ଲେଖା: ଦେଵ ତ୍ରିପାଠୀ
ବିରୂପା ନଦୀକୂଳରେ ଯେଉଁ ମହିୟସୀ ନାରୀଙ୍କ ଆତ୍ମୋତ୍ସର୍ଗ ଯେ ସ୍ବାଧୀନ ତଥା ସ୍ବର୍ଣ୍ଣିମ ଉତ୍କଳ ଗଠନ ପାଇଁ ଅଭିପ୍ରେରିତ କରିଥିଲା, ସମ୍ପୃକ୍ତ ଅଞ୍ଚଳଟି ଓଡ଼ିଶାର ଭୋୖଗୋଳିକ ମାନଚିତ୍ରରେ ଗର୍ବିତ ସ୍ଥାନ ଅଧିକାର କରି ନଥିଲେ ମଧ୍ୟ ରାଜ୍ୟର ମହାର୍ଘ ଇତିହାସ ସହିତ ଚକଡା଼ପୋଥି ଏବଂ ମାଦଳାପାଞ୍ଜିରେ ପାଇଥିଲା ଗୌରବାବହ ସମୁଜ୍ଜ୍ୱଳ ପରିଚୟ ! କାଳର ଦିଗବଳୟରେଖାକୁ ଅତିକ୍ରମି ସେ ମାଟି ଥିଲା ନିଃସଙ୍ଗ ମହିମାରେ ସଦା ଦେଦୀପ୍ୟମାନ !
ପଞ୍ଚଦଶ ଶତାବ୍ଦୀ । ସୂର୍ଯ୍ୟବଂଶୀ ସମ୍ରାଟ ପୁରୁଷୋତ୍ତମ ଦେବ ରାଜଧାନୀ କଟକର ପ୍ରତିରକ୍ଷା ଦୃଷ୍ଟିରୁ ମହାନଦୀର ଉତ୍ତର ପାର୍ଶ୍ୱରେ ଅନ୍ୟ ଏକ ଶାସକୀୟ ବସତି ପ୍ରତିଷ୍ଠା ନିମନ୍ତେ ନିଷ୍ପତ୍ତି ନେଇ ଅନେକ ଶାସନ ଏବଂ ଖଣ୍ଡାୟତ ଚଉପାଢୀ ସ୍ଥାପନା କରିଥିଲେ । ସମ୍ରାଟ କପିଳେନ୍ଦ୍ର ଦେବଙ୍କ ସମୟରୁ ବଳବତ୍ତର ଥିବା ବଙ୍ଗାଳୀ ମୁସଲମାନ ନବାବମାନଙ୍କ ଶ୍ୟେନ ଦୃଷ୍ଟିରୁ କଟକକୁ ବଞ୍ଚାଇ ରଖିବା ନିମନ୍ତେ ପୁରୁଷୋତ୍ତମ ଦେବଙ୍କର ଏ ଥିଲା ଏକ ବଳିଷ୍ଠ ଯୋଜନା !
କାଞ୍ଚିବିଜୟରୁ ତନ୍ତ୍ରପୂଜିତ ଲକ୍ଷ୍ମୀନୃସିଂହଙ୍କୁ ଆଣିବା ପରେ ଶ୍ରୀମନ୍ଦିରରେ ତାଙ୍କ ପୂଜାର୍ଚ୍ଚନା ନିମନ୍ତେ ଅନୁକୂଳ ପରିବେଶର ଅଭାବ ଲକ୍ଷ୍ୟ କରି, କଟକଠାରୁ ଦଶ ମାଇଲ ଦୂରର ସେ ଅଞ୍ଚଳରେ ଦିଅଁଙ୍କୁ ସ୍ଥାପନା ପୂର୍ବକ ସେଠାରେ ଲକ୍ଷ୍ମୀନୃସିଂହ କ୍ଷେତ୍ର ପ୍ରତିଷ୍ଠା କରାଇଥିଲେ ପୁରୁଷୋତ୍ତମ ଦେବ । ଶତାଧିକ ପୁଷ୍କରିଣୀ ଖନନ ସହିତ ଅଗଣିତ ଲକ୍ଷ୍ମୀନୃସିଂହ ଏବଂ ଦଧିବାମନ ମନ୍ଦିରମାନ ପ୍ରତିଷ୍ଠା କରିବା ହେତୁ ସମ୍ପୃକ୍ତ ଅଞ୍ଚଳ ହିଁ ଓଡ଼ିଶାର ଆଧ୍ୟାତ୍ମିକ ଇତିହାସରେ ସୃଷ୍ଟି କରିଥିଲା ନୂତନ ଅଧ୍ୟାୟ !
ପୁରୁଷୋତ୍ତମ ଦେବଙ୍କ ଦ୍ଵାରା ପ୍ରତିଷ୍ଠିତ ସେଇ ଗ୍ରାମଗୁଡ଼ିକରୁ ମିଳୁଥିବା ଭଗ୍ନାବଶେଷ, ସେ କାଳର ସ୍ମୃତି ବହନ କରି ଧ୍ୱଂସର ବିସ୍ତୃତି ମଧ୍ୟରେ ଜୀବନ୍ତ ପ୍ରତ୍ନତାତ୍ତ୍ୱିକ ଅବଶେଷ ପରି, ଅଧୁନା ପ୍ରତୀୟମାନ; ଗ୍ରାମ ଗ୍ରାମରେ ଲକ୍ଷ୍ମୀନୃସିଂହ ଓ ଦଧିବାମନ ଦେଉଳମାନ ଜୀର୍ଣ୍ଣ, ଶୀର୍ଣ୍ଣ,ଭଗ୍ନ ହୋଇ ମଧ୍ୟ ସଦୃପ୍ତ ଦଣ୍ଡାୟମାନ !
ସେଇସବୁ ଐତିହାସିକ ସ୍ମୃତି-ପବିତ୍ରିତ ଗ୍ରାମଗୁଡିକ ମଧ୍ୟରେ ଅନ୍ୟତମ ଥିଲା ସତୀ କୃଷ୍ଣା ସା’ନ୍ତାଣୀଙ୍କ ଗ୍ରାମ ସତ୍ୟଭାମାପୁର ଶାସନ । ସେଇ ଗ୍ରାମର ପରିବେଶରେ ଥାଏ ଆଗଙ୍ଗାଗୋଦାବରୀ ବିସ୍ତୃତ ଉତ୍କଳ ସାମ୍ରାଜ୍ୟର ସ୍ବାଧୀନ ଗଜପତିମାନଙ୍କ ବୀରତ୍ୱ, ଶୌର୍ଯ୍ୟ, କୀର୍ତ୍ତିର ପ୍ରେରଣାମୟ ଆହ୍ୱାନ ! ପାର୍ଶ୍ଵବର୍ତ୍ତୀ ଗୋପୀନାଥପୁର ଶାସନର ବଳଦେବଜୀଉ ମନ୍ଦିରର ଶିଳାଲିପି ତୁହାଇ ତୁହାଇ ଘୋଷଣା କରେ ସ୍ବର୍ଣ୍ଣିମ ଉତ୍କଳ ସାମ୍ରାଜ୍ୟର ଶୌର୍ଯ୍ୟଦୀପ୍ତ ଗାରିମାକୁ:
“କର୍ଣ୍ଣଟୋଜ୍ଜାସସିଂହଃ କଳବରଗ ଜୟୀ
ମାନବ ଧ୍ୱଂସଶୀଳଃ,
ଜଂଘାଳୋ ଗୌଡ଼ମର୍ଦ୍ଦୀ ଭ୍ରମରବରୋ ନୃପ
ଧ୍ୱସ୍ତ ଦିଲୀନ୍ଦ୍ର ଗର୍ବଃ ।।”
ବୀରରାଜା ପୁରୁଷୋତ୍ତମ ଦେବଙ୍କ ବୀରୋଚିତ କରସ୍ପର୍ଶରେ ପଲ୍ଲବିତ ହୋଇଥିଲା ଯେଉଁ ଭୂମି, ସେଠାରେ ଉତ୍କୀର୍ଣ୍ଣ ହୋଇଥିଲେ ମଣିମଲ୍ଲ ନାମ୍ନୀ ଯୋଦ୍ଧା ! ସତ୍ୟଭାମାପୁର ଶାସନ ସମେତ ବିରୂପା ମହାନଦୀ ମଧ୍ୟଭାଗର ସେ ଭୂଖଣ୍ଡକୁ ବାହୁବଳରେ ମୁକୁଳାଇ କରିପାରିଥିଲେ ମୋଗଲମାନଙ୍କ ଲୋଲୁପ ଦୃଷ୍ଟିରୁ ! ଏକାକୀ ଲଢ଼ି ଲଢ଼ି !
ସତ୍ୟଭାମାପୁରର ଗାରିମା ପ୍ରତି ବୋଧହୁଏ ଇର୍ଷା କରୁଥିଲା ଦଇବ ! ସେ ଗାରିମାର ପ୍ରବାହ ମଣିମଲ୍ଲଙ୍କ ବଂଶଧର ସତୀ ମା’ କୃଷ୍ଣାଙ୍କ ପତି ଚୌଧୁରୀ ସୁଦର୍ଶନ ଦାସଙ୍କ ସମୟକୁ ବିବାକ ମଳିନ ! ଚୌଧୁରୀଏ ଇତିହାସର ନୂତନ ମୋଡ଼କୁ ଦଇବର ଅଲଂଘନୀୟ ବିଧାନ ଅବା କାଳର ଚାବୁକ ଆଘାତ ବୋଲି ସହିନେବାକୁ ଆରମ୍ଭ କରି ଦେଇଥିଲେ !
ଶତ୍ରୁ ବ୍ରିଟିଶ ଅଫିସରଙ୍କ ସହିତ ଧୂର୍ତ୍ତ ବଙ୍ଗାଳୀମାନଙ୍କ ମଧୁଚନ୍ଦ୍ରିକାରୁ ଜମିଦାରୀ ହରାଇଥିଲେ ସୁଦର୍ଶନଙ୍କ ପରି ସେ ଅଞ୍ଚଳର ସମସ୍ତ ଜମିଦାର ! ଚୌଧୁରୀଏ ଜମିଦାରୀ ହରାଇଥିଲେ ମଧ୍ୟ ଆଖପାଖ ଦଶଖଣ୍ଡ ମଉଜାରେ ଜମିଦାର ବୋଇଲେ ତାଙ୍କ ନାମ ଡ଼ାକ !
ସୈାଭାଗ୍ୟ-କର୍ପୂର ଉଡ଼ିଯାଇଥିଲେ ମଧ୍ୟ ଉକ୍ତ ସୁବାସ-ବିଜଡିତ ବସ୍ତ୍ରକୁ ନେଇ ଜୀଇବାର କଳା ଶିଖିଯାଇଥିଲେ ଚୌଧୁରୀଏ !
ଭାଙ୍ଗିପଡ଼ିବେ ପଛକେ ନଇଁବେ ନାଇଁ ! ସେ କମିଶନର୍ ହୁଅନ୍ତୁ କି କଟକର କେଉଁ ସୁବେଦାର୍ ହୁଅନ୍ତୁ !
ବର୍ଷକର ଅମଳ ପଛେ ନିଜ ଲୋକଙ୍କୁ ଅକୁଳାଣ ହେଉ ଦାନଧର୍ମରେ ଉଣା ନାଇଁ ! ଦାଣ୍ଡରୁ ଭିକାରୀ ଫେରିବେ ନାହିଁ ! ଚୌଧୁରୀଏ ଗରିବ ହୋଇଯିବେ ପଛେ ଛୋଟ ହେବେ ନାହିଁ ! ତାଙ୍କ ପରିବାର ପଛେ ଭୋକରେ ମରନ୍ତୁ, ପ୍ରଜାଏ ତାଙ୍କର ସୁଖରେ ଥା’ନ୍ତୁ !
ବଂଶ ପରିବାରର ପ୍ରମାଣୋତ୍ତର ଇତିହାସରୁ ଚୌଧୁରୀଏ ପାଉଥିଲେ ଜୀବନରେ ଶତ ସଙ୍କଟ ଓ ସଂଗ୍ରାମ ମଧ୍ୟରେ ବଞ୍ଚିରହିବା ପାଇଁ ଅଦ୍ଭୁତପୂର୍ବ ପ୍ରେରଣା ! ଯାହାର ଇତିହାସ ନାହିଁ, ବଂଶର ଗାରିମା ନାହିଁ, ସେ ସବୁ ଥାଇ ବି ନିଃସ୍ୱ ! ରିକ୍ତହସ୍ତ ଚୌଧୁରୀ କିନ୍ତୁ ଥିଲେ ପ୍ରାଣରେ, ଚେତନାରେ, ଆବେଗରେ ମହାଧନୀ !
ତେବେ ଦଇବର ଆଘାତ ହେଲା ତୀକ୍ଷ୍ଣତର ! ଚୌଧୁରୀ ସୁଦର୍ଶନଙ୍କ ପୌତ୍ର ରଘୁନାଥ ଦାସଙ୍କ ସମୟକୁ ସେ ସୈାଭାଗ୍ୟ-କର୍ପୂର ସୁବାସ-ବିଜଡିତ ବସ୍ତ୍ର ମଧ୍ୟ ମଳିଚିଆ ହୋଇ ଆସିଲାଣି ! ସାତପୁରୁଷର ଜମିଦାରୀ ଆଜି ସାଧାରଣ ମଧ୍ୟବିତ୍ତ ଗୃହସ୍ଥର ଅବସ୍ଥାକୁ ଆସିଗଲାଣି ! ଚୌଧୁରୀ ବଂଶର ଅତୀତ ସେବେଳକୁ ଜରାଜୀର୍ଣ୍ଣ, କୀଟଦଂଶ !
ନିଜ ତେଲଲୁଣ ସଂସାରରେ ସୁଖଟିକକ ସାଉଁଟିବାକୁ ଆକ୍ତାମାକ୍ତା ଚୌଧୁରୀ ରଘୁନାଥ ! ଜରାଜୀର୍ଣ୍ଣ ଅତୀତର ଧ୍ୱଂସାବଶେଷ ଭିତରୁ ତାଙ୍କ ବଂଶର ଗାରିମା ଗର୍ବଗଉରବ ଯେ ପୁଣି ମୁଣ୍ଡ ଟେକିବ ସେ ଆଶା ହୁଏତ ତାଙ୍କର ନ ଥିଲା !
କିନ୍ତୁ ଦଇବର ବିଧାନ !
ସେଇ ଭଗ୍ନ, ଜୀର୍ଣ୍ଣ, ହତ-ସୌଭାଗ୍ୟ ବଂଶର ଅତୀତର ଅଭିମାନକୁ ଫେରାଇ ଆଣିବା ପାଇଁ ଅଭ୍ୟୁଦୟ ହେବାକୁ ଯାଉଥିଲା ନୂତନ ପ୍ରଭାତ !
ଚୌଧୁରୀ ବଂଶର ଆକାଶରେ ଉଇଁବାକୁ ଯାଉଥିଲା ଗୌରବସୂର୍ଯ୍ୟ !
ସଭିଏଁ ଥିଲେ ସେ ପ୍ରଭାତକୁ ସ୍ବାଗତ କରିବା ପାଇଁ ତତ୍ପର !
Spread the love
admin

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

4 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

4 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

5 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

4 weeks ago