~ ‘ଅଲାଗିପାଳି’ ଓ ମାଣବସା ଗୁରୁବାରର ‘ଧାନମାଣିକା’ ମାହାତ୍ମ୍ୟ ~
ଲେଖା: ଅମୃତେଶ ଖଟୁଆ
ଉଜ୍ଜ୍ବଳ ସୁବର୍ଣ୍ଣମୟ ସୂର୍ଯ୍ୟାସ୍ତ ସହ ମାର୍ଗଶିର ମାସର ହେମନ୍ତ ଆକାଶ ସୁସଜ୍ଜିତ ହୋଇ ରହିଥାଏ ନବଶସ୍ୟର ଅମଳ ନିମନ୍ତେ । ରବି ଶସ୍ୟର ସବୁଜିମା କ୍ଷେତଗୁଡ଼ିକୁ ନିଆରା ରଙ୍ଗ ତୂଳୀରେ ବର୍ଣ୍ଣିଳ କରିସାରିଛି । ଏଥିରେ ଲକ୍ଷ୍ମୀ ଦେବୀଙ୍କର ସ୍ବର୍ଗୀୟ ସୌନ୍ଦର୍ଯ୍ୟ ପ୍ରତି ଅଭିନିବେଶ ସହକାରେ ଚିତ୍ତବୃତ୍ତି ସମର୍ପଣ କଲେ ଜଣାପଡ଼େ ତାହାଙ୍କ ଆଶୀର୍ବାଦତୁଲ୍ୟ ଏହି ନବଶସ୍ୟ ଅମଳ ଘରକୁ ଲକ୍ଷ୍ମୀଙ୍କ ଆବାହନର ଇଙ୍ଗିତ ଦେବ । ତାହାଙ୍କ ଅବୟବର ତପ୍ତକାଞ୍ଚନତୁଲ୍ୟ ପ୍ରଭାରେ ଯୌବନର ସୁଖ ଓ ଶକ୍ତି, ମହାମୂଲ୍ୟ ବସ୍ତ୍ରାଭରଣରେ ଐଶ୍ବର୍ଯ୍ୟ ଏବଂ ଗଜଶୁଣ୍ଢ ଧାରିତ କଳସର ସ୍ବଚ୍ଛ ସଲିଳରେ ଅଭିଷେକ ଭଳି ଶୁକ୍ଳ ଧାନକୁ ମଧ୍ୟ ଘରକୁ ଆସିଲେ ହଳଦୀରେ ଧୁଆ ଧୁଇ ହୋଇ ସଜ୍ଜିତ ହୁଏ ଖଟୁଲି ଉପରେ ।
ତେଣୁ, ଏହି ଗୋଟିଏ ବର୍ଷର ଅମଳ ବର୍ଷ ମାର୍ଗଶିର ମାସ ପ୍ରଥମ ଅଷ୍ଟମୀ ତିଥିରେ ନିର୍ଦ୍ଧାରିତ । ଯଦି ପ୍ରଥମାଷ୍ଟମୀ ଯାଇନଥିବ ତେବେ ସେହି ଘରର ପରମ୍ପରା ଅନୁଯାୟୀ ଗୃହସ୍ଥ ମାଣ ବସାଇ ନଥାନ୍ତି ଏବଂ ପର ପାଳିରୁ ଓଷା ଆରମ୍ଭ କରନ୍ତି । ବର୍ଷର ପ୍ରଥମ କୃଷ୍ଣପକ୍ଷର ଅଷ୍ଟମୀକୁ ପ୍ରଥମେ ପ୍ରଥମା ସମ୍ବୋଧନ କରି ଆନନ୍ଦରେ ଶ୍ରୀଦେବୀଙ୍କୁ ଆବାହନ କରି ପରିବାର ଓ ଜଗତର ସମୃଦ୍ଧି ନିମନ୍ତେ ମନାସ କରନ୍ତି । ଏହି ଆଠଦିନଟି ବେଳେବେଳେ ଗୁରୁବାରରେ ପଡୁଥିଲା ବେଳେ ମାର୍ଗଶିର ମାସର ଲକ୍ଷ୍ମୀପୂଜା ମାଣବସା ସହିତ ପ୍ରଥମାଷ୍ଟମୀ ପାଳନ ହୋଇଥାଏ । ବିଶେଷ କରି ପଞ୍ଚୁକୋଶୀ ବ୍ରାହ୍ମଣ ଶାସନରେ କେତେକ ପରିବାରରେ ନିତିଆନି ଗୁରୁବାର ଏହାର ପୂର୍ବମାସରୁ ଉଜୁଆଁ ହୋଇଥାଏ ।
ମାର୍ଗଶିରରେ ବେଳେବେଳେ ଚାରିପାଳି ଅବା ତିନିପାଳିରେ ମାଣବସା ସରିବା ପରେ କେତେକ ପୁଷମାସର ପ୍ରଥମ ପାଳିରେ ଉଜୁଆଁ କରିଥାନ୍ତି । ତେବେ ପ୍ରଥମାଷ୍ଟମୀର ପୂର୍ବରୁ ପଡୁଥିବା ଆଦ୍ୟ ଗୁରୁବାରଟି ଲକ୍ଷ୍ମୀ ପୂଜା ନିମନ୍ତେ ଉତ୍କୃଷ୍ଟ ନୁହେଁ ବୋଲି ସାଧାରଣରେ ଏହି ଅଞ୍ଚଳରେ ବିଶ୍ୱାସ । ଯଦିଓ ଅଖଣ୍ଡ ଉତ୍କଳରେ ଏହି ଉପାସନାରେ ଭିନ୍ନ ଭିନ୍ନ ସଙ୍ଖୁଡି ଓ ନିସଙ୍ଖୁଡି ଭୋଗ ସ୍ଥାନ ବିଶେଷରେ ଲାଗି ହୋଇଥାଏ ।
ପୂଜା କାଳରେ ଧୂପ, ଦୀପ ଓ ନୈବେଦ୍ୟ ଆଦି ଅର୍ପଣ କରାଯାଏ ଲକ୍ଷ୍ମୀଙ୍କ ପାଖରେ । ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ) ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ । ତିନି ଧୂପ ମଧ୍ୟରୁ ଏହାକୁ ବାଳଧୂପ କୁହାଯାଏ । ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପରେ ଲାଗିହେବା ପାଇଁ ଖିରି ବା ତରଣ, ଚକୁଳି ପିଠା, ତରକାରି ଇତ୍ୟାଦି ପ୍ରସ୍ତୁତ କରାଯାଇ ଶ୍ରଦ୍ଧାର ସହ ଭୋଗ ଲଗାଯାଏ । ମଧ୍ୟାହ୍ନ ଭୋଗପରେ ମା’ଙ୍କ ସମ୍ମୁଖରେ ଲକ୍ଷ୍ମୀ ପୁରାଣ ବୋଲାଯାଏ । ଏହି ଭୋଗ ଘରର ପ୍ରତ୍ୟେକ ସଦସ୍ୟ ଖାଇଥାନ୍ତି । ଏହିଭୋଗକୁ ପରିବାର ଛଡ଼ା ଅନ୍ୟ କାହାକୁ ନ ଦେବାର ନିୟମ ଅଛି ।
ଗୁରୁବାର ଦିନ ନାରୀମାନେ ଶୁଦ୍ଧପୂତା ସହକାରେ ଲକ୍ଷ୍ମୀଙ୍କ ପ୍ରତିମା ରୂପେ ଧାନମପା ମାଣରେ ଶୁକ୍ଳଧାନ ରଖି ଫଳମୂଳ, ଅରୁଆ ଚାଉଳ, ଦୂବପତ୍ର, ଧୂପ, ଦୀପ ଓ ନୈବେଦ୍ୟ ଦେଇ ମା’ଙ୍କର ପୂଜା ଆରାଧନା କରନ୍ତି । ଗୋଧୂଳି ସମୟରେ ସନ୍ଧ୍ୟା ଧୂପରେ ଆଉଥରେ ବାଳଧୂପ ପରି ଭୋଗ ଲଗାଯାଇ ସଧ୍ୟା ପୂଜା କରାଯାଏ । ୨ୟ ଗୁରୁବାରରେ ଚିତଉପିଠା, ଦହିକାଲୁଆ, ୩ୟରେ ଖେଚୁଡ଼ି-ଡାଲମା ଏବଂ ୪ର୍ଥରେ ମଣ୍ଡା ପିଠା ଭୋଗ ଓ ଶେଷ ପଞ୍ଚମ ପାଳିରେ ପୂର୍ବ ସବୁ ପାଳିର ଭୋଗ ସହ ଘାଣ୍ଟ ଆଦି ତିଅଣ ଭୋଗ ।
ଅନ୍ୟ ପର୍ବପର୍ବାଣି ପରି ମାଣବସା ଗୁରୁବାରରେ ମଧ୍ୟ ସ୍ୱାସ୍ଥ୍ୟ ଓ ସାମାଜିକ ବିଜ୍ଞାନର ତଥ୍ୟ ରହିଛି । ପରିଷ୍କାର ପରିଚ୍ଛନ୍ନ ରହିବା, ପ୍ରତ୍ୟେକ ଜିନିଷ ଯଥାସ୍ଥାନରେ ରଖି ଘର ସଜାଡ଼ିବା, ପ୍ରଭାତରୁ ଶଯ୍ୟାତ୍ୟାଗ କରିବା, କର୍ମ ଚଞ୍ଚଳ ହେବା, ଗୃହରେ ଶାନ୍ତି-ଶୃଙ୍ଖଳା ଓ ସ୍ନେହ-ଶ୍ରଦ୍ଧା ବଜାୟ ରଖିବା, ଉଚ୍ଚନୀଚ ଭେଦାଭେଦ ନ ରଖିବା ଇତ୍ୟାଦି ନୀତିଶିକ୍ଷା ଏଥିରୁ ମିଳେ । ପ୍ରତି ଦିନ ସକାଳେ ଗୃହର ଯେଉଁ ଯେଉଁ କର୍ମ ପ୍ରୟୋଜନୀୟ ଯଥା ଅଗଣାରେ ଗୋବର ପାଣି ଛିଞ୍ଚିବା, ଘର ଲିପିବା, ଗତ କାଲିର ଅଇଁଠା ବାସନ ମାଜିବା, ଦାଣ୍ଡ, ବାଡ଼ିଆଡ଼ ଓ ଅଗଣା ଓଳାଇ ଦେବା ଇତ୍ୟାଦି କରାଯାଉଥିଲା ତାକୁ ଓଡ଼ିଶାର ଲୋକେ ‘ବାସୀ ଆଡ଼ତି’ କହୁଥିଲେ । ରାନ୍ଧିବା ପୂର୍ବରୁ ଚୁଲିର ଚାରିପାଖ ଗୋବର ପାଣିରେ ଲିପି ପରିଷ୍କାର କରିବାକୁ ଓଡ଼ିଆ ଲୋକେ ‘ଚୁଲି ଚଉକେଇ ଦେବା’ କହୁଥିଲେ ।
ଘରଦ୍ୱାର ଗୋବରରେ ଲେପିବା ଫଳରେ ଗୃହର ପବିତ୍ରତା ବୃଦ୍ଧି ପାଇବା ସହିତ ବହୁ ଅନିଷ୍ଟକାରୀ ଜୀବାଣୁ ନଷ୍ଟ ହୁଅନ୍ତି । ଆଜିକାଲି ତ ଅନେକ ସ୍ଥାନରେ ସିମେଣ୍ଟ ତିଆରି ଚଉରା କରାଯାଉଛି ତେବେ ଯୁଗ ଥିଲା ଓଡ଼ିଆ ଘରର କୁଳ ଭୁଆସୁଣୀତକ ପ୍ରତିଦିନ ସ୍ନାନ କରି ଚଉରାରେ ପାଣି ଦେଉଥିଲେ ଆଉ କୁଳବଧୂମାନେ ପ୍ରତିଦିନ ଏବଂ ବିଶେଷତଃ ଗୁରୁବାର, ଅଷ୍ଟମୀ, ଏକାଦଶୀ, ଚତୁର୍ଦ୍ଦଶୀ ଓ ସଂକ୍ରାନ୍ତି ତଥା କାର୍ତ୍ତିକ ମାସରେ ସକାଳୁ ଉଠି ଗୋବରପାଣିରେ ଚଉରା ମୂଳକୁ ଲିପୁଥିଲେ । ଏହି ପ୍ରକ୍ରିୟାକୁ ‘ଛରା’ ଓ ‘ଛେରା’ ମଧ୍ୟ କୁହାଯାଉଥିଲା । ସମ୍ବଲପୁର ଅଞ୍ଚଳରେ ଏହି ପରମ୍ପରାକୁ ଝୁଣ୍ଟି ଏବଂ ସକାଳୁ ଦୁଆରେ ଗୋବର ପାଣି ଛିଞ୍ଚିବାକୁ ‘ଝୁଣ୍ଟିବା’ କହୁଥିଲେ ।
ଏସବୁ ପରିଚ୍ଛନ୍ନତା ଜନିତ ସଂସ୍କାରରେ ସମାଜକୁ ଉଦ୍ବୁଦ୍ଧ କରାଇବା ପଛରେ ମଧ୍ୟ ‘ଲକ୍ଷ୍ମୀ ପୁରାଣ’ ର ଭୂମିକା ପ୍ରଣିଧାନଯୋଗ୍ୟ । ମାଣବସା ଗୁରୁବାରର କିମ୍ବଦନ୍ତୀ ବଳରାମ ଦାସଙ୍କ ‘ଲକ୍ଷ୍ମୀ ପୁରାଣ’ର ପୌରାଣିକ କଥାବସ୍ତୁ ଅନୁଯାୟୀ, ଏକଦା ମାଣବସା ଗୁରୁବାର ଦିନ ମା’ ଲକ୍ଷ୍ମୀ ସ୍ୱାମୀ ଶ୍ରୀଜଗନ୍ନାଥଙ୍କଠାରୁ ଅନୁମତି ନେଇ ବ୍ରାହ୍ମଣୀର ଛଦ୍ମବେଶ ଧାରଣପୂର୍ବକ ଦ୍ବାରିକାଦି ଯେତେ ସମ୍ଭ୍ରାନ୍ତ ନଗର ଯାଏଁ ପୃଥିବୀ ପର୍ଯ୍ୟଟନ କଲେ । ଅନେକ ସ୍ଥାନ ବୁଲିବା ପରେ ସେ ଶ୍ରୀୟା ନାମକ ଜଣେ ଚଣ୍ଡାଳୁଣୀ ଘରେ ପହଞ୍ଚିଥିଲେ । କାହାରି ଘର ସେତିକି ଶୁଦ୍ଧ ନଥିଲା ଯେତିକି ଶ୍ରୀୟା ନିଜ ଘର ଅଗଣା ଲିପାପୋଛା କରି ଦଶମଣ୍ଡଳର ଦୀପାବଳୀ ରଖି ଭୋଗ-ନୈବେଦ୍ୟ ଆଦି ସଜାଡ଼ି ମହାଲକ୍ଷ୍ମୀଙ୍କୁ ନିଜ ଭକ୍ତିରେ ମନ୍ତ୍ରମୁଗ୍ଧ କରିପାରିଥିଲା ।
ଅନେକ ପଚାରନ୍ତି ଯେ ଏ ସମୟରେ ବଡ଼ଦେଉଳ ସ୍ଥିତି କ’ଣ ଥିଲା ? ଯେହେତୁ ଆମେ ପୂର୍ବ ଆଲୋଚନାରୁ କହି ଆସିଛୁ ଏହା କେବଳ ଏକ କାଳ୍ପନିକ ଅବତାରଣା, ତେଣୁ ବାସ୍ତବିକ ପୁରୀ ଶ୍ରୀମନ୍ଦିରକୁ ଏହା ପ୍ରକୃତରେ ପ୍ରଭାବିତ କରିନଥିଲା । ହଁ ଏଥିରେ ଗୋଟିଏ ଜିନିଷ କିନ୍ତୁ ଉଲ୍ଲେଖଯୋଗ୍ୟ । ଚଣ୍ଡାଳୁଣୀର ଘରେ ପାଦ ଦେଇଥିବାରୁ ବଡ଼ଦେଉଳ ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା । ଆମେ ଯେତେ ଆଲୋଚନା ଏପର୍ଯ୍ୟନ୍ତ କରି ଆସିଛୁ ସେଥିରେ କେବଳ ମାନବ ସମାଜର ଚିତ୍ରଣ ଥିଲା । ସେଥିରେ ଜାତି ନାମକ ବୃତ୍ତିକୁ ଗୋଟିଏ ଭେଦ ସୃଷ୍ଟିକାରୀ ମତବାଦ ଦେବା କାର୍ଯ୍ୟ ମଧ୍ୟ ମନୁଷ୍ୟକୃତ । ହେଲେ ଲକ୍ଷ୍ମୀଙ୍କ ଭଳି ଦେବୀ ଏ ମାନବ ସମାଜର ଦାୟରେ କେମିତି ପଡ଼ିଲେ ?
ଏଠି ଲକ୍ଷ୍ମୀ ଜଣେ ସାଧାରଣ ଗୃହସ୍ଥ ନାରୀର ପ୍ରତିନିଧି ଯେ ସର୍ବଲକ୍ଷଣସମ୍ପନ୍ନା ଏବଂ ଗୃହକର୍ମନିପୁଣା । ତା’ର କୁଳୀନତା ସମସ୍ତ କାଳ ଗୃହସ୍ଥର ଅନ୍ୟ ସଦସ୍ୟମାନଙ୍କ ନିମନ୍ତେ ଗୁରୁତ୍ବପୂର୍ଣ୍ଣ । ମା’ ଲକ୍ଷ୍ମୀ ପୁଣି ବଡ଼ ଘର ବୋହୂ, ସ୍ବହସ୍ତରେ ଷଡ଼ରସ ପରିପୂର୍ଣ୍ଣ ନାନାଦି ବ୍ୟଞ୍ଜନ ପ୍ରସ୍ତୁତିରେ ପଟାନ୍ତରହୀନା । ଆପଣାର ସ୍ବାମୀ ଏବଂ ପୋଷ୍ୟବର୍ଗଙ୍କୁ ନିଜ ହାତରେ ପାକ କରି ଭୋଜନ କରାଇବାକୁ ସୁଖ ମନେ କରନ୍ତି । ପୂଜାହାରୀ ବ୍ରାହ୍ମଣ, ନାନୀ, ରୋଷେଇୟା ଇତ୍ୟାଦି ପାଚକ ପାଚିକା ମା’ ଲକ୍ଷ୍ମୀଙ୍କୁ ଅପ୍ରାପ୍ତ ହେବନାହିଁ । ଯେ ଭଣ୍ଡାରର ମାଲିକ ତାକୁ କ’ଣ ଦଶ ପାଞ୍ଚୁଟା ଗୁଡ଼ିଆ ପୂଝାରୀ ରୋଷେଇଆ ରଖି ପାରିବା ଅଡୁଆ ହେବ ? ମାତ୍ର, ମା’ ଲକ୍ଷ୍ମୀ ସେପରି ନୁହନ୍ତି । ସେ ନିଜ ବାପ ଘରୁ ଶାଶୁ ଘରକୁ ଆସିଛନ୍ତି କର୍ତ୍ତବ୍ୟର ଘନିଷ୍ଠ ସମ୍ପର୍କ ସୂତ୍ର ନେଇ ।
ରୂପ, ଭାବ, ବିଚାର ସକଳ କ୍ଷେତ୍ରରେ ସେ ଅନ୍ନପୂର୍ଣ୍ଣା । ସମାଜ କେବେ ପୁରୁଷପ୍ରଧାନ ବା ନାରୀପ୍ରଧାନ ବୋଲି କୁହାଯାଇ ନ ପାରେ । ଏହା ‘ବ୍ୟକ୍ତିପ୍ରଧାନ’ ସମାଜ । ଆମେ ଆରମ୍ଭରୁ ବିବର୍ତ୍ତନଚକ୍ର କଥା ଆଲୋଚନା କରି ଜଣାଇଛୁ, ଏଠି ପୁରୁଷ ବା ନାରୀ କେହି ଏକା ପ୍ରଧାନ ବିବେଚକ ନୁହନ୍ତି । ସମସ୍ତେ ବିବର୍ତ୍ତନ ଚକ୍ର ଅନୁଯାୟୀ ନିଜ ରୁଚି ଓ ମତବାଦରେ ପରିବର୍ତ୍ତନ ଆଣିବା ଅବଶ୍ୟମ୍ଭାବୀ । ଯୁଗପତ କେହି ସମାଜର ଏକ ବିଶିଷ୍ଟ ନିୟମର ପ୍ରଣେତା ହେଇଗଲେ ବୋଲି ସେ ଯେ ଏକାକୀ ସମାଜର ଅଧିପତି ଭାବେ ପରିଚିତ କିମ୍ବା ତାଙ୍କୁ ଘେନି ସମାଜ ଯେ ଅନୁଗୃହୀତ, ଏହା ମୋଟାମୋଟି ଭୁଲ ଧାରଣା ।
ବ୍ୟକ୍ତିପ୍ରଧାନ ସମଷ୍ଟି ଗୋଟିଏ ସମାଜ ଯେ ପର୍ଯ୍ୟନ୍ତ ଏହି କ୍ଷମତାର ସ୍ବୈରାଚାରକୁ ପ୍ରଶ୍ରୟ ଦେଇ ନିଜ ସାର୍ବଜନୀନ ମୂଲ୍ୟବୋଧ ଅପେକ୍ଷା ନିଜ ସ୍ବାର୍ଥକୁ ଗୁରୁତ୍ବ ଦିଏ, ସେପରି କ୍ଷେତ୍ରରେ ହିଁ ଗୋଟିଏ ଗୋଷ୍ଠୀର ପ୍ରାଧାନ୍ୟ ସମାଜ ଅନୁଭବ କରେ । ସେତେବେଳେ ଏହି ସ୍ବାର୍ଥ-ବହିର୍ଭୂତ ଅବଶିଷ୍ଟ ଗୋଷ୍ଠୀ ବା ସମ୍ପ୍ରଦାୟ ଗୋଟିଏ ହୀନମନ୍ୟତା ବା Inferiority Complex ଭିତରେ ନିଜକୁ ଚାପି ଦେଉଥାଏ । ସେଥିପାଇଁ ଆମେ ସମାଜକୁ ବେଳେବେଳେ କହି ଦେଇଥାଉ ଏହା ‘ପୁରୁଷପ୍ରଧାନ’ ବା ‘ନାରୀକୈନ୍ଦ୍ରିକ’ । କାହିଁକି ? ଉଭୟ ପରସ୍ପରର ପରିପୂରକ । ପୁରୁଷ ଏକା ବନସ୍ପତି ହୋଇପାରେ କିନ୍ତୁ ତା’ର ଅର୍ଥ ନୁହେଁ ଯେ ନାରୀ ସେହି ବନସ୍ପତି ଶାଖାକୁ ଆଶ୍ରୟ କରିଥିବା ଏକ ଲମ୍ବା ନିର୍ମୂଳୀ ଲଟା !
ଠିକ୍ ସେପରି ଭାବେ ନାରୀ ପୁରୁଷର ସମାସ୍କନ୍ଧ ଏଥିପାଇଁ କାରଣ ସମାଜରେ ଉଭୟ ନିଜ କର୍ତ୍ତବ୍ୟ ପରିସରର ଏକାଙ୍ଗ ଚକ୍ରବର୍ତ୍ତୀ ଅଧିକାରୀ ! ସେଥିପାଇଁ ଯେତେବେଳେ ‘ଲକ୍ଷ୍ମୀ ପୁରାଣ’ ର ବିଷୟବସ୍ତୁ ଅନୁଯାୟୀ ଲକ୍ଷ୍ମୀ ଶ୍ରୀମନ୍ଦିର ଛାଡ଼ି ନିରାଭରଣା ଓ ମଳିନା ହୋଇ ସମୁଦ୍ରକୂଳ ଆଶ୍ରୟସ୍ଥଳ ଗ୍ରହଣ କଲେ, ସେତେବେଳେ ରାଜା ବରୁଣ ନିଜ କନ୍ୟା ଲକ୍ଷ୍ମୀଙ୍କ ଦୁଃସ୍ଥତା ଦେଖି ଓ ଆଚମ୍ବିତ ହୋଇ ସବୁ ବୃତ୍ତାନ୍ତ ମା’ ଲକ୍ଷ୍ମୀଙ୍କଠାରୁ ଶୁଣିଲେ । ସେଠୁ ବରୁଣଙ୍କ ସହ ବରୁଣ ପୁର ଯିବା ପାଇଁ ପ୍ରସ୍ତାବ ଶୁଣି ଲକ୍ଷ୍ମୀ କହୁଛନ୍ତି, ଯଦି ମୁଁ ବାପଘରକୁ ଯାଇଁ ପତିଙ୍କ ଭର୍ତ୍ସନାକୁ ଭ୍ରୂକ୍ଷେପ କରିଥିବା ସଂସାର ଜାଣିବ, ତେବେ ନାରୀ ଯେ ପୁରୁଷର ଅଧୀନା ବୋଲି ଜଗତରେ କି ଯଶ ରହିବ ? ସତରେ ବିଦ୍ରୋହର ଏଇ ଟିକକ ମର୍ମ କେଡ଼େ ଗଭୀର ସତେ ।
ତା’ ପରବର୍ତ୍ତୀ ଘଟଣା ସମସ୍ତଙ୍କୁ ଊଣା ଅଧିକେ ନିଶ୍ଚୟ ଜଣା । ଯେହେତୁ ବର୍ତ୍ତମାନ ଲକ୍ଷ୍ମୀ ଶ୍ରୀମନ୍ଦିରରୁ ନିର୍ବାସିତା, ଆଉ ତାଙ୍କ ଦେହରେ ନାହିଁ ସେ ମଥାରେ ମୁକୁତାର ଜାଲି, ଆଉ ନାହିଁ ସେ ହୃଦୟ ମଣ୍ଡନକାରୀ ଇନ୍ଦ୍ରଗୋବିନ୍ଦ କାଞ୍ଚୁଲି ! ଅଣ୍ଟାର ଓଢ଼ିଆଣୀ ଆଉ ପିନ୍ଧିବାକୁ ଦମ୍ଭ ଲାଗୁନି । ମୁକୁତାର ବସଣି ବି ଯାହା ଦିନେ ନାକ ନୋଥ ଜାଗାରେ ଝଟକି ଝଟକି ଦିଗବିଦିଗ ଅନ୍ତରାଳ ସମସ୍ତ ମୋହି ନେବାକୁ ସମର୍ଥ ତାହା ମଧ୍ୟ ମାଆଙ୍କ ନାସାରେ ଆଉ ନାହିଁ । ଦୋସରି ଚିନାମାଳ, କର୍ଣ୍ଣକୁଣ୍ଡଳ, ବାଜେଣି ନୂପୁର ସବୁ ଜଗନ୍ନାଥଙ୍କୁ ସମର୍ପି ବର୍ତ୍ତମାନ ବାର ବର୍ଷର ଅଭିଶାପ ଜଣାଇ କହି ଦେଇ ଆସିଲେ, ‘ମୁଁ ଯଦି ଆପଣଙ୍କ ଦୃଷ୍ଟିରେ ଚଣ୍ଡାଳୁଣୀ, ତଥାପି ମୋ ହସ୍ତର ଅମୃତ ମଣୋହି ନ ପାଇବା ପର୍ଯ୍ୟନ୍ତ ଆପଣ ବାରଦ୍ବାର ଭିକ୍ଷାଟନ କରିବେ ଅଥଚ କେହି ଆପଣଙ୍କୁ ଅନ୍ନଜଳ ପ୍ରଦାନ କରିବେ ନାହିଁ ।’
ଏଠି ପୁରୁଷର ନିରଙ୍କୁଶ କ୍ଷମତା ଓ ତଜ୍ଜନିତ ସ୍ବୈରାଚାର ବିରୁଦ୍ଧରେ ଲକ୍ଷ୍ମୀ ବିପ୍ଳବିନୀ । ପୁରୁଷ ସମାଜର ଗୋଟିଏ କର୍ତ୍ତୃପକ୍ଷ ମାତ୍ର, ବିଡ଼ମ୍ବନା ଯେ କର୍ତ୍ତୃତ୍ବର କ’ଣ ଏହି ସଂଜ୍ଞା ଯେ ପୁରୁଷର ଶକ୍ତି ନାରୀ ତା’ର ସମାସ୍କନ୍ଧ ନ ହୋଇ କର୍ତ୍ତୃତ୍ବଚ୍ୟୁତ । ଏ କି କଥା ! ଏହି ଦୃଶ୍ୟ ବର୍ଣ୍ଣନା କଲା ବେଳେ ପୁରାଣକାର ବଳରାମ ଦାସ ଆଦୌ ଆକସ୍ମିକ ବିବେଚନା କରିବେ ନାହିଁ । ପୁରୁଷର ଏହା ଯୋଜନାବଦ୍ଧ ଉଦ୍ୟମର ଫଳ । ସମ୍ଭବତଃ ନିଜ ଶକ୍ତିର ଅହଙ୍କାର ଓ ଅଧିକାର ଚିନ୍ତନ ପୁରୁଷର ସ୍ବୈରାଚାର ସ୍ଥିତିକୁ ବିପନ୍ନ କରିଛି । ଏହା ମଧ୍ୟ ସଂସ୍କାର ଉଦ୍ୟମର ଏକ ଅଙ୍ଗ । ସମାଜର ପ୍ରତିଷ୍ଠିତ ବର୍ଗର କ୍ଷମତା ପଛରେ ଥିବା ଦୁର୍ବଳତାକୁ ଆବିଷ୍କାର କରି ତା’କୁ ନିଜ ସାମର୍ଥ୍ୟର ଉପଯୋଗିତା ଜଣାଇବା ।
ତେଣୁ, ଲକ୍ଷ୍ମୀ ଏଠି ସାଧାରଣ ପାର୍ଥିବ ନାରୀ ନୁହନ୍ତି । ସେ ଓଡ଼ିଆ ଘରର ବଡ଼ ବୋହୂ । ସେ ଗୋଟିଏ କୁଳ ଭୁଆସୁଣୀ । ସେ ଜାଣନ୍ତି ଯେ କୁଳର ଅନ୍ନଦାତ୍ରୀ ସ୍ତ୍ରୀ ଯଦି ବୀର୍ଯ୍ୟବନ୍ତ ପୁରୁଷର ଲାଞ୍ଛନା ସହ୍ୟ କରିଲା, ତେବେ ସେ ଗୃହସ୍ଥର ସୁଖ ଏକ ଭଣ୍ଡତା । ସେପରି କର୍ମଜୀବୀର ଭାଗ୍ୟ ନିରସ୍ତ । ଭବିଷ୍ୟତ ତମସାଚ୍ଛନ୍ନ ହୁଏ । ସେଥିପାଇଁ ସେ କେବଳ ପୁରୁଷର ନୁହେଁ, ବରଂ ସମଗ୍ର କୁଟୁମ୍ବର ‘ଶ୍ରୀ’ – ପାପ ଓ ଅପବିତ୍ରତାକୁ ପରିହାର କରି କୁଳପ୍ରତିଷ୍ଠାର ଜୀବନୀ ଶକ୍ତି ହେଉଛି ସେହିପରି ନାରୀ । ସମାଜ ସଂହତିର ମୂଳ ନାୟିକା । ସେଥିପାଇଁ ସ୍ବୟଂ ଶୂଦ୍ରମୁନି ସାରଳା ଦାସ ମଧ୍ୟ ନିଜ ଓଡ଼ିଆ ‘ମହାଭାରତ’ରେ ଲେଖିଛନ୍ତି,
“ଗୋରୁ ନିନ୍ଦା କଲେ ହାନି ହୁଅଇଟି କୃଷି,
ପୁତ୍ର ନିନ୍ଦା କଲେ ଜନ ହୁଅଇ ନିଅଂଶୀ ।
ସତୀ ନିନ୍ଦା କଲେ ତା’ର ନୋହେ ଗୃହବାସ,
ମହତ ନିନ୍ଦିଲେ ହୋଏ ଅପ୍ରମିତ ଦୋଷ ।।”
ତେଣୁ, ଲକ୍ଷ୍ମୀ ଜଣେ ଠାକୁରାଣୀ ହୋଇ ମଧ୍ୟ ଓଡ଼ିଆ ଘରର କୁଳ ଭୁଆସୁଣୀ କଥା ନିଜ ଭୂମିକା ଛଳରେ କହୁଛନ୍ତି । କିପରି ସେ ସମୟରେ ତାଙ୍କ ଭଳି ସର୍ବସୁଲକ୍ଷଣା ଗୃହିଣୀଟିଏ ଦାୟିତ୍ବର ଭାର ବହନ ସମୟରେ ସୁଦ୍ଧା କୁଟୁମ୍ବର ଅପବାଦ ଓ ମିଛ ପ୍ରତାଡ଼ନା ସହେ । ସମାଜର ସ୍ବାର୍ଥୈକ ବିଧିବିଧାନକୁ ଶିରନତ କରି ଏପରି ନାରୀ କେମିତି ସମାଜର କ୍ରୀତଦାସୀ ପାଲଟିଯାଏ । ଯଦି ନାରୀ ହିଁ ସେଇ ସମାଜର ନିୟନ୍ତାଙ୍କ ସମ୍ମାନନୀୟା, ତେବେ ସେପରି ସମାଜ ସଂହତି ରକ୍ଷା କରିପାରିବ ନାହିଁ । ଦାୟିତ୍ଵ ଗ୍ରହଣ କ୍ଷେତ୍ରରେ ସମାଜ ଯଦି କେବଳ ନାରୀ ବା ପୁରୁଷ, ଗୋଟିକର ପକ୍ଷପାତୀ ତେବେ ସମାଜ ସବୁକାଳ ସୁସଂହତ ରହିବା ଅସମ୍ଭବ । ସୁତରାଂ ସମାଜରେ ଲକ୍ଷ୍ମୀ ରାଜଲକ୍ଷ୍ମୀ, ଗୃହର ସେ ଗୃହଲକ୍ଷ୍ମୀ ।
ସମସ୍ତେ ‘ଲକ୍ଷ୍ମୀ ପୁରାଣ’ ତ ଆମୂଳଚୂଳ ନିଶ୍ଚୟ ପଢ଼ିଥିବେ । ସେଥିରେ ପରେ, ଦୁଇ ଭାଇ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର କେତେ ଆଡ଼େ ନ ବୁଲିଛନ୍ତି ନିଜ କ୍ଷୁଧା ଓ ଉତ୍କଟ ତୃଷା ରକ୍ଷା କରିବାକୁ । କେତେବେଳେ ଶ୍ରୀମନ୍ଦିର ବଡ଼ ପଣ୍ଡା ଘରକୁ, କେତେବେଳେ ବ୍ରାହ୍ମଣୀ ଘରକୁ, କେତେବେଳେ ପୁଣି ଦାଣ୍ଡ ଦୁଆର, ମତ୍ସ୍ୟଦେଶ, କାଶୀ, କପିଳାସ ହୋଇ ଶେଷରେ ବୁଲି ବୁଲି ନିଜ ଦେଶ ଫେରି ଆସି ଶ୍ରୀୟା ଚଣ୍ଡାଳୁଣୀ ପାଖରେ ପହଞ୍ଚିଛନ୍ତି । ସ୍ଥିତି କ’ଣ ହେଲା ଶେଷରେ “ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର”; ଅହଂଶାଣିତ ଜାତିଆଣ ଭେଦକୁ କେନ୍ଦ୍ର କରି ସମାଜ ଗୋଟିଏ ପକ୍ଷର ସୁବିଧାବାଦୀ ହେବାରୁ ଏପରି ଦୁର୍ଗତି ସାଧନ ହେଲା ।
ଏତେ ବୁଲି ବୁଲି ଶେଷରେ ହୀନସ୍ତା ହେବାରୁ ଶେଷରେ ବଡ଼ ପଣ୍ଡା ବଳଭଦ୍ର କହୁଛନ୍ତି, “ଜାତି ପଛେ ଯାଉ ତାର ଘରେ ଥାଉଁ ଭାତ” । ସେଥିପାଇଁ ମା’ ମହାଲକ୍ଷ୍ମୀଙ୍କ ସହ ପୁନଶ୍ଚ ସାକ୍ଷାତ କରିବା ଲାଗି ମଧ୍ୟ ପରୀକ୍ଷା ଦେଇ ଏଇ ନିଷ୍କର୍ଷକୁ ଶେଷରେ ଗ୍ରହଣ କଲେ ଯେ ଜାତି ପ୍ରୀତି ପଛରେ ଥାଉ, ଅନ୍ନଦାତାର ମହିମା ଏ ଜଗତରେ ଆବହମାନ କାଳରୁ ପ୍ରତିଷ୍ଠିତ । ତାହା ହିଁ ସର୍ବାଗ୍ରେ ବିଜୟୀ ହେଉ । ତାହା ହିଁ ହେଉ ଯେ ଜାତି ଗୋତ୍ରର ବିଚାର ନିଜ କୁଳ ବ୍ୟବହାର ରକ୍ଷା କରିବାକୁ, ଏଇଆ ନୁହେଁ ଯେ ଅନ୍ୟ ବ୍ୟକ୍ତିର ଅଧିକାର ଓ ମାନବୀୟ ମୂଲ୍ୟବୋଧ ଉପରେ ଲଦିଦେବାକୁ ହୋଇଥାଏ । ଏହା ହୃଦୟଙ୍ଗମ କରିବାରୁ ଶେଷରେ ବଳଭଦ୍ରଙ୍କ ହେତୂଦୟ ଘଟିଛି ।
ଅବଲୀଳାକ୍ରମେ ଦୟାପରବଶ ହୋଇ ମହାଲକ୍ଷ୍ମୀ ଜାଣିଲେ ଦୁଇ ଠାକୁର ଭାଇ ନିଜ ଉପଯୁକ୍ତ ସ୍ଥଳକୁ ଆସି ଶେଷରେ ବୁଦ୍ଧି ଲୋଡ଼ି ଥିବାରୁ ସେମାନେ ସମାଜ ସଂସ୍କାରର ସମସ୍ତ ସୋପାନରେ ଉତ୍ତୀର୍ଣ୍ଣ । ନାରୀ ଯେ ସ୍ବୟଂ ପ୍ରତି ଘରର ଲକ୍ଷ୍ମୀ, ସେ କେବଳ ରାନ୍ଧୁଣିଆ ଲକ୍ଷ୍ମୀ ନୁହେଁ, ସେ ଗୋଟା ଘରର ସୌଭାଗ୍ୟ ଓ ସୌନ୍ଦର୍ଯ୍ୟ ଲକ୍ଷ୍ମୀ । ଶ୍ରମ ଓ ଅଧ୍ୟବସାୟ ଫଳରେ ସମୃଦ୍ଧ ନରନାରୀଙ୍କ ଲକ୍ଷ୍ମୀ । ସେ ସେଥିପାଇଁ ଶ୍ରଦ୍ଧାର ‘ପଡ଼ିଦାତ୍ରୀ’ ।
ମାତ୍ର, ଆଜିକାଲି ଯେତିକି ଗୃହସ୍ଥ ନାରୀମାନେ ଉଗ୍ରତା ଓ ସ୍ଵେଚ୍ଛାଚାର ବଶବର୍ତ୍ତୀ, ସେମାନଙ୍କ ମତରେ ଏସବୁ ଯେ ଗୋଟିଏ ଗୋଟିଏ ପ୍ରହସନ । କ’ଣ ଦରକାର ଏତେ ଘର ପାଇଟି ପତ୍ର ସଜଡ଼ା ସଜଡ଼ି କରି ସଣ୍ଠଣା ଶିଖିବା । ଦଶ ପାଞ୍ଚୁଟା ଚାକର ଚାକରାଣୀ ରଖି ଖଟଣି ଯୋଗେଇ ଦେଲେ ଆସି ଘରକାମ କରିଦେବେ । ରୋଷେଇ ପାଇଁ ଗୋଟିଏ ଗୁଡ଼ିଆ ବା ପୁଝାରୀ ବୁଝିଦେଲେ ସେ ଆସି କାଲି ସକାଳକୁ କାମ କରିବ । ଆଉ ପୁଣି ରୋଷେଇ କଲେ କାଳରେ ହାତରେ କଳା ଲାଗିଯିବ, ଲୁଗା ମଇଳା ହେଇଯିବ, ବାସନକୁସନ ଏକା ଧୋଇ ଧାଇ ନିଜେ ହୀନସ୍ତା ହେବ, ବୋହୂ ହେଇ ଖାଲି ଘରକୁ ମୁଣ୍ଡେଇ ଧରିବ । ମଲା ! ଏତେ କାର୍ଯ୍ୟକ୍ରମ ପାଇଁ କ’ଣ ବାହା ହେଇକି ଆସନ୍ତି ସବୁ ନିଜ ବାପଘରୁ ।
ବୋହୂପଣିଆ ଗୋଟିଏ ଷ୍ଟାଟସ୍, ଗୋଟିଏ ଆଭିଜାତ୍ୟ ! ସୁତରାଂ ସ୍ବାମୀ ଛ’ ଟଙ୍କାର କି ଛ’ଶହ ବି ଚାକିରି କଲେ ସ୍ତ୍ରୀ ତଥାପି କହିବ ରୋଷେଇୟା ଚାକର ଚାକରାଣୀ ନ ରଖିଲେ କାମ କରିବାକୁ ଏକା ଅଣ୍ଟା ବଥେଇବନି ! ପରିବାର ପାଇଁ ଅହର୍ନିଶ ଖଟିବା ଅପେକ୍ଷା ବୁଲାବୁଲି କର, ସାହିଯାକ ପଡ଼ିଶା ଘରେ ଖଟି କର, ଜମିଜମା କଥା ପାଇଁ ଦେଢ଼ଶୁର, ଦଦେଇ ସ୍ତରର ଘର ମୁରବିଙ୍କ ସହ ବାଦ କରିବାକୁ ସ୍ବାମୀଙ୍କି ମତେଇ ଦିଅ । ନହେଲେ ସିଧା ବାହାଘରର ଦି ବର୍ଷ ଗୋଟିଏ ଅଲଗା ପ୍ଲଟ୍ କିଣି ନୂଆ ଘରଟିଏ ଗଢ଼ିଦିଅ । ଯୌଥ ପରିବାର ଥିଲେ ସିନା ଏତିକି ସଙ୍କଟ, ଯାବତୀୟ ବିପଦ । ବୋହୂପଣିଆ ଗୋଟିଏ ବାଜେ ପ୍ରହସନ । ଦାୟିତ୍ଵ ନେବା ଅପେକ୍ଷା ପରିବାର ଛିଣ୍ଡି ଦି ଫାଳ ହେଇଯାଉ, କଣଟା ଭାସିଯିବ !
ହଁ, ଏହା ସତ ଯେ ବୋହୂପଣିଆ ପାଇଁ ଏସବୁ ଓଷାବ୍ରତ କରିବା ଗୋଟିଏ ଗୁରୁ ଦାୟିତ୍ବ କିନ୍ତୁ, ପରିବାରର ମଙ୍ଗଳ ପାଇଁ ଏହା ଏକ ଦୈନିକ ପାଠଚକ୍ର । ଗୋଟିଏ ଅଭ୍ୟାସ । ଗୋଟିଏ ଗୋଟିଏ ପ୍ରହସନ ନୁହେଁ ବରଂ ଗୋଟିଏ ଗୋଟିଏ ନୀତିଶିକ୍ଷା । ଆୟୁଷ ଥିବା ଯାଏଁ ଯଦି ମଣିଷ କର୍ମଛଡ଼ା ଓ ଅକୁଳୀନ, ତେବେ ସେପରି ପରିବାରର ସଦସ୍ୟମାନେ ପରସ୍ପରକୁ ଗ୍ରହଣ କରିପାରନ୍ତି ନାହିଁ । ସମସ୍ତଙ୍କ ମନରେ ଏଇ ଭାବନା ପୁଣି ସୃଷ୍ଟି ହୁଏ ଯେ ସମସ୍ତେ ତ ମନ ଇଚ୍ଛା କାମ କରୁଛନ୍ତି, କେହି କାହା ଦାୟିତ୍ଵର ମଙ୍ଗ ନେବାକୁ ସମର୍ଥ ନୁହେଁ । ମୁଁ ବି କାହିଁକି ନେବି, ମୁଁ ମଧ୍ୟ ମୋର ଅଲଗା ଭିନ୍ନେ ହୋଇ ରହିବି ! ଯା’, ପରିବାର ଥିବ ଯେ ପରିବା କଟା ହେବ, ତରକାରୀ ପୋଡ଼ିବ !
ତେଣୁ, ଓଡ଼ିଆ ବୋହୂଟିଏ ଏହାକୁ ସବୁବେଳେ ଜଗିକି ରଖେ । ମା’ ଲକ୍ଷ୍ମୀ ପରିଶ୍ରମୀ ଓ କୁଳୀନ ବ୍ୟକ୍ତିଙ୍କ ଏକାଧାରରେ ପ୍ରାଣ ପୋଷଣ କରନ୍ତି । ତାକୁ ଦାରିଦ୍ର୍ୟ ସ୍ପର୍ଶ କରେ ନାହିଁ । ଶ୍ରମର ଉପାର୍ଜନ ଯେ ସମାଜର ଅବଶିଷ୍ଟ ବର୍ଗ ପାଇଁ ସମାନ ରୂପେ ଆବଶ୍ୟକ ଏବଂ ଶ୍ରମସ୍ବୀକାର କରୁଥିବା ମନୁଷ୍ୟର ବିଚାର ଓ ମୂଲ୍ୟବୋଧ ସର୍ବଦା ସମାଜର ଉନ୍ନତି ସାଧନ କରେ । ସେଥିପାଇଁ ମା’ ଲକ୍ଷ୍ମୀ ଯେତେବେଳେ ଶ୍ରୀଜଗନ୍ନାଥଙ୍କୁ ପୁଣି ଫେରି ପାଇଥିଲେ ତାଙ୍କ ପାଇଁ ନାନାଦି ପିଠା ପଣାର ବ୍ୟବସ୍ଥା କଲେ । ସ୍ବାମୀ ଦଶଦୋଷ କ୍ଷମା କରିବାର ଯେଉଁ ପ୍ରତିଶ୍ରୁତି ନେଇ ତାଙ୍କୁ ନିଜ ଘରକୁ ଆବାହନ କରିଥିଲେ, ସେହି କର୍ତ୍ତବ୍ୟ ଓ ଦାୟିତ୍ଵ ମା’ ଲକ୍ଷ୍ମୀଙ୍କ ଅଧିକାରକୁ ସ୍ବତଃ ପ୍ରତିଷ୍ଠା ଦେଇଥିଲା :
‘ସୁବର୍ଣ୍ଣର ଚଟୁ ଗୋଟି ହସ୍ତରେ ଧଇଲେ ।
ରୋଷେଇଶାଳାକୁ ଲକ୍ଷ୍ମୀଦେବୀ ବିଜେ କଲେ ।
ପ୍ରଥମେ ରାନ୍ଧିଲେ ମାଏ ବଗଡ଼ା ଯେ ଅନ୍ନ
ମୁଗ ମଧୁରୁଚି କ୍ଷୀରି ନାନାଦି ବ୍ୟଞ୍ଜନ ।
ଆମ୍ବିଳ ଶାକର ଦେଇ କଦଳୀରେ ଭଜା ।
ଅତି ଯତ୍ନେ କଲେ ମାଏ ତିଅଣ ଯେ ମଞ୍ଜା ।
ଷାଠିଏ ପଉଟି ସେ ରନ୍ଧନ କଲେ ଯାଇ ।
ବଗଡ଼ା ଭାତ ମହିମା କଳନା ନ ଯାଇ ।’
ଏଠି ଆସିଲା ଓଡ଼ିଆ ଘରେ ଅନ୍ନର ମହିମା ! ଅନ୍ନ ବ୍ରହ୍ମ, ଅନ୍ନପିଣ୍ଡ, ଅନ୍ନ ବିହୁନେ ଯେ ସଂସାର ଶୂନ୍ୟପ୍ରାୟ । ସେଥିପାଇଁ ଓଡ଼ିଆ ଘରର ପିଠାପଣା ଯେ ଗୃହସ୍ଥ ସଦସ୍ୟମାନଙ୍କ ନିମନ୍ତେ ହିତ ଓ ପୁଷ୍ଟିକର, ଏହା ମଧ୍ୟ ଲକ୍ଷ୍ମୀ ପୁରାଣର ବାର୍ତ୍ତା । ସକଳ କର୍ମ ମଧ୍ୟରେ ରନ୍ଧନ ଯେ ପ୍ରଧାନ କର୍ମ ଏବଂ ସ୍ତ୍ରୀ ଗୃହସ୍ଥସାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ କୌଶଳର ଅଧିକାରିଣୀ । ଜୀବନଧାରଣର ଉପାୟ ଯେ ସର୍ବଦା ସ୍ତ୍ରୀର ଜ୍ଞାତସାରରେ ନିହିତ । ସୁତରାଂ ଖାଦ୍ୟ ପଦାର୍ଥଗୁଡ଼ିକ ଯେତେ ପବିତ୍ର ଭାବରେ ରନ୍ଧା ଯାଇପାରିବ, ସେଥିପାଇଁ ସ୍ତ୍ରୀମାନେ ଯତ୍ନବତୀ । କାରଣ, ସେମାନେ ସୁପକ୍ବ ଖାଦ୍ୟର ପୁଷ୍ଟି ଯେ ଗୃହୀ ସଦସ୍ୟମାନଙ୍କ ଦେହକୁ ଲାଗିଲା ନା ନାହିଁ ସେଥିପାଇଁ ଯଥେଷ୍ଟ ସଚେତନ ।
ତେଣୁ, ଓଡ଼ିଆ ଘରର ବିବାହ କଥା ଥରେ ସମସ୍ତେ ମନେ ପକାଇପାରିବେ । ସ୍ତ୍ରୀଟିଏ ଘରକୁ ନୂଆ କରି ବୋହୂ ହୋଇ ପଦାର୍ପଣ କରିଲେ, ବାପଘରୁ ଭାର ନେଇ ସ୍ତ୍ରୀ ରୋଷଘରକୁ ପଦାର୍ପଣ କରିବ । ଏ ପଦାର୍ପଣ କରିବାଟା ଯେ ଗୋଟିଏ ଦାୟିତ୍ଵ ହସ୍ତାନ୍ତର ପର୍ବ । ଏପରି ଯେଉଁ ଖାଦ୍ୟ ପଦାର୍ଥ ଯାହା ଉପରେ ଆମ୍ଭମାନଙ୍କ ସ୍ଵାସ୍ଥ୍ୟ ଓ ଜୀବନ ନିର୍ଭର କରେ, ତାକୁ ପ୍ରସ୍ତୁତ କରିବା ଲାଗି ଅଜ୍ଞାତକୁଳଶୀଳ ପୂଜାହାରୀ/ପୂଝାରୀ ବା ରୋଷେଇୟାକୁ କ୍ଷମତାପତ୍ର ଦେଇ ଆପେ ନିଶ୍ଚିନ୍ତ ହୋଇ ବସିବାଟା ଉଚିତ୍ କି ? ଆପଣା କଥା ଆପେ ବୁଝିବ କିମ୍ବା ଆପଣାର ନିତାନ୍ତ ଆତ୍ମୀୟ ଯେ ଘର ପ୍ରତି ସମ୍ବେଦନଶୀଳ, ସେପରି ଆଦର୍ଶ ଓ ହୃଷ୍ଟମନା ସଧବା ରମଣୀର ସ୍ବହସ୍ତ ରାନ୍ଧଣା ଆପଣା ପରିବାରବର୍ଗ ଓ ଅତିଥି ଅଭ୍ଯାଗତମାନଙ୍କୁ ଭୋଜନ କରାଇ ଲୋକେ କୃତକୃତ୍ୟ ହୁଅନ୍ତି ।
ତେଣୁ, ଯେଉଁମାନେ ନାମମାତ୍ର ଲକ୍ଷ୍ମୀ ବ୍ରତ ପାଳି ଦେଉଛନ୍ତି, ଅଥଚ ଏସବୁ ପାଳିବାକୁ ଅମଙ୍ଗ, ସେମାନେ ମା’ ଲକ୍ଷ୍ମୀଙ୍କୁ ପରୋକ୍ଷରେ ପଦାଘାତ ହିଁ କରୁଛନ୍ତି । ସମସ୍ତ କର୍ତ୍ତବ୍ୟରେ ସ୍ବାଧୀନା ଏପରି ସ୍ତ୍ରୀଟିଏ ପ୍ରତ୍ୟେକ ଗାର୍ହସ୍ଥ୍ୟ ପରମ୍ପରାର ସର୍ବୋଚ୍ଚ ମୁକ୍ତଚିନ୍ତକ । ତେଣୁ, ସ୍ବେଚ୍ଛାଚାର ନିବୃତ୍ତା ଅଥଚ ସ୍ବାଧୀନଚେତା ସ୍ତ୍ରୀଟିଏ ନିଜ ସମାଜର ମୂଲ୍ୟବୋଧର ନିଜେ ହିଁ ଯୋଗ୍ୟ ତତ୍ତ୍ବାବଧାରିକା । ଏହି ଧାନମାଣିକା ଗୁରୁବାର ତାହାର ଶ୍ରେଷ୍ଠ ବାର୍ତ୍ତା ବହନ କରେ । କେବଳ ସେତିକି ନୁହେଁ, କୃଷି ବଳରେ ଗୋଟିଏ ସମାଜ ଯେ ଅନ୍ନ ପାଇ ପିଣ୍ଡ ରଖେ, ତାହା ମଧ୍ୟ ଗୋଟିଏ ବଡ଼ ବାର୍ତ୍ତା ।
ନୂଆ ମାଣ ଗୋଟିଏ ଖଟୁଲିଏ ଶୁକ୍ଳ ବର୍ଣ୍ଣର ଧାନ କିଛି ରଖି ତା ଉପରେ ହଳଦୀ ପାଣିରେ ଧୁଆ ହୋଇଥିବା ୩ ଗୋଟି ଗୁଆକୁ ଲକ୍ଷ୍ମୀ ନାରାୟଣଙ୍କ ଉଦେଶ୍ୟରେ ରଖାଯାଏ । ଏହା ହିଁ କୃଷିଭିତ୍ତିକ ସଭ୍ୟତାର ଉପାସନା । ବିହନ କୃଷିର ବୀଜମନ୍ତ୍ର ଓ କୃଷକର ପ୍ରାଣକେନ୍ଦ୍ର । ଖାଦ୍ୟ ନିରାପତ୍ତାର ଜାଗ୍ରତ ପ୍ରହରୀ । ଚାଷୀ ପାଇଁ ଏହି ବିହନ ହିଁ ଲକ୍ଷ୍ମୀ ଠାକୁରାଣୀ । ସେଥିପାଇଁ ଶୁକ୍ଳଧାନର ସଜ ଧାନମେଣ୍ଟା ଲକ୍ଷ୍ମୀଙ୍କ ପ୍ରତିରୂପ ଗ୍ରହଣପୂର୍ବକ ଓଷାରେ ବସେ । ଆଉ ସହଜେ ଏଇ ଓଷାର ନାମ ‘ଧାନମାଣିକା’ । ଧାନର ସାମ୍ରାଜ୍ୟ ଭିତରେ ଧାନ୍ୟଲକ୍ଷ୍ମୀ ଆସନ୍ତି ବୋଲି ଏତେ ବଡ଼ ପର୍ବଟିଏ ମାର୍ଗଶିର ମାସରେ ପାଳନ କରାଯାଉଛି ନହେଲେ, ଲୋକ କ’ଣ ଆଜି ବୁଝନ୍ତି ଯେ ମାର୍ଗଶିର ମାସରେ ହିଁ କେବଳ କାହିଁକି ଲକ୍ଷ୍ମୀପୂଜା ?
ଆମେ ଜାଣୁ କିପରି ଯାଯାବର ମଣିଷଟିଏ କୃଷିର ସ୍ଥାୟୀ ବୃତ୍ତି ଅବଲମ୍ବନ କରି ବିରାଟ ବିରାଟ ସଭ୍ୟତା ଛିଡ଼ା କରେଇଲା । ଚାଷୀ ଜମିରୁ ବାଛି ବାଛି ବିହନ ହଳା ବାନ୍ଧିବ । ଘରଣୀ ଗୋଡ଼ରେ ବିହନ ହଳା ମକଚି ଧାନ ଅମଳ କରିବ । କୁଲାରେ ପାଛୋଡ଼ି କଣ୍ଠା, ଅଗାଡ଼ି ଛେଚିଦେବ । ନିରୁତା ବିହନ ୩-୪ ଦିନ ଖରାରେ ହେଁସ ଉପରେ ଶୁଖାଇବ । ୨୦୦୦ ବର୍ଷ ପୂର୍ବରୁ ଭାରତର ଲୋକ-କୃଷି ବିଜ୍ଞାନ ଉପରେ ଋଷି ପରାଶର ଲେଖିଥିଲେ,
‘ମାଘେ ବା ଫାଲ୍ଗୁନେ ମାସି ସର୍ବ ବୀଜାନି ସହରେତ ।
ଶୋଧୟେ ଦାତବ୍ୟେ ସମ୍ୟକ୍ ନୈବାଧୋ ବିନିଧାପୟେତ୍ ।।’
ଚାଷୀ ମାଘ ବା ଫାଲ୍ଗୁନ ମାସରେ ବିହନ ସଂଗ୍ରହ କରିବ । ମାଟିରେ ନ ପକାଇ ବିହନକୁ ଖରାରେ ଶୁଖାଇ ପୁଣି ଶୁଖିଲା ବିହନ ଓଳିଆ ଭାଡ଼ିରେ ଥୋଇବ । ତାଳପତ୍ରରେ ବିହନ କିସମ ଦେଖି ଓଳିଆରେ ଖୋସିଦେବ । ମାଆ, ଜେଜେମାଆମାନେ ଦୁଆରେ, ବାଡ଼ିରେ ଜହ୍ନି, ଭେଣ୍ଡି, ଛଚିନ୍ଦ୍ରା, କାକୁଡ଼ି, କଖାରୁ ମନ୍ଦା କରି ଲଗାଇବେ । ପରିବା ଖାଇବେ ଓ ମଞ୍ଜି ସାଇତି ରଖିବେ । ଛଚିନ୍ଦ୍ରା ମଞ୍ଜି ଶୁଖାଇ ଗୋବର ଗୋଳାଇ ଦେବେ । ତାକୁ ହାଣ୍ଡିଶାଳ କାନ୍ଥ ଦିହରେ ଲେସିଦେବେ । ଗୋବର ପାଣି ପକାଇବା ବା ଗୋବର ଲେସିବା ଦ୍ବାରା କୀଟ ପତଙ୍ଗ ମାଡ଼ନ୍ତି ନାହିଁ । ଆଉ ବୈଶାଖ ମାସ ଟାଣ ଖରା ଆସି ପଦା ପାହାଭାଗରେ ପଡ଼ିଲେ ଅକ୍ଷି ମୁଠି ଅନୁକୂଳ ହେବ ବୋଲି ବୁଝାଯାଏ ।
ଚଷା ହେଉଛି ଏ ସମାଜର ସବୁଠାରୁ ଅଭିଜ୍ଞ ଓ ଅନୁଭବୀ ଜୀବଟିଏ । ଆଗକୁ ବର୍ଷା ହେବ ତେଣୁ ଆଗରୁ ଜମିରେ ଖତ ପକାଇ କାଣ୍ଡି ଦେଇଛି ଓ ବିହନ ଖରୁଡ଼ି ପାଗରେ ବୁଣିଦେଲେ ରଜକୁ ଫେଣଲଗା ବର୍ଷା ଅସରାଏ ହେଲେ ଅଗାଡ଼ି ଫୋଡ଼ ଗଛ । ଅଲବତ ବିହନ । ଓଳିଆରୁ ପଡ଼ି ଗଜା । ଏବେ ଦେଶୀ ବିହନ ଖୋଜା ପଡ଼ିଲାଣି । ‘ହାଟୁଆ ହୁଡ଼ିଲେ ହାଟ ପାଳିଏ, ଚଷା ହୁଡ଼ିଲେ ବରଷେ’ । ଅଧିକ ଅମଳ ମାୟା ଛାଡ଼ି ଦେଶୀ ବିହନର ପୁଷ୍ଟିତତ୍ତ୍ଵ ଓ ସାରବତ୍ତା ଉପରେ ପୁଣି ଆସ୍ଥା ବିସ୍ତାର କରିବାର ଆହ୍ବାନ ମଧ୍ୟ ଏହି ମାଣବସା ଗୁରୁବାରକୁ ‘ଧାନମାଣିକା’ର ଯଥାର୍ଥ ଆଖ୍ୟା ପ୍ରଦାନ କରି ପାରିଛି । କାରଣ ‘ଧାନମାଣିକା’ର ସଂଜ୍ଞା ଦେଶୀ କୃଷିର ବିକଳ୍ପ ନାହିଁ ।
ବୈଶାଖ ମାସର ଅକ୍ଷୟ ତୃତୀୟା ପର୍ବ ଦିନ ଶଗଡ଼ ଲଙ୍ଗଳ ଧୁଆ ହେଉଥିଲା । ମାଇପି ଲୋକମାନେ ଅରୁଆ ଚାଉଳ ପିଠଉ କରି ଶଗଡ଼, ଲଙ୍ଗଳରେ ବି ଝୋଟି ଦେଉଥିଲେ । ବିହନ ବେତ ଟୋକେଇ, ମାଣ, ଗଉଣୀ ସବୁ ଧୁଆ ହୋଇ ଚିତା ପଡୁଥିଲା । ଚାଷୀ ପାଇଁ ନୂଆ ଲୁଗା, ନୂଆ ଗାମୁଛା ଓ ଘର ବୋହୂଟିଏ ପାଇଁ ନୂଆ ଶାଢ଼ୀ ପାଇଁ ତୃତୀୟା ଦିନ ପିନ୍ଧିବେ । କୋଳଥ ସିଝା, କୁଳୁଚି, ଗୁଣ୍ଡା, ପାଣି ତୋରାଣି କୁଣ୍ଡରେ ଯୋଗାଡ଼ି ବଳଦଙ୍କୁ ଖୁଏଇବେ । ବଳଦଙ୍କ ବେକରେ ଫୁଲମାଳ ଦେଇ ଦାଣ୍ଡ ଦୁଆର ମୁହଁରେ କଳସ ଥୁଆ ଯିବ । ଓଳିଆରୁ ବିହନ ଓଗାଳି ଟୋକେଇରେ ରଖାଯିବ ଓ ଗଉଣୀଟିଏ ଧାନ ଉପରେ ବସେଇ ପୂଜା ।
ସେଥିପାଇଁ ଚାଷୀଟିଏ ସ୍ବୟଂସମ୍ପୂର୍ଣ୍ଣ ଥିଲା । ଚାଷୀ କାହାର ମହାଜନ ନ ହେଲେ ବି ଖାତକ ନଥିଲା । କିନ୍ତୁ, ଆଜିକାଲି ଅଧିକ ଅମଳ କରିବା ଆଳରେ ଦେଶୀ ବିହନର ବିକଳ୍ପ ଆପଣାଇ ପ୍ରଚୁର ରାସାୟନିକ ସାର, କୀଟନାଶକର ବ୍ୟବହାର କୃଷିକୁ ଖାଲି ପ୍ରାଚୁର୍ଯ୍ୟର ପ୍ରତିଶ୍ରୁତି ଦେଉଛି । ହେଲେ ବାସ୍ତବ ପ୍ରାଚୁର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଦେଶୀ ବିହନର ଉତ୍ସ ଲୋଡୁଛି । ହଁ, ବୁଝିଲୁ ଜମିକୁ ବଡ଼ ବଡ଼ ପରିମାଣରେ ଅମଳ ପାଇଁ ତେରେଛି ଲଙ୍ଗଳକୁ ଟ୍ରାକ୍ଟର ଓ ମେସିନ୍ ବିକଳ୍ପ ହେଲା । ହେଲେ ଯନ୍ତ୍ରପାତି ସ୍ଥାନରେ ଦେଶୀ ଧାନ ଅମଳର ପଦ୍ଧତିରେ ଉନ୍ନତି ବୋଧହୁଏ ଆହୁରି ଗବେଷଣା ଲୋଡ଼େ ।
ଖାଲି ଥରେ ମନେ ପକାଇବା, ଆମେ ମାଣବସା ଗୁରୁବାର ଦିନ ମାଣ ଅବଶ୍ୟ ବସେଇ ଦେଲୁ, ବୋହୂମାନେ ଏଣିକି ନାରୀତ୍ଵର ସମସ୍ତ ଶ୍ରେୟ ନେଲେ ଏବଂ ସେମାନଙ୍କ ବାସ୍ତବ ଦାୟିତ୍ଵ ମଧ୍ୟ ସରିଲା, ଗୃହସ୍ଥ ଏ ସମସ୍ତ କୃତ୍ୟର ପୁଣ୍ୟ ଫଳ ପାଇଲେ । କିନ୍ତୁ, ଥରେ ଚିନ୍ତା କରିବା ମାଣ ବସାଇବା ଦିନ ଯେଉଁ ଦିନ ବ୍ରତ ସାରି ସମସ୍ତ ନୀତିରେ ମାଣ ବସାଇ ମଣ୍ଡା ପିଠା ଓ ଖିରି ଭୋଗ ବସିବ, ସେଥିରେ ଦେଶୀ କୃଷି ଅମଳର ପରିମାଣ କେତେ ? ଉଦ୍ଯାପନୀ ସଞ୍ଜ ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ । ପୂଜାର ଅନ୍ୟ ସମସ୍ତ ସଜକୁ ସହକାରେ ନେଇ ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ । ହେଲେ ସେହି ଧାନ ସତରେ ଘରକୁ ଲାଗୁଛି ତ ?
ପୂଜାରେ ବ୍ୟବହୃତ ଧାନକୁ କୁଟି ସେହି ଚାଉଳରେ ଖିରି ବା ଜାଉ ରାନ୍ଧି କେବଳ ଘର ଲୋକଙ୍କ ମଧ୍ୟରେ ଖିଆଯାଏ । ଏହିପରି ଲକ୍ଷ୍ମୀଙ୍କୁ ଆବାହନ କରିବାଠାରୁ ବିସର୍ଜନ କରାଯିବା ପର୍ଯ୍ୟନ୍ତ ସମସ୍ତ ବିଧି ବିଧାନକୁ ପାଳନ କରି ଘରର ବିବିଧ ଉନ୍ନତି କାମନା କରାଯାଏ । ହେଲେ ଆଜି ନାରୀତ୍ବର ମହାପର୍ବ ମହାଲକ୍ଷ୍ମୀଙ୍କ ‘ଧାନମାଣିକା’ର ଅସଲ ସଂଜ୍ଞା ବାସ୍ତବରେ ପୂରଣ ହେବା ଲାଗି ଆଉ କେତେ ବିଚାର ଓ ମନନଧର୍ମିତାକୁ ଅପେକ୍ଷା କରିବ ? ଆଜି ବଞ୍ଚିତ ଓ ଅବହେଳିତ ମଧ୍ୟ ସୁବିଧା ସୁଯୋଗ ପାଇଲେଣି । ଥରେ ଆମର ଏତେ ସବୁ ଆଲୋଚନା ଭିତରେ ଚିନ୍ତା ଆସୁ, କୁଳୀନ ଆଚରଣକାରୀ ସଭ୍ୟତାର ପ୍ରକୃତ ଉନ୍ନତି ଆମ ସମସ୍ତଙ୍କର ଯେ ଗୁରୁ ଦାୟିତ୍ଵ । କୃଷିଠାରୁ କୁଟୁମ୍ଵ ପର୍ଯ୍ୟନ୍ତ ଏହି ‘ଧାନମାଣିକା’ ଓଡ଼ିଆ ଜାତିର ସ୍ବାଭିମାନ ପୁଷ୍ଟି କଥା ଆଜି ବି ଛତ୍ରେ ଛତ୍ରେ କହେ !
Alaagipali
Dhanamanika
Manabasa Gurubara
Odia Festival