁ ଦୁର୍ଦଶା ଜଣଙ୍କ ମନୋଭାବ ଉପରେ କି ପ୍ରଭାବ ପକେଇ ଥାଇ ପାରେ ପ୍ରାୟ କୌଣସି ଐତିହାସିକ ଖୋଜିବାକୁ ଚେଷ୍ଟା କରି ନାହାନ୍ତି l ବୁଝିଥିଲେ କୂଳବୃଦ୍ଧ ମଧୂସୁଦନ ଏଣୁ କହିଥିଲେ “ଶ୍ରେଷ୍ଠ ସୂର୍ଯ୍ୟବଂଶୀ ଗଜପତି” l ବୁଝିଥିଲେ ସୁରେନ୍ଦ୍ର ମହାନ୍ତି ଏଣୁ “କୃଷ୍ଣାବେଣୀରେ ସନ୍ଧ୍ୟା” l
କୁମାର ବୀରଭଦ୍ର ଶୌର୍ଯ୍ୟ ଅସାଧାରଣ ଥିଲା ଓ ସେ ଜଣେ ସୁଦକ୍ଷ ଖଡ୍ଗ ଚାଳକ ଥିଲେ l କୁମାର ଵୀରଭଦ୍ର କୋଣ୍ଡାଭିଡୁ ଯୁଦ୍ଧରେ ବନ୍ଦୀ ହେବା ପରେ ତାଙ୍କ ବୀରତ୍ୱରେ ମୁଗ୍ଧ ହୋଇ କୃଷ୍ଣଦେବ ତାଙ୍କୁ ଜଣେ ପ୍ରାଦେଶିକ ଶାସକ ନିଯୁକ୍ତ କରିଥିଲେ l ସେ ସମୟରେ ସେ କିଛି ଦାନପତ୍ର “ବୀରଶ୍ରୀ ଗଜପତି ଗୌଡ଼େଶ୍ୱର . . . ଶ୍ରୀ ରୁଦ୍ର ପ୍ରତାପ ଦେବସ୍ୟ ତନୁଜ . . .” ଲେଖିଥିଲେ, ଏହା ଦେଖି କ୍ଷୁବ୍ଧ ତିମ୍ମରସୁ ଚକ୍ରାନ୍ତ କରି ଖଣ୍ଡା ଯୁଦ୍ଧର ଆୟୋଜନ କରିଥିଲେ l ତାଙ୍କର କୃଷ୍ଣଦେବ ରାୟ ଉପରେ ଅଖଣ୍ଡ ପ୍ରଭାବ ଥିଲା l କୁମାର ବୀରଭଦ୍ର ସାଧାରଣ ସୈନିକ ସହ ଯୁଦ୍ଧ ନ କରି କୃଷ୍ଣଦେବରାୟଙ୍କୁ ଆହ୍ୱାନ କରିଥିଲେ l କିନ୍ତୁ କୃଷ୍ଣଦେବରାୟ ସୈନ୍ୟ ସହ ଯୁଦ୍ଧ କରିବାକୁ ଆଦେଶ ଦେବାରୁ ନିଜ ଛାତିରେ ଖଣ୍ଡା ଭୁଷି ବୀରଭଦ୍ର ଆତ୍ମହତ୍ୟା କରିଥିଲେ l ଅବଶ୍ୟ ଗଜପତି ପ୍ରତାପରୁଦ୍ର ଦେବ ତିମ୍ମରସୁ ଉପରେ ପ୍ରତିଶୋଧ ନେଇଥିଲେ l
1524ରେ କୃଷ୍ଣଦେବ ନିଜ ଅବୋଧ ଶିଶୁ ତିରୁମାଲା ରାୟଙ୍କୁ ନିଜ ଉତ୍ତରାଧିକାରୀ ଘୋଷଣା କଲେ l କିନ୍ତୁ ଅଳ୍ପଦିନ ପରେ ସେ ବିଷପ୍ରୟୋଗ ଦ୍ଵାରା ସେ ଶିଶୁର ମୃତ୍ୟୁ ହେଲା l ସନ୍ଦେହର ସୂଚୀ କଣ୍ଟା ଘୁରିଗଲା ତିମ୍ମରସୁଙ୍କ ଆଡ଼େ l କ୍ରୁଦ୍ଧ କୃଷ୍ଣଦେବ ତାଙ୍କୁ ଅନ୍ଧ କରିଦେଇ ପେନୁକୋଣ୍ଡା ଦୁର୍ଗରେ ବନ୍ଦୀ କରିଥିଲେ l ପରେ ଏହି ଚକ୍ରାନ୍ତରେ ଗଜପତିଙ୍କ ପ୍ରୋତ୍ସାହନ ଥିଲା ବୋଲି ଜାଣି ତାଙ୍କୁ ମୁକ୍ତ କରିଥିଲେ l ଘୋର ଦାରିଦ୍ର୍ୟ ଓ ନୈରାଶ୍ୟରେ ଏଇ କୁଟିଳ ବିଚକ୍ଷଣ ପ୍ରଧାନମନ୍ତ୍ରୀଙ୍କ ଶେଷକାଳ କଟିଥିଲା l ଏପରିକି ତିରୁପତି ମନ୍ଦିରକୁ ସେ ନିଜେ ଖଞ୍ଜିଥିବା ଭୋଗ ସେବା ମଧ୍ୟ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ l କୌଣସି ମନ୍ଦିର ଇତିହାସରେ ଏପରି ଘଟଣା ଘଟିନାହିଁ l
1529ରେ କୃଷ୍ଣଦେବ ରାୟଙ୍କ ମୃତ୍ୟୁ ପରେ ଗଜପତି ପ୍ରତାପରୁଦ୍ର ଦେବ ପୁନର୍ବାର ବିଜୟନଗର ଆକ୍ରମଣ କରିଥିଲେ କିନ୍ତୁ ଅଚ୍ୟୁତ ରାୟ ଏହା ପ୍ରତିହତ କରିଥିଲେ l ଏହା ପରେ ଗଜପତି ଶେଷ କିଛି ବର୍ଷ ଶାନ୍ତି ଓ ନିରୁପଦ୍ରଵ ଭାବେ ଅତିବାହିତ କରି ଆନୁମାନିକ 1536ରେ ଧବଳେଶ୍ୱର ପୀଠରେ ଦେହତ୍ୟାଗ କରିଥିଲେ l ତାଙ୍କୁ ମହାନଦୀ କୂଳରେ ରାୟ ରାମାନନ୍ଦଙ୍କ ସମାଧି ନିକଟରେ ଦାହ କରି ସମାଧି ନିର୍ମାଣ କରାଯାଇଥିଲା l କୁଳବୃଦ୍ଧ ମଧୁସୂଦନ ସେ ଦୁଇ ସମାଧି ସଂସ୍କାର କରାଇ ଥିଲେ l ହାୟ ରାସ୍ତାର ପ୍ରଶସ୍ତିକରଣ ଆଳରେ ସେ ଚିହ୍ନ ଆଜି ବିଲୁପ୍ତ l
କିଛି ଗବେଷକ ଐତିହାସିକ 1526 ଖ୍ରୀ. ର ମଙ୍ଗଳଗିରି ଉଣ୍ଡାବଲ୍ଲୀସ୍ଥିତ ଶିଳାଲିପି ଭିତ୍ତରେ ପ୍ରମାଣ କରିବାକୁ ଚେଷ୍ଟା କରନ୍ତି ଯେ ଯଦିଓ 1520 ସନ୍ଧି ଅନୁସାରେ କୃଷ୍ଣା ନଦୀ ଓଡିଶା ବିଜୟନଗର ସୀମା ଥିଲା ତଥାପି ଗଜପତି ପ୍ରତାପରୁଦ୍ର ଦେବ ପରବର୍ତୀ ସମୟରେ କୃଷ୍ଣା ଅତିକ୍ରମ କରି ଅଞ୍ଚଳ ଅଧିକାର କରି ଥିଲେ l କିନ୍ତୁ ଏଥିରେ ବଳିଷ୍ଠତା ନାହିଁ କାରଣ ଉଣ୍ଡାବଲ୍ଲୀ ଗଜପତି ସାମ୍ରାଜ୍ୟ ଅଧୀନ ବିଜୟୱାଡା ଠାରୁ ମାତ୍ର ସାତ କିଲୋମିଟର ଦୂରରେ ଅବସ୍ଥିତ l ଆଉ ସେ ସମୟ କୃଷ୍ଣଦେବଙ୍କ ମାନସିକ ଦୁଶ୍ଚିନ୍ତା ଓ ବାହମାନୀ ଗୋଲକୁଣ୍ଡା ସହ ଦ୍ୱନ୍ଦ୍ୱର ସମୟ l
କିଛି କହନ୍ତି ଗଜପତି ବଙ୍ଗଳା ବିରୁଦ୍ଧରେ ଯୁଦ୍ଧ ପ୍ରସ୍ତୁତି କଲାବେଳେ ଶ୍ରୀ ଚୈତନ୍ୟ ବାରଣ କରି ଯୁଦ୍ଧ ଅସାରତା ବିଷୟରେ ବୁଝେଇ ମନା କରୁଥିଲେ l କିନ୍ତୁ ଗଜପତି ପ୍ରତାପରୁଦ୍ର ଦେବ କଣ ମୂର୍ଖ ଥିଲେ ? ତାଙ୍କ ପରି ଦୂରଦର୍ଶୀ ରାଜା କଣ ଏତିକି ବୁଝିପାରିବେ ନାହିଁ ଯେ, ହୀନବଳ ହୋଇ ସବଳ ଶତୃକୁ ଆକ୍ରମଣ କରିବା ଠିକ ନୁହେଁ l ପରାଜିତ ହୋଇଥିଲେ ଓଡିଶା ସେତେବେଳେ ହିଁ ଆଫଗାନ ଶାସନାଧୀନ ହୋଇଥାଆନ୍ତା l କିଛି କହନ୍ତି ଶ୍ରୀ ଚୈତନ୍ୟଙ୍କ ପରାମର୍ଶ କ୍ରମେ ଅର୍ଥ ଆତ୍ମସାତ କରିଥିବା ଭବାନନ୍ଦଙ୍କୁ ସେ କ୍ଷମା କରି ପୁରସ୍କୃତ କରିଥିଲେ, ତେବେ ବିଶ୍ୱାସଘାତକ, ରାଜଦ୍ରୋହୀ ଗୋବିନ୍ଦ ବିଦ୍ୟାଧରଙ୍କୁ ମଧ୍ୟ ତ ସିଏ କ୍ଷମା କରିଥିଲେ l ଯଦି ଗଜପତି ପ୍ରତାପରୁଦ୍ର ଦେବ ଓ ଶ୍ରୀଚୈତନ୍ୟ ଓଡ଼ିଶାର ସାମରିକ ଶକ୍ତି ଧ୍ବଂସ କରି ଦେଲେ ତେବେ ତାପରେ ଗୋବିନ୍ଦ ବିଦ୍ୟାଧର ଓ ମୁକୁନ୍ଦ ଦେବ ପର୍ଯ୍ୟନ୍ତ କିପରି ସମ୍ଭାଳିଲେ ?
1576ରୁ 1739 ପର୍ଯ୍ୟନ୍ତ କ୍ଷୁଦ୍ର ଖୋର୍ଦ୍ଧା ରାଜ୍ୟ କିପରି ବାରମ୍ବାର ମୋଗଲ ଆକ୍ରମଣ ସମ୍ଭାଳି ରଖିଥିଲା ? ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟ ଓଡ଼ିଆ ସାହିତ୍ୟ ଅତ୍ୟନ୍ତ ଶୁଭପ୍ରଦ ସୁସମୟ ଥିଲା l ଭାଗବତକାର ଜଗନ୍ନାଥ ଦାସ ପ୍ରୋତ୍ସାହନ ପାଇ ଓଡ଼ିଆ ନବାକ୍ଷରୀ ଭାଗବତ ରଚନା କରିଥିଲେ l ଅଚ୍ୟୁତାନନ୍ଦ, ଶିଶୁ ଅନନ୍ତ, ଦାଣ୍ଡି ରାମାୟଣକାର ବଳରାମ ଦାସ, ଯଶୋବନ୍ତ ଦାସ ପ୍ରମୁଖ ଓଡ଼ିଆ ସାହିତ୍ୟକୁ ପୁଷ୍କଳ କରି ଯାଇଛନ୍ତି l ଗଜପତି ନିଜେ ମଧ୍ୟ କୌତୁକ ଚିନ୍ତାମଣି, ସରସ୍ବତୀ ବିଳାସ ପରି ଗ୍ରନ୍ଥ ରଚନା କରିଛନ୍ତି l
କାର୍ତ୍ତିକ ଶୁକ୍ଳ ଚତୁର୍ଥୀ ତିରୋଧାନ ଦିବସ, ମାଦଳା ପାଞ୍ଜି, 29 ଅକ୍ଟୋବର l
(ଏହା ମୋର ବ୍ୟକ୍ତିଗତ ମତ ଯେ ତତ୍କାଳୀନ ଭାରତର ଦ୍ରୁତ ପରିବର୍ତ୍ତନଶୀଳ ରାଜନୀତି ଏବଂ ନିଜ ଉପରକୁ ମାଡ଼ି ଆସୁଥିବା ଅନାଗତ ବିପତ୍ତିକୁ ନା ଓଡ଼ିଶା ନା ବିଜୟନଗର କେହି ବି ସଠିକ ଆକଳନ କରିପାରି ନଥିଲେ l ନିଜ ନିଜ ଭିତରେ ଅଶି ବର୍ଷର ରକ୍ତକ୍ଷୟୀ ଯୁଦ୍ଧର ପରିଣାମ ଏହା ଯେ 1565ରେ ବିଜୟନଗର ଓ 1568ରେ ଓଡ଼ିଶା ସାମ୍ରାଜ୍ୟ ତୁର୍କ-ଆଫଗାନ ଆକ୍ରମଣ ହେତୁ ଧ୍ବଂସ ପାଇଗଲେ)
ଚିତ୍ର କୃତଜ୍ଞତା: ଉଇକିପେଡ଼ିଆ
admin

View Comments

Recent Posts

ଘୁଡ଼ୁକି

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର…

1 year ago

ବାସୁଦେବ ସୁଢ଼ଳଦେବ

ଲେଖା: ନିରଞ୍ଜନ ସାହୁ ~ବାସୁଦେବ ସୁଢ଼ଳଦେବ ~ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ,…

2 years ago

ମହିମା ମେଳା

ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର…

2 years ago

କଂସା ବାସନ

ଲେଖା: ଡ. ଜୟଶ୍ରୀ ନନ୍ଦ ~ କଂସା ବାସନ ~ ଆମ ରାଜ୍ୟ ପରା ଶ୍ରୀଜଗନ୍ନାଥଙ୍କର ପୁର ବା ଶ୍ରୀଜଗନ୍ନାଥଙ୍କର…

2 years ago

ତୁଳସୀ ପୂଜା

ଲେଖା: ଡ. ଜୟଶ୍ରୀ ନନ୍ଦ   ~ ତୁଳସୀ ପୂଜା ~ ତୁଳସୀ ପୂଜା ପ୍ରତି ଓଡିଆ ଘରର ପରମ୍ପରା…

2 years ago

ମଣ୍ଡା ପିଠା

ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି…

2 years ago