ଅଙ୍ଗେନିଭା କଥା

ଅନୁଭୂତିରେ ଶ୍ରୀଜଗନ୍ନାଥ

ଲେଖା: ସତ୍ୟବ୍ରତ ହାତୀ
ଜଗାକୁ  ରଥ ଉପରେ ଦର୍ଶନ କରିବାର ସୌଭାଗ୍ୟ ପାଖାପାଖି ୨୦୦୭ ମସିହାରୁ ପ୍ରାପ୍ତ ହୋଇଛି, ସେହି ବର୍ଷ ବାପାଙ୍କ ଦେହାନ୍ତ ଆଉ ସେହିବର୍ଷ ଠାରୁ ଜଗାକୁ ରଥ ଉପରେ ଦର୍ଶନ ଆଜି ପର୍ଯନ୍ତ ଲାଗି ରହିଛି. କୃପାସିନ୍ଧୁ କୃପା କରି ଚାଲିଛନ୍ତି. ୨୦୧୨ ମସିହା, ସେତେବେଳେ ମୁଁ କାମ କରୁଥାଏ ବାଲେଶ୍ୱରରେ ।
ଫି ବର୍ଷ ଯାତ୍ରା ଆସିବାର କିଛି ଦିନ ପୂର୍ବରୁ ମୋ ଦେହ ଖରାପ ହୁଏ,  ନଚେତ ଆର୍ଥିକ ଅସୁବିଧା ଥାଏ ! ଏମିତି କାଇଁ ହୁଏ ଏଇ ସମୟରେ ସେକଥା ସେଇ ଜଗାକୁ ହିଁ ଜଣା ! ନାଟୁଆ ହଟିଆ ଠାକୁର ବୋଧେ ଖେଳ ଖେଳେ ମୋ ସହ !
ସେଥର ରଥଯାତ୍ରା ପୂର୍ବରୁ ଶରୀର ଅସୁସ୍ଥ ! ଟାଇଫଏଡରେ କମ୍ପୁଛି,  ରଥଯାତ୍ରା ଆଉ ପାଞ୍ଚ ଦିନ ! ଡାକ୍ତରଙ୍କୁ ଅନୁରୋଧ କଲି ଜଲଦି ଜଲଦି ମୋତେ ସୁସ୍ଥ କରାଇ ଦେବାକୁ ! ମୋ ମୁହଁକୁ ଚାହିଁ ଡାକ୍ତର କହିଲେ, “ବାବୁରେ, ମୁଁ ଡାକ୍ତର, ଭଗବାନ ନୁହେଁ, ଔଷଧ ଖା’ ତିନି ଦିନ ପରେ ଆସିକି ପୁଣି ଦେଖା କରିବୁ” । ଡାକ୍ତରଙ୍କ ଉପରେ ରାଗ ହେଲେ ବି କହିବାକୁ କିଛି ଭାଷା ନ ଥିଲା ସତ !
କାଳିଆର ଚକା ଚକା ଆଖି ଦିଇଟା ଖାଲି ମୁହଁ ଆଗରେ ନାଚି ଯାଉଥାଏ ! ରାତି ପାହିଲେ ରଥ ! ହେଲେ ଦେହ ସୁସ୍ଥ ହୋଇନି ଏ ଯାଏଁ ! ଏଥରକ ରଥକୁ କ’ଣ ଯାଇ ପାରିବିନି ! ହେଲେ ଦେହଟା ଯେ ଦାଉ ସାଧୁଛି ! ଜ୍ୱର ସାଙ୍ଗକୁ ଝାଡାବାନ୍ତିରେ ଶରୀର ଝିମାଇଗଲାଣି,  ଚାଲିବାକୁ ବି ଶକ୍ତି ନାହିଁ !
ସଞ୍ଜବୁଡକୁ ଜଣେ ବନ୍ଧୁଙ୍କୁ ଡାକି କହିଲି ମତେ ଟିକେ ଡାକ୍ତରଙ୍କ ପାଖକୁ ନେଇଯିବାକୁ । ମୋ ଅସୁସ୍ଥତାକୁ ଅନୁଭବ କରି ମତେ ଆଉ ଧାଡିରେ ଛିଡା ନ କରି ସିଧା ଡାକ୍ତରଙ୍କୁ ଦେଖା କରିବାକୁ ଛାଡିଦେଲେ । ମୋ ମୁହଁରୁ ଏପରି ଅବସ୍ଥାରେ ପୁରୀ ଯିବା କଥା ଶୁଣି ଡାକ୍ତର ନିଆଁବାଣ ! ପଚାରିଲେ, “ତମ ଘର କୋଉଠି ? ମୁଁ କହିଲି କଟକ”, କହିଲେ “ଭଲ ହେଲା, ଘରଲୋକଙ୍କୁ କହିଦିଅ, ସିଧା ପୁରୀ ପଳାଇବେ ତମ ଶବଦାହ ବି କରିଦେବେ ସେଠି, ଚାଲିବାକୁ ବଳ ନାଇଁ ଆସିଲା ପୁରୀ ଯିବ !  ଯାଅ ଏଠୁ . . ”
ଡାକ୍ତର ଯାହା କହିଲେ ଶୁଣିଲି ସିନା, କିନ୍ତୁ ସିଧା ଚାଲିଲି ବସଷ୍ଟାଣ୍ଡ ! ସେଠି ପୁରୀ ଯିବାକୁ ବସ୍ ଖୋଜିବାରୁ ସ୍ପେସାଲ୍ ବସ୍ ଟିଏ ଅଛି, ରାତି ଦଶଟାରେ ଛାଡ଼ିବ, ଯିବା ଆସିବା ଟିକଟ୍ ୫୦୦ଟଙ୍କା,  ମୁଁ କହିଲି, ଭାଇ ଠିକ ଅଛି ଟିକେଟ ଗୋଟେ ଦିଅ ୩୦୦ଟଙ୍କା ନିଅ, ମୁଁ କିନ୍ତୁ ଆଉ ଫେରିବିନି । ଯାହାହେଉ ଗୋଟେ ଟିକେଟ ପାଇଗଲି, ଅଫିସ ଆସିଲି, ଜଣେ ମଉସାଙ୍କୁ କହିଲି ଅଳ୍ପ ଟିକେ ତରକାରୀ ଆଉ ରୁଟି ଦୁଇଟି ନେଇ ଆସ, ଖାଇକି ବାହାରିବି ।
ଅଫିସରେ ବନ୍ଧୁମାନେ ବହୁତ ମନା କରୁଛନ୍ତି, ଶେଷରେ ସେମାନେ ନିଶ୍ଚିନ୍ତ ହୋଇଗଲେ ଯେ, ଏ ପିଲା ଶୁଣିବନି ! ରୁଟିଟିଏ ଛିଡ଼ାଇ ପାଟିରେ ଦେଇଛି,  ବାନ୍ତି ଏତେ ହେଲା ଯେ ମୁଁ ଆଉ ଛିଡା ହେବା ପାଇଁ ସମର୍ଥ ନଥିଲି,  ଅଫିସରେ ବନ୍ଧୁମାନେ ମତେ ବୁଝାଇବା ପାଇଁ ଅସମର୍ଥ ହୋଇ ଆମ ଅଫିସରଙ୍କୁ ଫୋନ କରି ଜଣାଇଲେ ।
ଶେଷରେ ଅଫିସର୍ ବି ମତେ କଲ୍ କରି କହିଲେ, “ସତ୍ୟ, ନଗଲେ ହେବନି କି”,  ମୁଁ କହିଲି ସାର୍,  “ମୁଁ ବାହାରିଛି ମାନେ ଯିବି,  ଆପଣ ଟିକେ ଦୟାକରି ଡ୍ରାଇଭରଙ୍କୁ କୁହନ୍ତୁ ମତେ ବସଷ୍ଟାଣ୍ଡରେ ଛାଡିଦେବେ, ନହେଲେ ମୁଁ ଅଟୋଟେ ଭଡା କରି ଚାଲିଯିବି” ।
ବସ୍ ଭିତରେ କେତେ ଥର  ବାନ୍ତି ! କଷ୍ଟ ବଳି ପଡ଼ୁଥିଲା ! ମନେ ମନେ ଭାବିଲି, ଜଗା ତୁ ପରୀକ୍ଷା ନେଉଛୁ ମୁଁ ଜାଣିଛି, ହେଲେ ଏ କଥା ବି ତୁ ଜାଣିଚୁ ତୋର ଏ ତୁଛ ଭକ୍ତ ଯେ କୌଣସି ପରୀକ୍ଷା ବି ଦେଇପାରେ ଆଉ ସବୁ ସହି ଯାଇପାରେ !
ଯାହାହେଉ ବସ୍ ପହଞ୍ଚିଗଲା ଭୋର୍ ସମୟକୁ । ଭାଇନା ଆସି ମତେ ନେଇଗଲେ ଘରକୁ । ଭାଇନା ଭାଉଜ ମତେ ଦେଖି ଆଶ୍ଚର୍ଯ୍ୟ, ଆଉ ଭୀଷଣ ଦେହ ଖରାପ ଦେଖି ଡ଼ାକ୍ତର ପାଖକୁ ନେବା ପାଇଁ ଚିନ୍ତା କଲେ । ମୁଁ କହିଲି, ବ୍ୟସ୍ତ ହୁଅନି, ମୋ ଦେହ ୪ ଦିନ ହେବ ଖରାପ ! ରଥ ସରିଯାଉ, ସନ୍ଧ୍ୟାକୁ ଯିବା ।
ମୁଁ ସେମିତି ଅଛାଡ ହୋଇ ପଡିରହିଲି, ଦିନ ଗୋଟାଏ ହେଲାଣି, ଟିଭିରେ ଦେଖିଲି ଦିଅଁଙ୍କ ପହଁଣ୍ଡି ବିଜେ ଆରମ୍ଭ ହେଲାଣି, ତେଣେ ଗଜପତି ମହାରାଜ ବି ଛେରାପହଁରା ପାଇଁ ଯାତ୍ରା ଆରମ୍ଭ କଲେଣି ।
ବିଶ୍ୱାସ ଥିଲା ଏହା ଜଗାର ପରୀକ୍ଷା, ବିଶ୍ୱାସ ଥିଲା ତାକୁ ଦର୍ଶନ କଲେ ଶରୀର ସୁସ୍ଥ ହୋଇଯିବ । ଆଉ ବିଳମ୍ବ ନ କରି ଉଠିଲି, କିନ୍ତୁ ଉଠିବାକୁ ଶକ୍ତି ବି ନଥିଲା, କଷ୍ଟରେ ଉଠିଲି ସିଧା ବାଥରୁମ ଗଲି ଆଉ ଭଲରେ ଗାଧୋଇଲି, ନୂତନ ବସ୍ତ୍ର ହଳେ ନେଇ ଥିଲି ପିନ୍ଧିଲି, ଚୁପ କି ବାହାରି ଗଲି,  କାଇଁକି ନା ଭାଉଜ ଆଉ ଭାଇନା ଉଭୟ ଦେଖି ଥିଲେ ମତେ ବିଲକୁଲ ଯିବାକୁ ଦେଇ ନ ଥାନ୍ତେ !
ସିଧା ଯାଇ ପହଞ୍ଚିଲି ବଡ଼ ଦାଣ୍ଡରେ ! ବଡ଼ଠାକୁରଙ୍କ ରଥ ଟାଣିଲି, ମା’ ସୁଭଦ୍ରାଙ୍କ ରଥ ଆଉ ଶେଷକୁ ମୋ ଜଗାର ରଥ ଟାଣିଲି । ରଥ ଉପରେ ଚକାଆଖିକି ଦେଖି ମନ ପୁରି ଉଠିଲା, ‘ଏତେ ଦିନ ତୋ ଡୋରି ଲାଗିଲା କାଳିଆ . .  ! ଢେର ବାଟ ଯାଏଁ ରଥ ଟାଣିଲି ସେଦିନ । କୋଉଠୁ ଆସିଲା ସେ ଶକ୍ତି କେଜାଣି,  ସେ କଥା ସେଇ ଜଗା ଜାଣେ !
ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କଲି, ଆଉ ନିଜ ଗାଁକୁ ଫେରିଗଲି ସେହିଦିନ । ଗାଁରେ ଦୁଇ ଦିନ ରହିଲି ଆଉ ତା’ ପରଠୁଁ ସେ ଟାଇଫଏଡ୍ ଔଷଧ ବି ଖାଇନି ! ସାଙ୍ଗସାଥୀଙ୍କର ସେଇ ଗୋଟିଏ କଥା, “ଟାଇଫଏଡ୍’ର ପ୍ରଭାବ ସେତିକି ଦିନ ପାଇଁ ଥିଲା, କମିଗଲା, ଆଉ ତୁ ସୁସ୍ଥ ହୋଇଗଲୁ “! କିନ୍ତୁ ମୋ ମନ ଜାଣିଛି, ସବୁରି ମୂଳରେ ପରା ସେଇ ଜଗା ! ତା’ କରୁଣା ନ ହେଲେ ଗଛର ପତ୍ରଟିଏ ବି ହଲିବନି ପରା ! ସବୁ ତା’ରି ଲୀଳା !
ଜୟ ଜଗନ୍ନାଥ ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago