ଲେଖା: ଅମ୍ବିକା ପଟ୍ଟନାୟକ

 

~ ପ୍ରତିଭା ବିନୋଦ କୃପାମୟ ଦେବ ଗଜପତି ~
ବୃହତ ଖେମଣ୍ଡି ପତି ଦେବ କୃପାମୟ
ସତେ ସତେ ନୃପ ତୁମେ ଅଟ କୃପାମୟ l
ଦାନ ଧର୍ମ ଦେଶୋନ୍ନତି ସାହିତ୍ୟ ସେବାରେ
ନିଯୁକ୍ତ ସତତ ତୁମେ ସାଧୁ ବ୍ୟବହାରରେ l
କବି ପଣ୍ଡିତଙ୍କ ତୁମେ ମହତ ଆଶ୍ରୟ
ଏ କଥା ଟା ଢୋଲ ପିଟା ଅଛି ଦେଶମୟ l
ଦୀନ ଓଡ଼ିଆ ଛାତ୍ରଙ୍କ ସୁବିଧା ସକାଶେ
ଦେଲ ପଟେ ଟଙ୍କା ତହିଁ ହେଵ ଛାତ୍ରବାସ l
ତୁମର ସୁଖ୍ୟାତି ନୃପ କି ବର୍ଣ୍ଣିବି ଛାର
କରୁଛି ‘ଗୁଣ ଦର୍ପଣ ‘ସତତ ପ୍ରଚାର l
ସେ ହୁଏତ ବାମଣ୍ଡାଧୀପ ସାର ବାସୁଦେବ ସୁଢ଼ଳଦେବ ବା ଖଲ୍ଲିକୋଟର ରାଜା ହରିହର ମର୍ଦରାଜ ପରି ସୁବିଖ୍ୟାତ ନୁହନ୍ତି କିନ୍ତୁ ସମସାମୟିକ ସମାଜରେ ସେ ଥିଲେ ଜଣେ ଉଜ୍ଜଳ ଜ୍ୟୋତିଷ୍କ । ସେ ବୃହତ ଖେମଣ୍ଡି ଅଧୀଶ୍ଵର ଶ୍ରୀ ଶ୍ରୀ କୃପାମୟ ଅନଙ୍ଗ ଭୀମଦେବ ଗଜପତି, ସଂକ୍ଷେପରେ କୃପାମୟ ଦେବ । ରାଜା ଶ୍ରୀ ଲଷ୍ମୀନାରାୟଣ ଦେବ 1850ରୁ 1892 ପର୍ଯ୍ୟନ୍ତ ବଡ଼ ଖେମୁଣ୍ଡି ଶାସକ ଥିଲେ । ଏହାଙ୍କ ଜ୍ୟେଷ୍ଠ ପୁତ୍ର ପରବର୍ତ୍ତୀ କାଳର ପୁରୀ ଗଜପତି ଦିବ୍ୟସିଂହ ଦେବ ତୃତୀୟ । (ଇଂରେଜ ଷଡ଼ଯନ୍ତ୍ରର ଶିକାର ହୋଇ କଳାପାଣି ଦ୍ବୀପାନ୍ତରୀତ ।)
1876 ଜୁନ 5 ତାରିଖରେ ଲଷ୍ମୀନାରାୟଣଙ୍କ କନିଷ୍ଠ ପୁତ୍ର କୃପାମୟ ଦିଗପହଣ୍ଡି ଗଡ଼ରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳରୁ ପ୍ରାଚୀନ ଓଡ଼ିଆ ସାହିତ୍ୟ, ଗଣିତ ଓ ସଂସ୍କୃତ, ସଙ୍ଗୀତ, ମଲ୍ଲବିଦ୍ୟା, ସାମରିକ ବିଦ୍ୟା ଲାଭ କରି ପରବର୍ତ୍ତୀ କାଳରେ ବ୍ରହ୍ମପୁର ଓ ଛତ୍ରପୁର ସ୍ଥିତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ ।
1898ରେ ସେ ବଡ଼ ଖେମୁଣ୍ଡି ଶାସନ ଭାର ଗ୍ରହଣ କରିଥିଲେ ଏବଂ ନିଜକୁ ଏକ ପ୍ରଗତିଶୀଳ ପ୍ରଜାବତ୍ସଳ, ଗୁଣଗ୍ରାହୀ ଶାସକ ରୂପେ ପ୍ରତିପାଦିତ କରିଥିଲେ ।
1. କୃଷିର ଉନ୍ନତି କଳ୍ପେ ଜଳସେଚନ ସୁବିଧା ନିମିତ୍ତ ଛୋଟ ଛୋଟ ଜଲଭଣ୍ଡାର ଓ ଆନିକଟ ପ୍ରତିଷ୍ଠା । ଫଳ ସ୍ୱରୂପ ଧାନ, ମାଣ୍ଡିଆ, କାନ୍ଦୁଲ, ଜହ୍ନl, ମୁଗ, ରାଶି ଉତ୍ପାଦନ ବୃଦ୍ଧି ।
2. କୋବି, ମଟର, ସାଲଗାମ, ଟମାଟୋ ପ୍ରଭୃତି ଚାଷ ପାଇଁ କୃଷକ ମାନଙ୍କୁ ଉତ୍ସାହିତ କରିବା, ସ୍ୱଳ୍ପ ସୁଧରେ ଋଣ ପ୍ରଦାନ ଓ ଗରିବ ଚାଷୀଙ୍କୁ କୃଷି ଉପକରଣ ପ୍ରଦାନ । ଏସବୁ ତାଙ୍କ ଦୂରଦୃଷ୍ଟିର ପରିଚୟ ।
3. ଅନାବୃଷ୍ଟି ଓ ମରୁଡି ସମୟରେ ଖଜଣା ଛାଡ଼, ଖଜଣା ଆଦାୟ ସ୍ଥଗିତ ରଖିବା, ପୁଷ୍କରିଣୀ ଜୀର୍ଣ୍ଣ ସଂସ୍କାର କରି ଲୋକଙ୍କ ନିଯୁକ୍ତି ବ୍ୟବସ୍ଥା କରିବା ଅନ୍ନ ଛତ୍ର ଖୋଲି ଦୈନିକ 600 ରୋଗ ଗ୍ରସ୍ତ, ଶାରୀରିକ ଅକ୍ଷମ, ଅଭାବଗ୍ରସ୍ତଙ୍କୁ ଅନ୍ନ ଦାନର ବ୍ୟବସ୍ଥା ପ୍ରଭୃତି ତାଙ୍କ ପ୍ରଜା ବତ୍ସଳତାର ନିଦର୍ଶନ ।
4. “ସମାନ କାମକୁ ସମାନ ମଜୁରୀ” ବ୍ୟବସ୍ଥା, ନାରୀ ପୁରୁଷ ଶ୍ରମିକଙ୍କୁ ଏକ ପ୍ରକାର ମଜୁରୀ ପ୍ରଦାନ ।
5. ସେ ସମୟରେ ଆଲୋପ୍ୟାଥିକ ଚିକିତ୍ସାଳୟ, ପାଠାଗାର, ପ୍ରୌଢ଼ ଶ୍ରମଜୀବୀ ମାନଙ୍କ ସୁବିଧା ପାଇଁ ନୈଶ ବିଦ୍ୟାଳୟ, ବାଳିକା ବିଦ୍ୟାଳୟ, ବାଳକ ବିଦ୍ୟାଳୟ ପ୍ରତିଷ୍ଠା, ଦୁସ୍ଥ ଛାତ୍ର ମାନଙ୍କ ପାଇଁ ଛାତ୍ରାବାସ ବ୍ୟବସ୍ଥା, ଖଲ୍ଲିକୋଟ କଲେଜ ନିମନ୍ତେ କୋଠା, ଜମି ଦାନ, ମହିଳା ଛାତ୍ରୀ ନିବାସ ନିମନ୍ତେ ଅର୍ଥ ଦାନ ତାଙ୍କର ପ୍ରଗତି ଶୀଳ ଦୃଷ୍ଟି ଭଙ୍ଗୀର ପରିଚାୟକ ।
6. ଓଡ଼ିଶା ଓ ଓଡ଼ିଆ ନିମିତ୍ତ ସେ ଥିଲେ ଜଣେ ସମର୍ପିତ ଆତ୍ମା । ମାନ୍ଦ୍ରାଜ ଅନ୍ତର୍ଗତ ଗଞ୍ଜାମରେ ଯେତେବେଳେ ଇଂରାଜୀ ଓ ତେଲୁଗୁ ଭାଷାରେ କାର୍ଯ୍ୟ ହେଉଥିଲା ନିଜ କଚିରୀରେ ଶ୍ରୀ କୃପାମୟ ଓଡ଼ିଆ ଭାଷା ପ୍ରଚଳନ କରାଇ ଥିଲେ ।
7. ଉତ୍କଳ ସମ୍ମିଳନୀ ସହ ତାଙ୍କ ଆନ୍ତରିକ ସମ୍ପର୍କ ଥିଲା । 1906 ଡିସେମ୍ବର 26/27 ରେ ବ୍ରହ୍ମପୁରରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଅଭ୍ୟର୍ଥନା ସମିତିର ସେ ଥିଲେ ସଭାପତି ।
8. ଉତ୍କଳ ସମ୍ମିଳନୀର ବ୍ରହ୍ମପୁରରେ ସ୍ଥାୟୀ ଗୃହ “ଉତ୍କଳ ଆଶ୍ର ” ଶ୍ରୀ କୃପାମୟ ଦେବଙ୍କ ବ୍ୟକ୍ତିଗତ ଉଦ୍ୟମର ଫଳ ।
9. ଦିଗପହଣ୍ଡି ଗଡ଼ରେ ‘ଗଜପତି ଭୀମଦେବ ପ୍ରେସ’ ସ୍ଥାପନ, ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କୁ ଆମନ୍ତ୍ରଣ ଓ ପୃଷ୍ଠପୋଷକତା, ‘ଗଞ୍ଜାମ ଗୁଣଦର୍ପଣ’ର ପ୍ରକାଶନ, ପଣ୍ଡିତ ଗୋପବନ୍ଧୁଙ୍କ ‘ସମାଜ ‘କୁ ଅର୍ଥ ସାହାଯ୍ୟ ଶ୍ରୀ କୃପାମୟ ଦେବଙ୍କ ମାତୃଭାଷା ପ୍ରୀତିର ଉଜ୍ଜଳ ଉଦାହରଣ ।
10. ବ୍ୟକ୍ତିଗତ ଭାବେ ସାହିତ୍ୟ ପ୍ରତି ତାଙ୍କର ପ୍ରଗାଢ଼ ଆଗ୍ରହ ଥିଲା । ଏଣୁ ନିଜ ଦରବାରରେ ରୀତିମତ ସାହିତ୍ୟ ଚର୍ଚ୍ଚା କରୁଥିଲେ । ସେ ସମୟରେ ବାମଣ୍ଡା ଦରବାର ଓ ବଡ଼ ଖେମୁଣ୍ଡି ଦରବାର ମଧ୍ୟରେ ସାହିତ୍ୟ ପ୍ରତିଯୋଗିତା କିମ୍ବ ଦନ୍ତୀୟ ସ୍ତରରେ ପହଞ୍ଚି ଯାଇଥିଲା । ଶ୍ରୀ ସୁଢ଼ଳ ଦେବ ଓ ଶ୍ରୀ କୃପାମୟ ଦେବ ପରସ୍ପରକୁ ଖୁବ ଶ୍ରଦ୍ଧା ଓ ସମ୍ମାନ ଦେଉଥିଲେ ।
11. ଶ୍ରୀ କୃପାମୟ ଅନଙ୍ଗଭୀମ ଦେବ ଗଜପତି ନିଜେ ଜଣେ ସୁସାହିତ୍ୟିକ ଥିଲେ । ଦ୍ରୌପଦୀ ବସ୍ତ୍ରହରଣ, କଂସବଧ ଓ ପ୍ରଦ୍ୟୁମ୍ନ ମହୋଦୟ ନାଟକ ଏବଂ ସଙ୍ଗୀତ ମକରନ୍ଦ ନାମକ ସଙ୍ଗୀତ ପୁସ୍ତକ ରଚନା କରିଥିଲେ । ଏଣୁ ବଡ଼ଖେମଣ୍ଡି ରାଜସଭାର ବିଦ୍ୱାନ ମଣ୍ଡଳୀ ଶ୍ରୀ କୃପାମୟ ଦେବଙ୍କୁ “ପ୍ରତିଭା ବିନୋଦ” ଉପାଧିରେ ଭୂଷିତ କରିଥିଲେ l ଏକ ବସନ୍ତ ବର୍ଣ୍ଣନା ଦେଖା ଯାଇପାରେ . .
“ବସନ୍ତ ମନ୍ଦ ପବନ ବହିଲାଣି ଏଥର
ଏକା ଶ୍ୟାମଲାଗି ସହି ବହୁଅଛି ଶରୀର ।
ସତେ ଆସିବେ କି ଶ୍ୟାମ ଆଜ ଏହି ନିଶିର
ଭାଷେ କୃପାମୟ ଦେବ ଚିନ୍ତି ସାରଙ୍ଗଧର ।”
1922 ସେପ୍ଟେମ୍ବର 24 ତାରିଖରେ ମାତ୍ର ସତଚାଳିଶ ବର୍ଷ ବୟସରେ କୃପାମୟ ଦେବ ଦେହତ୍ୟାଗ କରିଥିଲେ ।
ତଥ୍ୟ କୃତଜ୍ଞତା: ପଣ୍ଡିତ ନୀଳମଣି ବିଦ୍ୟାରତ୍ନ କୃତ “ଶ୍ରୀ କୃପାମୟ ଚରିତ ” ଓ ଶ୍ରୀ ଅଶୋକ କୁମାର ରଥଙ୍କ “ଗୌରବମୟ ବଡ଼ଖେମୁଣ୍ଡି “
ଚିତ୍ର କୃତଜ୍ଞତା: ଶ୍ରୀ ବିଷ୍ଣୁ ମୋହନ ଅଧିକାରୀ
Krupamaya Ananga Bhimadeba Gajapati/Krupamaya Deba
Spread the love
admin

View Comments

  • ଏହି ରାଜନ୍ ଓଡ଼ିଆ ମାନଙ୍କ ପାଇଁ ଉତ୍ସର୍ଗୀକୃତ ଥିଲେ।

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago