All Rights ReservedView Non-AMP Version
  • Homepage
  • ସଂସ୍କୃତି ଓ ପରମ୍ପରା
  • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା

କେନ୍ଦେରା ଯୋଗୀ

 

ଲେଖା: ଦେଵ ତ୍ରିପାଠୀ
“ରାଜାକୂଳ ବଡ଼ ସୁଖ ଲୋ ଜନନୀ,
ଯୋଗୀକୂଳ ବଡ଼ ଦୁଃଖ !
ନ ଜାଣନ୍ତି ଯୋଗୀ ଖରା କି ବରଷା
ମାଗି ବୁଲୁଥା’ନ୍ତି ଭିକ !”
ବୈଶାଖର ଉତ୍ତପ୍ତ ଆକାଶ, ସୂର୍ଯ୍ୟରୁ ଝରୁଛି ଅବା ତରଳା ତମ୍ବାର ସୁଅ । ଗାଁ ଦାଣ୍ଡର ଧୂଳି ତତଲା ଡହଡହ । କୁଣ୍ଠିତ ବସନ୍ତରେ କଅଁଳିଥିବା ନବକିଶଳୟ ଅଚାନକ ବାର୍ଦ୍ଧକ୍ୟ ପ୍ରାପ୍ତି ପରି କୁଞ୍ଚିତ, ମ୍ଳାନ; ଜଳି ଜଳି ଯାଉଛି ପୁଷ୍ପିତ ବିତାନ । କାଉ କି କୋଇଲିର ସୋରଶବ୍ଦ ନାହିଁ, ଚାରିଆଡ଼େ ଶୂନଶାନ, ଖାଁ ଖାଁ । ଝାଞ୍ଜି ବହୁଛି, ମଝିରେ ମଝିରେ ଉଠୁଛି ଖଣ୍ଡିଆଭୂତ । ବିଲମାଳ, ତୋଟାଗହନ, ପୋଖରୀ ତୁଠ, ମନ୍ଦିର ବେଢ଼ା, ଘର ବାହାର ସବୁଠି ଯେମିତି ଛମ୍ ଛମ୍ ନିରବତା । ଗାଈର ପାକୁଳି ଓ କୁକୁରର ଜିଭ ଲହ ଲହ ଭିତରେ ସମୟ ଅତିକ୍ରମ କରୁଥାଏ ତୃଷିତ ମଧ୍ୟାହ୍ନ ।
ଏତିକି ବେଳେ ଗାଁଦାଣ୍ଡରେ ଶୁଭେ ଏକ ହୃଦୟ-ଥରା, ଧ୍ୱନିମୟ ସଙ୍ଗୀତ:
“ଭଜୁକି ନା ରାମ ନାମରେ କୁମର
ଜପୁକି ନା ରାମନାମ,
ଭଜି ନ ପାରିଲେ କୁଳଚନ୍ଦ୍ରମାରେ
ବାନ୍ଧିନେବ କାଳଯମ II”
ଏ ଉତ୍ତରଣରେ ସାଙ୍ଗିତିକତା ନ ଥାଏ, ଥାଏ କିନ୍ତୁ ଉଦାତ୍ତ ଆହ୍ୱାନ । ଘାଗଡା କଣ୍ଠରେ ଯିଏ ଏହି ବାର୍ତ୍ତା ଧ୍ୱନିତ କରୁଥାନ୍ତି – ହାତରେ ତାଙ୍କର କେନ୍ଦେରା ବାଦ୍ୟ, ବେକରେ ରୁଦ୍ରାକ୍ଷ, କାନ୍ଧରେ ଉପବୀତ, ଚିତାଚୈତନ୍ୟ ସମନ୍ୱିତ, କାନ୍ଧରେ ବୁଜୁଳା ଓ ଲାଉତୁମ୍ବା । ସେ ଆମ ସ୍ଫର୍ଦ୍ଧିତ ପରମ୍ପରାର ଅନ୍ୟତମ ଗାଥାକାର, ସତ୍ୟଧର୍ମ ଓ ଭଗବତପ୍ରେମର ବାର୍ତ୍ତାବହ – କେନ୍ଦେରା ଯୋଗୀ।
ସମସ୍ତ ପଲ୍ଲୀ ଯେତେବେଳେ ତନ୍ଦ୍ରାଛନ୍ନ ସେ ଗାଏ ଟୀକା ଗୋବିନ୍ଦଚନ୍ଦ୍ର ଉପାଖ୍ୟାନ, ଚୋଖି, ଛାନ୍ଦ, ତ୍ରିପଟା, ହାଖବନ୍ଦା, କଣ୍ଡିଦାନୀ, ଶୈବ୍ୟାରାଣୀ ଶୋକ, ମାଳିକାବଚନ ଅବା ମହାଭାରତର କଥାବସ୍ତୁ । ସମଗ୍ର ପରିବେଶ ଯେତେବେଳେ ସ୍ତବ୍ଧ, ସେ ନିର୍ଘୋଷ କରନ୍ତି ଚେତାବନୀ । ବୈଶାଖର ଝାଞ୍ଜି ଭିତରେ ସେ ବର୍ଷା କରନ୍ତି ସମାଜ-ମଙ୍ଗଳର ଗାଥା, ଗାଇଚାଲନ୍ତି ସଂସ୍କୃତିର କମନୀୟ ସଙ୍ଗୀତ ଦାରିଦ୍ର୍ୟକୁ ଶଙ୍କା ନ କରି, ଦାନକୁ ଲୋଭ ନ କରି ।
ସେ ଉଦାତ୍ତ କଣ୍ଠସ୍ୱର ସହ ଝୀନ କେନ୍ଦେରାର ସୁର ଶୁଭେ ବହୁଦୂରରୁ, ପଲ୍ଲୀର ନିଘଞ୍ଚ ନିରବତାକୁ ବିଦୀର୍ଣ୍ଣ କରି, ବନ୍ଦ ହୋଇଯାଇଥିବା ଯାଉଁଳି କବାଟକୁ ଭେଦ କରି ମଧ୍ୟାହ୍ନର ଅଳସତନ୍ଦ୍ରାକୁ ଅପସାରି ଆସେ ଶବ୍ଦ । କୂଳବଧୂମାନେ ହୋଇଉଠନ୍ତି ସଚେତନ । ଖାଇବାଥାଳ ଛାଡ଼ି ଧାଇଁ ଆସେ କୂଳବଧୂ । ଚାଉଳ, ଡ଼ାଲି, ପରିବାପତ୍ରର ଭିକ୍ଷାପାତ୍ର ଧରି ସେମାନେ ଗୃହ ସାମ୍ନା ତୁଳସୀଚଉରା ମୂଳରେ ଅପେକ୍ଷା କରିଥା’ନ୍ତି । ତୁଳସୀଚଉରା ଉପରେ ବସିଥାଏ ବୈଶାଖର ଜଳପୂର୍ଣ୍ଣ ବସନ୍ତରା ଠେକି – ପୂଣ୍ୟର ଅନ୍ୟତମ ପ୍ରତୀକ । ପାଦତଳର ମାଟିରୁ ନିଆଁ ହୁଳା ଉଠୁଥାଏ, ଆକାଶରୁ ଛିଣ୍ଡୁଥାଏ ନିଆଁ ଝୁଲ – ତଥାପି କୂଳବଧୁ ଅପେକ୍ଷା କରେ । କେନ୍ଦେରା ଯୋଗୀ ଦ୍ଵାରମୁହଁରୁ ଫେରିଯିବା ଶୁଭ ଲକ୍ଷଣ ନୁହେଁ । ସେ କୁଳବଂଶର ସୁରକ୍ଷା ପାଇଁ ପୂଣ୍ୟ ଅର୍ଜନ କରିବ । ଯୋଗୀଙ୍କୁ ଶ୍ରଦ୍ଧାରେ ଟେକିଦେଇ ପରିପୂର୍ଣ୍ଣ କରିବ ଭିକ୍ଷାପାତ୍ର, କଲ୍ୟାଣ ନେବ ।
ଏ ଆମର ପରମ୍ପରା । ବସ୍ତୁବାଦୀ ସଭ୍ୟତାର ସ୍ପର୍ଶରେ କ୍ରମେ ଗ୍ରାମ୍ୟ ଜୀବନ ହଜି ହଜି ଗଲା ପରି ହଜିଯାଇଛି କଟକ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରଚଳିତ ଥିବା ଏ ପରମ୍ପରା । ଆଧୁନିକ ମଣିଷର ମାର୍କସୀୟ ଦୃଷ୍ଟିରେ ଭିକ୍ଷାଦାନ ଓ ଗ୍ରହଣ ହୋଇଉଠିଛି ଏକ ଅପରାଧ, ଏକ ପରାଙ୍ଗପୁଷ୍ଟ ବୃତ୍ତି । ଅବଶ୍ୟ ଏକଦା ଏହା ବୃତ୍ତି ବା ଜୀବିକା ନ ଥିଲା ଗୋଟିଏ ଗୋଷ୍ଠୀର, ବରଂ ଅଧିକ ମହତ୍ତର ଥିଲା ଧର୍ମ ଓ ଭଗବତ-ବିଶ୍ଵାସର ଜୟଗାନ । ସେଥିପାଇଁ କେନ୍ଦେରା ଯୋଗୀ କାହାରି ଘରେ ଭିକ୍ଷା ପାଇଁ କଟାଳ କରନ୍ତି ନାହିଁ, ମୁହଁ ଖୋଲି ମାଗନ୍ତି ନାହିଁ, କୌଣସି ଦ୍ଵାରରେ ଦଣ୍ଡେ ଅଟକି ରହନ୍ତି ନାହିଁ ।
ସମୟକ୍ରମେ ଆଗ କାଳର ଅନେକ କଥା ଆଜି ବଦଳିଯାଇଛି, ଏବେ ନରମି ଯାଇଛି କେନ୍ଦେରାର ସ୍ବର । ତଥାପି ଏବେ ମଧ୍ୟ ବାଙ୍କୀ ଉପଖଣ୍ଡର କେନ୍ଦେରା ଯୋଗୀ ବଞ୍ଚାଇ ରଖିଛନ୍ତି ଏଇ ମହାନ ପରମ୍ପରାକୁ, ସମାଜର ଦାନ ଗ୍ରହଣ କରି ସମାଜକୁ ପୂଣ୍ୟଧର୍ମର ବାର୍ତ୍ତା ଚାରଣଗୀତିକା ମାଧ୍ୟମରେ କରିଚାଲିଛନ୍ତି ପ୍ରଚାର, ଆଉ ଲଭିଆସୁଛନ୍ତି ଭଗବାନଙ୍କ ନିକଟତର ହେବାର ଆତ୍ମସନ୍ତୋଷ II
ଚିତ୍ର ସୌଜନ୍ୟ: ଛପା ଗଣମାଧ୍ୟମ

 

View Share Email Follow Tweet
admin

Next କପଡାଗୁଣ୍ଡା »
Previous « କାଗଜମୁଖା
Leave a Comment
Share
Published by
admin
Tags: କଟକକେନ୍ଦେରାଚୋଖିଛାନ୍ଦଟୀକା ଗୋବିନ୍ଦଚନ୍ଦ୍ରତ୍ରିପଟାପରମ୍ପରାବାଙ୍କୀମାଳିକାବଚନଯୋଗୀସଂସ୍କୃତି
5 years ago

    Related Post

  • ଚିତ୍ରକଳା
  • ଅଲାଗିପାଳି
  • ଧାନମାଣିକା ଓଷା

Recent Posts

  • ଆମ କଥା

ବୃନ୍ଦାବତୀ

~ ବୃନ୍ଦାବତୀ ~ ଲେଖା: ଡ. ଜୟଶ୍ରୀ ନନ୍ଦ ହିନ୍ଦୁ ପୁରାଣରେ ବୃନ୍ଦାବତୀ ବା ତୁଳସୀଙ୍କୁ ଦେବୀ ମାନ୍ୟତା ଦିଆଯାଇଛି।…

4 months ago
  • ଆମ ଖାଦ୍ୟ

ପଖାଳ

~ ପଖାଳ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆଙ୍କ ଆରାଧ୍ୟ ବଡ଼ଠାକୁର ବି ଭାରି ଭଲ ପାଆନ୍ତି ପଖାଳକୁ।…

4 months ago
  • ଆମ ଖାଦ୍ୟ

ହଳଦୀ

~ ହଳଦୀ ~ ଲେଖା: ଡ. ଜୟଶ୍ରୀ ନନ୍ଦ କାମଚୋର ହୋଇ ଆମେ ଭୁଲିଗଲେଣି ଏହାର ସୁଗନ୍ଧ। ହଳଦୀ ଗୁରୁଗୁରୁ…

4 months ago
  • ଭାଷା ଓ ସାହିତ୍ୟ

ମାତୃଭାଷା

~ ମାତୃଭାଷା ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେ ମାଆକୁ ଚିହ୍ନି ନାହିଁ ଯେ ଗାଁ କୁ ଚିହ୍ନି…

4 months ago
  • ପର୍ଯ୍ୟଟନ କ୍ଷେତ୍ର

ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର

~ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର ~ ଲେଖା: ତ୍ରିଲୋଚନ ସ୍ୱାଇଁ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ…

4 months ago
  • ପର୍ଯ୍ୟଟନ କ୍ଷେତ୍ର

ରଘୁନାଥ ମଠ

~ ରଘୁନାଥ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ମହା ଐତିହ୍ୟକ୍ଷେତ୍ର କଟକ ସହରରେ ଯେଉଁ କେତୋଟି ପ୍ରାଚୀନ ମଠ…

4 months ago
All Rights ReservedView Non-AMP Version
  • L