ଲେଖା: ଶ୍ରୀକାନ୍ତ ସିଂହ
ଗଙ୍ଗବଂଶୀ ଶାସକଙ୍କ ରାଜତ୍ୱ କାଳରେ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଆଉ ଏକ ଶ୍ରେଷ୍ଠ ନିର୍ମାଣ ହେଉଛି ଗଙ୍ଗେଶ୍ୱରୀ ମନ୍ଦିର l
ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବାୟାଳିଶବାଟି ଗ୍ରାମରେ ଏହି ମନ୍ଦିରଟି ଦଣ୍ଡାୟମାନ l ଗଙ୍ଗବଂଶୀ ଶାସକ ଚୋଡ଼ଗଙ୍ଗ ଦେବ, ଲାଙ୍ଗୁଳା ନରସିଂହ ଦେବ ଆଦିଙ୍କର ଇଷ୍ଟଦେବୀ ବା କୂଳଦେଵୀ ହେଉଛନ୍ତି ଅଧିଷ୍ଠାତ୍ରୀ ଦେଵୀ ମା’ ଗଙ୍ଗେଶ୍ୱରୀ l କୁହାଯାଏ, କୋଣାର୍କ ମନ୍ଦିର ନିର୍ମାଣ ଆଗରୁ ଏହି ଗଙ୍ଗେଶ୍ୱରୀ ମନ୍ଦିର ନିର୍ମାଣ ହୋଇଥିଲା, ଯାହାକି କୋଣାର୍କର ସୂର୍ଯ୍ୟମନ୍ଦିର ନିର୍ମାଣ ପୂର୍ବରୁ ଏକ ପରୀକ୍ଷାମୂଳକ ନିର୍ମାଣ ଥିଲା l
ଏହି ବାୟାଳିଶବାଟି ଗ୍ରାମରେ କୋଣାର୍କ ମନ୍ଦିରର ମୁଖ୍ୟ ସ୍ଥପତି ଶିବେଇ ସାମନ୍ତରାୟ ରହୁଥିଲେ ଆଉ ଏହି ଗାଁରେ ହିଁ ତାଙ୍କ ଭିଟାମାଟି ଥଲା l ବାରଶହ ବଢ଼େଇ ମଧ୍ୟ ଏଠାରେ ଅବସ୍ଥାନ କରୁଥିଲେ l ଏହିଠାରୁ ଥାଇ ୧୪ କିଲୋମିଟର ଦୂରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ସମ୍ପର୍କିତ ସମସ୍ତ ରୂପରେଖ, ନକ୍ସା ଓ ନିର୍ଣ୍ଣୟ ଆଦି ନିଆ ଯାଉଥିଲା l ଏପରିକି କେତେକ ସ୍ଥଳେ ଖୋଦେଇ ଆଦି କାର୍ଯ୍ୟ ସମ୍ପାଦନ କରାଯାଇ ପଥରଭସା ନଦୀ ପଥରେ ଗନ୍ତବ୍ୟ ସ୍ଥଳକୁ ନିଆ ଯାଉଥିଲା l ଗ୍ରାମ ଦେଇ ଗଲାବେଳେ ଏଇ ଆୟତକାର ଜଳ ପଥଟି ଏବେବି ଦେଖିହେବ l ଯାହାକି ଏକ ପୁଷ୍କରିଣୀ ପରି ଦୃଶ୍ୟମାନ l
ଗଙ୍ଗେଶ୍ୱରୀ ମନ୍ଦିରର ଗଠନ ଖାଖରା ଶୈଳୀରେ ହୋଇଥିବା ବେଳେ ଜଗମୋହନଟି ପୀଢ଼ଶୈଳୀରେ ନିର୍ମାଣ ହୋଇଛି l ବାହ୍ୟ ପାର୍ଶ୍ଵର ରୂପରେଖ ଅନ୍ୟ ମନ୍ଦିରଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥିବା ବେଳେ ସମଗ୍ର ମନ୍ଦିରଟି ଆଖି ଝଲସିଲାପରି ସୁକ୍ଷ୍ମ କାରୁକାର୍ଯ୍ୟରେ ଭରପୁର l ମନ୍ଦିର ପ୍ରବେଶ ତୋରଣଟି ଖୁଵ ସୁନ୍ଦର ଓ କମନୀୟ l
ଗଙ୍ଗେଶ୍ୱରୀ ମନ୍ଦିର ଗାତ୍ରରେ କେତେକ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି ଅଦୃଶ୍ୟ ଥିଲାବେଳେ, ପାର୍ଶ୍ଵଦେଵୀ ବାରାହୀଙ୍କ ପ୍ରତିମାଟି କିନ୍ତୁ ଚମତ୍କାର ଓ ଜୀବନ୍ତ ପ୍ରତୀୟମାନ l ଚତୁର୍ଭୁଜା ଦେବୀଙ୍କର ମୁଖରୁ ଜିହ୍ୱାଟି ରୁଧିର ପାତ୍ର ପ୍ରତି ଆକର୍ଷିତ ହେବା ମୁଦ୍ରାର ଛବିଟି ଖୁଵ ସୁନ୍ଦର ଭାବରେ ଶିଳ୍ପୀ ହାତରେ ପାଷାଣ ଦେହରେ ଉତ୍କୀର୍ଣ୍ଣ ହୋଇଛି l ଖାଲି ସେତିକି ନୁହେଁ ଦେବୀଙ୍କର କେଶ ବିନ୍ୟାସ ବି ଦେଖିଲାପରି l
ସମୟ ସ୍ରୋତରେ, ଜଳବାୟୁ ଓ ପାଣିପାଗର ବହୁ ଘାତପ୍ରତିଘାତ ଦ୍ୱାରା କେତେକ କାରୁକାର୍ଯ୍ୟ ନଷ୍ଟ ଯାଇଥିଲେ ବି ଅନେକ କାରୁକାର୍ଯ୍ୟ ଏବେବି ଆଶ୍ଚର୍ଯ୍ୟଚକିତ କଲା ପରି ଦୃଶ୍ୟମାନ l ମନ୍ଦିର ଗାତ୍ରରେ ନାଗକନ୍ୟା, ଦୁର୍ଗା, ଚାମୁଣ୍ଡା, ଅଷ୍ଟଦିଗପାଳ, ନଟ ନାୟିକା, ଗଜ, ବିଡ଼ାଳ ଆଦିଙ୍କ ମୂର୍ତ୍ତି ଜୀବନ୍ତ ଭାବେ ଉତ୍କୀର୍ଣ୍ଣ ହୋଇଛି l
ଏହି ଗଙ୍ଗେଶ୍ୱରୀ ମନ୍ଦିର ଗାତ୍ରରେ ଭଗବାନ ବୁଦ୍ଧଙ୍କ ଏକ ସୁନ୍ଦର ପ୍ରତିମା ଦେଖିବାକୁ ମିଳେ l ତଥ୍ୟରୁ ଯାହା ଜଣାଯାଏ ଆଦିଗୁରୁ ଶଙ୍କରାଚାର୍ଯ୍ୟ ପ୍ରାୟ ନବମ ଶତାବ୍ଦୀରେ ଓଡ଼ିଶା ଆଗମନ କରିଥିଲେ l ଆଉ ତାଙ୍କ ସମୟରେ ହିଁ ଭଗବାନ ବୁଦ୍ଧଙ୍କୁ ବିଷ୍ଣୁଙ୍କ ନବମ ଅବତାର ରୂପେ ମାନ୍ୟତା ଦିଆ ଯାଇଥିଲା l ଏହା ସହିତ ମନ୍ଦିର ଗାତ୍ରରେ ଲୀଳାମୟ ଜଗନ୍ନାଥଙ୍କ ଶେଷ ଅବତାର କଳ୍କୀ ଦେବଙ୍କ ମୂର୍ତ୍ତି ମଧ୍ୟ ଦେଖିବାକୁ ମିଳେ l
ଉଚତାରେ ମନ୍ଦିରଟି ସୁଉଚ୍ଚ ନ ହେଲେ ବି ସମଗ୍ର ମନ୍ଦିରଟିର ବାହ୍ୟ ପାର୍ଶ୍ଵ ସୁକ୍ଷ୍ମ ଓ ଦୁର୍ଲଭ କାରୁକାର୍ଯ୍ୟରେ ଭରପୁର l ମନ୍ଦିର ଭିତର ପାର୍ଶ୍ୱରେ କୌଣସି କାରୁକାର୍ଯ୍ୟ କିନ୍ତୁ ଦେଖିବାକୁ ମିଳେ ନାହିଁ l ଗର୍ଭଗୃହରେ ଏକ ସୁଉଚ୍ଚ ବେଦୀ ଉପରେ ଇଷ୍ଟଦେଵୀ ଦେବୀ ଗଙ୍ଗେଶ୍ୱରୀଙ୍କ ପ୍ରତିମା ପ୍ରତିଷ୍ଠିତ ଓ ପୂଜିତ l
ସ୍ଥାପତ୍ୟ ଓ କାରୁକାର୍ଯ୍ୟ ଦୃଷ୍ଟିକୋଣରୁ ଗଙ୍ଗେଶ୍ୱରୀ ମନ୍ଦିର ଏକ ଶ୍ରେଷ୍ଠ ନିର୍ମାଣ ତଥା ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ! ମାତ୍ର ଏହା ଅନାଲୋଚିତ l ଖୁଵ କମ ଲୋକ ଏହି ମନ୍ଦିର ବିଷୟରେ ଜାଣନ୍ତି l ଓଡ଼ିଆଏ ଚାହିଁଲେ ବି ଆଗକୁ ଏପରି ସୁନ୍ଦର ମନ୍ଦିର ଆଉ ତିଆରି କରି ପାରିବେ ନାହିଁ l ଏଣୁ ଏହାର ସଂରକ୍ଷଣ, ଯତ୍ନ ତଥା ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ଆମର l
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…