କେନ୍ଦୁଝର ଓ ମୟୂରଭଞ୍ଜ

ଲେଖା: ଦେଵ ତ୍ରିପାଠୀ
କାଇଁ କେଉଁ କାଳର କଥା ।
ନଈର ସାମାନ୍ୟ ଭିତରକୁ ଯାଇ ବଡ଼ ପଥରଟି ଉପରେ ବସନ୍ତି ଦୁଇଟି ବାଳକ, ଦୁଇ ଭାଇ । ନଈପାଣି ଚହଲାନ୍ତି, ଖେଳନ୍ତି, ଗାଧାନ୍ତି !
ଦିନେ କିନ୍ତୁ କୌଣସି କାରଣରୁ ଦୁଇଭାଇଙ୍କ ଭିତରେ କଥା କଟାକଟି ହେଲା, ପରେ ବିବାଦ ଓ ଶେଷକୁ ଘନଯୁଦ୍ଧ ! ବୋଧହୁଏ ଭାଇଭାଇ ମଧ୍ୟରେ ଲଢେ଼ଇ ହୁଏତ ବାଧିଲା ଧରିତ୍ରୀ ମା’କୁ ! ସେଇ ଦୁଃଖ ଓ କ୍ଷୋଭର ପରିଣାମ ସ୍ବରୂପ ଫାଟି ଦୁଇଫାଳ ହୋଇଗଲା ସେ ବିଶାଳ ପଥରଖଣ୍ଡ !
ଏସବୁ ଲୋକଙ୍କ ମୁହଁର କଥା, ତେବେ ଏଇ ଲୋକକାହାଣୀ କିନ୍ତୁ ଆମ ରାଜ୍ୟର ଏକ ପ୍ରାଚୀନ ଗଡ଼ଜାତର ଗାରିମା ବଖାଣେ !
କେତେ ସହସ୍ର ବର୍ଷ ପୂର୍ବେ ରାଇଜଟିଏ ଥିଲା ଯମଗର୍ତ୍ତ ମଣ୍ଡଳ । ଧନଧାନ୍ୟରେ ପୂର୍ଣ୍ଣ ଏଇ ରାଜ୍ୟ କିନ୍ତୁ ସଦାସର୍ବଦା ଥିଲା ପଡୋଶୀ ରାଜ୍ୟମାନଙ୍କ ଇର୍ଷାର ପାତ୍ର ! ସଭିଏଁ ଇର୍ଷାରେ ଜଳନ୍ତି ସିନା ଯମଗର୍ତ୍ତ ରାଇଜକୁ ଜିଣିବା ତ ଦୂର କଥା, ନିରେଖି ଦେଖିବାର ସୁଯୋଗ କିନ୍ତୁ ପା’ନ୍ତି ନାହିଁ ! ତଥାପି ସୁଯୋଗ ଉଣ୍ଡି ସବୁ ଶତ୍ରୁ ମିଶି ଜିଣିଗଲେ ଯମଗର୍ତ୍ତ ରାଇଜକୁ ! ରାଜ୍ୟର ନାମ ଦେଲେ ଵିନ୍ଧ୍ୟାଟଵୀ
ପରଶ୍ରୀକାତରତା, ଇର୍ଷା, ଅନ୍ୟାୟର ସୂତ୍ରରେ ବନ୍ଧାଥାଇ ମଧ୍ୟ ଵିନ୍ଧ୍ୟାଟଵୀ ସମୟ ସୁଅରେ ଟଳି ନ ଥିଲା ! କେତେ ଶତାବ୍ଦୀ ଭିତରେ ସେ ପୁଣି ଚାଲିଗଲା କେଉଁ ଦୂରରାଜ୍ୟର ରାଜାର ହାତମୁଠାକୁ ! ନାମ ପୁଣି ବଦଳିଲା, ବୌଦ୍ଧ ଧର୍ମୀୟ ରାଜାମାନେ ସେ ରାଇଜର ନାଁ ଦେଲେ ଜାହୋର !
ବିଡମ୍ବନା ! ପୁଣି ପଡ଼ିଲା କେଉଁ ରାଜାର ଲୋଲୁପ ଦୃଷ୍ଟି ! କବଳିତ ହେଲାପରେ ସେ କିନ୍ତୁ ରାଜ୍ୟ ର ନାମ ଦେଲେ ହରିହରପୁର ! ଗଢିଲେ ଭବ୍ୟ ରାଜଧାନୀ ! କଳାମୟ ସେ ରାଜଧାନୀର ନାମ ଦିଆଗଲା ଖିଚିଂକୋଟ୍ଟ !
ତେବେ ସମୟ ସୁଅରେ ଏତେ ଦୀର୍ଘପଥ ଅତିକ୍ରମ କରିଥିବା ରାଜ୍ୟର ଭାଗ୍ୟ ପୁଣି ବଦଳିଲା, ସେଇ ମହାନ ମାଟିରେ ଆସିଲେ ଜଣେ ପ୍ରଜାପ୍ରେମୀ ରାଜା, ସିଏ ଆଣିଦେଲେ ହରିହରପୁର ପାଇଁ ସୁବର୍ଣ୍ଣ ସମୟ ! ସେଇ ମହାରାଜା ଜୟସିଂହଙ୍କର ପୁତ୍ର ଦ୍ଵୟ ଆଦିତ୍ୟ ସିଂହ ଓ ଜ୍ୟୋତି ସିଂହ ହିଁ ଲଢ଼ୁଥିଲେ ସେଦିନ ଶୋଣିତ ସୁରା ଗଙ୍ଗା ପାପକ୍ଷୟା ବୈତରଣୀ ନଦୀ କୂଳରେ !
ସାନ ରାଜକୁମାର ଥିଲେ ନିଶ୍ଚିତ ଭାବରେ ଜିଦିଆ, ତାଙ୍କ ଭିତରେ ଉଚ୍ଚାକାଙ୍କ୍ଷା ଦେଖିପାରୁଥିଲେ ମହାରାଜା ! ନିଜର ଉତ୍ତରାଧିକାରୀ ଭାବରେ ସେ ପାଇଥିଲେ ଉଭୟଙ୍କୁ ସୁଯୋଗ୍ୟ ! ଅଗତ୍ୟା ହରିହରପୁର ହେଲା ବିଭକ୍ତ !
ଶିକ୍ଷା ସମାପ୍ତ ହେଉଣୁ ଉଭୟ କୁମାରଙ୍କୁ ରାଜ୍ୟାଭିଷେକ କରାଇଲେ ଦୁଇଟି ରାଜ୍ୟରେ ! ଜ୍ୟେଷ୍ଠ କୁମାର ଆଦିତ୍ୟ ସିଂହ ଅବା ଆଦିତ୍ୟଭଞ୍ଜଙ୍କୁ ପ୍ରାପ୍ତ ରାଜ୍ୟର ନାମ ଦିଆଗଲା ମୟୁରଭଞ୍ଜ ! ସାନ କୁମାର ଜ୍ୟୋତି ସିଂହ ଅବା ଜ୍ୟୋତି ଭଞ୍ଜ ଅଭିଷିକ୍ତ ହେଲେ ନୂତନ କେନ୍ଦୁଝର ରାଜ୍ୟରେ !
ଉଭୟ ଯୁବ ରାଜନ୍ ନିଜ ନିଜ ରାଜ୍ୟରେ ଗଢିଲେ ନୂତନ ରାଜଧାନୀ । ମୟୁରଭଞ୍ଜର ପ୍ରଥମ ରାଜା ଆଦିତ୍ୟ ଭଞ୍ଜ ଗଢିଲେ ଆଦିପୁରଗଡ଼, ବୈତରଣୀ ନଦୀର ଅପରପାର୍ଶ୍ଵ କେନ୍ଦୁଝର ରାଜ୍ୟର ପ୍ରଥମ ରାଜା ଜ୍ୟୋତି ଭଞ୍ଜ ଗଢିଲେ ଜ୍ୟୋତିପୁରଗଡ଼ । ସେଦିନଠାରୁ କେନ୍ଦୁଝର ଓ ମୟୂରଭଞ୍ଜ ହେଲେ ଯମଜ ଭଉଣୀ !
ଆଜି ମଧ୍ୟ ବୈତରଣୀ ନଦୀ ତଟରେ ଜ୍ୟୋତିପୁରଗଡ଼ର ଭଗ୍ନାବଶେଷ ତୁହାଇ ତୁହାଇ ସୂଚାଏ କେନ୍ଦୁଝରର ମହାର୍ଘ ଇତିହାସ ! ଦୁଇଫାଳ ହୋଇ ପଡ଼ିଥିବା ବିଶାଳ ନିୟମକରା ପଥର ଆଜି କେବଳ ଦୁଇଭାଇଙ୍କ ବୀରତ୍ୱର ପ୍ରମାଣ ଦିଏନି, ଉଜ୍ଜୀବିତ କରାଏ କେନ୍ଦୁଝର ଓ ମୟୂରଭଞ୍ଜ ଦୁଇଟି ରାଜ୍ୟର ଗାରିମାମୟ ଇତିହାସକୁ !
ପ୍ରକୃତିରାଣୀ ବି ସବୁକିଛି ଦେଇଛି ଏଇ ରାଜ୍ୟ ଦୁଇଟିକୁ, ଅସୁମାରୀ ସମ୍ପଦ, ରୂପସୌନ୍ଦର୍ଯ୍ୟ !
କିନ୍ତୁ ବିଧିର ବିଧାନ କି ବିଚିତ୍ର ସତେ ! ସୁନ୍ଦରୀ ଅଥଚ ଅଭାଗିନୀ ! ସବୁ ଥାଇ ବି ଅନାଥିନୀ !
ଆଧୁନିକ ଓଡ଼ିଶାର ଏ ଦୁଇଟି ଜିଲ୍ଲା ଓଡ଼ିଆଙ୍କୁ ଦେଇଛନ୍ତି ପ୍ରଚୁର, ପାଇଛନ୍ତି ଚରମ ଅବହେଳା ! ଆଜି ଉଭୟେ ନିଷ୍ପେଷିତ, ଓଡ଼ିଶା ମାଟିର ଅନୁନ୍ନତ ଜିଲ୍ଲାର କଳଙ୍କର ବୋଝ ବୋହି ବୋହି ଚାଲିଛନ୍ତି ଯାହା !
(ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସେଇ ଖିଚିଂକୋଟ୍ଟ ହିଁ ଆଜିର ଖିଚିଂ)
ତଥ୍ୟ: ୧. ସମୟର ଆଇନାରେ କେନ୍ଦୁଝର, ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀ
୨. ଐତିହ୍ୟ, ସଂସ୍କୃତି ଓ ପର୍ଯ୍ୟଟନ, ରଞ୍ଜନ ପ୍ରଧାନ
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago