ଶୀତଳଷଷ୍ଠୀର କଥା ସମ୍ବଲପୁରରୁ

ଲେଖା: ଶିବାଶିଷ ମହାପାତ୍ର
ପ୍ରାଚୀନ ଲୋକ ସଂସ୍କୃତି ଏବଂ ପରମ୍ପରାର ଗନ୍ତାଘର ପଶ୍ଚିମ ଓଡ଼ିଶା । ଏହି ପଶ୍ଚିମ ଓଡ଼ିଶାର ଗଣପର୍ବ ହେଉଛି ନୂଆଖାଇ । ତଥାପି କାହିଁ କେତେ ଦିନୁ ଏଠାରେ ପାଳିତ ହୋଇଥାଏ ଧନୁଯାତ୍ରା, ଶୀତଳଷଷ୍ଠୀ, ଶୁଲିଆ ଯାତ୍ରା ତଥା ବଳିଯାତ୍ରା । ଏ ସବୁ ଯାତ୍ରା ପ୍ରାୟ ସବୁ ସ୍ଥାନରେ ହୋଇଥାଏ କିନ୍ତୁ ନିର୍ଦ୍ଧିଷ୍ଟ କେତେକ ସ୍ଥାନରେ ଏହାକୁ ବହୁତ ଯାକଯମକରେ ପାଳନ କରିଥାନ୍ତି । ବରଗଡ଼ ସହରର ଧନୁଯାତ୍ରା ଯେପରି ବହୁ ଲୋକପ୍ରିୟ ସମ୍ବଲପୁର ସହରରେ ପାଳନ କରନ୍ତି ଶୀତଳଷଷ୍ଠୀ ବଡ଼ ଧୁମ୍ ଧାମରେ । 
ସମ୍ବଲପୁର ସହରରେ ଶୀତଳଷଷ୍ଠୀ ଆରମ୍ଭ ହୁଏ ତତ୍କାଳୀନ ରାଜା ବଳିଆର ସିଂହଙ୍କ ଦ୍ଵାରା । ୧୬୭୭ ମସିହାରେ ରାଜା ବଳିଆର ସିଂହ ପୁରୀ ଯାଇଥିଲେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ । ଫେରିବା ସମୟରେ ସେଠାରୁ କେତେକ ଉତ୍କଳୀୟ ବ୍ରାହ୍ମଣଙ୍କୁ ନିଜ ସାଥିରେ ନେଇ ଆସିଥିଲେ । ସେ ବ୍ରାହ୍ମଣ ସବୁ ଶୈବଭକ୍ତ ଥିଲେ ଏବଂ ପୁରୀ ଜଗନ୍ନାଥ ମନ୍ଦିରରେ ପାଳିତ ହେଉଥିବା ଶୀତଳଷଷ୍ଠୀ ଯାତ୍ରା ତାଙ୍କ ସହିତ ଆସିଲା ସମ୍ବଲପୁର ସହରକୁ । ସେ ସମୟରେ ସହରର ବାଲିବନ୍ଧ ନିକଟରେ ଥିବା ଏକ ମାତ୍ର ଶିବ ମନ୍ଦିର ସୋମନାଥ ମନ୍ଦିରରୁ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୁଏ ୧୬୭୮ ମସିହାରେ । ପରେ ପରେ ସହରରେ ଅନେକ ଶିବ ମନ୍ଦିର ମାନ ତିଆରି କରାଯାଇ ବିଭିନ୍ନ ସାହି ମାନଙ୍କରେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ କରାଗଲା । 
ବାଲିବନ୍ଧ ସୋମନାଥ ମନ୍ଦିର
ଏହି ବାର୍ଷିକ ଉତ୍ସବ ମୁଖ୍ୟତଃ ପାଞ୍ଚ ଭାଗରେ ବିଭକ୍ତ କରାଯାଇପାରେ ଯଥା ପତ୍ରପେଣ୍ଡି, ଗୁଆଗଣ୍ଡା, ଶିବପାର୍ବତୀ ବିବାହ, ନଗର ପରିକ୍ରମା ଏବଂ ମନ୍ଦିର ପ୍ରବେଶ । ଏ ସବୁ ଆରମ୍ଭ ହୁଏ ଅକ୍ଷୟ ତୃତୀୟା ଦିନ । ଏହି ଦିନ ଶିବଙ୍କ ଥାଳ ପୂଜା ହୁଏ ଏବଂ ଏହି ଦିନ କନ୍ୟା ପିତା ମାତା ଚୟନ କରାଯାଏ । ଏହାକୁ ଥାଳଉଠା ମଧ୍ୟ କୁହାଯାଏ । ଏହି ଦିନରୁ ବିବାହ ପାଇଁ ଅନୁଦାନ ମଗାଯାଏ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ଵାରା ଗୁପ୍ତ ଦାନ କରାଯାଏ । ପୁରାତନ ସମୟରେ ଲୋକେ ଅନେକ ଦୂର ପର୍ଯ୍ୟନ୍ତ ଯାଉଥିଲେ ଅନୁଦାନ ଗ୍ରହଣ କରିବା ପାଇଁ । ପୂଜା ପୁର୍ବରୁ ପ୍ରାୟ ୧୫ ଦିନ ଆଗରୁ ବିଭିନ୍ନ କାରିଗର ମାନେ ଆସିବା ଆରମ୍ଭ କରିଥାନ୍ତି । ସହରରେ ଧିରେଧିରେ ଗହଳି ବଢ଼ିଥାଏ । 
ପତରପେଣ୍ଡିର କାର୍ଯ୍ୟକ୍ରମ
ଜ୍ୟେଷ୍ଠ ଶୁକ୍ଳ ତୃତୀୟାରେ ଶୀତଳଷଷ୍ଠୀର ପ୍ରଥମ ଦିବସ, ପତରପେଣ୍ଡି । ଏହି ଅବସରରେ ଭଗବାନ ଶ୍ରୀ ଲୋକନାଥଙ୍କ ବିବାହ ପାଇଁ କନ୍ୟା ଅନ୍ୱେଷଣ ସକାଶେ ବରପିତା ସପ୍ତଋଷିଙ୍କ ସହ  କନ୍ୟାପକ୍ଷଙ୍କ ଗୃହ ଅଭିମୁଖେ ଯାତ୍ରା କରିଥାନ୍ତି । ସାଙ୍ଗରେ ଥାଏ ପେଣ୍ଡାଏ ସରଗି ପତ୍ର, ଶାଢ଼ୀ, ପ୍ରସାଧନ ସାମଗ୍ରୀ, ଫଳ ମିଷ୍ଟାନ ଆଦିର ଭାର । ବାଜା, ଘଣ୍ଟ, ଶଙ୍ଖ ଧ୍ୱନି ମଧ୍ୟରେ ବରପିତା କନ୍ୟାପିତା ଘରେ ପହଞ୍ଚି ଶିବଙ୍କ ଗୁଣଗ୍ରାମ ବର୍ଣନା କରି ପାର୍ବତୀଙ୍କ ସହ ମହାଦେବଙ୍କ ବିବାହ ନିମନ୍ତେ ଅନୁରୋଧ କରନ୍ତି । କନ୍ୟାପିତା ନିଜ ପରିବାରବର୍ଗଙ୍କ ସହ ଆଲୋଚନା କରି ଶିବଙ୍କୁ ନିଜ କନ୍ୟା ପ୍ରଦାନ କରିବା ପାଇଁ ସମ୍ମତି ଦିଅନ୍ତି । ଶେଷରେ ଲୋକନାଥ ବାବା ଓ ମାଁ ପାର୍ବତୀଙ୍କ ଜୟଧ୍ୱନି ସହ ବରପିତା କନ୍ୟାପିତାଙ୍କୁ ସରଗି ପତ୍ର ଦେଇ ବିବାହ ନିଶ୍ଚିତ କରନ୍ତି । 
ଗୁଆଗୁଣ୍ଡା ପୂଜାର୍ଚ୍ଚନା
ଜ୍ୟେଷ୍ଠ ଶୁକ୍ଳ ଚତୁର୍ଥୀରେ ଗୁଆଗୁଣ୍ଡା ଶୀତଳଷଷ୍ଠୀ ଯାତ୍ରାର ଦ୍ଵିତୀୟ ଦିବସ । ଆଜିର ଦିନରେ ସ୍ୱୟଂ ଭଗବାନ ଶ୍ରୀଲୋକନାଥଙ୍କ ବିବାହୋତ୍ସଵରେ ଆତିଥ୍ୟ ଗ୍ରହଣ କରିବା ପାଇଁ ବିଭିନ୍ନ ଦେବାଦେବୀଙ୍କୁ ଆମନ୍ତ୍ରଣ କରାଯାଏ । ଶ୍ରୀ ଲୋକନାଥଙ୍କ ତରଫରୁ ଦୂତ ହିସାବରେ ହନୁମାନ ନିମନ୍ତ୍ରଣ ଗୁଆ, ମିଷ୍ଟାନ୍ନ ଆଦି ନେଇ ସହରରେ ଥିବା ବିଭିନ୍ନ ମନ୍ଦିର କୁ ଯାଇଥାନ୍ତି ଓ ଆଗାମୀ ବିବାହୋତ୍ସଵ ରେ ବରଯାତ୍ରୀ ର ଭୂମିକା ନେବା ପାଇଁ ଭଗବାନଙ୍କ ବାର୍ତା ଦେଇଥାନ୍ତି । ଏହି ଉତ୍ସବକୁ “ଗୁଆଗୁଣ୍ଡା” ବୋଲି କୁହାଯାଏ । ଏହି ଯାତ୍ରାରେ ହନୁମାନ ଏକ ସ୍ୱତନ୍ତ୍ର ମେଢ଼ରେ ବିରାଜମାନ ହୋଇ ସହର ପରିକ୍ରମା କରନ୍ତି । ବାଜା, ଘଣ୍ଟ, ଶଙ୍ଖ ବାଦ୍ୟ ଆଦିର ଶବ୍ଦରେ ପରିବେଶ ଉତ୍ସବ ମୁଖରିତ ହୁଏ । ହନୁମାନ ବିଶେଷ ଭାବେ ଝାଡୁଆପଡା, ବ୍ରହ୍ମପୁରା ମନ୍ଦିରର ଗୋପୀନାଥ ଜୀଉ ଙ୍କୁ ଉକ୍ତ ବିବାହରେ ସାକ୍ଷୀ ହେବାପାଇଁ ଆମନ୍ତ୍ରୀତ କରିଥାନ୍ତି । ଶ୍ରୀ ଗୋପୀନାଥ ଜୀଉ ବି ବିବାହର ମୂଳରୁ ମନ୍ଦିର ପ୍ରବେଶ ପର୍ଯ୍ୟନ୍ତ ଶ୍ରୀଲୋକନାଥଙ୍କ ସାଙ୍ଗରେ ରହିଥାନ୍ତି । 
ଗଣ୍ଠାଲଫିଟା କାର୍ଯ୍ୟକ୍ରମ
ଏହା ପରଦିନ ହେଲା ଶୀତଳଷଷ୍ଠୀ ଯାତ୍ରାର ତୃତୀୟ ଦିନ । ଏହି ଦିନ ଲୋକନାଥ ବାବା ଏବଂ ମା ପାର୍ବତୀଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ଏହା ପଞ୍ଚମୀ ତିଥିରେ ହୋଇଥାଏ । ଏହି ଦିନ ସକାଳେ ଶିବପାର୍ବତୀଙ୍କୁ ପୂର୍ବବର୍ଷର କନ୍ୟା ପିତାଙ୍କ ଘରେ ପୂର୍ବ ବର୍ଷର ବିବାହ ଗଣ୍ଠି ବା ଗଣ୍ଠାଲକୁ ବିଶେଷ ପୂଜା କରି ଖୋଲିଦିଆଯାଏ । ଏହା ଦ୍ବାରା ପୂର୍ବବର୍ଷର ମାତା ପିତାଙ୍କ ସହ ସଂପର୍କ ତୁଟି ଯାଏ ଏବଂ ଚଳିତ ବର୍ଷର ମାତା ପିତା ମା ପାର୍ବତୀଙ୍କୁ ନିଜ ଘରକୁ ନେଇଯାଆନ୍ତି । ଭଗବାନ ଶିବ ମନ୍ଦିରରେ ରହି ବିବାହ ପାଇଁ ତୈଳଭିଷେକ ତଥା ଶୃଙ୍ଗାର ଆଦି ମାନ କରି ବରଯାତ୍ରୀ ପାଇଁ ପ୍ରସ୍ତୁତ କରାଯାଏ । ମଧ୍ୟ ରାତ୍ରରେ ସୁସଜ୍ଜିତ ବିମାନରେ ଲୋକନାଥ ବାବାଙ୍କ ବାହାରି ଥାଏ ବରଯାତ୍ରୀ । ହନୁମାନ, ଗୋପିନାଥ ଜୀଉ ତଥା ନନ୍ଦୀ ଭୃକୁଟି ଥାଆନ୍ତି ସାଥିରେ । ସାଂସ୍କୃତିକ କାର୍ଯ୍ୟକ୍ରମ ସ‌ହ ଘଣ୍ଟ, ଶଙ୍ଖ ଲୋକନୃତ୍ୟରେ ପ୍ରକମ୍ପିତ ହୋଇଉଠେ ସମ୍ବଲପୁର ସହର । କନ୍ୟାପିତାଙ୍କ ଘରେ ଆରମ୍ଭ ହୁଏ ବିବାହ କାର୍ଯ୍ୟକ୍ରମ ।
ବରଯାତ୍ରୀ ଗମନ
ଷଷ୍ଠୀ ଦିନ ହୁଏ ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଦିନ । ଯୁଗଳ ମୂର୍ତ୍ତି ଏହି ଦିନ କନ୍ୟାପିତାଙ୍କ ଘରୁ ବିଦାୟ ନେଇ ଆସନ୍ତି । ସାଥିରେ ଆଣିଥାନ୍ତି ଯାନି ଯୌତୁକ ମାନ । ସେହି ଦିନ ରାତ୍ରିରେ ଅନୁଷ୍ଟିତ ହୁଏ ଯୁଗଳ ମୂର୍ତ୍ତିଙ୍କ ନଗର ପରିକ୍ରମା ବା ମୁଖ୍ୟ ଯାତ୍ରା । ଭାରତର ଏବଂ ଓଡ଼ିଶାର ବିଭିନ୍ନ ଲୋକନୃତ୍ୟ ତଥା ଦୁଲଦୁଲି, ସମ୍ପ୍ରଦା, ଘଣ୍ଟ ଶଙ୍ଖରେ ସହର ପ୍ରକମ୍ପିତ ହୁଏ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମରେ ରାତି ସାରା ଚାଲେ ଏହି ଯାତ୍ରା । ବର୍ଷକର ଏହି ଗୋଟିଏ ଦିନ ଯୁଗଳ ମୂର୍ତ୍ତି ଦିଅନ୍ତି ଦର୍ଶନ ଏବଂ କରିଥାନ୍ତି ନଗର ଭ୍ରମଣ ।
ଠାକୁରଙ୍କ ନଗର ପରିକ୍ରମା
ଏହା ପର ଦିନ ସପ୍ତମୀ ତିଥିରେ ଷଷ୍ଠୀ ଦିନର ବାକି ଯାତ୍ରା ଆରମ୍ଭ ହୋଇଥାଏ । ଏହି ଦିନ ସନ୍ଧ୍ୟାରେ ଯୁଗଳ ମୂର୍ତ୍ତିଙ୍କ ମନ୍ଦିର ପ୍ରବେଶ ହୋଇଥାଏ । ଏହା ପରେ ସଫଳ ଆୟୋଜନ ସକାଶେ ସତ୍ୟନାରାୟଣ ପୂଜା କରାଯାଇଥାଏ । ଏହି ପୂଜା ସହ ସମାପ୍ତ ହୋଇଥାଏ ସମ୍ବଲପୁର ସହରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଅନେକ ସ୍ଥାନରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ସମ୍ବଲପୁର ସହରକୁ ।
ବର ନିମନ୍ତ୍ରଣ ଏବଂ କନ୍ୟା ବିଦାୟ ସୃଷ୍ଟି କରିଥାଏ ଏକ ଭାବପ୍ରବଣତାର ଦୃଶ୍ୟ । ବିବାହ ପ୍ରଦାନ କରିଥାଏ ଆନନ୍ଦ ଏବଂ ଚିତ୍ତବିନୋଦନ । ନାଚ, ଗୀତ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଏହାର ଏକ ବିଶେଷ ଅଙ୍ଗ । କୁହାଯାଏ କିନ୍ନର ବା ହିଂଜଡାମାନେ ଏହି ଜନ୍ମରୁ ମୁକ୍ତି ପାଇବା ପାଇଁ ଯୁଗଳ ମୂର୍ତ୍ତିଙ୍କ ସାମ୍ନାରେ ନୃତ୍ୟ କରିଥାନ୍ତି ଏବଂ ଏଥିପାଇଁ ସାରା ଭାରତରୁ ସମ୍ବଲପୁର ସହରକୁ ଆସିଥାନ୍ତି । ସାଧାରଣତଃ ସବୁ ବର୍ଷ ଏହି ଷଷ୍ଠୀ ଦିନ ବର୍ଷା ହୋଇ ଏହି ଅଞ୍ଚଳରେ ଶୀତଳତା ପ୍ରଦାନ କରିଥାଏ ବୈଶାଖ ମାସର ଗରମରୁ ।

1 thought on “ଶୀତଳଷଷ୍ଠୀର କଥା ସମ୍ବଲପୁରରୁ”

  1. ଶୀତଳଷଷ୍ଠୀ ପାଳନରେ ଯେ ଏତେ କଥା ଅଛି, ଜଣା ନ ଥିଲା ! ଧନ୍ୟବାଦ ବନ୍ଧୁ ଉପସ୍ଥାପନା ପାଇଁ

Leave a Comment

Your email address will not be published. Required fields are marked *

Scroll to Top