ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ଇଂରାଜୀ ଭାଷାରେ ମରାଠୀଙ୍କୁ ମରାଠୀ କୁହାଗଲା, ପଞ୍ଜାବୀଙ୍କୁ ପଞ୍ଜାଵୀ, ଦକ୍ଷିଣର କନ୍ନଡ ତାମିଲ ଓ ତେଲୁଗୁ ଆଦି ଭାଷାଗୁଡି଼କର ନାମ ମଧ୍ୟ ଇଂରାଜୀ ଆଦି ୟୁରୋପୀୟ ଭାଷାଗୁଡି଼କରେ ମୂଳ ନାମ ଅନୁସାରେ ରହିଲା କିନ୍ତୁ ୟୁରୋପୀୟମାନେ ଓଡ଼ିଆ ମାନଙ୍କୁ ଓରିଆ ତଥା ଓଡ଼ିଶାକୁ ଓରିଶା ନାମ କାହିଁକି ଦେଇଥିଲେ ?

ଏହି ପ୍ରଶ୍ନଟି କୌଣସି ଐତିହାସିକ କିମ୍ବା ଓଡ଼ିଶାର ଇତିହାସକୁ ଭଲଭାଵରେ ଜାଣିଥିଵା ଲୋକକୁ ପଚାରିଲେ ସେ ତହିଁର ଉତ୍ତର ଦେଵାକୁ ଯାଇ କହିଵ:
“୧୭୫୭ର ଘୁମୁସର ଵିପ୍ଳଵଠାରୁ ୧୮୬୬ ମସିହାରେ ସୁରେନ୍ଦ୍ର ସାଏଙ୍କ ଶହୀଦ ହେଵାଯାଏଁ ଦୀର୍ଘ ଶତଵର୍ଷ ଧରି ଓଡ଼ିଆ ଜାତି ଇଂରେଜମାନଙ୍କ ଵିପକ୍ଷରେ ଵିଭିନ୍ନ ସଶସ୍ତ୍ର ଆନ୍ଦୋଳନ କରିଥିଲା । ଫଳତଃ ଇଂରେଜମାନଙ୍କର ଓଡ଼ିଆ ଜାତି ଭାଷା ପ୍ରତି ଘୃଣା, ଦ୍ଵେଷ ବଢି଼ଯାଇଥିଲା । ତେଣୁ ସେମାନେ ଓଡ଼ିଆ ଜାତି ପ୍ରତି ଵିଦ୍ଵେଷ ରଖି,

✓କଳିଙ୍ଗ ସାଗରର ନାମକୁ ବଙ୍ଗୋପସାଗର କରିଦେଲେ !

✓ଓଡ଼ିଶାର କଉଡି଼ ମୁଦ୍ରା ଉଠେଇ ଦେଇ ଧନୀକ ଓଡ଼ିଆଙ୍କୁ ସୁଦ୍ଧା ଆଖି ପିଛୁଳାକେ ଦରିଦ୍ର କରିଦେଲେ !

✓ଓଡ଼ିଶାର ଜମିଦାରୀ ଓ ସରକାରୀ ପାହ୍ୟା ଆଦି ବଙ୍ଗାଳୀଙ୍କୁ ଦେଇଦେଲେ !

✓ଓଡି଼ଶାର ଲୋକଙ୍କ ଲିଙ୍ଗୁଆଫ୍ରାଙ୍କା ଓଡ଼ିଆ ଜାଣି ସୁଦ୍ଧା ଓଡ଼ିଆ ଭାଷା ହତ୍ୟା ଉଦ୍ଦେଶ୍ୟରେ ସେମାନଙ୍କୁ ଏକାଠି ନରଖି ତିନି ରାଜ୍ୟରେ ତିନୋଟି ଭିନ୍ନ ଭାଷାଭାଷୀ ଅଞ୍ଚଳରେ ବାଣ୍ଟିଦେଲେ !

✓ପୂର୍ଵ ଭାରତର ମୁଖ୍ୟ ସାଂସ୍କୃତିକ କେନ୍ଦ୍ର ଓଡ଼ିଶା ହୋଇଥିଲେ ହେଁ ଇଂରେଜମାନେ ପୂର୍ଵ ଭାରତ କହିଲେ ବଙ୍ଗଦେଶ ଏହି ଵିଚାରର ଵୀଜରୋପଣ କରିଥିଲେ !

✓ଓଡି଼ଶାର ଠାକୁର ରାଜାଙ୍କୁ ମିଛ ହତ୍ୟା କେଶ୍ ରେ ଫସାଇ କଳାପାଣିକୁ ପଠାଇ ଦେଲେ !

✓ଶ୍ରୀମନ୍ଦିର ଦଖଲ କରିଵାକୁ ଚେଷ୍ଟା କରିଥିଲେ ଓ ମୁସଲମାନ ସୈନ୍ୟଙ୍କୁ ମନ୍ଦିର ସୁରକ୍ଷା ଦାୟିତ୍ବରେ ଲଗାଇ ସନାତନୀମାନଙ୍କୁ ଅପମାନିତ କରିଵାର ପ୍ରଯତ୍ନ କରିଥିଲେ !

✓ଓଡ଼ିଶାର ଲୋକଙ୍କଠାରୁ କର ନେଲେ ସିନା, କୌଣସି ଆଖିଦୃଶିଆ ଜନହିତକର କାର୍ଯ୍ୟ କଲେ ନାହିଁ !

✓୧୮୬୬ରେ ଜାଣିଶୁଣି କୃତ୍ରିମ ଶସ୍ୟ ଅଭାଵ ଭିଆଇ ଥିଲେ ଏଵଂ ନ’ଅଙ୍କ ଦୁର୍ଭିକ୍ଷ ସୃଷ୍ଟି କରି ଓଡ଼ିଆ ଜାତିର ସମୂଳ ନାଶ କରିଦେଵାର କୁଚେଷ୍ଟା କରିଥିଲେ
ଇତ୍ୟାଦି ଇତ୍ୟାଦି . . . ”

ସେଇମିତି ଏ ପ୍ରଶ୍ନକୁ କୌଣସି ସାଧାରଣ ବୁଦ୍ଧିଜୀଵୀକୁ ପଚାରିଲେ ସେ ମତ ଦେଵ:
“ଇଂରେଜ ଆଦି ୟୁରୋପୀୟ ଜାତିମାନେ ଡ଼ ସ୍ଵର ଉଚ୍ଚାରଣ କରିପାରନଥିଲେ ତେଣୁ ସେମାନେ ଓଡ଼ିଆ ଶବ୍ଦରେ ଥିଵା ‘ଡ଼’କୁ ‘ର’ ଉଚ୍ଚାରଣ କରିଥାଆନ୍ତି ।”

ତେବେ ଯେଉଁମାନେ ଇଂରାଜୀ ଭିନ୍ନ ଇଟାଲିୟନ, ସ୍ପାନିସ୍ କି ଲାଟିନ୍ ଭାଷାର ଜ୍ଞାତା ସେମାନେ “Odia” ଶବ୍ଦର  ଅର୍ଥ ଏହି ଭାଷାଗୁଡି଼କରେ କ’ଣ ତାହା ଭଲ ଭାଵରେ ଜାଣିଥିଵେ . . .

Catlan, Galician ଭାଷାରେ Odia ଶବ୍ଦଟି odiar ଶବ୍ଦର ଏକ ରୂପ ଏଵଂ ଗାଲସିଆନ୍ ଓ କାଟଲାନ ଭାଷାରେ odiarର ଅର୍ଥ ଘୃଣା କରିଵା ତେଣୁ ଏ ଉଭୟ ଭାଷାରେ odia ଶବ୍ଦର ଅର୍ଥ ହେଉଛି “ଘୃଣା କର” । ସ୍ପାନିଶ୍ ଓ ଇଟାଲିଆନ୍ ଭାଷାରେ odiare ଶବ୍ଦର ଏକ ରୂପ odia ଅଟଇ ! ଏ ଉଭୟ ଭାଷାରେ ମଧ୍ୟ odiare ଶବ୍ଦର ଅର୍ଥ ଘୃଣା କରିଵା ହିଁ ହୋଇଥାଏ ।

ଠିକ୍ ସେହିପରି ଲାଟିନ ଭାଷାରେ odia ଶବ୍ଦଟି odium ଶବ୍ଦର ଏକ ରୂପ ଅଟେ । ଲାଟିନ ଭାଷାରେ Odium ଶବ୍ଦର ଅନେକ ଅର୍ଥରେ ଵ୍ୟଵହାର ଅଛି
ଯଥା:
କ. ଘୃଣା
ଖ. ଅପସନ୍ଦ
ଗ. ଅସନ୍ତୋଷ,ଵିରକ୍ତି
ଘ. ଶତୃତା ଵା ତାର ଅଭିଵ୍ୟକ୍ତି;ଘୃଣା କରିଵାର ସର୍ତ୍ତ
ଙ. ଘୃଣା କରାଯିଵା ଵସ୍ତୁ
ଚ. କ୍ଲାନ୍ତି; ନିରସତା

ପ୍ରୋକ୍ତ ଏ ସମସ୍ତ ଶବ୍ଦର ମୂଳ ହେଉଛି ଗୋଟିଏ ଲାଟିନ୍ ଶବ୍ଦ ōdī  ଏଵଂ ଏହା ପ୍ରାକ୍ ଇଟାଲିକ୍ ଶବ୍ଦ *ōdai ର ୟୁରୋପୀୟ ମାନକ ରୂପ ଥିଲା । ପାଶ୍ଚାତ୍ୟ ଭାଷାଵିତମାନେ ପ୍ରାକ୍ ଭାରୋପୀୟ ଶବ୍ଦ  ରୂପ *h₃edକୁ ଏ ସମସ୍ତ ଶବ୍ଦର ମୂଳ ବୋଲି ନିର୍ଣ୍ଣୟ କରିଅଛନ୍ତି। ପ୍ରାକ୍ ଭାରୋପୀୟ ଶବ୍ଦ ସମ୍ବନ୍ଧୀୟ ଅଭିଧାନରେ ମୂଳ ଭାରୋପୀୟ ଶବ୍ଦ *h₃edର ଅର୍ଥ ଦୁର୍ଗନ୍ଧ ହେଵା, ଗନ୍ଧେଇଵା, ଦୁର୍ଗନ୍ଧ କରିଵା ଇତ୍ୟାଦି  ଉଲ୍ଲେଖ କରାଯାଇଛି । ଜଣେ ଗନ୍ଧେଇଲେ ତା’ ପ୍ରତି ଘୃଣାଭାଵ ଜାତ ହେଵା ସ୍ଵାଭାଵିକ କଥା ।

ତେଣୁ ୟୁରୋପର ତିନୋଟି ମୁଖ୍ୟ ଭାଷା ଲାଟିନ, ଇଟାଲିୟନ୍ ଓ ସ୍ପାନିଶ୍ ସମେତ କାଟଲାନ୍ ଓ  ଗାଲସିୟନ୍ ଆଦି ଅନେକ ୟୁରୋପୀୟ ଭାଷାରେ “odia” ବୋଲି ଶବ୍ଦ ରହିଛି ଯାହା ପ୍ରାୟତଃ ଘୃଣା ଵିରକ୍ତି ଦ୍ଵେଷ ନୀରସତା ଆଦି ନକାରାତ୍ମକ ଅର୍ଥରେ ପ୍ରୟୋଗ ହୋଇଥାଏ । ସମ୍ଭଵତଃ ଏହି କାରଣରୁ ଇଂରେଜ ଆଦି ୟୁରୋପୀୟ ଜାତିମାନେ ଓଡ଼ିଆ ଭାଷାକୁ odia ନକହି oriya କହିଛନ୍ତି ଏଵଂ oriya ଶବ୍ଦ ଆଧାରରେ ରାଜ୍ୟର ନାମ orissa ରଖା ହୋଇଥିଲା ।

କେଵଳ ଇଂରାଜୀ ନୁହେଁ ଵିଶ୍ଵର ଵିଭିନ୍ନ ଭାଷାରେ  ଓଡ଼ିଆ ଭାଷାକୁ ଉକ୍ତ ଭାଷାର ଉଚ୍ଚାରଣ ଶୈଳୀ ଓ ଶବ୍ଦ ଵିଭଵ ଆଧାରରେ ଵିଭିନ୍ନ ନାମରେ ଅଭିହିତ କରାଯାଇଛି । ଯଥା—

ଚୀନ ଦେଶର ମାଣ୍ଡାରିନ ଭାଷାରେ ଓଡ଼ିଆ ଭାଷାକୁ 奧里亞語, 奥里亚语 (àolǐyàyǔ) କୁହାଯାଏ । Finnish ଭାଷାରେ orija କୁହନ୍ତି, Georgian ଭାଷାରେ ორია ენა (oria ena) କହିଥାନ୍ତି । ଜାପାନୀ ଲୋକେ ଓଡ଼ିଆ ଭାଷାକୁ オリヤー語 (oriyāgo) କହୁଥିଵା ବେଳେ ରୁଷ ଦେଶର ଲୋକେ о́рия (órija) ବୋଲି ଥାଆନ୍ତି । ସେହିପରି କୋରିଆ ଭାଷାରେ ଓଡ଼ିଆ ଭାଷାକୁ 오리야어 (oriya-eo) କୁହାଯାଇଥାଏ । ଉତ୍ତର ଭାରତର ଲୋକେ ମଧ୍ୟ ସେହିଭଳି ଭାଵେ ନିଜ ଭାଷାର ପ୍ରକୃତି ଅନୁଯାୟୀ ଆମ ଭାଷାକୁ उड़िया ଓ ओड़िया କହୁଥିଵା ଦୃଷ୍ଟିଗୋଚର ହୋଇଥାଏ । ତାମିଲ ଭାଷୀ ଆମ ଭାଷା ଓ ରାଜ୍ୟକୁ ஒட்டியம் (oṭṭiyam) କହିଥାନ୍ତି ।

ତେବେ ସାରା ପୃଥିଵୀର ଲୋକେ ଆମ ଭାଷା, ଜାତି ଓ ରାଜ୍ୟକୁ ଯେଉଁ ନାମରେ ବି ଜାଣିଥାଆନ୍ତୁ ନା କାହିଁକି ଆମ୍ଭେମାନେ କିନ୍ତୁ ଓଡ଼ିଆ ଭାଷାକୁ Odia ଓ ଆମ ରାଜ୍ୟକୁ Odisha ଲେଖିଵା ହିଁ ଉଚିତ୍ ହେଵ !

କାହିଁକି ?

କାରଣ ଆମ ଭାଷାରେ “ଓଡ଼ିଆ” ତଥା “ଓରିଆ” ଦୁଇଗୋଟି ଭିନ୍ନ ଭିନ୍ନ ଶବ୍ଦ ରହିଛି । “ଓଡ଼ିଆ” ଆମ ଭାଷା ଓ ଜାତିର ଆଧୁନିକ ନାମ ହୋଇଥିଵା ବେଳେ (ପ୍ରାଚୀନ ନାମ ଥିଲା ଓଡ଼, ଓଡ୍ର ଵା ଉଡ୍ର, ଓଡିସୁ/ଉଡ୍ର ଵିଭାଷା/ଓଡ଼ରାଷ୍ଟ୍ର) ଅନ୍ନ ଵା ଭାତ ଅର୍ଥରେ ଵ୍ୟଵହୃତ ରାଜା ଓ ଦେଵତାଙ୍କ ସମ୍ବନ୍ଧିତ ଶବ୍ଦ ହେଉଛି ଓରିଆ ।

ମୂଳ ଦ୍ରାବିଡ଼ ଧାତୁ ଶବ୍ଦ ଓଡ଼ ଧାତୁର ଅର୍ଥ ଚାଷ କରିଵା । ଓଡ଼ ଜାତୀୟ ଲୋକେ ପ୍ରଥମେ ସମତଳ ଭୂମିରେ ଵ୍ଯାପକ ଚାଷ କରିଵା ଆରମ୍ଭ କରିଥିଵାରୁ ଦ୍ରାବିଡ଼ ଲୋକେ ସେମାନଙ୍କୁ ଓଡ଼ ଅଭିହିତ କରିଥିଲେ । ଏହି ଓଡ଼ମାନେ ପୁଣି ଵିଶ୍ଵରେ ସର୍ଵପ୍ରଥମେ ଧାନ ଚାଷ କରିଥିଲେ ବୋଲି ପ୍ରମାଣ ମିଳେ ତେଣୁ ସମ୍ଭଵତଃ ଭାତ ଅର୍ଥଜ ଓରିଆ, ତବତ ଭାତର ଗରମ ପାଣି ଅର୍ଥରେ ଵ୍ୟଵହୃତ ଓରିଆଣି (ଓରିଆ+ପାଣି କିଵା ଅଣ ?) ଓ “ପଛ ଓରିଆ”(ବଡ଼ ଲୋକଙ୍କ ଘରେ ଚାକର ବାକରଙ୍କୁ ଯେଉଁ ମୋଟାଭାତ ଖାଇବାକୁ ଦିଆଯାଏ) ଇତ୍ୟାଦି ଶବ୍ଦଗୁଡ଼ିକ ଏହି ଦ୍ରାବିଡ଼ ଧାତୁ ଶବ୍ଦ ଓଡ଼ ଧାତୁ ସହିତ ସମଦ୍ଧୃତ ହୋଇଥାଇପାରେ ।

କେଵଳ ଓଡ଼ ଵା ଉଡ୍ର ଶବ୍ଦ କାହିଁକି ଓଡ଼ିଶାର ତିନୋଟିଯାକ ମୁଖ୍ୟ ନାମ “ଓଡ଼ିଶା ଵା ଓଡ୍ରରାଷ୍ଟ୍ର, କଳିଙ୍ଗ ଓ ଉତ୍କଳ” ନାମର “ଚାଷ ଓ ଚାଷୀ” ସହିତ ସମ୍ପର୍କ ଥିଵା କେତେକ ଗଵେଷକଙ୍କ ମତ । କେମିତି ?

୧. ଓଡ଼ ଶବ୍ଦର ଚାଷ କରିଵା: ଯିଏ ଚାଷ କଲା ତାକୁ ଓଡ଼ କୁହାଗଲା । ଓଡ଼ ଜାତୀୟ ଲୋକେ ଭାରତଵର୍ଷରେ ଵିଶେଷ ଖ୍ୟାତି ଉନ୍ନତି ଲାଭ କଲାପରେ ସଂସ୍କୃତ ଭାଷାରେ ଉକ୍ତ ଶବ୍ଦକୁ ଗ୍ରହଣ କରାଯାଇ ଉଡ୍ର୍ ଧାତୁରୁ ଆଲିଙ୍ଗନ କରିଵା ଅର୍ଥରେ ନିଷ୍ପନ୍ନ କରାଯାଇ ଉଡ୍ର ଓ ଉଡ୍ରରାଷ୍ଟ୍ର ଇତ୍ୟାଦି ଶବ୍ଦର ଵ୍ୟଵହାର ପ୍ରଚଳନ ହେଲା ।

୨. କଳିଙ୍ଗ ଭାଷା କୁଈରେ ‘କୁଳିଙ୍ଗ’ ଶବ୍ଦର ଅର୍ଥ ଧାନ, ତେଣୁ ଯେଉଁ ମାନେ କୃଷି କରି ଫସଲ ଆବାଦ କରନ୍ତି ସେମାନଙ୍କୁ ‘କଳିଙ୍ଗ’ ଵା କଳିଙ୍ଗୀ କୁହାଯାଉଥିଲା ‌। ସେହିପରି ଯେଉଁ ଦେଶରେ ଧାନଚାଷ ପ୍ରଥମେ ହୋଇଥିଲା ସେ ଦେଶକୁ କଳିଙ୍ଗ କୁହାଗଲା । ଆଜି ବି ଗଞ୍ଜାମ ଜିଲ୍ଲାରେ କାଳିଞ୍ଜୀ ଓ କାଳିଙ୍ଗୀ ବୋଲି ଦୁଇଗୋଟି ଚଷାଜାତି ଅଛନ୍ତି ଏହି ଦୁଇଗୋଟି ଜାତିଵାଚକ ନାମ ପ୍ରୋକ୍ତ ଶବ୍ଦ ନିରୁକ୍ତି ମତର ସମର୍ଥନ କରିଥାନ୍ତି ।

୩. କିଛି କୁହନ୍ତି ଉତ୍+କଳ = ଉତ୍କଳ ହୋଇଅଛି ଆଉ କେତେକଙ୍କ ଅନୁସାରେ ଉତ୍ତର+କଳିଙ୍ଗ = ଉତ୍କଳିଙ୍ଗ > ଉତ୍କଳୀ > ଉତ୍କଳ ହୋଇଅଛି । ତେବେ  ତାମିଲ୍ ଭାଷାରେ ଚଷାକୁ ‘ଓକ୍କଳ’ କହନ୍ତି । ସମ୍ଭଵତଃ ଓଡ଼ିଶାର ଲୋକେ ପ୍ରଥମେ (ଧାନ ଆଦି ଅନେକ ଖାଦ୍ୟ ଶସ୍ୟର) ସମତଳ ଭୂମିରେ ଵ୍ୟାପକ ଚାଷ କରିଵା ଆରମ୍ଭ କରିଥିଵାରୁ ଦକ୍ଷିଣ ଭାରତୀୟ ଲୋକେ ଆମ ଜାତିକୁ ଏକ ଚାଷୀ ଜାତି ଭାବେ ଅଭିହିତ କରିଵାକୁ ଯାଇ ଓକ୍କଳ ନାମକରଣ କରିଛନ୍ତି । ପରଵର୍ତ୍ତୀ କାଳରେ ଭାରତଵର୍ଷରେ ଏହି ନାମଟି ଵିଶେଷ ଲୋକପ୍ରିୟ ହେଵାରୁ ଏହାର ସ୍ଵରୂପ ସଂସ୍କୃତ  ନିରୁକ୍ତି ନିର୍ଣ୍ଣୟ ପ୍ରକ୍ରିୟା ଦ୍ଵାରା ଉତ୍ +କଳ = ଉତ୍କଳ ହୋଇଥାଇପାରେ ।

ସେ ଯାହାହେଉ, ଆମ ଜାତି-ଭାଷାକୁ ଆମେ “ଓଡ଼ିଆ” ନକହି ଇଂରାଜୀ ଓ ହିନ୍ଦୀ ହନୁକରଣରେ ଯଥାକ୍ରମେ “ଉରିଆ ଓ “ଉଡି଼ଆ ଵା ଉଡି୍ୟା” କହିଵା ମଧ୍ୟ ଠିକ୍ ହେଵ ନାହିଁ । କାରଣ ଆମ ଭାଷାରେ “ଓରିଆ” ଶବ୍ଦର ଏକ ରୂପ ହେଉଛି ଉରିଆ ।

ସାଧାରଣତଃ ଘୃତଲିପ୍ତ ପକାନ୍ନ ଓ ରାଜାମାନଙ୍କ ଖାଇବା ଯୋଗ୍ୟ ସରୁ ଓ ଉତ୍କୁଷ୍ଟ ଚାଉଳକୁ “ଉରିଆ” କୁହାଯାଏ । ହନ୍ଦୀଭାଷୀ ଆମ ଭାଷାକୁ “ଉଡି଼ୟା” କହୁଛନ୍ତି ବୋଲି ତାଙ୍କର ଅନୁକରଣରେ ଆମେ “ଉଡି଼ଆ” କହିଵା ବି ଅନୁଚିତ୍ ହେଵ କାରଣ ଆମ ଭାଷାରେ “ଉଡ଼ି ଆ” କହିଲେ “ଉଡ଼ି କରି ଆ” ଏହି ଅର୍ଥ ହୋଇଥାଏ ।

ଅସ୍ତୁ, କିଏ ଆମକୁ କେଉଁ ନାମ ଧରି ଡାକୁଛି ସେଇଟା ତା ନିଜସ୍ଵ ଵ୍ୟାପାର, କିନ୍ତୁ ଆମ ଜାତିର ମାନକ ଭାଷା ଆଧାରରେ ଆମ ଭାଷା, ଜାତି ଓ ଦେଶର ଯେଉଁ ନାମକରଣ କରାଯାଇଛି ଆମକୁ ସେହି ନାମକୁ ହିଁ ପ୍ରାଥମିକତା ଦେଵାକୁ ହେଵ ।

Spread the love
admin

View Comments

  • ଆପଣ ଏ ସବୁ ତଥ୍ୟ YouTube ରେ video କରି upload କରନ୍ତୁ।ଆଜି କାଲି ଅଧିକ ଲୋକ YouTube ଦେଖୁଛନ୍ତି। ସମସ୍ତଙ୍କ ପାଖରେ କଥା ପହଞ୍ଚିବା।

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 week ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago