ଗବେଷଣା ଓ ଲେଖା: ଡ. ସୁରେନ୍ଦ୍ର କୁମାର ମହାରଣା
~ ଆମ ଲୋକସାହିତ୍ୟ ~
ଓଡ଼ିଆ ଭାଷାରେ ବିଧିବଦ୍ଧ ସାହିତ୍ୟ ଲିଖିତ ହେବାର ବହୁପୂର୍ବରୁ #ଢଗଢ଼ମାଳି, ନୀତିବଚନ, #କାନ୍ଦଣା, #କୃଷକଗୀତ, #ଦୋଳିଗୀତି, ନାନା ପ୍ରକାର #ଲୋକକାହାଣୀ ଇତ୍ୟାଦି ଲୋକମୁଖରେ ପ୍ରଚଳିତ ହୋଇ ଆସୁଥିବାରୁ ଏସବୁକୁ ମୌଖିକ ସାହିତ୍ୟ, କଥିତ ସାହିତ୍ୟ ବା #ଲୋକସାହିତ୍ୟ ଭାବରେ ଗ୍ରହଣ କରାଯାଏ ।
‘ଲୋକ’ ଶବ୍ଦ ଅତ୍ୟନ୍ତ ବ୍ୟାପକ । ‘ଲୋକ’ର ଅର୍ଥ ସାଧାରଣ ଜନସମାଜ ହୋଇପାରେ; ପୁନଶ୍ଚ ଏହା ସମଗ୍ର ଭୁବନକୁ ମଧ୍ୟ ବୁଝାଏ । ଜନସମାଜ କହିଲେ ପଲ୍ଲୀ ବା ଗ୍ରାମୀଣ ଜନତାକୁ ବୁଝାଏ ନାହିଁ, ନଗରବାସୀ ଜନତାକୁ ମଧ୍ୟ ବୁଝାଏ । ପ୍ରଥମେ ଗ୍ରାମ ଓ ପରେ ନଗରର ସୃଷ୍ଟି । ଲୋକସାହିତ୍ୟ ବା କଥା ସାହିତ୍ୟର ଅଙ୍କୁରୋଦ୍‌ଗମ ତେଣୁ ଗ୍ରାମ ବା ପଲ୍ଲୀରୁ ହୋଇଛି, ନଗରରୁ ନୁହେଁ; ତେଣୁ ‘ଲୋକସାହିତ୍ୟ’କୁ #ପଲ୍ଲୀସାହିତ୍ୟ ବା #ଗ୍ରାମ୍ୟସାହିତ୍ୟ ନାମରେ ମଧ୍ୟ ନାମିତ କରାଯାଏ ।
ଭାରତୀୟ ସଂସ୍କୃତି ଗଠିତ ହୋଇଛି ବୈଦିକ ସଂସ୍କୃତି ଓ ଲୋକସଂସ୍କୃତିର ସମ୍ମିଶ୍ରଣରେ । ବୈଦିକ ସଂସ୍କୃତି ଲୋକସଂସ୍କୃତିର ଉପର ସ୍ତର ଓ ଅଳ୍ପସଂଖ୍ୟକ ବିଦ୍ୱାନଙ୍କ ମଧ୍ୟରେ ସୀମିତ । ମାତ୍ର ଲୋକସଂସ୍କୃତିର ପରିସର ଅତି ବ୍ୟାପକ । ଲୋକସାହିତ୍ୟ ଲୋକସଂସ୍କୃତିର ଅଂଶବିଶେଷ । ଏହା ସମଗ୍ର ଜନସମାଙ୍କର ସାହିତ୍ୟ । ତେଣୁ #ଲୋକରତ୍ନ ଡ. କୁଞ୍ଜବିହାରୀ ଦାଶ ଲୋକସାହିତ୍ୟର ସଂଜ୍ଞା ନିଶ୍ଚୟ କରି କହନ୍ତି– ‘‘ଯେଉଁ ସାହିତ୍ୟକୁ ମହାନ ବିଦ୍ୱାନଠାରୁ ଗଣମୂର୍ଖ ପର୍ଯ୍ୟନ୍ତ ସମସ୍ତେ ବୁଝିପାରନ୍ତି, ତାହାକୁ ଲୋକସାହିତ୍ୟ କହନ୍ତି ।’’ (ଓଡ଼ିଆ ଲୋକଗୀତ ଓ କାହାଣୀ, ପୃ:୬) ।
ଲୋକଗୀତର ଅନ୍ୟତମ ସଫଳ ସଂଗ୍ରାହକ ଶ୍ରୀଯୁକ୍ତ #ଚକ୍ରଧର_ମହାପାତ୍ର ଲୋକଗୀତ ବା ଗ୍ରାମ୍ୟଗୀତର ଯେଉଁ ସଂଜ୍ଞା ପ୍ରଦାନ କରିଛନ୍ତି ତାହା ଅଧୁକ ଯଥାର୍ଥ ମନେହୁଏ ତାଙ୍କ ଭାଷାରେ– ‘‘ଯେଉଁ କବିତାମାନ ଏବେ ମଧ୍ୟ ମୁଖେ ମୁଖେ ରହିଆସିଛି, କେବେହେଲେ ଗ୍ରନ୍ଥ ଭାବରେ ପରିଚିତ ହେବାର ସୁଯୋଗ ଲାଲ କରି ନାହିଁ ବା କୌଣସି ବ୍ୟକ୍ତିଦ୍ଵାରା କେଉଁ ଅଜ୍ଞାତ କୋଣରେ ସୃଷ୍ଟି ଲାଭକରି ତା’ର ବିଚକ୍ଷଣ ମହକରେ ସେ ଜନସମାଜର କୋଣେ କୋଣେ ପ୍ରଚାରିତ ହୋଇ ସାର୍ବଜନୀନ ହୋଇପାରିଛି ସେହିମାନଙ୍କୁ ହିଁ #ଗ୍ରାମ୍ୟଗୀତି ବୋଲି ଅଭିହିତ କରିବା ସମୀଚୀନ ।” (ଓଡ଼ିଆ ଗ୍ରାମ୍ୟଗୀତି, ପୃ. ୩) । ତେଣୁ ସାଧାରଣତଃ ସାହିତ୍ୟକୁ ୧. #ଶିଷ୍ଟସାହିତ୍ୟ ବା #ବିଦଗ୍ଧ ସାହିତ୍ୟ ଓ ୨. ଲୋକସାହିତ୍ୟ ବା #ଲଘୁସାହିତ୍ୟ ଭାବରେ ବିଭକ୍ତ କରାଯାଇଥାଏ ।
ଲୋକଗୀତ ଯୁଗାନୁକ୍ରମେ ଯେତେ ପରିବର୍ତ୍ତିତ ହେଲେ ମଧ୍ୟ ଏଥିରେ ପ୍ରାଚୀନଧାରା ସର୍ବଦା ସଂରକ୍ଷିତ । ଏହା ପ୍ରାଚୀନ ଯୁଗର ସନ୍ଦେଶ ଆମ ପାଖରେ ପହଞ୍ଚାଏ । ପ୍ରଥମେ ଏହା ମୁଖେ ମୁଖେ ଗତି କରିଥିଲା । ଲିପି ଉଦ୍ଭାବିତ ହୋଇ ଲିଖିତ ଭାଷାର ସୃଷ୍ଟି ହେବାପରେ ଏହା ଲିପିବଦ୍ଧ ହେଲା ଏବଂ କ୍ରମେ ସମ୍ଭବତଃ ଏହି ଧାରାରୁ ବିଚ୍ଛିନ୍ନ ହୋଇ ସ୍ବତନ୍ତ୍ର ରୀତିରେ ବିଦଗ୍ଧ ସାହିତ୍ୟର ସୃଷ୍ଟି ହେଲା । ଏହି ଦୃଷ୍ଟିରୁ ଲୋକସାହିତ୍ୟ ଶିଷ୍ଟ-ସାହିତ୍ୟ ବା ବିଦଗ୍ଧ-ସାହିତ୍ୟର ଜନକ ।
ଲୋକଗୀତ, ଲୋକକାହାଣୀ, ଢଗଢ଼ମାଳି ଇତ୍ୟାଦିକୁ ଆମେ ଆଜି ଯେଉଁ ରୂପରେ ପାଉ, ସେଗୁଡ଼ିକ ମଧ୍ୟରୁ ଅନେକର ଜନ୍ମକାଳୀନ ରୂପ ହୁଏତ ଏପରି ନଥିଲା । ସ୍ଥାନ, କାଳ ଓ ପାତ୍ରର ଅନୁକୂଳତାରେ ସେଗୁଡ଼ିକର ରୂପରେ ପରିବର୍ତ୍ତନ ଘଟିଛି । ଲୋକସାହିତ୍ୟ କଣ୍ଠରୁ କଣ୍ଠକୁ ଆସୁଥିବାରୁ ପ୍ରତି ଯୁଗରେ ଏହା କଥିତ ଭାଷାର ପରିବର୍ତ୍ତନ ସଙ୍ଗେ ସଙ୍ଗେ ପରିବର୍ତ୍ତିତ ଓ ପରିବର୍ଦ୍ଧିତ ହୋଇ ନିଜର ମୌଳିକ ରୂପ ହରାଇଛି । ଗୋଟିଏ ଯୁଗର ନରନାରୀ ସେମାନଙ୍କ ପୂର୍ବପୁରୁଷଙ୍କ ଦ୍ୱାରା ଏଥିରେ ଶିକ୍ଷିତ ଓ ଦୀକ୍ଷିତ ହୋଇଥା’ନ୍ତି । କେଉଁ ଆଦିମ କାଳରୁ ଏହି ଧାରା ଅବିଚ୍ଛିନ୍ନ ଭାବରେ ପ୍ରବାହିତ ।
‘ବେଦ’ ଭଳି ପୁରୁଷାନୁକ୍ରମେ ଶ୍ରୁତିରୁ ଶୁତିକୁ ଗତି କରିଥିବାରୁ ଏହାହିଁ ଯଥାର୍ଥତଃ #ଲୋକବେଦ ।
ଜୟ ଭାଷା ଜନନୀ ।।
ବନ୍ଦେ ଉତ୍କଳ ଜନନୀ ।।
ଉପସ୍ଥାପନା: ଶୁଭରଞ୍ଜନ ପୃଷ୍ଟି
Images: Akshay Ojha, Dillip Kumar Sahoo
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago