ଗବେଷଣା ଓ ଉପସ୍ଥାପନା: ଡ. ସୁରେନ୍ଦ୍ର କୁମାର ମହାରଣା
~ ଆମ ଲୋକସାହିତ୍ୟ ~
(ଭାଗ ୨)
ଆମେ ଜାଣୁ ଆମ ଲୋକସାହିତ୍ୟ ଅବା ଲୋକଗୀତର ରଚୟିତା ଜଣେ ନୁହେଁ, ଅଗଣିତ । ପୁଣି ଏହା କୌଣସି ଏକ ନିର୍ଦ୍ଦିଷ୍ଟ ଦଳ ବା ସମ୍ପ୍ରଦାୟର ନୁହେଁ । ଏହା ଅନେକ ଗ୍ରାମ୍ୟ ଅଶିକ୍ଷିତ ଜନତାଙ୍କ ବିଚକ୍ଷଣ କବିତ୍ଵର ସ୍ଫୁରଣ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରଚିତ ହେଲେ ହେଁ ଏହା ତୁଣ୍ଡରୁ ତୁଣ୍ଡକୁ ପ୍ରସାରିତ ହୋଇ ଗ୍ରାମରୁ ଗ୍ରାମ ଓ ଶେଷରେ ସମଗ୍ର ପ୍ରଦେଶକୁ ବ୍ୟାପିଥାଏ ।
ଏହା ସାଧାରଣତଃ ଭଣିତାଯୁକ୍ତ ହୋଇ ନଥାଏ । କାରଣ #ଲୋକକବି ନିଜ ରଚିତ କବିତାରେ ନିଜ ନାମକୁ ଯୋଗ କରି ଖ୍ୟାତି ଅର୍ଜନ କରିବାର ଲାଳସା ରଖି ନ ଥାଏ । ପୁରୁଷ ଓ ନାରୀ ଉଭୟଙ୍କ ଦ୍ୱାରା ଏହା ରଚିତ ହୋଇଥାଏ । ନାରୀ ଗୀତରେ ଥିବା ଲାଳିତ୍ୟର ଅଭାବ ପୁରୁଷ ଗୀତରେ ଲକ୍ଷ୍ୟ କରାଯାଏ । ନାରୀ ଅବସର ଓ କ୍ରୀଡା ସମୟରେ ଗୀତ ସୃଷ୍ଟି କଲାବେଳେ ପୁରୁଷ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଗୀତ ସୃଷ୍ଟି କରିଥାଏ । #ପଲ୍ଲୀଗୀତ ପାଠ କଲାବେଳେ ଜଣେ ଓଡ଼ିଆଣୀ ମୁହଁରୁ ଏହା ଶୁଣିଲାଭଳି ଜଣାଯାଏ । ଶିଶୁଗୀତିକା ଗୁଡ଼ିକ ମଧ୍ୟରୁ କେତୋଟିର ରଚୟିତା ଯେ ଶିଶୁ, ଏହା ଅସମ୍ଭବ ବୋଧହୁଏ ନାହିଁ । ଆମ ଲୋକସାହିତ୍ୟର ରଚୟିତା ଯେ କେହି ହେଉ ନା କାହିଁକି, ସମାଜର ଅନ୍ୟମାନେ ଏହାର ବାହକ, ଧାରକ ଓ ପ୍ରଚାରକ ।
~ ଐତିହାସିକ ବିକାଶ ~
ଭାଷାର ଉନ୍ମେଷକାଳରେ ଯେତେବେଳେ ଲିଖିତ ସାହିତ୍ୟ ସୃଷ୍ଟି ହୋଇ ନଥିଲା ଓ ସାମାଜିକ ଜୀବନ ବିକାଶର ପ୍ରାଥମିକ ସ୍ତରରେ ଥିଲା, ସେତେବେଳେ ମଣିଷ ଭାବକୁ ପ୍ରକାଶ କରିବା ନିମିତ୍ତ ଏକ ସହଜ ମାଧ୍ୟମ ଖୋଜିଥିବ ଏବଂ ଫଳରେ ସୃଷ୍ଟି ହୋଇଥିବ ଏହି ସହଜ #ଲଘୁସାହିତ୍ୟ । ତେଣୁ ଏହାର ଉଦ୍ଭବକାଳ ନିର୍ଣ୍ଣୟ କରିବା ସମ୍ଭବ ନୁହେଁ । କେବଳ କେଉଁ ବିସ୍ମୃତ ଅତୀତରେ ଏହାର ଉତ୍ପତ୍ତି ହୋଇଥିଲା ବୋଲି କୁହାଯାଇପାରେ । ବୈଦିକ ସୂକ୍ତଠାରୁ ମଧ୍ୟ ଏହା ଅଧିକ ପ୍ରାଚୀନ ବୋଲି ଗୃହୀତ ହୁଏ ।
ବୈଦିକ ଯୁଗରେ ଲୋକଗୀତର ପ୍ରଚଳନ ଥିବାର ପ୍ରମାଣ ମିଳେ ଋକବେଦ ରେ ଉପଲବ୍ଧ ହେଉଥିବା ‘ଗାଥା’ ଶବ୍ଦରୁ । ‘ଗାଥା’ ଶବ୍ଦର ଅର୍ଥ ବିବାହାଦି ଉତ୍ସବରେ ଗାନ କରାଯାଇଥିବା ଗୀତ । ‘ଗାଥା’ ଶବ୍ଦର ପ୍ରୟୋଗ ମଧ୍ୟ ବ୍ରାହ୍ମଣ ଓ ଆରଣ୍ୟକ ସାହିତ୍ୟରେ ପରିଦୃଷ୍ଟ ହୁଏ । ‘ରାମାୟଣ’ ଲିଖିତରୂପ ଲାଭ କରିବା ପୂର୍ବରୁ ବାଲ୍ମୀକି ଲବ ଓ କୁଶଙ୍କୁ ତାହା ମୁଖସ୍ଥ କରାଇଥିଲେ । ‘ମହାଭାରତ’ ମଧ୍ୟ ସମ୍ଭବ ହୋଇଥିଲା ଲୋକମୁଖରେ ପ୍ରଚଳିତ ଓ ବ୍ୟାସଦେବଙ୍କ ଦ୍ଵାରା ସଂଗୃହୀତ ବହୁ ପାରମ୍ପରିକ କିମ୍ବଦନ୍ତୀ ଓ କାହାଣୀର ସମନ୍ୱୟରେ । ନିଜର ଶିଷ୍ୟମାନଙ୍କୁ ଏଗୁଡ଼ିକ ଶିକ୍ଷା ଦେଇ ମହାଭାରତ ରଚନା କରିବାପାଇଁ ବ୍ୟାସଦେବ ସେମାନଙ୍କୁ ଉପଦେଶ ଦେଇଥିଲେ । ‘ଭାଗବତ ପୁରାଣ’ ଦଶମ ସ୍କନ୍ଧରୁ ଜାଣିବାକୁ ମିଳେ ଯେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବରେ ନାରୀଗଣ ସମବେତ ଭାବରେ ମଙ୍ଗଳଗୀତ ଗାନ କରୁଥିଲେ । ଏହା #ଲୋକଗୀତ ବ୍ୟତୀତ ଅନ୍ୟ କିଛି ନୁହେଁ । ରାଜା ଶାଳିବାହନଙ୍କ ‘ଗାଥା ସପ୍ତଶତୀ’ରୁ ତତ୍କାଳୀନ ସମାଜରେ ଲୋକଗୀତ ଉନ୍ନତ ସ୍ତରରେ ଥିବାର ପ୍ରମାଣ ମିଳେ । ସେହିପରି ଅନ୍ୟ ପୁରାଣମାନଙ୍କରେ ଆଖ୍ୟାୟିକାଗୁଡ଼ିକ ଲିଖିତରୂପ ଧାରଣ କରିବା ପୂର୍ବରୁ ଲୋକମୁଖରେ ପ୍ରଚଳିତ ଥିଲା । ବୌଦ୍ଧଯୁଗରେ ବହୁ ଲୋକଗଳ୍ପ #ଜାତକ ନାମରେ ସଂକଳିତ ହୋଇଥିଲା ।
ଓଡ଼ିଆ ସାହିତ୍ୟର ଆଦି ଓଁକାର ମଧ୍ୟ ଜନ୍ମଲାଭ କରିଛି ଲୋକସାହିତ୍ୟରୁ । ଗ୍ରାମ୍ୟଜୀବନ ଯାପନ କରୁଥିବା ଓଡ଼ିଆ ଭାଷାର #ଆଦିକବି_ସାରଳାଦାସ ସ୍ୱରଚିତ ମହାଭାରତରେ ତତ୍କାଳୀନ ଓଡ଼ିଶାରେ ପ୍ରଚଳିତ ଲୋକକଥାକୁ ମିଶାଇଦେଇ ଏହାକୁ ଏକ ସ୍ବତନ୍ତ୍ର ଗ୍ରନ୍ଥର ମର୍ଯ୍ୟାଦା ଦେଇଛନ୍ତି । ଏଥିପାଇଁ #ସାରଳା_ମହାଭାରତକୁ ଓଡ଼ିଆ ସାହିତ୍ୟରେ #ପ୍ରଥମ_ଲିଖିତ_ଲୋକସାହିତ୍ୟ ହିସାବରେ ଗ୍ରହଣ କରାଯାଇପାରେ ।
~ ଲୋକଗୀତର ସଂଗ୍ରାହକ ~
ଆମ ଲୋକସାହିତ୍ୟ ସାର୍ବଜନୀନ ସାହିତ୍ୟ ଓ ଏହା ଆମର ଅମୂଲ୍ୟ ଜାତୀୟ ସମ୍ପତ୍ତି । ଏହା ଯୁଗ ଯୁଗ ଧରି ଆମ ସଭ୍ୟତାର ସ୍ମାରକ ଓ ଜାତୀୟ ଜୀବନର ବାହକ ହୋଇ ଆସିଅଛି ତଥାପି ଯତ୍ନ ଅଭାବରୁ ଶହ ଶହ ଲୋକଗୀତ, #ଢଗଢ଼ମାଳି, ପ୍ରବାଦ, ପ୍ରବଚନ, #ଲୋକକାହାଣୀ ଇତ୍ୟାଦି ଲିପିବଦ୍ଧ ନ ହେବା ଫଳରେ ଆଜି ବିସ୍ମୃତ ହୋଇଅଛି । ଏହି ଜାତୀୟ ସମ୍ପତ୍ତିକୁ ସଂଗ୍ରହ କରି ରଖିବା ଏକ ମହତ ତଥା ଜାତୀୟ କାର୍ଯ୍ୟ । ସପ୍ତଦଶ ଶତାବ୍ଦୀରେ ଇଉରୋପୀୟ ପଣ୍ଡିତମାନେ ସେମାନଙ୍କର ଲୋକସାହିତ୍ୟ ସଂଗ୍ରହ କରିଥିଲେ ହେଁ ଭାରତରେ ଊନବିଂଶ ଶତାବ୍ଦୀର ଶେଷଭାଗରେ ବିଭିନ୍ନ ପ୍ରାନ୍ତୀୟ ଭାଷାରେ ପ୍ରଚଳିତ ଲୋକସାହିତ୍ୟର ପ୍ରଥମ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ପ୍ରକ୍ରିୟାରେ ଆମ ଲୋକସାହିତ୍ୟ ବିଭବର ପ୍ରଥମ ସଂକଳନ କାର୍ଯ୍ୟ ୧୮୭୬ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହେଲା #କପିଳେଶ୍ଵର_ବିଦ୍ୟାଭୂଷଣ_ନନ୍ଦଶର୍ମାଙ୍କ ଦ୍ୱାରା । କିଛି ଢଗ ସଂଗ୍ରହ କରି ତତ୍କାଳୀନ କମିଶନର ରେଭେନ୍ସା ସାହେବଙ୍କ ଆନୁକୂଲ୍ୟରେ ପ୍ରକାଶ କରିଥିଲେ ସେ । ଏହି ପୁସ୍ତକର ଦ୍ଵିତୀୟ ସଂସ୍କରଣ ୧୯୦୮ ଖ୍ରୀଷ୍ଟାବ୍ଦରେ ଆତ୍ମପ୍ରକାଶ କରିଥିଲା । ଏହାପରେ #ନୀଳମଣି_ବିଦ୍ୟାରତ୍ନ, #ଅପର୍ଣ୍ଣା ପଣ୍ଡା, #ମୁନୁସୀ ଶେଖ୍ ଅବଦୁଲ୍ ମଜିଦ୍, #ଚନ୍ଦ୍ରଶେଖର_ବାହିନୀପତି, #ରାଘବାନନ୍ଦ_ଦାସ, ପଣ୍ଡିତ ଭଗବାନ ହୋତା, #ଗୋପାଳଚନ୍ଦ୍ର_ପ୍ରହରାଜ ପ୍ରମୁଖ ଲୋକସାହିତ୍ୟପ୍ରେମୀ ବିଦ୍ଵାନଗଣ ଓଡ଼ିଆ ଲୋକସାହିତ୍ୟ ସଂଗ୍ରହ କ୍ଷେତ୍ରରେ ଅଗ୍ରଣୀ ଥିଲେ । ଏମାନଙ୍କ ମଧ୍ୟରେ ଗୋପାଳଚନ୍ଦ୍ର ପ୍ରହରାଜ ଲୋକସାହିତ୍ୟ ସଂଚୟନ ଯୋଜନାକୁ ଏକ ନିର୍ଦ୍ଦିଷ୍ଟ ତଥା ବ୍ୟାପକ ରୂପ ପ୍ରଦାନ କରିଥିଲେ ।
ଓଡ଼ିଆ ଲୋକଗୀତି ସଂଗ୍ରହ କରିବା ନିମିର ୧୯୩୧ ଖ୍ରୀଷ୍ଟାବ୍ଦରେ ଭାରତୀୟ ଲୋକଗୀତ ସଂଗ୍ରାହକ #ଦେବେନ୍ଦ୍ର_ସତ୍ୟାର୍ଥୀ ଓଡ଼ିଶା ଆସିଥିଲେ । ସଂଗ୍ରହ କାର୍ଯ୍ୟରେ ଗୋପାଳଚନ୍ଦ୍ର ପ୍ରହରାଜ ଓ #ଚକ୍ରଧର_ମହାପାତ୍ର ତାଙ୍କୁ ସାହାଯ୍ୟ କରିଥିଲେ ସତ୍ୟାର୍ଥୀଙ୍କ ଦ୍ବାରା ସଂଗୃହୀତ ଲୋକଗୀତି ମଧ୍ୟରୁ ଅଳ୍ପ କେତୋଟି ଅନୁଦିତ ହୋଇ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଥିଲା ।
୧୯୩୯ ମସିହାରେ ଓଡ଼ିଆ ଲୋକଗୀତ ଓ #ଗାଉଁଲିଗୀତ ସଞ୍ଚୟନ କ୍ଷେତ୍ରରେ ଆମର ଚିରପରିଚିତ ଚକ୍ରଧର ମହାପାତ୍ରଙ୍କ ସଂଗୃହୀତ ଗାଉଁଲିଗୀତଗୁଡ଼ିକ ‘ଉତ୍କଳ ଗାଉଁଲି ଗୀତ ଚୁମ୍ବକ‘ ନାମରେ #କେଉଁଝର ରାଣୀଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା । ଅନ୍ୟ ଏକ ଅଂଶ ୧୯୪୬ ଖ୍ରୀଷ୍ଟାବ୍ଦରେ ‘ବୋହୂଙ୍କ ସୁଖଦୁଃଖ ଗୀତିକା’ ନାମରେ ପ୍ରକାଶ ପାଇଥିଲା । ୧୯୫୮ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ‘ଉତ୍କଳ ଗାଉଁଲି ଗୀତ’ ତାଙ୍କର ବିଶେଷ ଉଲ୍ଲେଖଯୋଗ୍ୟ ସଞ୍ଚୟନ । ଏତଦ୍ବ୍ୟତୀତ ୧୯୫୮ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ #ଓଡ଼ିଆ_ଗ୍ରାମ୍ୟଗୀତି ମଧ୍ୟ ଲୋକଗୀତି ପ୍ରତି ତାଙ୍କ ଆଗ୍ରହର ପରିଚୟ ପ୍ରଦାନ କରେ ।
ଲୋକସାହିତ୍ୟ ସଞ୍ଚୟନରେ ମନପ୍ରାଣ ନିବେଶ କରିଥିବା ଅନ୍ୟତମ ପ୍ରତିଭା ଲୋକଗତ୍ନ ଡ. #କୁଞ୍ଜବିହାରୀ_ଦାଶ ବାସ୍ତବିକ ଲୋକରତ୍ନ । ୧୯୪୮ ଓ ୧୯୫୦ ମସିହାରେ ଯଥାକ୍ରମେ ପ୍ରକାଶିତ ‘ପଲ୍ଲୀପୁଷ୍ପ’ ଓ ‘ପଲ୍ଲୀଝରଣା’ ସଞ୍ଚୟନଦ୍ବୟ ତାଙ୍କ ଲୋକସାହିତ୍ୟ ପ୍ରୀତି ଓ ଅଧ୍ୟବସାୟର ଦୁଇଟି ଅମ୍ଳାନ ପୁଷ୍ପ । ଭାରତ ତଥା ଭାରତ ବାହାରେ ଓଡ଼ିଆ ଲୋକଗୀତ ଓ ଲୋକଗଳ୍ପକୁ ପରିଚିତ କରାଇବାପାଇଁ ୧୯୫୩ ଖ୍ରୀଷ୍ଟାବ୍ଦରେ ବିଶ୍ବଭାରତୀ ଦ୍ଵାରା ପ୍ରକାଶିତ ହେଲା ତାଙ୍କ ଚରିତ ‘A Study of Orissa Folklore’। ତା’ପରେ ୧୯୫୪ ଖ୍ରୀଷ୍ଟାବ୍ଦରେ ଓଡ଼ିଆ ଲୋକସାହିତ୍ୟ ସଂପର୍କରେ ଗବେଷଣା କରି ସେ ବିଶ୍ବଭାରତୀ ବିଶ୍ବବିଦ୍ୟାଳୟରୁ ପିଏଚ୍.ଡି. ଡିଗ୍ରୀ ଲାଭ କଲେ । ବିଶ୍ୱଭାରତୀ ବିଶ୍ବବିଦ୍ୟାଳୟ, ଶାନ୍ତିନିକେତନ (ଓଡ଼ିଆ ଗବେଷଣା ପରିଷଦ) ଦ୍ୱାରା ୧୯୫୮ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ, ‘ଓଡ଼ିଆ ଲୋକଗୀତ ଓ କାହାଣୀ’ ଏହି ଗବେଷଣାଲବ୍ଧ ଫଳ । ଏସବୁ ବ୍ୟତୀତ ତିନିଖଣ୍ଡରେ ପ୍ରକାଶିତ ‘ପଲ୍ଲୀଗୀତି ସଞ୍ଚୟନ’ ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ବାରା ପ୍ରକାଶିତ ‘ଓଡ଼ିଆ ଲୋକକାହାଣୀ’, ‘ଲୋକଗଳ୍ପ ସଞ୍ଚୟନ’ ଇତ୍ୟାଦି ବହୁ ଲୋକସାହିତ୍ୟ ମୂଳକ ଗ୍ରନ୍ଥର ସଂକଳକ ହେଉଛନ୍ତି ମହାନ ଗବେଷକ ଡ. ଦାଶ । ପଣ୍ଡିତ #ସୂର୍ଯ୍ୟନାରାୟଣ_ଦାଶ, ଡ. #ବୃନ୍ଦାବନଚନ୍ଦ୍ର_ଆଚାର୍ଯ୍ୟ, ଅଧ୍ୟାପକ #ପଠାଣି_ପଟ୍ଟନାୟକ ପ୍ରମୁଖ ଓଡ଼ିଆ ସାହିତ୍ୟର ଇତିହାସକାରଙ୍କର ଏ ସମ୍ବନ୍ଧୀୟ ପାଣ୍ଡିତ୍ୟପୂର୍ଣ୍ଣ ଆଲୋଚନାମାନ ସେମାନଙ୍କ ରଚିତ ଓଡ଼ିଆ ସାହିତ୍ୟର ଇତିହାସମାନଙ୍କରେ ସ୍ଥାନ ପାଇଛି ।
ଉପସ୍ଥାପନା: ଶୁଭରଞ୍ଜନ ପୃଷ୍ଟି
ଚିତ୍ର ସହାୟତା: Deba Prasad Swain