ଜଣା ଅଜଣା

ଓଡ଼ିଶାର ପ୍ରଥମ ସିନେମାହଲ୍

ଲେଖା: ଶିବାଶିଷ ମହାପାତ୍ର
ଓଡ଼ିଶା ଏକ ପ୍ରାଚୀନ ସଭ୍ୟତା ତଥା ଐତିହ୍ୟ, ପରମ୍ପରାର ଅଞ୍ଚଳ । ଅତ୍ୟନ୍ତ ବିକଶିତ ଏହି ଦେଶ । ଏହି ମାଟି ସୃଷ୍ଟି କରିଛି ଅନେକ ବିରଳ କୀର୍ତ୍ତି ତଥା ଅନେକ ଉଦାହରଣ । ଓଡ଼ିଶାର କୋଣ ଅନୁକୋଣରେ ଭରି ରହିଛି ଅନେକ କିଛି ଜଣା ଅଜଣା ସଂପଦ । ଏହି ପ୍ରଦେଶ ପରିଚୟ ଦେଇଛି ଅସାଧାରଣ ଜ୍ଞାନ ଓ ଦକ୍ଷତାର ।
ବ୍ରହ୍ମପୁର ହେଉଛି ଏହି ଓଡ଼ିଶାର ସଂସ୍କୃତିକ ତଥା ଐତିହାସିକ ପ୍ରାଣକେନ୍ଦ୍ର । ଇତିହାସର ପୃଷ୍ଠା ଖୋଲିଲେ ଜଣାପଡ଼େ ଏହି ଅଞ୍ଚଳରେ ଘଟିଥିବା ଅନନ୍ୟ କୃତି ତଥା ଘଟଣାବଳୀ । ନିଜର ସଂସ୍କୃତି ତଥା ପରମ୍ପରାକୁ ବଜାୟ ରଖିଥିବା ଏହି ଅଞ୍ଚଳ ସୃଷ୍ଟି କରିପାରିଛି ଅନେକ ଅସାଧ୍ୟ କାର୍ଯ୍ୟ । ଆଜି ମଧ୍ୟ ସକାଳୁ ସକାଳୁ ଘର ସାମନାରେ ଝୋଟି ଚିତା ଆଙ୍କୁଥିବା ଏହି ଅଞ୍ଚଳରେ ଦିନେ ଗଢ଼ିଉଠିଥିଲା ଓଡ଼ିଶାର ପ୍ରଥମ ସିନେମାହଲ୍ ରାମଲିଙ୍ଗମ୍ ଟଙ୍କ ରୋଡ଼ ନିକଟରେ । ଆଜି କେବଳ ସେହି ଅଞ୍ଚଳର ସ୍ମୃତି କୁ ଛାଡିଦେଲେ ଆଉ କିଛି ନାହିଁ ।
ଓଡ଼ିଶାର ପ୍ରଥମ ସିନେମାହଲ୍ ଶ୍ରୀ ସୀତାରାମ ବିଳାସ (SSV) ଟକିଜ୍ ଆଜି ଇତିହାସର ଗର୍ଭ ଗୃହରେ । ୧୯୨୭ ମସିହାରେ ଧଳା ପରଦାଟଣା ଯୁଗରେ ମୁଣ୍ଡ ଟେକିଥିଲା ଏହି ସିନେମା ହଲ୍ । ୧୯୯୯ ମସିହା ବାତ୍ୟା ଯୋଗୁଁ ଭାଙ୍ଗି ପଡିଥିବା ଏହି ହଲ୍ ଆଉ ଥରେ ମୁଣ୍ଡ ଟେକି ପାରିନଥିଲା ଏବଂ ଏହି ବାତ୍ୟା କୁ ସାଥ୍ ଦେଇଥିଲା ରାଜ୍ୟ ରେ ସେ ସମୟରେ ଦେଖାଦେଇଥିବା ସିନେ ଶିଳ୍ପର ସଙ୍କଟ । ଓଡ଼ିଶା ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ରୁଗଣ ଏହି ସ୍ଥାନ ।
୧୯ ଫେବୃଆରୀ ୧୯୧୧ ମସିହାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାଡ୍ରାସର ଇଞ୍ଜିନିୟରିଂ ସଂସ୍ଥା RCA Company ଏହାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଏଥିରେ ଲାଗିଥିଲା ଲଣ୍ଡନର ଧ୍ବନି ପ୍ରଣାଳୀ । ସିନେ ଜଗତରେ ଋଚି ରଖୁଥିବା ଶ୍ରୀ ଏ. ବି ଚେଟ୍ଟି ଏହି ସିନେମା ପ୍ରେକ୍ଷାଳୟ ନିର୍ମାଣ କରିଥିଲେ । ତତ୍କାଳୀନ ମାଡ୍ରାସ ପ୍ରେସିଡେନ୍ସି ଅନ୍ତର୍ଭୂକ୍ତ ଏହି ସ୍ଥାନ ହୋଇଉଠିଥିଲା ସିନେମା ପ୍ରେମୀଙ୍କ ଅତି ଆଦରର । ଶ୍ରୀ ଦାଦା ସାହେବ ଫାଲକେଙ୍କ ଦ୍ଵାରା ନିର୍ମିତ ଭାରତର ପ୍ରଥମ ନିର୍ବାକ ଚଳଚ୍ଚିତ୍ର ରାଜା ହରିଶ୍ଚନ୍ଦ୍ର ଏଠାରେ ପ୍ରଦର୍ଶିତ ହୋଇଥିଲା । ଏହା ଛଡ଼ା ଅନେକ ତେଲୁଗୁ ଡ୍ରାମା ମଧ୍ୟ ମଞ୍ଚସ୍ଥ ହେଉଥିଲା । ଶ୍ରୀ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଦ୍ଵାରା ନିର୍ମିତ ପ୍ରଥମ ଓଡ଼ିଆ ସିନେମା ସୀତା ବିବାହ ହଲର ପ୍ରତିଷ୍ଠା ହେବାର ୭ ବର୍ଷ ପରେ ତଥା ସୀତାବିବାହ ରିଲିଜ ହେବାର ୫୬ ଦିନ ପରେ ଏଠି ପ୍ରଦର୍ଶିତ ହୋଇଥିଲା ।
               
ପ୍ରଥମେ ଏକ ନଡ଼ା ଛପର ଘରେ ଚଟାଣରେ ସାଧାରଣ ଦର୍ଶକ ଏବଂ ପଛ ଧାଡ଼ିରେ ଧନୀକ ଶ୍ରେଣୀର ଲୋକଙ୍କ ପାଇଁ ପଡ଼ିଥିଲା କିଛି ଚଉକି । ଅନେକ ଲୋକ ଗୋପାଳପୁରର ଭ୍ରମଣ ସହିତ ମଜା ନେଇଛନ୍ତି ସିନେମାର ଏହି ସ୍ଥାନରୁ । ଏହି ସ୍ଥାନରୁ ନିଜକୁ ବଞ୍ଚେଇ ପାରି ନାହାଁନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବ୍ରହ୍ମପୁର ବାସିନ୍ଦା ଶ୍ରୀ ଭି ଭି ଗିରି । ଅନେକ ଥର ସିନେମା ଦେଖିବା ପାଇଁ ସେ ଆସିଥିଲେ ଏହି ହଲ୍’କୁ ।ନିର୍ବାକ ଚଳଚ୍ଚିତ୍ର ସମୟରେ ଜଣେ କରୁଥିଲେ ରନିଂ କମେଣ୍ଟ୍ରି, ପରଦାରେ ପ୍ରଦର୍ଶିତ ଘଟଣାକୁ ନାଟକୀୟ ଠାଣିରେ ସେ କରୁଥିଲେ ପରିବେଷଣ ଉପସ୍ଥିତ ଦର୍ଶକଙ୍କ ସାମ୍ନାରେ । ଏଠାରେ ଏକ ଉଲ୍ଲେଖନୀୟ ଘଟଣା ଘଟୁ ଥିଲା ଯେତେବେଳେ ଲୋକେ ଏଠାରେ ଭିଡ଼ ଜମାଉ ଥିଲେ ଶ୍ରୀ ଶିବା ରାଓ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ତେଲୁଗୁ ଭାଷାରେ ସଂଳାପ (ଡାଇଲଗ)  ଶୁଣିବା ପାଇଁ । ସେତେବେଳର ଓଡ଼ିଶା ସରକାରଙ୍କ ଆଇନ୍ ଅନୁଯାୟୀ ବର୍ଷକ ୯୦ ଦିନ ଓଡ଼ିଆ ସିନେମା ପ୍ରଦର୍ଶନ କରିବା ଥିଲା ବାଧ୍ୟତାମୂଳକ । ଏହା ଯୋଗୁଁ ଏଠାରେ ଅନେକ ଓଡ଼ିଆ, ତେଲୁଗୁ, ହିନ୍ଦୀ ଭାଷାଭାଷୀ ସିନେମା ପ୍ରଦର୍ଶିତ ହୋଇଛି ଏବଂ ଏଠାରୁ ମିଳନ ତଥା ସଂପର୍କ ଯୋଡ଼ା ହୋଇଛି ଅନେକ ଭାଷାଭାଷୀଙ୍କ ମଧ୍ୟରେ ।
           
ଦିନ ଥିଲା ସେତେବେଳେ କଲିକତା ଏବଂ ବିଶାଖାପାଟଣା ସହର ମଧ୍ୟରେ ଗୋଟିଏ ବି ସିନେମା ହଲ୍ ନ ଥିଲା ଏବଂ ଏହି ପରମ୍ପରା ଏବଂ କୀର୍ତ୍ତିକୁ ଭାଙ୍ଗିଥିଲା S.S.V.T. । ଏହି ହଲର ମାଲିକ ଥିଲେ ଶ୍ରୀ ଭୂତିଆ ସେଠି ଏବଂ ସାଧାରଣ ଲୋକେ ଏହାକୁ ଭୂତିଆ ସେଠୀ ହଲ୍ ବା ଭୂତିଆ ସେଠୀ ପେଣ୍ଡାଲ ଭାବରେ ଜାଣିଥିଲେ । ଏଠାରେ ଚଳଚ୍ଚିତ୍ର ଦେଖିବା ପାଇଁ ଗାଁ ମାନଙ୍କରୁ ଲୋକେ ଶଗଡ଼ରେ ଆସୁଥିଲେ । ଏକଦା ଚାଳଘରେ ତେଲୁଗୁ ଡ୍ରାମାକୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରେକ୍ଷାଳୟରେ ଭାରତର ପ୍ରଥମ ନିର୍ବାକ ଚଳଚ୍ଚିତ୍ର “ରାଜା ହରିଶ୍ଚନ୍ଦ୍ର” ଏବଂ ଦେଶର ପ୍ରଥମ ସବାକ ଚଳଚ୍ଚିତ୍ର “ଆଲାମ୍ ଆରା” ପ୍ରଦର୍ଶିତ ହୋଇଥିଲା ।
 
କିଛି ବର୍ଷ ପୁରୁଣା ଜ୍ଞାନକୌଶଳରେ ଏହି ପ୍ରେକ୍ଷାଳୟ  ଚାଲିବା ପରେ ଏଠାରେ ଆଧୁନିକତାର ଛିଟା ଦେଖିବାକୁ ମିଳିଥିଲା । ପୁରୁଣା ପ୍ରୋଜେକ୍ଟର, ଯନ୍ତ୍ର ବଦଳରେ ଇଂଲଣ୍ଡରୁ ଆସିଥିଲା ନୂତନ ଯନ୍ତ୍ରପାତି ତଥା ସାର ସରଞ୍ଜାମ । ନଡ଼ା ଛପର ଘରେ ସ୍ଥାନ ପାଇଲା କଂକ୍ରିଟ ହଲ୍ ‌। ୬୦୦ ଆସନ ମଧ୍ୟରେ ସୀମିତ ହେଲା ଆସନ ସଂଖ୍ୟା ଏବଂ ଯୋଗାଇଥିଲା ଅଧିକ ସୁବିଧା । ଅନେକ ଲୋକ ଏଠାରେ ବାଲି ଗଦା ଉପରୁ ମଧ୍ୟ ଏଠାରେ ସିନେମା ଦେଖିଛନ୍ତି ଏବଂ ତାହାର ଅନନ୍ୟ ଅନୁଭୂତି ରହିଥିଲା । ଅନ୍ୟାନ୍ୟ ସିନେମା ହଲ୍ ଭଳିଆ ଏଠାରେ ମଧ୍ୟ ଆଗ ଧାଡିର ବା ତୃତୀୟ ଶ୍ରେଣୀ ଟିକେଟ ମୂଲ୍ୟ ୫୦ ପଇସା, ମଝି ଧାଡ଼ି ବା ଦ୍ବିତୀୟ ଶ୍ରେଣୀ ଟିକଟର ମୂଲ୍ୟ ୭୫ ପଇସା ଏବଂ ଉପର ଧାଡ଼ିରେ ବା ପ୍ରଥମ ଶ୍ରେଣୀ ଟିକଟର ମୂଲ୍ୟ ଥିଲା ୧ ଟଙ୍କା ।
୧୯୯୯ ମହାବାତ୍ୟା ତଥା ବ୍ୟବସାୟିକ ପ୍ରତିଯୋଗିତା ଯୋଗୁଁ ସତ୍ତା ହରାଇଥିଲା ଓଡ଼ିଶାର ପ୍ରଥମ ସିନେମାହଲ୍ ପରି ଐତିହାସିକ ସ୍ଥାନକୁ । କିନ୍ତୁ ଏହା ସରକାରୀ ଉଦାସୀନତାର ଫଳ ବୋଲି କହିଥାନ୍ତି ସ୍ଥାନୀୟ ବାସିନ୍ଦା । କହନ୍ତି ସରକାର ଚାହିଁଥିଲେ ପୁନରୁଦ୍ଧାର ହୋଇପାରିଥାଆନ୍ତା ଏହି ଐତିହାସିକ ସ୍ଥାନ । ବ୍ରହ୍ମପୁର ସହର କେବଳ ହରାଇ ନାହିଁ କିଛି କୋଠାବାଡ଼ି ବରଂ ଏହି ସହର ହରାଇଛି ଅନେକ ବର୍ଷର କୀର୍ତ୍ତି, ସ୍ମୃତି ତଥା ଆବେଗର ଅନୁଭୂତି ।
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago