ଲେଖା: ଦେଵ ତ୍ରିପାଠୀ

ଯେଉଁ ପବିତ୍ର ମାଟିରେ ଜନମି ଲୀଳାଖେଳା କରିବା ପାଇଁ ଭଗବାନ ମଧ୍ୟ ସୈାଭାଗ୍ୟ ମଣନ୍ତି ସେଇ ପବିତ୍ର ମାଟିକୁ ପୂଜା ଆରାଧନା କରି ଓଡ଼ିଆ ଚଷାପୁଅ ପ୍ରସ୍ତୁତ ହୁଏ ଚାଷକାମ ପାଇଁ । ସେଇ ସ୍ବର୍ଗାଦପି ଗରୀୟସୀ ମାଟି ମା’ ଆମକୁ ଯୋଗାଇଥାଏ ଖାଦ୍ୟ, ବାସ ଓ ବସ୍ତ୍ର । ଜନନୀସ୍ବରୂପା ମା’ର ପୂଜାର୍ଚ୍ଚନାକୁ ପରମ କର୍ତ୍ତବ୍ୟ ବୋଲି ଭାବେ ଓଡ଼ିଆପୁଅ । ସେଇ ମହାଚିନ୍ତନର ଅଂଶ ଅକ୍ଷୟ ତୃତୀୟା ।

ଆମର ଏ କୃଷିପ୍ରଧାନ ରାଜ୍ୟର ଏକ ବିଶିଷ୍ଟ ପର୍ବ ଏଇ ଅକ୍ଷୟ ତୃତୀୟା । ବୈଶାଖର ଶୁକ୍ଳପକ୍ଷ ତୃତୀୟା ତିଥିରେ ପାଳନ ହୋଇ ଆସୁଛି ଏଇ ମହାନ ପର୍ବ, କାଇଁ କେତେ ଦିନରୁ । ଏଇ ପବିତ୍ର ଦିନରେ ଚଷାପୁଅ ମହାନନ୍ଦରେ ଏକ ନୂତନ ଟୋକେଇରେ ପିଠାପଣା ସହ ବିହନ ଧାନକୁ ଧରି ଲଙ୍ଗଳ ସହ କ୍ଷେତକୁ ଯାଏ । କିଆରିରେ ଭକ୍ତିଭରେ ପୂଜା କରେ ମା’ ଅନ୍ନପୂର୍ଣ୍ଣାଙ୍କୁ, ଆଉ ବିହନବୁଣା ଆରମ୍ଭ କରେ । ସେଇ ବିହନରୁ ସୁନାର ଫସଲର ଆଶାରଖି ଆଶୀର୍ବାଦ ଲୋଡ଼େ ମା’ ଲକ୍ଷ୍ମୀଙ୍କର । ତା’ର ସୁନାର ଫସଲ ଯେ ଅକ୍ଷୟ ରହୁ, ଏତିକି ହିଁ ତା’ ଅନ୍ତରର ଆକୁଳ ନିବେଦନ ।


ଏଇ ପବିତ୍ର ଦିନରେ ଅକ୍ଷିମୁଠି ବୁଣି ଭୂମିକର୍ଷଣର ଶୁଭାରମ୍ଭ କରେ ଚଷାପୁଅ । ବୈଶାଖ ମାସରେ ଜମି ହଳ କରିବା କାରଣରୁ ମାଟି ହାଲୁକା ହୁଏ ଓ ଭଲ ଫସଲ ଦିଏ । ବର୍ଷା ଆରମ୍ଭ ପୂର୍ବରୁ ଖରୁଡି ବୁଣାରେ ଜମି ଶେଷ ନ ହେଲେ ବତୁରୀ ବୁଣାଯାଏ । କିନ୍ତୁ ବତୁରୀ ବୁଣାରେ ବଳଦକୁ କଷ୍ଟ ହୁଏ, ଧାନବିହନ ପୋତି ହୋଇଯାଏ, ପରେ ମାଟି ଟାଣ ହୋଇଯିବାରୁ ଗଜାଧରି ଉପରକୁ ବାହାରି ଆସିବାରେ ଅସୁବିଧା ଦେଖାଦିଏ । ସେଥିପାଇଁ ପରା କଥାରେ ଅଛି:

“ଜ୍ୟେଷ୍ଠାଳି ବୁଣା ବୁଣନ୍ତି ଖରୁଡି,
ସେଥିରୁ ବଳିଲେ ଚଷାଯାଏ ହୁଡ଼ି ।”

ଆଉରି ମଧ୍ୟ କଥା ଅଛି:
“ଜ୍ୟେଷ୍ଠ ଶେଷେ ବର୍ଷିଲେ ବାରି,
ସେ ବର୍ଷ ଧରା ଶସ୍ୟରେ ପୂରି ।”

ଏହିସବୁ କାରଣରୁ ବୈଶାଖ ଶୁକ୍ଳ ତୃତୀୟାରେ ପ୍ରଥମ ବୀଜବପନ କରି ଜ୍ୟେଷ୍ଠ ମାସ ଅମାବାସ୍ୟା ମଧ୍ୟରେ ବୁଣାକାମ ଶେଷ କରିଦେବା ପାଇଁ ଆର୍ଯ୍ୟମାନେ ଯେଉଁ ବିଧିବ୍ୟବସ୍ଥା କରିଯାଇଛନ୍ତି, ତାହା ଏବେ ମଧ୍ୟ ଉପଯୁକ୍ତ ଓ ଉପାଦେୟ ହୋଇ ରହିଛି ଆମ ଚାଷ ଓ ଚଷାକୂଳ ପାଇଁ ।

ଏଇ ପବିତ୍ର ଦିନଟିର ମାହାତ୍ମ୍ୟ ପ୍ରଣିଧାନଯୋଗ୍ୟ । ଏଇଦିନ ଜଗତର ନାଥ ଜଗନ୍ନାଥଙ୍କର ରଥଗଢା କାର୍ଯ୍ୟର ଶୁଭାରମ୍ଭ ହୁଏ । ମନ୍ଦିର ନିର୍ମାଣ, ଗୃହନିର୍ମାଣ, କୂପଖନନ ପାଇଁ ଶୁଭ ଦିଆଯାଏ, ଗୃହ ପ୍ରବେଶ ମଧ୍ୟ କରାଯାଏ । ବିବାହ ନିର୍ବନ୍ଧ, ବ୍ୟବସାୟ ଆରମ୍ଭ, ଦୂରଦେଶଯାତ୍ରା, ବିଦ୍ୟାରମ୍ଭ ଇତ୍ୟାଦି ଅନେକ କାର୍ଯ୍ୟ ଏଇ ଦିନରେ କରାଯାଏ । ଏ ତିଥିରେ ଧରାବତରଣ କରିଥିଲେ ଭଗବାନ ମହାବୀର ପର୍ଶୁରାମ । ଏଇ ଅକ୍ଷୟ ତୃତୀୟା ତିଥିରେ ଜନ୍ମିଥିଲେ ସୁଧାଭକ୍ତିର ଅନନ୍ୟ ଉଦ୍ଗାତା ତଥା ଗୀତଗୋବିନ୍ଦର କବି ଜୟଦେବ

ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଏଇ ପର୍ବଟିର ଭୂମିକା ସ୍ବୀକାର୍ଯ୍ୟ । ବୈଶାଖ ମାସର ପ୍ରଚଣ୍ଡ ଖରାରେ ବୃକ୍ଷଲତା ପ୍ରାଣୀଜଗତ ଡହଳବିକଳ ହେଉଥିବା ବେଳେ ଅକ୍ଷୟ ତୃତୀୟା ଜଳଦାନ ପରି ମହତକର୍ମ କରି ଧର୍ମ ଅର୍ଜିବାକୁ ପ୍ରେରଣା ଦିଏ ।

ସମୟ ବଦଳିଛି । ଏବେ କିନ୍ତୁ ବିବର୍ତ୍ତିତ ବସ୍ତୁବାଦୀ ଦୁନିଆରେ ମଣିଷ ମନରୁ ଉଭେଇ ଯାଇଛି ଧର୍ମଭାବ । ଆଜିର ମଣିଷ ପାଇଁ ପୁଣ୍ୟଧର୍ମ ଅପ୍ରାସଙ୍ଗିକ ହୋଇପଡିଥିବା ବେଳେ ଅକ୍ଷୟ ତୃତୀୟା ପରି ମହାନ ପର୍ବ ତା’ର ମହତ୍ତ୍ଵ ହରାଇବସିଛି । ବେଦବେଦାନ୍ତ, ଶାସ୍ତ୍ରପୁରାଣରେ ବର୍ଣ୍ଣିତ ତଥା ପ୍ରଚଳିତ ପର୍ବପର୍ବାଣୀଗୁଡ଼ିକ ଯେ ଆମ ସାମାଜିକ ଜୀବନକୁ ଯେ ସୁନିୟନ୍ତ୍ରିତ କରି ରଖିଥିଲା, ସେକଥା ବର୍ତ୍ତମାନର ସମାଜ ହୃଦୟଙ୍ଗମ କରିପାରୁନି । ଏମିତି ବି ଗତ କେଇ ଦଶନ୍ଧି ଭିତରେ ଓଡ଼ିଆ ଚଷାପୁଅ ଯେ ଭିଟାମାଟି ଛାଡ଼ି ଚେନ୍ନାଇ କି ସୁରତରେ ଜୀବନକୁ ବନ୍ଧାପକାଇ ଚାଲିଛି, ସେବେଳରେ ମାଟି ମା’କୁ ପୂଜା କରିବାର ଏଇ ମହାର୍ଘ ପରମ୍ପରା ତା’ ପାଇଁ ମୂଲ୍ୟହୀନ ହୋଇପଡ଼ିଛି ।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago