ଶ୍ରୀରାମନାଥ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ 

 

~ ଶ୍ରୀରାମନାଥ ମନ୍ଦିର ~
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
ବୈଚିତ୍ରମୟ ଭୂଖଣ୍ଡ ବୌଦ୍ଧ ଆଉ ତାର କୋଳରେ ଅସୁମାରୀ କୀର୍ତ୍ତିରାଜି, ନଦ ନଦୀ, ପାହାଡ଼ ପର୍ବତ, ଝରଣା, ସବୁଜ ବନଭୂମି, ମେଘ ମେଦୂର ଆକାଶ ପୁଣି ଘଞ୍ଚ ଜଙ୍ଗଲରେ ଭରା ତା’ର ପ୍ରାକୃତିକ ପରିବେଶ ସବୁବେଳେ ମଣିଷ ମନକୁ ଆହ୍ଲାଦିତ କରିଥାଏ l ଦିନଥିଲା ବୌଦ୍ଧ ଧର୍ମର ପ୍ରମୁଖ ପୀଠ ଥିଲା ବୌଦ୍ଧର ଏହି ପବିତ୍ର ମାଟି l କେବଳ ଯେ ବୌଦ୍ଧଧର୍ମର ପ୍ରମୁଖ ସ୍ଥଳୀ ଥିଲା ତାହା ନୁହେଁ; ଏଠାରେ ଶୈବ, ବୈଷ୍ଣବ ଓ ଶାକ୍ତ ପରମ୍ପରାର ଅଦ୍ଭୁତ ସମନ୍ୱୟ ଦେଖିବାକୁ ମିଳିଥାଏ l
ବୌଦ୍ଧ ସହରକୁ ପ୍ରବେଶ କଲାବେଳେ ଜାତୀୟ ରାଜପଥର ଦକ୍ଷିଣପାର୍ଶ୍ୱରେ, ପରିଷ୍କାର ପରିଚ୍ଛନ ଏକ ସୁନ୍ଦର ପରିବେଶରେ ଓଡ଼ିଶାର ଏକ ପ୍ରମୁଖ ଓ ସୁପ୍ରାଚୀନ ଶୈବ ପୀଠ ଦେଖିବାକୁ ମିଳେ, ଆଉ ତାହା ହେଲା ଲୋହିତ ବାଲୁକା ପଥରରେ ନିର୍ମିତ ଶ୍ରୀରାମନାଥ ମନ୍ଦିର l ଏହାଯେ କେବଳ ଗୋଟିଏ ମନ୍ଦିର ତାହା ନୁହେଁ, କହିବାକୁ ଗଲେ ଏହା ଏକ ମନ୍ଦିର ସମୂହ l ଏଠାରେ ଚାରିଗୋଟି ମନ୍ଦିର ରହିଛି l
ସୋମବଂଶୀ ଶାସକଙ୍କ ଦ୍ୱାରା ଏହି ଶ୍ରୀରାମନାଥ ମନ୍ଦିର ଅଷ୍ଟମ ଶତାବ୍ଦୀରେ ନିର୍ମିତ ହୋଇଥିବା ଜଣାଯାଏ l ତିନିଗୋଟି ମନ୍ଦିରର ଗଠନ ଓ ନିର୍ମାଣଶୈଳୀ ଏକା ପ୍ରକାର l ତାରକାକୃତି ପିଣ୍ଡି ଉପରେ ରେଖ ଶୈଳୀର ମନ୍ଦିରତ୍ରୟ ନିର୍ମାଣ ହୋଇଛି l ତିନୋଟି ଯାକ ମନ୍ଦିରର ଗର୍ଭଗୃହରେ ଅଷ୍ଟକୋଣୀ ତାରକାକୃତିର ଯୋନି ପୀଠରେ ଶିବ ଲିଙ୍ଗ ପ୍ରତିଷ୍ଠିତ ହୋଇଛନ୍ତି l
ସାଧାରଣତଃ ବୃତ୍ତାକାର ଓ ଚତୁଃସ୍କୋଣୀ ଯୋନି ପୀଠରେ ଶିବଲିଙ୍ଗ ପ୍ରତିଷ୍ଠା ହୋଇଥିବା ଦେଖିବାକୁ ମିଳିଥାଏ ମାତ୍ର ଏଠାରେ ତାହାର ବ୍ୟତିକ୍ରମ ସ୍ୱରୂପ ତାରକାକୃତି ଯୋନି ପୀଠରେ ତିନୋଟି ଯାକ ଶିବଲିଙ୍ଗ ସ୍ଥାପିତ ହୋଇଛନ୍ତି l କଳା ମୁଗୁନି ପଥରରେ ନିର୍ମିତ ଏହି ଶିବଲିଙ୍ଗ ତିନୋଟି ଖୁବ୍ ସୁନ୍ଦର ଓ ଭବ୍ୟ l ସମାନ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିର ତିନୋଟିର ପ୍ରବେଶପଥ ସଂକୀର୍ଣ୍ଣ ଓ ଅପେକ୍ଷାକୃତ ଛୋଟ l ପ୍ରବେଶ ପଥର ଉପରିଭାଗରେ ନବଗ୍ରହଙ୍କ ପ୍ରତିମା ରହିଛି ମାତ୍ର ଅନେକାଂଶରେ ତାହା କ୍ଷୟପ୍ରାପ୍ତ l ହଜାରେ ବର୍ଷରୁ ଅଧିକ ପୁରୁଣା ଏହି ମନ୍ଦିର ତିନୋଟିର ସୁକ୍ଷ୍ମ କାରୁକାର୍ଯ୍ୟ ପ୍ରାୟତଃ ଅସ୍ପଷ୍ଟ ଏବଂ ଅନେକ ଜାଗାରେ ତାହା ଘୋରି ହୋଇ ଗଲାଣି l
ଶ୍ରୀରାମନାଥ ମନ୍ଦିରରେ ଥିବା ତାରକାକୃତି ଶିବ ଲିଙ୍ଗ ବହୁମାତ୍ରାରେ ଆକର୍ଷଣୀୟ l ପୁଣି ଓଡ଼ିଶାର ଯେଉଁ କ୍ଵଚିତ ସ୍ଥାନରେ ଲାଲପଥରରେ ନିର୍ମିତ ମନ୍ଦିର ଦେଖିବାକୁ ମିଳେ, ତନ୍ମଧ୍ୟରେ ଏହି ମନ୍ଦିର ହେଉଛି ଅନ୍ୟତମ l ନିଶ୍ଚିତ ଭାବେ ଓଡ଼ିଶାର ଏହା ଏକ ଶ୍ରେଷ୍ଠ କୀର୍ତ୍ତିରାଜି ଏଥିରେ ଦ୍ବିମତ ନାହିଁ l ଏଣୁ, ଏହାର ସୁରକ୍ଷା, ସଂରକ୍ଷଣ, ପ୍ରଚାର ଓ ପ୍ରସାର ଆମ ସଭିଙ୍କର ଉତ୍ତର ଦାୟିତ୍ୱ l
ଏହି ତିନୋଟିଯାକ ମନ୍ଦିରରେ ଆଶୁତୋଷ ମହାଦେବ, ଶ୍ରୀ ସୋମନାଥ, ଶ୍ରୀ କପିଳେଶ୍ୱରଶ୍ରୀ ଭୁବନେଶ୍ୱର ନାମରେ ପୂଜା ପାଉଛନ୍ତି l ସେହିପରି ମନ୍ଦିର ପରିସରସ୍ଥ ଅନ୍ୟ ଏକ ଛୋଟିଆ ମନ୍ଦିରରେ ଭଗବାନ ଆଶୁତୋଷ, ରାମେଶ୍ୱର ବା ରାମନାଥ ନାମରେ ପୂଜା ପାଉଛନ୍ତି l ପରବର୍ତ୍ତୀ ସମୟରେ ଏଠାରେ ଆଉ ଏକ ମନ୍ଦିର ନିର୍ମାଣ ହେଉଥିଲା ଯାହାକି କୌଣସି କାରଣବଶତଃ ଅର୍ଦ୍ଧନିର୍ମିତ ହୋଇ ରହିଛି, ମାତ୍ର ଏହି ଅର୍ଦ୍ଧ ନିର୍ମିତ ମନ୍ଦିର ଗାତ୍ରରେ ଅନେକ ଗୁଡ଼ିଏ ସୁକ୍ଷ୍ମ କାରୁକାର୍ଯ୍ୟମାନ ଦେଖିବାକୁ ମିଳେ l
#ଜଗନ୍ନାଥ_ମନ୍ଦିର ବୌଦ୍ଧ ରାଜବାଟୀ ଠାରୁ ଅନତି ଦୂରରେ ଜଗନ୍ନାଥ ମନ୍ଦିର ରହିଛି l ଏହି ମନ୍ଦିରଟି ଅତି ପ୍ରାଚୀନ ନ ହେଲେ ବି ଏକ ପୁରୁଣା ମନ୍ଦିର l ରେଖ ଶୈଳୀର ବିମାନ ଓ ପୀଢ଼ ଶୈଳୀର ଜଗମୋହନକୁ ନେଇ ମନ୍ଦିରଟି ନିର୍ମିତ l ଠାକୁର ଅଣସର ଘରେ ଥିବା ହେତୁ ଆଉ ଦିଅଁ ଦର୍ଶନ ହୋଇପାରିନଥିଲା l ମନ୍ଦିର ପରିସରଟି ଖୁବ୍ ମନୋରମ l
#ହନୁମାନ _ମନ୍ଦିର ଜଗନ୍ନାଥ ମନ୍ଦିର ଠାରୁ ଦକ୍ଷିଣ ଦିଗରେ କିଛିବାଟ ଗଲାପରେ ମହାନଦୀ ଗର୍ଭରେ ଏହି ହନୁମାନ ମନ୍ଦିରଟି ରହିଛି l କୁହାଯାଏ ଏହା ବହୁ ପୁରୁଣା ମନ୍ଦିର l ନଦୀ କୂଳରୁ ମନ୍ଦିର ନିକଟକୁ ଯିବା ପାଇଁ ସିମେଣ୍ଟ ରାସ୍ତା ତିଆରି ହୋଇଛି l କେତେ ଗୁଡ଼ିଏ ପାହାଚ ଚଢ଼ିଲା ପରେ ମନ୍ଦିରରେ ଥିବା ଦିଅଁଙ୍କ ନିକଟକୁ ଯାଇ ହେବ l 
ବର୍ଷର ଯେ କୌଣସି ସମୟରେ ବୁଲି ଯାଇ ବୌଦ୍ଧ ସହରରେ ଥିବା ଏହି ଶ୍ରୀରାମନାଥ ମନ୍ଦିର ଓ ଅନ୍ୟ କୀର୍ତ୍ତିରାଜି ଗୁଡ଼ିକୁ ଦେଖିହେବ l 
© Trilochan Swain

Leave a Comment

Your email address will not be published. Required fields are marked *

Scroll to Top