ଲେଖା: ରବୀନ୍ଦ୍ର କୁମାର ରଣା

ଖିଚିଂର ମା’ କୀଚକେଶ୍ଵରୀ ମନ୍ଦିର ମୟୁରଭଞ୍ଜର ଭଞ୍ଜବଂଶୀୟ ରାଜାମାନଙ୍କ ଅନନ୍ୟ କିର୍ତ୍ତୀ । ପାହାଡ଼ ଓ ଅରଣ୍ୟରେ ଘେରା ଏହି ଖିଚିଂ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନଲୋଭା । ଇତିହାସର ତଥ୍ଯ ଅନୁସାରେ ‘ଖିଚିଂ’ର ନାମ ‘ଖିଜିଙ୍ଗାକୋଟା’ରୁ ଆସିଥିବା ଜଣାଯାଏ, ଯାହାକି ପ୍ରାଚୀନ ଖିଜିଙ୍ଗାମଣ୍ଡଳର ରାଜଧାନୀ ଥିଲା । ଏହି ଖିଜିଙ୍ଗାମଣ୍ଡଳ ଏବେକାର କେନ୍ଦୁଝର, ମୟୁରଭଞ୍ଜ, ଝାରଖଣ୍ଡର ସିଂହଭୂମି ଓ ପଶ୍ଚିମବଙ୍ଗର ମେଦିନୀପୁରର କିଛି ଅଞ୍ଚଳକୁ ନେଇ ଗଠିତ ହୋଇଥିଲା । ଭଣ୍ଡନ ନଦୀ ଓ କଣ୍ଟାଖଇରୀ ନଦୀର ମଧ୍ଯ ଭାଗରେ ଥିବା ଖିଜିଙ୍ଗାକୋଟା ବା ଖିଚିଂ ଏହାର ରାଜଧାନୀ ଥିଲା ।


ଅଷ୍ଟମ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ଏହି ଖିଜିଙ୍ଗାମଣ୍ଡଳ ଏକ ସମୃଦ୍ଧ ଅଞ୍ଚଳ ଥିଲା ଏବଂ ମୋଗଲ ଶାସନ ବା ପରବର୍ତ୍ତୀ ସମୟରେ ଏହି ଭଞ୍ଜବଂଶୀୟ ରାଜ୍ୟର ସୀମା ବୃଦ୍ଧି ଘଟିବାପରେ ସେମାନେ ନିଜ ରାଜଧାନୀ ବାରିପଦା ନିକଟବର୍ତ୍ତୀ ହରିପୁରକୁ ଉଠାଇ ନେଇଥିଲେ । ତେବେ ଏହି ପ୍ରାଚୀନ ଖିଜିଙ୍ଗାମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ଥିଲେ ମା’ ଖିଜିଙ୍ଗେଶ୍ୱରୀ ଲୋକମୁଖରେ ମା’ କୀଚକେଶ୍ଵରୀ ।

ପୁରାଣ କିମ୍ବଦନ୍ତୀ ବା ଲୋକକଥା ଅନୁସାରେ ପଞ୍ଚୁପାଣ୍ଡବ ଅଜ୍ଞାତବାସ ସମୟରେ ଏଠାରେ କିଛି ବର୍ଷ ବାସ କରିଥିଲେ । ସେହି ସମୟରେ ଏହି ସ୍ଥାନର ରାଜା ଥିଲେ ବିରାଟ । ତାଙ୍କର ଏକ ଗଡ଼ ମଧ୍ୟ ରହିଥିଲା, ସେହି ଗଡର ନାମ ବିରାଟଗଡ଼ ଏବଂ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ଥିଲେ ମା’ କିଚକେଶ୍ବରୀ । କାଳକ୍ରମେ ମା’ କିଚକେଶ୍ବରୀଙ୍କ ମୂର୍ତ୍ତି ମାଟିତଳେ ପୋତି ହୋଇ ଯାଇଥିଲା । ବହୁବର୍ଷ ପରେ ଭଞ୍ଜରାଜାଙ୍କ ରାଜୁତି ସମୟରେ ଭୂୟାଁ ଜନଜାତିର ପ୍ରଜାମାନେ ମୂର୍ତ୍ତିକୁ ଭଗ୍ନ ଅବସ୍ଥାରେ ମାଟିତଳୁ ଉଦ୍ଧାର କରିଥିଲା ଏବଂ ଛୋଟ ଘରଟିଏ ନିର୍ମାଣ କରି ସେହି ସ୍ଥାନରେ ମୂର୍ତ୍ତିକୁ ରଖି ପୂଜାର୍ଚ୍ଚନା କରୁଥିଲା । ପରେ ଭଞ୍ଜରାଜାଙ୍କ ସହାୟତା ଦ୍ଵାରା ନବମ ବା ଦଶମ ଶତାବ୍ଦୀରେ ମନ୍ଦିର ନିର୍ମାଣ କାର୍ଯ୍ୟ କରାଯାଇଥିଲା । ଭଞ୍ଜବଂଶ ମା’ କିଚକେଶ୍ବରୀଙ୍କୁ ନିଜର ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜାର୍ଚ୍ଚନା କରୁଥିଲେ ଏବଂ କାଳକ୍ରମେ ଦେବୀ ସମଗ୍ର ମୟୂରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଉଛନ୍ତି ।


ମନ୍ଦିରର ଇତିହାସ ଯାହାବି ହେଉ, ନବମ ଶତବ୍ଦୀରେ ନିର୍ମିତ ପୁରାତନ ମନ୍ଦିରର ଆଧିକାଂଶ ଭାଗ ନଷ୍ଟ ହୋଇ ଯାଇଥିଲା । ସେଇ ଭଗ୍ନ ମନ୍ଦିରର କାରୁକାର୍ଯ୍ୟକୁ ଅକ୍ଷୁଣ୍ଣ ରଖି ତା’ ଉପରେ ୧୯୨୫ ମସିହାରେ ତତ୍କାଳୀନ ମୟୁରଭଞ୍ଜର ରାଜା ନୂତନ ମନ୍ଦିରରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ୧୯୩୪ ମସିହାରେ ମନ୍ଦିର ନିର୍ମାଣ କାର୍ଯ୍ୟ ସରିଥିଲା । ବର୍ତ୍ତମାନର ମନ୍ଦିର ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଓ ପ୍ରତାପଚନ୍ଦ୍ର ଭଞ୍ଜ ଦେଓଙ୍କ ଅବଦାନ । ମନ୍ଦିର ନିକଟରେ ଏକ ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯାଇଅଛି ଯେଉଁଥିରେ ପୁରାତନ ମୂର୍ତ୍ତିସବୁ ଏବେ ମଧ୍ୟ ସଂରକ୍ଷିତ । ମନ୍ଦିରଟି ସମ୍ପୂର୍ଣ୍ଣ କଳାମୁଗୁନି ପଥରେ ନିର୍ମିତ । ଏହା ଏକ ରେଖ ଦେଉଳ ଆକୃତିର ଅନନ୍ୟ କାରିଗରୀ । ଏହି ମନ୍ଦିରରେ କୌଣସି ଭୋଗମଣ୍ଡପ ଏବଂ ନାଟମଣ୍ଡପ ନାହିଁ । କେବଳ ଗର୍ଭଗୃହ । ଗର୍ଭଗୃହରେ ମା’ କିଚକେଶ୍ବରୀ ପଦ୍ମଫୁଲ ଉପରେ ବିରାଜିତା । ମା’ କିଚକେଶ୍ବରୀ ଏଠାରେ ଅଷ୍ଟଭୂଜା ଚାମୁଣ୍ଡା ରୂପେ ପୂଜା ପାଉଛନ୍ତି ଏବଂ ମା’ଙ୍କ ମୂର୍ତ୍ତି କଳାମୁଗୁନି ପଥରରେ ନିର୍ମିତ । ମୁଖ୍ୟ ମନ୍ଦିରର ପାର୍ଶ୍ବରେ ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିର ମଧ୍ୟ ବିଦ୍ୟମାନ । ମନ୍ଦିର ପରିସରରେ ଏକ ସୁନ୍ଦର ଉଦ୍ୟାନ ନିର୍ମାଣ କରାଯାଇଛି । 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago