ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଓ ପ୍ରତୀକ ପଟ୍ଟନାୟକ

~ ଅଲାରନାଥ ଦେବଙ୍କ ନାମକରଣ ~

ପ୍ରଶ୍ନ ଉଠେଅଲାରନାଥ ନାମକରଣ କିପରି କାହିଁକି ଓ କଣ ଏହାର ଅର୍ଥ ? ଇତି ମଧ୍ୟରେ ଆମେ ମାନେ କିମ୍ବଦନ୍ତୀକୁ ବିଶ୍ୱାସ କରି ଭ୍ରମରେ ପଡି ନାହୁଁ ତ ?

ଅନେକଙ୍କ ମତରେ ଅଲବିନ୍ଦାଚାର୍ଯ୍ୟ ବା ଅଲବାରଙ୍କ ଆଗମନ ଓ ଦର୍ଶନ କାହାଣୀକୁ ଆମେ ମାନିନେଇଛେଅଲାରନାଥ ଦେବଙ୍କ ନାମକରଣ ଏପରି ବୋଲି ତେବେ ଅନେକେ ମତ ଦିଅନ୍ତି ଯେ ଅଲବନ୍ଦାଚାର୍ଯ୍ୟ ବା ଅଲବାରଙ୍କ ଆଗମନ ଅଣସର ବେଳେ ହେବା ହେତୁ ସେ ବ୍ରହ୍ମଗିରିରେ ସାକ୍ଷାତ ନାରାୟଣଙ୍କ ମୂର୍ତ୍ତି ଦେଖି ଜଗନ୍ନାଥ ଦର୍ଶନର କୃପାଲାଭ କଲେ ଓ ସେଦିନଠୁ ଏହି ଜନାର୍ଦ୍ଦନ ସ୍ୱରୂପୀ ଅଲାରନାଥ ବୋଲାଇଲେ । କିନ୍ତୁ ଯଦି ଇତିହାସକୁ ଦେଖିବା ଏହା କପୋଳକକଳ୍ପିତ ମନେହୁଏ ।


ଐତିହାସିକ ଦୃଷ୍ଟିରୁ ଦେଖିବାକୁ ଗଲେ ବ୍ରହ୍ମଗିରିର ଏହି ଭବ୍ୟ ବିଷ୍ଣୁ ଦେଉଳ ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଓ ଏହା ଗଙ୍ଗବଂଶୀଙ୍କ ଅନ୍ୟତମ ଇଷ୍ଟକ୍ଷେତ୍ର। ମାଦଳା ଅନୁସାରେ ମଦନ ମହାଦେବଙ୍କ ଦ୍ଵାରା ନିର୍ମିତ। ତେବେ ଏ ଅଲବିନ୍ଦାଚର୍ଯ୍ୟ କେବେ ଆସିଲେ ?
ଅଲବିନ୍ଦାଚର୍ଯ୍ୟ କ’ଣ ଦ୍ୱାଦଶ ଅଲବାର ଓ ଆଁଣ୍ଡାଲଙ୍କ ମଧ୍ୟରୁ ଜଣେ କି ? ତାମିଲ ଇତିହାସ ଓ ବୈଷ୍ଣବଭକ୍ତି ଆନ୍ଦୋଳନର ଅଭ୍ୟୁଦୟକୁ ଯଦି ଧରାଯାଏ । ପଞ୍ଚମରୁ ଦଶମ ଶତାବ୍ଦୀ ଯାଏଁ ଏହି ବାର ଅଲବାରଙ୍କ ସ୍ଥିତି ଦେଖାଯାଏ। ପରେ ରାମାନୁଜଙ୍କ ସମୟରେ ଯାହା ବହୁ ପ୍ରଚାରିତ ହେଲା। ଯଦି ମନ୍ଦିର ଦ୍ୱାଦଶ ଶତାବ୍ଦୀରେ ନିର୍ମାଣ ହୋଇଛି । ଏ ଦକ୍ଷିଣ ଅଲବାର ଶବ୍ଦ କଣ ରାମାନୁଜ ରଖିଲେ କି ? କିନ୍ତୁ ରାମାନୁଜଙ୍କ ବ୍ରହ୍ମଗିରି ଆଗମନର କୌଣସି ଐତିହାସିକ ପ୍ରମାଣ ଏଯାବତ ଅଦୃଶ୍ୟ।ପୁଣି ମନରେ ସଂଶୟ ଆସେ, ତାମିଲ ବୈଷ୍ଣବୀୟ ଭକ୍ତିଧାରା ଅନୁସାରେ କଳିଙ୍ଗ/ଉତ୍କଳରେ କୌଣସି ଦିବ୍ୟକ୍ଷେତ୍ର ନାହିଁ। ଯଦି ସେ ଅଳବାରଙ୍କ ଇଷ୍ଟ ବା ପ୍ରିୟକ୍ଷେତ୍ର ତେବେ ଏହା ତାମିଲ ଦିବ୍ୟ ପ୍ରବନ୍ଧରେ ଉଲ୍ଲେଖ ହେବା କଥା । କିନ୍ତୁ ଏହା ସମ୍ବନ୍ଧରେ ତାମିଲ ଅଲବାରଙ୍କ ୧୦୮ ଦିବ୍ୟ ଦେଶ திவ்யா தேசம் ରେ ସୂଚନା ମିଳେ ନାହିଁ। ପରନ୍ତୁ, ଭାରତର ତାମିଲନାଡୁରେ ୮୫, କେରଳରେ ୧୧, ଆନ୍ଧ୍ରରେ ୨, ଗୁଜୁରାଟରେ ୧, ଉତ୍ତରପ୍ରଦେଶରେ ୪, ଉତ୍ତରାଖଣ୍ଡରେ ୩, ନେପାଳରେ ୧ ଓ ମର୍ତ୍ତ୍ୟ ଭୁବନ ବାହାରେ ତିନିଗୋଟିର ବର୍ଣ୍ଣନା ଅଛି।

ତେଣୁ କରି ଲିଖିତ ପ୍ରମାଣ ହିସାବରେ ତାମିଲ ସାହିତ୍ୟ ଓ କାବ୍ୟରେ ଅଲବାରଙ୍କ କ୍ଷେତ୍ର ସହ ଯୋଡିବା ଭିତ୍ତିହୀନ ମନେହୁଏ। ପୁଣି ଯଦି ସେମାନେ ୫ମ ରୁ ୧୦ମ ଶତାବ୍ଦୀ ମଧ୍ୟରେ ଶ୍ରୀକ୍ଷେତ୍ର ଆସିଥିଲେ, ତେବେ ଜଗନ୍ନାଥଙ୍କ ଅଣସରନୀତି କ’ଣ ଯୁକ୍ତି ସାପେକ୍ଷ ମନେହୁଏ। ଅପିତୁ ସେ ସମୟରେ ଉଡ୍ର ଦେଶରେ ତନ୍ତ୍ର ଓ ବୌଦ୍ଧଧର୍ମର ସମନ୍ୱୟ ଅଧିକ ପରିଲକ୍ଷିତ ହୁଏ। ତେବେ ଇତିହାସ ଦୃଷ୍ଟିକୋଣରୁ ଏହା ସମ୍ପୂର୍ଣ୍ଣ ଗଳ୍ପ ସଦୃଶ ମନେହୁଏ।
ବର୍ତ୍ତମାନ ଆସିବା ଓଡ଼ିଶାର ଇତିହାସକୁ । ବୌଦ୍ଧଧର୍ମ ଓ ବୈଷ୍ଣବଧର୍ମର ପ୍ରଚାର ହୋଇଥିଲା ତୋଷାଳି, ଉତ୍କଳ, କଳିଙ୍ଗ, କୋଶଳ, କଙ୍ଗୋଦ ଇତ୍ୟାଦି ଅଞ୍ଚଳରେ । ଅତଏବ ଓଡ଼ିଶାରେ ଶୈବ ତଥା ପାଶୁପତ ଧର୍ମର ପ୍ରସାର ଭୌମକର, ଶୈଳୋଦ୍ଭବାଦି କୃତିରେ ଦେଖାଗଲା । ତେବେ ଓଡ଼ିଆ ଇତିହାସକୁ ଭିତ୍ତି କରି ଅନେକ ଗବେଷଣା ମଧ୍ୟ ହୋଇଛି। ଯେହେତୁ ଗଙ୍ଗବଂଶୀମାନେ ଏହା ନିର୍ମାଣ କରିଥିଲେ, ସେମାନେ ବୈଷ୍ଣବ ହେବା ପୂର୍ବରୁ ଶୈବ ବୋଲାଉଥିଲେ। ତେବେ କେତେକଙ୍କ ମତେ ଅଲାର ଶବ୍ଦଟି ଶିବତତ୍ତ୍ୱକୁ ବୁଝାଏ । ତାହାଲେ କ’ଣ ପ୍ରଥମେ ଶିବ ଅଲାରନାଥଙ୍କ ରୂପେ ପୂଜା ପାଉଥିଲେ କି? ଗୋପଳଚନ୍ଦ୍ର ପ୍ରହରାଜଙ୍କ ମତରେ ଅଲାର ଶବ୍ଦ ଶୈବବିଗ୍ରହକୁ ବୁଝାଏ। ତେବେ ଆମ ଓଡ଼ିଆରେ ଗୋଟେ ବହୁ ପ୍ରଚଳିତ ପ୍ରବାଦ ଅଛି “ନାନା ମୁନି ନାନା ମତ” । ଆକ୍ଷରିକ ଅର୍ଥକୁ ଛାଡି ବ୍ୟାବହାରିକ ଭାଷା ତଥା କଥିତ ଓଡ଼ିଆ ଶବ୍ଦକୁ ଯଦି ଧରାଯାଏ, ତେବେ ଓଡ଼ିଆ ଭାଷାରେ ଅଲାରର ଅର୍ଥ ଅସହାୟ ବା ନିଃସ୍ୱ ।


ପୁରୀର ପ୍ରାଚୀନ ରାମାନୁଜ ସମ୍ପ୍ରଦାୟୀ ମଠରେ ଯେବେ ଦାକ୍ଷିଣାତ୍ୟ ବିଜେ ପ୍ରତିମା ଅଛନ୍ତି, ଅଲାରନାଥଙ୍କ ଛାମୁରେ ଉତ୍କଳୀୟ ବିଜେ ପ୍ରତିମା ଥିବା ଆହୁରି ଗୋଟିଏ ପ୍ରମାଣ ଯେ ପୀଠଟି ଉତ୍କଳୀୟ । ଆହୁରି ଗୋଟିଏ ବଡ଼ ପ୍ରଶ୍ନ ହେଲା, ଯଦି ଆଲବାର ଆସିବା ପରଠାରୁ ଏ ନାମକରଣ, ତାହେଲେ ତା ପୂର୍ବରୁ ଦିଅଁଙ୍କ ନାମ କଣ ଥିଲା? ଓଡ଼ିଶାରେ ଦିଅଁଙ୍କ ନାମ ପରିବର୍ତ୍ତିତ ହେବା ଦୃଷ୍ଟାନ୍ତ ମିଳେନାହିଁ । ଏପରିକି ୧୨ଶ ଶତାବ୍ଦୀର ଅନେକ ଶିଳାଲିପିରୁ ପ୍ରାପ୍ତ ନାମ ଏଯାବତ ଚଳିଆସୁଛି । ତେବେ ସେ ‘ଅସହାୟର ନାଥ ବା ଅଲାରଜନଙ୍କ ନାଥ ଅଲାରନାଥ’ ସମ୍ଭବ ନୁହେଁ କି ? କହିବାକୁ ଗଲେ ଯଦି ଦୂରରୁ ଦରିଦ୍ର ଅସହାୟ ଲୋକଟି ନଜାଣି ଅଣସର ବେଳେ ଆସେ ପୁରୀକୁ, ସେ କଣ ତାକୁ ଦର୍ଶନ ନଦେଇ ରହିପାରିବେ ? ତେଣୁ କରି ଏ ବ୍ରହ୍ମଗିରିରେ ଦାରୁବ୍ରହ୍ମଙ୍କ ଲୀଳା ନୁହେଁ ତ ? ନା ଅନ୍ୟ କିଛି ଗୂଢ ରହସ୍ୟ ଏ  ବିଗ୍ରହ ଓ ଅଲାରନାଥ ନାମକାରଣ ପଛରେ ?
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago