ଲେଖା: ଅମ୍ବିକା ପଟ୍ଟନାୟକ
“ତହୁଁ କାଞ୍ଜି ଗଲା ଖରେ,
ଯାଇ ପଶିଲା ସେ ଗଉଡ଼ ଘରେ
ଏଣେ ଗଉଡ଼ୁଣୀ ତେଣେ ଗଉଡ଼
କାଞ୍ଜିକି ଦେଲେ ବାହୁଙ୍ଗି ମାଡ଼ କି ବାହୁଙ୍ଗି ମାଡ଼ l
ତହୁଁ କାଞ୍ଜି ଗଲା ଖରେ
ଯାଇ ପଶିଲା ସେ କରଣ ଘରେ
କରଣ ଘରେ ଦେଖି କଲମ
କା.. ଞ୍ଜି.. ର ହେଲା ଆମ୍ବିଳି ମନ କି ଆମ୍ବିଳି ମନ l
ତହୁଁ କାଞ୍ଜି ଗଲା ଖରେ
ଯାଇ ପଶିଲା ସେ ବାମୁଣ ଘରେ
ଏଣେ ବାମୁଣିଆଣୀ ତେଣେ ବାମୁଣ
କା.. ଞ୍ଜି.. କି କଲେ ବଡ଼ ତିଅଣ କି ବଡ଼ ତିଅଣ l
ଦାସକାଠିଆରେ ପ୍ରଚଳିତ ଏହି ଲୋକପ୍ରିୟ ଗୀତ ଛାଞ୍ଚରେ ଖୋକାଭାଇ ଅକ୍ଷୟ ମହାନ୍ତି ପ୍ରସ୍ତୁତ କରିଥିଲେ ତାଙ୍କ ଏକ ପ୍ରସିଦ୍ଧ ଗୀତ “ତହୁଁ ଷଣ୍ଡ ଗଲା ଖରେ . . . “
ଏଇ କାଞ୍ଜି ଗୀତ କିନ୍ତୁ ପଚାଶ ଷାଠିଏ ବର୍ଷ ତଳର ସାମାଜିକ ଚଳଣିର ଏକ ନିଚ୍ଛକ ପ୍ରତିଛବି l କ୍ଷୀର, ଦହି ଏବଂ ଦରକାର ହେଲେ ଘରମାନଙ୍କୁ କିମ୍ବା ଉତ୍ସବ ଇତ୍ୟାଦିରେ ଜଳ ଯୋଗାଣ କର୍ମ ଗଉଡ଼ ଭାଇର ଥିଲା l ଏଣୁ ବାହୁଙ୍ଗି ନିହାତି ଦରକାର ଥିଲା l ଆଡମ୍ବର ପ୍ରିୟ କରଣମାନଙ୍କ ପ୍ରିୟ କାମ ଥିଲା ଲେଖିବା l ତେଣୁ ଢଗ ଥିଲା “ଲେଖୁ ଲେଖୁ କରଣ, ହଗୁ ହଗୁ ମରଣ” ଅର୍ଥ ଯାହା ହଉ ପ୍ରାୟତଃ ପ୍ରତ୍ୟେକ କରଣ ଥରେ ଶୁଣିଥିବେ l ଯେହେତୁ ଦେଖେଇବା ଢଙ୍ଗ ବେଶୀ, ବେହିସାବୀ ଖର୍ଚ୍ଚ l
“କରଣ ଜାତି,
ପଇସା ନ ଥାଉ କିଣିବେ ହାତୀ
ଶୁଝିଲେ ଶୁଝିବେ ପୁଅଙ୍କ ନାତି”
ବ୍ରାହ୍ମଣ ମାନେ ଖାଦ୍ୟ ପ୍ରିୟ
“ଭୋଜନେ ନୃତ୍ୟନ୍ତି ବିପ୍ରାଃ,
ମୟୂରାଃ ମେଘ ଦର୍ଶନେ” l
ଏଣୁ ଖାଦ୍ୟ ଦ୍ରବ୍ୟ କିଛି ନଷ୍ଟ ହେବ ନାହିଁ l ଲାଉ ଚୋପା ଭଜା ହେଉ କି କଦଳୀ ଚୋପା ସିଝେଇ ଗୁଡ଼ ତେନ୍ତୁଳି ଦେଇ ଚଟଣି, ସଠିକ ବ୍ୟବହାର l
“ବ୍ରାହ୍ମଣ ନ ଖାଇ ଫଳ ନାହିଁ,
ଛେଳି ନ ଖାଇ ଡାଳ ନାହିଁ “l
ଏକାନ୍ତ ଭାବେ ଆମ ଓଡ଼ିଆ ଖାଦ୍ୟ “କାଞ୍ଜି” l ସାଧାରଣତଃ କାଞ୍ଜି ଦୁଇ ପ୍ରକାରର, ଖୁଦକାଞ୍ଜି ଓ ତୋରାଣିକାଞ୍ଜି l ଦୁଇଟି କାଞ୍ଜିର ପ୍ରଧାନ ଉପାଦାନ ହେଉଛି କେତେ ଦିନର ବାସୀ ଖଟା “ତୋରାଣି” ବା “କାଞ୍ଜିପାଣି” l ତୋରାଣିରେ ଖୁଦ ଦେଇ ସିଝା ହୁଏ, ଖୁଦ ଅଧା ସିଝିଲା ପରେ କଖାରୁ, ବାଇଗଣ, ମୂଳା ଆଦି ପରିବା ସହ ସ୍ୱାଦ ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ l ପରେ ରସୁଣ, ଲଙ୍କା, ସୋରିଷ , ପାନମହୁରୀ ଦେଇ ଫୁଟଣ l ବାସ ଖୁଦକାଞ୍ଜି ପ୍ରସ୍ତୁତ l ତୋରାଣିକାଞ୍ଜିରେ ଖୁଦ ବ୍ୟବହାର ହୁଏ ନାହିଁ l ଶୀତଳ ଦାୟୀ, ସ୍ୱାସ୍ଥ୍ୟପ୍ରଦ ଏଇ ଓଡ଼ିଆ କାଞ୍ଜି l
ତେବେ ଇତିହାସ ଅନୁସାରେ ପ୍ରଥମେ କେବଳ ଖୁଦ ବା ଚାଉଳରେ କାଞ୍ଜି ହେଉଥିଲା ଏବଂ ପରିବାର ପ୍ରଚଳନ ନ ଥିଲା l ଯେମିତି ଷାଠିଏ ବର୍ଷ ତଳେ ପନି ପରିବାର ସ୍ୱଳ୍ପତା ଯୋଗୁଁ ପାରାଦୀପ ଅଞ୍ଚଳରେ ଭାତ ଓ “ଛୋଟ ଭାତ”ର ପ୍ରଚଳନ ଥିଲା, ତରକାରୀ ବ୍ୟବହାର ଖୁଵ କମ ଥିଲା l ଅଷ୍ଟାଦଶ ଶତାବ୍ଦୀର ପ୍ରାରମ୍ଭରେ ପୁରୀ ଜିଲ୍ଲାରେ ଜଣେ ବିଖ୍ୟାତ ସ୍ମୃତିଶାସ୍ତ୍ରୀ ଥିଲେ ଗଦାଧର ମହାପାତ୍ର l ପରେ ସେ ଗଜପତି ହରେକୃଷ୍ଣ ଦେବଙ୍କ ରାଜଗୁରୁ ହୋଇ ଥିଲେ l ବିଶ୍ରୁତ କୀର୍ତ୍ତି ଜୟୀ ରାଜଗୁରୁ ଏହାଙ୍କ ନାତି l “କାଳସାର” ଗଦାଧର ରାଜଗୁରୁଙ୍କ ଏକ ବିଖ୍ୟାତ ପୁସ୍ତକ l
ଏଇ ଗଦାଧର ରାଜଗୁରୁ ଉଚ୍ଚlଭିଳାଷୀ ଥିଲେ l ବ୍ରାହ୍ମଣମାନେ କଛା ମାରି ତ୍ରିସନ୍ଧ୍ୟା କରିବା ଵିଧି l ନିଜର ପ୍ରତିଷ୍ଠା ଓ ଖ୍ୟାତି ପରୀକ୍ଷା କରିବା ପାଇଁ ରାଜଗୁରୁ ମହାଶୟ ଥରେ ମୁକ୍ତ କଛ ରୂପେ ସନ୍ଧ୍ୟା ବନ୍ଦନା କଲେ l ସଙ୍ଗେ ସଙ୍ଗେ ଅନେକ ଶାସନୀ ବ୍ରାହ୍ମଣ ତାହା ଅନୁସରଣ କରିଥିଲେ l
ତୋରାଣି ବା କାଞ୍ଜି ପାଣି ମଦ୍ୟ ସହ ସମାନ ଭାବି ଗଦାଧର ରାଜଗୁରୁ “ପର୍ଯ୍ୟୁଷିତ ଅନ୍ନଗ୍ରହଣ ନିଷିଦ୍ଧ” ବୋଲି ଲେଖିଦେଲେ l କାଞ୍ଜି ଉପରେ ପ୍ରତିବନ୍ଧକ ଲାଗି ଗଲା l ମା ଦିନେ ଆସି କହିଲେ “ପୁଅ ତୁ କାଞ୍ଜି ବନ୍ଦ କରିଦେଲୁ, ନିଆଁଶୀ, ରାଣ୍ଡି ଖଣ୍ଡି, ଗରିବ ମାନେ ବଂଚିବେ କିପରି” ? ମାତୃଆଦେଶ, ବ୍ରହ୍ମା ବିଳିବିଳେଇଲେ ବେଦ ନ୍ୟାୟରେ ଗଦାଧର ରାଜଗୁରୁ ଲେଖିଲେ “ସଫଳା କାଞ୍ଜିକା ଗ୍ରାହ୍ୟମ ଇତି ମାତୃବଚନାତ” l ଅର୍ଥାତ ଏମିତି କାଞ୍ଜି ଖାଇବା ନିଷେଧ, କିନ୍ତୁ ଦୁଇ ଚାରିଟା ପରିବା ପଡିଲେ ଗ୍ରହଣୀୟ l ମାତୃ ଭକ୍ତି ହେଲା, ନିଜ କଥା ବି ରହିଲା l
କିନ୍ତୁ ପରେ ଏଇ “ସଫଳା କାଞ୍ଜିକା” ବହୁ ଆଦୃତି ଲାଭ କରି ଥିଲା l ଏଣୁ ବ୍ରଜନାଥ ବଡ଼ଜେନା “ଚତୁର ବିନୋଦ” ବହିରେ “ଜିହ୍ୱା ସରସ୍ୟା କାଞ୍ଜି” ଉଲ୍ଲେଖ କରିଛନ୍ତି l ମାର୍ଗଶିର କୃଷ୍ଣ ନବମୀ ତିଥି “କାଞ୍ଜିଅଁଳା ଓଷା” ରୂପେ ପାଳିତ ହୁଏ l ଏହି ଦିନ ଠାକୁରାଣୀଙ୍କୁ କାଞ୍ଜି, ଅଁଳା ଓ ପିତା ଶୁଖୁଆ ଭୋଗ ଲଗା ହୁଏ l “ମହୀମଣ୍ଡଳ ଗୀତା” ପ୍ରଣେତା ସନ୍ଥ ଅରକ୍ଷିତ ଦାସଙ୍କ ପ୍ରସିଦ୍ଧ ଓଳାଶୁଣୀ ପୀଠ ପ୍ରଧାନ ଭୋଗ କାଞ୍ଜି ଓ ଶୁଖୁଆ ପୋଡା l
ସତରେ ! କାଞ୍ଜିର ମହିମା ଅପାର . . . !