ସୃଷ୍ଟିସମଗ୍ର

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ ଓ ତତ୍କାଳୀନ ଉତ୍କଳର ରାଜନୀତିକ ଦୃଶ୍ୟପଟ (ଭାଗ ୨)

ଲେଖା: ଇଂ ବିଜୟ କେତନ ସାହୁ

 

ଓଡ଼ିଆ ଜାତିର ପ୍ରାଣ-ଦେବତା ଶ୍ରୀଜଗନ୍ନାଥ। ଏ ଜାତି ତାଙ୍କୁ ପ୍ରାଣଭରି ଭଲପାଏ। ଯେଉଁଠି ଓଡ଼ିଆ ସେଇଠି ଜଗନ୍ନାଥ, ଯେଉଁଠି ଜଗନ୍ନାଥ ସେଇଠି ଓଡ଼ିଆ। ଓଡିଶା ଭୂଖଣ୍ଡର ସେ ହିଁ ଏକମାତ୍ର ରାଜାଧିରାଜ ରୂପରେ ସ୍ଵୀକୃତ। ଏ ଜାତିର ଇଷ୍ଟ-ଦେବତା ସେହି କଳାଠାକୁର, ନୀଳାଦ୍ରିନାଥ କୋଟିକୈବଲ୍ୟଦାତା ପ୍ରଭୁ ଜଗନ୍ନାଥ। ଓଡ଼ିଶାର ଶାସକଗଣ ତାଙ୍କର ପ୍ରତିନିଧି ବା ରାଉତ ମାତ୍ର ଭାବରେ ନିଜକୁ ଘୋଷିତ କରିଛନ୍ତି। ଓଡ଼ିଆ ଜାତିକୁ ଯେତେବେଳେ ବାହ୍ୟଶତ୍ରୁ ଆକ୍ରମଣ କରିଛି, ସେତେବେଳେ ଓଡ଼ିଆଟିଏ ପ୍ରଥମେ ଚିନ୍ତା କରିଛି ତା’ ପ୍ରଭୁଙ୍କ କଥା। ପ୍ରାଣ ବିନିମୟରେ ସେ ତା’ର ପ୍ରିୟପରମ ପ୍ରଭୁଙ୍କ ସୁରକ୍ଷା ପ୍ରଥମେ ଭାବିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଲୁଣ୍ଠନ ଓ ହିନ୍ଦୁ କୀର୍ତ୍ତିରାଜୀ ନଷ୍ଟଭ୍ରଷ୍ଟ ଅଭିପ୍ରାୟରେ ମୋଗଲମାନେ ଓଡିଶାକୁ ବାରମ୍ବାର ଆକ୍ରମଣ କରିଛନ୍ତି କିନ୍ତୁ ଓଡ଼ିଆମାନେ ନିଜ ଜୀବନର କଥା ଚିନ୍ତା କରିନାହାନ୍ତି। ଓଡ଼ିଆମାନଙ୍କୁ ପ୍ରଥମେ ଚିନ୍ତା ଘାରିଥିଲା ଜଗାବଳିଆଙ୍କ ସୁରକ୍ଷା।

ଗଜପତି ପ୍ରତାପରୁଦ୍ରଦେବଙ୍କ ଅନୁପସ୍ଥିତି ଓ ଓଡ଼ିଶାରେ ପ୍ରାକୃତିକ ଦୁର୍ବିପାକ ମରୁଡ଼ିର ସୁଯୋଗ ନେଇ ହୁସେନ ଶାହ ଓଡିଶାକୁ ଦ୍ବିତୀୟଥର ଆକ୍ରମଣ କରିଥିଲା ତାର ସେନାପତି ଇସମାଇଲ ଗାଜୀ ମାଧ୍ୟମରେ। ଇସମାଇଲ ଗାଜୀ ରାଜଧାନୀ କଟକ ପର୍ଯ୍ୟନ୍ତ ଆସି ଅନେକ ହିନ୍ଦୁ ମନ୍ଦିରକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲା। ମୁଖ୍ୟ ଉଦ୍ଦେଶ୍ୟ ଥିଲା ପୁରୀ ଶ୍ରୀମନ୍ଦିର ଆକ୍ରମଣ। କିନ୍ତୁ ଇସମାଇଲ ଗାଜୀ ତା’ର ଇପ୍ସିତ ସ୍ଥାନରେ ପହଞ୍ଚିବା ପୂର୍ବରୁ ସେବାୟତମାନେ ପୁରୀର ଜନସାଧାରଣଙ୍କ ସହାୟତାରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଚିଲିକା ହ୍ରଦ ମଧ୍ୟସ୍ଥ ଚଢ଼େଇହଗା ପାହାଡର ଏକ ଗୁମ୍ଫାକୁ ସ୍ଥାନାନ୍ତରଣ କରିସାରିଥିଲେ।

ଶ୍ରୀମନ୍ଦିରରେ ପହଞ୍ଚି ଇସମାଇଲ ଗାଜୀ ପ୍ରଥମେ ରତ୍ନଭଣ୍ଡାର ଲୁଣ୍ଠନର ଅଭିପ୍ରାୟ ରଖିଥିଲେ ହେଁ ଶ୍ରୀବିଗ୍ରହମାନଙ୍କୁ ନପାଇ ସେ ପ୍ରଥମେ ନିରାଶ ହୋଇଥିଲା ଓ ତତ୍ପରେ ରହସ୍ୟମୟ ରତ୍ନଭଣ୍ଡାରର ସାମାନ୍ୟ ସୁରାକ ଵି ସେ ପାଇନଥିଲା। କ୍ରୋଧ ଜର୍ଜରିତ ହୋଇ ପୁରୀର ଜନସାଧାରଣଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିଲା ନରରକ୍ତ-ପିପାସୁ ଇସମାଇଲ, କିନ୍ତୁ ପ୍ରତାପରୁଦ୍ରଙ୍କ ପ୍ରତ୍ୟାବର୍ତ୍ତନର ଖବର ସେ ଗୁପ୍ତଚର ମାଧ୍ୟମରେ ପାଇଲା ପରେ ପୁରୀରୁ ଛତ୍ରଭଙ୍ଗ ଦେଇ ତା ସ୍ବଦେଶ ବଙ୍ଗକୁ ପଳାୟନ କଲା।


ଇସମାଇଲ ଗାଜୀ ଓଡିଶା ସୀମା ଅତିକ୍ରମ କରି ବଙ୍ଗଦେଶର ସୀମାରେ ପ୍ରବେଶ କରି ଗଙ୍ଗାନଦୀ କୂଳସ୍ଥ ମନ୍ଦାରଣ ଦୁର୍ଗରେ କିଛି ଦିନ ବିଶ୍ରାମ ନେଇ ପୁନଶ୍ଚ ଓଡିଶା ଆକ୍ରମଣ ପାଇଁ ମୋଗଲ ସୈନ୍ୟମାନଙ୍କୁ ପ୍ରସ୍ତୁତ କରୁଥିଲା। ଉକ୍ତ ସମୟରେ ପ୍ରତାପରୁଦ୍ର ଦାକ୍ଷିଣାତ୍ୟରୁ ପ୍ରତ୍ୟାବର୍ତ୍ତନ କରିସାରିଥିଲେ। ଗୁପ୍ତଚର ମାଧ୍ୟମରେ ଇସମାଇଲ ଗାଜୀର ଗୁପ୍ତ ଯୋଜନାର ଖବର ପାଇ ସମ୍ରାଟ ପ୍ରତାପରୁଦ୍ର ମନ୍ଦାରଣ ଦୁର୍ଗ ଆକ୍ରମଣ ଅଭିଯାନ ଆରମ୍ଭ କଲେ। ଏହାର ସାମାନ୍ୟ ପ୍ରାକ୍-ସୂଚନା ଵି ପାଇପାରି ନଥିଲା ଇସମାଇଲ ଗାଜୀ। ମନ୍ଦାରଣ ଦୁର୍ଗରେ ପ୍ରତାପରୁଦ୍ରଙ୍କ ଅତର୍କିତ ଆକ୍ରମଣରେ ବ୍ୟତିବ୍ୟସ୍ତ ହୋଇଉଠିଲା ବର୍ବର ବିଧର୍ମୀ ଇସମାଇଲ। ଓଡ଼ିଆ ପାଇକବୀରଙ୍କ ଅପୂର୍ବ ସମର ପରାକ୍ରମରେ ମୋଗଲ ବାହିନୀ ତିଷ୍ଠି ପାରିନଥିଲା। ସେଠାରୁ କୌଶଳ କରି  ପୁନଶ୍ଚ ଛତ୍ରଭଙ୍ଗ ଦେଲା ଇସମାଇଲ ଗାଜୀ।

ମନ୍ଦାରଣ ଦୁର୍ଗ ହେଲା ଓଡ଼ିଆ ସୈନ୍ୟଙ୍କ ହସ୍ତଗତ। ଓଡ଼ିଆ ବୀରଙ୍କ ବୀରତ୍ୱର ପ୍ରମାଣ ସ୍ୱରୂପ ଆଜି ଵି ମୁକସାକ୍ଷୀ ରୂପରେ ଦଣ୍ଡାୟମାନ ଏଇ ମନ୍ଦାରଣ ଦୁର୍ଗ । ଯଦିଓ ପିତାମହ କପିଳେନ୍ଦ୍ରଦେବ ଓ ପିତା ପୁରୁଷୋତ୍ତମଦେବଙ୍କ ଶାସନାଧୀନ ଓଡିଶା ଵା କଳିଙ୍ଗ ସାମ୍ରାଜ୍ୟ ପ୍ରତାପରୁଦ୍ରଙ୍କ ସମୟରେ ଅପେକ୍ଷାକୃତ ଛୋଟ ଥିଲା, କିନ୍ତୁ ତାଙ୍କର ରାଜତ୍ବାଧୀନ ତତ୍କାଳୀନ କଳିଙ୍ଗ (ଓଡିଶା)ର ଉତ୍ତରଦିଗରେ ଏକ ନୂତନ ସୀମା-ନିର୍ଣ୍ଣାୟନ କରୁଥିଲା ଏଇ ମନ୍ଦାରଣ ଦୁର୍ଗ । ସମ୍ରାଟ ପ୍ରତାପରୁଦ୍ରଙ୍କ ନେତୃତ୍ୱରେ ଓଡ଼ିଆ ବୀର ପାଇକଗଣଙ୍କ ବୀରତ୍ୱର ସ୍ମାରକୀ ବହନ କରୁଥିଲା ଏଇ ମନ୍ଦାରଣ ଦୁର୍ଗ।  କିନ୍ତୁ ପରିତାପର ବିଷୟ ଯେ, ମନ୍ଦାରଣ ଦୁର୍ଗ ଆଜିର ଆଧୁନି ଓଡ଼ିଶାରେ ନାହିଁ, ଅଧୁନା ଏହା ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ଅନ୍ତର୍ଗତ।

ମୋଗଲ ବାହିନୀ ମନ୍ଦାରଣ ଦୁର୍ଗରୁ ଅପସରି ଯିବା ପରେ ପ୍ରତାପରୁଦ୍ର ଆଉ ବଙ୍ଗରାଜ୍ୟ ଆଡକୁ ଅଗ୍ରସର ହେଲେ ନାହିଁ କାରଣ ଦୀର୍ଘଦିନ ଯୁଦ୍ଧ କରି ସେ କ୍ଳାନ୍ତ ହୋଇପଡିଥିଲେ। ଗଙ୍ଗାନଦୀ କୂଳରେ ଅବସ୍ଥିତ ଅପୂର୍ବ ପ୍ରାକୃତିକ ଶୋଭାରାଜୀରେ ବିମଣ୍ଡିତ ଉକ୍ତ ମନ୍ଦାରଣ ଦୁର୍ଗରେ କିଛିଦିନ ବିଶ୍ରାମ କରି ପରେ ରାଜଧାନୀ କଟକ ଫେରିବାକୁ ନିର୍ଣ୍ଣୟ ନେଇଥିଲେ ପ୍ରତାପରୁଦ୍ର।

ପ୍ରତି ଶକ୍ତିଶାଳୀ ସାମ୍ରାଜ୍ୟ ପତନର ମୁଖ୍ୟ କାରଣ ସାଜିଛନ୍ତି ଘର ଢ଼ିଙ୍କି କୁମ୍ଭୀରଗଣ। ଗଜପତି ପ୍ରତାପରୁଦ୍ରଙ୍କ ମନ୍ଦାରଣ ଦୁର୍ଗରେ ବିଶ୍ରାମ ସମୟରେ କଳିଙ୍ଗ ସେନାପତି ଗୋବିନ୍ଦ ବିଦ୍ୟାଧର ଗୁପ୍ତରେ ବଙ୍ଗର ମୋଗଲ ନବାଵ ହୁସେନ ଶାହ ସହିତ ହାତ ମିଳାଇଥିଲେ, ଫଳସ୍ୱରୂପ ପତାପରୁଦ୍ରଙ୍କ ବିଶ୍ରାମ ଅବସରରେ ହୁସେନ ଶାହ ପୁନଶ୍ଚ ଇସମାଇଲ ଗାଜୀ ମାଧ୍ୟମରେ ମନ୍ଦାରଣ ଦୁର୍ଗ ଆକ୍ରମଣ କରିବାକୁ ସାହାସ କଲା। କିନ୍ତୁ ଓଡ଼ିଆ ପାଇକ ବାହିନୀର ପ୍ରବଳ ପ୍ରତିରୋଧରେ ହୁସେନ ଶାହ କିମ୍ବା ଇସମାଇଲ ଗାଜୀ ଓଡିଶା ଭିତରକୁ ପ୍ରବେଶ କରିପାରିଲେ ନାହିଁ। ପରାକ୍ରମୀ କଳିଙ୍ଗ ପାଇକ ବାହିନୀର ପ୍ରତିଆକ୍ରମଣରେ ପୁନର୍ବାର ପରାଜୟ ଘଟିଲା ବଙ୍ଗମୋଗଲ ବାହିନୀର।

ଵଙ୍ଗମୋଗଲ ବାହିନୀ ସହିତ ପୁନର୍ବାର ଏଇ ଯୁଦ୍ଧର କାରଣ ଥିଲା ଦେଶଦ୍ରୋହୀ ଗୋବିନ୍ଦ ବିଦ୍ୟାଧର। ନିଜର ସେନାପତି ଗୋବିନ୍ଦ ବିଦ୍ୟାଧରର ବିଶ୍ୱାସଘାତକତା ଯୋଗୁଁ ଆଉ ଏକ ଅଯଥା ଯୁଦ୍ଧର ସଂଘଠିତ ହୋଇଥିଲା ତାହା ଜାଣିବା ସତ୍ତ୍ୱେ ମଧ୍ୟ ଉଦାରବାଦୀ ପ୍ରତାପରୁଦ୍ର ତା’କୁ କ୍ଷମା କରିଦେଇଥଲେ। କିନ୍ତୁ ଏହା ଏକ ଐତିହାସିକ ଭୂଲ ନିର୍ଣ୍ଣୟ ଥିଲା ପ୍ରତାପରୁଦ୍ରଙ୍କର, କାରଣ ତାଙ୍କ ରାଜୁତି କାଳରେ ଏକ ପ୍ରମୁଖ ଗୃହଶତ୍ରୁ ଥିଲା ଗୋବିନ୍ଦ ବିଦ୍ୟାଧର ଯିଏ କି ବିଶ୍ୱାସଘାତକତା କରି କଳିଙ୍ଗର ରାଜସିଂହାସନ ଅକ୍ତିଆର କରିବାକୁ ଚାହୁଁଥିଲା। ଆଉ ଏଇ ଗୋବିନ୍ଦ ବିଦ୍ୟାଧର ପରବର୍ତ୍ତୀ ସମୟରେ ସାଜିଥିଲା ଗଜପତି ସାମ୍ରାଜ୍ୟ ପତନର କାରଣ

ଇସମାଇଲ ଗାଜୀ ୧୫୦୯ ଖ୍ରୀଷ୍ଟାବ୍ଦରେ ଓଡିଶା ଆକ୍ରମଣ କରିଥିଲା। ୧୫୦୯ରୁ ୧୫୧୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିରକୁ ଫେରିପାରି ନଥିଲେ, ଶ୍ରୀମନ୍ଦିର ରତ୍ନସିଂହାସନ ଥିଲା ରିକ୍ତ। ୧୫୧୦ ଖ୍ରୀଷ୍ଟାବ୍ଦରେ ହୋଇଥିଲା ଶ୍ରୀଚୈତନ୍ୟଙ୍କ ପବିତ୍ର ଉତ୍କଳ ଆଗମନ।

Spread the love
admin

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

4 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

6 hours ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

11 hours ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago