ଲେଖା: ଶିଶିର ସାହୁ ମନୋଜ

‛ଅହିଅ’ ଶବ୍ଦଟି ଓଡ଼ିଶାରେ ‛ସଧଵା’ ଶବ୍ଦର ଏକ ପ୍ରତିଶବ୍ଦ ଭାଵେ ଵ୍ଯଵହୃତ ହୋଇଥାଏ । ଏ ଓଡ଼ିଆ ଶବ୍ଦଟି ସଂସ୍କୃତର ‛ଅଭିଵାଦ୍ଯ’ ସହିତ ସମଦ୍ଧୃତ ହୋଇଥାଇପାରେ । ‛ଅଭିଵାଦ୍ଯ’ର ଅର୍ଥ ସଧବା ଯୋଗୁଁ ବନ୍ଦନୀୟା । ଏ ଶବ୍ଦର ପ୍ରାକୃତ ସମଦ୍ଧୃତ ରୂପ ହେଉଛି ‛ଅହିବାଦ୍’ ଓ ‛ଅହିବଦ୍’ ।

ସେଇଭଳି ଶାସ୍ତ୍ରୀୟ ‛ଅଭିବନ୍ଦ୍ଯା’ ଶବ୍ଦର ଅର୍ଥ ପ୍ରଶଂସନୀୟା ସଧଵା ସ୍ତ୍ରୀ । ‛ଅହିଅ’ ଶବ୍ଦଟି ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଭିନ୍ନ ରୂପରେ ଚଳୁଅଛି । ପୂର୍ଵାଞ୍ଚଳରେ ଏ ଶବ୍ଦ ‛ଐହ’, ‛ଅହ୍ଯ’, ‛ଅହି’ ଓ ଅଇ’ ଆଦି ରୂପ ଧାରଣ କରିଥିଵା ଵେଳେ ପଶ୍ଚିମାଞ୍ଚଳରେ ‛ଉହତି’ ହୋଇ ଚଳୁଅଛି । ମୈଥିଳୀ ଭାଷାରେ ‛ଅହିବାତ’ ଓ ‛ଅହିବାତୀ’ ଆଦି ଦୁଇଗୋଟି ଶବ୍ଦ ଚଳୁଅଛି ତନ୍ମଧ୍ୟରୁ ‛ଅହିବାତ’ର ଅର୍ଥ ପତି ଜୀଵିତ ରହିଵା ରୂପ ସୌଭାଗ୍ୟ ଏଵଂ ‛ଅହିଵାତୀ’ର ଅର୍ଥ ସୌଭାଗ୍ଯଶାଳୀ ସଧଵାନାରୀ । 

ପୂର୍ଵକାଳରେ ଯେଉଁ ନାରୀ ପତିଵ୍ରତା ହେଉଥିଲେ ପରପୁରୁଷ ପ୍ରତି ଆକର୍ଷିତ ହେଉନଥିଲେ ସେମାନେ ସେମାନଙ୍କ ସଂସ୍କାର ହେତୁ ପ୍ରଶଂସନୀୟା ବୋଲି ଅଭିହିତ ହୋଇଛନ୍ତି ଏଵଂ ଏଇଠାରୁ ଏ ଶବ୍ଦର ଵ୍ଯଵହାର ଆରମ୍ଭ ହୋଇ ନାନା ରୂପ ଧାରଣ କରିଛି ।

ଆଗେ ସେଭଳି ପ୍ରତିଵ୍ରତା ସଧଵା ସ୍ତ୍ରୀ ପ୍ରାଣତ୍ୟାଗ କଲେ ତାଙ୍କର ଶଵ ସତ୍କାରାର୍ଥ ଘରୁ ଶ୍ମଶାନକୁ ନେଲାଵେଳେ ଶ୍ମଶାନଯାଏଁ ଗୋଟିଏ ନାଗରା ବାଜିଵାର ଵିଧି ଥିଲା । ସେହି ଵିଶେଷ ଵାଦ୍ଯକୁ ଅହିଅ ବାଇଦ, ଅହିଅ ଟମକ, ଅହିଅ ଢେଙ୍ଗୁରା ଓ ଅହିଅ ନାଗରା ଆଦି କୁହାଯାଉଥିଲା । ଆଜି ବି ଦକ୍ଷିଣ ଭାରତରେ ଏ ସଂସ୍କୃତି ଊଣା ଅଧିକେ ବଞ୍ଚି ରହିଛି । ଲୋକଵିଶ୍ଵାସ ରହିଛି ଯେ ସଧଵାନାରୀ ସ୍ଵପତି ଜୀବଦ୍ଦଶାରେ ପ୍ରାଣ ତ୍ଯାଗିଲେ ଵୈକୁଣ୍ଠର ଅହିଅ ମଣ୍ଡଳ ଲୋକରେ ପରମଗତି ପ୍ରାପ୍ତ ହୁଅନ୍ତି ।

ସେଇଭଳି ଯଦି କୌଣସି ସଧଵା ନାରୀର ଅପମୃତ୍ଯୁ ଘଟି ତା ଆତ୍ମା ଅତୃପ୍ତ ହୋଇଯାଏ ତେଵେ ସେ ‛ଶଙ୍ଖିନୀ’ ନାମ୍ନୀ ପ୍ରେତାତ୍ମା ହେଵାର ଲୋକ ଵିଶ୍ଵାସ ମଧ୍ୟ ପ୍ରଚଳିତ । କୁହାଯାଏ, ଏମାନେ ରାତ୍ରରେ ନିର୍ଜନ ପ୍ରାନ୍ତର ଓ ବୃକ୍ଷତଳେ ଶୋଇଥିଵା ଏକାକୀ ପଥିକର ଶଙ୍ଖି ଵା ତଣ୍ଟି ଚିପି ରକ୍ତ ପିଅନ୍ତି ବୋଲି ଏମାନଙ୍କୁ ଶଙ୍ଖିନୀ ନାମ ମିଳିଅଛି । ଏହି ଉପଦେବତୀ ଶାହାଡ଼ା ଗଛରେ ବାସ କରନ୍ତି ବୋଲି ଲୋକେ ଵିଶ୍ଵାସ କରନ୍ତି ।

ସଧବା ସ୍ତ୍ରୀର ଶବ ଶ୍ମଶାନକୁ ନିଆହେଲାବେଳେ ଶବ ଆଗରେ ସ୍ବମୀ ଯେଉଁ କଉଡି ଓ ଖଇ ବୁଣେ ତାକୁ ‛ଅହିଅ କଉଡି଼’ ଓ ଖଇ କୁହାଯାଏ ।

ଆଗେ ସଧବା ସ୍ତ୍ରୀର ଚିହ୍ନସ୍ବରୂପ ହାତର ଶଙ୍ଖା ଓ ଚୁଡି଼, ରଙ୍ଗୀନ ଶାଢ଼ୀ, ସିନ୍ତିରେ ସିନ୍ଦୂର, ମଙ୍ଗଳସୂତ୍ର, ହାତ ଓ ଗୋଡ଼ମୁଦି ତଥା ପାଉଁଜି ଆଦିରୁ ଜଣାଯାଉଥିଲା । ଵର୍ତ୍ତମାନ ଯୁଗରେ ଭାରତୀୟ ନଗରାଦିରେ ଏସବୁର ପ୍ରଚଳନ ଅନେକାଂଶରେ ହ୍ରାସ ପାଇଥିଵା ହେତୁରୁ କିଏ ଵିଵାହିତା କିଏ ଵିଧଵା ଆଉ କିଏ କୁମାରୀ ତାହା ଜଣାପଡେ଼ ନାହିଁ । ଆଗେ କିନ୍ତୁ ସଧଵାନାରୀ ନିଷ୍ଠାପର ଭାଵେ ହେଉ କି ଵାଧ୍ଯଵାଧକତାରେ ସମସ୍ତ ସାମାଜିକ ନିୟମ ପାଳୁଥିଲେ । ଆଜକୁ ମାତ୍ର ଶହେ ଵର୍ଷ ତଳେ ସୁଦ୍ଧା ଏ ଦେଶର ସଧବା ଝିଅ ଶାଶୁ ଘରକୁ ଗଲାବେଳେ ହାତରେ କଜଳପାତିଟିଏ ଧରି ଘରୁ ଅନୁକୂଳ କରୁଥିଲା  କାରଣ ସେତେଵେଳେ ଏ ଦେଶରେ କଜଳ ଘେନିଵା ସଧଵାର ଲକ୍ଷଣ ଥିଲା ।

କଳିଙ୍ଗ ଦେଶର ସଧଵା ନାରୀଙ୍କର ଵିଶ୍ଵାସ ସଧଵାର ଚିହ୍ନ ଯଥା ସିନ୍ଦୂର, ଚୁଡି଼, ଶଙ୍ଖାଦି ଵିଷୟରେ ସର୍ଵାପେକ୍ଷା ଅଧିକ ଥିଲା ତେଣୁ ଏଠାରେ ଖଡ଼ୁ ଛୁଇଁ ସପଥ କରୁଥିଲେ ସ୍ତ୍ରୀଲୋକେ କାରଣ ଲୋକଵିଶ୍ଵାସ ଥିଲା ଖଡୁ଼/ଶଙ୍ଖା ଛୁଇଁ ମିଛ କହିଵା ସ୍ତ୍ରୀ ଶୀଘ୍ର ଵିଧଵା ହେଇଯାଏ । ବଡ଼ଲୋକେ ସାନ ଝିଅମାନଙ୍କୁ ଖଡ଼ୁ ବଜ୍ରହେବା ଆଦି ଆଶିର୍ଵାଦ ମଧ୍ୟ ଦେଉଥିଲେ। ହାତରୁ ଖଡ଼ୁ କାଢିଵା ଵିଧଵାର ଲକ୍ଷଣ ବୋଲି ଆମ ଦେଶର ମହିଳାମାନେ ଵିଶ୍ଵାସ କରୁଥିଲେ । ତେଣୁ ସଧବା ସ୍ତ୍ରୀର ହାତରୁ ଶଙ୍ଖା, ଖଡ଼ୁ ଓ ଚୁଡି଼ କଢାଯିଵା ଅତ୍ଯାଵଶ୍ଯକ ହେଲେ ଖଡ଼ୁ ‘କାଢିବା’ ରୂପକ ଅମଙ୍ଗଳ ସୂଚକ ଶବ୍ଦ ଵ୍ଯଵହାର ନକରି ଖଡ଼ୁ ‘ଶୀତଳେଇଵା’ ରୂପେ କୋମଳତର ଶବ୍ଦ ଵ୍ଯଵହାର କରୁଥିଲେ ।

ଵିଵାହକାଳରେ ଅହିଅ ଵା ସଧଵା ନାରୀଙ୍କ ଦ୍ଵାରା କେତେକ ଵୈଵାହିକ କର୍ମ ସମ୍ପନ୍ନ କରାଯାଇଥାଏ । ସାତମଙ୍ଗଳା ତଥା ଅନ୍ୟ ମଙ୍ଗଳକାର୍ଯ୍ୟ ସମୟରେ ସାତ ଅହିଅ ଵା ସାତ ଜଣ ସଧଵା ନାରୀ ଲୋଡା଼ ହୋଇଥାନ୍ତି । ଏଇଭଳି ଅହିଅ ଵା ସଧଵା ସମ୍ବନ୍ଧୀୟ ଆହୁରି ଅନେକ ଶବ୍ଦ ରହିଛି ।

ପୂର୍ଵେ ସଂସ୍କୃତ ଭାଷାରେ ପତ୍ର ଲେଖିଲାଵେଳେ ‘ଅମୁକା ଦେବ୍ଯାଃ ନିବେଦନମିଦଂ’ (ଅମୁକ ଦେବୀଙ୍କର ନିବେଦନ ଏହା) ଲେଖା ଯାଉଥିଲା । କ୍ରମଶଃ (ଅମୁକଙ୍କ ଶ୍ରୀଚରଣ କମଳେଷୁ, କିମଧିକଂ ଵିଜ୍ଞଵରେଷୁ, ନିବେଦନମିତି, ସବିନୟ ନିବେଦନମିଦଂ, ପ୍ରଣତିପୁରଃସର ନିବେଦନମିଦଂ ଆଦି ସଂସ୍କୃତ ଵାକ୍ଯ ଓ ପଦାଂଶ ପରି) ଏ ପଦ ମଧ୍ଯ ଓଡିଆଭାଷାରେ ଲେଖାହେଵା ପତ୍ରମାନଙ୍କରେ ଲେଖାଗଲା ।  ପରଵର୍ତ୍ତୀ କାଳରେ ଦଲିଲ ଆଦିରେ  ସଧଵାମାନଙ୍କର ନାମ ‘ଶ୍ରୀମତ୍ଯା ଅମୁକ ଦେଵ୍ଯା’ ଏବଂ ଵିଧଵାମାନଙ୍କର ନାମ ‘ଶ୍ରୀମତ୍ଯା ଅମୁକା ଦିବ୍ଯା’ ବୋଲି ଲେଖାଗଲା । କେତେକ ଅଞ୍ଚଳରେ ବ୍ରାହ୍ମଣୀ ସଧଵା ସ୍ତ୍ରୀମାନଙ୍କ ନାମ ପରେ ‘ଦେଵୀ’ ଓ ବିଧବାମାନଙ୍କ ନାମ ପରେ ‘ଦିଵ୍ଯା’ ଲେଖା ଯାଉଥିଲା ।  ସେହିପରି ଶୂଦ୍ରା ସଧଵା ସ୍ତ୍ରୀମାନଙ୍କ ନାମ ପରେ ‘ଦେଈ’ ଓ ‘ଦାସୀ’ ଲେଖା ଯାଉଥିଲା ଓ ଵିଧଵା ଶୂଦ୍ରା ସ୍ତ୍ରୀମାନଙ୍କ ନାମ ପରେ ‘ଦାସୀ, ଦାସ୍ଯା ଓ ବେବା’ ଲେଖା ଯାଉଥିଲା । ପରେ  ବିଂଶ ଶତାବ୍ଦିର ସଂବାଦପତ୍ରମାନଙ୍କରେ କି ବ୍ରାହ୍ମଣୀ, କି ଶୁଦ୍ରା, କି ଵିଧଵା, କି ସଧଵା ସବୁ ସ୍ତ୍ରୀମାନଙ୍କ ନାମ ପରେ ‘ଦେଵୀ’ ଉପାଧି ଲେଖା ଯିଵାର ଦେଖାଗଲା

ଆଉ ଆଜିକାଲି ପାଶ୍ଚାତ୍ୟ ସଂସ୍କୃତିର ଅନ୍ଧୁନୁକରଣ ମଧ୍ୟରେ କର୍ପୂର ଉଡି଼ଗଲାଭଳି ଅନେକ ଚଳଣି ଉଠିଯାଇଛି ଖାଲି ରହିଯାଇଛି ଏହି ଅହିଅ ଶବ୍ଦଟି ସେଇ ପୁରୁଣା ଦିନର ପରମ୍ପରା ଵିଷୟରେ ଜଣେଇ ଦେଵାକୁ ! ହେଲେ ଦୁଃଖର ଵିଷୟ ଏଇ ଯୁଗରେ ଅହିଅ ଶବ୍ଦର ଅର୍ଥ ସୁଦ୍ଧା ଅନେକେ ଜାଣିନାହାନ୍ତି  !!!!

©ଶିଶିର ସାହୁ ମନୋଜ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago