ଲେଖା: ଦେଵ ତ୍ରିପାଠୀ
~ କବିସମ୍ରାଟ ପଦବୀ ~
ଦୀର୍ଘଦିନ ଧରି ଓଡ଼ିଶାର ସାହିତ୍ୟିକ ଓ ସାଂସ୍କୃତିକ ଜଳବାୟୁରେ ରାଜକବି ଉପେନ୍ଦ୍ରଭଞ୍ଜଙ୍କୁ #କବିସମ୍ରାଟ ଓ #ସଙ୍ଗୀତସମ୍ରାଟ ରୂପେ ପ୍ରମାଣିତ କରା ହୋଇଆସୁଛି ! ତେବେ କବି କ’ଣ ତାଙ୍କର ଜୀବଦ୍ଦଶାରେ ଉକ୍ତ ପଦବୀ ଗଜପତି ରାଜଦରବାରରୁ ଲାଭ କରିଥିଲେ ? କିଏ ଦେଇଥିଲେ ଏଇ କବିସମ୍ରାଟ ଉପାଧି ? ତତ୍କାଳୀନ ଗଜପତି ମହାରାଜା ଅବା କବିଙ୍କର ମହାପ୍ରଶଂସକ ମଧୁବାବୁ ? ନା ପଣ୍ଡିତ ଶିରୋମଣି ନୀଳକଣ୍ଠ ଦାସ ନା କବିଙ୍କ ଗୁଣମୁଗ୍ଧ ପାଠକେ ? ଅଥଚ ଆଜି ମଧ୍ୟ ଓଡ଼ିଶାର ପୁରପଲ୍ଲୀରେ ଭଞ୍ଜଜୟନ୍ତୀ ପାଳନ କଲାବେଳେ, ବିଭିନ୍ନ ବକ୍ତା ଭାଷଣ ପ୍ରସଙ୍ଗରେ କବି ଉପେନ୍ଦ୍ର ଭଞ୍ଜ ଗଜପତି ରାଜଦରବାରରୁ କିପରି ‘କବିସମ୍ରାଟ’ ପଦବୀ ଲାଭ କରିଥିଲେ ତା’ର ଏକ ସୁନ୍ଦର କିମ୍ବଦନ୍ତୀ ଉପସ୍ଥାପିତ କରିଥାନ୍ତି । ଓଡ଼ିଆ ସାହିତ୍ୟର ଐତିହାସିକ ଓ ସମାଲୋଚକଗଣ ମଧ୍ୟ ଉପେନ୍ଦ୍ରଭଞ୍ଜଙ୍କୁ ‘କବିସମ୍ରାଟ ଉପେନ୍ଦ୍ର ଭଞ୍ଜ‘ ରୂପେ ସେମାନଙ୍କ ବିଭିନ୍ନ ଗ୍ରନ୍ଥରେ ଉଲ୍ଲେଖ କରିଥିବା ଦେଖାଯାଏ । ପୁରୀ ରାଜା ଭଞ୍ଜକବିଙ୍କୁ ଏ ଉପାଧି ଦେଇଥିବାର କୌଣସି ପ୍ରମାଣ କୌଣସି ଉପାଦାନରେ ନାହିଁ, କିମ୍ବା ଏ ସମ୍ବନ୍ଧରେ କୌଣସି ଲିପିବଦ୍ଧ କିମ୍ବଦନ୍ତୀ ନାହିଁ କିମ୍ବା ଭଞ୍ଜ କବିତାବଳୀର କୌଣସି ଅଂଶରେ ଏ ଉପାଧି ବ୍ୟବହୃତ ହୋଇନାହିଁ ।” ‘ସମ୍ରାଟ’ ଉପାଧି ରାଜାମାନଙ୍କର ସର୍ବଶେଷ ଓ ଗୌରବପୂର୍ଣ୍ଣ ପଦବୀ ବିଶେଷ । ଯେତେବେଳେ ଜନୈକ ରାଜା ନିଜର ବାହୁବଳରେ ସମଗ୍ର ଦେଶର ପ୍ରାନ୍ତୀୟ ରାଜାମାନଙ୍କୁ ଜୟ କରି ଏକଛତ୍ର ଶାସନ କରୁଥିଲେ, ସେତିକିବେଳେ ସେ ନିଜକୁ ସମ୍ରାଟ ରୂପେ ଉଦ୍ଘୋଷିତ କରୁଥିଲେ । ଉଦାହରଣ ସ୍ବରୂପ, ସମ୍ରାଟ #ମହାମେଘବାହନ ଐର #ଖାରବେଳ କିମ୍ବା #ବୀରାଧିବୀରବର ସମ୍ରାଟ #କପିଳେନ୍ଦ୍ର_ଦେବ ! ଉଭୟଙ୍କ ରାଜତ୍ଵ କାଳରେ ଭାରତର ଅଧିକାଂଶ ରାଜ୍ୟର ରାଜା ତାଙ୍କର ପଦାନତ ସ୍ଵୀକାର କରିଥିବା ଭାରତୀୟ ଇତିହାସରୁ ଜଣାଯାଏ ! ଏହି ପରିପ୍ରେକ୍ଷୀରେ କବି ଉପେନ୍ଦ୍ରଭଞ୍ଜଙ୍କୁ #କବିସମ୍ରାଟ କହିବାର ତାତ୍ପର୍ଯ୍ୟ ହେଉଛି ଯେ ଭାରତର ବିଶେଷତଃ ଓଡ଼ିଶାର ଅନ୍ୟ କୌଣସି କବି, ଉପେନ୍ଦ୍ର ଭଞ୍ଜଙ୍କ ମହନୀୟ କବିତ୍ୱର ଶକ୍ତିକୁ ଅତିକ୍ରମି ଯାଇ ପାରିନାହାନ୍ତି ଏବଂ ଉପେନ୍ଦ୍ର ସମସ୍ତ କବିଙ୍କୁ ନିଜର ପାଣ୍ଡିତ୍ୟ ଓ ରଚନାଶକ୍ତି ଦ୍ବାରା ପରାଜୟ କରିପାରିଛନ୍ତି ! ତେବେ ଏ ସମ୍ପର୍କରେ କେତେକ ସତ୍ୟ ଉଦ୍ଘାଟନ କରିବା ଆବଶ୍ୟକ ମନେହୁଏ । ~ ରାଜକବି ଉପେନ୍ଦ୍ରଙ୍କର ସ୍ୱଲିଖିତ ପଦବୀସମ୍ଭାର ~
ରାଜକବି ଉପେନ୍ଦ୍ର କେଉଁ ଶତାବ୍ଦୀରେ ଜନ୍ମ ଗ୍ରହଣ କରିଥିଲେ ଓ ତାଙ୍କର ମହାପ୍ରୟାଣ କେବେ ଘଟିଥିଲା, ସେ ସମ୍ପର୍କରେ ଅଦ୍ୟାବଧି ଓଡ଼ିଶାର ଗବେଷକଗଣ ଏକ ସ୍ଥିର ନିଶ୍ଚିତ ମତରେ ଉପନୀତ ହୋଇ ପାରିନାହାନ୍ତି । କବି ଉପେନ୍ଦ୍ର ଓ ତାଙ୍କ ସାହିତ୍ୟକୁ ଭିଭିକରି ଓଡ଼ିଶାରେ ପ୍ରାୟ ୧୮୭୦ ଖ୍ରୀଷ୍ଟାବ୍ଦଠାରୁ ଯଦିଓ ଏକ ପ୍ରବଳ ଝଡ଼ ତୋଫାନ ଲାଗି ରହିଛି ତଥାପି ଉପେନ୍ଦ୍ରଭଞ୍ଜଙ୍କ ଗ୍ରନ୍ଥ ସଂଖ୍ୟା କେତେ ଏବଂ ସେ କି କି ଗ୍ରନ୍ଥ ପ୍ରକୃତରେ ରଚନା କରିଥିଲେ ସେ ସମ୍ପର୍କରେ ବହୁ ମତ ଦେଖାଯାଇଥାଏ । ଏପରିକି କେତେକ ହୀନମନ୍ୟ ବ୍ୟକ୍ତି ନିଜେ ରଚନା କରି ହେଉ ବା ଅନ୍ୟ କୌଣସି ଅନାମଧେୟ କବିଙ୍କର ରଚନା ଗୁଡ଼ିକର ଶେଷାଂଶକୁ କବି ଉପେନ୍ଦ୍ରଙ୍କ ନାମରେ ଭଣିତା କରି ପ୍ରଚାର କରିବାକୁ ମଧ୍ୟ ଲଜ୍ଜାବୋଧ କରୁନାହାନ୍ତି । ଉପେନ୍ଦ୍ରଙ୍କ ଉପରେ ଲମ୍ବା ଲମ୍ବା ବକ୍ତୃତା ଦେବା ପରିବର୍ତ୍ତେ ଆଜି ଯଦି କୌଣସି ପାଠକପାଠିକା ତାଙ୍କ ପ୍ରକୃତ ରଚନା ସ୍ଥିର କରିବାରେ ଲାଗିପଡ଼ନ୍ତେ, ତା ହେଲେ ଏ କବି ସମ୍ରାଟଙ୍କ ନାମରେ ଯେଉଁ ଅପଦାର୍ଥ ଚୋରିମାଲ ଚାଲୁଛି, ସେହି ଅପକର୍ମର ଦୂଷିତ ବାୟୁମଣ୍ଡଳରୁ ଉପେନ୍ଦ୍ରଭଞ୍ଜ ଟିକିଏ ହେଲେ ମୁକ୍ତିପା’ନ୍ତେ ।
ସେ ଯାହାହେଉ କବି ଉପେନ୍ଦ୍ର ସ୍ବସୃଷ୍ଟିଗୁଡ଼ିକର ଏକ ତାଲିକା ତାଙ୍କର ‘ଚିତ୍ରକାବ୍ୟ-ବନ୍ଧୋଦୟ’ର ପ୍ରାରମ୍ଭରେ ଦେବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ଛାନ୍ଦର ଭଣତିରେ ନିଜର ନାମ ତଥା ‘ପଦବୀ’ ଉଲ୍ଲେଖ କରିଥିବା ପରିଲକ୍ଷିତ ହୁଏ । ଭଞ୍ଜକବି ତାଙ୍କର ”ବୈଦେହୀଶ ବିଳାସ’, ‘ଲାବଣ୍ୟବତୀ’, ‘କୋଟିବ୍ରହ୍ମାଣ୍ଡ ସୁନ୍ଦରୀ’, ‘ସୁଭଦ୍ରା ପରିଣୟ’, ‘ରସିକ ହାରାବଳୀ’, ‘ପ୍ରେମସୁଧାନିଧି’, ‘ଷୋଳପୋଇ’ ପ୍ରଭୃତି ଗ୍ରନ୍ଥର ପ୍ରତି ଛାନ୍ଦର ଭଣତିରେ ନିଜକୁ “ବୀରବର ଉପଇନ୍ଦ୍ର” ବୋଲି ପରିଚିତ କରାଇଛନ୍ତି । ଯଥା:
ବାରେ ବାରେ ସେବାରେ ମନାଇଁ ସୀତାରାମ ଯେ” ।।
ସେହିପରି,
“ସୀତା ବଲ୍ଲଭ-ପଦ ସୁମନ ମନେ ଚିନ୍ତି
ସଂଜ୍ଞା ଭଞ୍ଜ ନାମ #ଉପଇନ୍ଦ୍ର ପଦ ବୀରବର ଯେ ରଚନ୍ତି ।” ସେହିପରି କବି ‘ପଞ୍ଚଶାୟକ’, ‘ରସପଞ୍ଚକ’ ଓ ‘ସୁଭଦ୍ରା ପରିଣୟ’ ଆଦି କେତେକ ଗ୍ରନ୍ଥର ଭଣତିରେ ନିଜକୁ ‘ନୃପତି’ ବୋଲି ଘୋଷଣା କରିଥିବା ଦେଖାଯାଏ ।
“ପ୍ରଥମ ଛାନ୍ଦ ହୋଇଲା ଏଥେ ସମାପତି
ଭଣିଲେ ଉପେନ୍ଦ୍ର ଭଞ୍ଜ #ନୃପତି ଏ ଗୀତି । *** *** ***
“ପ୍ରବୀଣା ମଧ୍ୟାରତି ସ୍ମୃତି ଏହି
ପଦେ ଉପଇନ୍ଦ୍ର ଭଞ୍ଜରାଜ କହି” ।।
ପୁଣି ‘ରସପଞ୍ଚକ’, ‘ଭାଗବତୀ’ ଓ ଯମକରାଜ ଚଉତିଶା ଆଦିର କେତେକ ସ୍ଥାନରେ କବି ନିଜକୁ ‘ପାଟକୁମାର’ ଓ ‘ମଙ୍ଗରାଜ’ ରୂପେ ପରିଚିତ କରାଇଛନ୍ତି ।
ଗୁଣ ଦୁହେଁ ଦୁହିଁଙ୍କର ପଦ ଯୋଡ଼ି ଗାଇବ” ।।
*** *** ***
*** *** ***
“କ୍ଷମେ ରକ୍ଷାକର ଉପଇନ୍ଦ୍ର
ଉପଇନ୍ଦ୍ର ଭଞ୍ଜ ମଙ୍ଗରାଜକୁ ।।”
ଏତଦବ୍ୟତୀତ ‘ଅବନାରସ ତରଙ୍ଗ’ରେ କବି ନିଜକୁ କେବଳ ‘ଉପେନ୍ଦ୍ର ଭଞ୍ଜ’ ଓ ରସଲେଖା କାବ୍ୟରେ #ଭଞ୍ଜକବି ବୋଲି ନିଜକୁ ପରିଚିତ କରାଇଥିବା ପରିଲିକ୍ଷିତ ହୋଇଥାଏ । ଉପେନ୍ଦ୍ର ଭଞ୍ଜଙ୍କ ସମୟ ପର୍ଯ୍ୟନ୍ତ ଓଡ଼ିଶାର କୌଣସି କବି ଏତେ ବ୍ୟାପକ ଭାବରେ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଥିବାର ପ୍ରମାଣ ଅଦ୍ୟାବଧି ମିଳିନାହିଁ । ସେଥିପାଇଁ, ଜନତା ତାଙ୍କୁ #କବିସମ୍ରାଟ ରୂପେ ଅଭିନନ୍ଦିତ ଓ ଅଭିବନ୍ଦିତ କରିଅଛି । ~ ଓଡ଼ିଆ ଗବେଷକଙ୍କ ଦୃଷ୍ଟିରେ କବି ଉପେନ୍ଦ୍ର ~
“ଯେତେଦୂର ମନେହୁଏ ଯେଉଁ କବି ସମସାମୟିକ ସମାଜରେ ସମସ୍ତଙ୍କୁ ନିଷ୍ପଭ କରି ଦେଇଥିଲେ, ତାଙ୍କୁ ହିଁ ବଳେ ବଳେ ‘କବିସମ୍ରାଟ’ କୁହାଯାଇଥିଲା । x × x ସେହିପରି, ଭଞ୍ଜଙ୍କର ‘କବିସମ୍ରାଟ’ ଉପାଧିର ଇତିହାସ ଘୋର ଅନ୍ଧକାରାଚ୍ଛନ୍ନ । x × x ଉପେନ୍ଦ୍ରଭଞ୍ଜ ଓଡ଼ିଶାର ବହୁ ରାଜଦରବାରରେ ନିଜ ଅପୂର୍ବ ପାଣ୍ଡିତ୍ୟ ଓ କବିତ୍ବ ଦ୍ବାରା ସମସ୍ତଙ୍କୁ ହୀନପ୍ରଭ କରି ଦେଇଥିଲେ !ଏପରିକି, ମହାମହା ସଂସ୍କୃତ ପଣ୍ଡିତମାନେ ମଧ୍ୟ ତାଙ୍କର ପ୍ରତିଭା ଦେଖି ଭୟଭୀତ ହୋଇ ପଡ଼ିଥିଲେ । ରାଜସଭାମାନଙ୍କରେ ରାଜ୍ୟର ଗଣ୍ୟମାନ୍ୟ ଲୋକେ ମଧ୍ୟ ଶ୍ରୋତା ଭାବରେ, ଦର୍ଶକ ଭାବରେ ଉପସ୍ଥିତ ହେଉଥିଲେ । ଯୁକ୍ତିତର୍କ, ବାଦାନୁବାଦ ଓ କବିତ୍ବ ପରୀକ୍ଷାରେ ଉପେନ୍ଦ୍ର ସମସ୍ତଙ୍କୁ ଟପି ଯାଉଥିବାର ଦେଖି ସେମାନେ ହୁଏତ କହି ପକାଇଥିଲେ, ‘ଇଏ କବିସମ୍ରାଟ’, କାଳକ୍ରମେ ଏହି ଶବ୍ଦଟି ତାଙ୍କ ଠାରେ ରୂଢ଼ ହୋଇଗଲା । ଯଥାର୍ଥରେ ଆଜି ପର୍ଯ୍ୟନ୍ତ ସେ ‘କବିସମ୍ରାଟ’ ହୋଇ ରହିଛନ୍ତି ।” ଗବେଷକ ଗୌରୀକୁମାର ବ୍ରହ୍ମାଙ୍କ ଏପରି ମତ କପୋଳ କଳ୍ପିତ ମନେ ହେଲେ ମଧ୍ୟ ସତ୍ୟର ଅପଳାପ ହେବନାହିଁ ।
“ସାର୍ବଭୌମ ଦିଗ-ଦନ୍ତୀ ଚକ୍ରବର୍ତ୍ତୀ
ମାନ୍ତ ବର୍ଗ କଲା ଶେଷ ।।”
ଏଠାରେ ‘ମ’ ଅକ୍ଷର ଅନ୍ତ ବା ଶେଷରେ ଥିବା ‘ସାର୍ବଭୌମ’ ଶବ୍ଦର ଅର୍ଥ ବ୍ୟାଖ୍ୟାନ ହିଁ ମୁଖ୍ୟ କଥା । ‘ସାର୍ବଭୌମ’ ହେଉଛି ଉତ୍ତର ଦିଗର ଦିଗ୍ଗଜର ନାମ (ଦିକ୍+ଦନ୍ତୀ+ହସ୍ତୀ) । ତେଣୁ ସାର୍ବଭୌମ ଏହି ହାତୀ ଏବଂ ଚକ୍ରବର୍ତ୍ତୀ ବା ସମ୍ରାଟ – ଏ ଦୁଇ ଅର୍ଥର ପ୍ରକାଶକ । × × × ସଂସ୍କୃତ-ପଣ୍ଡିତମାନଙ୍କର ସେହି କ୍ରମ ରକ୍ଷାକରି, ନିଜକୁ #କବିଚକ୍ରବର୍ତ୍ତୀ ବା #କବିସାର୍ବଭୌମ (କବିସମ୍ରାଟ) ରୂପେ ହୁଏତ ଏ ସ୍ଥଳରେ ଉପେନ୍ଦ୍ର ଆତ୍ମ ପରିଚୟ ଦେଇଛନ୍ତି । ଏ ସମସ୍ତ ଆଲୋଚନାରୁ ସ୍ପଷ୍ଟ ଯେ କବି ଉପେନ୍ଦ୍ର ନିଜର ଜୀବଦ୍ଦଶାରେ କୌଣସି ରାଜଦରବାରରୁ ‘କବିସମ୍ରାଟ’ ପଦବୀ ଲାଭ କରି ନ ଥିଲେ । ~ ‘କବିସମ୍ରାଟ’ ପଦବୀର ପ୍ରକୃତ ଜନ୍ମ-ଇତିହାସ ~
ଉନ୍ନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ‘ଉଡ଼ିଆ ଏକ ସ୍ବତନ୍ତ୍ର ଭାଷା ନୟ’ ବୋଲି ଜଣେ ବଙ୍ଗୀୟ ପଣ୍ଡିତ ମତ ପ୍ରଦାନ କଲାପରେ ଓଡ଼ିଶାରେ ପ୍ରାଚୀନ କାବ୍ୟକବିତା ଉପରେ ବିଶେଷ ପ୍ରାଧାନ୍ୟ ଦିଆଯିବା ସଙ୍ଗେ ସଙ୍ଗେ ସେ ସମ୍ପର୍କରେ ବିଧିବଦ୍ଧ ଭାବେ ଅନୁସନ୍ଧାନ ତଥା ଗବେଷଣା ଆରମ୍ଭ ହେଲା । କ୍ରମଶଃ ପ୍ରାଚୀନ କାବ୍ୟକବିତା ଉଦ୍ଧାର କରାଯାଇ, ସେ ସମ୍ପର୍କରେ ଆଲୋଚନା-ପ୍ରତି ଆଲୋଚନା ହେବାକୁ ଲାଗିଲା । ଏହି ସମୟରେ ଉପେନ୍ଦ୍ର କାବ୍ୟ କବିତାର ମଧ୍ୟ ପ୍ରବଳ ଆଲୋଚନା ହେବାକୁ ଲାଗିଲା ।
ଏ ବେଳରେ କେତେକ ବ୍ରାହ୍ମଧର୍ମୀ ପ୍ରଚାରକ ଉପେନ୍ଦ୍ରସାହିତ୍ୟକୁ ଅଶ୍ଳୀଳ ବୋଲି ପ୍ରମାଣ କରିବାକୁ ଚେଷ୍ଟା କଲାବେଳେ ଅନ୍ୟ କେତେକ ପଣ୍ଡିତ ଭଞ୍ଜ-ସାହିତ୍ୟର ପ୍ରତିଟି ଦିଗକୁ ବିଶ୍ଳେଷଣ କରି ଓଡ଼ିଆ-ସାହିତ୍ୟର ତାହା #ସର୍ବଶ୍ରେଷ୍ଠ_ସାହିତ୍ୟ ବୋଲି ପ୍ରତିପାଦନ କରିବାକୁ ଆପ୍ରାଣ ଉଦ୍ୟମ କଲେ । ଉକ୍ତ ବିବଦମାନ ସମୟ ମଧ୍ୟରେ ଯେଉଁ କେତେକ ତଦ୍ବିଦ୍ ଓଡ଼ିଆ-ସାହିତ୍ୟର ଇତିହାସ ତଥା ପ୍ରାଚୀନ କାବ୍ୟ-କବିତା ଉପରେ ମନ୍ତବ୍ୟ ପ୍ରଦାନ କରିଛନ୍ତି ସେଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରି ଅନୁଧ୍ୟାନ କଲେ ଜଣାଯାଏ ଯେ ପ୍ରାୟ ବିଂଶ ଶତାବ୍ଦୀର ୨ୟ ଦଶକ ପର୍ଯ୍ୟନ୍ତ ଉପେନ୍ଦ୍ର ଭଞ୍ଜଙ୍କୁ କେହିହେଲେ କବିସମ୍ରାଟ’ ବୋଲି ଉଲ୍ଲେଖ କରି ନାହାନ୍ତି । ୧୮୨୨ ଖ୍ରୀଷ୍ଟାବ୍ଦରେ #ଷ୍ଟର୍ଲିଙ୍ଗଙ୍କ ଠାରୁ ଆରମ୍ଭ କରି ୧୮୯୯ ଖ୍ରୀଷ୍ଟାବ୍ଦର ଜାନୁୟାରୀ ମାସରେ Reverend J. Long ମଧ୍ୟ ଓଡ଼ିଆ ଭାଷାରେ ପୂର୍ବରୁ ରହିଥିବା କାବ୍ୟକବିତା ସମ୍ପର୍କରେ ଯେପରି ସୂକ୍ଷ୍ମ ଗବେଷଣାତ୍ମକ ମତ ଦେଇଛନ୍ତି ସେସବୁରେ କବି ଉପେନ୍ଦ୍ର ଭଞ୍ଜ ‘କବିସମ୍ରାଟ’ ଥିବାର କୌଣସି ସୂଚନା ମିଳେନାହିଁ । ୧୮୭୨ ଖ୍ରୀଷ୍ଟାବ୍ଦରେ ସର୍ବପ୍ରଥମେ ଐତିହାସିକ #ହଣ୍ଟର ଭଞ୍ଜକବିଙ୍କର ଏକ ଗ୍ରନ୍ଥ ତାଲିକା ପ୍ରସ୍ତୁତ କରିଛନ୍ତି, ମାତ୍ର ସେଥିରେ ସେ କବି ଉପେନ୍ଦ୍ର ଭଞ୍ଜଙ୍କୁ ‘କବିସମ୍ରାଟ’ ଉପେନ୍ଦ୍ର ଭଞ୍ଜ ଲେଖିଥିବା ଦେଖାଯାଏ ନାହିଁ । ୧୯୧୪ ଖ୍ରୀଷ୍ଟାବ୍ଦରେ ରଚିତ ଏବଂ ୧୯୧୬ ରେ ପ୍ରକାଶିତ ଐତିହାସିକ ତାରିଣୀ ଚରଣ ରଥଙ୍କ ‘ଉତ୍କଳ ସାହିତ୍ୟର ଇତିହାସ’ ଗ୍ରନ୍ଥର ଏକ ଅଧ୍ୟାୟର ନାମ “ଉପେନ୍ଦ୍ର ଭଞ୍ଜ ବୀରବର” ଦେଇ ଉପେନ୍ଦ୍ର-ସାହିତ୍ୟ ସମ୍ପର୍କରେ ତଥା ତାଙ୍କର ‘ବୀରବର’ ପଦବୀ ବିଷୟରେ ସମ୍ୟକ ସୂଚନା ଦେଇଛନ୍ତି । ମାତ୍ର ସମଗ୍ର ଆଲୋଚନା ମଧ୍ୟରେ କୁତ୍ରାପି ‘କବିସମ୍ରାଟ’ ଉପାଧି ବ୍ୟବହାର କରି ନ ଥିବା ଦେଖାଯାଏ ।
୧୮୯୨-ଠାରୁ ୧୮୯୪ ଖ୍ରୀଷ୍ଟାବ୍ଦ ମଧ୍ୟରେ ଭଞ୍ଜସାହିତ୍ୟ ଓ ରାଧାନାଥ ସାହିତ୍ୟକୁ ନେଇ ଓଡ଼ିଶାର ସାହିତ୍ୟାକାଶରେ ଏକ ପ୍ରବଳ ଘୁର୍ଣ୍ଣିବାତ୍ୟା ପ୍ରବାହିତ ହୋଇଥିଲା । ଓଡ଼ିଆ ସାହିତ୍ୟର ପଣ୍ଡିତଗଣ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ ହୋଇଥିଲେ । ଗୋଟିଏ ଗୋଷ୍ଠୀ ଭଞ୍ଜକବିଙ୍କୁ ସର୍ବଶ୍ରେଷ୍ଠ ତଥା ଅସାଧାରଣ କବି ରୂପେ ପ୍ରତିପାଦିତ କରିବାକୁ ଚେଷ୍ଟା କରିବା ସଙ୍ଗେ ସଙ୍ଗେ #ଇନ୍ଦ୍ରଧନୁ ନାମକ ଏକ ପତ୍ରିକା ପ୍ରକାଶ କରି ତାହାରି ମାଧ୍ୟମରେ ଉପେନ୍ଦ୍ର-ସାହିତ୍ୟର ବୈଶିଷ୍ଟ୍ୟ ଆଲୋଚନା କରିବାକୁ ଲାଗିଲେ । ତେଣେ ଅପର ଗୋଷ୍ଠୀ ତତ୍କାଳୀନ #କବିବର ରାଧାନାଥ ରାୟଙ୍କୁ ନବଯୁଗର ବାର୍ତ୍ତାବହ ତଥା ପ୍ରତିଷ୍ଠାତା କହି ସମଗ୍ର ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ କବି ରୂପେ ପ୍ରମାଣିତ କରିବାପାଇଁ #ବିଜୁଳି ନାମକ ଏକ ପତ୍ରିକା ପ୍ରକାଶ କଲେ । କ୍ରମଶଃ ଉଭୟଗୋଷ୍ଠୀ ପତ୍ରିକା ମାଧ୍ୟମରେ ସାହିତ୍ୟ ଆଲୋଚନା କରୁ କରୁ ପରିଶେଷରେ ସ୍ବାର୍ଥକୈନ୍ଦ୍ରିକ ହୋଇ ‘ଅ-ସାହିତ୍ୟ’ ସୃଷ୍ଟି କରିବାକୁ ଲାଗିଲେ । ସାହିତ୍ୟ-ସାଗର ମନ୍ଥନରୁ ହଳାହଳ ବିଷର ଉତ୍ପନ୍ନ ହେବାକୁ ଲାଗିଲା । ‘ବିଜୁଳି’ ପତ୍ରିକାରେ ଉପେନ୍ଦ୍ରଭଞ୍ଜଙ୍କୁ ବହୁ କଟୁ ସମାଲୋଚନା କରାଯିବା ସଙ୍ଗେ ସଙ୍ଗେ ‘ଇନ୍ଦ୍ରଧନୁ’ର ଲେଖକ ଗୋଷ୍ଠୀ ରାଧାନାଥଙ୍କୁ ବ୍ୟଙ୍ଗବିଦୂପ କରି ଉପେନ୍ଦ୍ର ହିଁ ‘ଓଡ଼ିଆ ସାହିତ୍ୟାକାଶରେ ଏକମାତ୍ର ଧ୍ରୁବତାରା’ ରୂପେ ପ୍ରମାଣ କରିବାକୁ ଚେଷ୍ଟା କରୁଥିଲେ । ଯଦି ଏହି ସଂଘର୍ଷ ସମୟକୁ ଉପେନ୍ଦ୍ରଭଞ୍ଜ ‘କବିସମ୍ରାଟ’ ବୋଲି ପରିଚିତ ହୋଇଥାନ୍ତେ, ତେବେ ଇନ୍ଦ୍ରଧନୁର ସ୍ତାବକଗଣ ତାହା ନିଶ୍ଚିତ ଭାବେ ଉଲ୍ଲେଖ କରିଥାନ୍ତେ ଓ ଏହି ‘ପଦବୀ’ ଦ୍ବାରା ଭଞ୍ଜକବିଙ୍କୁ ସେମାନେ ରାଧାନାଥଙ୍କ ଠାରୁ ସର୍ବଶ୍ରେଷ୍ଠ ବୋଲି ଅକୁଣ୍ଠ ଚିତ୍ତରେ ପ୍ରମାଣ କରିଥାନ୍ତେ । ମାତ୍ର ଦୁଃଖର କଥା ଯେ ଯେହେତୁ ଏହି ସମୟ ବେଳକୁ ଓଡ଼ିଶାର ଜନସମାଜ ଉପେନ୍ଦ୍ରଙ୍କୁ ‘କବିସମ୍ରାଟ’ ରୂପେ ଗ୍ରହଣ କରି ନ ଥିଲେ, ତେଣୁ ମନେହୁଏ ଯେ ଭଞ୍ଜୟ ଆଲୋଚକଗଣ କବିଙ୍କୁ ‘ଭଞ୍ଜକବି’ ବୋଲି ହିଁ ଗ୍ରହଣ କରିଛନ୍ତି । ପୁନଃ ଇନ୍ଦ୍ରଧନୁ-ବିଜୁଳି_ସାହିତ୍ୟଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ‘ଭୀମାଭୂୟାଁ’ର ସ୍ରଷ୍ଟା ତଥା ଭଞ୍ଜଗୁଣଗ୍ରାହୀ ସାହିତ୍ୟିକ #ଗୋପାଳବଲ୍ଲଭ_ଦାସ କବିକୁଳକଞ୍ଜ ଉପେନ୍ଦ୍ରଙ୍କ ପ୍ରତି ଯେଉଁ ଶ୍ରଦ୍ଧାସୁମନ ଅର୍ପଣ ସହିତ ସମସ୍ତ ଭଞ୍ଜବିରୋଧୀ ପଣ୍ଡିତଙ୍କ ଜ୍ଞାନଚକ୍ଷୁ ଖୋଲିଦେବା ଲକ୍ଷ୍ୟରେ ଲେଖିଥିଲେ, “ଭଞ୍ଜକୁଳ କଞ୍ଜ ଉପେନ୍ଦ୍ର ବୀରବର
ଧନ୍ୟ ଧନ୍ୟ ନୀଳକଣ୍ଠ ନୃପତି ନନ୍ଦନ
ଆବାଳ-ବନିତା-ବୃଦ୍ଧ ହୃଦୟ ଚନ୍ଦନ
ଋତୁପତି ସହଚର ମତ୍ତ ପିକବର ।।
ପୂର୍ଣ୍ଣ ଶଶଧର କିବା ମଳୟ ପବନ
ପରି, ସୁଧାଜିଣା ତବ ସଙ୍ଗୀତ ଲହରୀ
ତରଙ୍ଗେ ତରଙ୍ଗେ ଦିଗ ବିଦିଗେ ପ୍ରସରି
ପ୍ରାସାଦେ କୁଟୀରେ କରେ ଚିତ୍ତବିନୋଦନ।।
ଦେଖେ ଯେବେ ପଥେ ଘାଟେ ମଳିନ ବସନ
ପିନ୍ଧି ଦୀନହୀନ ତବ ମଧୁର ସଙ୍ଗୀତ
ଗାଇ ସର୍ବ ଦୁଃଖ ଭୁଲି ପ୍ରଫୁଲ୍ଲ ବଦନ
ତବ ଗୁଣ ଭାବି ହୁଏ ଚକିତ, ବିସ୍ମିତ ।।
(ଇନ୍ଦ୍ରଧନୁ, ୧୮୯୫ ତୃତୀୟ ଭାଗ, ୧ମ ସଂଖ୍ୟା)
ତେବେ ଭଞ୍ଜଙ୍କ ପ୍ରତି ଏପରି ପ୍ରଶଂସମୁଖରିତ ଗୋପାଳବଲ୍ଲଭ କେଉଁଠି ହେଲେ ମଧ୍ୟ କବିସମ୍ରାଟ ଉପାଧିର ପ୍ରୟୋଗ କରିନାହାଁନ୍ତି ।
~ ବଙ୍ଗଳା ଗବେଷକଙ୍କ ଦୃଷ୍ଟିରେ କବି ଉପେନ୍ଦ୍ର ~
୧୮୯୭-୧୮୯୮ ଖ୍ରୀଷ୍ଟାବ୍ଦରେ ଶ୍ରୀଯୁକ୍ତ ମନମୋହନ ଚକ୍ରବର୍ତ୍ତୀ ‘Language and Literature of Orissa’ ପ୍ରବନ୍ଧରେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରସଙ୍ଗରେ ଉପେନ୍ଦ୍ର ସାହିତ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି, ମାତ୍ର ଉକ୍ତ ‘ପଦବୀ’ର ପ୍ରୟୋଗ କବିଙ୍କ ପାଇଁ କରିନାହାନ୍ତି ।
୧୯୨୩ ଖ୍ରୀଷ୍ଟାବ୍ଦରେ ବଙ୍ଗୀୟ ସମାଲୋଚକ ଶ୍ରୀ ବିଜୟଚନ୍ଦ୍ର ମଜୁମଦାର ‘Upendra Bhanj and his Time’ ଶୀର୍ଷକ ଆଲୋଚନା ପ୍ରସଙ୍ଗରେ ଭଞ୍ଜକବିଙ୍କର ସମୟ, ଶିକ୍ଷା ଓ ପାଣ୍ଡିତ୍ୟ ଆଦି ସମସ୍ତ ବିଷୟକୁ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରି ଉପେନ୍ଦ୍ରଙ୍କୁ ପ୍ରାଚୀନ ଓଡ଼ିଆ-ସାହିତ୍ୟର ସର୍ବଶ୍ରେଷ୍ଠ କବି ରୂପେ ସ୍ଵୀକାର କରି “Upendra Bhanj, who is regarded as the greatest Poet of the old time” ବୋଲି ଉଲ୍ଲେଖ କରିଛନ୍ତି । କେବଳ ସେତିକି ନୁହେଁ ସେ ଉପେନ୍ଦ୍ରଭଞ୍ଜଙ୍କୁ Mighty Literary Acrobat ବୋଲି କହିଛନ୍ତି, ମାତ୍ର ଉପେନ୍ଦ୍ର ଓଡ଼ିଆ ସାହିତ୍ୟର କବିସମ୍ରାଟ ରୂପେ ସ୍ବୀକୃତ ବୋଲି କୌଣସି ସ୍ଥାନରେ ଉଲ୍ଲେଖ କରିନାହାଁନ୍ତି । ଯଦି ଶ୍ରୀ ମଜୁମଦାର ଲୋକମୁଖରୁ ତାହା ଶୁଣିଥାନ୍ତେ କିମ୍ବା ସମାଲୋଚନା ଜଗତରୁ ଜାଣି ପାରିଥାନ୍ତେ ତେବେ ସେ ନିଶ୍ଚିତ ଭାବେ ତାଙ୍କର ସୁବିସ୍ତୃତ ଆଲୋଚନା ମଧ୍ୟରେ ଅନ୍ତତଃ ଥରେ ହେଲେ ‘କବିସମ୍ରାଟ’ ପଦବୀର ପ୍ରୟୋଗ କରିଥାନ୍ତେ ।
~ ମଧୁବାବୁଙ୍କ ଚେତନାରେ ଭଞ୍ଜକବି ~
ଜାତୀୟଗୌରବ ତଥା ଉତ୍କଳସୂର୍ଯ୍ୟ ମଧୁସୂଦନ ଦାସଙ୍କ ୧୯୦୩ ଖ୍ରୀଷ୍ଟାବ୍ଦରେ ରଚିତ ‘ଓଡ଼ିଆ ଭାଷା ଓ ପ୍ରାଚୀନ ଓଡ଼ିଆ ସାହିତ୍ୟ’ ପ୍ରବନ୍ଧରେ ଭଞ୍ଜକବିଙ୍କ ରଚନା ଓ ଭଞ୍ଜସାହିତ୍ୟ ସମ୍ପର୍କରେ ଯେଉଁ ଆଲୋଚନା କରିଛନ୍ତି ସେଥ୍ରେ ମଧ୍ୟ ‘କବିସମ୍ରାଟ’ ପଦବୀର ଉଲ୍ଲେଖ ନାହିଁ । ୧୯୦୩ରେ ଉତ୍କଳ ସମ୍ମିଳନୀର କଟକ ଅଧିବେଶନ ହେଉ କି ୧୯୧୨ରେ ବ୍ରହ୍ମପୁର ଅଧିବେଶନ ହେଉ ସବୁଠି ଓଡ଼ିଆ ଙ୍କୁ ଉଦବୋଧନରେ ମଧୁବାବୁ ସର୍ବାଗ୍ରେ ସଶ୍ରଦ୍ଧେ ଉଚ୍ଚାରଣ କରନ୍ତି ଭଞ୍ଜଙ୍କ ନାମ ! ଉପେନ୍ଦ୍ରଙ୍କୁ ଓଡ଼ିଆ ସାହିତ୍ୟର ଅଲିଭା ପ୍ରଦୀପ, #ଓଡ଼ିଆ_ଜାତିର_ପରିଚୟ, #ଓଡ଼ିଆ_ଜାତିର_ଜାତୀୟନିଧି ବୋଲି ସମ୍ବୋଧନ କରିଥିଲେ ମଧ୍ୟ କେଉଁଠି କବିସମ୍ରାଟ ଭାବେ ପରିଚୟ ଦେଇନାହାଁନ୍ତି ମଧୁବାବୁ ! ଶ୍ରୀ #ଜଗବନ୍ଧୁ_ସିଂହଙ୍କ ‘ପ୍ରାଚୀନ ଉତ୍କଳ’ ୧୯୨୯ ଖ୍ରୀଷ୍ଟାବ୍ଦରେ ପ୍ରକାଶ ପାଇଥିଲେ ମଧ୍ୟ ଏଥର ବିଷୟଗୁଡ଼ିକ ପ୍ରବନ୍ଧାକାରରେ ଏହି ସମୟର ୧୨/୧୩ ବର୍ଷ ପୂର୍ବେ ଅର୍ଥାତ ୧୯୧୬/୧୯୧୭ ‘ମୁକୁର’ରେ ଧାରାବାହିକ ଭାବେ ଆତ୍ମପ୍ରକାଶ କରିଥିଲା ବୋଲି ଲେଖକ ଗ୍ରନ୍ଥର ଭୂମିକାରେ ସୂଚାଇଛନ୍ତି । ସେହି ସମୟରେ ଉପେନ୍ଦ୍ର-ସାହିତ୍ୟ ସମ୍ପର୍କରେ ଆଲୋଚନା ପ୍ରସଙ୍ଗରେ ପ୍ରାବନ୍ଧିକ ସିଂହ ‘କବିଚନ୍ଦ୍ର ଉପଇନ୍ଦ୍ର ଭଞ୍ଜ ଓ ଭଞ୍ଜ ମହାଶୟ’ ବୋଲି ଉଲ୍ଲେଖ କରିଥିଲେ ମଧ୍ୟ ଗ୍ରନ୍ଥଟିର ୧ମ ଓ ଦ୍ୱିତୀୟ ସଂସ୍କରଣରେ ‘କବିସମ୍ରାଟ’ ପଦବୀର ଉଲ୍ଲେଖ ଥିବା ଦେଖାଯାଏ । ମନୀଷୀ ପଣ୍ଡିତ ନୀଳକଣ୍ଠ ଦାସ “ସତ୍ୟବାଦୀ” ମାସିକ ପତ୍ରିକାରେ ଧାରାବାହିକଭାବେ ଭଞ୍ଜକବିଙ୍କ ‘ଲାବଣ୍ୟବତୀ’ କାବ୍ୟ ସଂପର୍କରେ ପାଣ୍ଡିତ୍ୟପୂର୍ଣ୍ଣ ଆଲୋଚନା ପ୍ରକାଶ କରୁଥିଲେ । ଭକ୍ତ ସୁବିସ୍ତୃତ ପ୍ରବନ୍ଧରେ ପଣ୍ଡିତ ନୀଳକଣ୍ଠ “ପ୍ରାଚୀନ ଓଡ଼ିଆ କବିଙ୍କ ମଧ୍ୟରେ ଭଞ୍ଜ ଶ୍ରେଷ୍ଠ” ବୋଲି ପ୍ରତିପାଦିତ କରିଥିଲେ ମଧ୍ୟ ଉପେନ୍ଦ୍ର ଭଞ୍ଜ ‘କବିସମ୍ରାଟ’ ବୋଲି କୌଣସି ସ୍ଥାନରେ ଉଲ୍ଲେଖ କରିଥିବା ପରିଲକ୍ଷିତ ହୁଏ ନାହିଁ । ଯଦି ସେତେବେଳକୁ ଉପେନ୍ଦ୍ର ଭଞ୍ଜ ଜନସମାଜରେ କିମ୍ବା ଶିକ୍ଷିତ ସମାଜରେ କିମ୍ବା ସାହିତ୍ୟ ଜଗତରେ ‘କବିସମ୍ରାଟ’ ରୂପେ ପରିଚିତ ହୋଇଥାନ୍ତି, ତେବେ ପଣ୍ଡିତ ନୀଳକଣ୍ଠ ନିଶ୍ଚିତ ଭାବେ ତାଙ୍କର ପ୍ରବନ୍ଧରେ ସେହି ପଦବୀ ସମ୍ପର୍କରେ ସୂଚନା ଦେଇଥାନ୍ତେ ଅଥବା ‘ପଦବୀ’ର ପ୍ରୟୋଗ କରିଥାନ୍ତେ ।
~ କଟକ ଓ କବିସମ୍ରାଟ ପଦବୀ ~
ତେବେ ପଣ୍ଡିତ ଶ୍ରୀ ବିନାୟକ ମିଶ୍ର ତାଙ୍କର ‘ଓଡ଼ିଆ-ସାହିତ୍ୟର ଇତିହାସ’ ଗ୍ରନ୍ଥରେ ସ୍ପଷ୍ଟଭାବେ ‘କବିସମ୍ରାଟ’ ପଦବୀ ଉଲ୍ଲେଖ କରିଥିବା ଦେଖାଯାଏ । ପଣ୍ଡିତ ମିଶ୍ର ଉପେନ୍ଦ୍ର ଭଞ୍ଜଙ୍କ ସମ୍ପର୍କରେ ଆଲୋଚନା କରିବା ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି-‘ଉତ୍କଳର ଏହି କବିସମ୍ରାଟ’ ନିଜ ରଚିତ ‘ରସପଞ୍ଚକ’ ଇତ୍ୟାଦି । ଏହାର ପରେ ୧୯୨୯ରେ ପ୍ରକାଶିତ ଜଗବନ୍ଧୁ ସିଂହଙ୍କ ‘ପ୍ରାଚୀନ ଉତ୍କଳ’ରେ ଏହି ପଦବୀର ଉଲ୍ଲେଖ ଥିବା ପୂର୍ବରୁ ଉଲ୍ଲେଖ କରାଯାଇଛି ।୧୯୨୮ ଖ୍ରୀଷ୍ଟାବ୍ଦ ବେଳକୁ ଭାବାତିଶଯ୍ୟ କାରଣରୁ ଉପେନ୍ଦ୍ର ଭଞ୍ଜଙ୍କୁ କବିସମ୍ରାଟ ବୋଲି ଉଲ୍ଲେଖ କରିଥିବା ଦେଖାଯାଏ ।
କିନ୍ତୁ ପ୍ରକୃତରେ ଏହି ପଦବୀର ବହୁଳ ପ୍ରଚାର ଘଟେ ୧୯୪୪ ପରେ ପରେ । ୧୯୨୮ ବେଳକୁ ଓଡ଼ିଆଜାତି ଉପେନ୍ଦ୍ର ଭଞ୍ଜଙ୍କୁ ‘କବିସମ୍ରାଟ’ କହିବା ପାଇଁ ଆଗେଇ ଆସିଥିଲା ! ଯାହାର ପୃଷ୍ଠଭୂମିରେ ରହିଥିଲା ପଡ଼ୋଶୀ ରାଜ୍ୟର ଜନୈକ କବିଙ୍କୁ ପ୍ରଦତ୍ତ ‘ବିଶ୍ବକବି’ ପଦବୀ । ୧୯୧୩ ଖ୍ରୀଷ୍ଟାବ୍ଦରେ ଉକ୍ତ କବିଙ୍କ ଲେଖାଟି ବିଶ୍ବସାହିତ୍ୟ ଦରବାରରେ ଉଚ୍ଚ ପ୍ରଶଂସିତ ହୁଏ ଓ ସେଥିପାଇଁ ସେ ନୋବଲ ପୁରସ୍କାର ଲାଭ କରନ୍ତି । ଏହି ଗୌରବ ଭାରତର ସମସ୍ତ ପ୍ରାନ୍ତୀୟ ସାହିତ୍ୟିକ ତଥା ପଣ୍ଡିତଙ୍କ ମନରେ ନିଜ ନିଜର ସାହିତ୍ୟର ଉନ୍ନତି ପାଇଁ ଏକ ପ୍ରକାର ଜାଗରଣ ସୃଷ୍ଟି କରେ । ପ୍ରତ୍ୟେକ ନିଜ ନିଜର ପ୍ରାଚୀନ କାବ୍ୟକବିତାଗୁଡ଼ିକୁ ଇଂରାଜୀ ଭାଷାରେ ଅନୁବାଦ କରି ବିଶ୍ବଦରବାରରେ ଉପସ୍ଥାପିତ କରିବାକୁ ଚେଷ୍ଟା କରନ୍ତି ।
ଏହି ଭାବପ୍ରବାହର ବଶବର୍ତ୍ତୀ ହୋଇ ଓଡ଼ିଆ ସାହିତ୍ୟର ସତୀର୍ଥ #କଟକ ମାଟିରେ କେତେଜଣ ଓଡ଼ିଆପ୍ରେମୀ ଯୁବକ ଉପେନ୍ଦ୍ର ଭଞ୍ଜଙ୍କୁ ଓଡ଼ିଆ ସାହିତ୍ୟର ସର୍ବଶ୍ରେଷ୍ଠ କବି କହି ତାଙ୍କର କାବ୍ୟ-କବିତାକୁ ଇଂରେଜୀ ଭାଷାରେ ଅନୁବାଦ କରି ବିଶ୍ବଦରବାରରେ ଉପସ୍ଥାତିତ କରିବାକୁ ଚେଷ୍ଟାକଲେ ! କଟକରେ ଯେତେବେଳେ ମହାସମାରୋହରେ ସେଇ ପଡ଼ୋଶୀ ରାଜ୍ୟର କବିଙ୍କ ଜୟନ୍ତୀ ପାଳନ ହେଉଥାଏ, ସେତେବେଳେ ସେଇ ଯୁବକମାନଙ୍କ ଉଦବେଳିତ ମାନସପଟରେ ଖେଳୁଥାଏ କଥାଟିଏ – “ଆମ ମାଟିର କବି ଉପେନ୍ଦ୍ର ଭଞ୍ଜଙ୍କୁ କିଏ ଅବା ସରି ହେବ ? ସେ ଯେ ବାସ୍ତବରେ କେବଳ ଓଡ଼ିଆ ନୁହେଁ ସମଗ୍ର ଭାରତୀୟ ଭାଷାର ଶ୍ରେଷ୍ଠତମ କବି” ! ମନେ ମନେ ନିଜର ମାତୃଭାଷାର ଶ୍ରେଷ୍ଠକବି ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ପାଳନ କରିବାକୁ ଉଦ୍ୟତ ହୁଅନ୍ତି ସେଇ ନବ୍ୟସଭ୍ୟ ଯୁବକଗଣ ! ୧୯୪୪ ମସିହା ମଇ ମାସ ୧୬ ତାରିଖ । ଶ୍ରୀ #ବିଚ୍ଛନ୍ଦଚରଣ_ପଟ୍ଟନାୟକ ସର୍ବପ୍ରଥମେ #କଳିଙ୍ଗ ଭାରତୀ ର ପ୍ରତିଷ୍ଠା ହୁଏ ଏବଂ ସେହିଦିନ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ପାଳନ କରା ଯାଇଥିଲା । ସେତେବେଳେ ‘କଳିଙ୍ଗ ଭାରତୀ’ର ପୁରୋଧାଗଣଙ୍କ ଯୁକ୍ତିଥିଲା ଯେ, ଅନ୍ୟ ଭାରତୀୟ ଭାଷାର କବି ଜଣେ ଯଦି ‘ବିଶ୍ବକବି’ ବୋଲାଇ ପାରିଲେ, ତେବେ ଉପେନ୍ଦ୍ର ଭଞ୍ଜ ତାଙ୍କର ବିପୁଳ ସୃଷ୍ଟି ତଥା ଅସାଧାରଣ ପାଣ୍ଡିତ୍ଵପୂର୍ଣ୍ଣ ରଚନା ପାଇଁ କାହିଁକି ‘କବିସମ୍ରାଟ ହୋଇ ନ ପାରିବେ ? ଉକ୍ତ ଯୁକ୍ତିକୁ ନେଇ ୧୯୪୪ ମସିହା ଠାରୁ ବିଚ୍ଛନ୍ଦଚରଣଙ୍କ ନେତୃତ୍ବରେ ‘କଳିଙ୍ଗ ଭାରତୀ’ର କର୍ମକର୍ତ୍ତାଗଣ ଓଡ଼ିଶାର ପୁରପଲ୍ଲୀରେ ଭଞ୍ଜକବିଙ୍କୁ ‘କବିସମ୍ରାଟ’ ରୂପେ ପ୍ରଚାର କରିବା ପାଇଁ ଆପ୍ରାଣ ଉଦ୍ୟମ ଆରମ୍ଭ କରି ପରିଶେଷରେ କୃତକାର୍ଯ୍ୟ ହୋଇ ପାରିଲେ ! ଉପରୋକ୍ତ ପରିପ୍ରେକ୍ଷୀରୁ ସ୍ପଷ୍ଟ ଅନୁମେୟ ଯେ, ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକ ପର୍ଯ୍ୟନ୍ତ ଉପେନ୍ଦ୍ର ଭଞ୍ଜଙ୍କୁ “କବି ଉପଇନ୍ଦ୍ର ବା ବୀରବର ଉପଇନ୍ଦ୍ର” ବୋଲି ସମସ୍ତେ ଜାଣିଥିଲେ । ମାତ୍ର ୧୯୨୮ ପରେ ପରେ ବିଶେଷତଃ ୧୯୪୪ ଖ୍ରୀଷ୍ଟାବ୍ଦ ପରେ ଉପେନ୍ଦ୍ର ଭଞ୍ଜଙ୍କୁ ‘କବିସମ୍ରାଟ’ ପଦବୀରେ ଭୂଷିତ କରି ଦିଆଯାଇ ତଥାକଥିତ ବିଶ୍ୱକବିଙ୍କ ଠାରୁ ମଧ୍ୟ ବଡ଼ କରି ଦିଆଗଲା । ସୁତରାଂ ମତବ୍ୟକ୍ତ କରାଯାଇପାରେ ଯେ ଉପେନ୍ଦ୍ର ତାଙ୍କ ଜୀବଦ୍ଦଶାରେ କୌଣସି ରାଜଦରବାରରୁ ଉକ୍ତ ପଦବୀ ଲାଭ ନ କରି ମୃତ୍ୟୁର ୨୫୦ ବର୍ଷ ପରେ କଟକର ଭାବସିକ୍ତ ଜନତାଙ୍କ ଦରବାରରୁ ଅର୍ଥାତ୍ ‘କଳିଙ୍ଗ ଭାରତୀ’ ଅନୁଷ୍ଠାନ ପକ୍ଷରୁ ଉକ୍ତ ପଦବୀ ପ୍ରାପ୍ତ ହୋଇଥିଲେ ।
ଭଞ୍ଜଙ୍କ ଅନବଦ୍ୟ ସୃଷ୍ଟି ପ୍ରତି କଟକର ଜନତାଙ୍କ ଆବେଗ ଏତିକିରେ ସୀମିତ ନ ଥିଲା ! ମସ୍ତରାମ ମଠ ନିକଟରେ ଏକଦା ଥିଲା #ଗୁମୁସର_ମଠ ନାମରେ ଏକ ଭବ୍ୟ ଦିବ୍ୟ ମଠ ! ସହରର ସାହିତ୍ୟପ୍ରେମୀଙ୍କ ନିକଟରେ ଭଞ୍ଜଙ୍କ କୃତିସବୁକୁ ପରିବ୍ୟାପ୍ତ କରିବା ପାଇଁ ସତତ ଚେଷ୍ଟିତ ଥିଲା ଏଇ ମଠ ! ପଚାଶ ଦଶକ ଶେଷ ପର୍ଯ୍ୟନ୍ତ ମଠରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସାନ୍ଧ୍ୟ ଆଳତି ପରେ ଗାନ ହେଉଥିଲା ଦିବ୍ୟ ଭଞ୍ଜସଙ୍ଗୀତ ! ଭାଗବତ ଗାଦିର ସହର କଟକ ମାଟିରେ ଗୁମୁସର ମଠର ସେଇ ଭଞ୍ଜସଙ୍ଗୀତର ଦିବ୍ୟ ଆସର କଟକିଆଙ୍କର କବିସମ୍ରାଟଙ୍କ ପ୍ରତି ଥିଲା ନିଆରା ଭକ୍ତିଅର୍ଘ୍ୟ ! ଆଧାର: ୧. ‘ସଙ୍ଗୀତ ସମ୍ରାଟ ଉପେନ୍ଦ୍ର ଭଞ୍ଜ (ପ୍ରବନ୍ଧ) ଲେଖକ-କାଳୀଚରଣ ପଟ୍ଟନାୟକ, ପୃ-୯୩, ପ୍ରକାଶକ ଭଞ୍ଜଜୟନ୍ତୀ ସମିତି, କଟକ, ୧୯୫୩;
୨. ଓଡ଼ିଆମାନଙ୍କ ସଂସ୍କୃତି ପ୍ରୀତି (ପ୍ରବନ୍ଧ) ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଝଙ୍କାର, ଊନବିଂଶ ବର୍ଷ, ନବମ ସଂଖ୍ୟା;
୩. ସାହିତ୍ୟାଦର୍ଶ, ଡ. ନଟବର ସାମନ୍ତରାୟ, ୧ମ ସଂସ୍କରଣ;
୪. ବୈଦେହୀଶ ବିଳାସ, ଜଗନ୍ନାଥ କମ୍ପାନୀ, କଟକ;
୫. ସୁଭଦ୍ରା ପରିଣୟ ଜଗନ୍ନାଥ କମ୍ପାନୀ, କଟକ;
୬. ପଞ୍ଚଶାୟକ, ଜଗନ୍ନାଥ କମ୍ପାନୀ, କଟକ;
୭. ରସ-ପଞ୍ଚକ, ଜଗନ୍ନାଥ କମ୍ପାନୀ, କଟକ;
୮. ସୁଭଦ୍ରା ପରିଣୟ, ଜଗନ୍ନାଥ କମ୍ପାନୀ, କଟକ;
୯. ରସ-ପଞ୍ଚକ, ଜଗନ୍ନାଥ କମ୍ପାନୀ, କଟକ;
୧୦. ଯମକରାଜ ଚଉତିଶା-ଜଗନ୍ନାଥ କମ୍ପାନୀ, କଟକ;
୧୧. ନରରବି-ପ୍ରବନ୍ଧ, ଅଧ୍ୟାପକ ନିତ୍ୟାନନ୍ଦ ଶତପଥୀ;
୧୨. କୋଣାର୍କ, ୩୮ତମ ସଂଖ୍ୟା