ସୃଷ୍ଟିସମଗ୍ର

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ: ଏକ ଦୃଷ୍ଟିପାତ (ଭାଗ ୩)

ଲେଖା: ଇଂ ବିଜୟ କେତନ ସାହୁ

ଓଡିଶୀ ବୈଷ୍ଣଵର କେନ୍ଦ୍ରବିନ୍ଦୁ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ଆଉ ଉତ୍କଳୀୟ ବୈଷ୍ଣଵ ଚେତନାର ବାର୍ତ୍ତାବହ ଅତିବଡ଼ି ଜଗନ୍ନାଥ ଦାସ। ଜଣେ ଭଗବାନ ଆଉ ଜଣେ ଭକ୍ତ। ଓଡ଼ିଆଜାତି ମହାପ୍ରଭୁ ଜଗନ୍ନାଥଙ୍କ ଭିତରେ ଦେଖିଛି ନିରାକାର ବ୍ରହ୍ମଙ୍କୁ, ପୁଣି କେତେବେଳେ ସେ ତାଙ୍କୁ ଦେଖିଛି ସାକାର ପୁରୁଷୋତ୍ତମ, ଗୋପୀଜନ ବଲ୍ଲଭ, ଯଶୋଦା-ନନ୍ଦନ ବେଣୁଧର କୃଷ୍ଣ ରୂପରେ। ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଭାଗବତର ମହାନାୟକ ହେଉଛନ୍ତି ସେହି ସାକାର ପରଂବ୍ରହ୍ମ ପରମପୁରୁଷ ଅନିନ୍ଦ୍ୟ ସୁନ୍ଦର ଶ୍ୟାମଘନ କୃଷ୍ଣ। “ଜୀବ ସେହି ପରଂବ୍ରହ୍ମ କୃଷ୍ଣଙ୍କ ନିତ୍ୟ ଦାସ”, ଭାଗବତର ପ୍ରତିଟି ପଦାବଳୀରେ ଏହି ଭାବ ପରିସ୍ଫୁଟିତ।

ନବାକ୍ଷରୀ ଛନ୍ଦରେ ଲିପିବଦ୍ଧିତ ଏହି ଭାଗବତ ମହାଗ୍ରନ୍ଥ। ଏହି ଗ୍ରନ୍ଥର ଭାଷା ସରଳ, ଶୁଦ୍ଧ, ପରିମାର୍ଜିତ ଅଥଚ ସୁଗଭୀର ଜୀବନଦର୍ଶନ ଓ ଆଧ୍ୟାତ୍ମିକ ତତ୍ତ୍ୱପୂର୍ଣ୍ଣ ପଦାବଳୀରେ ସୁଗଠିତ। ଭାଗବତର ପ୍ରଥମ ପଦାବଳୀ କବି ଜଗନ୍ନାଥ ଦାସ ପ୍ରଭୁ ଶ୍ରୀନୃସିଂହଙ୍କ ବନ୍ଦନାରୁ ଆରମ୍ଭ କରିଛନ୍ତି।

“ନମଇଁ ନୃସିଂହ ଚରଣ
ଅନାଦି ପରମ କାରଣ
ଯା’ ବିନୁ ଆଦି ମଧ୍ୟ ଅନ୍ତ
ବିଚାରେ ନଘଟେ ଜଗତ….”

ପ୍ରଭୁ ଶ୍ରୀ ଶ୍ରୀ ନୀଳମାଧଵ ଜଗନ୍ନାଥ ରୂପକୁ ବିବର୍ତ୍ତିତ ହେବା ପୂର୍ବରୁ “ଯଜ୍ଞନୃସିଂହ” ରୂପରେ ନୀଳାଚଳରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ। ମହାପ୍ରଭୁ ନୃସିଂହ ହିଁ ନୀଳାଚଳର ଆଦିଦେବତା। ପୁରୀରେ ପବିତ୍ର ଗୁଣ୍ଡିଚା ମନ୍ଦିରର ପଶ୍ଚାଦ ପାର୍ଶ୍ୱରେ ଅନତି ଦୂରରେ ଅବସ୍ଥିତ ନୃସିଂହ ମନ୍ଦିର ହିଁ ସେହି ଆଦି ଯଜ୍ଞନୃସିଂହଙ୍କ ଆବିର୍ଭାବ ସ୍ଥଳ। ନୀଳାଚଳ ଧାମରେ ଏହି ପରମପବିତ୍ର ଭାଗବତ ରଚନା ପ୍ରାରମ୍ଭରେ କ୍ଷେତ୍ରର ଆଦିଦେବତା ନୃସିଂହଙ୍କ ଆଶୀଷ ପ୍ରାର୍ଥନା କରିଛନ୍ତି ରଚୟିତା ଜଗନ୍ନାଥ ଦାସ। 

କୃଷ୍ଣପ୍ରେମରେ ପୂର୍ଣ୍ଣପ୍ଲାବିତ ଓଡ଼ିଆ ଜାତିର ଏହି ମହାନ ଗ୍ରନ୍ଥ ଭାଗବତ ଏକ ମହାପୁରାଣର ଆଖ୍ୟା ପାଇବାକୁ ସମ୍ପୂର୍ଣ୍ଣ ଯୋଗ୍ୟ, ଏହା ହିଁ ସମସ୍ତ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଗବେଷକଙ୍କ ମତ। ମୂଳ ସଂସ୍କୃତ ଭାଗବତର ଏହା ଆକ୍ଷରିକ ଅନୁବାଦ ନୁହେଁ ବରଂ ଭାବାନୁବାଦ। କବି ମୂଳ ସଂସ୍କୃତ ଭାଗବତ ସହିତ ଵିଷ୍ଣୁ ପୁରାଣ, ବ୍ରହ୍ମ ଵୈବର୍ତ୍ତ ପୁରାଣ ଆଦିରୁ ତତ୍ୱ ସମ୍ବଳିତ ଗଳ୍ପ ଓ ଭବାର୍ଥ ସଂଗ୍ରହ କରି ସ୍ଵକୀୟ ରଚନାରେ ସ୍ଥାନ ଦେଇଥିବାରୁ ଏହା ଆହୁରି ରସାଳ ତଥା ଭାବ ବ୍ୟଞ୍ଜକ ହୋଇ ପାରିଛି। କେବଳ ସେତିକି ନୁହେଁ, ନିଜସ୍ୱ ସମ୍ମୋହନକାରୀ ବଳିଷ୍ଠ ରଚନାକୁ ସେ ପ୍ରମାଣ କରିଛନ୍ତି ପାଠକ ଓ ଶ୍ରୋତାଙ୍କ ହୃଦୟରେ ବିମଳ କୃଷ୍ଣପ୍ରେମର ନିର୍ଝରଣୀ ସୃଷ୍ଟି କରି।

ପୁନଶ୍ଚ, ସେ ନିଜସ୍ୱ ଅପୂର୍ବ ଦାର୍ଶନିକ ଭାବଧାରାରେ  କୃଷ୍ଣବିଜ୍ଞାନର ଚିନ୍ତନ ସୃଷ୍ଟି କରିଛନ୍ତି ବିଜ୍ଞ ପାଠକ ଓ ଶ୍ରୋତାଙ୍କ ମନ-ମସ୍ତିସ୍କରେ। ଭକ୍ତିମୟ ସୁନ୍ଦର କାନ୍ତକୋମଳ ପଦାବଳୀ ମାଧ୍ୟମରେ ସଂସ୍କୃତ ମୂଳ ଶ୍ଳୋକର ଓଡ଼ିଆ ଭାବାନୁବାଦ ଅତୀବ ମଧୂମୟ ଓ ଚମତ୍କାର। ଉଦାହରଣ ସ୍ୱରୂପ ନିମ୍ନୋକ୍ତ ଭାବାନୁବାଦକୁ ନିଆଯାଇପାରେ।

ମୂଳ ସଂସ୍କୃତ ଭାଗବତର ପ୍ରଥମ ଅଧ୍ୟାୟର ତୃତୀୟ ଶ୍ଳୋକ:-

“ନିଗମ କଳ୍ପତରୋର୍ଗଳିତଂ
ଫଳଂ ଶୁକମୁଖାଦମୃତଂ ଦ୍ରଵସଂଯୁତଂ
ପିବତ ଭାଗବତଂ ରସମାଳୟଂ
ମୁହୁରହୋ ରସିକାଃ ଭୁବି ଭବୁକାଃ”

ଓଡ଼ିଆ ଭାଗବତରେ ଅତିବଡ଼ିଙ୍କ ଭାବାନୁବାଦ:
“ସକଳ ବେଦ ହୋଇ ବୃକ୍ଷେ ।
ଫଳ ଫଳିଲେ ଅନ୍ତରିକ୍ଷେ ।।
କେତେହେଁ ଦିନେ ପାଚି ତଳେ ।
ବୃକ୍ଷୁ ପଡିଲେ ବାୟୁବଳେ ।।
ଶୁକ ଧାଇଁଲେ ଏହା ଦେଖି ।
ପକ୍ଷୀଙ୍କ ସଙ୍ଗତ ଉପେକ୍ଷି ।।
ତୋଷ ଅଧରେ କ୍ଷତ କଲା ।
ଭିତରେ ସୁରଙ୍ଗ ଦିଶିଲା ।।
ତହୁଁ ଗଳିଲା ରସସାର ।
କି’ ଦେବା ତା’ର ପଟାନ୍ତର ।।
ଅମୃତ ନିନ୍ଦେ ସ୍ଵାଦୁ ପଣେ ।
ସୁଜନେ ପିଵ ଅନୁକ୍ଷଣେ ।।
ଆନନ୍ଦେ କର ସୁଧାପାନ ।
ଯେଣେ ପାଇବ ଦିବ୍ୟଜ୍ଞାନ ।।
ଏ ରସ ଚାରି ବେଦ ମୂଳ।
ନିଗମ ବୃକ୍ଷର ଏ ଫଳ ।।
ପିଵ ଜୀବନ ଅନ୍ତ ଯାଏଁ ।
ଯେବେ ବଞ୍ଚିବ ମାୟାମୋହେ ।।

ଚମତ୍କାର ଏହି ଭାବାନୁବାଦିତ ପଦାବଳୀ। ଏହିପରି ସମ୍ପୂର୍ଣ୍ଣ ଭାଗବତରରେ ଅପୂର୍ବ ଛନ୍ଦମାଧୁରୀ ସହିତ କବିଙ୍କ ବଳିଷ୍ଠ ରଚନାର ମୌଳିକତା ପରିଦୃଷ୍ଠ ହୁଏ 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago