ଉପସ୍ଥାପନା: ଅରକ୍ଷିତ ପୃଷ୍ଟି
~ ଉତ୍କଳ ଇତିହାସ ~
ଉତ୍କଳମାତାଙ୍କର ସୁଯୋଗ୍ୟ ସନ୍ତାନ ଜାତିପ୍ରାଣ ବରେଣ୍ୟ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଅମର ଆତ୍ମାଙ୍କୁ କୋଟି ପ୍ରଣିପାତ ଜଣାଇ ଆସନ୍ତୁ ତାଙ୍କ ପ୍ରଣୀତ “ଉତ୍କଳ ଇତିହାସ”ରେ କଳିଙ୍ଗ ବୀରପୁତ୍ରମାନଙ୍କର ମହାଭାରତ ଯୁଦ୍ଧରେ ଅଂଶ ଗ୍ରହଣ ତଥା ବିରତ୍ୱ ପ୍ରଦର୍ଶନର ସୁନ୍ଦର ବର୍ଣ୍ଣନାକୁ ପାଠ କରିବା ।
ମହାଭାରତ ଯୁଦ୍ଧ: ମହାଭାରତର କୁରୁ ପାଣ୍ଡବଙ୍କ ଯୁଦ୍ଧରେ କଳିଙ୍ଗ ସେନା କୌରବ ପକ୍ଷରେ ଯୁଦ୍ଧ କରିଥିଲେ । ଭାରତବର୍ଷର ପ୍ରାୟ ପ୍ରତ୍ୟେକ ଦେଶର ରାଜାମାନେ ସେହି ମହାସମରରେ ନିଜ ନିଜର ପରାକ୍ରମ ଦେଖାଇଥିଲେ ।
କଳିଙ୍ଗ ରାଜା ଶୁତାୟୁ ବା ଶୁତାୟୁଧ ଆପଣାର ବୀରପୁତ୍ର ଭାନୁମାନ, କେତୁମାନ ଏବଂ ଶୁକ୍ରଦେବଙ୍କୁ ସଙ୍ଗେ ଘେନି ସସୈନ୍ୟରେ ଭୀମଙ୍କ ସଙ୍ଗେ ଯୁଦ୍ଧ କରିଥିଲେ । କଳିଙ୍ଗରୁ ୬୦ହଜାର ରଥ ଏବଂ ପର୍ବତ ସମାନ ହାତୀ ୧୦ହଜାର ଯାଇ ଯୁଦ୍ଧ କରିଥିଲେ ।ଯେଉଁ ସପ୍ତରଥୀମାନେ ଭୀଷ୍ମଙ୍କ ଆଗେ ଆଗେ ରହି ଯୁଦ୍ଧ କରୁଥିଲେ କଳିଙ୍ଗ ରାଜା ସେମାନଙ୍କର ଅଗ୍ରଗାମୀ ଥିଲେ ।
ଧୃଷ୍ଟଦ୍ୟୁମ୍ନଙ୍କୁ ଦ୍ରୋଣଙ୍କ ହସ୍ତରୁ ରକ୍ଷା କରିବାପାଇଁ ଭୀମ ହଠାତ୍ ଦ୍ରୋଣଙ୍କୁ ସାତବାଣ ମାଇଲେ । ଦ୍ରୋଣଙ୍କର ପ୍ରାଣ ଆଶଙ୍କା ଦେଖି କଳିଙ୍ଗ ରାଜା ସସୈନ୍ୟରେ ଭୀମଙ୍କ ଆଡ଼କୁ ଧାଇଁଲେ । କଳିଙ୍ଗ ରାଜ ଓ ଭୀମଙ୍କ ମଧ୍ୟରେ ‘ଲୋମହର୍ଷଣ ସଂଗ୍ରାମ ହେଲା ଏବଂ ସେହି ସଂଗ୍ରାମ ‘ଜଗତ କ୍ଷୟକର’ ବୋଲି ବୋଧ ହେଉଥିଲା ।
ଭୀମ ଚେଦି ସୈନ୍ୟଙ୍କ ସାହାଯ୍ୟରେ କଳିଙ୍ଗ ବିରୁଦ୍ଧରେ ଯୁଦ୍ଧ କରୁଥିଲେ । କଳିଙ୍ଗ ରାଜପୁତ୍ର କେତୁମାନ ଆପଣାର ନିଷାଦ ସୈନ୍ୟଙ୍କୁ ଘେନି ଚେଦି ସୈନ୍ୟଙ୍କୁ ଆକ୍ରମଣ କଲେ । ଚେଦିମାନେ ପରାସ୍ତ ହୋଇ ଭୀମଙ୍କୁ ଛାଡ଼ି ପଳାଇଗଲେ। ଭୀମ କାତର ହେଲେ ନାହିଁ । ଯେ କେତେକ ସୈନ୍ୟ ରହିଥିଲେ, ସେମାନଙ୍କୁ ଧରି ସେ କଳିଙ୍ଗବାହିନୀଙ୍କ ଉପରେ ତୀକ୍ଷ୍ଣ ଶରବୃଷ୍ଟି କଲେ । କଳିଙ୍ଗ ରାଜା ଶୁତାୟୁ ଓ ପୁତ୍ର ଶୁକ୍ଳଦେବ ମଧ୍ୟ ସେହିପରି ବାଣ ବର୍ଷଣ କଲେ । ଶୁକ୍ରଦେବଙ୍କ ଶର ଆଘାତରେ ଭୀମଙ୍କ ଅଶ୍ୱମାନେ ମରିଗଲେ।
ଭୀମ ରଥରୁ ଓହ୍ଲାଇପଡ଼ି ଗଦାଧରି ଯୁଦ୍ଧ କଲେ । ଗଦା ପ୍ରହାରରେ ଶୁକ୍ରଦେବ ଓ ତାଙ୍କ ସାରଥି ପ୍ରାଣ ହରାଇଲେ । ରାଜା ଶୁତାୟୁ ପୁତ୍ରବଧ ଦେଖି କ୍ରୋଧରେ ଭୀମଙ୍କ ଚାରିଆଡ଼େ ରଥ ଘେରାଇଦେଲେ । ଭୀମ ବ୍ୟାକୁଳ ହୋଇ ଗଦା ଛାଡ଼ି ତରବାରୀରେ ଯୁଦ୍ଧ କଲେ । କଳିଙ୍ଗ ଶରବର୍ଷଣ ସମ୍ଭାଳି ନ ପାରି ଭୀମ ବୃଷଭ ଚର୍ମରେ ଦେହ ଘୋଡ଼ାଇ ରଖିଲେ । ଶ୍ରୁତାୟୁ ‘ଆଶୀବିଷ–ସଦୃଶ’ ଏକ ଶର ଏବଂ ତା’ପରେ ‘ଚତୁର୍ଦଶ ତୋମର’ ନାମ ଅନ୍ୟ ଶର ପ୍ରୟୋଗ କଲେ। ଭୀମ ସେ ସବୁ ଖଣ୍ଡାରେ ବାରଣ କଲେ ।
ଏହି ସମୟରେ ଭାନୁମାନ ଅଗ୍ରସର ହେଉଥିବାର ଦେଖି ଭୀମ ତାଙ୍କ ସଙ୍ଗେ ଯୁଦ୍ଧ କଲେ । ଭାନୁମାନଙ୍କ ଶରବୃଷ୍ଟି ଏବଂ ଭୀଷଣ ଗର୍ଜନରେ ଭୀମ ପ୍ରଥମେ ଭୟ କରିଗଲେ । ମାତ୍ର ପୁଣି ସାହସ ବାନ୍ଧି ତରବାରୀ ହାତରେ ଧରି ଭୀମ ଭାନୁମାନଙ୍କ ହାତୀ ଉପରକୁ ଉଠିଗଲେ । ଭାନୁମାନ ଓ ତାହାଙ୍କ ହାତୀ ଭୀମର ତରବାରୀରେ ପ୍ରାଣ ହରାଇଲେ । ଏତେବେଳକୁ ଉଭୟପକ୍ଷ ସୈନ୍ୟଙ୍କର ମୃତଦେହ ପର୍ବତପରି ଜମା ହୋଇଗଲା।
ଶ୍ରୁତାୟୁ ପୁତ୍ର ମରିବାର ଦେଖି ରାଗରେ ଅଧୀର ହୋଇ ୨ଟି ତୀକ୍ଷ୍ଣଶର ମାଇଲେ । ସେ ବାଣରେ ଭୀମ ଅଧୀର ହୋଇପଡ଼ିବାର ଦେଖି ସାରଥ ଅଶୋକ ଭୀମଙ୍କୁ ଆଉ ଗୋଟିଏ ରଥ ଆଣିଦେଲେ। ଘୋର ବାଣବର୍ଷଣ ହେଲା । ଶେଷରେ ରାଜା ଶ୍ରୁତାୟୁ, ତାହାଙ୍କର ଦୁଇ ଚକ୍ରରକ୍ଷକ ସତ୍ୟ ଓ ସତ୍ୟଦେବ ଏବଂ ନିଜେ କେତୁମାନ ବାଣବିଦ୍ଧ ହୋଇ ପ୍ରାଣ ହରାଇଲେ ।
ଆପଣାର ରାଜା ଓ ରାଜପୁତ୍ରମାନଙ୍କର ମୃତ୍ୟୁରେ କାତର ନ ହୋଇ କଳିଙ୍ଗ ବାହିନୀ ପ୍ରାଣପଣେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲେ । ସେମାନଙ୍କ ଆକ୍ରମଣରେ ଭୀମ ଅଧୀର ହୋଇ ପୁଣି ଥରେ ରଥରୁ ଓହ୍ଲାଇ ପଡ଼ିଲେ ଏବଂ ଗଦା ପ୍ରହାରରେ ଦୁଇହଜାର ସାତଶହ କଳିଙ୍ଗ ସୈନ୍ୟ ମାରିଦେଲେ । ବହୁସଂଖ୍ୟକ ଅଶ୍ୱ ଓ ଗଜ ସୈନ୍ୟ ମଧ୍ଯ ମରିପଡ଼ିଲେ । ଅବଶିଷ୍ଟ କଳିଙ୍ଗ ସୈନ୍ୟ ତଥାପି ଭୀମକୁ ଏପରି ଭୟଙ୍କର ଭାବରେ ଆକ୍ରମଣ କଲେ ଯେ ଧୃଷ୍ଟଦ୍ୟୁମ୍ନ ତାଙ୍କୁ ରକ୍ଷା କରିବା ନିମନ୍ତ ଧାଇଁ ଆସିଲେ ।
ସେହି ଦୁଇ ବୀରଙ୍କୁ କଳିଙ୍ଗ ବାଣବର୍ଷଣ ଏଡ଼ିବାରେ ଅସମର୍ଥ ଦେଖି ଶେଷକୁ ସାତ୍ୟକି ମଧ୍ୟ ଆସି ସେମାନଙ୍କୁ ସାହାଯ୍ୟ କଲେ ଏହି ତିନି ମହାରଥିଙ୍କ ସଙ୍ଗେ ଯୁଦ୍ଧରେ ପଡ଼ି ଅସଂଖ୍ୟ କଳିଙ୍ଗ ସେନା ନିହତ ହେଲେ । କଳିଙ୍ଗ ସୈନ୍ୟଙ୍କ ପରାଜୟ ପରେ ଭୀମ ଯୁଦ୍ଧରୁ କ୍ଷାନ୍ତ ହୋଇ ଫେରିଲେ । ତାହାଙ୍କୁ ହୃଷ୍ଟ କରିବା ନିମନ୍ତେ ସାତ୍ୟକି ତାଙ୍କ ବୀରତ୍ଵର ବହୁ ପ୍ରଶଂସା କରିଥିଲେ ।
ଲେଖା ଓ ଫଟୋ ସୌଜନ୍ୟ: କଟକ ଟ୍ରେଡ଼ିଂ କମ୍ପାନୀ, ବାଲୁବଜାରଙ୍କ ଦ୍ୱାରା ପ୍ରକାଶିତ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଉତ୍କଳ ଇତିହାସ ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago