ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ
~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~
ଦିନ ଥିଲା, ବିରୂପା ତଟରେ ସେ ଭୂଖଣ୍ଡରେ ଦିନେ ଏକ ସମୃଦ୍ଧ ସଭ୍ୟତା ବିକଶିତ ହୋଇ, ଉତ୍କଳର ଶିଳ୍ପ, କଳା, ସ୍ଥାପତ୍ୟ, ସାହିତ୍ୟ, ଧର୍ମକୁ ଯେ ଋଦ୍ଧିମନ୍ତ କରିଥିଲା; ତାହାର ଅସଂଖ୍ୟ ପ୍ରମାଣ ଏବେ ଦୃଶ୍ୟମାନ ସତ ! କିନ୍ତୁ କାଳର ପ୍ରଭାବରେ ଲୁପ୍ତ, ମୃତ ! ଶ୍ମଶାନିତ ! ଐତିହ୍ୟପ୍ରେମୀ ଓଡ଼ିଆଟିଏ ସେସବୁ ଇତିହାସ ଜଡ଼ିତ ପୀଠର ଦର୍ଶନାନ୍ତେ ଅଶ୍ରୁବିସର୍ଜନ କରିପାରେ କେବଳ !
ଏକାଦଶ ଶତାବ୍ଦୀରେ କଟକ ଓ ଚୌଦ୍ୱାରରେ ଶାସନ କରୁଥିବା #ସୋମବଂଶୀ ଶାସକ ବା #କେଶରୀ ରାଜାମାନଙ୍କ ଦ୍ୱାରା ନିର୍ମିତ ଏହି ପୂର୍ବମୁଖ ଉତ୍ତରେଶ୍ୱର ମହାଦେବ ମନ୍ଦିର ମାଙ୍କଡ଼ା ପଥରରେ ନିର୍ମିତ l ଏହି ମନ୍ଦିରକୁ ସୋମବଂଶୀ ଶାସକ #ଉଦ୍ୟୋତ_କେଶରୀ ନିର୍ମାଣ କରିଥିବା ଜଣାଯାଏ l କିମ୍ବଦନ୍ତୀ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହି ମନ୍ଦିରର ନିର୍ମାଣ ସମୟ ମହାଭାରତ ଯୁଗୀୟ ! l କୁହାଯାଏ ଏହି ଅଞ୍ଚଳଟି #ବିରାଟ ରାଜାଙ୍କ ରାଜଧାନୀ ଥିଲା ଏବଂ ସେ ତାଙ୍କ ରାଜଧାନୀର ଚତୁଃପାର୍ଶ୍ୱରେ ଆଠଗୋଟି ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ ଏବଂ ସେହି ଆଠଗୋଟି ଶିବଲିଙ୍ଗ ମଧ୍ୟରୁ ଏହି ଉତ୍ତରେଶ୍ଵର ମହାଦେବ ହେଉଛନ୍ତି ଅନ୍ୟତମ ଯାହାକି ତାଙ୍କ ଝିଅ ଉତ୍ତରାଙ୍କ ନାମାନୁସାରେ ନାମିତ ହୋଇଛି l
କେଦାରେଶ୍ୱରଙ୍କ ପରେ ଦ୍ଵିତୀୟ ସର୍ବ ପୁରାତନ ମନ୍ଦିର ହେଉଛି ଏହି ଉତ୍ତରେଶ୍ଵର ମହାଦେବ ମନ୍ଦିର l ଏହି ଉତ୍ତରେଶ୍ୱର ମନ୍ଦିରରେ ସୁକ୍ଷ୍ମ କାରୁକାର୍ଯ୍ୟ ଦୃଷ୍ଟିଗୋଚର ନ ହେଲେ ବି ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତିରେ ନିଖୁଣତା ସ୍ପଷ୍ଟ ବାରି ହୋଇପଡ଼େ l ମନ୍ଦିରର ବିମାନକୁ ଲାଗି ଜଗମୋହନ ଓ ଜଗମୋହନକୁ ଲାଗି ପ୍ରବେଶଦ୍ୱାର ରହିଛି l ବିମାନ, ଜଗମୋହନ ଓ ପ୍ରବେଶଦ୍ୱାର ପରସ୍ପର ସହ ଲଗା ଲଗି ହୋଇ ରହିଛି l ମନ୍ଦିର ପ୍ରବେଶପଥ ସମ୍ମୁଖରେ ଏକ ବିରାଟ ନନ୍ଦୀମୂର୍ତ୍ତି ବା ବୃଷଭମୂର୍ତ୍ତି ରହିଛି, ଯାହାକି ନିଆଳି ନିକଟ #ଶୋଭନେଶ୍ୱର_ମନ୍ଦିର ପରିସରରେ ସ୍ଥାପିତ ହୋଇ ଥିବା ଵୃଷଭମୂର୍ତ୍ତି ପରି ବୃହତ ତଥା ଏକ ଆଧୁନିକ ନିର୍ମାଣ l
ମନ୍ଦିର ପ୍ରବେଶପଥର ବାମପାର୍ଶ୍ୱରେ ଏକ କ୍ଷୁଦ୍ର ଜଳାଶୟ ରହିଛି, ଯାହାର ଚତୁଃପାର୍ଶ୍ଵ ମାଙ୍କଡ଼ା ପଥରର ପରିବେଷ୍ଠନୀରେ ଆବଦ୍ଧ ଅଟେ l ପାର୍ଶ୍ୱ ଦେବଦେବୀ ଭାବେ ଗଣେଶ, କାର୍ତ୍ତିକେୟ ଓ ପାର୍ବତୀଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିବାବେଳେ ଗର୍ଭଗୃହରେ କଳା ମୁଗୁନି ପଥରରେ ନିର୍ମିତ ଶିବଲିଙ୍ଗ ଏକ ବୃତ୍ତାକାର ଯୋନି ପୀଠରେ ପ୍ରତିଷ୍ଠିତ l ମନ୍ଦିର ଚତୁଃପାର୍ଶ୍ୱ ମଧ୍ୟ ମାଙ୍କଡ଼ା ପଥରର ପ୍ରାଚେରୀ ଦ୍ୱାରା ଆବଦ୍ଧ l
ଏଠାରେ ମଧ୍ୟ ମନ୍ଦିର ପରିସରରେ ଅନେକ ଗୁଡ଼ିଏ ଦେବାଦେବୀଙ୍କ ଭଗ୍ନ ମୂର୍ତ୍ତି ଦେଖିବାକୁ ମିଳେ । ମୂର୍ତ୍ତି ମାନ ସହ ମନ୍ଦିରକୁ ଆକର୍ଷଣୀୟ କରିବା ନିମନ୍ତେ ସେତବେଳେ ତିଆରି ହେଇଥିବା ଛୋଟ ଛୋଟ ମନ୍ଦିର ଓ କିଛି ମୂର୍ତ୍ତି ମାନ ମଧ୍ୟ ଦେଖାଯାଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ଦେବଦେବୀଙ୍କ ମୂର୍ତ୍ତି ଓ ଏ ସବୁ ମୂର୍ତ୍ତି ଅଲଗା ଅଲଗା । ଏପରିକି ମା’ ପାର୍ବତୀ ଓ ଗଜାନନଙ୍କ ମୂର୍ତ୍ତି ମୂଳ ମୂର୍ତ୍ତିଙ୍କ ପାଖରେ ଛୋଟ ମନ୍ଦିର ଟିଏ କରି ଅନ୍ୟ ଏକ ମୂର୍ତ୍ତି ମଧ୍ୟ ରଖାଯାଇଛି ଓ କାର୍ତ୍ତିକେୟଙ୍କ ମୂର୍ତ୍ତି ଅଳ୍ପ ମାତ୍ରାରେ ଭଗ୍ନ ହୋଇଛି ।
ମନ୍ଦିର ଆଜି Archeological Survey Of India (ASI) ଦ୍ଵାରା ସଂରକ୍ଷିତ । ଏହାର ସଂରକ୍ଷଣର ଦାୟିତ୍ୱ ଆମ ସମସ୍ତଙ୍କର ମଧ୍ୟ । ଆମ ଐତିହ୍ୟ, ଆମ ସଂସ୍କୃତି, ଆମ ଭାଷା, ଆମ ମନ୍ଦିର ଆଦି ହିଁ ଆମ ପରିଚୟ, ଆମ ଗର୍ବ, ଆମ ପ୍ରକୃତ ପ୍ରାଣ ।
ଶ୍ରୀ ଶ୍ରୀ ଉତ୍ତରେଶ୍ୱର ମନ୍ଦିରଠାରୁ ଅନତି ଦୂରରେ, ବର୍ତ୍ତମାନର ଚୌଦ୍ୱାର ଜେଲ ପରିସରକୁ ଲାଗିକରି ଏକ ରାଜବାଟୀ ବା ଦୁର୍ଗର ଭଗ୍ନାବଶେଷ ରହିଛି; ଯାହାକି #ବିରାଟଗାଦି ନାମରେ ଜନମୁଖରେ ପରିଚିତ l ଏହି ଐତିହାସିକ ଅଞ୍ଚଳଟି ଭାରତୀୟ ପତ୍ନତତ୍ତ୍ୱ ବିଭାଗ ବା ASI ଦ୍ୱାରା ସଂରକ୍ଷିତ l କୁହାଯାଏ ସେହି ସମୟରେ ପାଣ୍ଡବମାନେ କିଛି ଦିନ ପାଇଁ ବିରାଟ ରାଜାଙ୍କ ମହଲରେ ଅଜ୍ଞାତବାସ କାଳୀନ ଅବସ୍ଥାନ କରିଥିଲେ ଯାହାକି ମହାଭାରତରେ ବର୍ଣ୍ଣିତ ଓ ଲୋକମୁଖରେ ଆଲୋଚିତ l
ସତରେ, କେତେ କଥା, କେତେ କାହାଣୀ ଯୋଡ଼ି ହେଇ ରହିଛି ଚୌଦ୍ଵାର କଟକ ତଥା ଅମରାବତୀ କଟକର ଏଇ ମୁଖ୍ୟ ପ୍ରବେଶ ଦ୍ଵାର ସହିତ ! ଐତିହାସିକ, ଗବେଷକ ତଥା ଆମ ପ୍ରଶାସନର କୃପାଦୃଷ୍ଟି ଏସବୁ ଉପରେ ଯେ ଯଥାଶୀଘ୍ର ପଡ଼ିବ ସେଇ ଆଶା କରିବା କେବଳ ।
Uttareshwar Mahadeba Temple, Cuttack, Choudwar, BirataGadi
Kedareshwar Temple, Shobhaneshwar Temple, AmarabatiKatak
admin

Recent Posts

ବୃନ୍ଦାବତୀ

~ ବୃନ୍ଦାବତୀ ~ ଲେଖା: ଡ. ଜୟଶ୍ରୀ ନନ୍ଦ ହିନ୍ଦୁ ପୁରାଣରେ ବୃନ୍ଦାବତୀ ବା ତୁଳସୀଙ୍କୁ ଦେବୀ ମାନ୍ୟତା ଦିଆଯାଇଛି।…

13 hours ago

ପଖାଳ

~ ପଖାଳ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆଙ୍କ ଆରାଧ୍ୟ ବଡ଼ଠାକୁର ବି ଭାରି ଭଲ ପାଆନ୍ତି ପଖାଳକୁ।…

13 hours ago

ହଳଦୀ

~ ହଳଦୀ ~ ଲେଖା: ଡ. ଜୟଶ୍ରୀ ନନ୍ଦ କାମଚୋର ହୋଇ ଆମେ ଭୁଲିଗଲେଣି ଏହାର ସୁଗନ୍ଧ। ହଳଦୀ ଗୁରୁଗୁରୁ…

15 hours ago

ମାତୃଭାଷା

~ ମାତୃଭାଷା ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେ ମାଆକୁ ଚିହ୍ନି ନାହିଁ ଯେ ଗାଁ କୁ ଚିହ୍ନି…

1 week ago

ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର

~ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର ~ ଲେଖା: ତ୍ରିଲୋଚନ ସ୍ୱାଇଁ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ…

1 week ago

ରଘୁନାଥ ମଠ

~ ରଘୁନାଥ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ମହା ଐତିହ୍ୟକ୍ଷେତ୍ର କଟକ ସହରରେ ଯେଉଁ କେତୋଟି ପ୍ରାଚୀନ ମଠ…

1 week ago