ଲେଖା: ରବୀନ୍ଦ୍ର କୁମାର ରଣା
କେଶରକ୍ଷେତ୍ର ଭାବେ ପରିଚିତ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଚଣ୍ଡେଶ୍ୱର ଗ୍ରାମରେ ଥିବା ଚଣ୍ଡେଶ୍ୱର ମହାଦେବ ମନ୍ଦିର ବା ଚଣ୍ଡିହର ମହାଦେବ ମନ୍ଦିର ।
ଇତିହାସର ତଥ୍ଯ ଅନୁସାରେ ସୋମବଂଶୀ ରାଜା ଦ୍ଵିତୀୟ ଯଯାତି ଯିଏକି ଚଣ୍ଡିହର ଦେବମହଶିବଗୁପ୍ତ ତୃତୀୟ ନାମରେ ମଧ୍ୟ ପରିଚିତ ତାଙ୍କ ରାଜତ୍ଵ କାଳରେ ୧୦୨୫ ଖ୍ରୀଷ୍ଟାବ୍ଦରୁ ୧୦୪୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହି ପ୍ରାଚୀନ ମନ୍ଦିରଟି ନିର୍ମାଣ କରାଯାଇଥିଲା । ଭୌମବଂଶ, ସୋମବଂଶଗଙ୍ଗବଂଶର ଅନେକ ରାଜା ଓ ରାଣୀ ନିଜ ନାମରେ କେତେକ ମନ୍ଦିର ନିର୍ମାଣ କରିଥିବା ଜଣାଯାଏ, ଯେପରିକି ଭୌମକର ରାଣୀ ମୋହିନୀ ମହାଦେବୀଙ୍କ ନାମରେ ଭୁବନେଶ୍ବରର ମୋହିନୀ ମନ୍ଦିର, ଗୌରୀ ମହାଦେବୀଙ୍କ ନାମରେ ଗୌରୀ ମନ୍ଦିର, ସେହିପରି ସୋମବଂଶୀ ରାଜା ଦ୍ଵିତୀୟ ଯଯାତି ବା ଚଣ୍ଡିହର ଦେବ ନିଜ ନାମରେ ଚଣ୍ଡେଶ୍ୱର ଠାରେ ଚଣ୍ଡେଶ୍ୱର ମହାଦେବ ମନ୍ଦିର ବା ଚଣ୍ଡିହର ମହାଦେବ ମନ୍ଦିର ପ୍ରତିଷ୍ଠା କରିଥିଲେ ।

ବକୁଳ, ଚମ୍ପକ ଓ ନାଗେଶ୍ଵର ବୃକ୍ଷର ସୁନ୍ଦର ପରିବେଶ ମଧ୍ୟରେ ଏହି ବିଶାଳ ଚଣ୍ଡେଶ୍ୱର ମହାଦେବ ମନ୍ଦିର ଅବସ୍ଥିତ । ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଗଠନଶୈଳୀ ଏହି ମନ୍ଦିରରେ ଦେଖାଯାଏ । ଏହି ମନ୍ଦିର ମଧ୍ଯ ବହୁତ ବଡ ।  ରେଖା ଶୈଳୀରେ ନିର୍ମିତ ମୁଖ୍ୟ ମନ୍ଦିରର ଉପରିଭାଗ ବୋଧେ ଅନେକ ବର୍ଷ ତଳେ ଭାଙ୍ଗି ଯାଇଥିଲା ଯାହା ପରେ ତିଆରି କରାଯାଇଛି, କିନ୍ତୁ ମନ୍ଦିର ଜଗମୋହନର ଉପର ଭାଗ ଭାଙ୍ଗି ଯାଇଛି ଯାହା ଏବେ ବି ଖୋଲା ।

ମନ୍ଦିରର କାରୁକାର୍ଯ୍ୟ ଅତୀବ ସୁନ୍ଦର, ମନ୍ଦିର ପରିସରରେ ଛୋଟ ବଡ ହେଇ ଅନେକ ପାର୍ଶ୍ଵମନ୍ଦିର ରହିଛି । ପୂଜକଙ୍କ ତଥ୍ଯ ଅନୁସାରେ ଏହି ଚଣ୍ଡେଶ୍ବରଙ୍କ ପୀଠରେ ମୂଳ ଚଣ୍ଡେଶ୍ୱର ଦେବଙ୍କୁ ମିଶାଇ ମୋଟ ୧୪ ଶିବଲିଙ୍ଗ ପ୍ରତିଷ୍ଠା ହେଇଛି, ଯେପରିକି କାଳୀହରେଶ୍ୱର, ହରିହର, ଗୌରୀହର, ଗୋମୁଖେଶ୍ୱର, ଅନନ୍ତେଶ୍ଵର, ଗଙ୍ଗେଶ୍ୱର, ସଙ୍ଗମେଶ୍ଵର, ନୀଳକଣ୍ଠେଶ୍ଵର, ଦକ୍ଷେଶ୍ୱର, ଯମେଶ୍ଵର, ଧନେଶ୍ୱର, ଭୀମେଶ୍ବରସିଦ୍ଧେଶ୍ଵର । ଏହି ଲିଙ୍ଗମାନେ ବିଭିନ୍ନ ପାର୍ଶ୍ଵ ମନ୍ଦିରମାନଙ୍କରେ ପୂଜା ପାଉଛନ୍ତି ଏହା ବ୍ୟତୀତ ଚଣ୍ଡେଶ୍ୱର ଦେବଙ୍କ ସାମ୍ନାରେ ଗୋଟିଏ ମଣ୍ଡପ ଆକୃତି ପୀଠରେ ଅଷ୍ଟଭୁଜା ମା’ ଦୁର୍ଗା ଏବଂ ନୃସିଂହଦେବ ପୂଜା ପାଉଛନ୍ତି ଏବଂ ଅନ୍ୟ ଏକ ମନ୍ଦିରରେ ଲକ୍ଷ୍ମୀନାରାୟଣ ପୂଜା ପାଉଛନ୍ତି । ଅଧିକାଂଶ ପାର୍ଶ୍ଵମନ୍ଦିର ପରବର୍ତ୍ତୀ ସମୟରେ ନିର୍ମାଣ ହୋଇଥିବା ଜଣାଯାଏ ।
ମନ୍ଦିର ପରିସରଟି ବହୁତ ସୁନ୍ଦର ଓ ଗଛ ଦ୍ଵାରା ଆବୃତ ଥଣ୍ଡା ପରିବେଶ । ମନ୍ଦିର ପରିସରରେ ତିନି ଚାରୋଟି ହରିଣ ଓ ମୟୂର ବୁଲୁଥିବାର ଦେଖାଗଲା, ଏହା ମଧ୍ଯ ଛୋଟ ପିଲାଙ୍କର ଅକର୍ଷଣ । କାର୍ତ୍ତିକ ପୂର୍ଣ୍ଣିମାକୁ ଏଠାରେ କିଛି ଦିନ ଧରି ଏକ ବିରାଟ ଯାତ୍ରା ହେଉଥିବା ଓ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବା କଥା ପୂଜକ କହନ୍ତି ।

ଏହି ପ୍ରାଚୀନ ମନ୍ଦିରଟି ଖୋର୍ଦ୍ଧା-ବାଲୁଗାଁ ଜାତୀୟ ରାଜପଥର ଟାଙ୍ଗୀ ବଜାରରୁ ଅଳ୍ପ ଦୁରରେ ଚଣ୍ଡେଶ୍ୱର ଛକ ଠାରୁ ମାତ୍ର ୨କି.ମି. ଦୂରରେ ଚଣ୍ଡେଶ୍ୱର ଗ୍ରାମରେ ଅବସ୍ଥିତ । ବୋଧହୁଏ ଠାକୁରଙ୍କ ନାମରେ ଗ୍ରାମର ନାମ ହୋଇଅଛି ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago