ମହାମନିଷୀଗଣ

ଓଡ଼ିଶୀନୃତ୍ୟର ଆଦିଗୁରୁ ପଦ୍ମଶ୍ରୀ ପଙ୍କଜଚରଣ ଦାସ

ଲେଖା: ଦେଵ ତ୍ରିପାଠୀ
ବଡ଼ଦେଉଳର ଦେବଦାସୀ ନୃତ୍ୟକୁ ନେଇ ସେ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି, ପୋତିଛନ୍ତି “ଓଡ଼ିଶୀ” ମହଦୃମର ବୀଜ I ଓଡ଼ିଶୀ ନୃତ୍ୟକୁ ନେଇ ସେ କରିଛନ୍ତି ବହୁ ପରୀକ୍ଷା ନିରୀକ୍ଷା I ଓଡ଼ିଶୀରେ ସେ ଆରମ୍ଭ କରିଛନ୍ତି ଦଶାବତାର “ଗ୍ଲାନିସଂହାର” ନାମରେ; ଓଡ଼ିଶୀ ନୃତ୍ୟରେ ସେ ପ୍ରଣୟନ କରିଛନ୍ତି “ଗତିବିଳାସ ପଲ୍ଲବୀ” ନାମକ ଥାଳିନୃତ୍ୟ; ଓଡ଼ିଶୀରେ ସେ ପକାଇଛନ୍ତି ମେଳନୃତ୍ୟର ମୂଳଦୁଆ I ଓଡ଼ିଶୀରେ ସେ ପ୍ରଣୟନ କରିଛନ୍ତି ଗୀତିନାଟିକା I ଓଡ଼ିଶୀ ମାଧ୍ୟମରେ ସେ ଗୀତଗୋବିନ୍ଦକୁ କରିପାରିଛନ୍ତି ବିଶ୍ୱପ୍ରସାରିତ, ଆହୁରି ଭାବମୟ,ସଙ୍ଗୀତମୟ, ଚେତନାମୟ I ଓଡ଼ିଶୀନୃତ୍ୟରେ ସେ ହିଁ ପ୍ରଚଳନ କରିଛନ୍ତି ପାରମ୍ପରିକ ପରିପାଟୀ I
ଭକ୍ତକବି ମଧୁସୂଦନ ରାଓଙ୍କ ‘ତୁ ହି ମା ଜନମଭୂମି’କୁ ସ୍ବାଧୀନତା ସଂଗ୍ରାମ ଅବସରରେ ଭାରତର ବିଭିନ୍ନ ଅଞ୍ଚଳରେ ନୃତ୍ୟାଭିନୟ ମାଧ୍ୟମରେ ପରିବେଷଣ କରିଛନ୍ତି । ଏ ନୃତ୍ୟରେ କେବଳ ଯେ ସେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ତା ନୁହେଁ ବରଂ ସଂସ୍କୃତିପ୍ରେମୀ ଦର୍ଶକମାନଙ୍କ ହୃୟରେ ଝରାଇପାରିଛନ୍ତି ଦେଶପ୍ରେମର ଫଲ୍ଗୁ ।
ସେ ଓଡ଼ିଶୀନୃତ୍ୟର ଆଦିଗୁରୁ ପଦ୍ମଶ୍ରୀ ପଙ୍କଜଚରଣ ଦାସ I
ପୁରୁଷୋତ୍ତମ କ୍ଷେତ୍ରର ପଥର ଆଖଡ଼ାରେ ବନବିହାର ନାଟକରେ କୃଷ୍ଣ ଭୂମିକାରେ ଅଭିନୟ କରୁଥିଲା ନ’ ବର୍ଷର ବାଳକ I ନୃତ୍ୟ ନିର୍ଦ୍ଦେଶକ ରଂଗନାଥ ଦେବଗୋସ୍ୱାମୀଙ୍କ ସମେତ ସବୁ ଦେଖଣାହାରୀ ହୋଇଥିଲେ ତଟସ୍ଥ I ଗୋଟିପୁଅ ନାତ ମାଧ୍ୟମରେ କୃଷ୍ଣଲୀଳାର ସଂସ୍କରଣ କରୁଥିବା ପିଲାଟି ଉପରେ ଥିଲା ସଭିଙ୍କ ଆଖି I ଏ ନାଚ ତ ଝିଅଙ୍କର ! କିନ୍ତୁ ପୁଅପିଲା ଏମିତି ନାଚିପାରିବ ବୋଲି କେହି ଭାବି ନ ଥିଲେ I
“ଏ ପିଲା ନିଶ୍ଚୟ ଭଲ ନାଚିବ, ଦିନେ ଖୁବ୍ ନାଁ କମେଇବ I” କେହି ଜଣେ ମନ୍ତବ୍ୟ ଦେଇଥିଲା I ନାଚ ଦେଖି ସମସ୍ତେ ପ୍ରଶଂସା କଲେ I ନାଚ ଦେଖିଲା ବେଳେ କେଉଁ ଅନୁଭବର ସ୍ପର୍ଶ ଓ ସୁବାସ ସେ ଲୋକଟି ପାଇଥିଲା କେଜାଣି, ଉଚ୍ଚାରିତ ଶେଷଶବ୍ଦ ପାଲଟିଲା ଭବିତବ୍ୟ I ସେ କେବଳ ଭଲ ନାଚିଲା ନାହିଁ, ସେ ହେଲା ଓଡ଼ିଶୀର ପ୍ରାଣପ୍ରତିଷ୍ଠାତା, ଓଡ଼ିଶୀର ମହାଦ୍ରୂମ, ଗୁରୁଙ୍କର ଗୁରୁ, ଆଦିଗୁରୁ I
ମାହାରୀ ପରିବାରରେ ଜନ୍ମି, ନୃତ୍ୟମୟ ପରିବେଶରେ ବଢି ପଙ୍କଜଚରଣ କେବେ ପୁରୀରେ ତବଲାବାଦକ ତ କେବେ କଟକରେ ଥିଏଟରରେ ଅଭିନୟ କରି ଗୁଜରାଣ ମେଣ୍ଟାଉଥିଲେ, କିନ୍ତୁ ଜଗତରନାଥଙ୍କ ପ୍ରିୟ ନୃତ୍ୟକୁ ଜଗତବ୍ୟାପୀ କରିବା ପାଇଁ ଯାହାର ଜନ୍ମ ସେ କି ବାନ୍ଧିହୋଇ ରହିପାରିଥାନ୍ତା ଜଣେ ହାସ୍ୟରସ କଳାକାର ଭାବରେ ?
ପ୍ରବଳ ଧୈର୍ଯ୍ୟ, ସାହସ, ପାଣ୍ଡିତ୍ୟକୁ ପାଥେୟ କରି ସେ ବଡ଼ଦେଉଳର ଦେବଦାସୀ ନୃତ୍ୟକୁ ପୁରୀରୁ ନେଇ ପାରିଥିଲେ ଦରିଆପାରିକୁ, ଦେଇଥିଲେ ନୂତନରୂପ, କରିଥିଲେ ଯାବତୀୟ ପରୀକ୍ଷାନିରୀକ୍ଷା, ଦେଇ ପାରିଥିଲେ ଓଡ଼ିଶୀକୁ ଶାସ୍ତ୍ରୀୟରୂପ, ସେ ହିଁ ଗଢିଥିଲେ ଓଡ଼ିଶୀର କୋଣାର୍କ, ସେଇ କୋଣାର୍କର ସେ ଥିଲେ ଶିବେଇ ସାମନ୍ତରା, ସେ ହିଁ ଥିଲେ ଧର୍ମପଦ I
ପ୍ରଥମ ପର୍ଯ୍ୟାୟରେ ତାଙ୍କର ଶିଷ୍ୟ ଥିଲେ ବିଶିଷ୍ଟ ନୃତ୍ୟଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ର ଓ ତାଙ୍କର ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ର ଏବଂ ଗୁରୁ ଭଗବାନ ସାହୁ । ପଙ୍କଜ ଚରଣଙ୍କ ପରବର୍ତ୍ତୀ ସମୟର ଶିଷ୍ୟଙ୍କ ସହ ଅଗଣ୍ୟ । ସେ ଯେପରି ଗଢ଼ିଛନ୍ତି ଓଡିଶୀ ନୃତ୍ୟର ଇତିହାସ, ସେପରି ଗଢ଼ିଛନ୍ତି ମଣିଷ । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ନୃତ୍ୟଶିଳ୍ପୀ ସ୍ବର୍ଗତା ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ, ନୃତ୍ୟରତ୍ନାକର ଦୁର୍ଗା ଚରଣ ରଣବୀର, କୁଙ୍କୁମ ମହାନ୍ତି, ପ୍ରଫେସର ପ୍ରିୟମ୍ବଦା ହେଜମାଦି, ଡଃ ମିନତି ମିଶ୍ର, ଯାମିନୀ କୃଷ୍ଣମୂର୍ତ୍ତି, ସୁମଥି କୌଶଲ, ସବିତା ମେହେଟା, ରୀତାଦେବୀ ଇତ୍ୟାଦିଙ୍କର ସେ ହେଉଛନ୍ତି ଆଦ୍ୟଗୁରୁ ।
ସୀମାହୀନ ସୃଜନର ଅଧିକାରୀ ଥିଲେ ପଙ୍କଜଚରଣ । ନୃତ୍ୟରେ ଉଲ୍ଲେଖନୀୟ ସଫଳତା ଓ ଅବଦାନ ପାଇଁ ତାଙ୍କୁ ମିଳିଛି ପ୍ରୟାଗ ସଙ୍ଗୀତ ସମିତି, ଆହ୍ଲାବାଦ, ତରଫରୁ ‘ସଙ୍ଗୀତ ପ୍ରଭାକର’ ଉପାଧି; ସୁରସିଙ୍ଗାର ସଂସଦ, ମୁମ୍ବାଇ ତରଫରୁ ସାରଙ୍ଗଦେବ ଫେଲୋସିପ; କେନ୍ଦ୍ର ସରକାରଙ୍କ ଏମୋରିଟସ ଫେଲୋସିପ; କେନ୍ଦ୍ର ସଙ୍ଗୀତ ଏକାଡେମୀ ପୁରସ୍କାର; ରାଜ୍ୟ ସରକାରଙ୍କ ‘କବିସମ୍ରାଟ ଉପେନ୍ଦ୍ର ଭଞ୍ଜ’ ପୁରସ୍କାର; ଓଡ଼ିଆ ସଙ୍ଗୀତ ନାଟକ ଏକାଡେ଼ମୀ ପୁରସ୍କାର; ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ, ଭୁବନେଶ୍ୱର ତରଫରୁ ‘ନୃତ୍ୟ ସରସ୍ବତୀ’ ଉପାଧି; ସପ୍ତସ୍ବରୀ କଳାକ୍ଷେତ୍ର, ଭୁବନେଶ୍ୱର ତରଫରୁ ‘କଳାକୈ।ସ୍ତୁଭ’ ଉପାଧି । ଏତଦବ୍ୟତୀତ ତ୍ରିବେଣୀ କଳାକେନ୍ଦ୍ର, କଟକ; ଶ୍ରୀକ୍ଷେତ୍ର କଳା ସାଂସ୍କୃତିକ ସଂସଦ, ପୁରୀ; ସ୍ବରଝଙ୍କାର, ଯଦୁମଣି ସାହିତ୍ୟ ସଂସଦ, ଆଞ୍ଚଳିକ ଗବେଷଣାଗାର ସଙ୍ଗୀତକେନ୍ଦ୍ର, ଜୟଦେବ ସଙ୍ଗୀତ ପରିଷଦ, ଭୁବନେଶ୍ଵର ତରଫରୁ ସେ ହୋଇଛନ୍ତି ସମ୍ମାନିତ ଓ ସମ୍ବର୍ଦ୍ଧିତ ।
ସେ ଓଡ଼ିଶୀ ନୃତ୍ୟର ନୂତନଦିଗନ୍ତର ଦିଶାରୀ, ଓଡ଼ିଶୀନୃତ୍ୟର ସେ ଭୀଷ୍ମ ପିତାମହ, ପ୍ରାଣପ୍ରତିଷ୍ଠାତା, ନୃତ୍ୟର ନିୟତି, ନୃତ୍ୟଦିଗନ୍ତର ଦ୍ରୋଣାଚାର୍ଯ୍ୟ I ଯୁଗେ ଯୁଗେ ଭୀଷ୍ମ ଏବଂ ଦ୍ରୋଣମାନଙ୍କୁ ଆଘାତ ସହିବାକୁ ହୁଏ ଆପଣାର ଲୋକଙ୍କ ଠାରୁ । ପଙ୍କଜ ଚରଣ ମଧ୍ୟ ପାଇଛନ୍ତି ସେପରି ଆଘାତ, କିନ୍ତୁ ରହିଛନ୍ତି ଅବିଚଳିତ, ଦମ୍ଭ, ସ୍ଥିତପ୍ରଜ୍ଞ । ନିଷ୍ଠାପର ଓଡିଶୀଗୁରୁ ଭାବରେ ସେ ଚିରଭାସ୍ବର, ଚିରସ୍ମରଣୀୟ, ଚିରପୂଜ୍ୟ ।
ଅନ୍ତରଙ୍ଗ କଳିଙ୍ଗର ଶତ ଶତ ଦଣ୍ଡବତ ଆଜି ଆଦିଗୁରୁଙ୍କ ପାଦଦେଶରେ । ଜୟ ଜଗନ୍ନାଥ । ବନ୍ଦେ ଉତ୍କଳ ଜନନୀ II
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago