ଲେଖା: ଅଶୋକା ନାୟକ
~ ଅଶୁରଗଡ ଜଳପ୍ରପାତ ~
ବରଗଡ଼ରୁ ଅମ୍ବାଭୋନା ରାସ୍ତାରେ ସମରଦର୍ହା ଛକ ପଡେ। ସେଇଠି ବାଁ ପଟେ ଦେବ୍ରିଗଡ ୧୭ କିଲୋମିଟର ଲେଖା ହେଇ ଗୋଟିଏ ବୋର୍ଡ଼ ଅଛି । ଡାହାଣରେ ଛୋଟିଆ ହନୁମାନ ମନ୍ଦିର। ଏହି ଡାହାଣ ପଟରେ ହିଁ ଆମକୁ ଯିବାକୁ ପଡିବ। ରାସ୍ତା ନୂଆ ଓ ଜଙ୍ଗଲ ଭିତରେ ହୋଇଥିବାରୁ କେବଳ ମାତ୍ର ଏ ରାସ୍ତାରେ ଯାତ୍ରା ହିଁ ଆନନ୍ଦଦାୟକ ହୋଇଥାଏ। ପ୍ରକୃତିକୁ ଭଲ ପାଉଥିବା ମଣିଷ ଏହି ରାସ୍ତାରେ ଫଟୋ ନ ଉଠାଇ ଆଗକୁ ବଢି ପାରିବନି। କମ ଭିଡ଼ ଥିବା ଏହି ରାସ୍ତାର ଆନନ୍ଦ ନେଇ ଆଗକୁ ଗଲେ ବାମ ପଟେ ମା’ ମେଟକାନୀଙ୍କ ମନ୍ଦିର ଅଛି, ଏହି ମନ୍ଦିର ସିଧା ରାସ୍ତାରେ ଗଲେ ପଡିବ ବାରପାହାଡ
ଚାଷଜମି, ଧାନକ୍ଷେତ ଓ ଦୁଇଟି ଗାଁ ଟପିବା ପରେ ଗୋଟିଏ ସ୍ଥାନରେ ଦୁଇପଟକୁ ରାସ୍ତା ଯାଇଛି। ଡାହାଣ ପଟ ବୋର୍ଡ ରେ ବାର ପାହାଡ, ବାରବଖରା ଲେଖା ହୋଇଛି। ସେ ରାସ୍ତାରେ ଗଲେ କିଛି ବାଟ ଆଗରୁ ଗାଡି ରଖି ପାହାଡ଼ ଚଢ଼ିବାକୁ ହେବ। ସେଥିପାଇଁ ଜଣେ ସ୍ଥାନୀୟ ବାସିନ୍ଦା ଆମକୁ ବାଁ ପଟ ରାସ୍ତାରେ ଯାଇ ପୁରା ପାହାଡ଼ ପାଖରେ ପହଞ୍ଚିହେବ ବୋଲି କହିଥିଲେ। ତାଙ୍କ କଥା ମାନି ଆମେ ବାଁ ପଟ ରାସ୍ତା ରେ ୩୦୦ ମିଟର ଯାଇ ପୁଣି ଡାହାଣକୁ ପାହାଡ଼ ରାସ୍ତାରେ ଗଲୁ। ରାସ୍ତା ନାହିଁ, ବାଲି, ମାଟି, ପଥର ଦେଇ ଯିବାକୁ ହେବ, କିନ୍ତୁ ଯାଇହେବ। ସବୁ ସୁନ୍ଦର ପ୍ରାକୃତିକ ସ୍ଥାନକୁ ପିଚୁ ରାସ୍ତା ନାହିଁ ବୋଲି ଆମେ ହୃଦୟଙ୍ଗମ କଲେ ଏହି ରାସ୍ତାଟି ବି ଭଲ ଲାଗିବ।
ଆମେ ଯାଇ ପହଞ୍ଚିଲୁ ପୁରା ପାହାଡ଼ ପାଖରେ। ସେଠି ଚୁଲି ସବୁ ଦେଖି ନିୟମିତ ବଣଭୋଜି ହେଉଥିବାର ଅନୁମାନ କଲୁ। କୁଳୁକୁଳୁ ଝରଣାର ଶବ୍ଦ ଶୁଣା ଯାଉଥିଲା ଓ ଆମେ ସେହି ଝରଣାର ପାଣି ଧାରେ ଧାରେ ଯାଇ ପାହାଡ଼ର ମୁଣ୍ଡିଆରେ ଚାଲିଲୁ। ବର୍ଷା ଦିନରେ ପୁରା ପାହାଡ଼ରେ ପାଣି ବୋହୁଥିବାର ଶୁଖି ଯାଇଥିବା ଦାଗରୁ ଜାଣି ପାରିଲୁ।
ପ୍ରାୟ ୩୦୦ ମିଟର ସେମିତି ଚାଲିବା ପରେ ଦେଖିବାକୁ ମିଳିଲା ଯେ ପାଣିର ଧାର ଦୁଇ ଭାଗରେ ବିଭକ୍ତ ହେଇଛି। ଗୋଟିଏ ଝରଣା ଭାବେ ବୋହିଯାଉଛି ମୁଣ୍ଡିଆ ଦେଇ ଆଉ ଗୋଟିଏ ଧାର ବାରବଖରା ଗୁମ୍ଫାର ଉପର ପଥରରୁ ତଳକୁ ପଡି ଜଳପ୍ରପାତ ସୃଷ୍ଟି ହୋଇଛି।
ଏହି ଜଳପ୍ରପାତର ନାଁ ହେଲା ଅଶୁରଗଡ ଜଳପ୍ରପାତ। ସମସ୍ତେ ଏହାକୁ ବାର ବଖରା ଜଳପ୍ରପାତ କହୁଥିଲେ ମଧ୍ୟ ଗୂମ୍ଫାର ନାଁ ବାର ବଖରା ଓ ଜଳପ୍ରପାତ ର ନାଁ ଅଶୁରଗଡ ଜଳପ୍ରପାତ।
ଉପରୁ ପାଣି ପଡୁଥିବାର ଦୃଶ୍ୟ ସୁନ୍ଦର ହେଲେ ବି ଭୟଙ୍କର। ଏହା ପୂର୍ବରୁ ଆମେ ସବୁ ଜଳପ୍ରପାତର ପାଣି ଉପରୁ ପଡୁଥିବାର ତଳୁ ଦେଖିଥିଲୁ। ଏଠି କିନ୍ତୁ ଆମେ ପାଣି ପଡୁଥିବା ସ୍ଥାନରୁ ତଳକୁ ଦେଖିପାରୁଥିଲୁ।
ପଥର ରାସ୍ତାରେ ତଳକୁ ଓହ୍ଲେଇ ଗୁମ୍ଫା ପାରି ହେଲେ ହିଁ ଜଳପ୍ରପାତ। ନଭେମ୍ବର ରେ ପାଣି କମି ଥିବାରୁ ଗୋଟିଏ ଧାର ଥିଲା କିନ୍ତୁ ତା’ର ମଧ୍ୟ ଗର୍ଜନ ସେହି ସ୍ଥାନ ରେ ତା’ର ଉପସ୍ଥିତି ଜାହିର କରିବାକୁ ଯଥେଷ୍ଟ ଥିଲା। ମୁଁ ଭାବି ପାରୁଥିଲି ବର୍ଷାଦିନରେ ବେଶୀ ପାଣି ଓ ବେଶୀ ଧାର ଥିବା ସମୟରେ ଅଶୁରଗଡ ଜଳପ୍ରପାତ କେମିତି ଦେଖା ଯାଉଥିବ!
ଏହି ଜଳପ୍ରପାତରେ ଗାଧେଇବା ସୁରକ୍ଷିତ। ଏଠାରେ ତିନୋଟି ବଡ଼ ବଡ଼ ପଥର ଦେଖି ଲାଗିଲା, ସତେ ଯେମିତି କିଏ ସେଠି ଆଣି ସଜେଇବା ପାଇଁ ରଖି ଦେଇଛି।
ଛୋଟ ବଡ଼ ଗଛଲତା, ଚଢ଼େଇ, ମାଙ୍କଡ, ପଥର, ଗୁମ୍ଫା, ଅଶୁରଗଡ ଜଳପ୍ରପାତ ଓ ଆକାଶ . . ସମସ୍ତେ ସେଠି ମିଶି ଗୋଟିଏ ଅପୂର୍ବ ପରିବେଶ ସୃଷ୍ଟି କରୁଥିଲେ।
ଏହି ଧାରଟି ପଥରରେ ପଡି ପୁଣି ଥରେ ତଳକୁ ଖସିଛି, କିନ୍ତୁ ସେଠିକୁ ଯିବା ସମ୍ଭବ ନୁହେଁ। ଏଠାରେ ପାଣି ପଡ଼ି ପଡି ଗୋଟିଏ ପଥରରେ ଖାଲ ହୋଇଛି, ଯେଉଁଠି ଲୋକମାନେ ସୁଇମିଂ ପୁଲ କହି ଖୁସିରେ ଗାଧୋଉ ଥିଲେ।
ସ୍ଥାନଟିର ନିଜସ୍ଵ ପ୍ରାକୃତିକ ସଙ୍ଗୀତ ଥିଲେ ବି କିଛି ଆଧୁନିକ ପାଗଳ ସେଠି ମ୍ୟୁଜିକ ସିଷ୍ଟମ ନେଇ ଶବ୍ଦ ପ୍ରଦୂଷଣ କରୁଛନ୍ତି। ଆଉ ପ୍ରାୟ ଲୋକ ଜୀବନର ପ୍ରଥମ ଥର ଗାଧେଇବା ପରି ସାମ୍ପୁ, ସାବୁନ ବ୍ୟବହାର କରି ପାଣିକୁ ନଷ୍ଟ କରୁଛନ୍ତି। ଆଉ ବୋତଲ କଥା କହି କହି ଲାଜ ଲାଗିଲାଣି। ଏମିତି ସ୍ଥାନକୁ ଯାଇ କେମିତି କେଜାଣି ମଦ୍ୟପାନ କରି ବେହୋସ୍ ହେବାକୁ ଇଛା କରନ୍ତି? ଆମେ ତ ହଜିଗଲୁ ସେହି ସ୍ଥାନର ଅପରୂପ ସୌନ୍ଦର୍ଯ୍ୟରେ। ଏହି ସ୍ଥାନରେ ଜଣେ ପ୍ରକୃତିପ୍ରେମୀ ଆରାମରେ କିଛି ଦିନ କଟେଇ ପାରିବ।
Asuragada Waterfall
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

1 month ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 month ago