ଅଭିରାମ ପରମହଂସ

ଲେଖା: ଅମ୍ବିକା ପଟ୍ଟନାୟକ
 ~ ଉତ୍କଳେ ପ୍ରଣିପତ୍ୟ ସନ୍ଥ ଅଭିରାମ ପରମହଂସ ~
ପାଞ୍ଚ ମନଟି ଯାକୁ କହି l ପଞ୍ଚମ ଜର୍ଜ ସେ ଅଟଇ l
ଗୋରା ପଲଟନଟି ଯେହି l ପଚିଶ ପ୍ରକୃତି ଅଟଇ l
ଏହିଟି ବିଦେଶୀ ଅଟନ୍ତି l ସ୍ୱରାଜ୍ୟ ଉଜାଡିଣ ଦ୍ୟନ୍ତି l
ଯେହୁ ଅଟେ ମହତ ଆତ୍ମା l ସେଇଟି ଅଟଇ ମହାତ୍ମା l
—————
ପଚିଶଙ୍କର ସଙ୍ଗେ ଖେଳି l ବ୍ରିଟିଶ ରାଜା ମହାବଳୀ l
ନିଷ୍କରେ ଯେଣୁ ନିଏ କର l ଅନ୍ୟାୟ ହେଉଛି ତାହାର l
————
ଲାଗିବ ଭାରତରେ ନାଟ l ନ ରହ ଭାରତ ସମ୍ରାଟ l
ଅଣଚାଳିଶା ହୋଇଥିଲା l ଏଥିରେ ରାଜା ନ ଚେତିଲା l
ଚାଳିଶାରେ ତ ନ ବସିବ l ଏକଚାଳିଶ ରେ ନ ଥିବ l
—————-
ଏ ହେଲା ପଞ୍ଚମ ସମ୍ରାଟ l ପୃଥିକି ହୋଇଲା ସେ ନଷ୍ଟ l
ଯେଣୁ ହେଲା ପ୍ରଜା କଣ୍ଟକି l ଅଧର୍ମ ଧରେ ତା ତଣ୍ଟିକି l
———–
ୟୁରୋପିଆନ ଯିବେ ଛାଡ଼ି l ମୋହନ ସେନା ଦେବେ କାଢ଼ି l
ପ୍ରଥମ ଯୁଦ୍ଧେ ସେନାପତି l ହେବ ମୋହନ ସୈନ୍ୟ ଘେତି l
ମୋହନ ବୋଲି ଯାକୁ କହି l ମହତ ଆତ୍ମା ସେ ଅଟଇ l
(୧୯୩୫ରେ ପ୍ରକାଶିତ “କଳି ଭାଗବତ”ର କିୟଦଂଶ)
ଏତେ ଆସ୍ପର୍ଦ୍ଧା ???
ତତ୍ତ୍ୱ ଆଢୁଆଳେ ମହାରାଜା ଭାରତେଶ୍ଵରଙ୍କ ପ୍ରତି ଏ କଟୁକ୍ତି l ସୁସଭ୍ୟ ଶାସକଗୋଷ୍ଠୀଙ୍କୁ ଏ ସିଧା ସିଧା ଆକ୍ରମଣ ??
କାହାର ଏ ଦୁଃସାହସ ?
ଲେଖାର ପରିଣତି କଣ ??
୧୯୩୫ରେ ବତିଶ ଅଧ୍ୟାୟ ବିଶିଷ୍ଟ ସରଳ ଭାଷାରେ ତତ୍ତ୍ୱପୂର୍ଣ୍ଣ ଏ କାବ୍ୟ ପ୍ରକାଶ ପାଇବା ପରେ ଓଡ଼ିଆ ଅଞ୍ଚଳରେ ଚହଳ ପଡ଼ି ଯାଇଥିଲା l ଲେଖକ ଥିଲେ ଓଡ଼ିଶା ଆଧ୍ୟାତ୍ମିକ ଜଗତର ଜାଜ୍ୱଲ୍ୟମାନ ତାରକା ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଓ ପ୍ରକାଶକ ନିର୍ଭୀକ ସାମ୍ବାଦିକ ଶଶୀଭୁଷଣ ରଥ l ମାନ୍ଦ୍ରାଜ ସରକାର ମକଦ୍ଦମା କଲେ, ଦେଶଦ୍ରୋହ ମକଦ୍ଦମା l ଠାକୁର ବର୍ଷେ କାରାବାସ, ଶଶୀଭୁଷଣ ଖସିଗଲେ l
୧୯୦୪ ଜାନୁଆରୀ ୧୮, ପବିତ୍ର ତ୍ରିବେଣୀ ଅମାବାସ୍ୟା, ମା’ ବିରଜାଙ୍କ ଆବିର୍ଭାବ ଦିବସ l ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ କରମଳା ଗ୍ରାମ ନିକଟସ୍ଥ ଭୋଇପଡ଼ା ଗ୍ରାମରେ ଶ୍ରୀ ସତ୍ୟବାଦୀ ପଟନାୟକ ଓ ଶ୍ରୀମତୀ ରାଧାଦେବୀଙ୍କ କୂଳ ଉଜ୍ବଳ କରି କୁଆଁ କୁଆଁ ଡାକ ଛାଡିଥିଲେ କୁନି ଅଭିରାମ, ମାତାଙ୍କ ଶ୍ରଦ୍ଧା ଡାକ “ଵିନୋରି ” l
ବାଲ୍ୟକାଳରୁ ଶିକ୍ଷାରେ ନିତାନ୍ତ ଅମନଯୋଗୀ l ଏପରିକି ଶିକ୍ଷକ ଭାଇ ଲୋକନାଥଙ୍କ ଠାରୁ ମାଡ଼ ଖାଇ ତାଙ୍କ ଘର ଛାଡ଼ି ନିଜ ଘରକୁ, ମା’ ପାଖକୁ ଫେରି ଆସିଥିବା ଅଭିରାମ କିନ୍ତୁ ସେତେବେଳ ଠାରୁ ଆଧ୍ୟାତ୍ମିକ ଅନିସନ୍ଧିତ୍ସୁ l
ଲୌକିକ ଶିକ୍ଷା ନ ଥିଲେ ମଧ୍ୟ ନିଜ ଅଧ୍ୟବସାୟ ଓ ଧୀମତ୍ତା ଦ୍ଵାରା ଅସୀମ ଜ୍ଞାନର ଅଧିକାରୀ ଶ୍ରୀ ଶ୍ରୀ ଠାକୁର ଅଭିରାମ ପରମହଂସ ପ୍ରାୟ ୪୫ ଗୋଟି ଆଧ୍ୟାତ୍ମିକ ପୁସ୍ତକ ଲେଖି ଯାଇଛନ୍ତି ଓ ଅନେକ ସୁନ୍ଦର ଭଜନ ଯଥା “ତୁମେ ମୋର, ମୁଁ ତୁମର ଆହେ ମୋର ସ୍ୱାମୀ” ପରି ଭାବପୂର୍ଣ ରଚନାର ସ୍ରଷ୍ଟା l ତାଙ୍କ ଲେଖା ସବୁ ଏଇ ପ୍ରମାଣ ଦିଅନ୍ତି ଯେ ବେଦ, ବେଦାଙ୍ଗ, ପୁରାଣ, ଉପନିଷଦ, ଷଡ଼ ଦର୍ଶନ, ପିଣ୍ଡ ବ୍ରହ୍ମାଣ୍ଡ, ଦ୍ୱୈତ-ଅଦ୍ୱୈତବାଦ, ଉପେନ୍ଦ୍ର ଭଞ୍ଜ, ବଳଦେବ ରଥ, ଭୀମଭୋଇ, ମଧୁସୂଦନ ରାଓରାଧାନାଥ ରାୟ ସାହିତ୍ୟ ସମେତ ଜ୍ୟୋତିଷ ବିଦ୍ୟାରେ ମଧ୍ୟ ତାଙ୍କର ଗଭୀର ପ୍ରବେଶ ଥିଲା l
ସିଦ୍ଧପୁରୁଷ ହେଲେ ହେଁ ପରମ୍ପରା ପ୍ରତି ଗଭୀର ନିଷ୍ଠା ଥିବାରୁ ମହାପୁରୁଷ ହାଡ଼ି ଦାସଙ୍କ ଶିଷ୍ୟତ୍ବ ଗ୍ରହଣ କରିଥିଲେ l ଶ୍ରୀପାଦ ଭଗବତ ପାଦ ଶ୍ରୀମଦ ଆଦି ଶଙ୍କର ଓ ବିଶିଷ୍ଟ କ୍ରିୟାଯୋଗୀ ଶ୍ରୀ ଯୁକ୍ତେଶ୍ୱର ଗିରି ମହାରାଜଙ୍କ ପରି ତାଙ୍କର ମଧ୍ୟ ଅଚଳା ମାତୃଭକ୍ତି ଥିଲା l ସନ୍ୟାସୀ ଶ୍ରୀ ଶ୍ରୀ ଠାକୁର ଅଭିରାମ ପରମହଂସ ସେଥିପାଇଁ ନିଜ ଗ୍ରାମ ନିକଟସ୍ଥ କରମଳା ଗ୍ରାମରେ ୧୯୨୭ରେ ପ୍ରତିଷ୍ଠା କରିଥିଲେ ନିଜ ଆଶ୍ରମ “ଶାନ୍ତି ଆନନ୍ଦାଶ୍ରମ” l
ତାଙ୍କ ଲେଖା ସମୂହରୁ କିଛି ହେଉଛି କଳି ଭାଗବତ, କୋଇଲି ଶିକ୍ଷା, ଭକ୍ତି କଲ୍ଲୋଳ, ଭାବ କଲ୍ଲୋଳ, ସନାତନ ଗୀତା, ଗୁରୁ ଗୀତା ତତ୍ତ୍ୱ ଜ୍ଞାନ, ଶୃତି ରତ୍ନହାର ପ୍ରଭୃତି l
ଅସଂଖ୍ୟ ମନୁଷ୍ୟଙ୍କୁ ଆଧ୍ୟାତ୍ମିକତାର ପଥ ଦେଖାଇଥିବା ଏହି ମହାନ ଆଧ୍ୟାତ୍ମବାଦୀ ୧୯୬୩ ମସିହା ନଭେମ୍ବର ୨୭ ତାରିଖରେ ରେ ଦେହରକ୍ଷା କରିଥିଲେ l ଶିଷ୍ୟମାନେ “ଅଭିରାମ ମିଳନ ମନ୍ଦିର” ମାଧ୍ୟମରେ ଶ୍ରୀ ଶ୍ରୀ ଠାକୁର ଅଭିରାମ ପରମହଂସ, ଵିନୋରି, ସତ୍ୟନାରାୟଣ ସ୍ୱାମୀ ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ବାଣୀ ପ୍ରଚାର କରୁଛନ୍ତି l
ତଥ୍ୟ କୃତଜ୍ଞତା: ଶ୍ରୀ ସର୍ବେଶ୍ୱର ଦାସଙ୍କ “ଠାକୁର ଅଭିରାମ ପରମହଂସ”
ଚିତ୍ର କୃତଜ୍ଞତା: ଇଣ୍ଟରନେଟ
#ଉତ୍କଳେ ପ୍ରଣିପତ୍ୟ ସନ୍ଥ

Leave a Comment

Your email address will not be published. Required fields are marked *

Scroll to Top