ସାର୍ ଜନ୍ ଲରେନ୍ସ

ଲେଖା: ଦେଵ ତ୍ରିପାଠୀ
୧୮୮୭ ସାଲ ମେ ୨୫ ତାରିଖ ।
କଲିକତା ବନ୍ଦର । ସାର୍ ଜନ୍ ଲରେନ୍ସ (Sir John Lawrence) ନାମକ ଏକ ସୌଖିନ ଜାହାଜ ୧୪୦୦ ଜଣ ଯାତ୍ରୀ ୮୦ ଟନ୍ ପଣ୍ୟଦ୍ରବ୍ୟ ସହିତ ଯାତ୍ରା ଆରମ୍ଭ କଲା ବାଲେଶ୍ବର ଜିଲ୍ଲାର ଚାନ୍ଦବାଲି ବନ୍ଦର ଅଭିମୁଖେ ! 
ଜାହାଜରେ ଥିଲେ ବାଲେଶ୍ଵର, କଟକ ସହର, କଟକ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳର ବ୍ୟବସାୟୀଗଣ ତଥା ଜଗନ୍ନାଥ ଦର୍ଶନ ଆଶାୟୀ କଲିକତା ଏବଂ ଆଖପାଖର ବଙ୍ଗାଳୀ ଓ ଓଡ଼ିଆଯାତ୍ରୀ । 
ହରିବୋଲ ଜୟ ଜଗନ୍ନାଥ ଧ୍ବନି ଓ ଇଂରେଜ ନାବିକଗଣଙ୍କ ଚାଳନାରେ ଆଗେଇ ଚାଲିଲା ଜାହାଜଟି ।
ଘରବାହୁଡ଼ା ଓଡ଼ିଆ ବ୍ୟବସାୟୀ ଓ ଜଗନ୍ନାଥପ୍ରେମୀ ବଙ୍ଗାଳୀଯାତ୍ରୀଙ୍କ ମନ ଆଜି ଉଚ୍ଚାଟ ! ଆଉ କେଇ ଘଣ୍ଟାରେ ଜାହାଜ ଲାଗିଯିବ ଚାନ୍ଦବାଲି ଉପକୂଳରେ ! 
ପରିବାର ଲୋକଙ୍କ ମୁହଁଟିମାନ ସତେ ଯେପରି ଆଖି ଆଗରେ ଭାସିଯାଇଛି, ବଡ଼ ଦେଉଳର ପତିତପାବନ ବାନା ହାତଠାରି ଡାକୁଛି ! 
ହେଲେ ବିଧିର ବିଧାନ ଥିଲା ବିଚିତ୍ର ! ଚାନ୍ଦବାଲିଠୁ ଅଳ୍ପ ଦୂରରେ ରିକ୍ ଲାଇଟ୍ (Rick Light)ପାମେରା ପଏଣ୍ଟ (Palmera Point) ମଧ୍ୟରେ ଅଚାନକ ମାଡ଼ି ଆସିଲା ସାମୁଦ୍ରିକ ଝଡ଼ ! 
ଜୀବନ ବଞ୍ଚାଇବାକୁ ସକଳ ଚେଷ୍ଟା, ଭଗବାନଙ୍କୁ ଆକୁଳ ପ୍ରାର୍ଥନା ସବୁକୁ ବ୍ୟର୍ଥ କରି ସାର୍ ଜନ୍ ଲରେନ୍ସ ସମୁଦ୍ର ଗର୍ଭରେ ଲୀନ ହେଲା, ୧୪୦୦ ନିରୀହ ଯାତ୍ରୀଙ୍କ ଜୀବନଦୀପକୁ ଲିଭାଇ ! 
ସାର୍ ଜନ୍ ଲରେନ୍ସ ସହିତ ୧୪୦୦ ଯାତ୍ରୀଙ୍କ ଦୁଃଖଦ ମୃତ୍ୟୁ କିନ୍ତୁ ରହିଗଲା ଓଡ଼ିଶା ଅବା ଭାରତ ଇତିହାସରେ ଅନାଲୋଚିତ ହୋଇ ! 
ଭାରତବର୍ଷର ସବୁଠାରୁ ବଡ଼ ଜାହାଜ ଦୁର୍ଘଟଣାର ଇତିହାସ ସତେ ଯେମିତି ସେଇ ହତଭାଗ୍ୟ ମାନଙ୍କସହିତ କଳିଙ୍ଗ ସାଗର ଗର୍ଭରେ ଲୀନ ହୋଇଗଲା ! 
ତଥ୍ୟ: ଆଦିକନ୍ଦ ଦାଶ, ପୂଜ୍ୟପୂଜା ସଂସଦ ସ୍ମରଣିକା ୨୦୧୧, ଚାନ୍ଦବାଲି

Leave a Comment

Your email address will not be published. Required fields are marked *

Scroll to Top