ଉପସ୍ଥାପନା: ଦେଵ ତ୍ରିପାଠୀ
ଗଭୀର ବୈଷ୍ଣବତତ୍ତ୍ଵ ସମ୍ବଳିତ ଗ୍ରନ୍ଥ ଆମରି ଓଡ଼ିଆ ଭାଗବତ । ସମାଜରେ ସଂହତି, ସମନ୍ୱୟ ରକ୍ଷାରେ ଏହାଠାରୁ ବଳି ବଡ଼ ସାଧନ ଅତୀତ କାଳରେ କିଛି ନ ଥିଲା । ବ୍ୟାସଦେବକୃତ ସଂସ୍କୃତ ବ୍ୟତୀତ ପୂର୍ବରୁ ଅର୍ଥାତ୍ ଷୋଡ଼ଶଶତାବ୍ଦୀ ପୂର୍ବରୁ, ଅନ୍ୟଭାଷାରେ ଭାଗବତ ନ ଥିଲା । ସଂସ୍କୃତ ଭାଷାର ଭାଗବତ ସାଧାରଣଲୋକଙ୍କ ପାଇଁ ସେତେ ବୋଧଗମ୍ୟ ନ ଥିବା ଏବଂ ସାଧାରଣ ପାଠୁଆ ଅପାଠୁଆ ସଭିଙ୍କୁ ସୁହାଇଲା ପରି ମାତୃଭାଷାରେ ଭାଗବତ ରଚନା କରିଥିଲେ ପଣ୍ଡିତ ଜଗନ୍ନାଥ ଦାସ ।
ବହୁ ଅନ୍ତରାୟ ସତ୍ତ୍ଵେ ଦ୍ଵାଦଶସ୍କନ୍ଧ ବିଶିଷ୍ଟ ମହାଗ୍ରନ୍ଥ ଭାଗବତ ପ୍ରଚାର ଓ ପ୍ରସାର ଲାଭକଲା ଉତ୍କଳ ଭୂଖଣ୍ଡରେ । ଅଷ୍ଟାଦଶ ପୁରାଣର ସାରତତ୍ତ୍ୱ ନିହିତ ରହିଲା ସେଇ ବାରସ୍କନ୍ଧୀ ଭାଗବତରେ । ଗ୍ରାମେ ଗ୍ରାମେ ଭାଗବତ ପାଠ ପାଇଁ ଦେଖାଗଲା ଅହେତୁକ ଆଗ୍ରହ ଓ ସ୍ଥାପିତ ହେଲା ଭାଗବତ ଟୁଙ୍ଗୀ ବା ଘର ।
ଷୋଡ଼ଶ ଶତାବ୍ଦୀରୁ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଓଡ଼ିଶା ତଥା ଅନ୍ୟ କେତେକ ରାଜ୍ୟର ସାମାଜିକ ଚଳଣିର, ଗ୍ରାମ୍ୟ ଜୀବନଧାରାର ଏକ ନିୟାମକ କେନ୍ଦ୍ର ଭାବେ ଉଭା ହେଲା ଭାଗବତ ଟୁଙ୍ଗୀ । ଲାଭକ୍ଷତି, ନ୍ୟାୟନିଶାପ, ବିବାହବ୍ରତ ପାଇଁ ସମୟ ନିର୍ଘଣ୍ଟ ସମେତ ସାମାଜିକ ଜୀବନ ସହିତ ଓତଃପ୍ରୋତଭାବେ ଜଡ଼ିତ ଅଧିକାଂଶ ପ୍ରସଙ୍ଗର ନିର୍ଦ୍ଧାରଣ କେନ୍ଦ୍ର ଥିଲା ଭାଗବତ ଟୁଙ୍ଗୀ । ସେଠି ସନ୍ଧ୍ୟା ହେଲା ମାତ୍ରେ ଆଶା, ଆନନ୍ଦ ଓ ବିଶ୍ୱାସର ଦୀପଟିମାନ ଜଳି ଉଠିଲେ । ସେଇ ଭାଗବତ ଟୁଙ୍ଗିକୁ ଆଶ୍ରା କରି, ପଦମାନଙ୍କୁ ହୃଦୟରେ ପରମ ସତ୍ୟ ବୋଲି ଧାରଣ କରି ଓଡ଼ିଆଜାତି ତା’ର ନବଜାଗରଣର ନିର୍ଦ୍ଧାରିତ ମୁହୂର୍ତ୍ତ ପର୍ଯ୍ୟନ୍ତ ତା’ ଆତ୍ମା ଭିତରେ ଗୁଞ୍ଜରିତ ହେଲା । ମୃତ୍ୟୁର ସମସ୍ତ ଲକ୍ଷଣ ସତ୍ତ୍ଵେ ବି ସେ ମରିଲା ନାହିଁ । ବରଂ ଭାଗବତକାର ହେଲେ ସର୍ବଜନବିଦିତ – ‘ଅତିବଡ଼ି’ ।
ଭାଗବତ ଟୁଙ୍ଗି ଗୁଡ଼ିକ ଜରିଆରେ ସାମୂହିକ ଭାବେ ପାଠସାଙ୍ଗକୁ ବିଭିନ୍ନ ସ୍ଥାନରେ ‘ଭାଗବତ ଗାଦି’ମାନ ସୃଷ୍ଟି ହେଲା । ଭାଗବତ ଓ ଭାଗବତକାର ଉଭୟ ପାଇଲେ ଦେବତାର ଆସନ – ଧର୍ମପ୍ରିୟ ଓଡ଼ିଆଙ୍କ ମାନସପଟରେ । ସେଇ ଗଦିରେ ଯେ କେବଳ ଭାଗବତ ପୋଥି ପୂଜା ପାଇଲେ ତାହା ନୁହେଁ, ତାହା ପରିଗଣିତ ହେଲା ପୂଣ୍ୟ କାର୍ଯ୍ୟ ଭାବରେ । ଭାଦ୍ରବମାସରେ ପାଳନ ହେଲା ‘ଭାଗବତ ଜନ୍ମ’, ଆଉ ପୋଥିଗୁଡିକୁ ନେଇ କରାଗଲା ‘ଭାଗବତ ମେଳଣ’ ଏବଂ ସେସବୁ ବନିଗଲା ଉତ୍କଳୀୟ ଗ୍ରାମୀଣ ଜୀବନର ଏକ ଅଭିନ୍ନ ପରମ୍ପରା ।
ସମୟ ଆସିଲା, ଓଡ଼ିଆ ଭାଗବତର ଭାବ ଏବଂ ତତ୍ତ୍ଵ ଉତ୍କଳ ଭୂଖଣ୍ଡର ସୀମା ଅତିକ୍ରମି ପ୍ରସାରିତ, ବ୍ୟାପ୍ତ ଓ ଆଦୃତ ହେଲା ଚୈତନ୍ୟଙ୍କ ମାଟି ବଙ୍ଗଳାରେ, ବୌଦ୍ଧଧର୍ମର ମାଟି ବିହାରରେ । ବଙ୍ଗଳା ଲିପିରେ ଓ ଦେବନାଗରୀ ଲିପିରେ ଓଡ଼ିଆ ଭାଗବତ ରଚିତ ହୋଇ ନିୟମିତ ପାଠ କରାଗଲା ବଙ୍ଗଳାରେ ଏବଂ ବିହାରରେ । ପରେ ସନାତନ ବିଦ୍ୟାବାଗୀଶ ନାମ୍ନୀ ଉତ୍ତର ଉତ୍କଳୀୟ କବି ହିଁ କରିଥିଲେ ଓଡିଆ ଭାଗବତର ବଙ୍ଗଳାନୁବାଦ । ଏଇ ପରମ୍ପରାର ପ୍ରଭାବରେ ଶଙ୍କର ଦେବ ପ୍ରଚଳନ କରିଥିଲେ ‘ନାମଘର’ ସଂସ୍କୃତି, ଆସାମରେ ।
ଭାଗବତର ପ୍ରସାର ଓ ଲୋକପ୍ରିୟତା ବୃଦ୍ଧି ପାଇଥିଲେ ମଧ୍ୟ କିଛି ବ୍ୟକ୍ତି ହୋଇଉଠିଥିଲେ ଅସହିଷ୍ଣୁ, ଲେଖିଥିଲେ ଅସଂଖ୍ୟ ଭାଗବତ, ନୂଆ ଢଙ୍ଗରେ । ଅଥଚ ପଣ୍ଡିତ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ଲାଳିତ୍ୟ ଓ ସାବଲୀଳତା ଆଗରେ ମ୍ଳାନ ପଡିଯାଇଥିଲେ ସମସ୍ତେ । ଇର୍ଷା ଓ ଅସୂୟା ଭାବରୁ ସୃଷ୍ଟ ସେଇ ଭାଗବତଗୁଡିକୁ ନା ମିଳିଥିଲା ଓଡିଆଙ୍କ ସମର୍ଥନ ନା ଜଗନ୍ନାଥଙ୍କ ଆଶୀର୍ବାଦ ।
ବହୁ ଇର୍ଷା, ବିଦ୍ଵେଷ, ଅସୂୟା ସତ୍ତ୍ୱେ ସାମାଜିକ ଆବେଦନ ଦୃଷ୍ଟିରୁ ପଣ୍ଡିତ ଜଗନ୍ନାଥ ଦାସଙ୍କ ଭାଗବତ ଥିଲା ଅନନ୍ୟ । ସାମାଜିକ ନୀତି, ଚାଲିଚଳଣିର ପ୍ରତ୍ୟେକ ବିଭବକୁ ପ୍ରଭାବିତ କରିଆସୁଥିଲା ଓଡ଼ିଆ ଭାଗବତ ।
“ଅମୃତ ବିନୟ ବଚନ,
କହି ତୋଷିବ ପ୍ରାଣୀମନ”, ହେଉ ଅବା
“ବୁଦ୍ଧି, ବିବେକ ଜ୍ଞାନ ବଳେ,
ମରଣ ଜିଣିପାରେ ହେଳେ . . “
ସବୁଠି ରହିଛି ସେଇ ଜୀବନର ଆବେଦନ, ଯାହା ପ୍ରଭାବିତ କରୁଛି ଉଚ୍ଚ ମାନବୀୟ ଶକ୍ତିକୁ ।
“ପ୍ରାଣୀକି ନ କରିବ ଭିନ୍ନ,
ଦେଖିବ ସକଳ ସମାନ” ଦର୍ଶାଇ ଭାଗବତକାର ସାଢେ ତିନି ଶତାବ୍ଦୀ ତଳୁ ସାମ୍ୟର ଗାଥା ଗାଇଚାଲିଛନ୍ତି ଉତ୍କଳ ଭୂଖଣ୍ଡରେ ।
“ସତ୍ୟ, ଅହିଂସା, ଦୟା, କ୍ଷମା,
ଏସବୁ ବିଷ୍ଣୁଙ୍କ ମହିମା” ପରି ଭକ୍ତିରେ ଧ୍ୱନିତ ହୋଇଛି ଉଚ୍ଚ ଆଦର୍ଶର ଧାରା ।
ଭାବଗର୍ଭକ ବୈଷ୍ଣବତତ୍ତ୍ଵ ହିଁ ସଂକ୍ଷେପରେ ‘ଭାଗବତ’ । ଏଇ ଭାଗବତର ପ୍ରଚାର ଓ ପ୍ରସାର ମାଧ୍ୟମରେ ଯେଉଁ ଆଧ୍ୟାତ୍ମିକ ବାର୍ତ୍ତା ସର୍ବତ୍ର ପ୍ରଚାରିତ ହୋଇଆସିଛି, ତା’ର ମହତ୍ତ୍ଵକୁ ଉପଲବ୍ଧି କରିବାର ଆବଶ୍ୟକତା ରହିଛି, ଅଧିକରୁ ଅଧିକ । ଭାଗବତର ଚର୍ଚ୍ଚା ସାମାଜିକ ବିଦ୍ୱେଷ ଦୂର କରି ସଂହତି ଓ ସମନ୍ୱୟ ଭାବ ପ୍ରତିଷ୍ଠାରେ ଏକାନ୍ତଭାବେ ସହାୟକ – ଏହା ଦୃଢ଼ତାର ସହ କୁହାଯାଇପାରେ ।
ମୂଳ ଲେଖା: ସଚିତ୍ର ବିଜୟା