ଆଧୁନିକ ଓଡିଆ କବିତାର ଅନ୍ୟତମ ଦିଗଦର୍ଶକ କବି ରାଧାମୋହନ ଗଡ଼ନାୟକ । ସେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଅନୁଗୋଳ ନିକଟବର୍ତ୍ତୀ କଲଣ୍ଡାପାଳ ଗ୍ରାମରେ ୧୯୧୧ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୨୫ ତାରିଖରେ ଭୂମିଷ୍ଠ ହୋଇଥିଲେ। ଛାତ୍ରାବସ୍ଥାରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ ଏବଂ ସେହି ସମୟରୁ ବହୁତ କବିତା ତାଙ୍କର ସହକାର, ଉତ୍କଳ ସାହିତ୍ୟ, ପ୍ରଭୃତି ପତ୍ରିକାରେ ପ୍ରକାଶିତ ହେଉଥିଲା। ଏଗୁଡିକ ମଧ୍ଯରେ ଥିଲା ଇଂରେଜ କବିତାର କେତୋଟି ଅନୁଦିତ ରୁପ।
ଏହି କବିତାଗୁଡିକରେ କବିଙ୍କ ପଲ୍ଲୀପ୍ରାଣତା, ଜାତୀୟତା ଓ ଭାଗବତବୋଧର ସ୍ପଷ୍ଟ ସଙ୍କେତ ମିଳେ। ଇଂରେଜୀ କବିତାର ଅନୁବାଦରୁ ତାଙ୍କ ପ୍ରତିଭାର ଉନ୍ମେଷ ଅବଲମ୍ବନାଶ୍ରୟୀ ହୋଇ ଘଟିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ଯ କବି ରାଧାମୋହନ ଗଡ଼ନାୟକ ଏହି ଅନୁବାଦକୁ ଆତ୍ମାଭିମୁଖ୍ୟର ମାଧ୍ୟମ ରୁପେ ଆଦରି ନେଇଥିଲେ। ଏହାର ଉଦାହରଣ ହେଉଛି ‘ମେଘଦୂତ’ ଓ ‘ସୋରାବରୁସ୍ତମ’ ଅନୁଦିତ ଗ୍ରନ୍ଥଦ୍ବୟ ତାଙ୍କ ରଚିତ ନାଟ୍ୟ -କାବ୍ୟ ‘କାଳିଦାସ’ ବହୁ କିମ୍ବଦନ୍ତୀରେ ପୁଷ୍ଟ।
ଭାଷା ଓ ଛନ୍ଦର ଅପୁର୍ବ ସମନ୍ବୟରେ ଏହି ଗ୍ରନ୍ଥଟିରେ ସୃଷ୍ଟି ହୋଇଛି ଏକ ଅନନ୍ଯ ଓ ଅନତିକ୍ରମ୍ୟ କାବ୍ୟାଦର୍ଶ। କାବ୍ୟନାୟିକା, (୧୯୪୫), ଉତ୍କଳିକା, (୧୯୪୫), ମୌସୁମୀ (୧୯୫୧), ପଶୁପକ୍ଷୀର କାବ୍ୟ, (୧୯୫୯), ଶାମୁକାର ସ୍ବପ୍ନ (୧୯୬୧), ଧୁସର ଭୂମିକା (୧୯୬୦), ସୁର୍ଯ୍ୟ ଓ ଅନ୍ଧକାର (୧୯୭୪), ହୀରାଖଣ୍ଡର ଗାଥା (୧୯୮୭) ଆଦି କବିତା ଗ୍ରନ୍ଥ କବିଙ୍କ ଉନ୍ମୁକ୍ତ ତଥା ବ୍ୟାପକ ଦୃଷ୍ଟିଭଙ୍ଗୀର ଦ୍ୟୋତକ ।
“ସୁର୍ଯ୍ୟ ଓ ଅନ୍ଧକାର” କବିତାଗ୍ରନ୍ଥ ତାଙ୍କୁ ୧୯୭୫ରେ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ବିଜେତା କରାଇଥିଲା ୧୯୯୦ରେ ପଦ୍ମଶ୍ରୀ ଉପାଧି, ୧୯୩୩ରେ ପ୍ରଥମ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର, ୧୯୭୭ରେ ଉତ୍କଳରତ୍ନ ଓ ଡିଲିଟ୍ ଉପାଧି ଇତ୍ୟାଦି ବହୁ ସମ୍ମାନରେ ସେ ଭୁଷିତ ହୋଇଥିଲେ। ତାଙ୍କ କବିମାନସର ଉଲ୍ଲେଖ୍ୟ ବିଶେଷତ୍ବ ହେଉଛି ନିର୍ଭିକତା ଓ ମାନବବାଦ।