ସୃଷ୍ଟିସମଗ୍ର

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ: ଏକ ଦୃଷ୍ଟିପାତ (ଭାଗ ୪)

ଲେଖା: ଇଂ ବିଜୟ କେତନ ସାହୁ

ଅତିବଡ଼ି ଜଗନ୍ନାଥ ଦାସ ପ୍ରାରମ୍ଭିକ ଜୀବନରେ ଥିଲେ ଜ୍ଞାନମିଶ୍ରା ଭକ୍ତିର ଉପାସକ। ଶ୍ରୀଚୈତନ୍ୟ ମହାପ୍ରଭୁ ଥିଲେ ବିଶୁଦ୍ଧ ପ୍ରେମଭକ୍ତିର ପ୍ରଚାରକ। ଶ୍ରୀଚୈତନ୍ୟଙ୍କ ପ୍ରଭାବରେ ଜଗନ୍ନାଥ ଦାସ ସ୍ଵକୀୟ ଭାଗବତରେ ଗୋପାଙ୍ଗନା ପ୍ରେମ ଵା ଗୋପୀପ୍ରେମକୁ ପ୍ରାଧାନ୍ୟ ଦେଇଛନ୍ତି। ଈଶ୍ୱରପ୍ରାପ୍ତିର ଲକ୍ଷ୍ୟ ଯଦି ଭକ୍ତି ହୁଏ, ଜ୍ଞାନ ହେଉଛି ତାହାର ଉପାୟ। ଭକ୍ତିର ଚରମ ସୋପାନରେ ପହଞ୍ଚିଲେ ଆଉ ଜ୍ଞାନର ଆବଶ୍ୟକ ନଥାଏ। ଭକ୍ତିର ଚରମ ସୋପାନରେ ଜୀବ କେବଳ କୃଷ୍ଣପ୍ରେମ ସୁଖ ସାଗରରେ ଭାସମାନ ଥାଏ।

ପ୍ରେମାଞ୍ଜନ ଛୁରିତ ନେତ୍ର ଯାହାର ସିଏ ହିଁ ସର୍ବତ୍ର କୃଷ୍ଣ ଦର୍ଶନ କରିଥାଏ। ସମଗ୍ର ସତ୍ତା ଯେତେବେଳେ କୃଷ୍ଣମୟ ହୋଇଉଠେ, ସେତେବେଳେ ନୟନରୁ ବହିଯାଏ କୃଷ୍ଣପ୍ରେମର ଅଶ୍ରୁଧାରା । ପ୍ରେମର ମୂର୍ତ୍ତ ପ୍ରତୀକ ଥିଲେ ଚୈତନ୍ୟଦେଵ। ପ୍ରେମର ଏଇ ଅଶ୍ରୁଧାରାରେ ଶ୍ରୀଚୈତନ୍ୟ କୃଷ୍ଣଭକ୍ତିର ବନ୍ୟା-ପ୍ଲାବନ ସୃଷ୍ଟି କରିଥିଲେ ସମଗ୍ର ଉତ୍କଳରେ। ଶ୍ରୀଚୈତନ୍ୟ ସ୍ୱୟଂ କୃଷ୍ଣଙ୍କ ପ୍ରେମାବତାର। କିନ୍ତୁ ରାଧାଭାବକୁ ଅଙ୍ଗୀକାର କରି କୃଷ୍ଣଙ୍କ ବିରହରେ ପ୍ରମତ୍ତ ହୋଇ ଉଠୁଥିଲେ। କ୍ରମଶଃ ତାଙ୍କୁ ଦୁର୍ବିସହ ହୋଇ ଉଠୁଥିଲା ଏ ବିରହ। କୃଷ୍ଣପ୍ରେମରେ ଶ୍ରୀଚୈତନ୍ୟ ବାହ୍ୟ ଚେତନା ଶୂନ୍ୟ ହୋଇ ପଡୁଥିଲେ। ବାରମ୍ବାର ଛୁଟି ଯାଉଥିଲେ ଶ୍ରୀମନ୍ଦିରକୁ ତାଙ୍କରି ସେହି ପ୍ରାଣପ୍ରିୟତମ କୃଷ୍ଣଙ୍କୁ ଦେଖିବା ପାଇଁ…

ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେ ସ୍ୱୟଂ ପ୍ରେମମୟ କୃଷ୍ଣ। ପଦ୍ମ ପୁରାଣ ଅନୁସାରେ ରାଧାଙ୍କ ବିରହରେ ସର୍ବୋଚ୍ଚ ପ୍ରେମର ଘନୀଭୂତ ରୂପ-ବିଗ୍ରହ ଶ୍ରୀଜଗନ୍ନାଥ। ଶ୍ରୀଚୈତନ୍ୟ ସ୍ୱୟଂ ରାଧାଭାବକୁ ଗ୍ରହଣ ପୂର୍ବକ ତାଙ୍କର ସେହି ପ୍ରାଣନାଥ କୃଷ୍ଣଙ୍କୁ ଖୋଜୁଥିଲେ ଜଗନ୍ନାଥଙ୍କ ଭିତରେ।

ଏଇ ସାଗରକୂଳିଆ ଜଗନ୍ନାଥ ଯେ ସେଇ ଯମୁନାକୂଳିଆ କୃଷ୍ଣ। ଜଗନ୍ନାଥରୂପୀ ବଂଶୀଧାରୀ ନବଘନ କୃଷ୍ଣଙ୍କୁ ବାରମ୍ବାର ଦର୍ଶନ କରି ମଧ୍ୟ ଶ୍ରୀଚୈତନ୍ୟ ତୃପ୍ତ ହେଉନଥିଲେ। ଦିବସର କେତେ ଯେ ପ୍ରହର ସେ ଅପଲକ ନେତ୍ରରେ ଚାହିଁ ରହୁଥିଲେ ସେହି ପଲକ ବିହୀନ ଚକାଡୋଳାଙ୍କୁ। ପ୍ରିୟତମଙ୍କ ପାଇଁ ଏଇ ଅତୃପ୍ତି ହିଁ ପ୍ରେମର ପ୍ରକୃତ ଲକ୍ଷଣ।


କାଳିଆର କଳା ଶ୍ରୀମୁଖ ଯେତେ ଦେଖିଲେ ଵି ମନ ପୁରେନାହିଁ। ଆଖି ଚହେଁ ଆହୁରି ଦେଖିବାକୁ, ତଥାପି ମନ ତୃପ୍ତ ହୁଏନା। ସେଦିନ ସେପରି ଏକ ଅତୃପ୍ତିର ଭାବ ନେଇ ଶ୍ରୀମନ୍ଦିରରୁ ଫେରୁଥିଲେ ଶ୍ରୀଗୌରାଙ୍ଗ (ଶ୍ରୀଚୈତନ୍ୟ)। କିନ୍ତୁ ଗଣେଶ ମନ୍ଦିର ସମ୍ମୁଖସ୍ଥ ବଟବୃକ୍ଷ ମୂଳରେ ହଠାତ୍ ଶ୍ରୁତିଗୋଚର ହେଲା ସୁମଧୁର ଓଡ଼ିଆ ଭାଷାରେ ଭାଗବତର ସୁଲଲିତ ପଦାବଳୀର କେତୋଟି ପଙ୍କ୍ତି। ଶ୍ରୀଗୌରସୁନ୍ଦର (ଶ୍ରୀଚୈତନ୍ୟ) କ୍ରମଶଃ ଅଗ୍ରସର ହେଲେ ବଟବୃକ୍ଷ ସନ୍ନିକଟକୁ । ତରୁଣ ଯୁବକାନ୍ତି ଆଭାରେ ସୁଦର୍ଶନ ଯୁବକଟିଏ ତନ୍ମୟ ହୋଇ ଗାନ କରି ଚାଲିଥା’ନ୍ତି ସ୍ୱରଚିତ ଭାଗବତ ପଦାବଳୀ। ପାର୍ଶ୍ୱରେ କିଛି ନରନାରୀ ଶ୍ରବଣ କରୁଥାଆନ୍ତି ସେଇ ଭାଗବତକୁ। ତଲ୍ଲୀନ ଚିତ୍ତରେ ଶ୍ରୀଚୈତନ୍ୟ ସେଦିନ ସେଇ ଭାଗବତ ଶୁଣି ହୋଇଥିଲେ ଆତ୍ମ ବିମୋହିତ। ଅତୃପ୍ତଚିତ୍ତ ତାଙ୍କର ତୃପ୍ତ ହେଲା ଭାଗବତର ଅପୂର୍ବ ଛନ୍ଦ ମାଧୁରୀରେ। ଭାଗବତ ପଠନାନ୍ତେ ସେଇ ଯୁବକଙ୍କ ଯେତେବେଳେ ତନ୍ମୟତା ଭଗ୍ନ ହୁଏ, ଦିବ୍ୟ ଉଲ୍ଲାସରେ ଶ୍ରୀଚୈତନ୍ୟ ତାଙ୍କୁ “ସଖା” ସମ୍ବୋଧନ ପୂର୍ବକ ଗଭୀର ପ୍ରଣୋଚ୍ଛ୍ୱାସରେ ଆଲିଙ୍ଗନ କରନ୍ତି। କେତୋଟି ଯୁଗ ପରେ  ସତେ ଯେମିତି ପୁନଃ ମିଳନ ହୁଏ ଭକ୍ତ ଆଉ ଭଗବାନଙ୍କର, ସେବ୍ୟ ଆଉ ସେବକଙ୍କର। ଉଭୟଙ୍କ ନୟନରୁ ବହି ଯାଉଥାଏ ଭାଗବତ ପ୍ରେମର ଲୋତକଧାରା। ପ୍ରଭୁପଦରେ ବରଣ କଲେ ଶ୍ରୀଚୈତନ୍ୟଙ୍କୁ ସେଇ ଯୁବକ ଜଣକ। ସେଇ ଯୁବକ ଜଣକ ଆଉ କେହି ନଥିଲେ, ସେହିଁ ଥିଲେ ଅଷ୍ଟାଦଶ ବୟସରେ ଉପନୀତ ତରୁଣର ତାରୁଣ୍ୟତାରେ ଦୀପ୍ତିମାନ ଓଡ଼ିଆ ଜାତିର ଚୀରନମସ୍ୟ, ପ୍ରାତଃ ସ୍ମରଣୀୟ ଜଗନ୍ନାଥ ଦାସ। ଶ୍ରୀମନ୍ ମହାପ୍ରଭୁ (ଶ୍ରୀଚୈତନ୍ୟ)ଙ୍କ ଶ୍ରୀକ୍ଷେତ୍ର ଅବସ୍ଥାନ ଯାବତ ସେ ଥିଲେ ତାଙ୍କର ନିତ୍ୟସଖା।ଜଗନ୍ନାଥ ଦାସ ଭାଗବତର ଦଶମସ୍କନ୍ଦ ରଚନା କାଳରେ ଶ୍ରୀଚୈତନ୍ୟଙ୍କ ସହିତ ସାକ୍ଷାତ ହୋଇଥିଲା। ଜ୍ଞାନମିଶ୍ରିତ ଭକ୍ତି ସହିତ ପ୍ରେମଭକ୍ତିର ମିଶ୍ରଣ ହୋଇଥିଲା ଉତ୍କଳୀୟ ବୈଷ୍ଣଵ ଦର୍ଶନରେ। ଶ୍ରୀଚୈତନ୍ୟଙ୍କ ପ୍ରଭାବରେ ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ମିଶ୍ରିତ ରୂପଧାରଣ କରିଥିଲା ସତ, କିନ୍ତୁ ଦଶମ ଓ ଏକାଦଶ ସ୍କନ୍ଦରେ ପ୍ରେମଭକ୍ତିର ଯେଉଁ ଚରମ ନିଦର୍ଶନ ରହିଛି ତାହା ଥିଲା ପରମ ମାଧୁର୍ଯ୍ୟ ମଣ୍ଡିତ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago