ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
କଟକ ଶବ୍ଦର ବ୍ୟାଖ୍ୟା:
କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ
ଏ ଶବ୍ଦର ସଂସ୍କୃତ ବିଶେଷ୍ୟ ହିସାବରେ ଯେଉଁ ଅର୍ଥ ସବୁ ଭାଷାକୋଷରେ ଅଛି ତାହା ଏଠାରେ ଦିଆଗଲା ….
୧●ସାନୁ; ପର୍ବତର ମଧ୍ୟଦେଶ★
୨● ବଳୟ; ହାତଖଡ଼ୁ
୩●ଗୋଡ଼ଖଡ଼ୁ
୪●ଚକ୍ର ★
୫● ନଗର; ରାଜଧାନୀ★
୬●ସୈନ୍ୟ★
୭● ଛାଉଣୀ; ସେନାନିବାସ; ଶିବିର★
୮●ସୈନ୍ୟରକ୍ଷିତ ରାଜଧାନୀ★
୯● ସୈନ୍ଧବ ଲବଣ; ସାମୁଦ୍ରିକ ଲବଣ
୧୦●ଗଜଦନ୍ତମଣ୍ଡନ ବଳୟ
୧୧●ନିଷ୍ଠୀବନ;ଛେପ
ମୋଗଲବନ୍ଦୀର ଗୋଟିଏ ଜିଲା ଓ ସହର; ଓଡ଼ିଶାର 【୧୦୩୦ ବର୍ଷର ପୁରାତନ, ପ୍ରସିଦ୍ଧ 】ରାଜଧାନୀ; ବାରାଣସୀ କଟକ ନଗରୀ I
ସଂସ୍କୃତ ବିଶେଷଣ କଟକ ଶବ୍ଦର ଅର୍ଥ
୧●ଅତ୍ୟନ୍ତ; ଅଭିଶପ୍ତ
୨●ସର୍ବୋତ୍କୃଷ୍ଟ★
■କଟକ ଶବ୍ଦର ମୂଳ ‘କଟ’ ଶବ୍ଦର ମଧ୍ୟ ଅନେକ ଅର୍ଥ ଅଛି, ଏହାର ବ୍ୟାଖ୍ୟା:
କଟ୍ ଧାତୁ=ବର୍ଷଣ କରିବା; ଆଚ୍ଛାଦନକରିବା
■କଟ ଶବ୍ଦର ଅର୍ଥ
●୧ ହସ୍ତୀର ଗଣ୍ଡଦେଶ
●୨ ପିଚା; ଶ୍ରେଣୀ; କଟିପ୍ରଦେଶ
●୩ କଡ଼; ଏକପ୍ରାନ୍ତ
●୪ କ୍ରିୟାକାର; ଚାକର
●୫ ନୁତନ ଛାତ୍ର
●୬ ତୃଣବିଶେଷ
●୭ ଏକ ପ୍ରକାରର ଗଛ
●୮ତୃଣାଦି ନିର୍ମିତ ଆସନ ବା ପଟି; ମୁନ୍ଦୁରା; ବାଉଁଶ ପାତିଆ ନିର୍ମିତ ଛାଞ୍ଚ ବା ଛାପା
●୯ ବାଣ; ଶର
●୧୦ ତୃଣନିର୍ମିତ ପରଦା ବା ତାଟି ★
●୧୧ ତୃଣନିର୍ମିତ ରଜ୍ଜୁ
●୧୨ ଶବ★
●୧୩ (+କରଣ .ଅ) ଶବରଥ; କୋକେଇ — ●୧୪ ତକ୍ତା; ପଟା
●୧୫ କଣ୍ଟ; ସମୟ; ମିଆଦ
●୧୬ (+ଭାବ. ଅ)—ଅଭିଶୟ —
●୧୭ (+ଅଧିକରଣ. ଅ)—ଶ୍ମଶାନ★
●୧୮: ଅସୁରବିଶେଷ —୧୮
ଏକ ଦେଶଜ ବିଶେଷ୍ୟ ହିସାବରେ କଟ ଶବ୍ଦର ଅର୍ଥ→
●୧ ଖେଳିବା କଉଡ଼ି ଏକ କଡ଼ା
●୨ କଟବନ୍ଧକ (ଋଣ ମାମଲାର ଏକପ୍ରକାରର ଆବଦ୍ଧପତ୍ର ବା ଚୁକ୍ତିନାମା)
●୩ କଟକବାଲା (ଫାର୍ସୀ=କଟ୍ କଓ୍ବଲା)
କଟ ଶବ୍ଦର ବୈଜ୍ଞାନିକ ମୂଳ ହେଉଛି
କଟ୍ ଧାତୁ
ଏହାର କେତେକ ଅର୍ଥ
୧.ବେଷ୍ଟନ କରିବା ★
୨.ବର୍ଷଣ କରିବା ★
୩.ଗମନ କରିବା ★
୧. ଆମ କଟକ ନଗରୀ ଚକ୍ରାକାର ,ସୈନ୍ୟ ନିବାସ ଏବଂ ପୂର୍ବ ଭାରତର ସେ ସମୟରେ ସର୍ବୋତ୍କୃଷ୍ଟ ନଗରୀ ଥିଲା ବୋଲି ଏହାର ଏଭଳି ନାମକରଣ ହୋଇଅଛି ।
୨. କଳିଙ୍ଗୋତ୍କଳର ଚରମୋତ୍କର୍ଷ କାଳରେ ଏ ନଗରୀରେ ଶତ୍ରୁମାନେ ନିହତ ହୋଇ ଶବରେ ପରିଣତ ହୋଇଯାଉଥିଲେ ଏଇ କଟକ ନଗରୀ ସେମାନଙ୍କ ଶବରେ ଶ୍ମଶାନସମ ଦୃଷ୍ଟ ହେଉଥିଲା ।
୩. ଆମ କଟକ ନଗରୀକୁ ଚତୁଃପାଶ୍ୱର୍ରେ ପ୍ରାକୃତିକ ପରିଖା ଘେରି ରହିଥିଲା ପୁଣି ଏହାର ଚାରିପଟେ ଗୋଟିଏ ବନ୍ଧ ଘେରି ରହିଥିଲା ।
୪. ଆମରି ଏଇ କଟକ ନଗର ନିଜର ପରମୋତ୍କର୍ଷ କାଳରେ ଶ୍ରୀଲାଭର ମୂଳକେନ୍ଦ୍ର ଥିଲା । ପୁଣି ଆମ କଟକର ଅନ୍ୟ ନାମ ବାରଣାସୀ କଟକ ମଧ୍ୟ ପ୍ରସିଦ୍ଧ । ଭାରତବର୍ଷରେ ଯେଉଁ ଯେଉଁ ସ୍ଥାନରେ ଆଗେ ମୁଖ୍ୟ ଶିକ୍ଷାକେନ୍ଦ୍ର ଥିଲା ସେସବୁ ନଗରକୁ ବାରଣାସୀ ଉପାଧି ମିଳିଥିଲା । ତେଣୁ ଏଠାରେ ଧନ,ଜ୍ଞାନ ଓ ବିଦ୍ୟା ବର୍ଷଣ ହେଉଥିଲା, ଫଳତଃ ବିଭିନ୍ନ ଜାତିର ଲୋକେ ଏଠାକୁ ଧନ, ଜ୍ଞାନ ଓ ବିଦ୍ୟା ଲାଭ ଆଶାରେ ଗମନ କରୁଥିଲେ I
ଆମ କଟକ ଓଡ଼ିଶାର କେଶରୀବଂଶ ଅମଳରୁ ଓଡ଼ିଶାର ରାଜଧାନୀ ହୋଇରହିଥିଲା ବିଂଶ ଶତାବ୍ଦୀର ମସିହାର ମଧ୍ୟ ଭାଗଯାଏଁ ।
ଐତିହାସିକ ମାନଙ୍କ ମତରେ ନୃପକେଶରୀ ୯୧୪: ଖ୍ରୀଷ୍ଟାବ୍ଦରେ ଏ ନଗର ସ୍ଥାପନା କରିଥିଲେ । କଟକ ନଗର ମହାନଦୀ ଓ କାଠଯୋଡ଼ିର ମଧ୍ୟ ତ୍ରିକୋଣସ୍ଥଳରେ ଅବସ୍ଥିତ ତେଣୁ ଏହାର ତିନିଆଡ଼ ପ୍ରାକୃତିକ ପରିଖା ଦ୍ବାରା ବେଷ୍ଟିତ ଥିଲା ।
କିନ୍ତୁ ଏଠାରେ ବନ୍ୟାର ବିପଦ ରହିଥିଲା । ବନ୍ୟାରୁ ନଗର ଓ ନଗରବାସୀଙ୍କୁ ରକ୍ଷାର୍ଥେ କେଶରୀବଂଶର ରାଜା ମର୍କତ କେଶରୀ ମହାନଦୀ ଓ କାଠଯୋଡ଼ି କୁଳରେ ଏକ ସୁଦୃଢ ପଥର ବନ୍ଧ ନିର୍ମାଣ କରିଥିଲେ ।
କଟକ ସହର ନିର୍ମାଣକୁ ନେଇ ବାଇମୁଣ୍ଡିଙ୍କ କିମ୍ଵଦନ୍ତୀ ପ୍ରସିଦ୍ଧ ଅଛି । କୁହାଯାଏ କଟକ ସହରକୁ ବନ୍ୟାରୁ ରକ୍ଷା କରିବା ପାଇଁ ସର୍ବପ୍ରଥମେ ବାଇମୁଣ୍ଡି ହିଁ ମର୍କତ କେଶରୀଙ୍କୁ ଅନୁରୋଧ କରିଥିଲେ ଏବଂ ଖାଲି ଅନୁରୋଧ କରିନଥିଲେ ସେ ନିଜର ସମସ୍ତ ଅର୍ଥ ମଧ୍ୟ ରାଜାଙ୍କୁ ପ୍ରଦାନ କରିଥିଲେ ।
ଆଜିର କଟକ ! ସବୁ କିଛି ହରେଇ ସାରିଛି ! ଜାତି ଐରାବତ ମଧୁବାବୁଙ୍କ ଠାରୁ ଆରମ୍ଭ କରି ସୁରସମ୍ରାଟ ଖୋକାଭାଇଙ୍କ ଆପଣାର ମାଟି ଆମ କଟକ ନଗର . .
ସବୁଠାରୁ ବଡ଼ ଦୁଃଖ ଜଣେ କଟକିଆ ପାଇଁ ୧୦୦୦ ବର୍ଷର ରାଜଧାନୀ ତା’ର ଗୌରବମୟ ପାହ୍ୟା ହରାଇଛି । କିନ୍ତୁ ନାନାଦି ଅସୁବିଧା ସତ୍ତ୍ୱେ ଏ ନଗର ଆଜିବି ଗୌରବବର ଧ୍ୱଜା ଉଡାଇ ଚାଲିଛି, ଆଉ ଚାଲିଥିବ, ଯେତେଦିନ ଯାଏଁ ମର୍କତକେଶରୀ-ବାଇମୁଣ୍ଡି ଆଉ ସେ ସମୟର ମିସ୍ତ୍ରୀ ମାନଙ୍କ ଦ୍ବାରା ଗଢାଯାଇଥିବା କାଠଯୋଡ଼ି ବନ୍ଧର ଗୋଟିଏ ପଥର ସେ ସହର ରକ୍ଷାର୍ଥେ ପିଠି ଦେଖେଇ ଠିଆ ହୋଇଥିବ !
ବ୍ୟାସକବି ଫକୀରମୋହନ ସେନାପତି ଆମ କଟକକୁ ନେଇ ଲେଖିଛନ୍ତି କବିତାଟିଏ . .
★★କଟକ★★
ଉତ୍କଳର ରାଜଧାନୀ କଟକ ସହର,
ବିରାଜିତ, ପ୍ରକାଶିତ ଯୁଗ ଯୁଗାନ୍ତର ।
ମହାନଦୀ, କାଠଯୋଡ଼ି ଛନ୍ତି ଦୁଇପାଶେ
କଟକନିବାସୀ ଗଣେ ଜଳଦେବା ଆଶେ ।
ସ୍ପଟିକନିର୍ମଳ ଜଳ ରୋଗନିବାରକ,
ସ୍ନାନପାନେ ସୁସ୍ଥଦେହେ ରହିଛନ୍ତି ଲୋକ ।
ମର୍କତକେଶରୀ ଧନ୍ୟ ! କୌଶଳ ପ୍ରକାଶି
ବାନ୍ଧିଛି ପଥର ବନ୍ଧ କୀର୍ତ୍ତି ଅବିନାଶୀ ।
ପ୍ରାବୃଟ କାଳରେ ନଦୀ ହୋଇ ଭୟଙ୍କରୀ
ନ ପାରନ୍ତି ନଗରୀକୁ ଅତିକ୍ରମ କରି ।
ମହାତ୍ମା ପୁରୁଷୋତ୍ତମ ପୂତମନା ଜ୍ଞାନୀ,
କଟକ ସହର ଥିଲା ତାଙ୍କ ରାଜଧାନୀ
ଧନ ଆଶେ, ବିଦ୍ୟାଭ୍ୟାସେ କୀର୍ତ୍ତି କାମନାରେ,
କେତେ ଦେଶୁଁ ରୁଣ୍ଡ ଲୋକ ଏ କଟକଠାରେ ।
ନଦୀକୂଳ ଅଟ୍ଟାଳିକା ବିଚିତ୍ର ଗଠନ,
ରାଜକର୍ମଚାରୀଙ୍କର ବିଚାର ଭବନ ।
ସର୍ବ ରୂପ ବିଦ୍ୟା ଉପାର୍ଜନର ଏ ସ୍ଥଳ,
ନାନା ଦେଶୁଁ ସମାଗତ ବିଦ୍ୟାର୍ଥୀ ସକଳ ।
ଧନ,ବିଦ୍ୟା ଉପାର୍ଜନେ ପ୍ରଶସ୍ଥ ଏ କ୍ଷେତ୍ର,
ସଜ୍ଜିତ ବିପଣିମାଳା ତୃପ୍ତ କରେ ନେତ୍ର ।
ପୁରାକାଳେ ଥିଲେ ଏଥି କେତେ ବିଦ୍ୟାବନ୍ତ,
କେତେ ଧନୀ, କେତେ ମାନୀ ସନ୍ୟାସୀ ମହନ୍ତ ।
କେତେ ରାଜା ମହାରାଜ ମଧ୍ଯବିତ୍ତ ଲୋକ ,
କେତେ ରାଜକର୍ମଚାରୀ, ଧର୍ମ ପ୍ରଚାରକ,
ଚାଲିଯାଇଛନ୍ତି ସର୍ବେ ତେଜି ଭବଲୀଳା,
ତଥାପି ରହିଛି ଭରି ଏହି ପାନ୍ଥଶାଳା ।
ଗତାୟତ ପ୍ରାଣିସ୍ରୋତ ଜଗତର ରୀତି,
କେବଳ ତ ଯାଏ ରହି କୀର୍ତ୍ତି ଅପକୀର୍ତ୍ତି ।
ଦୁରାଚାରୀ ମରହଟ୍ଟା ଯାଇଛନ୍ତି କାହିଁ,
ଅଛି ବାରବାଟୀ କିଲ୍ଲା ସାକ୍ଷ ଦେବାପାଇଁ ।
ଏତିକି ବିଚିତ୍ର ମୁହିଁ ଦେଖେଁ ଜଗତରେ,
ନ ବିଚାରେ କେହି ନିଜ ପରିଣାମ ଥରେ ।
Image Courtesy: Deba Prasad Swain, Amarnath Patra, Cuttack Puja Festivals FB Page