ଲେଖା: ଇଂ ରଜତ କୁମାର ପତି
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଆଦର୍ଶ ଶିକ୍ଷାଦାନ, ଜନସେବା ଓ ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରିଥିବା ନିଃସ୍ୱାର୍ଥପର ଆର୍ତ୍ତ ସେବକ, ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ଆଚାର୍ଯ୍ୟ ହରିହର ଦାସ ମହୋଦୟଙ୍କ ଜନ୍ମ ହୋଇଥିଲା ୧୮୭୯ ମସିହା ଫେବୃୟାରୀ ମାସ ୧୨ ତାରିଖ, ଫଗୁଣ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ। ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନିକଟବର୍ତ୍ତୀ ଶ୍ରୀରାମଚନ୍ଦ୍ରପୁର ଗ୍ରାମର ଶ୍ରୀ ମହାଦେବ ବ୍ରହ୍ମା ଓ ଶ୍ରଦ୍ଧାଦେବୀଙ୍କ କୋଳମଣ୍ଡନ କରିଥିବା ଜ୍ୟେଷ୍ଠ ପୁତ୍ର ହରିହର । ମାତ୍ର ୫ ବର୍ଷ ବୟସରେ ସେ ତାଙ୍କ ମା’ଙ୍କୁ ହରାଇଥିଲେ ।
ଶୈଶବ କାଳରୁ ହିଁ ହରିହର ଜଣେ ଅସାଧାରଣ ଧୀଶକ୍ତି ବିଶିଷ୍ଟ ଛାତ୍ର ଥିଲେ । ପ୍ରାରମ୍ଭିକ ଶିକ୍ଷା ପରେ ପୁରୀ ଜିଲ୍ଲା ସ୍କୁଲ, କଟକ ରେଭେନସା କଲେଜରେ ଏଫ. ଏ ଶିକ୍ଷା ଶେଷ କରିଥିଲେ । ଏଫ. ଏ. ପଢ଼ିଲା ବେଳେ ଗୋପବନ୍ଧୁ ଦାସଙ୍କ ସହ ଗୋଟିଏ କୋଠରୀରେ ରହୁଥିବା ବେଳେ ତାଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ଦେଶକୁ ସ୍ୱାଧୀନ କରିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ । ଛାତ୍ର ଜୀବନରୁ ହିଁ ସେ ନିଜର ସାଥୀମାନଙ୍କୁ ନେଇ ସେବା ବାହିନୀ ଗଠନ କରି ଲୋକଙ୍କ ସେବାରେ ନିଜକୁ ବ୍ରତୀ କରିଥିଲେ । ରେଭେନସାରେ ପଢ଼ୁଥିବା ସମୟରେ ହିଁ ଦିନେ ଗୋପବନ୍ଧୁଙ୍କ ଘର ନିକଟବର୍ତ୍ତୀ ଭାର୍ଗବୀ ନଦୀ କୂଳରେ ବସି ଜ୍ଞାନ ଅର୍ଜନ ପାଇଁ ପାଠ ପଢ଼ିବେ ଏବଂ ନିଜ ସ୍ୱାର୍ଥ ପାଇଁ ସରକାରୀ ଚାକିରୀ କରିବେ ନାହିଁ ବୋଲି ତାଙ୍କ ଦଦେଇ ପୁଅ ଭାଇ ନୀଳକଣ୍ଠ, ଅନନ୍ତ ମିଶ୍ର ଓ ଗୋପବନ୍ଧୁଙ୍କ ସହ ମିଶି ସ୍ଥିର କରିଥିଲେ (ପରେ ଗୋଦାବରୀଶ ମିଶ୍ରଙ୍କ ସତ୍ୟବାଦୀ ବନ ବିଦ୍ୟାଳୟ ଯୋଗଦାନ ପରେ ପଞ୍ଚସଖା ରୂପେ ପରିଚିତ ହୋଇଥିଲେ) ।
ବି.ଏ. ପାସ ପରେ ଗୋପବନ୍ଧୁଙ୍କ ପରାମର୍ଶରେ କଲିକତାରେ ଓକିଲାତି ପଢ଼ା ଶେଷ କରିଥିଲେ ହେଁ ଏହି ବ୍ୟବସାୟ ସତ୍ୟ ଓ ନ୍ୟାୟ ଉପରେ ପ୍ରତିଷ୍ଠିତ ନୁହେଁ ହୃଦୟଙ୍ଗମ କରି ସେ ଶେଷ ପରୀକ୍ଷା ନଦେଇ ଘରକୁ ଫେରି ଆସିଥିଲେ ।
ପୁରୀ ଜିଲ୍ଲା ସ୍କୁଲରେ ପଢ଼ୁଥିବା ବେଳେ ସେ ଅନନ୍ତ ମିଶ୍ରଙ୍କ ଭଉଣୀଙ୍କୁ ବିବାହ କରିଥିଲେ କିନ୍ତୁ ଥରେ ମାତ୍ର ସାକ୍ଷାତ ହୋଇନଥିବା ସ୍ତ୍ରୀଙ୍କର ଅକାଳ ବିୟୋଗ ପରେ ସେ ଦ୍ଵିତୀୟ ବିବାହ କରିଥିଲେ ।
ଆଚାର୍ଯ୍ୟ ହରିହର ଦାସ ଅନେକ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ ଆଉ ନିଜର ସରଳ ନିଷ୍କପଟ ବ୍ୟବହାର, ଆଦର୍ଶ ଚାରିତ୍ରବତ୍ତା ତଥା ବିନମ୍ରତା ଯୋଗୁଁ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ୧୯୦୯ ମସିହାରେ ଗୋପବନ୍ଧୁଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ସତ୍ୟବାଦୀ ବନବିଦ୍ୟାଳୟରେ ହରିହର ୧୯୧୨ ମସିହାରେ ଯୋଗଦାନ କରିଥିଲେ । ପିଲାମାନଙ୍କର ଇଂରାଜୀ ଶିକ୍ଷାକୁ ସହଜ ଓ ବୋଧଗମ୍ୟ କରିବା ପାଇଁ ତାଙ୍କ ରଚିତ “Child’s Easy First Grammar” ପୁସ୍ତକ ଛାତ୍ର ମାନଙ୍କର ପଥପ୍ରଦର୍ଶକ ହୋଇଥିଲା ।
୧୯୨୦ରେ ଗୋପବନ୍ଧୁ ଲାହୋରରେ ଅନୁଷ୍ଠିତ ହେଉଥିବା ଜାତୀୟ କଂଗ୍ରେସର ଅଧିବେଶନରେ ଯୋଗଦେଇ ନୂତନ ଶିକ୍ଷାନୀତି ଢାଞ୍ଚାରେ ସତ୍ୟବାଦୀ ବନବିଦ୍ୟାଳୟକୁ ଜାତୀୟ ବିଦ୍ୟାଳୟରେ ପରିଣତ କରିବାର ଚେଷ୍ଟାରେ ଆଚାର୍ଯ୍ୟ ହରିହର ମଧ୍ୟ ସମ୍ପୂର୍ଣ୍ଣ ଭାବେ ଲାଗିପଡ଼ିଥିଲେ । କିନ୍ତୁ ଏହାକୁ ସରକାର ବିରୋଧୀ ବୋଲି ଭାବି ଏହି ଅନୁଷ୍ଠାନରୁ ସ୍ୱୀକୃତି ପ୍ରତ୍ୟାହାର କରି ନିଆଗଲା ଏବଂ ସତ୍ୟବାଦୀ ବନବିଦ୍ୟାଳୟ ବନ୍ଦ ହୋଇଗଲା । ଏହା ପରେ ଦ୍ଵିତୀୟ ପତ୍ନୀଙ୍କ ବିୟୋଗ ହେତୁ ସେ ବ୍ରହ୍ମଚାରୀ ହୋଇ ଦେଶ ସେବାରେ ନିଜକୁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗ କରିଥିଲେ ।
ଏହାପରେ ସେ ବିଧବାଶ୍ରମ ପ୍ରତିଷ୍ଠା, ୧୯୨୮ରେ ଗୋପବନ୍ଧୁଙ୍କ ମୃତ୍ୟୁ ପରେ ଗୋପବନ୍ଧୁ ସେବା ସଦନର ମୁଖ୍ୟ ପରିଚାଳକ, ଗୋପବନ୍ଧୁ ଚୌଧୁରୀଙ୍କ ନିର୍ଦ୍ଦେଶକ୍ରମେ କଟକର ସ୍ୱରାଜ ଆଶ୍ରମରେ କର୍ମୀମାନଙ୍କୁ ତାଲିମ ଦେବା ପରେ ନିଜେ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ୧୯୩୦ରେ ଇଞ୍ଚୁଡ଼ିରେ ଲବଣ ସତ୍ୟାଗ୍ରହରେ ନେତୃତ୍ୱ ନେଇ କାରାବରଣ, ଓଡ଼ିଶା ପ୍ରାଦେଶିକ ସମର କମିଟିର ଅଧ୍ୟକ୍ଷ, ପୁରୀର ଡେଲାଙ୍ଗ ଠାରେ ଗାନ୍ଧୀ ସେବା ସଂଘ ଅଧିବେଶନର ପରିଚାଳନା, ଯାଜପୁରର ବାରୁଆଁ ପୁରୁଷୋତ୍ତମପୁର ଠାରେ ଗାନ୍ଧିଜୀଙ୍କ ଛୁଆଁଅଛୁଆଁ ଭେଦଭାବ ଦୂରୀକରଣ ଆଦର୍ଶରେ ଅନୁପ୍ରାଣିତ ହୋଇ ହରିଜନ ସେବା ସଂଘର ସଭାପତି, ମୌଳିକ ଶିକ୍ଷା ପରିଷଦର ସଭାପତି, ୧୯୪୨ରେ ଗୋପବନ୍ଧୁ ଚୌଧୁରୀ, କୃପାସିନ୍ଧୁ ହୋତାଙ୍କ ସହ ମିଶି ଭାରତଛାଡ଼ ଆନ୍ଦୋଳନ ପାଇଁ କାରାବରଣ ପରେ ଆଚାର୍ଯ୍ୟ ମହାଶୟ ସକ୍ରିୟ ରାଜନୀତିରୁ ବିଦାୟ ନେଇଥିଲେ ଓ ସେବାମୂଳକ କାମରେ ମନନିବେଶ କେଇଥିଲେ ।
ସ୍ୱାଧୀନତା ପରେ ମଧ୍ୟ ଗାଁ ଗାଁ ବୁଲି ଖଦୀ କାମ, ଅସ୍ପୃଶ୍ୟତା ନିବାରଣ, ମୌଳିକ ଶିକ୍ଷାର ପ୍ରସାର କାର୍ଯ୍ୟରେ ଲାଗିଥିଲେ ।୧୯୫୫ ମସିହାରେ ବିନୋବାଜୀଙ୍କ ସହ ପଦଯାତ୍ରା, ୧୯୬୦ ମସିହାରେ ସେବାଗ୍ରାମରେ ଅନୁଷ୍ଠିତ ସର୍ବୋଦୟ ସମ୍ମିଳନୀରେ ସଭାପତିତ୍ୱ କରିବା, ୧୯୬୪ ମସିହାରେ ଛାତ୍ର ଆନ୍ଦୋଳନରେ ସେ ମହିୟସୀ ରମାଦେବୀଙ୍କୁ ସାଙ୍ଗରେ ନେଇ ଛାତ୍ରମାନଙ୍କୁ ବୁଝାଇବା ପରେ ଛାତ୍ରମାନେ ଅନଶନ ଭଙ୍ଗ ଆଦି ତାଙ୍କ ସମାଜ ସଂସ୍କାରମୂଳକ କାର୍ଯ୍ୟର କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ।
ଆଜୀବନ କେବେ ସମ୍ମାନ ଗ୍ରହଣ କରିନଥିବା ତଥା “ଭଲ ମଣିଷ ହୁଅ” କହୁଥିବା ପଞ୍ଚସଖାର ଶେଷସଖା ଆଚାର୍ଯ୍ୟ ହରିହର ୧୯୭୧ ମସିହା ଫେବୃୟାରୀ ୨୧ ତାରିଖରେ ଧରାପୃଷ୍ଠରୁ ଚିରବିଦାୟ ନେଇଥିଲେ ।