| ଲେଖା: ବନ୍ଧନ ଦଳେଇ ୧୮୮୭ ଖ୍ରୀଷ୍ଟାବ୍ଦ, ଶନିବାର, ଶ୍ରାବଣ ଏକାଦଶୀ ଦିନ, କଟକ ଜିଲ୍ଲା ପାଟକୁରା ଥାନାର ନାଗଣପୁର ଗ୍ରାମରେ ଏକ ସଂମ୍ଭ୍ରାନ୍ତ ପରିବାରରେ ଡ଼ଃ ଆର୍ତ୍ତବଲ୍ଲଭ ମହାନ୍ତିଙ୍କର ଜନ୍ମ। ପିତାଙ୍କ ନାମ ଶ୍ରୀ ବାନାମ୍ବର ମହାନ୍ତି। ସେ ପିତାଙ୍କର ଏକମାତ୍ର ସନ୍ତାନ ଥିଲେ। ମିଶନ ସ୍କୁଲରୁ ୧୯୦୮ସାଲରେ ମାଟ୍ରିକ୍ୟୁଲେସନ୍ ପାସକରିଥିଲେ। ତାହା ପରେ ସେ ଭବାନୀପୁର (କଲିକତା) ମହାବିଦ୍ୟାଳୟରୁ ୧୯୧୦ ସାଲରେ ଆଇ.ଏ. ପାସ୍ କରି ରେଭେନ୍ସା ମହାବିଦ୍ୟାଳୟକୁ ଆସି ୧୯୧୨ରେ ସଂସ୍କୃତ ଅନର୍ସ ସହ ବି.ଏ ପାସ୍ କରିଥିଲେ। ଏହାପରେ ସେ କଲିକତା ବିଶ୍ୱବିଦ୍ୟାଳୟରେ ଏମ୍.ଏ ପଢିବାକୁ ଯାଇଥିଲେ ଏବଂ ୧୯୧୪ ସାଲରେ ସଂସ୍କୃତରେ ଏମ୍.ଏ ପାସ୍ କରିଥିଲେ।୧୯୧୪ ଅକ୍ଟୋବର ୨୨ ତାରିଖରୁ ଶ୍ରୀ ମହାନ୍ତି ରେଭେନ୍ସା କଲେଜରେ ଅଧ୍ୟାପକ ଭାବରେ ନିଯୁକ୍ତ ହେଲେ। ଓଡିଆ ସାହିତ୍ୟରେ ତାଙ୍କର ଗଭୀର ଗବେଷଣା ଓ ଅନୁଶୀଳନ ଦୃଷ୍ଟିରୁ ରେଭେନ୍ସା ମହାବିଦ୍ୟାଳୟ ଓଡିଆ ସାହିତ୍ୟ ବିଭାଗର ଦୀର୍ଘକାଳ ପ୍ରଧାନ ଅଧ୍ୟାପକ ଥିଲେ। ପାଟଣା ବିଶ୍ୱବିଦ୍ୟାଳୟ ସିନେଟ୍ ସଦସ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ ଫେଲୋ ସିଣ୍ଡିକେଟର୍ ସଭ୍ୟ ଓ ଡିନ୍-ଅଫ୍-ଫାକଲିଟି ଥିଲେ। ଆର୍ତ୍ତବଲ୍ଲଭ ମହାନ୍ତି ଜାତୀୟ ସାହିତ୍ୟ ଏକାଡେମୀର ସଭ୍ୟପଦ ତଥା କଟକସ୍ଥିତ ଉତ୍କଳ ସାହିତ୍ୟ ସମାଜର ସଭାପତି ପଦ ଲାଭ କରିଥିଲେ। ୧୯୫୫ରେ ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲେ। ବିଦ୍ୟାଭୂଷଣ, ରାୟସାହେବ, ରାୟବାହାଦୁର ପରି ବିଶିଷ୍ଟ ସମ୍ମାନ ଆଦିରେ ସମ୍ମାନିତ ହେବା ସଙ୍ଗେ ସଙ୍ଗେ ୧୯୬୦ରେ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ଭୂଷିତ ହୋଇଥିଲେ ସେ । ରେଭେନ୍ସା ମହାବିଦ୍ୟାଳୟରେ ଆର୍ତ୍ତବଲ୍ଲଭଙ୍କର ପ୍ରାୟ ସମସ୍ତ କର୍ମମୟ ଜୀବନ ଅତିବାହିତ ହୋଇଥିଲା। ଛାତ୍ରମାନଙ୍କ ପ୍ରତି ତାଙ୍କର ଗଭୀର ସ୍ନେହ ଶ୍ରଦ୍ଧା ଓ ସହାନୂଭୁତି ରହିଥିଲା। ସାହିତ୍ୟ ଗବେଷଣା ଓ ପ୍ରାଚୀନ ଓଡିଆ ସାହିତ୍ୟର ଉଦ୍ଧାର ପ୍ରତି ସେ ଅଧିକ ଆଗ୍ରହୀ ଥିବାରୁ, ସେହି ଦିଗରେ ମନୋନିବେଶ କରିଥିଲେ। ପ୍ରାଚୀ ସମିତିର ପ୍ରତିଷ୍ଠାତା ରୂପେ ପ୍ରାଚୀନ ଗଦ୍ୟପଦ୍ୟାଦର୍ଶ, ମାଦଳାପାଞ୍ଜି, ଲାବଣ୍ୟବତୀ, ବ୍ରହ୍ମ ଶାଙ୍କୁଳି, ଗୁରୁଭକ୍ତି ଗୀତା, ପ୍ରେମଭକ୍ତି ବ୍ରହ୍ମଗୀତା, ସ୍ତୁତିଚିନ୍ତାମଣି, ରାମବିଭା, ଭଜନମାଳା, ଶ୍ରୁତିନିଷେଧ ଗୀତା, ରସକଲ୍ଲୋଳ, ରସବାରିଧି, ଶିବ ସ୍ବରୋଦୟ, ଜଗମୋହନ ଛାନ୍ଦ, ରୁକ୍ମିଣୀ ବିଭା, ଶଶିରେଖା, ନଳଚରିତ, ମଥୁରା ମଙ୍ଗଳ, ଚଉତିଶା ମଧୁଚକ୍ର, ବଟ ଅବକାଶ, ଚୈତନ୍ୟ ଭାଗବତ, ଉଷାଭିଳାଷ ଆଦି ପ୍ରାୟ ୫୪ ଖଣ୍ଡ ପ୍ରାଚୀନ ଓଡିଆ କାବ୍ୟ ସୁବିସ୍ତୃତ ମୁଖବନ୍ଧ ଓ ଶୁଦ୍ଧିପାଠ ସହିତ ପ୍ରକାଶ କରିଥିଲେ ଡ଼ଃ ଆର୍ତ୍ତବଲ୍ଲଭ ମହାନ୍ତି। ଏସବୁ ମହାନ ସାହିତ୍ୟ ସୃଷ୍ଟି ଗୁଡ଼ିକରେ ତାଙ୍କର ପାଣ୍ଡିତ୍ୟ ଓ ବହୁଶାସ୍ତ୍ରଦର୍ଶିତା ଆଭାସିତ । ବସ୍ତୁତଃ ମଧ୍ୟଯୁଗୀୟ ଓଡିଆ ସାହିତ୍ୟର ଇତିହାସ ଲେଖିବା ପାଇଁ ତାଙ୍କର ସାଧନା ହିଁ ଏକମାତ୍ର ଭିତ୍ତିଭୂମି। ଓଜସ୍ୱୀ ବକ୍ତା ରୁପେ ନୁହେଁ, ଓଡିଆ ସଂସ୍କୃତି ଓ ସାହିତ୍ୟର ଏକନିଷ୍ଠ ସାଧକରୂପେ ନୁହେଁ, ବେଦ ଉପନିଷଦ, ଦର୍ଶନ, ଇତିହାସ ଓ ଇଂରେଜୀ ସାହିତ୍ୟରେ ସୁଦ୍ଧା ତାଙ୍କର ଅଗାଧ ପାଣ୍ଡିତ୍ୟ ଓ ବହୁପଠନ ଥିଲା। ଉତ୍କଳ ସମ୍ମିଳନୀ ଓଡିଶା ମିଶ୍ରଣ ଆନ୍ଦୋଳନରେ ସେ ମଧ୍ୟ ସକ୍ରିୟ ଅଂଶ ଗ୍ରହଣ କରିଦିଲେ। ଛାତ୍ରବତ୍ସଳ, ପରୋପକାରୀ, ସ୍ନେହପ୍ରବଣ, ଗୁଣୀ ବ୍ୟକ୍ତିତ୍ୱର ଅଧିକାରୀ ରୂପେ ଓଡିଶାର ଶିକ୍ଷା, ସଂସ୍କୃତି ଓ ସମାଜ ଜୀବନରେ ଆର୍ତ୍ତବଲ୍ଲଭ ମହାନ୍ତିଙ୍କର ସ୍ଥାନ ଅପୂରଣୀୟ ରହିବ। ଶେଷ ଶଯ୍ୟାକୁ ଯିବା ପର୍ଯ୍ୟନ୍ତ ଓଡିଆ ସାହିତ୍ୟର ଆଦି ମହାକାବ୍ୟ ସାରଳା ମହାଭାରତର ଶୁଦ୍ଧ ସଂସ୍କରଣରେ ଦୈନିକ ସେ ନିଜକୁ ପ୍ରାୟ ୧୪ ଘଣ୍ଟା ନିୟୋଜିତ ରଖିଥିଲେ। ବିଦ୍ୟା ପାଇଁ ବିଦ୍ୟାର ଅନୁଶୀଳନ ଡ଼ଃ ଆର୍ତ୍ତବଲ୍ଲଭ ମହାନ୍ତିଙ୍କର ମୃତ୍ୟୁରେ ବୋଧହୁଏ ସମାପ୍ତ ହୋଇଗଲା। | |
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…
ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…
~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…
~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…
ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…