ସାଧୁ ସୁନ୍ଦର ଦାସ

ଲେଖା: ନିରଞ୍ଜନ ସାହୁ

ଭାରତବର୍ଷର ଉତ୍କଳ ଖଣ୍ଡରେ ବହୁ ସାଧୁ, ସନ୍ଥ ଜନ୍ମ ନେଇ ଏହାର ସଂସ୍କୃତି, ଧର୍ମ, ସାମାଜିକ ପ୍ରଥା, ସାହିତ୍ୟ ଇତ୍ୟାଦିକୁ ପ୍ରଭାବିତ କରିବା ସହ ଅନେକ କିଛି ଦାନ କରିଯାଇଛନ୍ତି । ଦେଶର ପ୍ରତ୍ୟେକ ରାଜ୍ୟ, ଅଞ୍ଚଳରେ ଏମାନଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ । ତେବେ ଆଲୋଚନା, ପର୍ଯ୍ୟାଲୋଚନାର କ୍ଷେତ୍ରକୁ ଆସିଲେ ନିଃସନ୍ଦେହରେ ସମସ୍ତେ ଗୋଟିଏ କଥାରେ ଉପନୀତ ହେବା ଯେ, ଏହି ଭୂଖଣ୍ଡରେ ଜୟଦେବଙ୍କ ଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଯେତେ ସାଧୁ ମହାତ୍ମା ଧରାବତରଣ କରିଛନ୍ତି ସେମାନେ ସଭିଏଁ ସର୍ବନିୟନ୍ତାଙ୍କ ପ୍ରେରିତ ! ଏହ ମାଟିରେ ଐଶ୍ୱରୀୟ ଲୀଳା ରଚନା ପୂର୍ବକ ଉତ୍କଳୀୟ ତଥା ଭାରତୀୟ ମାନଙ୍କୁ ଅନେକ କିଛି ଦାନ କରିଯାଇଛନ୍ତି ସେହି ମହାତ୍ମାଗଣ । ହୋଇଥାଇ ପାରେ ପ୍ରଚାର ପ୍ରସାର ଠାରୁ ଦୂରରେ ରହିଥିବା ହେତୁ ଆମେ ଉତ୍କଳଖଣ୍ଡର ଜୀର୍ଣ୍ଣ ଗଣ୍ଡି ମଧ୍ୟରେ ଏବେ ବି ରହିଯାଇଛନ୍ତି ଏବଂ ଏହି ଉତ୍କଳ ଜନ୍ମିତ ମହାତ୍ମାମାନଙ୍କୁ ଭାରତବର୍ଷରେ ତଥା ବିଶ୍ଵରେ ସଠିକ ଭାବେ ଉପସ୍ଥାପିତ କରିବାକୁ ଯତ୍ପରୋନାସ୍ତି ଚେଷ୍ଟା ବି କରିନାହାନ୍ତି । ଏମିତିକି ଯେଉଁ ମହାତ୍ମା, ସାଧୁ, ସନ୍ଥ, ସମାଜ ସଂସ୍କାରକ, ଦେଶବତ୍ସଳ, ସାହିତ୍ୟିକ, ସେବକ, ରାଜନୈତିକ ନେତା ଯେଉଁ ଯେଉଁ ଅଞ୍ଚଳରେ ଜନ୍ମ ନେଇଛନ୍ତି, ସେମାନେ ସେହି କ୍ଷୁଦ୍ର ଅଞ୍ଚଳର ସୀମା ସରହଦ ମଧ୍ୟରେ ଆବଦ୍ଧ ଏବଂ ଆମେ ତାଙ୍କର ଉତ୍ତରଦାୟାଦଗଣ ସେମାନଙ୍କୁ ହୁଡ଼ା ଡିଆଇଁ ଦେବା ପାଇଁ ସମ୍ପୂର୍ଣ୍ଣ ରୂପେ କୃପଣ !! ସେଇଥିପାଇଁ ଆଜି ମଧ୍ୟ , “ସୁରୂପା ଅଂଶୁପା ଲୋକେ ଅଗୋଚର ….! “

ଏଇମିତି ଜଣେ ଓଡ଼ିଆ ମଣିଷ, ଯିଏ କଟକ ଜିଲ୍ଲାର ଏକ ଖଣ୍ଡିତ ଅଞ୍ଚଳରେ ସୀମିତ ହୋଇ ରହିଯାଇଛନ୍ତି । କିନ୍ତୁ ସମଗ୍ର ଉତ୍କଳ ଭୂଖଣ୍ଡରେ ସାଧୁ ମହାତ୍ମା, ଯୋଗୀ, ତ୍ୟାଗୀ, ବ୍ରହ୍ମଚାରୀ, ସନ୍ଥ, ଜ୍ଞାନୀ, ସମାଜ ସଂସ୍କାରକ, ସଂଗ୍ରାମୀ, ବୈଦାନ୍ତୀକ, ସାହିତ୍ୟିକ, ଏକେଶ୍ଵରବାଦୀ, ସର୍ବଧର୍ମ ସମନ୍ଵୟର ପ୍ରତୀକ, ଅଲୌକ ଶକ୍ତିର ଉତ୍ସ, ଯଶସ୍ଵୀ, ଦେଶପ୍ରେମୀ, କୀର୍ତ୍ତିବାନ୍ ମହାପୁରୁଷ ଥିଲେ ସିଏ । ‘ଇଂଲଣ୍ଡ ମିଉଜିଅମ୍ ଓ ଇଣ୍ଡିଆ ହାଉସରେ’ ତାଙ୍କର କୀର୍ତ୍ତି ଚିତ୍ରିତ, କିନ୍ତୁ ହାୟରେ ମୋ ଦୁର୍ଭାଗା ଦେଶ . . . !

ସେ ମହାତ୍ମା ସାଧୁ ସୁନ୍ଦର ଦାସ, କୁଜୀବର ମଠର ସନ୍ଥ, ସୁନ୍ଦରା ବାବା !

କୁଜୀବର ଗ୍ରାମ । କଟକ ଜିଲ୍ଲାର ଚୌଦ୍ଵାର ଢେଙ୍କାନାଳ ରାସ୍ତାରେ ଚୌଦ୍ଵାର ଠାରୁ ଡାହାଣ ହାତି ରାସ୍ତା (ଚୌଦ୍ଵାର-କପିଳାସ ମାର୍ଗ) ଦେଇ ଗଲେ ଚାରି କିଲୋମିଟର ଦୂରରେ କୁଜୀବର । ସଂଲଗ୍ନ ଗ୍ରାମ ସମୂହ – ନଖରା, କହ୍ନେଇପୁର, ଐତିହାସିକ ଉତ୍ତରେଶ୍ଵର ବୁଢ଼ାଲିଙ୍ଗ, ବିରାଟ ଗାଦୀ ଇତ୍ୟାଦି ଧର୍ମୀୟ ପୀଠ ।

ସାଧୁ ସୁନ୍ଦର ଦାସ ।

~ ବାଲ୍ୟ ଜୀବନ ~
୧୭୨୦ ମସିହା ଅପ୍ରେଲ ମାସ ୨୦ ତାରିଖ। ଚୌଦ୍ଵାର ନିକଟସ୍ଥ କୁମାରପୁର ଗାଁ । ଇନ୍ଦ୍ରମଣି ପାଇକରାୟ ଓ କୁମୁଦିନୀ ଦେବୀଙ୍କ ଔରସରୁ ଜାତହୁଏ ଶିଶୁଟିଏ । ନାଁ ରହିଲା ‘ସାଧୁଆ’। ଜନ୍ମର ଏକ ବର୍ଷ ପରେ ବାପା ଓ ମା’ ଚାଲିଗଲେ ଆରପାରିକୁ। ଲାଳନପାଳନ ଦାୟିତ୍ଵ ପଡ଼ିଲା ବଡ଼ବାପା ଓ ବଡ଼ମା’ ଉପରେ । ବାଲ୍ୟଶିକ୍ଷା ଶେଷ ହେଲା ମାଟିବଂଶ ଅବଧାନଙ୍କ ଚାହାଳୀରେ । ପିଲାଟି ଦିନରୁ ମନ ଥିଲା ଜଙ୍ଗଲରେ ବୁଲିବା, ଗାଈ ଚରାଇବା, ପଶୁ ଶିକାର ଓ ଅନ୍ୟ ଲୋକଙ୍କ ସେବା ଆଦିରେ । କେହି ବୟସରେ ବଡ଼ ହେଉ କି ସାନ, ସମସ୍ତଙ୍କ ନେତା କିନ୍ତୁ ସାଧୁଆ !

~ ସେନାପତି ସାଧୁଆ ~
ତାଙ୍କର ଥିଲା ବିଚକ୍ଷଣ ବୁଦ୍ଧି, ଅସୀମ ସାହସ । ଶକ୍ତି ଓ ସାମର୍ଥ୍ୟ ସହ ତୀର ଚାଳନାରେ ଧୂରୀଣ ଥିଲେ ସାଧୁଆ । ଏହି ଗୁଣ କ୍ରମେ କ୍ରମେ ଆଖପାଖ ଅଞ୍ଚଳକୁ ବ୍ୟାପିଲା । ବେଶ୍ ସୁନାମ ଆସିଗଲା ତାଙ୍କର । ସେ ସମୟରେ ଆଠଗଡ଼ ଥିଲା ଏକ ଛୋଟ ରାଜ୍ୟ । ସେଠାର ରାଜା ଲୋକନାଥ ନରେନ୍ଦ୍ର ଦେବ ସାଧୁଆଙ୍କ ବିଷୟରେ ଜାଣିବାକୁ ପାଇଲେ । ସିଧାସଳଖ ନିଯୁକ୍ତି ଦେଇଦେଲେ ତାଙ୍କ ସୈନ୍ୟ ବାହିନୀରେ । ପ୍ରଚଣ୍ଡ ପରାକ୍ରମୀ, ସାହସୀ ଓ ବୁଦ୍ଧିମାନ ଥିବା ହେତୁ ରାଜା ତାଙ୍କୁ ସେନାପତି ପଦରେ ଅଭିଷିକ୍ତ କରାଇଲେ । ନିକଟସ୍ଥ ଗଡ଼ସମୂହର ଏକତ୍ରୀକରଣରେ ଲାଗିପଡ଼ିଲେ ସାଧୁଆ । ଆରମ୍ଭ ହେଲା ଭୀଷଣ ଯୁଦ୍ଧ, ନରସଂହାର ଓ ରକ୍ତପାତ ।ଶେଷରେ ସାଧୁଆଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ହେଲା ଆଠଗଡ଼ ରାଜ୍ୟ ।

~ ଭାବାନ୍ତର ସୃଷ୍ଟି ~
ଭୀଷଣ ଯୁଦ୍ଧ, ଜନକ୍ଷୟ, ରକ୍ତପାତରେ କ୍ଷୁଦ୍ର କ୍ଷୁଦ୍ର ଗଡ଼ ସମୂହ ଗୋଟିଏ ଗଡ଼ (ରାଜ୍ୟ) ଭାବରେ ପ୍ରତୀୟମାନ ହେଲେ । ରାଜ୍ୟ ହେଲା ଆଠଗଡ଼ । ସମସ୍ତ ଶ୍ରେୟ ରହିଲା ସେନାପତିଙ୍କର । ଏକ ପକ୍ଷରେ ଲୋକନାଥ ନରେନ୍ଦ୍ରଙ୍କର ଭୂୟସୀ ପ୍ରଶଂସା, ଅନ୍ୟପକ୍ଷରେ ଯୁଦ୍ଧର ଭୟାବହତା ସାଧୁଆଙ୍କ ମନଶ୍ଚକ୍ଷୁରେ ଉଜ୍ଜୀବିତ ହୋଇ ଉଠିଲା । ତେବେ ଯୁଦ୍ଧର ଲୋମହର୍ଷଣକାରୀ ଦୃଶ୍ୟ ତାଙ୍କୁ ଅଧିକ ବିଚଳିତ କଲା । ଭାବାନ୍ତର ସୃଷ୍ଟି କଲା ଅତି ଅମାନୁଷିକ ବର୍ବରତାର ଦୃଶ୍ୟ ।

ସହଜେ ପିଲା ଦିନରୁ ଈଶ୍ଵରବିଶ୍ଵାସୀ ଥିଲେ ଯୁବକ ସାଧୁଆ । ତେଣୁ ମନରେ ତୁମୁଳ ସଂଘର୍ଷ ରୂପ ନେଲା ମାନବିକତା ଓ ଅତୀତର ହିଂସା ପରସ୍ପର ମଧ୍ୟରେ । କ୍ଷଣିକ ଯୁବକ ସୁଲଭ ଶୌର୍ଯ୍ୟର ପରୀକ୍ଷା ଓ ରାଜଧର୍ମ ପାଳନ ସିନା ରକ୍ତପାତ ଆଡ଼କୁ ମୁହାଁଇ ଦେଇଥିଲା, ହେଲେ ଅନ୍ତରାତ୍ମା ବିଳପି ଉଠୁଥିଲା ।ଈଶ୍ଵରଙ୍କ ସୁନ୍ଦର ସୃଷ୍ଟିକୁ ଅବଲୋକନ କରି ଚିନ୍ତାଗ୍ରସ୍ତ ହୋଇ ପଡି଼ଲେ ସାଧୁ ପାଇକରାୟ । ଏମିତିରେ ମନ ଭାରାକ୍ରାନ୍ତ ଥିବା ସମୟରେ ଗୋଟିଏ ରାତିରେ କେହି ଜଣେ ଈଶ୍ଵର ସ୍ଵପ୍ନରେ ଆବିର୍ଭୁତ ହୋଇ ଚେତେଇଦେଲେ – “ରକ୍ତପାତ ଦ୍ଵାରା ମୁକ୍ତି ମିଳେ ନାହିଁ ଓ ସମାଜର ମଙ୍ଗଳ ସାଧନ ହୁଏ ନାହିଁ । ସାଧୁକର୍ମରେ ଈଶ୍ଵର ପ୍ରକଟ ହୁଅନ୍ତି । ମୁକ୍ତିର ମାର୍ଗ ଦେଖାନ୍ତି ।” ଏହି ସ୍ଵପ୍ନ ପରେ ଆଉ ଶୋଇପାରିଲେ ନାହିଁ ସେନାପତି ସାଧୁ । ସେହି ସ୍ଵପ୍ନବାଣୀ ବାରମ୍ବାର ପ୍ରତିଧ୍ଵନି ତୋଳିଲା କର୍ଣ୍ଣଗହ୍ଵରରେ । ପାହାନ୍ତି ରାତିରୁ ଉଠି ପଡ଼ି ନିଜକୁ ସ୍ଵଗତୋକ୍ତି କରି କହିବାକୁ ଲାଗିଲେ – “ମୋତେ ଶାନ୍ତିର ମାର୍ଗ ବାଛିବାକୁ ହେବ । ସଂସାରର ମଙ୍ଗଳ ସାଧନ କରିବାକୁ ହେବ ।”

ସେନାପତିଙ୍କ ଜୀବନ ଅଧ୍ୟାୟରେ ଯୋଡ଼ି ହୋଇଗଲା ଏକ ନୂତନ ଫର୍ଦ୍ଦ । ରାଜାଙ୍କୁ ସାକ୍ଷାତ କରି ଗଡ଼ ତ୍ୟାଗ କଲେ । ପିତୃଦତ୍ତ ୧୨ ମାଣ ଜମିକୁ ଜନସାଧାରଣଙ୍କ ମଧ୍ୟରେ ବାଣ୍ଟି ଦେଇ ସଂସାର ତ୍ୟାଗୀ ହୋଇଗଲେ ଗତଦିନର ‘ଚଣ୍ଡାଶୋକ’। ଏକ ନିଶବ୍ଦ ରାତିରେ ସବୁ କିଛି ଆଡ଼େଇ ଦେଇ ପଶ୍ଚିମ ଦିଗକୁ ଅଗ୍ରସର ହେଲେ । ହାତରେ କିନ୍ତୁ ସେ ପର୍ଯ୍ୟନ୍ତ ଥିଲା ଧନୁତୀର ଓ ଶରୀର ଆଛନ୍ନ ଥିଲା ସେନାପତିଙ୍କ ରାଜକୀୟ ପୋଷାକ ।

~ ଏଇମିତି ଚାଲୁ ଚାଲୁ ~
ବହୁ ଜଙ୍ଗଲ, କଣ୍ଟକିତ ପଥ, ନଦୀ ନାଳ ସମୂହ ପାର ହୋଇ ଚାଲୁଥାନ୍ତି ସାଧୁ ପାଇକରାୟ । ଟିକେ ଭଲ ବିଶ୍ରାମ ପାଇଁ ରାହା ନଥାଏ । ଏମିତି ଚାଲୁ ଚାଲୁ ପହଞ୍ଚିଲେ ଗୋଟିଏ ଜଙ୍ଗଲରେ ଏବଂ ବିଶ୍ରାମ ପାଇଁ ସ୍ଥାନଟିଏ ବାଛି ନେଲେ । ବାହାର ଗୁପ୍ତଚର ସନ୍ଦେହରେ ସେଠାର ବନବାସୀମାନେ ତାଙ୍କୁ ଧରିନେଇ ରାଜାଙ୍କୁ ସମର୍ପି ଦେଲେ । ବିଚାର ହେଲା । ରାଜାଙ୍କ ସହ କଥାବାର୍ତ୍ତାରୁ ଜଣାପଡ଼ିଲା ସେ ଜଣେ ଅପୂର୍ବ ବୀର । ରାଜା ତାଙ୍କୁ ସେନାପତି ପଦରେ ଅଭିଷିକ୍ତ କରିବାକୁ ପ୍ରସ୍ତାବ ଦେଲେ । ଏହି ଅନୁରୋଧ ପ୍ରତ୍ୟାଖ୍ୟାନ କରି ସାଧୁଆ ପୁଣି ଫେରି ଆସିବାକୁ ମନସ୍ଥ କଲେ । କପିଳାସ ପର୍ବତ ପାଖରେ ପହଞ୍ଚି ସେଠାରୁ ବାହାରିଥିବା ‘ଗନ୍ଧବତୀ’ ନଦୀ କୂଳରେ ଶୋଇ ପଡ଼ିଲେ ।

~ ପୁଣି ଶୂନ୍ୟବାଣୀ/ଏହା କ’ଣ ବିଧି ପ୍ରେରିତ ? ~
କିଛି ଦିନ ଗନ୍ଧବତୀ ନଦୀ କୂଳରେ ବିଶ୍ରାମ ନେବା ପରେ ସାଧୁ ପାଇକରାୟ ସେହି ନଦୀର କୂଳେ କୂଳେ ପୂର୍ବ ଦିଗକୁ ଅଗ୍ରସର ହେଲେ । ରାସ୍ତାରେ ଆସୁଥିବା ବେଳେ ଗୋଟିଏ ଗର୍ତ୍ତ ମଧ୍ୟରେ ମୃଗଶିଶୁ ପଡ଼ିଯାଇଥିବା ଲକ୍ଷ୍ୟ କଲେ । ମନରେ ଅଙ୍କୁରିତ ହେଲା ଗତଦିନର ହିଂସ୍ର ଭାବନା । ଆଉ ଅପେକ୍ଷା ନକରି ଧନୁତୀର ଚଳାଇ ବଧ କଲେ ସେହି ମୃଗଛୁଆକୁ । ଗର୍ତ୍ତ ମଧ୍ୟରୁ ତା’ର ପିଲାକୁ ଉଦ୍ଧାରିବା ପାଇଁ ଟିକେ ଦୂରରେ ଥିଲା ମୃଗୁଣୀ । ଏସବୁ ଦେଖି ହଠାତ ଅନ୍ତର୍ଦ୍ଧାନ ହୋଇଗଲା ଏବଂ ଦୂରରୁ ଭାସି ଆସିଲା ଏକ ଦୁଃଖପ୍ରଦ କଣ୍ଠସ୍ୱର । ସେ କଣ୍ଠସ୍ୱରରେ  ଥିଲା ଗାମ୍ଭୀର୍ଯ୍ୟ, ଆତ୍ମୀୟତା ଏବଂ ନିର୍ଦ୍ଦେଶ – “ତୁ ପୁଣି ଜୀବବଧ କଲୁ ? ମହାପାପରୁ ତୋର ପରିତ୍ରାଣ ନାହିଁ ! ମନେ ରଖ୍ , ମୁଁ ତୋତେ ଏହି ଧରାକୁ ପଠାଇଛି, ସମାଜରେ ମଙ୍ଗଳ କାର୍ଯ୍ୟ କରିବା ପାଇଁ । ସେବା କାର୍ଯ୍ୟ କଲେ ତୋତେ ପରିତ୍ରାଣ ମିଳିବ କେବଳ । ଯାଅ, ଏହି ନଦୀ ସହ ମିଳିତ ହୋଇ ଆଉ ଏକ ଛୋଟ ନଦୀର ସଙ୍ଗମ ସ୍ଥଳରେ ପହଞ୍ଚି ଉତ୍ତର ଦିଗରେ ଥିବା ଏକ ଝାମ୍ପୁରିଆ ବଟବୃକ୍ଷ ମୂଳରେ ବସି ତପସ୍ୟା କରି ସିଦ୍ଧିଲାଭ କର। ପରମେଶ୍ଵରଙ୍କ ସାନିଧ୍ୟ ଲାଭ କର । ମନେ ରଖ୍ , ମୁଁ ସେହି ଈଶ୍ଵର, ଯିଏ ତୋତେ ଏହି ଧରାଧାମକୁ ପଠାଇଛି ! ଏକ ଈଶ୍ଵର, ଦ୍ଵିତୀୟ ନାସ୍ତି, ଏକେଶ୍ଵରବାଦର ପ୍ରତୀକ ହୁଅ ।” ଏବଂ ତହିଁ ଉତ୍ତାରେ . .


~ ସିଦ୍ଧ ସାଧୁଆ ~
ସେଦିନର ଶୂନ୍ୟବାଣୀ ଭାବାନ୍ତର ସୃଷ୍ଟି କଲା ମନରେ । ରାଜକୀୟ ପୋଷାକ ପରିତ୍ୟାଗ କରି, ଧନୁତୀର ଗନ୍ଧବତୀ ନଦୀରେ ନିକ୍ଷେପ କରି ସେହି ଶୂନ୍ୟବାଣୀ ନିର୍ଦ୍ଦେଶରେ ପହଜ୍ଞିଗଲେ ସେହି ବଟବୃକ୍ଷ ମୂଳରେ । ଛାୟା ପ୍ରଦାନକାରୀ ବଟବୃକ୍ଷ ଯେମିତି ଅପେକ୍ଷା କରିଥିଲା ବହୁଦିନରୁ ! ଧ୍ୟାନରତ ହେଲେ ସାଧୁଆ । କଠୋର ତପସ୍ୟାରେ ନିମଗ୍ନ ହୋଇ ଅଦ୍ୱିତୀୟ ଈଶ୍ଵରଙ୍କ ପାଖରେ ନିଜକୁ ସମର୍ପି ଦେଲେ । ‘ଧର୍ମଂ ଶରଣଂ ଗଛାମି’ ଅନୁରଣିତ ହେଲା ହୃଦୟରେ । କଠୋର ତପସ୍ୟା ବଳରେ ସିଦ୍ଧିଲାଭ କଲେ । ଶରୀରର କାନ୍ତି, ଆଜାନୁଲମ୍ବିତ ଭୁଜ, ସୌନ୍ଦର୍ଯ୍ୟମଣ୍ଡିତ ବପୁ  ସହ ଅସୀମ ବଳ, ଜ୍ଞାନଠୁଳ ହୋଇଗଲା ଈଶ୍ଵର କୃପାରୁ । ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁମାନେ ଉଦବୁଦ୍ଧ ହେଲେ ତାଙ୍କ ବାଣୀରେ ।

ଏବଂ . .

ଆଠଗଡ଼ ରାଜ୍ୟର ଏକଦା ସେହି ସେନାପତି ସାଧୁ ପାଇକରାୟ, କୁମାରପୁର ଗାଆଁର ଦୁଷ୍ଟ ବାଳକ ସାଧୁଆ ପରିଚିତ ହୋଇଗଲେ ସୁନ୍ଦରବାବା ଓରଫ୍ ମହାତ୍ମା ସାଧୁ ସୁନ୍ଦର ଦାସ ନାମରେ ।

ସେତେବେଳକୁ ଅଲୌକିକ ଶକ୍ତି ପ୍ରବେଶ କରି ସାରିଥିଲା ସାଧୁ ସୁନ୍ଦର ଦାସ ମହାତ୍ମାଙ୍କ ଠାରେ । ଜଳ ଉପରେ ବାଘଛାଲରେ ବସି ନଦୀ ପାର ହେବା, କୂଅରେ ବୁଡ଼ି ପୋଖରୀରେ ଉଠିବା, ପୋଖରୀରେ ବୁଡ଼ି କୂଅରେ ବାହାରିବା, ନିଃସନ୍ତାନକୁ ସନ୍ତାନ ବରପ୍ରାପ୍ତି ଇତ୍ୟାଦି ଅଲୌକକ ଶକ୍ତି ହଜାର ହଜାର ଲୋକଙ୍କୁ ଆକୃଷ୍ଟ କଲା । ସାଧୁ ସୁନ୍ଦର ଦାସ ମହାତ୍ମାଙ୍କ ସରଳ ତ୍ୟାଗୀ ଜୀବନ, ଗୁଣ, ଯଶ, କୀର୍ତ୍ତି ବ୍ଯାପିଗଲା ଚତୁର୍ଦ୍ଦିଗରେ । ବଟବୃକ୍ଷ ମୂଳରେ ସ୍ଥାପିତ ହେଲା କୁଜୀବର ଆଶ୍ରମ । ଅହର୍ନିଶ ଧୂନି ସ୍ଥାପିତ ହେଲା ।

~ ଅନନ୍ୟ କୁଜୀବର ଆଶ୍ରମ ~
(କ) ହିନ୍ଦୁତ୍ଵ –  ଯେଉଁ ବଟବୃକ୍ଷ ତଳେ ସାଧୁ ସୁନ୍ଦର ଦାସ ତପସ୍ୟା କରୁଥିଲେ, ସେଇଠି ପ୍ରତିଷ୍ଠା ହେଲା ଆଶ୍ରମ, ପାଖାପାଖି ୫୦୦ ଶିଷ୍ୟଙ୍କୁ ନେଇ । ଏ ଆଶ୍ରମ ଥିଲା ଭାରତୀୟ ସଂସ୍କୃତିର ପୁନରୁଦ୍ଧାର ପାଇଁ ଉଦ୍ଦିଷ୍ଟ । ବେଦ, ବେଦାନ୍ତ, ପୁରାଣ, ଶାସ୍ତ୍ର, ସଂସ୍କୃତି, ପରମ୍ପରା, ସାମାଜିକ ବିଧିବିଧାନ ଉପରେ ଶିକ୍ଷା ଥିଲା ମୂଳ ପାଠ୍ୟକ୍ରମ । ଆଶ୍ରମର ଚତୁର୍ଦ୍ଦିଗରେ ଛୋଟ ଛୋଟ ଆଶ୍ରମ ପ୍ରତିଷ୍ଠା କରି ସାଧୁମାନେ ରହିବା ଆବଶ୍ୟକ ମଣିଲେ । ଆକୃଷ୍ଟ ହେଲେ ବହୁ ରାଜା, ଜମିଦାର ଓ ସାଧାରଣବର୍ଗ ଲୋକେ । ଉତ୍କଳୀୟ ସଂସ୍କୃତିରେ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଧର୍ମଚର୍ଚ୍ଚା, ଯଜ୍ଞ, ତାମସା, ନୃତ୍ୟ, ପାଲା ଇତ୍ୟାଦି ଅନୁଷ୍ଠିତ ହେଲା । ବୁଦ୍ଧଙ୍କ ବାଣୀ, ଉକ୍ତି  ଆପଣେଇ ନେଉଥିଲେ ପଣ୍ଡିତଗଣ ଓ ଛାତ୍ରମାନେ। ସ୍ଵୟଂ ସାଧୁ ସୁନ୍ଦର ଥିଲେ ବୁଦ୍ଧବାଣୀର ଉପାସକ ।

(ଖ) ଯୀଶୁ ନା ବୁଦ୍ଧ: ଅନ୍ୟ ଦିଗରେ ଏକେଶ୍ଵରବାଦୀ ଥିଲେ ସାଧୁ ସୁନ୍ଦର ଦାସ । ଏକ ଈଶ୍ଵର – ଦ୍ଵିତୀୟ ନାସ୍ତି ଥିଲା ତାଙ୍କର ମୂଳମନ୍ତ୍ର । ଆଶ୍ଚର୍ଯ୍ୟର କଥା ଯୀଶୁଖ୍ରୀଷ୍ଟଙ୍କ ବାଣୀ, ଆଦର୍ଶ, ସେବା ଓ ଭଲପାଇବା ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା । ଏକ ପକ୍ଷରେ ଭାରତୀୟ ଦର୍ଶନ, ଈଶ୍ଵରବିଶ୍ଵାସ, ଅପର ଦିଗରେ ବୁଦ୍ଧ ଓ ଯୀଶୁଙ୍କ କର୍ମ ଓ ବାଣୀର ଅପୂର୍ବ ସମନ୍ବୟ କ୍ଷେତ୍ର ଥିଲା କୁଜିବର ଆଶ୍ରମ । ବିଦେଶୀ ଇଂରେଜମାନେ ତାଙ୍କୁ ଗ୍ରହଣ କରି ନେଇଥିଲେ ଯୀଶୁଙ୍କ ଦ୍ଵିତୀୟ ଅବତାର ଭାବରେ ! ହିନ୍ଦୁ ମାନେ ଗ୍ରହଣ କରିଥିଲେ ସଦଗୁରୁ ଓ ଅବତାର ଭାବରେ ! ଆସନ୍ତୁ ଇଂରେଜ ମଣିଷର ମନ୍ତବ୍ୟକୁ ଦେଖିବା —

(ଗ) ଆଶ୍ରମ ନା ବିଶ୍ଵବିଦ୍ୟାଳୟ: It is a true picture of the moral world in heaven lands of Utkal. There are more than 500 scholars and disciples were attached to it, which was like a miniature University of Utkal. (Dr. Amos Sutton )
ବେଦ, ବେଦାନ୍ତ, ଧର୍ମଶାସ୍ତ୍ର, ପୁରାଣ, ଗୀତା, ସାଂଖ୍ୟ, ସିଦ୍ଧାନ୍ତ ଶିକ୍ଷାଦାନ ବିଶ୍ଵବିଦ୍ୟାଳୟ ନୁହେଁ ତ ଆଉ କ’ଣ ? ତେବେ ସଟନ୍ ମହାଶୟଙ୍କ ଉପଲବ୍ଧିକୁ ସମ୍ମାନ ଦେଇ ଏ କଥା କହିପାରିବା ନାହିଁକି, ଏଇ କୁଜୀବର ଆଶ୍ରମ ଆମ ଓଡ଼ିଶାର ପ୍ରଥମ ବିଶ୍ଵବିଦ୍ୟାଳୟ ?

~ କୁସଂସ୍କାର ଓ ପୌତ୍ତଳିକତାର ଉପବନ ଓଡ଼ିଶା ? ~
“ଓଡ଼ିଶା ଏକ ଧାତୁ ନିର୍ମିତ ବୃହତ କଟାହ । ଶତଶତ ବର୍ଷ ହେଲା ଏହା ଉତ୍ତପ୍ତ ଅବସ୍ଥାରେ ଅଛି। ଏହି ପାକପାତ୍ରରେ ମୂଢ଼ତା ଓ ଧର୍ମାନ୍ଧତା ଜନିତ ବହୁ ବିଷାକ୍ତ ଉପାଦାନ ନିକ୍ଷିପ୍ତ । ତେବେ ଏହା ବିଶୋଧିତ ଓ ନିର୍ମଳ ହେବ କହିବା ଦୁଷ୍କର !”
– ଲେଫଟନାଣ୍ଟ ଉଇଲିୟମ ଜେ. ବି. ଲରି ।

ଏହିଭଳି ଧାରଣା ଓ ଅନ୍ୟ କେତେକ ଚିନ୍ତାଧାରାରେ ପୁଷ୍ଟ ହୋଇ ମିଶନାରୀମାନେ ଓଡ଼ିଶାରେ ଖ୍ରୀଷ୍ଟଧର୍ମ ପ୍ରଚାର ପାଇଁ ସଦଳବଳେ ପହଞ୍ଚିଲେ । ୧୮୦୩ ମସିହାରେ ଇଂରେଜ ହାତକୁ ଚାଲି ଯାଇଥିଲା ଓଡ଼ିଶା । ତେଣୁ ବେଶ ସୁହାଇଲା । ସହକର୍ମୀ ମାନଙ୍କ ସହ ଜଗନ୍ନାଥ ମନ୍ଦିର ପାଚେରୀ ନିକଟରେ, ମେଳା, ହାଟବଜାର, ଉତ୍ସବାଦି ଅନୁଷ୍ଠାନରେ, ବିଭିନ୍ନ ଗ୍ରାମରେ ବୁଲି ଖ୍ରୀଷ୍ଟଧର୍ମ ସମ୍ବନ୍ଧୀୟ ଗୀତ, ସୁସମାଚାର, ଲେଖା, ଟ୍ରାକ୍ଟ (ଅଲୌକିକ ବିଦ୍ୟା), ପ୍ରାରମ୍ଭିକ ପୁସ୍ତକ ବଣ୍ଟନରେ ଆଗେଇଲେ ପାଦ୍ରୀ ମାନେ । ଆମୋସ୍ ସଟନ୍ ସାହେବ ଥିଲେ ସର୍ବାଗ୍ରେ ।

ସେତେବେଳକୁ ସାଧୁ ସୁନ୍ଦରଙ୍କ ଖ୍ୟାତି ଚତୁର୍ଦ୍ଦିଗରେ ବ୍ୟାପ୍ତ । ଦ୍ଵିତୀୟରେ ହିନ୍ଦୁ ଧର୍ମର ପିତୁଳା ପୂଜା, କୁସଂସ୍କାର ହେତୁ ତାଙ୍କ ଚିତ୍ତରେ ଧର୍ମ ବ୍ୟାପାରରେ ସଂଶୟ ପ୍ରକାଶିତ ଓ ବର୍ଣ୍ଣାଶ୍ରମ ଧର୍ମ ପ୍ରତି ନିଷ୍ଠା ଶିଥିଳ, ତୃତୀୟରେ ଯୀଶୁଙ୍କ ଦଶାଜ୍ଞା ପ୍ରତି ପ୍ରାଥମିକ ସ୍ତରରେ ଅନୁରାଗ, ଚତୁର୍ଥତଃ ବୁଦ୍ଧଙ୍କ ବାଣୀ ଉପରେ ସମ୍ପୂର୍ଣ୍ଣ ଭରସା, ଅନ୍ୟ କ୍ଷେତ୍ରରେ ତାଙ୍କ କର୍ତ୍ତୃତ୍ଵରେ ୫୦୦ ଛାତ୍ର — ଏସବୁର ଫାଇଦା ଉଠାଇବା ଥିଲା ପାଦ୍ରୀ, ମିଶନାରୀ ଓ ସଟନ୍, ଲେସି ଇତ୍ୟାଦିଙ୍କ ପରି ବିଦ୍ୱାନମାନଙ୍କର ଲକ୍ଷ୍ୟ । ତେଣୁ ସାଧୁଙ୍କ ଏକେଶ୍ଵରବାଦର ଅନୁଗାମୀ ହୋଇ ଶିଷ୍ୟ ରୂପେ ପ୍ରତିଷ୍ଠା ଲାଭ କରିବାରୁ ଓଡ଼ିଶାରେ ଖ୍ରୀଷ୍ଟଧର୍ମ ପ୍ରବେଶ ପାଇଁ ଦ୍ଵାର ଖୋଲିଗଲା । ଏହି ମିଶନାରୀ ମାନେ ବାରମ୍ବାର ଆଶ୍ରମକୁ ଆସି ସାଧୁ ସୁନ୍ଦରଙ୍କ ଶିଷ୍ୟ ରୂପେ ଯୋଗଦେଇ ତାଙ୍କ ଅନୁପସ୍ଥିତିରେ ତାଙ୍କର ଥିବା ପ୍ରମୁଖ ବାରଜଣ ଶିଷ୍ୟଙ୍କ ମଧ୍ୟରେ ଧର୍ମାନ୍ତରୀକରଣ ବିଷମଞ୍ଜି ବପନ କରିବା ପାଇଁ ବଦ୍ଧପରିକର ଥିଲେ । ଶରବ୍ୟ ହେଲେ ପ୍ରଥମ ପ୍ରଧାନ ଶିଷ୍ୟ ଗଙ୍ଗାଧର ଷଡ଼ଙ୍ଗୀ । ୧୮୨୮ ମାର୍ଚ୍ଚ ମାସ ତେଇଶି ତାରିଖରେ ସୁଫଳ ଫଳିଲା । ଗଙ୍ଗାଧର ଷଡ଼ଙ୍ଗୀ ହୋଇଗଲେ ପ୍ରଥମ ଓଡ଼ିଆ ଖ୍ରୀଷ୍ଟିଆନ୍ ଓଡ଼ିଶା ମାଟିରେ । ଆଜନ୍ମ ବ୍ରହ୍ମଚାରୀ, ହିନ୍ଦୁ ଧର୍ମରେ ଏକେଶ୍ଵରବାଦର ପ୍ରମୁଖ କାଣ୍ଡାରୀ, ଭାରତୀୟ ଧର୍ମ ସଂସ୍କୃତିର ନିଷ୍ଠାପର ପୂଜାରୀ, ଧର୍ମୀୟ ବିପ୍ଳବୀ ସାଧୁ ସୁନ୍ଦରଙ୍କ ଦୃଷ୍ଟି ଏଡ଼ାଇ ପାରିନଥିଲେ ଗଙ୍ଗାଧର ଷଡ଼ଙ୍ଗୀ । ଆଶ୍ରମରୁ ହେଲେ ବିତାଡ଼ିତ । ଅନ୍ୟ ପକ୍ଷରେ ସାଧୁଙ୍କୁ ଧର୍ମାନ୍ତରିତ କରିବା ନିମନ୍ତେ ମିଶନାରୀ ମାନେ ଚେଷ୍ଟା ଅବ୍ୟାହତ ରଖିଲେ । ବହୁ ଆଶା, ଚେଷ୍ଟା  ମଉଳିଗଲା କ୍ରମଶଃ । ଶେଷ ପର୍ଯ୍ୟନ୍ତ ସାଧୁ ସୁନ୍ଦର ଦାସ ରହିଲେ ଅଣଖ୍ରୀଷ୍ଟିଆନ୍ ।

~ ଭାରତବର୍ଷର ସର୍ବପ୍ରଥମ ସମ୍ବାଦପତ୍ର କୁଜୀବର ପତ୍ର ~
ସମାଜରେ ସୃଷ୍ଟ କୁସଂସ୍କାର, ଭାରତୀୟ ସମାଜରେ ନାନା ପ୍ରକାର ସମସ୍ୟା ସମାଧାନ ପାଇଁ, ସାଧୁ ସୁନ୍ଦରଙ୍କ ଏକେଶ୍ଵରବାଦ, ଧର୍ମବାଣୀ ପ୍ରଚାର ପ୍ରସାର ପାଇଁ ସମ୍ବାଦପତ୍ରଟିଏ ପ୍ରକାଶିତ ହେଲା ୧୭୬୯ ମସିହାରେ କୁଜୀବର ପତ୍ର ନାମରେ । ପ୍ରତିଷ୍ଠାତା ସାଧୁ ସୁନ୍ଦର ଦାସ । ଏଥିରେ ୧୨ ଜଣ ଶିଷ୍ୟଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ଏଥିରେ ପାଞ୍ଚ ଜଣ ଥିଲେ  ପରିଚାଳନା ଦାୟିତ୍ବରେ । ମୁଖ୍ୟ ପରିଚାଳକ ଗଙ୍ଗାଧର ଷଡ଼ଙ୍ଗୀ । ତାଳପତ୍ର ପୋଥିରେ ଲେଖନୀ ଚାଳନା କରି ଲେଖା ହୋଇ ପ୍ରକାଶ ପାଉଥିଲା ସମ୍ବାଦପତ୍ର । ଆବଶ୍ୟକ ସ୍ଥଳେ ମାସିକ, ତ୍ରୈମାସିକ, ଷାଣ୍ମାସିକ, ବାର୍ଷିକ ସଂଖ୍ୟା ପ୍ରକାଶ ପାଉଥିଲା । ଅନ୍ୟ ଭାଷାରେ ଅନୁଦିତ ହୋଇ ଦେଶବିଦେଶରେ ପ୍ରସାରିତ ହୋଇଥିଲା ଏହି ସମ୍ବାଦପତ୍ର । ଏହା ଥିଲା ଓଡ଼ିଶାର ତଥା ଭାରତର ପ୍ରଥମ ସମ୍ବାଦପତ୍ର ।

The name of the prominent Saint was known throughout Orissa as an old spiritual Rishi and Guru or Sundara Babaji or Dharmapita who was not only a holy and venerable Sage but also regarded as a socio-religious reformer teacher of Vedantism, a great orator , a stict disciplinarian, a staunch nationalist and publicist who published the first vernacular newspaper Kujibar Patra during Marahatta and British Administration of Orissa till 1833 AD. His newspaper was foremost independent organ of Orissa in which political, religious, socio and adminstrative affairs of the country were being commented which attracted the attention of the people and British Rulers and Missionaries. (Kujibar Publication, Preface, the 7th pamphlet)

କୁଜୀବର ପତ୍ର ଆଉ ନାହିଁ । ସାଧୁଙ୍କ ରଚିତ  ଅଳ୍ପ କେତୋଟି ବହି ମାତ୍ର ଏବେ ମଧ୍ୟ ବଞ୍ଚିଛି । କଳିଯୁଗ ମାଳିକା, କଳକୀ ଆସୁଛି, ଛାନ୍ଦ ମାଳା, ଭଜନମାଳା ଇତ୍ୟାଦି ।

~ ଭୀଷଣ ଷଡ଼ଯନ୍ତ୍ରର ଶୀକାର ~
ଇଂରେଜ, ମୋଗଲ, ମରହଟ୍ଟାମାନଙ୍କର ଓଡ଼ିଶାର ସଂସ୍କୃତି, ଐତିହ୍ୟ, ପରମ୍ପରା ଉପରେ ହସ୍ତକ୍ଷେପ ସହ ରାହାଜାନୀ, ଲୁଣ୍ଠନର ପ୍ରତିବାଦ ଏବଂ ପାଦ୍ରୀ ମିଶନାରୀ ମାନଙ୍କ ଦ୍ଵାରା ଯୀଶୁଙ୍କ ବାଣୀର ଅପବ୍ୟବହାର, ଜବରଦସ୍ତ ଧର୍ମାନ୍ତରୀକରଣ ସମ୍ପର୍କରେ କୁଜୀବର ପତ୍ରରେ ଲେଖନୀ ଚାଳନା ଫଳରେ ଚକ୍ଷୁଶୀଳ ହୋଇ ଉଠିଲେ ସାଧୁ ସୁନ୍ଦର ଦାସ ବାବା । କୌଣସି ଏକ ହିନ୍ଦୁ ନାରୀର ସତୀତ୍ଵ ଉପରେ ଜଣେ ଖ୍ରୀଷ୍ଟିଆନ ଯୁବକଙ୍କ ଟିପ୍ପଣୀ ଓ ମିଥ୍ୟା ଆରୋପକୁ ଭିତ୍ତି କରି ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସାଧୁଙ୍କ ବିରୋଧରେ ନାନା କପୋଳକଳ୍ପିତ ମିଥ୍ୟାରଟନା କରି କେଶ୍ ଦାଏର କଲେ । ସୁନ୍ଦରା ବାବାଙ୍କୁ ଧରି ନେଇ କୋର୍ଟରେ ହାଜର କରାଇଲେ । ସାଧୁ ସୁନ୍ଦରଙ୍କ ଧର୍ମ, ନ୍ୟାୟ, ସଂସ୍କାରବାଦୀ ଯୁକ୍ତିରେ କୋର୍ଟ ଜଜ୍ ଅଭିଭୂତ ହୋଇ ନିର୍ଦ୍ଦୋଷରେ ଖଲାସ କଲେ ସାଧୁ ସୁନ୍ଦର ଦାସ ମହାତ୍ମାଙ୍କୁ । ଈର୍ଷାନ୍ଵିତ ହୋଇ ପାଦ୍ରୀମାନେ ଇଂରେଜ ପୋଲିସ ସହାୟତାରେ ଆଶ୍ରମ ଉପରେ ୧୪୪ ଧାରା ଜାରି କରାଇଦେଲେ । ଖ୍ରୀଷ୍ଟିଆନ ମାନେ ବିଭତ୍ସ କାଣ୍ଡ ଭିଆଇଲେ । ଯୋର ଜବରଦସ୍ତ ଧର୍ମାନ୍ତିକରଣ କରାଇଲେ । ଆଶ୍ରମ ମଧ୍ୟରେ ଗଣ୍ଡଗୋଳ, ଜାତିଆଣ ଭାବ ଆରମ୍ଭ କରିଦେଲେ । ଆଶ୍ରମ ଶ୍ରୀହୀନ ହେବାକୁ ଲାଗିଲା । ବିଷାଦଗ୍ରସ୍ଥ ସାଧୁ ସୁନ୍ଦର ଦାସ ଆଶ୍ରମ ଛାଡ଼ି ଚାଲିଗଲେ ।

ବାବାଙ୍କ ଅନୁପସ୍ଥିତିରେ ଆହୁରି ବିଶୃଙ୍ଖଳା ସୃଷ୍ଟି ହେଲା । ବିଦ୍ରୋହର ସୂତ୍ରପାତ ହେଲା । ନିତିଦିନିଆ ନୀତି, ସାଂସ୍କୃତିକ କାର୍ଯ୍ୟକ୍ରମ, ଯଜ୍ଞାଦି କର୍ମ, ଧୂନି,  ବେଦପାଠ, ବିଦ୍ୟାଳୟ ପାଠପଢ଼ା, ଭକ୍ତମାନଙ୍କ ଯିବା ଆସିବା ଠପ୍ ହୋଇଗଲା। ବେଦ, ବେଦାନ୍ତ, ଧର୍ମଶାସ୍ତ୍ର, ପୁରାଣ, ଗୀତା, ସାଂଖ୍ୟ, ଯୋଗ ସବୁ କିଛି ସମାଧିସ୍ଥ ହୋଇଗଲା ! କୁଜୀବର ପତ୍ରର ସମସ୍ତ ସଂଖ୍ୟା ପ୍ରେରିତ ହୋଇଗଲା ଇଂଲଣ୍ଡ ମିଉଜିଅମକୁ ଓ ଇଣ୍ଡିଆ ହାଉସକୁ ।

~ ବିଷାଦଗ୍ରସ୍ଥ ସନ୍ଥ ~
ଏସବୁ ଦେଖି ହଠାତ୍ ବିଷାଦ ଜାତ ହେଲା ସାଧୁଙ୍କ ମନରେ । ମର୍ମାହତ ହେଲେ । ଜୀବନ ପ୍ରତି ବିତୃଷ୍ଣା ଜାତ ହେଲା । ବିଦ୍ରୋହୀ ଶିଷ୍ୟମାନଙ୍କୁ ଡାକି ଜୀବନ୍ତ ସମାଧି ନେବାକୁ ଇଛା ବ୍ୟକ୍ତ କଲେ । ଏଭଳି ସୁଯୋଗକୁ ହାତଛଡ଼ା ନକରି ବିଦ୍ରୋହୀ ମାନେ ଅନ୍ୟ ଚକ୍ରାନ୍ତକାରୀଙ୍କ ଦ୍ଵାରସ୍ଥ ହେଲେ । ଯେଉଁ ବଟବୃକ୍ଷ ମୂଳରେ ସାଧୁ ସୁନ୍ଦର ଦାସ ସିଦ୍ଧିପ୍ରାପ୍ତ ହୋଇଥିଲେ, ସେହି ସ୍ଥାନରେ ଗୋଟିଏ ଗର୍ତ୍ତ ଖୋଳାଗଲା । ସାଧୁ ତହିଁରେ ପ୍ରବେଶ କଲେ । ତପସ୍ୟାରେ ବସିଲେ । ଦୁଇ ହାତ ଉର୍ଦ୍ଧ୍ବକୁ ତୋଳି ଅଜ୍ଞାନ, ଦୁଷ୍ଟ ଶିଷ୍ୟମାନଙ୍କୁ ଈଶ୍ଵର ପରିତ୍ରାଣ ଦିଅନ୍ତୁ ବୋଲି ପ୍ରାର୍ଥନା କଲେ । ସେଦିନ ଥିଲା ୧୮୩୮ ମସିହା ଅପ୍ରେଲ ମାସ ୧୬ ତାରିଖ । ୧୧୮ ବର୍ଷ ବୟସର ପବିତ୍ର ଆତ୍ମା ପଞ୍ଚଭୂତରେ ଲୀନ ହୋଇ ନିର୍ବାଣ ପ୍ରାପ୍ତ ହେଲେ ।

~ କୁଜୀବର ଆଶ୍ରମ, ଏକ ତୀର୍ଥକ୍ଷେତ୍ର ~
ସାଧୁଙ୍କ ଜୀବନକାଳ ମଧ୍ୟରେ ପ୍ରତିବର୍ଷ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଥିଲା ସାତଦିନ ଧରି । ଭାରତବର୍ଷର ଉତ୍ତର ପ୍ରାନ୍ତରୁ ବିଦ୍ୱାନ ପଣ୍ଡିତ ମଣ୍ଡଳୀ ଯୋଗ ଦେଉଥିଲେ । ଏହା ଏବେ ପ୍ରତୀକ ଭାବେ ଏକ ଦିନ (ଅକ୍ଷୟ ତୃତୀୟା) ଧରି ହେଉଛି । ସୁନ୍ଦରା ମଠ ଏକ ସିଦ୍ଧପୀଠ । ଏ ଅଞ୍ଚଳର ଲୋକମାନଙ୍କ ଉପରେ ଏହାର ପ୍ରଭାବ ଅନେକ । ସାଧୁଙ୍କ ମହାପ୍ରୟାଣ ପରେ କେତେକ ଶିଷ୍ୟ ଓ ଅଞ୍ଚଳବାସୀ ଦାନ ସଂଗ୍ରହ କରି ପଞ୍ଚମୁଖୀ ହନୁମାନ ମନ୍ଦିର, ବାଇଶି ପାହାଚ, ଲଳିତା କୁଣ୍ଡ, ଯଜ୍ଞମଣ୍ଡପ, ସଭାଗୃହ, ବେଦ ବେଦାନ୍ତ ବିଦ୍ୟାଳୟ, କୂପ, ବିଶ୍ରାମସ୍ଥଳୀ, ପାଠାଗାର ଆଦିର ପୁନରୁଦ୍ଧାର କରିବା ସହ ନୂତନ ଭାବେ ମନ୍ଦିର ପରିସରରେ କାର୍ଯ୍ୟ ଆରମ୍ଭ କରୁଛନ୍ତି । (କଟକ ବକ୍ସିବଜାର ବେପାରୀ ସାହିର ସ୍ଵର୍ଗତ ମଦନମୋହନ ସାହୁଙ୍କ ପରିବାରର ଅବଦାନ ଏଥିପାଇଁ ସର୍ବାଦୌ ସ୍ମରଣୀୟ। ସାଧୁଙ୍କ ଜୀବଦ୍ଦଶାରେ ଶ୍ରୀ ମଦନମୋହନ ସାହୁ ତାଙ୍କୁ ଧର୍ମପୁତ୍ର ଭାବେ ଗ୍ରହଣ କରିଥିଲେ ଓ  ସାଧୁ ସୁନ୍ଦରଙ୍କ କଟକରେ ସ୍ଵଳ୍ପ କାଳୀନ ରହଣି ପାଇଁ ଘର କରିଦେଇଥିଲେ ବେପାରୀ ସାହିରେ । ଯାହା ଅଦ୍ୟାବଧି ସାଧୁଙ୍କ ନାମରେ ରହିଛି ।) ମନ୍ଦିର ଚାରିପଟେ କାଳିକା ଦେବୀ, ତାରେଣୀ ପୀଠ, ବାଉତି ଦେବୀ, ମଙ୍ଗଳା ବିରାଜିତ, ଯାହା ପରବର୍ତ୍ତୀ ସମୟରେ ଶିଷ୍ୟମାନଙ୍କ ଦ୍ଵାରା ପ୍ରତିଷ୍ଠିତ । ଏବେ ମଧ୍ୟ ଓଡ଼ିଆ ସଂସ୍କୃତି ସେହି ପବିତ୍ର ମଠରେ ବଞ୍ଚି ରହିଥିବା ମନେ ହୁଏ । ପାରାୟଣ, ଧର୍ମଚର୍ଚ୍ଚା, ଦୋଳଯାତ୍ରା, ଅଷ୍ଟପ୍ରହରୀ, ପାଲା, ଖଞ୍ଜଣି ଭଜନ, ଶାସ୍ତ୍ରୀୟ ସଙ୍ଗୀତ ଉତ୍ସବ ଅନୁଷ୍ଠିତ ହେଉଅଛି ବାର ମାସରେ ତେର ପର୍ବ ଭଳି। 

ସାଧୁ ସୁନ୍ଦର ଦାସ ଓଡ଼ିଶାର ମୁନିଶ୍ରେଷ୍ଠ ଭାବେ ବିବେଚିତ । ସଙ୍କୀର୍ଣ୍ଣତା ଯୁକ୍ତ ସେବେଳର ଖ୍ରୀଷ୍ଟିଆନ ପାଦ୍ରୀ ଓ ଇଂରେଜମାନଙ୍କ କ୍ରୁରଦୃଷ୍ଟି ନ ପଡ଼ିଥିଲେ, ଆଜି ନିଶ୍ଚିତ ଭାବେ ଓଡ଼ିଶାର ଘରେ ଘରେ ପରିଚିତ ଥାଆନ୍ତେ ମହାତ୍ମା ସାଧୁ ସୁନ୍ଦର ଦାସ ।

ଆଧାର: ସାଧୁ ସୁନ୍ଦର ସ୍ମୃତି କମିଟି; କରୁଣାକର ବେହେରା, ସମ୍ପାଦକ, ସ୍ମୃତି କମିଟି; ଶ୍ରୀ ଶରତ କୁମାର ସାହୁ, ମାର୍ଫତଦାର୍;  କୁଜୀବର ମଠର ଅନ୍ତେବାସୀ; ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ, ଡ. ଶ୍ରୀନିବାସ ମିଶ୍ର; ଫକୀରମୋହନ ଆତ୍ମଚରିତ; ମୋ’ର ପ୍ରତ୍ୟକ୍ଷ ଦର୍ଶନ; ସାଧୁ ସୁନ୍ଦର ଦାସ ମହାତ୍ମାଙ୍କ ରଚିତ ପୁସ୍ତକ ।

ଫଟୋ: ଶ୍ରୀ ଶରତ କୁମାର ସାହୁ, ମାର୍ଫତଦାର୍ କୁଜୀବର ଆଶ୍ରମ । 

Leave a Comment

Your email address will not be published. Required fields are marked *

Scroll to Top