ଲେଖା: ଦେଵ ତ୍ରିପାଠୀ
ଚୌଧୁରୀ ବଂଶର ଜରାଜୀର୍ଣ୍ଣ, କୀଟଦଂଶ ଅତୀତକୁ ନେଇ ରଘୁନାଥ ବଡ଼ଭାଇ ଲୋକନାଥ ସାନଭାଇ ବନବିହାରୀ ଆଜି ଜୀଉଁଛନ୍ତି ହତଭାଗାର ଜୀବନ ! ଦଇବର ଦାଉ ସାଧିବାରେ ଶେଷ ନାହିଁ ! ବଡ଼ଭାଇ ସାନଭାଇ ଉଭୟ ନିଃସନ୍ତାନ ! ରଘୁନାଥଙ୍କ ଝିଅଟିଏ ! ପରିବାରର ସଭିଙ୍କ ସ୍ନେହଶ୍ରଦ୍ଧାର ପାତ୍ରୀ ସେଇ ଝିଅ କୁମୁଦ !
ଏ ବେଳରେ ରଘୁନାଥଙ୍କ ପତ୍ନୀ ପାର୍ବତୀ ଦେବୀ ପୋଖତୀ ! ସଭିଙ୍କର ଆଶା ପୁଅଟିଏ ହେଉ, କୁଳପ୍ରଦୀପ ଆସୁ !
ଗାଁ ର ପୁରୁଖା ଲୋକେ ବି କହିଛନ୍ତି, ମଝିଆ ସାଆନ୍ତାଣୀଙ୍କ ଦ୍ଵିତୀୟ ଗର୍ଭକୁ ପୁଅଟିଏ ହବ ପରା ! ରଘୁନାଥଙ୍କ ମା’ ସଞ୍ଜସକାଳେ ଦଧିବାମନଙ୍କୁ ମୁଣ୍ଡିଆଟେ ମାରନ୍ତି, ଏ ବଂଶ ତୋ’ର, ତୁ ହିଁ ରଖିବୁ !
ଦଧିବାମନଙ୍କ କରୁଣା ! ସେଦିନ ଥିଲା ୧୮୪୮ ସନ୍, ଜ୍ୟେଷ୍ଠ କୃଷ୍ଣପକ୍ଷ ଏକାଦଶୀ, ମଙ୍ଗଳବାର, ଇଂରାଜୀ ଏପ୍ରିଲ ମାସ, ୨୮ ତାରିଖ ।
ଉତ୍କଳଭୂମିର ଇତିହାସରେ ସେ ଥିଲା ସର୍ବୋତ୍କୃଷ୍ଟ ଦଣ୍ଡ, ଶ୍ରେଷ୍ଠତମ ଲଗ୍ନ। ସବୁଦିନ ପରି ସତ୍ୟଭାମାପୁର ଶାସନର ସେ ଦିନଟି ମଧ୍ୟ ଥିଲା ଶାନ୍ତସ୍ନିଗ୍ଧ । ସବୁଠାରେ ସୁନ୍ଦର ପ୍ରାକୃତିକ ପରିବେଶର ରାଜୁତି ଏବଂ କୃଷିକ୍ଷେତ୍ର, ବନାନୀ ସବୁଜିମା ଆଚ୍ଛାଦିତ। ଜୀବନ ଚଳଚଞ୍ଚଳ। ସହୃଦୟତାର ସୁବର୍ଣ୍ଣ ଫାଶରେ ଆବଦ୍ଧ ନରନାରୀଗଣ।
ଆନନ୍ଦମୟ ମୂହୁର୍ତ୍ତ ! ହସି ଉଠୁଚି ଅବନୀ। ଆକାଶରେ ଜ୍ୟେଷ୍ଠର ଗର୍ବିତ ସୂର୍ଯ୍ୟ !
ପାର୍ବତୀ ଦେବୀ ଏବେ ପ୍ରସୂତିଘରେ ! ରଘୁନାଥଙ୍କ ମନ ଆଜି ଉଚ୍ଚାଟ ! ମନ୍ଦ ମନ୍ଦ ଉଷ୍ମ ସମୀରଣର ସ୍ପର୍ଶ ଆହୁରି ରୋମାଞ୍ଚିତ, ପୁଲକିତ କରୁଛି ମନକୁ। ରସକୁଣ୍ଡ ପୋଖରୀ କଡ଼ ଆମ୍ବଗଛରୁ ଚଢ଼େଇଙ୍କର କିଚିରିମିଚିରି ଧିରେ ଧିରେ ଯେମିତି ଘୋଷଣା କରୁଛି ଏକ ମଙ୍ଗଳମୟ ମୂହୁର୍ତ୍ତ ! ବ୍ୟାକୁଳ ଆଜି ମନ, ଶୁଣିବାକୁ ସେଇ ମଙ୍ଗଳମୟ ବାର୍ତ୍ତା !
ସମୟ ଦିନ ୧୧ଟା ୨୮ ମିନିଟ୍ !
ସବୁ ଆବେଗକୁ ଭଙ୍ଗ କରି ସାଆନ୍ତେଙ୍କ କାନରେ ହଠାତ ବାଜିଲା କୌଣସି ଏକ ଧାଈଙ୍କର ଉତଫୁଲ୍ଲିତ କଥା, “ଚୌଧୁରୀ ବଂଶରେ ପୁଅଟିଏ ହେଲା, ଧନ୍ୟ ହେଲେ ମଝିଆ ସାଆନ୍ତାଣୀ !” ସେଇ କଥାପଦକ ଯେପରି ଥିଲା ଜୀବନର ଶ୍ରେଷ୍ଠ, ଆନନ୍ଦମୟ, ଆତ୍ମପ୍ରତ୍ୟୟର ସମାଚାର, ରଘୁନାଥଙ୍କ ପାଇଁ !
ରଘୁନାଥଙ୍କର ଆଜି ହାତମୁଠାରେ ଆକାଶ ! ଚଉଦମାଣ ଚକ ଉପରେ ମଉଡମରା ସାତଶେଣିଆ ହାତୀଶାଳପରି ଖଞ୍ଜାଘର, ପଥରପିଣ୍ଡା, ପାହାଚ, ଘୋଡ଼ାଶାଳ, ପ୍ରତିବର୍ଷ ଉଚ୍ଚତାରେ କମି କମି ଆସୁଥିବା ଧାନମରେଇ, ରସକୁଣ୍ଡ ପୋଖରୀ, କନକଦଣ୍ଡା ଦୀଘୀ, ନଡ଼ିଆ ମାଳ, ଆମ୍ବତୋଟା, ଅମାର ସବୁ ଯେମିତି ଆଜି ଜୀଇଁ ଉଠିଛନ୍ତି !
କୋଟିନିଧି ପାଇଛନ୍ତି ଚୌଧୁରୀଏ !
ତେଣେ ଏ ସୁସମାଚାର ଆଗକୁ ଆଗକୁ ବ୍ୟାପ୍ତ, ଦଶଖଣ୍ଡ ମଉଜାରେ ! ଯାଉଣୁଆସୁଣୁ ଗାଁ ଲୋକେ ବଧାଇ ଜଣାଇଲେଣି ଚୌଧୁରୀଙ୍କୁ ! ଚୌଧୁରୀ ଆଜି ଗର୍ବିତ ପିତା, ସାତପୁରୁଷୀ ଜମିଦାର ବଂଶର କୁଳପ୍ରଦୀପର !
ନବଜାତ ଶିଶୁପୁତ୍ରର ଏକୋଇଶିଆ ହେବ । ରଘୁନାଥଙ୍କ ମା’ଙ୍କ ଇଚ୍ଛା, ଦଶଖଣ୍ଡ ମୁଲକର ଶାସନୀ ବ୍ରାହ୍ମଣ ବରଣ ହୋଇ ଆସିବେ, ଜ୍ଞାତିଭାଇ ଖାଇବେ, ଜମିଦାରୀ ନ ଥିଲେ ସୁଦ୍ଧା ଗତାୟୁ ଜମିଦାରୀର ପ୍ରଜାପାଟକ ଦାଣ୍ଡରେ ପତ୍ର ପକାଇବେ, ସତ୍ୟନାରାୟଣ ପାଲା ହେବ । ଆଉ କିଛି କର ନ କର ନିକୁଛରେ ଏତିକି !
ତେଣେ ପତ୍ନୀ ପାର୍ବତୀ ଦେବୀଙ୍କ ଅଳି, ପୂର୍ବକଚ୍ଛ ଓଡାସିଂପୁରୁଷୋତ୍ତମପୁର ଶାସନ ଆଦି ନିକଟବର୍ତ୍ତୀ ଯେଉଁଠି ଯେତେ ଲକ୍ଷ୍ମୀନୃସିଂହ ଆଉ ଦଧିବାମନ ଅଛନ୍ତି, ଚାଟେଶ୍ୱର ପାର୍ବତୀଙ୍କ ଠାରୁ ଆଖପାଖରେ ଯେତେ କାଳୀଭଗବତୀ ଅଛନ୍ତି ସଭିଙ୍କ ପାଖରେ ପୂଜାମାର୍ଜଣା ହେବ । ଠାକୁରାଣୀ ମାନେ କଳାଶାଢୀ ପିନ୍ଧିବେ ।
ପାର୍ବତୀ ଦେବୀଙ୍କର ଏକାଜିଦ୍, “ସବୁ ଯାଉ, କିନ୍ତୁ ମହତ ଥାଉ” !
ତେବେ ଦାରିଦ୍ର୍ୟ ଓ ଅଭାବର କଷାଘାତରେ ଜୀଉଁଥିବା ଭାଗ୍ୟବିଡ଼ମ୍ବିତ ରଘୁନାଥଙ୍କ ପାଇଁ ଏତେ ସପନ ସତ କରିବାକୁ ସାଧ୍ୟ ନ ଥିଲା ! ତଥାପି ମା’ର ଇଚ୍ଛା, ପତ୍ନୀଙ୍କ ଅଳି, ଭାଇମାନଙ୍କ ଜିଦ୍, ନବଜାତ ଶିଶୁର ଏକୋଇଶିଆ ଆଖିଦୃଶିଆ ହେଉ !
ଏ ବେଳରେ ସାହସ ଦେଲେ ବଡ଼ଭାଇ ଲୋକନାଥ । ସଭିଙ୍କ ଯେତେବେଳେ ଇଚ୍ଛା, ନ କଲେ ପିଲାର ଅମଙ୍ଗଳ ହେବ !
ବସ୍ତୁତଃ ସେଇଆ ହିଁ ହେଲା । ରଘୁନାଥ ଘୋଡ଼ା ଚଢ଼ି ଯାଇ ବହୁକୁଦର ବଙ୍ଗାଳୀ ଜମିଦାର ପାଖରେ ଗୁଜା ଲେଖିଦେଇ ଟଙ୍କା ଧରି ଆସିଲେ ! ମହାସମାରୋହରେ ବଢିଲା ଏକୋଇଶିଆ ଉତ୍ସବ ! ନାହାକ ଗଣାପୋଛା କରି ଜାତକ ପଢିଲେ, “*** ସ୍ବରାଶି ରେବତୀ (୨୭/୧୨) ମୀନ । ଜାତିରେ ଦେବଗଣ । ରାଶିନାମ ଦୟାନିଧି, ଦାମୋଦର, ଦୈତାରୀ । ଶ୍ରଦ୍ଧାନାମ ଗୋବିନ୍ଦ । ***”
ବ୍ରାହ୍ମଣେ ବିଦାୟ ନେଇ ଯିବାବେଳେ ଆଶୀର୍ବାଦ କରିଗଲେ, “ଅଷ୍ଟୋତ୍ତର ଶତ ସମ୍ବତ୍ସର ପରମାୟୁ ହେଉ . . !”
ଏକୋଇଶିଆ ଦିନ ଶିଶୁପୁତ୍ର ଏ କୋଳରୁ ସେ କୋଳ ହେଉଛି, କେତେ ବେଳକେ ଆସିଲା ମା’ ପାର୍ବତୀଙ୍କ କୋଳକୁ ! ଛାତିରେ ଜାକି ଧରିଲେ ପୁଅକୁ, ମନେପଡି ଯାଉଛି ନାହାକଙ୍କ କଥା ପଦକ, “ଏ ପୁଅ ଦିନେ ବଡ଼ ମଣିଷ ହେବ, ଅସାଧ୍ୟ ସାଧ୍ୟ କରିବ, କାଳକାଳକୁ ନାଁ ରଖିବ . . !”
ପୁତ୍ରଗର୍ବିଣୀ ମା’ ! ଆବେଗରେ ବହିଆସିଲା କେଇବୁନ୍ଦା ଲୁହ ଆଖିରୁ ! ପୁଅକୁ ବୋକ ଦେଲେ ପାର୍ବତୀ ଦେବୀ !
ଦଧିବାମନ ଦେଉଳର ଘଣ୍ଟି ବାଜି ଉଠିଲା ! ଜେଜେମା’ ହାତ ଯୋଡ଼ିଲେ ଇଷ୍ଟଠାକୁର ଦଧିବାମନଙ୍କୁ, ‘ଠାକୁରେ ମୋ ନାତିକୁ ଶଏ ଆଠ ବର୍ଷ ପରମାୟୁ ଦିଅ . . !’
ତରବର ହୋଇ ଉଠି ଚାଲିଗଲେ ରଘୁନାଥ, ଦିଅଁ ଘରେ ପହଡ଼ ପକାଇବାକୁ !
Spread the love
admin

View Comments

  • ଦେବ ଭାଇ! ମଧୁବାବୁଙ୍କୁ ନେଇ ଆପଣଙ୍କ ଲେଖା ଦେହରେ ଶିହରଣ , ଛାତିରେ ଗର୍ବର କୋହ ଓ ଆଖିରେ ଅସ୍ମିତାର ଆନନ୍ଦ ଅଶ୍ରୁ ଭରିଦେଉଛି | ଆପଣଙ୍କୁ ପ୍ରଣାମ | ଚତୁର୍ଥ ଭାଗକୁ ଚାତକ ଭଳି ଚାହିଁ ରହିଲି |

    • ଜୟ ଜଗନ୍ନାଥ ସାନଭାଇ, ବହୁତ ଖୁସି ଲାଗିଲା ଆପଣଙ୍କ ମତ ପଢି, ଅଶେଷ ଅଶେଷ ଧନ୍ୟବାଦ I ମଧୁବାବୁଙ୍କ ଉପରେ ପର ଭାଗଟି ପ୍ରସ୍ତୁତ ଚାଲିଛି, october ୨ୟ ସପ୍ତାହରୁ ନିୟମିତ ଉପସ୍ଥାପନ ହେବ I

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

4 hours ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago