“ସହସ୍ର ବହିତ୍ର ପୁଣି ଶୁକ୍ଳ କରି ବାରିଧି ଉରସେ
ଚଳିଲା, ଦୋହଲି ମନ୍ଦେ ପବମାନ ମଧୁର ପରଶେ !
ଦମ୍ଭଭରେ, ସିନ୍ଧୁପାରେ ଖୋଜିବାକୁ ଅଜ୍ଞାତ ବିଦେଶ,
ଦେବାକୁ ଜଗତଜନେ ଜଗତର ଅଜ୍ଞାତ ସନ୍ଦେଶ
ସ୍ଥାପିବାକୁ ତୋହରି ମା’
ଯୁଗ-ଯୁଗ ବ୍ୟାପିନୀ କିରତି
ଅୟି ଭାଗ୍ୟବତୀ !”
ଦିନ ଥିଲା ! ଏ ମାଟିରେ ଜନ୍ମିଥିଲେ କେତେ #ସୌଦାଗର ସନ୍ତାନ ! କେବଳ ମସଲାରେ ଭରା ଦ୍ଵୀପପୁଞ୍ଜ ପର୍ଯ୍ୟନ୍ତ ଯାତ୍ରା କରୁଥିବା ସୌଦାଗର ନ ଥିଲେ ସେମାନେ ! ଥିଲେ ପଥଚାରୀ ବଣିକ। ସେମାନଙ୍କ ପଣ୍ୟସାମଗ୍ରୀ ବୋହି ନେଉଥିବା ଅସଂଖ୍ୟ ପଶୁଙ୍କ ପଦପାତ ଶବ୍ଦରେ ମୁଖର ହୋଇଉଠୁଥିଲା ଶ୍ୟାମ, ବ୍ରହ୍ମଦେଶ, ଚମ୍ପା, ଚୀନ, ତିବ୍ବତର ଦୁର୍ଗମ ଗିରିପଥ ! #ଜାଭା, #ସୁମାତ୍ରା, #ବାଲି ଦେଶକୁ ସେମାନେ ମେଲାଇ ଦେଉଥିଲେ #ଗୋରାପ ! ବିକ୍ଷୁବ୍ଧ ସାଗର ବକ୍ଷର ଦୁଃସାହସୀ ଓଡ଼ିଆ ବଣିଜ-କର୍ଣ୍ଣଧାର ସେମାନେ ! ସେମାନଙ୍କ ଆଖିରେ #ଲବଙ୍ଗଦ୍ଵୀପ ର ସ୍ଵପ୍ନ। ବିସ୍ତାରିତ ସମୁଦ୍ରର ଜଳସ୍ତର, ତା’ରି ଭିତରେ ଭାସିଚାଲିଥିବ ଛୋଟ ଛୋଟ ବିନ୍ଦୁ ପରି ବିରାଟ ନଉକା ! କାଇଁ କେତେ ପଛରେ ରହିଯାଇଥିବ ପରିବାର, ପ୍ରେମ, ଆବେଗ, ‘ଜୀଵନ’ ! ସୀମାହୀନ ଆକାଶ, ସୀମାହୀନ ଦରିଆ, ଭାସମାନ ମେଘମାଳା ଉପରେ ସ୍ବର୍ଗପୁରୀ, ନଉକାର ତଳେ ତଳେ କେତେ ଯେ #ଫାଦମ୍ ଫାଦମ୍ ଗଭୀର ସାଗର ! ନାବିକର କଣ୍ଠରେ ଉକୁଟି ଉଠୁଥିବ ମତୁଆଲା ସଙ୍ଗୀତର ରାଗିଣୀ ! ପ୍ରବାଳଦ୍ୱୀପର କେଉଁ ପାରିଜାତ ବନର ଶୀତଳ ଆଲୋକ ଛାୟାରେ ଶ୍ରମକ୍ଲାନ୍ତ ସୌଦାଗର ଗଢ଼ୁଥିବେ କଳା, ସଂସ୍କୃତି, ସାହିତ୍ୟ, ସ୍ଥାପତ୍ୟ ଓ ମାନବୀୟ ଧର୍ମର ଉପନିବେଶ ! ବିଦେଶ ମାଟିରେ ଗାଉଥିବେ ଓଡ଼ିଶା ମାଟିର ଗାରିମାର ଗୀତ !
ଉତ୍କଳୀୟ ନୌବାଣିଜ୍ୟର ଗାଥା ବାବଦରେ ଆଲୋଚନା କଲାବେଳେ ଆମ ମନକୁ ସ୍ୱତଃ ଆସିଯାଏ ସମୃଦ୍ଧଶାଳୀ କନିକା ରାଜ୍ୟର ଇତିହାସ ! ଦିନେ କନିକା ରାଜ୍ୟ ଥିଲା ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଏକ ପ୍ରମୁଖ ପେଣ୍ଠସ୍ଥଳୀ ! ବୈତରଣୀ ନଦୀର #ଚାନ୍ଦବାଲି ଓ #ଧାମରା ମୁହାଁଣ ଦେଇ ସାଗରବୁକୁରେ କନିକା ସମେତ ଉତ୍କଳର ବିଭିନ୍ନ ପ୍ରାନ୍ତର ସାଧବମାନେ ଦରିଆପାରି ବାଣିଜ୍ୟ କାରବାରରେ ଲିପ୍ତ ଥିଲେ । ଏକଦା କନିକା ରାଜ୍ୟର ସୀମା ବଙ୍ଗୋପସାଗର କୂଳେ କୂଳେ ତତ୍କାଳୀନ ବାଲେଶ୍ବରର ତାମ୍ରଲିପ୍ତ (ଆଧୁନିକ ତମଲୁକ୍, ଅଧୁନା ପଶ୍ଚିମବଙ୍ଗରେ ଅବସ୍ଥିତ) ବନ୍ଦରରୁ ଆରମ୍ଭ କରି ଜମ୍ବୁଦୀପ (ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ‘ଫଲ୍ସ ପଏଣ୍ଟ’ ବନ୍ଦର) ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ଏବଂ ବୈତରଣୀର ଧାମରା ମୁହାଁଣ ଅନ୍ତର୍ଗତ ୭୦୮ ବର୍ଗ କି.ମି. ବ୍ୟାପୀ ବିସ୍ତୃତ ତ୍ରିକୋଣଭୂମି ଅଞ୍ଚଳ ହିଁ ଥିଲା କନିକା ରାଜ୍ୟଶାସନର କେନ୍ଦ୍ରସ୍ଥଳ । ନବମ ଶତାବ୍ଦୀରୁ ଆରମ୍ଭ ହୋଇ ଉନ୍ନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଧାମରା ମୁହାଁଣଟି କନିକା ରାଜ୍ୟର ସାଧବ ମାନଙ୍କର ନୌବାଣିଜ୍ୟ ପରମ୍ପରାର ପେଣ୍ଠସ୍ଥଳ ଥିଲା । ଦ୍ଵାଦଶ ଶତାବ୍ଦୀରେ ଭଞ୍ଜରାଜା ଭୁଜବଳ ଭଞ୍ଜ କନିକାର ରାଜା ହେବା ପୂର୍ବରୁ ଏ ଅଞ୍ଚଳରେ ମୁଖ୍ୟତଃ ବଣିକ (ସାଧବ/ସୌଦାଗର) ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିଲେ ଏବଂ ଏହା ଏକ ବାଣିଜ୍ୟିକ କେନ୍ଦ୍ର ଭାବେ ପ୍ରତିଷ୍ଠାଲାଭ କରିଥିଲା ।
ଦ୍ଵାଦଶ ଶତାବ୍ଦୀରେ କନିକାର ପ୍ରଥମ ରାଜା ଭୁଜବଳ ଭଞ୍ଜ କନିକା ରାଜ୍ୟ ସୀମାନ୍ତ ୬ଟି ମୁକା ବା ଛ’ ମୁକା (ବଜ୍ରଗଡ଼, ଅନନ୍ତପୁର, ଜୟନଗର, ତ୍ରୈଲୋକ୍ୟପୁର, ବାଦରଜା, ବର୍ତ୍ତନୀ) ଦଖଲ କରି ନିଜ ରାଜ୍ୟରେ ମିଶାଇ ଦେଲେ । ଏହାପରେ ରାଜା ଭୁଞ୍ଜବଳ କନିକାର ସୀମାନ୍ତ ୯ଟି ଗଡ଼ ଯଥା କେରଡ଼ାଗଡ଼, ବାହାରଗଡ଼, ଭିତରଗଡ଼, ନରଣଗଡ଼, ଧୋବେଇଗଡ଼, ଚମ୍ପାଗଡ଼, ନ’ଗଡ଼, ରାଜଗଡ଼ ଓ ରିଘାଗଡ଼ ଆଦିକୁ ମିଶ୍ରଣ କରି ଏକ ବିଶାଳ କନିକା ରାଜ୍ୟ ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲେ ।
ଇତିହାସକୁ ପର୍ଯ୍ୟବେକ୍ଷଣ କଲେ ଜଣାଯାଏ, କନିକା ରାଜା ତ୍ରିବିକ୍ରମ ଭଞ୍ଜଙ୍କ ସହିତ ତତ୍କାଳୀନ ମୋଗଲ ସମ୍ରାଟ ଆକବରଙ୍କ ବନ୍ଧୁତା ଥିଲା ନିବିଡ଼ । ସେହିଭଳି କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଏବଂ ଇଂରେଜଙ୍କ ମଧ୍ୟରେ ଥିଲା ଉତ୍ତମ ସମ୍ପର୍କ । କନିକା ରାଜାଙ୍କର ମୋଗଲ ଏବଂ ଇଂରେଜଙ୍କ ଭଳି ବିଦେଶୀ ଜାତି ସହିତ ଥିବା ଉତ୍ତମ ସମ୍ପର୍କ ପରୋକ୍ଷରେ କନିକା ରାଜ୍ୟର ବିକାଶ ପାଇଁ ସହାୟକ ହୋଇପାରିଥିଲା । କହିବା ବାହୁଲ୍ୟ, ଅତୀତରେ କନିକା ରାଜ୍ୟର ସାଧବମାନେ ଦୂର ବିଦେଶରେ ବାଣିଜ୍ୟ ବ୍ୟବସାୟ କରି ନିଜ ରାଜ୍ୟର ରାଜକୋଷକୁ ଅଧିକ ସମୃଦ୍ଧ କରିପାରିଥିଲେ । ଏକଦା କନିକା ଥିଲା ଓଡ଼ିଶା ଭୂଖଣ୍ଡର ସର୍ବବୃହତ ରାଜସ୍ୱ ପ୍ରଦାନକାରୀ ଗଡ଼ଜାତ !
ଅଷ୍ଟମ-ନବମ ଶତାବ୍ଦୀରୁ ଭନ୍ନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ କନିକା ଅଞ୍ଚଳରେ ବୋଇତ ବା ପାଲଟଣା ଜାହାଜ ଦ୍ବାରା ବାଣିଜ୍ୟ କାରବାର ସହିତ ଜନପଥରେ ଯାତ୍ରୀ ପରିବହନ ହେଉଥିଲା । ବୈତରଣୀ ନଦୀର ଚାନ୍ଦବାଲି ଓ ଧାମରା ବନ୍ଦର ତତ୍କାଳୀନ କନିକା କାହିଁକି ସମଗ୍ର ଉପକୂଳ ଓଡ଼ିଶାବାସୀଙ୍କ ପ୍ରଧାନ ଯାତାୟତ ପଥ ଥିଲା । ଏମିତିକି ୧୮୧୩ ମସିହା ବେଳକୁ ମଧ୍ୟ କନିକାର ସାଧବମାନେ ବୋଇତ ମାଧ୍ୟମରେ ବିଦେଶକୁ ଯଥେଷ୍ଟ ପରିମଣରେ ଚାଉଳ ରପ୍ତାନୀ କରୁଥିଲେ । ଅତୀତରେ ଜଳଯାତ୍ରାରେ ପ୍ରବୀଣ ଓଡ୍ର ବଣିକମାନେ ବିଦେଶୀମାନଙ୍କୁ ରୋକିବା ନିମନ୍ତେ ସମୁଦ୍ରପଥକୁ ଅବରୋଧ କରି ରଖୁଥିଲେ । ଓଡ୍ରମାନେ ଓଡ଼ିଶାର ସମୁଦ୍ର ଉପକୂଳରୁ ଗୋଲାର, ମରିଚପୁର, ହରିଶପୁର, ବିଶୁନପୁର, କୁଜଙ୍ଗ, ପାରାଦେଇପୁର (ପାରାଦୀପ), କନିକା (ଧାମରା ମୁହାଁଣ), ଆଳି ପ୍ରମୁଖ ୮ଟି ରାଜ୍ୟରେ ଥିବା ସମୁଦ୍ର ମୁହାଁଣରେ ବିଦେଶୀମାନଙ୍କୁ ଦେଶ ମଧ୍ୟକୁ ପ୍ରବେଶ କରାଇ ଦେଉନଥିଲେ । କନିକା ରାଜାଙ୍କ ଦ୍ଵାରା ଧାମରା ମୁହାଁଣରେ ସଶସ୍ତ୍ର ଜଳଦସ୍ୟୁ ଓ ନୌ-ସୈନ୍ୟବାହିନୀ ନିୟୋଜିତ କରାଯାଇଥିଲା । ଇଂରେଜମାନେ ୧୮୦୩ ମସିହାରେ ଖୋର୍ଦ୍ଧାଗଡ଼ ଅକ୍ତିଆର କଲେ । ମାତ୍ର, କନିକା ଓ କୁଜଙ୍ଗ ରାଜ୍ୟ ଇଂରେଜଙ୍କ ପ୍ରଭୁତ୍ବ ସ୍ବୀକାର କରି ନଥିଲେ । ଏହା ଫଳରେ ଇଂରେଜମାନେ କନିକା ଉପରେ ଆକ୍ରମଣ କରିଥିଲେ । ଇଂରେଜ ସୈନ୍ୟ ପ୍ରଥମେ ଧାମରା ମୁହାଁଣ ଦେଇ କନିକା ରାଜ୍ୟକୁ ପଶିଥିଲେ । ୧୮୦୫ ମସିହାରେ ଇଂରେଜ ଶାସକ କର୍ଣ୍ଣେଲ୍ ହାର୍କୋଟ୍ କନିକା-କୁଜଙ୍ଗ ବିଦ୍ରୋହକୁ ଦମନ କରିବା ପାଇଁ ଧାମରା ବନ୍ଦରରୁ ଏକ ସୈନ୍ୟଦଳ ସହ ବୈତରଣୀ ନଦୀ ଦେଇ ପ୍ରଥମେ କନିକାରେ ଏବଂ ଧାମରାରୁ ବ୍ରାହ୍ମଣୀ ନଦୀ ଦେଇ ପଟ୍ଟାମୁଣ୍ଡାଇ ଆସିବା ପରେ ସେଠାରୁ ସାନବ୍ରାହ୍ମଣୀ ନଦୀ ପଥରେ କୁଜଙ୍ଗ ଯାଇଥିଲେ ।
ତେବେ ଇଂରେଜଙ୍କଠାରୁ ତତ୍କାଳୀନ କନିକା ରାଜା ବଳଭଦ୍ର ଭଞ୍ଜ ପରାସ୍ତ ହେବା ପରେ ଉଭୟ କନିକା ରାଜ୍ୟ ଓ ଇଂରେଜମାନଙ୍କ ମଧ୍ୟରେ ସନ୍ଧି ସ୍ବାକ୍ଷର କାରଣରୁ ପ୍ରାଚୀନ ସମୃଦ୍ଧ ଗଡ଼ଜାତର ଗାରିମାର ସୂର୍ଯ୍ୟ ହେଲେ ଅସ୍ତମିତ !
ବୈତରଣୀ ତ୍ରିକୋଣଭୂମିର ସେଇ ପ୍ରାଚୀନ ନଗର ସଭ୍ୟତାର ଗାରିମାମୟ ଗାଥା ଅସରନ୍ତି !
ଆଧାର: ୧. ଗୋନାସିକା ନନ୍ଦିନୀ ବୈତରଣୀ, ଡ. ରଞ୍ଜନ ପ୍ରଧାନ, କ୍ରିଏଟିଭ ଓଡ଼ିଶା, କେନ୍ଦ୍ରାପଡ଼ା, ୨୦୧୫;
୨. ‘କନିକା’, ଶୁଭ୍ରାଂଶୁ ଭୂଷଣ ସୂତାର, ମଲ୍ଲୀଘର, ରାଜକନିକା, ୨୦୦୦;
୩. ରାଧାଚରଣ ପଣ୍ଡା, ଉତ୍କଳ ସାହିତ୍ୟ, କଟକ, ୧୯୦୬;
୪. O’ malley ICS, LSS, Bihar & Orissa Dist Gazetteers, Cuttack, 2nd Edition, 1933
ଚିତ୍ର: AN Swain Photography, Biswa Mallick, Biswajit Behera, Kendrapada Youth Stars, Manas Kumar Bapee, Rajkanika Peoples, Rakesh Kumar Behera, Rararnab Deb, Sankar Kabi