ସାମନ୍ତ ଚନ୍ଦ୍ରଶେଖର

ଲେଖା: ତେଜସ୍ବ ତ୍ରିପାଠୀ
~ ସାମନ୍ତ ଚନ୍ଦ୍ରଶେଖର ~
ଯେଉଁ ଧିର ଧୀମନ୍ତ ମଣ୍ଡଳୀଙ୍କୁ ଧାରଣ କରି ଏ ଧରିତ୍ରୀ ଧନ୍ୟ ହୋଇଛି, ସେମାନଙ୍କ ମଧ୍ୟରେ ସିଦ୍ଧାନ୍ତ ଦର୍ପଣ ସ୍ରଷ୍ଟା ସାମନ୍ତ ଚନ୍ଦ୍ରଶେଖର ଅନ୍ୟତମ l
ପିତା ଶ୍ୟାମବନ୍ଧୁ ସିଂହ ଓ ମାତା ବିଷ୍ଣୁମାଳୀ ଦେବୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଥିଲେ ସେ l ୧୮୩୫ ମସିହା ଡିସେମ୍ବର ୧୩ ତାରିଖ, ପୌଷ କୃଷ୍ଣ ଅଷ୍ଟମୀ ତିଥିରେ ସାମନ୍ତ ଚନ୍ଦ୍ରଶେଖର ଖଣ୍ଡପଡ଼ା ରାଜବଂଶରେ ଜନ୍ମଗ୍ରହଣ କରିଥିଲେ । ଖଣ୍ଡପଡ଼ା ନିକଟସ୍ଥ ଖୁଣ୍ଟୁପଡ଼ା ଗ୍ରାମସ୍ଥିତ ମହାଦେବ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ପ୍ରସାଦରୁ ଏହି ବାଳକ ଜନ୍ମଗ୍ରହଣ କରିଥିବାର ବିଶ୍ୱାସ କରି, ପିତାମାତା ତାଙ୍କର ନାମ ଚନ୍ଦ୍ରଶେଖର ରଖିଥିଲେ । ତାଙ୍କ ଆଗରୁ ଦୁଇଟି ଝିଅ ଓ ଗୋଟିଏ ପୁଅ ମରିଯାଇଥିବାରୁ, ତାଙ୍କ ଅପର୍ତ୍ତ୍ୟାଣି ନାମ ପଠାଣି ରଖାଯାଇଥିଲା । ପିଲାଦିନୁ ସେ ଉଦାସୀନ, ମନଯୋଗୀ, ଏକାଗ୍ରଚିତ୍ତ ଓ ଅଧ୍ୟବସାୟୀ l
ଗୁରୁ କୃତ୍ତିବାସ ରଥଙ୍କଠାରୁ ବାଲ୍ୟଶିକ୍ଷା ଓ ଗୁରୁ ପଣ୍ଡିତ ଆନନ୍ଦ ଖାଡ଼ଙ୍ଗାଙ୍କଠାରୁ ସଂସ୍କୃତ ଶିକ୍ଷା ଲାଭ କରିଥିଲେ । ଚନ୍ଦ୍ରଶେଖରଙ୍କ ବାପା ସେହି ସମୟରେ ଜଣେ ପ୍ରଧାନ ଗାଣିତିକ ଥିଲେ । ଗଣିତ ଜ୍ୟୋତିଷରେ ତାହାଙ୍କର ଗଭୀର ପାଣ୍ଡିତ୍ୟ ଥିଲା । ଚନ୍ଦ୍ରଶେଖର ବାପାଙ୍କଠାରୁ ଗଣିତ ଜ୍ୟୋତିଷର ଆଲୋଚନା ମାଧ୍ୟମରେ ଶିକ୍ଷା ଲାଭ କରିଥିଲେ ।
ସାମନ୍ତଙ୍କ ସବୁଠୁ ପ୍ରିୟ ଶାସ୍ତ୍ର ଥିଲା “ନୈସଧୀୟ ଚରିତମ୍ ” ସମ୍ପୂର୍ଣ୍ଣ କାବ୍ୟ ତାଙ୍କର ଥିଲା ଅର୍ଥ ସହିତ କଣ୍ଠସ୍ଥ l ଏମିତି କି ମଳତ୍ୟାଗ କରିବାକୁ ଯିବା ସମୟରେ ଯଦି କିଏ କୌଣସି ଲୋକ ଗୋଟିଏ ପଦ ପଚାରିଦିଏ ସେଇଠାରେ ପାଣି ଢାଳ ରଖିଦେଇ ସାମନ୍ତ ଅର୍ଥ କରିବାରେ ଲାଗିପଡ଼ନ୍ତି l କେବଳ ସଂକୃତ ସାହିତ୍ୟ ନୁହେଁ, କର୍ମକାଣ୍ଡ ଓ ସୃତିଶାସ୍ତ୍ରରେ ଥିଲା ତାଙ୍କ ଅସାଧାରଣ ଦକ୍ଷତା l ପରାଶର ସୃତି, ଯାକ୍ୟବଲ୍ଲଭ ସୃତି ଆଦିରେ ସେଥିଲେ ନିପୁଣ l ମାତ୍ର ଏହି ଶାସ୍ତ୍ର କୁ ଭଲ ଭାବରେ ହୃଦୟଙ୍ଗମ କରିବାକୁ ଆବଶ୍ୟକ ଥିଲା ଜ୍ୟୋତିଷ ଶାସ୍ତ୍ରଜ୍ଞାନ l ପ୍ରାଚୀନ ଜ୍ୟୋତିଷର ତଥ୍ୟ ସହିତ ଗ୍ରହନକ୍ଷତ୍ରଙ୍କ କିଛି ତାଳ ମେଳ ରହୁନଥିବା ସାମନ୍ତ ଅନୁଭବ କରନ୍ତି l ମାତ୍ର ଚଉଦ ବର୍ଷ ବୟସ ରେ ଆରମ୍ଭ ହୁଏ ଜ୍ୟୋତିଷ ଗବେଷଣା l ପ୍ରସ୍ତୁତି ଚାଲେ ପୁଣି ଏ ନବ ଭାନୁଦୟୋର ଅଦ୍ୟାବଧି ସେହି ଭାନୁଦୟୋ ହିଁ ଆମ ମାର୍ଗ ଦର୍ଶକ l ସମ୍ବଳ ଭିତରେ ଦୁଇଟି ବାଉଁଶ ନଳୀ କେଇଖଣ୍ଡ କାଠି ଆଉ ସାମର୍ଥ୍ୟ କହିଲେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ l ଦୀର୍ଘ କୋଡିଏ ବର୍ଷର ଅକ୍ଲାନ୍ତ ପରିଶ୍ରମ ଜଣାନାହିଁ କେତେ ବିନିଦ୍ର ବିଭାବରୀ ବ୍ୟତୀତ ହୋଇଥିବ ବୟମାବଲୋକରେ . . I ଶେଷରେ ଆସିଲା ସେଇ ବହୁ ପ୍ରତିକ୍ଷୀତ ମୁହୂର୍ତ ଯୋଡାହେଲା କଳିଙ୍ଗ ଇତିହାସରେ ଆଉ ଏକ ଗୌରବଜ୍ୱଳ ପୃଷ୍ଠା ଏ ଜାତିକୁ ମିଳିଲା ଅମୁଲ୍ୟରତ୍ନ “ସିଦ୍ଧାନ୍ତ ଦର୍ପଣ” l ଯଦିଓ “ଦର୍ଶ ଦୀପିକା” ଓ “ଦର୍ପଣସାର” ତାଙ୍କର ଅନ୍ୟ ଦୁଇଟି କୃତି ମାତ୍ର “ସିଦ୍ଧାନ୍ତ ଦର୍ପଣ”ଙ୍କ କୃତିତ୍ୱର ପରିଚୟ ପତ୍ର l ଏଥିରେ ପାଖାପାଖି ୨୦୦୦ ଗୋଟି ପଦ ରହିଛି ।
(ମହାମହୋପାଧ୍ୟାୟ ପଠାଣି ସାମନ୍ତଙ୍କ ଦ୍ୱାରା ବ୍ୟବହୃତ ଜ୍ୟୋତିର୍ବିଜ୍ଞାନୀୟ ଯନ୍ତ୍ର ତଥା ସ୍ୱଲିଖିତ ପୋଥି
ସହିତ ସେ ବ୍ୟବହାର କରୁଥିବା ଲେଖନୀ ଯାହାକି ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ।
ଏଠାରେ ଦୃଷ୍ଟିଗୋଚର ହେଉଥିବା ଅନ୍ୟ ପତ୍ର ଦୁଇଟି ସମ୍ପର୍କରେ କୌଣସି ସୂଚନା ଦେଖିବାକୁ ମିଳୁନାହିଁ ।
ତେବେ ପଠାଣି ସାମନ୍ତଙ୍କ ଦ୍ୱାରା ବ୍ୟବହୃତ ଏହି ସ୍ମାରକୀ ସବୁ ବାସ୍ତବିକ ଓଡ଼ିଆ ଜାତି ପାଇଁ ଅମୂଲ୍ୟ ସମ୍ପଦ !)
ପଠାଣି ସାମନ୍ତ ୧୮୬୯ ମସିହା ମେଷ ସଂକ୍ରମଣ ଦିନ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥର ରଚନା ଆରମ୍ଭ କରିଥିଲେ । ୩୪ବର୍ଷ ବୟସରୁ ଆରମ୍ଭ କରିଥିବା ଏହି ଗ୍ରନ୍ଥ ମୁକୁନ୍ଦ ଦେବଙ୍କ ୧୪ଶ ଅଙ୍କ ମାର୍ଗଶୀର କୃଷ୍ଣ ନବମୀ ଶନିବାର ଅର୍ଥାତ ୧୮୯୨ ମସିହା ନଭେମ୍ବର ୧୨ତାରିଖ ଦିନ ସମାପ୍ତ ହୋଇଥିଲା । ଅତି ସୁନ୍ଦର ପଦ୍ୟାବଳି ସହ ସଂସ୍କୃତ ଭାଷାରେ ଲିଖିତ ଏହି ବୃହତ ଗ୍ରନ୍ଥରେ ୨୪ଟି ବିଭାଗ ଏବଂ ୨୫୦୦ଟି ଶ୍ଳୋକ ସ୍ଥାନିତ ହୋଇଛି । ଏଥିମଧ୍ୟରୁ ୨୨୮୪ଟି ଶ୍ଳୋକ ସାମନ୍ତଙ୍କଦ୍ୱାରା ରଚିତ ହୋଇଥିବା ବେଳେ ଅବଶିଷ୍ଟ ପୁରାତନ ସିଦ୍ଧାନ୍ତମାନଙ୍କରୁ ଗୃହୀତ । ଏହି ଗ୍ରନ୍ଥ ମଧ୍ୟାଧିକାର, ସ୍ଫୁଟାଧିକାର, ତ୍ରିପ୍ରଶ୍ନାଧିକାର, ଗୋଳାଧିକାର ଓ କାଳାଧିକାର ପରି ପଞ୍ଚ ଅଧିକାରରେ ବିଭକ୍ତ । ତାଳପତ୍ର ଉପରେ ଲିଖିତ ପଠାଣି ସାମନ୍ତଙ୍କ ହସ୍ତଲିପିକୁ ଘନଶ୍ୟାମ ମିଶ୍ର କାଗଜକୁ ଉତ୍ତାରିଥିଲେ । ତତ୍କାଳିନ କରଦରାଜ୍ୟ ସମୂହର ତଦନାନ୍ତୀନ ସହକାରୀ ସୁପରିଟେଣ୍ଡେଣ୍ଟ ସୁଦାମ ଚରଣ ନାୟକଙ୍କ ଉଦ୍ୟମରେ ଆଠମଲ୍ଲିକ ରାଜା ମହେନ୍ଦ୍ର ଦେଓ ଓ ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଆର୍ଥିକ ସହାୟତା କ୍ରମେ କଲିକତା ସ୍ଥିତ ଗିରୀଶ ବିଦ୍ୟାରତ୍ନ ମୁଦ୍ରଣାଳୟରେ ୧୮୯୪ ମସିହାରେ ଛାପାକାର୍ଯ୍ୟ ଆରମ୍ଭ ହୋଇଥିଲା ।
ଏହି ଗ୍ରନ୍ଥଟି ପାଖାପାଖି ୧୦୦ ବର୍ଷ ପର୍ଯ୍ୟନ୍ତ ଅନାଲୋଚିତ ହୋଇ ରହିଥିଲା । ଅଧ୍ୟାପକ ଯୋଗେଶଚନ୍ଦ୍ର ରାୟ ବିଦ୍ୟାନିଧି ‘‘ନେଚର କଲେଜ’’ ନାମକ ପତ୍ରିକାରେ ଏ ବିଷୟରେ ଏକ ଲେଖା ପ୍ରକାଶ କରି ଏହାକୁ ଲୋକ ଲୋଚନକୁ ଆଣିଥିଲେ । ପଦାର୍ଥବିଜ୍ଞାନୀ ପ୍ରଫେସର ଲକ୍ଷ୍ମୀଧର ଶତପଥି ଓ ଡଃ ପ୍ରହଲ୍ଲାଦ ଚନ୍ଦ୍ର ନାୟକ ମିଳିତ ଭାବେ ପଠାଣି ସାମନ୍ତ ସମ୍ବନ୍ଧରେ କତିପୟ ପ୍ରବନ୍ଧ ପ୍ରକାଶ କରି ଅଛନ୍ତି । କେତକ ଭାରତୀୟ ଓ ଅଣ-ଭାରତୀୟ ବୈଜ୍ଞାନିକଙ୍କ ଚେଷ୍ଟାରେ ତାଙ୍କ ସମ୍ବନ୍ଧରେ ‘‘ବୌଦ୍ଧିକ ଅବଦାନ’’ ନାମକ ପୁସ୍ତକ ଦିଲ୍ଲୀର ନିରୋସା ପବ୍ଲିସିଂ ହାଉସ ତରଫରୁ ପ୍ରକାଶିତ ହୋଇଛି ।
ସାମନ୍ତ ଚନ୍ଦ୍ରଶେଖର ଥିଲେ ଭଗବାନ ଜଗନ୍ନାଥଙ୍କ ପରମ ଭକ୍ତ ସିଦ୍ଧାନ୍ତ ଦର୍ପଣର ପ୍ରତି ଅଧ୍ୟାୟ ଶେଷରେ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ତୁତି କରିଛନ୍ତି l କେବଳ ସେତିକି ନୁହେଁ ଗ୍ରନ୍ଥ ରେ ସ୍ୱତନ୍ତ୍ର ଗୋଟିଏ ଅଧ୍ୟାୟ ମହାପ୍ରଭୁଙ୍କ ଉଦେଶ୍ୟରେ ସମର୍ପିତ l
ତେବେ ସାମନ୍ତ ଚନ୍ଦ୍ରଶେଖରଙ୍କୁ ତତ୍କାଳୀନ ବ୍ରିଟିଶ ସରକାରଙ୍କ ଦ୍ଵାରା “ମହାମୋହପାଧ୍ୟାୟ” ଉପାଧି ଦିଆ ଯାଇଥିଲା l କଲିକତା ସଂକୃତ କଲେଜର ଅଧକ୍ଷ ମହାମୋହପାଧ୍ୟାୟ ମହେଶଚଦ୍ର ସ୍ମୁତିରତ୍ନ କଟକ ଆସି ସାମନ୍ତ ଚନ୍ଦ୍ରଶେଖରଙ୍କ ଅଭୁତ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଓ ତତ୍କାଳୀନ ଲାଟ ସାହେବଙ୍କୁ ପତ୍ର ଲେଖି ଏ ବିଷୟରେ ଅବଗତ କରାଇଥିଲେ l ତାଙ୍କ ସୁପାରିଶ କ୍ରମେ ବ୍ରିଟିଶ ସାହେବ ସାମନ୍ତ ଚନ୍ଦ୍ରଶେଖରଙ୍କୁ ମହାମୋହପାଧ୍ୟାୟ ଉପାଧି ଦେଇଥିଲେ ଓ ମାସିକ ପଚାଶ ଟଙ୍କା ବୃତିର ବ୍ୟବସ୍ଥା କରିଥିଲେ l 1814 ଅଗଷ୍ଟ ୨୯ ତାରିଖରେ ପ୍ରଥମ କରି ବାରବାଟୀ କିଲା ଭିତରେ ଦରବାର ବସିଥିଲା (ଏହା ପୂର୍ବରୁ ସମସ୍ତେ ଦରବାର କିଲା ବାହାରେ ବସୁଥିଲା ) l ସେତେବେଳେ ଓଡିଶାର କମିଶନର ଥାନ୍ତି କୁକ ସାହେବ l ଏହି ଦରବାରକୁ ଲକ୍ଷ୍ୟ କରି କବିବର ରାଧାନାଥ “ଦରବାର” କବିତା ଲେଖିଛନ୍ତି l
ନିଜର ଜାତକକୁ ଗଣନା କରି ନିଜର ମୃତ୍ୟୁ ସମୟ ସେ ବହୁ ପୂର୍ବରୁ ଜାଣି ପାରିଥିଲେ । ସେଥିପାଇଁ ଅନ୍ତିମ କାଳରେ ସେ ପୁରୀରେ ଅବସ୍ଥାନ ପୂର୍ବକ ମହାପ୍ରଭୁ ଜଗନ୍ନାଥଙ୍କ କୃପାଲାଭ କରି ୧୧ ଜୁନ ୧୯୦୪ରେ ଇହଲୀଳା ସମ୍ବରଣ କରିଥିଲେ । ଏହି ମହାନ ବିଦ୍ୱାନଙ୍କ ସନମାନ ଉଦେଶ୍ୟରେ ଭୁବନେଶ୍ୱର ଠାରେ ପଠାଣିସାମନ୍ତ ତାରାଘର ଓ ପୁରୀରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି l
୧୯୧୫ ମସିହା ଅଗଷ୍ଟ ମାସ ପହିଲାରେ ପୁରୀଠାରେ “ଚନ୍ଦ୍ରଶେଖର ହଲ” ପ୍ରତିଷ୍ଠା କରାଯାଇଥିଲା ଯେଉଁଥିରେ ସାହିତ୍ୟିକ ଗୋପାଳଚନ୍ଦ୍ର ପ୍ରହରାଜ ଚନ୍ଦ୍ରଶେଖରଙ୍କ ସ୍ମୃତି ତର୍ପଣ କରି କହିଥିଲେ: “ନିଜ ଦେଶରେ ନିଜ ଗ୍ରାମରେ, ଆପଣା ଜୀବିତ କାଳରେ ମହାପୁରୁଷ ମାନେ ସମ୍ମାନିତ ହେବାର ମହାପୁରୁଷମାନଙ୍କର ଜୀବନରେ କ୍ୱଚିତ ଘଟିଥାଏ । ଆମ ଦେଶର “ଗାଁ କନିଆଁ ସିଙ୍ଘାଣିନାକୀ” ଏବଂ “ଗାଁ ବଳଦ ଗାଁରେ ବିକାଯାଏ ନାହିଁ” ପ୍ରଭୃତି ପ୍ରବଚନ ଏହି ଉକ୍ତିର ସତ୍ୟତା ପ୍ରତିପାଦନ କରୁଅଛି ।”
ରାଧାନାଥ ତାଙ୍କର ପ୍ରତିଭା ଓ କୃତିକୁ ଲକ୍ଷ୍ୟକରି ଦରବାର କବିତାରେ ଲେଖିଛନ୍ତି,
“ଉତ୍କଳମାତାର ଯୋଗ୍ୟତମ ସୂତ,
ତୁମ୍ଭ ଯୋଗୁଁ ଆମ୍ଭେ ସର୍ବେ ହେଲୁ ପୂତ,
ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ,
ନର ଦେହେଥିବ ଯାବତ ହୃଦୟ।’’
ପୃଥିବୀର ଅନ୍ତିମ ଦୁର୍ବାଙ୍କୁର ଚିର ହରିତ ଥିବା ପର୍ଯ୍ୟନ୍ତ l ଅନ୍ତିମ ନାଦ ଅନାହାତ ଥିବା ପର୍ଯ୍ୟନ୍ତ ସାମନ୍ତଙ୍କ ସିଦ୍ଧାନ୍ତ ଦର୍ପଣ ସର୍ବଦା ସମସ୍ତ ଉତ୍କଳୀୟଙ୍କ ମାର୍ଗ ଦର୍ଶନ ସାଜି ରହିତ ରହିଥିବ ଅନନ୍ତ କାଳ ପର୍ଯ୍ୟନ୍ତ l
©ତେଜସ୍ୱ ତ୍ରିପାଠୀ

Leave a Comment

Your email address will not be published. Required fields are marked *

Scroll to Top