ସୌରଭିତ ସୃଷ୍ଟି: ନୃସିଂହ ଚରଣ ସାହୁ
ଛାତ୍ରାବସ୍ଥାରୁ ସେ ଓଡ଼ିଆ ସାହିତ୍ୟ, ସଂସ୍କୃତି ଅନୁରାଗୀ । ଜନ୍ମମାଟି ପାଇଁ କିଛି କରିବାର ଆକାଙକ୍ଷା ପ୍ରବଳ । ଐଶ୍ୱରୀୟ ଆଶୀର୍ବାଦ ତାଙ୍କୁ ଆଉଟିକେ ବାଟ କଢ଼େଇ ଆଣିଲା । ହାଇସ୍କୁଲ ଛାତ୍ର ଥିବାବେଳେ ସାନିଧ୍ୟ ଲାଭ କଲେ ଅଦ୍ୱିତୀୟ ଗାନ୍ଧୀବାଦୀ ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କର । ପରିଚିତ ହେଲେ ସେହି ଜ୍ଞାନ ତପସ୍ୱୀଙ୍କର, “He is my eldest son by choice” ଭାବରେ । ରେଭେନ୍ସା କଲେଜ ଛାତ୍ର ଜୀବନରେ ଉତ୍କଳକେଶରୀ ହରେକୃଷ୍ଣ ମହତାବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ଡ. ସଦାଶିବ ମିଶ୍ର ଆପଣେଇ ନେଲେ ତାଙ୍କୁ ।
“ଜ୍ଞାନମଣ୍ଡଳ ପରି ଓଡ଼ିଶାର କୃତୀ ମଣିଷମାନଙ୍କ ଉପରେ କ’ଣ କ୍ଷୁଦ୍ର ଜ୍ଞାନମଣ୍ଡଳ କରି ହେବ ନାହିଁ ?” — ଏ ପ୍ରଶ୍ନ ଥିଲା ତାଙ୍କର ଶ୍ରୀଯୁକ୍ତ ବିନୋଦ କାନୁନଗୋଙ୍କୁ । ଏବଂ ଉତ୍ତର ଆସିଥିଲା — “ହଁ, ତୁ ଚେଷ୍ଟା କର ।” ତାପରେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ ଅର୍ଥନୀତିଜ୍ଞ ସଦାଶିବ ମିଶ୍ରଙ୍କ ‘ଜୟନ୍ତୀ’ ପ୍ରବନ୍ଧର ଏହି ପାରାଗ୍ରାଫରୁ — “ଅତି ସାଧାରଣ ଲୋକଙ୍କ ସମାଜ ଭିତରେ ମଝିରେ ମଝିରେ ଅସାଧାରଣ ଲୋକ ଜନ୍ମଗ୍ରହଣ କରନ୍ତି । ଏମାନେ ମାନବ ଜାତିର ପଥ ପ୍ରଦର୍ଶକ, ଏଇମାନେ ଦିଅନ୍ତି ବିପୁଳ ଶକ୍ତି, ନୂତନ ଜୀବନ ଏବଂ ଦିବ୍ୟ ଆଲୋକ । ଏମାନଙ୍କ ବିନା କ୍ଷୁଦ୍ର ମାନବର ଏ ଜଡ଼ ସମାଜ ନିସ୍ପନ୍ଦ, ପ୍ରାଣହୀନ ଭାବରେ ପଡ଼ିରହି ଥାଆନ୍ତା । ମାତ୍ର ଏହି ମହାପୁରୁଷ ମାନେ ସେମାନଙ୍କର ଏ ସକଳ ମହତଦାନ ନିମନ୍ତେ କି ପ୍ରତିଦାନ ପାଆନ୍ତି ? ପାଆନ୍ତି ଦୁଃଖ, କ୍ଳେଶ, ଯାତନା, ଲାଞ୍ଛନା, ଅପମାନ, ନିର୍ଯ୍ୟାତନା ଏବଂ ସ୍ଥଳବିଶେଷରେ ମୃତ୍ୟୁଦଣ୍ଡ । ସତେ ଯେପରି ମହତ୍ତ୍ଵର ଏହାହିଁ ବିଧିବଦ୍ଧ ପୁରସ୍କାର ।”
ତଥାପି ସେମାନଙ୍କ ମନରେ ଥାଏ ଜାତିପ୍ରୀତିର ଉଛୁଳା ଢେଉ, ଅସୀମ ପ୍ରାଣଶକ୍ତି ଓ ବୟସ୍କ ଶରୀରରେ ତରୁଣର ମନ । ଲକ୍ଷ୍ୟ ହାସଲ ପାଇଁ ପ୍ରାଣ ପଛେ ଯାଉ ସେମାନେ ଆଗେଇ ଯାଇ ସମାଜର କଲ୍ୟାଣ କରିଥାନ୍ତି ।
ଏହି ସତ୍ୟରେ ଅନୁପ୍ରାଣିତ ହୋଇ ଓଡ଼ିଶାର ସଂସ୍କୃତି, ଐତିହ୍ୟ, ସାହିତ୍ୟ ଓ ଜାତୀୟତାର ସୁରକ୍ଷା ନିମନ୍ତେ ଆଗେଇ ଆସିଥିବା ହଜାର ହଜାର ବ୍ୟକ୍ତିଙ୍କ କୀର୍ତ୍ତି ଓ କାହାଣୀ ଲିପିବଦ୍ଧ କରିବା ପାଇଁ ଆଗେଇ ଆସିଲେ ସେହି ଯୁବକ । ଆଜି ଓଡ଼ିଶାର ବିଦ୍ଵାନ ମଣ୍ଡଳୀ, ଛାତ୍ର ସମାଜରେ ସେହି ଶ୍ରଦ୍ଧାଶୀଳ ମଣିଷ ନୃସିଂହ ଚରଣ ସାହୁ ।
ଓଡ଼ିଶାର ୫୦୦୦ କୃତୀ ମଣିଷମାନଙ୍କ କ୍ଷୁଦ୍ର ଜୀବନୀ ଓ ତାଙ୍କ ଉପରେ ଆଲୋକପାତ କରିବା ହୋଇଉଠିଲା ତାଙ୍କ ଜୀବନର ଏକ ମାତ୍ର ଓ ଶେଷ ଲକ୍ଷ୍ୟ । ଏହି ୫୦୦୦ କୃତୀ ମଣିଷଙ୍କୁ ସ୍ଥାନିତ କରିବାକୁ ଚେଷ୍ଟା କଲେ ପୁସ୍ତକ ମାଧ୍ୟମରେ । ନାଁ ରଖିଲେ “ଆମେ ଓଡ଼ିଆ” (ଉତ୍କଳ ଜନନୀଙ୍କ କୃତୀ ସନ୍ତାନମାନଙ୍କ ତ୍ୟାଗପୂତ କାହାଣୀ ଏବଂ ଓଡ଼ିଶାର ସଂସ୍କୃତି, ଐତିହ୍ୟ, ପ୍ରତ୍ନତତ୍ତ୍ଵ, ପର୍ଯ୍ୟଟନ, ସାହିତ୍ୟ, ସ୍ବଦେଶପ୍ରେମ ଓ ସ୍ଵାଭିମାନର ଜୀବନ୍ତ ଆଲେଖ୍ୟ) । ‘ଆମେ ଓଡ଼ିଆ’ ଗ୍ରନ୍ଥାବଳୀର ଦଶଟି ଭାଗରେ ଏହି ୫୦୦୦ କୃତୀ ସନ୍ତାନ ସ୍ଥାନ ପାଇଯିବେ ବୋଲି ଆଶା ରଖିଲେ । ଲେଖା ଆରମ୍ଭ ହେଲା । ଅଦ୍ୟାବଧି ଏହି ଆମେ ଓଡ଼ିଆ ଗ୍ରନ୍ଥର ଅଷ୍ଟମ ଭାଗ ପର୍ଯ୍ୟନ୍ତ ପ୍ରକାଶିତ ହୋଇ ସାରିଲାଣି । ପ୍ରଥମ ଭାଗ ଲୋକାର୍ପିତ ହେଲା ୨୦୧୨ ମସିହା ଜୁନ ମାସ ୦୬ ତାରିଖ ଦିନ (ଜ୍ଞାନତପସ୍ୱୀ ବିନୋଦ କାନୁନଗୋଙ୍କ ଜନ୍ମ ଦିବସ) ।
ଏହି ଅନବଦ୍ୟ ଆମେ ଓଡ଼ିଆ ଗ୍ରନ୍ଥାବଳୀରେ ଏପର୍ଯ୍ୟନ୍ତ ସ୍ଥାନିତ ହୋଇଅଛି ୪୧୦୦ ଜଣ କୃତବିଦ୍ୟ ମନିଷୀଙ୍କର ଜୀବନୀ । ଏହି ପୃଷ୍ଠାମାନଙ୍କରେ ରହିଛି ଯେଉଁ ରାଜାମହାରାଜା ଜୟ କରିଥିଲେ ଆଗଙ୍ଗା ଗୋଦାବରୀ, ଗଢ଼ି ଯାଇଛନ୍ତି କୋଣାର୍କ, ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର ଭଳି ଅମ୍ଳାନ କୀର୍ତ୍ତି ।ଏଥିରେ ସଙ୍କଳିତ ହୋଇଛି ଐର ଖାରବେଳଙ୍କ ଗାଥା, ଚଣ୍ଡାଶୋକରୁ ଧର୍ମାଶୋକ ହୋଇଥିବା ଅଶୋକଙ୍କ କାହାଣୀ । ପୁଣି ପଡ଼ୋଶୀମାନଙ୍କ ଚକ୍ରାନ୍ତରୁ ମୁମୁର୍ଷୁ ଓଡ଼ିଆ ଭାଷାକୁ ରକ୍ଷା କରିଥିବା ମନିଷୀମାନଙ୍କ କଥା ଓ କାହାଣୀ, ବିଭିନ୍ନ ପଡ଼ୋଶୀ ରାଜ୍ୟରେ ଲାଞ୍ଜ ହୋଇ ରହିଥିବା ଖଣ୍ଡବିଖଣ୍ଡିତ ଅଞ୍ଚଳକୁ ନେଇ ଗଢ଼ିଛନ୍ତି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଏବଂ ତାକୁ ପୂର୍ଣ୍ଣାଙ୍ଗ ମଧ୍ୟ କରିଛନ୍ତି, ସେହି ଉତ୍କଳପ୍ରାଣ ମାନଙ୍କ କଥା, ବ୍ରିଟିଶ ଆଧିପତ୍ୟକୁ ବିରୋଧ କରି ପ୍ରାଣବଳି ଦେଇଥିବା ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ବାଜି ରାଉତ ଇତ୍ୟାଦି ଅମର ଶହୀଦ ମାନଙ୍କ ଗାଥା। ପୃଷ୍ଠା ମଣ୍ଡନ କରିଛନ୍ତି ମହାକବି ଜୟଦେବ, ଆଦିକବି ସାରଳା ଦାସ, ଭାଗବତକାର ଜଗନ୍ନାଥ ଦାସ, ସରସ୍ଵତୀ ଫକୀରମୋହନ, କବିବର ରାଧାନାଥ, ସ୍ଵଭାବକବି ଗଙ୍ଗାଧର ମେହେର ଇତ୍ୟାଦି । ଆଧୁନିକ ଯୁଗର ବରେଣ୍ୟ ସ୍ରଷ୍ଟା ସଚି ରାଉତରାୟ ଏବଂ ସାହିତ୍ୟିକ ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର ଓ ଅନ୍ୟାନ୍ୟ ବିଶିଷ୍ଟ ଲେଖକ ମଧ୍ୟ ବାଦ୍ ଯାଇନାହାନ୍ତି ଏହି ଜୀବନୀ ଏନସାଇକ୍ଲୋପିଡିଆ ମଧ୍ୟରେ ।
ଏପର୍ଯ୍ୟନ୍ତ ସ୍ଥାନିତ ହୋଇଥିବା ଏହି ୪୧୦୦ ମନିଷୀଙ୍କ ମଧ୍ୟରେ ଅଛନ୍ତି ୧୭୦୦ କବି, ସାହିତ୍ୟିକ ଯେଉଁମାନେ ସ୍ଵାଧୀନ ଭାରତ ତଥା ସ୍ଵତନ୍ତ୍ର ଉତ୍କଳ ପାଇଁ କିଛି ନା କିଛି ରଚନା ମାଧ୍ୟମରେ ଜାଗରଣ ଆଣିଛନ୍ତି । ଯିଏ ସ୍ଵାଧୀନତା ସମୟରେ ବ୍ରିଟିଶ ବିରୋଧରେ ଢେଲାଟିଏ ଫିଙ୍ଗିଛି, ବ୍ରିଟିଶ ଶାସନ ବିରୋଧୀ ସଂଗ୍ରାମୀର ସେବା କରିଛି, ସ୍ଵତନ୍ତ୍ରତା ପାଇଁ ଯୁବକଯୁବତୀଙ୍କୁ ଠୁଳ କରିଛି, ଅଥଚ କୌଣସି କାରଣରୁ ଓଡ଼ିଶାର ଏକ ଅଖ୍ୟାତ କୋଣରେ ଗୋପନରେ ରହି ଯାଇଛି, ସେହିମାନଙ୍କ ସମ୍ପର୍କରେ ଓଡ଼ିଶାର କୋଣ ଅନୁକୋଣରୁ ତଥ୍ୟ, ଫଟୋ ଇତ୍ୟାଦି ସଂଗ୍ରହ କରି ‘ଆମେ ଓଡ଼ିଆ’ ପୁସ୍ତକରେ ମଣ୍ଡିତ କରିଛନ୍ତି ଶ୍ରୀଯୁକ୍ତ ସାହୁ ।
କାହା ପାଖରୁ ଯଦି ଖବରଟିଏ ପାଆନ୍ତି, ଅମୂକ ଗାଁର ଅମୂକ ଲୋକ ସେଦିନ ଓଡ଼ିଶାର ସ୍ଵତନ୍ତ୍ରତା/ଦେଶର ସ୍ଵାଧୀନତା ପାଇଁ ଅମୂକ କାମଟି କରିଥିଲେ, ଜୀବନ ମୂର୍ଚ୍ଛା କରି କୌଣସି ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ, ସେ ରାତିଦିନ ନ ମାନି ତାଙ୍କ ଘରକୁ ଧାଇଁ ଯାଆନ୍ତି । କେବଳ ଦିନକୁ ଅଠର ଘଣ୍ଟା ପରିଶ୍ରମ ନୁହେଁ, ତା ଭିତରେ ଭୁଲିଯାଆନ୍ତି ନିଜ ପରିବାର, ସ୍ଵାସ୍ଥ୍ୟ, ପିଲାମାନଙ୍କ କଥା, ଏହିପରି ଅନେକ କିଛି । ନିଶା ଲାଗିଥାଏ ସବୁବେଳେ ଏହି ଜାତିସ୍ମରମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ । ଏ କାମ ଚାଲିଛି ଦୀର୍ଘ ୫୫ ବର୍ଷ ହେଲା ।
ସମସ୍ତଙ୍କୁ ଆପଣେଇ ନେଉଥିବା ମଣିଷ ଜଣେ ସେ । ଏହି ଆପଣେଇବା ଭିତରେ ରହିଯାଏ ଗୋଟିଏ ବଡ଼ ଅନୁରୋଧ — “ତୁମ ଅଞ୍ଚଳର କେହି ସଂଗ୍ରାମୀ, କୋଣଠେସା ହୋଇ ରହିଯାଇଥିବା ମଣିଷ ଅଛନ୍ତି କି ? ଦୟାକରି ମୋତେ ଫୋନ୍ କରି କହିଲେ, ତାଙ୍କୁ ଯାଇ ସାକ୍ଷାତ କରିବି ।”
ଆଶା ରଖିଛନ୍ତି ଶ୍ରୀ ନୃସିଂହ ଚରଣ ସାହୁ, ଜୀବନର ଦୀପ ଲିଭିବା ପର୍ଯ୍ୟନ୍ତ ଓଡ଼ିଶାର ସ୍ବାଭିମାନ ଓ କୃତି ପାଇଁ ଏହି ପୂଜ୍ୟପୂଜାର କାର୍ଯ୍ୟକ୍ରମ ଅବ୍ୟାହତ ରହିଥାଉ । ସେ କହନ୍ତି, “ଅଜାଣତରେ କେହି ଦେଶପ୍ରେମୀ ଓଡ଼ିଆ ଭାଇ ଭଉଣୀଟିଏ ଯଦି ଏହି ‘ଆମେ ଓଡ଼ିଆ’ ପୁସ୍ତକ ମଧ୍ୟରେ ସ୍ଥାନ ପାଇନାହାନ୍ତି, ତେବେ ତାଙ୍କ ପାଖକୁ ଦୟାକରି ଟେଲିଫୋନ ନମ୍ବର ୮୭୬୩୩୩୨୬୬୩ ମାଧ୍ୟମରେ ଆସିଲେ, ସେହି ଆୟୁଷ୍ମାନ ମାନେ ସ୍ଥାନିତ ହୋଇପାରିବେ ପରବର୍ତ୍ତୀ ସଂସ୍କରଣରେ ଏବଂ ଓଡ଼ିଶା ତାଙ୍କୁ ପ୍ରକୃତ ନ୍ୟାୟ ଦେଇ ପାରିବ ।”
ଆଜି ଆମେ ଗର୍ବ କରୁଛନ୍ତି, ଏଭଳି ଜଣେ ମଣିଷ ଆମରି ଭିତରେ ଅଛନ୍ତି ! ଓଡ଼ିଶା ପାଇଁ ସମ୍ପୂର୍ଣ୍ଣ ସମର୍ପିତ ମଣିଷ ନୃସିଂହ ଚରଣ ସାହୁ, ଏ ଜାତିର କ୍ଷୁଦ୍ର କର୍ମବୀର ମାନଙ୍କୁ ଯଶୋଦେହେ ଆୟୁଷ୍ମାନ ଭାବେ ପରିଚିତ କରାଇବାକୁ ବଦ୍ଧ ପରିକର । ଏ ସମସ୍ତ ‘ଆମେ ଓଡ଼ିଆ’ ଭାଗଗୁଡିକ ଆମ ଓଡ଼ିଶାର ମହାର୍ଘ ଗ୍ରନ୍ଥ । ପ୍ରତି ଓଡ଼ିଆଙ୍କ ପାଇଁ, ଓଡ଼ିଶାକୁ ଜାଣିବା ପାଇଁ, ପୂଜ୍ୟପୂଜା ନିମିତ୍ତ ମହାପୁରୁଷଙ୍କ ପଥରେ ଚାଲିବାକୁ ପ୍ରତି ଛାତ୍ର, ଯୁବକଯୁବତୀ, ପାଠାଗାର, ବିଦ୍ୟାଳୟ ଏହାକୁ ସାଇତି ରଖିବାର ପ୍ରୟୋଜନୀୟତା କେତେ, କେବଳ ଏହି ‘ଆମେ ଓଡ଼ିଆ’ ପୁସ୍ତକଗୁଡ଼ିକୁ ପାଠ କଲେ ଜାଣିହେବ ।
‘ଅନ୍ତରଙ୍ଗ କଳିଙ୍ଗ’ ପ୍ରଣାମ ଜଣାଇବା ସହ ପ୍ରାର୍ଥନା କରୁଛି, ‘ଆମେ ଓଡ଼ିଆ’ର ଜନକ ନୃସିଂହ ଚରଣ ସାହୁ ମହୋଦୟ ଶତାୟୁ ହୁଅନ୍ତୁ । ଜୀବନର ସାୟାହ୍ନରେ (୭୮ ବର୍ଷରେ) ପହଞ୍ଚିଥିବା ଶ୍ରୀଯୁକ୍ତ ନୃସିଂହ ଚରଣ ସାହୁ ତାଙ୍କ ଶୟନକକ୍ଷରେ ସାଇତି ଥିବା ବାଣୀ ତାଙ୍କ ଜୀବନର ଆପ୍ତବାକ୍ୟ ହୋଇ ସର୍ବଦା ରହିଥାଉ:
The woods are lovely,
dark and deep,
But I have promises to keep
and miles to go,
before I sleep.
ଉପସ୍ଥାପନା: ନିରଞ୍ଜନ ସାହୁ
~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (୬ଷ୍ଠ ପର୍ବ) ~ ଆପଣମାନଙ୍କ ସଦିଚ୍ଛା ସ୍ପର୍ଶରେ ସଙ୍ଘାତ ଓ ସଂଘର୍ଷର ଦିନଗୁଡ଼ିକ…
~ ଓଡ଼ିଆ ଅସ୍ମିତାର ମହାପର୍ବ ~ ୧୯୦୩ ମସିହା । ଡିସେମ୍ବର ମାସ ୩୦ ଓ ୩୧ ତାରିଖ ।…
~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ପଞ୍ଚମ) ~ ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ…
~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ଚତୁର୍ଥ-୨) ~ ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ…
~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ଚତୁର୍ଥ) ~ ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ…
~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ତୃତୀୟ) ~ ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ…