ଲେଖା: ଦେଵ ତ୍ରିପାଠୀ
“ଜ୍ଞାନର ପେଡା ସଭିଙ୍କି ଲୋଡ଼ା,
ସଭିଏଁ ଖାଇବେ ଥୋଡା ଥୋଡା ।”
ପାଠକମାନଙ୍କ ପାଇଁ ଜ୍ଞାନର ପେଡ଼ି ମେଲି ଦେଇଥିବାରୁ ଯାହା ପ୍ରତି କବିବର ରାଧାନାଥ ରଚିଥିଲେ ଏପରି ପ୍ରଶସ୍ତିଗାନ, ସେ ଥିଲା ଓଡ଼ିଆ ଭାଷାର ପ୍ରଥମ ସାହିତ୍ୟପତ୍ରିକା ‘ଉତ୍କଳ ମଧୁପ’
୧୮୭୮ ମସିହା ଏପ୍ରିଲ ମାସରେ କଟକର କତିପୟ ଉତ୍ସାହୀ ଯୁବକଙ୍କ ଉଦ୍ୟମରେ ‘ଉତ୍କଳ ସଭା’ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଶ୍ରୀଯୁକ୍ତ କୃଷ୍ଣମୋହନ ପଟ୍ଟନାୟକଙ୍କ ସମ୍ପାଦନାରେ ଆତ୍ମପ୍ରକାଶ କରିଥିଲା ଏହି ପତ୍ରିକା ।
ଯଦିଓ ଏହା ପୂର୍ବରୁ ‘ଉତ୍କଳଦର୍ପଣ‘ ସାହିତ୍ୟପତ୍ରିକା ଭାବେ ଆତ୍ମପ୍ରକାଶ କରି ଓଡ଼ିଆ ସାହିତ୍ୟରେ ନବଚେତନାର ବାହକ ଭାବେ ବହୁ ପାଠକ ଓ ଲେଖକ ସୃଷ୍ଟି କରିଥିଲା ଏବଂ ପ୍ରଚୁର ପାଠକୀୟ ଆଦୃତି ଓ ସ୍ବୀକୃତି ଲାଭ କରିପାରିଥିଲା, ତଥାପି ପରବର୍ତ୍ତୀ ସମୟରେ ସାହିତ୍ୟକୁ ଗୌଣ କରି ଶିକ୍ଷା, ଜ୍ଞାନବିଜ୍ଞାନ, ଦର୍ଶନ, ସଙ୍ଗୀତ, ମନସ୍ତତ୍ତ୍ୱ, ରାଜନୀତି ଇତ୍ୟାଦି ବିଷୟରେ ଲେଖା ମାନ ପ୍ରକାଶ କରିବା କାରଣରୁ ଐତିହାସିକ ଓ ଗବେଷକଗଣ ଏହାକୁ ସାହିତ୍ୟ ପତ୍ରିକା ଭାବେ ବିବେଚନା କରନ୍ତି ନାହିଁ । ଅପରପକ୍ଷରେ, ଏକ ସ୍ବୟଂସମ୍ପୂର୍ଣ୍ଣ ସାହିତ୍ୟପତ୍ରିକା ଭାବେ ଉତ୍କଳ ମଧୁପ ଓଡ଼ିଆ ସାହିତ୍ୟରେ ନୂତନତାର ବାର୍ତ୍ତାବହ ଥିଲା ।
ଯେଉଁ ସମୟରେ ଉପନ୍ୟାସର ନାମ ସୁଦ୍ଧା ଓଡ଼ିଶାରେ ଶୁଣା ନ ଥିଲା, ସେତେବେଳେ, କଟକର ଉତ୍କଳ ପ୍ରିଣ୍ଟିଂ କମ୍ପାନୀରୁ ମୁଦ୍ରିତ ହେଉଥିବା ଏହି ପତ୍ରିକାଟି ପାଠକଙ୍କୁ ସମର୍ପି ଦେଇଥିଲା ଓଡ଼ିଆ ଭାଷାର ପ୍ରଥମ ଉପନ୍ୟାସର, ରାମଶଙ୍କର ରାୟଙ୍କ ‘ସୈାଦାମିନୀ’କୁ ଧାରାବାହିକ ଭାବରେ । କିଛି ଗବେଷକ ଏ ବାବଦରେ ଭିନ୍ନମତ ପୋଷଣ କରୁଥିଲେ ମଧ୍ୟ ବହି ଆକାରରେ ପ୍ରକାଶ ନ ପାଇ ମଧ୍ୟ ପତ୍ରିକାର ବୃହତ୍ତର ପାଠକଙ୍କ ଶ୍ରଦ୍ଧାଭାଜନ ହୋଇଥିବା କାରଣରୁ ସୈାଦାମିନୀ’କୁ ହିଁ ପ୍ରଥମ ଉପନ୍ୟାସର ମାନ୍ୟତା ଦିଅନ୍ତି ଅଧିକାଂଶ ନିରପେକ୍ଷ ଗବେଷକ ।
ଏହି ପତ୍ରିକାଟି ଭକ୍ତକବି ମଧୁସୂଦନ ରାଓ, କବିବର ରାଧାନାଥଙ୍କ ପରି ପ୍ରଚଣ୍ଡ କବିଙ୍କର ସୃଷ୍ଟି ସମୂହର ପ୍ରକାଶ ସହିତ ବହୁ ରଚନାର ସମାଲୋଚନା ମାନ ଉପସ୍ଥାପନା କରି ଓଡ଼ିଆ ସାହିତ୍ୟକୁ ନୂତନ ଆଶାର ଆବହନୀ ଶୁଣାଇଥିଲା । ଓଡ଼ିଆ ସାହିତ୍ୟର ସମସ୍ତ ବିଭାଗରେ ନୂତନତ୍ବର ଝଲକ ପ୍ରଦାନ କରିବା ସତ୍ତ୍ୱେ, ଭଞ୍ଜ ସାହିତ୍ୟ ପ୍ରତି ନକରାତ୍ମକ ସମାଲୋଚନା, ପ୍ରାଚୀନ ସାହିତ୍ୟ ପ୍ରତି ବିମୁଖତା ତଥା ସେ ବାବଦରେ କର୍ମବୀର ଗୌରୀଶଙ୍କରଙ୍କ ଉତ୍କଳଦୀପିକାର ତୀବ୍ର ବିରୋଧର ସାମନା କରି ଦୀର୍ଘକାଳ ତିଷ୍ଠି ପାରି ନ ଥିଲା ।
ଏ ଉତ୍କଳ ମଧୁପ ପତ୍ରିକାଟି ପ୍ରାୟ ୧୪୦ ବର୍ଷ ହେବ ବନ୍ଦ ହେଲାଣି, ତେବେ ଏ ପତ୍ରିକାର ମଧୁ ଯେ ଥରେ ପାନ କରିଛି, ସେ କଦାପି ଭୁଲିପାରିବନି ଏହାର ନୂତନ ରୁଚିବୋଧକୁ, ଏହାର ସାବଲୀଳ ଭାଷାକୁ, ଏହାର ଅବଦାନକୁ, ଏହାର ସ୍ୱାଦକୁ ।
ଉନବିଂଶ ଶତାବ୍ଦୀର ଅନ୍ୟତମ ସାହିତ୍ୟ ପତ୍ରିକାର କୀର୍ତ୍ତି ଏବେସୁଦ୍ଧା ସଞ୍ଜୀବିତ ।
ତଥ୍ୟ: “ଓଡ଼ିଆ ସାହିତ୍ୟର ଇତିହାସ”, ଲେଖକ ପ୍ରଫେସର ବାଉରୀବନ୍ଧୁ କର, ଫ୍ରେଣ୍ଡସ ପବ୍ଲିଶର୍ସ, କଟକ
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 week ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago