ସାରଦା ପ୍ରସନ୍ନ ନାୟକ

ଲେଖା: ଅମୃତେଶ ଖଟୁଆ
~ ସାରଦା ପ୍ରସନ୍ନ ନାୟକ ~
“ସଞ୍ଜ ସକାଳେ ତୁମ ଛବି ଖୋଜେ
ନୀରଭିଜା ନୟନରେ,
ଜଗତର ନାଥ ଆହେ ଜଗନ୍ନାଥ
ଆକୁଳ ଅନ୍ତରେ ଖୋଜେ . .”
“ମନେ ଭରି ଅଭିମାନ ଯାଏ ଛାଡି ବୃନ୍ଦାବନ
ରୁଷିଛି ରାଇ ପରାଣ ଝୁରେ ପାଷାଣ . .”
“ଆଉ ଚାନ୍ଦ ଲାଗି କୁମୁଦ ଝୁରନା
ଝୁରିଲେ କି ହେବ ବେଦନା . .”
୧୯୬୨ ମସିହାରେ ପ୍ରଥମତଃ ଓଡ଼ିଆ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ଆସେ “ଲକ୍ଷ୍ମୀ” । ପ୍ରସିଦ୍ଧ କଣ୍ଠଶିଳ୍ପୀ ସିକନ୍ଦର ଆଲାମଙ୍କ ଜୀବନର ଏହା ଥିଲା ପ୍ରଥମ ଚଳଚ୍ଚିତ୍ର। କଲିକତାର ଇଷ୍ଟର୍ଣ୍ଣ ଟକିଜ୍ ଠାବେ ଏହାର ଗୀତ ରେକର୍ଡିଂ ହୁଏ। ସିକନ୍ଦର ଆଲାମ୍’ଙ୍କ ଗୀତ “ଆରତ ସୁରେ ବାରେ କରେ ମିନତିରେ, ଚକାନୟନ ଚାହାଁ ମାଗେ ମାଗୁଣିରେ..” ସେହି ଠାବେ ଜନପ୍ରିୟ ହୋଇଥିଲା ।
ଏପରିକି ସେତେବେଳେ କଟକର ପ୍ରଭାତ ସିନେମା ହଲରେ ଏହି ତରୁଣଙ୍କ କଣ୍ଠର ଅମୃତସ୍ରାବୀ ଧାରାରେ ସ୍ଵୟଂ କବିଚନ୍ଦ୍ର ମଧ୍ୟ ଉତ୍ସାହିତ କରିଥିଲେ। ଆଉ ତାହା ଶ୍ରୀକ୍ଷେତ୍ର ପୁରୀରେ ଦ୍ଵିଗୁଣା ଲୋକପ୍ରିୟତା ଅର୍ଜନ କରିବା ସହ ଭକ୍ତଗହଣରେ ଏ ଗୀତ ଚହଳ ସୃଷ୍ଟି କରିସାରିଥାଏ ! ଆଉ ଏହି ସବୁର ମୁଖ୍ୟ ସୂତ୍ରଧର ଥିଲେ ଏହି ‘ଲକ୍ଷ୍ମୀ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ – ସାରଦା ପ୍ରସନ୍ନ ନାୟକ !
ଏକାଧିକ ଲୋକପ୍ରିୟ ଚଳଚ୍ଚିତ୍ର, ବେତାର ନାଟକ, ଆକାଶବାଣୀ, ଦୂରଦର୍ଶନ ଓ ସଂଗୀତ ରଚନା କ୍ଷେତ୍ରରେ ସେ ଥିଲେ ଜଣେ ଉଲ୍ଲେଖନୀୟ ବ୍ଯକ୍ତିତ୍ଵ । କଟକ ସହରର କାଫଲା ବଜାରରେ ୧୯୨୬ ମସିହା ୧୩ ଡିସେମ୍ବରରେ ଜନ୍ମଗ୍ରହଣ କରିଥିଲେ ସାରଦା ପ୍ରସନ୍ନ ନାୟକ। ସେ କଟକର ମଧୁସୂଦନ ନଗର ସ୍ଥିତ ଭିକ୍ଟୋରିଆ ସ୍କୁଲରୁ ଗ୍ରହଣ କରି ରେଭେନ୍ସା କଲେଜରେ ପଢିଥିଲେ।
ସେହି ସମୟରେ ବିଶିଷ୍ଟ କଥାକାର ତଥା ସାମ୍ବାଦିକ ସୁରେନ୍ଦ୍ର ମହାନ୍ତି ତାଙ୍କୁ ନାଟକ ରଚନା ପାଇଁ ଦିଅନ୍ତି ପ୍ରେରଣା। ସେ ଶିକ୍ଷା ସମାପନ କରି କଟକର ସେକେଣ୍ଡାରୀ ବୋର୍ଡ ସ୍କୁଲରୁ ଶିକ୍ଷକତା ଆରମ୍ଭ କରନ୍ତି। ୧୯୪୮ ମସିହାରେ ପ୍ରଥମ କରି କଟକ ଠାରେ ଆକାଶବାଣୀର ସ୍ଥାପନା ହେବା ପରେ ବରେଣ୍ୟ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ସହ ପ୍ରଥମ କରି ଏକ ନାଟକରେ ସହନାୟକର ଭୂମିକା ଗ୍ରହଣ କରିଥିଲେ।
ଏହା ପରେ ଦୂରଦର୍ଶନ ଓ ଆକାଶବାଣୀର ରାଜ୍ୟ ସାଧନ କେନ୍ଦ୍ରର ପ୍ରଯୋଜକ ଭାବେ ଯୋଗ ଦେଇଥିଲେ। ୧୯୫୧ ମସିହାରୁ ସେ ସଂଳାପ ରଚନା, ନାଟ୍ୟ ନିର୍ଦ୍ଦେଶନା ଓ ସଂଗୀତ ନିର୍ଦ୍ଦେଶନାରେ ଦକ୍ଷତା ପ୍ରତିପାଦିତ କରିଥିଲେ। ‘ଲକ୍ଷ୍ମୀ’, ‘କା’, ‘ଭକ୍ତକବି ଜୟଦେବ’, ‘ସ୍ତ୍ରୀ’, ‘ସଂସାର’ ଭଳି ପ୍ରଖ୍ୟାତ ଚଳଚ୍ଚିତ୍ରରେ ତାଙ୍କର ନିର୍ଦ୍ଦେଶନା ସହ ‘ଲକ୍ଷ୍ମୀ’, ‘କା’ ଏବଂ ‘ସ୍ତ୍ରୀ’ କ୍ରମାଗତ ଭାବେ ରାଷ୍ଟ୍ରପତି ପୁରସ୍କାର ଲାଭ କରିଥିଲେ।
ଗୌର ଘୋଷ ଏବଂ ପାର୍ବତୀ ଘୋଷଙ୍କ ପ୍ରଯୋଜନାରେ ନିର୍ମିତ ‘କା’ ଚଳଚ୍ଚିତ୍ରରେ ‘ସିଦ୍ଧାର୍ଥ’ ଛଦ୍ମନାମରେ ସାରଦା ପ୍ରସନ୍ନ ନିର୍ଦ୍ଦେଶନା ଦେଉଥିଲା ବେଳେ ଖ୍ୟାତନାମା ସଂଗୀତଜ୍ଞ ଭୁବନେଶ୍ୱର ମିଶ୍ର ‘ଶ୍ରୀକୁମାର’ ନାମରେ ସଙ୍ଗୀତ ନିର୍ଦ୍ଦେଶନା ଦିଅନ୍ତି। ଏହି ଛଦ୍ମନାମ ରଖିବାର କାରଣ ଥିଲା ଯେ ଆକାଶବାଣୀରେ କାର୍ଯ୍ୟରତ ହେତୁ ସେମାନେ ସ୍ଵୀୟ ନାମ ଧରି ଚଳଚ୍ଚିତ୍ର ନିର୍ମାଣ ଅଥବା ନିର୍ଦ୍ଦେଶନା ଦେଇପାରିବେ ନାହିଁ। ଅନେକ ବିବଦମାନ ପରିସ୍ଥିତି ମଧ୍ୟରେ ଗତି କରିଲା ପରେ ମଧ୍ୟ ତାଙ୍କ କୀର୍ତ୍ତି ଅମ୍ଳାନ ରହିଛି।
ନାଟ୍ୟକାର ଭାବେ ‘ପତ୍ନୀ’, ‘ସୁନାମାଟି’, ‘ଶଙ୍ଖାଳି’, ‘ପରିଶୋଧ’ , ‘ରାଜୋଚିତ ବ୍ୟବହାର’ ପରି ଏକାଧିକ ନାଟ୍ୟ ରଚନା କରି ପ୍ରଯୋଜନା ପୂର୍ବକ ପ୍ରସିଦ୍ଧି ଅର୍ଜନ କରେ। ଆଉ ଏଥି ପରେ ସେ ମନୋରଞ୍ଜନ ଦାସଙ୍କ ‘ଅଭିଳାଷ’ ନାଟକ ପାଇଁ ପ୍ରଥମତଃ ଗୀତ ରଚନା କରିଥିଲେ। ତାଙ୍କର ‘ରାଜୋଚିତ ବ୍ୟବହାର’ ଏକ ମନୋରମ ନାଟକ, ଯାହାକି ଆଲେକଜାଣ୍ଡରଙ୍କ ବୀର ରାଜା ପୁରୁଙ୍କ ସହ ଯୁଦ୍ଧକୁ ନେଇ ପର୍ଯ୍ୟବେସିତ।
ସେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ଵବିଦ୍ୟାଳୟରେ ସାମ୍ଵାଦିକତା ବିଭାଗରେ ଅଧ୍ୟାପନା କରିବା ସହ ଜଣେ ନିୟମିତ ସମ୍ଵାଦ ଲେଖକ ଥିଲେ। ଅଧ୍ୟାପନା ବୃତ୍ତିରେ ସେ ଅନେକ ଛାତ୍ରଛାତ୍ରୀଙ୍କୁ ପଢାଇବା ସହ ତାଙ୍କ ଅଧୀନରେ ଅନେକ କୃତୀତ୍ଵ ମଧ୍ୟ ଅର୍ଜନ କରିସାରିଛନ୍ତି। ୧୯୬୯ ମସିହାରେ ମୁକ୍ତିଲାଭ କରିଥିବା ସାରଦା ପ୍ରସନ୍ନଙ୍କ ‘ସ୍ତ୍ରୀ’ ଚଳଚ୍ଚିତ୍ର ମାଧ୍ୟମରେ ସ୍ଵରୂପ ନାୟକ ଅଭିନୟରୁ ପ୍ରଥମ କରି ଗୀତିକାର ଭାବରେ ଯୋଗ ଦିଅନ୍ତି।
ସେତେବେଳେ ବ୍ରହ୍ମପୁର ଚିତ୍ରପୁରୀ ନାଇଟ୍ ପ୍ରୋଗ୍ରାମ ପାଇଁ ଯୋଗ ଦିଅନ୍ତି ଉଭୟ ସ୍ଵରୂପ ନାୟକ ଏବଂ ସାରଦା ପ୍ରସନ୍ନ ନାୟକ। ଦୁହେଁ ଭାଇ ଥିଲେ। ସାରଦା ପ୍ରସନ୍ନ ନାୟକ ଜ୍ୟେଷ୍ଠ। ସେତେବେଳେ ତାଙ୍କ ସହ ଥିଲେ ଗୌର ଘୋଷପାର୍ବତୀ ଘୋଷ (ପ୍ରକୃତ ନାମ – “ଚପଳା ନାୟକ”) । ସେତେବେଳେ ଗାଡିରେ ଯାଉଥିଲା ସମୟରେ ବଡ଼ ପାଟିରେ ଗାଇଉଠିଲେ ସ୍ଵରୂପ ନାୟକ, “ଧିନା ଧିନ୍ ତାକ୍ ଧିନା ଧିନ୍, ମୁଁ ତୋ ହିରୋ, ତୁ ମୋ ହିରୋଇନ୍”।
ସାରଦା ପ୍ରସନ୍ନ ନାୟକ କହିଲେ, ‘ଏ ଗୀତକୁ “ସ୍ତ୍ରୀ”ରେ ଭର୍ତ୍ତି କରିବା। ସେତେବେଳେ “କିଏ ସେ ଯିବ ହୋ ରଜାଘର ଖାନା” ଢଗ ଦ୍ଵାରା ଅନୁପ୍ରାଣିତ ହୋଇ ସ୍ଵରୂପ ନାୟକ ଓଡିଶାର ବିଭିନ୍ନ ଖାଦ୍ୟରୁଚିକୁ ନେଇ ଗୀତ ରଚନା କରିଲେ। ଆଉ ଏଥି ସହ ଚଳଚ୍ଚିତ୍ରରେ “କଳି ଯୁଗ କୃଷ୍ଣ ମୁହିଁ ତୁ ମୋ ହିରୋଇନ୍” ଗୀତ ଭର୍ତ୍ତି ହେଲା।
ଗୀତ ଗାଇଥିଲେ ଅକ୍ଷୟ ମହାନ୍ତି ଓ ଦୃଶ୍ୟରେ ଥିଲେ କୁଳଦୀପ୍ କୌର ଏବଂ ମାନେ ସୁଜାତା। ରିହର୍ସଲ୍ ସମୟରେ ଭାରି ସଙ୍କୋଚ ସ୍ଥିତିରେ ଥିଲେ ସ୍ଵରୂପ। ଆଉ ସେତେବେଳେ କୁଳଦୀପଙ୍କ କଥାରେ ଏତେ ସାହସ ପାଇ ଜୋର୍ ରେ ହାତକୁ ମକଚି ଦେଇଥିଲେ ସ୍ଵରୂପ ନାୟକ। ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନା ସହ ପ୍ରଣବ ପଟ୍ଟନାୟକ, ସନ୍ଧ୍ୟା ମୁଖାର୍ଜୀ, ନିର୍ମଳା ମିଶ୍ରଙ୍କ କଣ୍ଠଦାନରେ ଅନେକ ଗୀତ ସ୍ଥାନ ପାଇଥିଲା।
ଆଉ ଏହି ‘ସ୍ତ୍ରୀ’ ଚଳଚ୍ଚିତ୍ରର ଅନ୍ୟତମ ଉଲ୍ଲେଖଯୋଗ୍ୟ ଘଟଣା ଥିଲା ଟୁଇଷ୍ଟ ନାଚର ସଂଯୋଜନା। ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଥମ କରି ଅକ୍ଷୟ ମହାନ୍ତିଙ୍କ ‘ଝୁମି ଝୁମି ଆସେ ଆଖି’ ରେ ଟୁଇଷ୍ଟ ନାଚର ସଂଯୋଜନା ହୋଇଥିଲା। ଆଉ ଏହି ଚଳଚ୍ଚିତ୍ରରେ ହିଁ ସାରଦା ପ୍ରସନ୍ନ ନାୟକଙ୍କ “ସଞ୍ଜ ସକାଳେ ତୁମ ଛବି ଖୋଜେ, ନୀରଭିଜା ନୟନରେ…” ଏବଂ ‘ମୋ ଆଖିରେ କେତେ କଥା….” ଗୀତ ଅଜସ୍ର ଲୋକପ୍ରିୟତା ଅର୍ଜନ କରିଥିଲା।
ସାରଦା ପ୍ରସନ୍ନ ନାୟକ ନିଜ ଅନୁଭୂତିରେ କହିଥିଲେ ଯେ ଥରେ ‘ସଂସାର’ ଚଳଚ୍ଚିତ୍ର ପାଇଁ ମ୍ୟୁଜିକ୍ ସିଟିଂ ଚାଲିଥାଏ। ସେତେବେଳେ ଅକ୍ଷୟ ମହାନ୍ତିଙ୍କ ଅତ୍ୟନ୍ତ ପ୍ରିୟ ଥିଲା ଭୀମଭୋଇଙ୍କ ଗୀତସ୍ଵର। ଅକ୍ଷୟ ମହାନ୍ତିଙ୍କ ଅନୁରୋଧରେ ସନ୍ଥକବି ଭୀମଭୋଇଙ୍କ “ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ” ସ୍ଵରରେ “ନ କର ନ କର ମନ ତିଳେ ଭାବନା” ଗୀତଟି ଲେଖିଲେ ସାରଦା ପ୍ରସନ୍ନ ନାୟକ।
ହେଲେ ସ୍ଵର ସଂଯୋଜନାରେ ତାଙ୍କ ଅନୁଜ ସ୍ଵରୂପ ନାୟକ ତ୍ରୁଟି କରିଦେଲେ। ସାରଦା ପ୍ରସନ୍ନଙ୍କ ଭାଷାରେ “ତା ମନ ଭିତରେ ଗୁଡାଏ ନୂଆ ନୂଆ ତାଳ ଉଙ୍କି ମାରେ।” ସେତେବେଳେ ବଲିଉଡର ସଚ୍ଚିନ୍ ଦେବ ବର୍ମନଙ୍କ ଗୀତ ପ୍ରତି ଭାବପ୍ରବଣ ଥିଲେ ସାରଦା ପ୍ରସନ୍ନ। ତାଇ “ସୁନ ମେରେ ବନ୍ଧୁରେ..” ଗୀତ ସ୍ଵରରେ ହଠାତ୍ ‘ଭଟିଆଲି’ ତାଳରେ ଅକ୍ଷୟ ମହାନ୍ତି ଗୀତ ଗାଇ ପକେଇଲେ।
ଅକ୍ଷୟ ମହାନ୍ତିଙ୍କ ସ୍ଵରରେ ସାରଦା ପ୍ରସନ୍ନଙ୍କ ଏହି ଗୀତଟି ବହୁତ ଚମତ୍କାର ଶ୍ରୁତିମଧୁର ହୁଏ। ଆଉ ଶେଷକୁ ପ୍ରଣବ ପଟ୍ଟନାୟକ ଏହି ଗୀତଟି ଗାଇଥିଲେ। ଏହା ପରେ ଆସେ ‘ସଂସାର’ ଚଳଚ୍ଚିତ୍ର ସମୟର କେତୋଟି କିମ୍ଵଦନ୍ତୀ ମୁହୂର୍ତ୍ତ। ସେତେବେଳେ ପ୍ରଥମ କରି ଚଳଚ୍ଚିତ୍ର ଜଗତରେ ଗୀତ ରଚନା କରିଛନ୍ତି ଶିବବ୍ରତ ଦାସ। ‘ଢେଉ ଢେଉକା ପାହାଡ଼ ତଳେ . .’, ‘ତୁ ମୋ ପାଇଁ ମୁଁ ତୋରି ପାଇଁ . .’, ‘ଆଲୋ କଳା ଶାରୀ . .’ ସହ ସାରଦା ପ୍ରସନ୍ନଙ୍କ ଅନେକ ଲୋକପ୍ରିୟ ଗୀତ ଆସେ।
ଓଡ଼ିଆ ଚଳଚ୍ଚିତ୍ର ଯୁଗକୁ ଏକ ସବୁଜିମା ପ୍ରଦାନ କରିବାରେ ସାରଦା ପ୍ରସନ୍ନ ନାୟକଙ୍କ ଅବଦାନ ଆଜି ବି ଅଭୁଲା। ‘ଭକ୍ତକବି ଜୟଦେବ’ର ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦ୍ଦେଶନା ତାଙ୍କ ଦ୍ବାରା ସମ୍ପାଦିତ ହୋଇଥିଲା। ୧୯୭୩ ମସିହାରେ ସେ ଏକମାତ୍ର ଭାରତୀୟ ଭାବରେ ଲଣ୍ଡନଠାରେ ଅନୁଷ୍ଠିତ ସି.ଇ.ଡି.ଓ. କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପ୍ରଖ୍ୟାତ ଇଂରାଜୀ ଔପନ୍ୟାସିକ ସ୍ଵର୍ଗତ ଚାର୍ଲସ ଡିକେନ୍ସଙ୍କ ବାସଭବନରେ ରହିଥିଲେ।
୨୦ରୁ ଊର୍ଦ୍ଧ୍ଵ ନାଟ୍ଯ ରଚନା ସହ ଅନେକ ଚଳଚ୍ଚିତ୍ରରେ ତାଙ୍କର ସଂଗୀତ ରଚନା, ଆଜି ବି ସେହିପରି ସରସ ଓ ସହୃଦୟ। ତାଙ୍କର କୃତୀତ୍ବ ପାଇଁ ସେ “ଗୁରୁ ସମ୍ମାନ”, “ସଦର ଗୌରବ”, “ବାଣୀଚିତ୍ର”, “ନାଟ୍ୟଶ୍ରୀ ସମ୍ମାନ”, “ନାଟ୍ୟକାର ଜଗନମୋହନ ଲାଲା ସମ୍ମାନ” ସହ ପରିଶେଷରେ ଆଜୀବନ ଚଳଚ୍ଚିତ୍ର ଜଗତକୁ ନିଜର ଯୋଗଦାନ ଓ କୃତୀତ୍ଵ ପାଇଁ ସେ ସର୍ବୋଚ୍ଚ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର ଦ୍ଵାରା ୨୦୧୩ରେ ସମ୍ମାନିତ ହୋଇଥିଲେ।
୨୦୨୦ ମସିହା ସେପ୍ଟେମ୍ବର ୯ ତାରିଖରେ ପରଲୋକ ଘଟେ ସାରଦା ପ୍ରସନ୍ନ ନାୟକଙ୍କର । ଓଡ଼ିଆ ଚଳଚ୍ଚିତ୍ର ଜଗତର ସବୁଜିମାର ଅନ୍ୟତମ ମାଲ୍ୟକାର ସାରଦା ପ୍ରସନ୍ନ ନାୟକଙ୍କ ଅମରାତ୍ମାକୁ ସଶ୍ରଦ୍ଧ ପ୍ରଣତି ।
© ମୋ ପ୍ରିୟତମ ପାଥେୟର ସରଣୀ : ଅମୃତେଶ

Leave a Comment

Your email address will not be published. Required fields are marked *

Scroll to Top