ହିନ୍ଦୁ ଧର୍ମରେ ଅନେକ ପର୍ବପର୍ବାଣି ପାଳନ କରାଯାଏ। କଥାରେ ଅଛି ୧୨ ମାସରେ ୧୩ ପର୍ବ। ଦୀପାବଳି ପରେ ବର୍ତ୍ତମାନ ଛଠ ପୂଜା ପାଳନ କରାଯାଉଛି। ଛଠ ପୂଜା ପରେ ଅଁଳା ନବମୀ ପାଳନ କରାଯିବ। ଅଁଳା ନବମୀ ପରେ କାର୍ତ୍ତିକ ପୂର୍ଣ୍ଣମୀ ପାଳନ କରାଯିବ। ହିନ୍ଦୁ ଧର୍ମରେ ଅଁଳା ନବମୀର ଅନେକ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଅଁଳା ନବମୀ ପାଳନ କରାଯାଏ। ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ। ଅଁଳା ନବମୀ ସହ ଜଡିତ କିଛି ଖାସ କଥା . .
ଅଁଳା ନବମୀ ଦିନ ସର୍ବ ପ୍ରଥମେ ମା’ ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥାଏ। ଏହା ପଛରେ ଏକ କାରଣ ରହିଛି। ଏକ କଥା ଅନୁସାରେ, ଥରେ ମା’ ଲକ୍ଷ୍ମୀ ପୃଥିବୀଲୋକକୁ ଭ୍ରମଣ କରିବାକୁ ଆସିଥିଲେ। ପୃଥିବୀକୁ ଆସିବା ପରେ ଭଗବାନ ବିଷ୍ଣୁ ଓ ଭଗବାନ ଶିବଙ୍କ ପୂଜା ଏକାସଙ୍ଗେ କରିବାକୁ ତାଙ୍କୁ ଇଚ୍ଛା ହେଲା। ସେତେବେଳେ ସେ ମନେପକାଇଲେ ଯେ ତୁଳସୀ ନାରାୟଣଙ୍କ ପ୍ରିୟ କିନ୍ତୁ ଶିବଙ୍କର ନୁହେଁ। ଶିବଙ୍କ ପୂଜାରେ ତୁଳସୀ ଲାଗେନି। କିନ୍ତୁ ଶିବଙ୍କ ସ୍ୱରୂପ ବେଲର ଗୁଣ ଅଁଳା ବୃକ୍ଷରେ ରହିଛି। ସେଥିପାଇଁ ଅଁଳା ଗଛରେ ଉଭୟ ତୁଳସୀ ଓ ବେଲର ଅଂଶ ରହିଛି। ସେତେବେଳେ ମା’ ଲକ୍ଷ୍ମୀ ଅଁଳାକୁ ହିଁ ଶିବ ଓ ବିଷ୍ଣୁଙ୍କ ସ୍ୱରୂପ ଭାବି ପୂଜା କଲେ। ମା’ଙ୍କ ପୂଜା ପରେ ଭଗବାନ ଶିବ ଓ ଭଗବାନ ବିଷ୍ଣୁ ପ୍ରକଟ ହେଲେ। ଏହାପରେ ମା’ଲକ୍ଷ୍ମୀ ଅଁଳା ଗଛ ମୂଳରେ ଭୋଜନ ପ୍ରସ୍ତୁତ କଲେ ଓ ଶିବ ଓ ବିଷ୍ଣୁଙ୍କୁ ଭୋଜନ କରାଇଲେ। ସେହିଦିନ ଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷରେ ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କରାଯାଇଥାଏ ଏବଂ ଅଁଳା ଗଛ ମୂଳରେ ରୋଷେଇ ମଧ୍ୟ ହୋଇଥାଏ। ସେହିଦିନ ଠାରୁ ଏହି ପ୍ରଥା ଚାଲିଆସିଛି ।
(Image: Sanjib Sahoo Bicky)
~ ଅଁଳା ନବମୀ ପୂଜା ବିଧି ~
ଅଁଳା ନବମୀ ଦିନ ସର୍ବ ପ୍ରଥମେ ଭୋରରୁ ଉଠି ସ୍ନାନ ଆଦି କରାଯାଏ, କୌଣସି ପବିତ୍ର ନଦୀରେ ଗାଧୋଇଲେ ଶୁଭ ବୋଲି କୁହାଯାଏ;
ଏହାପରେ ଅଁଳା ଗଛ ମୂଳରେ କ୍ଷୀର, ଅକ୍ଷତ, ଧୂପ-ପୁଷ୍ପ ଆଦି ଅର୍ପଣ କରାଯାଏ;
ଏହାପରେ ବିଧି ପୂର୍ବକ ଅଁଳା ଗଛକୁ ପୂଜା କରାଯାଏ;
ପୂଜା ପରେ ଗଛର ୭ଥର ପରିକ୍ରମା କରିବା ଉଚିତ;
ପରିକ୍ରମା ପରେ ଦୀପ ଜାଳି ଅଁଳା ନବମୀ କଥା ଶୁଣିବା ଉଚିତ ।
ଅଁଳା ଫଳ ଖାଇଲେ ମଧ୍ୟ ମିଳିଥାଏ ଭଗବାନଙ୍କ ଆଶୀର୍ବାଦ । ପୁରାଣ କଥା ଅନୁସାରେ ଅଁଳା ଫଳ ଖାଇଲେ ମଧ୍ୟ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ। ଅଁଳାର ଅନେକ ଗୁଣ ରହିଛି। ଏହାର ଅନେକ ସ୍ୱାସ୍ଥ୍ୟଗତ ଲାଭ ରହିଛି। ଅଁଳା ରସ ସେବନ ସ୍ୱାସ୍ଥ୍ୟ ପାଇଁ ହିତକର। ଅଁଳା ରସ ସେବନ କଲେ ଧର୍ମ ସ୍ଥାପନା ହୋଇଥାଏ ବୋଲି ପୁରାଣରେ କୁହାଯାଇଛି। ଅଁଳା ଜଳରେ ସ୍ନାନ କଲେ ଗରିବୀ ଦୂର ହୋଇଥାଏ ଏବଂ ସୁଖ ପ୍ରାପ୍ତ ହୋଇଥାଏ। ହିନ୍ଦୁ ଧର୍ମ ଶାସ୍ତ୍ରରେ ଆଉ ଏକ ବିଶ୍ୱାସ ରହିଛି ଯେ ଯେଉଁଠାରେ ଅଁଳା ଗଛ ଥାଏ ସେଠାରେ ଭଗବାନ ବିଷ୍ଣୁ ବାସ କରନ୍ତି। ଅଁଳା ନବମୀର ଏକ ଗୁରୁତ୍ତ୍ୱପୂର୍ଣ କଥା ହେଲା, ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କରାଯାଇଥାଏ, ସେଥିପାଇଁ ଏହି ଦିନ ଅଁଳା ସେବନ କରିବା ଉଚିତ ନୁହେଁ।
ଉତ୍ତର ଭାରତୀୟ ରୀତିନୀତିରେ ସାକ୍ଷୀଗୋପାଳ ମନ୍ଦିରରେ ପୂଜା ବିଧି ରହିଛି। ଏଠାରେ ଠାକୁରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାନ୍ତି। ତେଣୁ ବର୍ଷସାରା ଠାକୁରାଣୀଙ୍କ ପାଦ ଆବୃତ୍ତ ହୋଇ ରହିଥାଏ। ଅଁଳା ନବମୀ ଦିନ ଠାକୁରାଣୀ ଓଡ଼ିଆଣୀ ବେଶ ହୁଅନ୍ତି। ଏହି ଅବସରରେ ପାଦ ଦର୍ଶନ ଲାଗି ଭକ୍ତଙ୍କୁ ସୁଯୋଗ ମିଳିଥାଏ।
~ କିମ୍ବଦନ୍ତୀ ~
ରାଜା ଉନମାଧବ ଯମୁନା ନଦୀକୂଳରୁ ଆଣିଥିବା ଶ୍ରୀକୃଷ୍ଣଙ୍କ ମଣିବିଗ୍ରହ ସାକ୍ଷାତ ମୂର୍ତ୍ତି ଭାବେ ବୃନ୍ଦାବନରେ ଅଧିଷ୍ଠିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଏହି ମଣିବିଗ୍ରହ ବୃନ୍ଦାବନରୁ କାଞ୍ଚିର ଜଣେ ଶ୍ରୀବତ୍ସ ବ୍ରାହ୍ମଣ ପାଇଁ ସାକ୍ଷୀ ଦେବା ପାଇଁ ଆସି କାଞ୍ଚିରେ ରହି ଆଉ ବୃନ୍ଦାବନ ଫେରିଲେ ନାହିଁ ଓ ସାକ୍ଷୀଗୋପାଳ ନାମରେ ପୂଜା ପାଇଲେ । ପରେ ଓଡ଼ିଶାର ରାଜା ପୁରୁଷୋତ୍ତମଦେବ କାଞ୍ଚି ବିଜୟ କରି ପ୍ରଭୁ ଶ୍ରୀସାକ୍ଷୀଗୋପାଳଙ୍କୁ ପୁରୀକୁ ସଙ୍ଗରେ ନେଇଆସିଲେ । ପୁରୀରୁ ବାରବାଟୀ ଦୁର୍ଗ, ବାରବାଟି ଦୁର୍ଗରୁ ଖୋର୍ଦ୍ଧାସ୍ଥ ରଥିପୁର ଓ ପରେ କନ୍ତଳବାଇକୁ ପ୍ରଭୁଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ଶେଷରେ ପ୍ରଭୁଙ୍କ ମଣିବିଗ୍ରହ ପୁରୀ ଶ୍ରୀମନ୍ଦିରର ଭୋଗମଣ୍ଡପ ନିକଟରେ ସ୍ଥାପିତ ହେଲା । ସାକ୍ଷୀଗୋପାଳ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠିତ ହେବାର ଅଳ୍ପଦିନ ପରେ ରାଜା ରାମଚନ୍ଦ୍ର ଦେବଙ୍କୁ ଶ୍ରୀଜଗନ୍ନାଥଙ୍କ ସ୍ୱପ୍ନାଦେଷ ହେଲା – ସାକ୍ଷୀଗୋପାଳ ଭୋଗବୁହା ବାଟ ପାଖରେ ବସି ଆମର ପିଠା ଆଦି ସମସ୍ତ ମିଷ୍ଟାନ୍ନ ପଦାର୍ଥଗୁଡ଼ିକୁ ଆଗରୁ ଉଚ୍ଛିଷ୍ଟ (ଅଇଁଠା) କରି ଦେଉଛି, ଆମେ ଉପବାସ ରହୁଛି । ରାଜାଙ୍କ ନିଦ ତତକ୍ଷଣାତ ଭାଙ୍ଗିଗଲା, ରାଜା ଭାରି ବ୍ୟସ୍ତ ହୋଇପଡ଼ିଲେ । ରାଜା ଏହିପରି ଅଶ୍ୱସ୍ତିକର ଅବସ୍ଥାରେ ଥିବା ସମୟରେ ବାବା ବ୍ରହ୍ମଚାରୀ ନାମକ ଜଣେ ସନ୍ନ୍ୟାସୀ ରାଜାଙ୍କ ପାଖକୁ ଯାଇ କହିଲେ ହେ ରାଜନ… ପୁରୀଠାରୁ ୧୫ମାଇଲ ଦୂର ବ୍ରାହ୍ମଣ ଶାସନର କେନ୍ଦ୍ରସ୍ଥଳ ପୁଣ୍ୟତୋୟା ରତ୍ନଚିରା ନଦୀ ତୀରବର୍ତ୍ତୀ ଛୁରିଅନା, ବକୁଳ, ତମାଳ, କେତକୀ ଓ ନାରିକେଳ ବୃକ୍ଷ ପରିପୂର୍ଣ୍ଣ ପ୍ରାକୃତିକ ବନରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ସ୍ଥାପନ କର । ଏହି ଧାମ ଠିକ ବୃନ୍ଦାବନ ଧାମ ପରି
ରାଜା ଶ୍ରୀରାମଚନ୍ଦ୍ର ଦେବ ବାବା ବ୍ରହ୍ମଚାରୀଙ୍କ ପରାମର୍ଶକୁ ସାକ୍ଷୀଗୋପାଳଙ୍କ ଇଚ୍ଛା ଭାବି ଏହି ପ୍ରାକୃତିକ ବନରେ ପ୍ରଥମେ ସିଦ୍ଧବଳରାମଙ୍କ ନିକଟରେ ଏକ ମନ୍ଦିର ପ୍ରତିଷ୍ଠା କରାଇ ଶ୍ରୀସାକ୍ଷୀଗୋପାଳଙ୍କୁ ସ୍ଥାପନ କରାଇଲେ । ପରବର୍ତ୍ତୀ କାଳରେ ବର୍ତ୍ତମାନର ମନ୍ଦିର ନିର୍ମାଣ କରାଯାଇଅଛି । ଶ୍ରୀକୃଷ୍ଣ ସାକ୍ଷୀଗୋପାଳ ରୂପେ ରହିଲେ ସାକ୍ଷୀଗୋପାଳରେ, ଶ୍ରୀରାଧା ରହିଲେ ବୃନ୍ଦାବନରେ । ପରସ୍ପର ସହିତ ମିଳନ ନ ହେବାରୁ ଉଭୟେ ଭାରି ଅଶ୍ୱସ୍ତି ଅନୁଭବ କଲେ । ସମୟକ୍ରମେ ପ୍ରିୟା ଶ୍ରୀରାଧା ସେବକସାହି ସ୍ଥିତ ଶ୍ରୀସାକ୍ଷୀଗୋପାଳଙ୍କ ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରଙ୍କ ଘରେ ମାନବୀ ପ୍ରିୟା ଲକ୍ଷ୍ମୀ ରୂପରେ ଜନ୍ମଲାଭ କଲେ । ପ୍ରଭୁ ସାକ୍ଷୀଗୋପାଳ ନିତ୍ୟ ରାତ୍ରର ତୃତୀୟ ପ୍ରହରରେ ମନ୍ଦିର ଛାଡ଼ି ଆସି ଲକ୍ଷ୍ମୀ ସହ ଲକ୍ଷ୍ମୀଙ୍କ ବାସଭବନରେ ମିଳିତ ହୁଅନ୍ତି । ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ବକୁଳବନରେ ଲକ୍ଷ୍ମୀସହ କେଳି କରନ୍ତି । ଅଧିକାଂଶ ସମୟରେ ପ୍ରଭୁଙ୍କ ବଂଶୀ, ରାତ୍ରପିନ୍ଧା ବସନ, ଚୂଳ ଆଦି ଲକ୍ଷ୍ମୀଙ୍କ ଶୟନ ଶେଜରୁ ମିଳିବାରୁ ରାଜା ବଡ଼ପଣ୍ଡାଙ୍କୁ ଚୋର କହି ନାନା ନିର୍ଯ୍ୟାତନା ଦେଲେ । ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରେ ନିରୁପାୟ ହୋଇ ସାକ୍ଷୀଗୋପାଳଙ୍କର ଶରଣ ପଶିଲେ । ଭକ୍ତବତ୍ସଳ ଭଗବାନ ପ୍ରଭୁ ସାକ୍ଷୀଗୋପାଳ ରାଜାଙ୍କୁ ସ୍ୱପ୍ନରେ କହିଲେ… ହେ ରାଜନ ! ବଡ଼ପଣ୍ଡା ନିର୍ଦୋଷ, ମୋର ପ୍ରିୟା ରାଧା ତାଙ୍କ ଘରେ ଲକ୍ଷ୍ମୀ ରୂପରେ ଜନ୍ମଲାଭ କରିଛି । ତୁ ଯଥାଶୀଘ୍ର ଲକ୍ଷ୍ମୀଙ୍କ ପରି ଏକ ସୁବର୍ଣ୍ଣ ପ୍ରତିମା ଶୀଘ୍ର ନିର୍ମାଣ କରାଇ ମୋ ପାଖରେ ପ୍ରତିଷ୍ଠା କର । ପ୍ରଭୁଙ୍କ ସ୍ୱପ୍ନାଦେଶ ଅନୁସାରେ ରାଜା ଗଡ଼ଜାତ ରଣପୁର ଅଞ୍ଚଳରୁ କେତେକ କୁଶଳୀ କାରିଗର ଅଣାଇ ଲକ୍ଷ୍ମୀଙ୍କ ପରି ଗୋଟିଏ ସୁବର୍ଣ୍ଣ ମୂର୍ତ୍ତି ନିର୍ମାଣ କରାଇଲେ । ମୂର୍ତ୍ତିଟି ନିର୍ମାଣ ଆରମ୍ଭ ଦିନରୁ ଲକ୍ଷ୍ମୀ ରୋଗରେ ଶଯ୍ୟାଶାୟୀ ହେଲେ । ମୂର୍ତ୍ତୀର ଜୀବନ୍ୟାସ ଦିଆହେବା ସମୟରେ ଲକ୍ଷ୍ମୀ ଇହଲୀଳା ସମ୍ବରଣ କରିଥିଲେ । ପ୍ରଭୁ ସାକ୍ଷୀଗୋପାଳଙ୍କ ଇଚ୍ଛାନୁଯାୟୀ ତାଙ୍କର ପ୍ରିୟା ଲକ୍ଷ୍ମୀଙ୍କ ମର ଶରୀରକୁ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ସଂସ୍କାର କରାଯାଇଥିଲା ।
କିମ୍ବଦନ୍ତୀକୁ ସ୍ମରଣ ରଖିବା ପାଇଁ ପରବର୍ତ୍ତୀ ସମୟରେ ଲକ୍ଷ୍ମୀଙ୍କ ସମାଧି ସ୍ଥଳରେ ଏକ ମହାବୀର ମନ୍ଦିର ପ୍ରତିଷ୍ଠା କରାଗଲା । ଲକ୍ଷ୍ମୀଙ୍କୁ ରାଧିକା ରୂପେ ପାଇ ଶ୍ରୀସାକ୍ଷୀଗୋପାଳଙ୍କ ଦୀର୍ଘ ଦିନର ମନସ୍କାମନା ପୂର୍ଣ୍ଣ ହେଲା । ଠାକୁର ପଶ୍ଚିମାଞ୍ଚଳବାସୀ ହୋଇଥିବାରୁ ଅନ୍ନପ୍ରସାଦ ପରିବର୍ତ୍ତେ ଗହମ ଜାତ ସାମଗ୍ରୀ ଭୋଗ କରାଗଲା । ପଶ୍ଚିମାଞ୍ଚଳ ମହିଳାଙ୍କ ପରି ଦେବୀ ଶ୍ରୀରାଧାଙ୍କ ପିନ୍ଧା ଶାଢ଼ୀଦ୍ୱାରା ତାଙ୍କର ପାଦପଦ୍ମ ବର୍ଷସାରା ଘୋଡ଼ାଇ ହୋଇ ରହିଲା । ଏହି ଭଳି କିଛି ଦିନ ଯିବା ପରେ କେତେକ ସେବକ ବିଚାରକଲେ ଠାକୁରାଣୀ ଶ୍ରୀରାଧା ମାନବୀ ପ୍ରିୟା ଲକ୍ଷ୍ମୀ ରୂପେ ଆମ ଓଡ଼ିଶାରେ ଆସି ସତ୍ୟବାଦୀରେ ରହିଲେ କିନ୍ତୁ ଦିନେ ହେଲେତ ଓଡ଼ିଆଣୀ ବେଶ ହେଲେ ନାହିଁ । ପରିଶେଷରେ ସ୍ଥିର ହେଲା ରାଧା ରୂପେ ପୂଜା ପାଉଥିବା ମାନବୀ ପ୍ରିୟା ଲକ୍ଷ୍ମୀଙ୍କ ଜନ୍ମଦିନ କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀ ତିଥିରେ ଓଡ଼ିଆଣୀ ବେଶ ଅନୁଷ୍ଠିତ ହେବ । ବେଶ ସମୟରେ ଠାକୁରାଣୀ କାଣିଆ କଛା ମାରନ୍ତି, ଫଳରେ ବର୍ଷସାରା ଶାଢ଼ୀରେ ଆବୃତ ହୋଇ ରହିଥିବା ଠାକୁରାଣୀଙ୍କ ପାଦପଦ୍ମ ଦ୍ୱୟକୁ ଭକ୍ତମାନେ ଦର୍ଶନ କରିଥାନ୍ତି । ଏହି ଦିନ ଗୋପାଳଙ୍କୁ ଚନ୍ଦନ ଚର୍ଚ୍ଚିତ କରାଯାଇ ମସ୍ତକରେ ସ୍ୱର୍ଣ୍ଣ କିରୀଟ, ହାତରେ ସୁବର୍ଣ୍ଣ ବଂଶୀ ସାଙ୍ଗକୁ ନଟବର ବେଶରେ ଏବଂ ରାଧାଙ୍କୁ ଖଣ୍ଡୁଆ ପାଟବସ୍ତ୍ର ସହ କିରୀଟ, ପାଉଁଜି, ଝୁଣ୍ଟିଆ, କୁଣ୍ଡଳ, ଚାପସରି ସେବତୀ ହାର, ନୋଥ, ଗୁଣା ଏବଂ ଅଁଳା ହାର ଲାଗି କରାଯାଏ ।
~ ରାଧା ପାଦଦର୍ଶନ ~
କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀତିଥି ପବିତ୍ର ଅଁଳା ନବମୀ ବା ଧାତ୍ରୀ ନବମୀ ତଥା ଶ୍ରୀରାଧା ପାଦଦର୍ଶନ ଯାତ୍ରା ରୂପେ ସୁପରିଚିତ । ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇଥିବା ମାନବୀ ରାଧାଙ୍କର ପାଦପଦ୍ମଦ୍ୱୟକୁ ବର୍ଷକେ ଥରେ ନବମୀଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି । ଏଥିପାଇଁ ଏହା ଏହି ଦିବସ ରାଧାପାଦ ଦର୍ଶନ ନାମରେ ବିଦିତ ।
କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପଡେ ଅଁଳା ନବମୀ । ଏହି ଦିନ ଅଁଳା ଗଛର ପୂଜା କରାଯାଏ । ଏହି ଦିନ ଅଁଳା ଗଛ ତଳେ ପୂଜା କରିବା ଏବଂ ଭୋଜନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି ।ମହିଳାମାନେ ସନ୍ତାନ ପ୍ରାପ୍ତି ଏବଂ ସନ୍ତାନଙ୍କ ମଙ୍ଗଳ କାମନା କରି ଅଁଳା ଗଛର ପୂଜା କରିଥାନ୍ତି ।
~ ଅଁଳା ଗଛର ପୂଜାବିଧି ~
୧. ମହିଳାମାନେ ସ୍ନାନ କରି ଅଁଳା ଗଛ ତଳେ ସଫାସଫି କରି ଅଁଳା ଗଛ ମୂଳରେ ଶୁଦ୍ଧ ଜଳ ସମର୍ପଣ କରିବେ । ଏହାପରେ ଗଛ ମୂଳେରେ କଞ୍ଚା କ୍ଷୀର ଢାଳି ପୂଜା କରିବେ ।
୨. ଏହା ପରେ ନାଲି ସୁତା ଧରି ୮ଥର ଅଁଳା ଗଛର ପରିକ୍ରମା କରିବେ ଏବଂ ଏହି ସୁତାକୁ ଗଛରେ ଗୁଡ଼େଇବେ । କେହି କେହି ୧୦୮ ଥର ମଧ୍ୟ ପରିକ୍ରମା କରିଥାନ୍ତି ।
୩. ଏହାପରେ ଗଛ ତଳେ ପୂଜାର୍ଚନା ସାରି ସନ୍ତାନଙ୍କ ମଙ୍ଗଳ କାମନା କରି ଭୋଜନ କରନ୍ତି।
~ ଅଁଳା ନବମୀର ଉତ୍ପତ୍ତି ~
କାଶୀନଗରରେ ଜଣେ ନିଃସନ୍ତାନ ବୈଶ୍ୟ ଧର୍ମାତ୍ମା ରହୁଥିଲେ । ବୈଶ୍ୟଙ୍କ ପତ୍ନୀଙ୍କୁ ତାଙ୍କର ଜଣେ ପଡୋଶୀ କହିଲେ ଯଦି ଭୈରବଙ୍କୁ ସେ ଏକ ବାଳକର ବଳି ଦେବେ ତାହେଲେ ତାଙ୍କର ପୁତ୍ର ପ୍ରାପ୍ତି ହେବ ।ଏହି କଥା ବୈଶ୍ୟଙ୍କୁ ଜଣାପଡିବା ପରେ ସେ ମନା କରିଦେଇଥିଲେ । କିନ୍ତୁ ବୈଶ୍ୟଙ୍କ ପତ୍ନୀ ଏହି ମୌକା ଖୋଜୁଥିଲେ ।
ଦିନେ ବୈଶ୍ୟଙ୍କ ପତ୍ନୀ ଜଣେ କନ୍ୟାଙ୍କୁ କୂଅରେ ଧକ୍କା ଦେଇ ଭୈରବଙ୍କ ନାଁରେ ବଳି ଦେଇଦେଲେ । ତେବେ ଏହି ହତ୍ୟାର ପରିଣାମ ଓଲଟା ହୋଇଥିଲା । ହତ୍ୟା ଯୋଗୁଁ ବୈଶ୍ୟଙ୍କ ପତ୍ନୀଙ୍କ ଦେହ ଖରାପ ହୋଇଗଲା ଏବଂ ସେହି କନ୍ୟାର ଆତ୍ମା ତାଙ୍କୁ ସବୁବେଳେ ହଇରାଣ କଲା । ବୈଶ୍ୟ ପଚାରିବାରୁ ପତ୍ନୀ ସମସ୍ତ ଘଟଣା ବିଷୟରେ ତାଙ୍କୁ କହିଥିଲେ । ସମସ୍ତ ଘଟଣା ଶୁଣି ବୈଶ୍ୟ କହିଲେ, ଗୋବଧ, ବ୍ରାହ୍ମଣ ବଧ ତଥା ନାବାଳକ ବଧ କରିଥିବା ବ୍ୟକ୍ତିଙ୍କ ପାଇଁ ଏହି ସଂସାରରେ କେଉଁଠି ବି ସ୍ଥାନ ନାହିଁ ।ଗଙ୍ଗାରେ ଯାଇ ସ୍ନାନ କରି ଭଗବାନଙ୍କ ଭଜନ କରିବା ଦ୍ୱାରା ତାଙ୍କର ପାପର ପ୍ରାୟଶ୍ଚିତ ହେବ ବୋଲି ସେ ପତ୍ନୀଙ୍କୁ କହିଥିଲେ ।ତେବେ ବୈଶ୍ୟଙ୍କ ପତ୍ନୀ ପଶ୍ଚାତାପ କରି ପାପ ଧୋଇବା ପାଇଁ ଗଙ୍ଗା ଗଲେ । ଗଙ୍ଗା ମା ତାଙ୍କୁ କାର୍ତ୍ତିକ ଶୁକ୍ଳ ପକ୍ଷ ତିଥିରେ ଅଁଳା ଗଛର ପୂଜା କରିବା ସହ ଅଁଳା ସେବନ କରିବା ପାଇଁ କହିଥିଲେ । ଗଙ୍ଗା ମାଙ୍କ କହିବାନୁଯାୟୀ ବୈଶ୍ୟଙ୍କ ପତ୍ନୀ ଅଁଳା ଗଛର ପୂଜା କରି ଅଁଳା ସେବନ କରିବା ଦ୍ୱାରା ତାଙ୍କ ଶରୀର ରୋଗମୁକ୍ତ ହୋଇଥିଲା । ଏହି ପୂଜା କରିବା ଦ୍ୱାରା କିଛି ଦିନ ପରେ ତାଙ୍କର ପୁତ୍ର ମଧ୍ୟ ଜନ୍ମ ହୋଇଥିଲା । ସେହିଦିନ ଠାରୁ ହିନ୍ଦୁ ପରମ୍ପରାରେ ଅଁଳା ନବମୀରେ ଅଁଳା ଗଛକୁ ପୂଜା କରିବା ବିଧି ଚାଲିଆସିଛି ।
~ ଉତ୍ପତ୍ତି ~
ଯେତେବେଳେ ସମଗ୍ର ବିଶ୍ୱ ଜଳମଗ୍ନ ଥିଲା, ସେତେବେଳେ ସ୍ୱୟଂ ବ୍ରହ୍ମ ପଦ୍ମ ଫୁଲରେ ବସି ପରଂବ୍ରହ୍ମାଙ୍କୁ ତପସ୍ୟା କରୁଥିଲେ ।ସେ ନିଜ ତପସ୍ୟାରେ ମଗ୍ନ ଥିଲେ । ତପସ୍ୟା କରି କରି ତାଙ୍କ ଆଖିରୁ ଲୁହ ଗଡି ଯାଇଥିଲା । ବ୍ରହ୍ମଙ୍କ ଲୁହାରୁ ଅଁଳା ଗଛର ଉତ୍ପତ୍ତି ହୋଇଥିଲା ।
~ ଅଁଳା ଗଛର ମହତ୍ୱ ~
ହିନ୍ଦୁ ପରମ୍ପରା ଅନୁସାରେ ଯେଉଁ ବୃକ୍ଷର ଔଷଧୀୟ ଗୁଣ ରହିଛି ସେହି ସବୁ ବୃକ୍ଷକୁ ବିଶେଷ ତିଥିରେ ପୂଜା କରିବାର ବିଧି ରହିଛି । ଅଁଳା ନବମୀ ଏହିଭଳି ଏକ ପରମ୍ପରାର ଅଂଶ । ଚିକିତ୍ସା ବିଜ୍ଞାନ ଅନୁସାରେ ଅଁଳାର ବହୁତ ଔଷଧୀୟ ଗୁଣ ରହିଛି । ଅଁଳାରେ ଆଇରନ ଏବଂ ଭିଟାମିନ-ସି ଭରପୁର ରହିଛି । ପ୍ରତିଦିନ ଅଁଳା ରସ ପିଇଲେ ପାଚକ ଶକ୍ତି ବୃଦ୍ଧି ପାଇଥାଏ । ପ୍ରତିଦିନ ଅଁଳା ରସ ପିଇଲେ ତ୍ୱଚାର ଚମକ ମଧ୍ୟ ବଢିଥାଏ । ଅଁଳା ଖାଇଲେ ଚୁଟିର ମଧ୍ୟ ଚମକ ବଢିଥାଏ ।
ଉପସ୍ଥାପନା: ଦେବୀ ପ୍ରସାଦ ଦାସ
Images: Social Media
Spread the love
admin

Recent Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

5 days ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 weeks ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

2 weeks ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

3 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

3 weeks ago