ଲେଖା: ନିରଞ୍ଜନ ସାହୁ
୧୯୩୦ ମସିହାର କଥା । କଟକରେ ଆୟୋଜିତ ହୋଇଥାଏ କବିସମ୍ରାଟଙ୍କ ଉପରେ ଏକ ଆଲୋଚନା ଚକ୍ର । ସଂଯୋଜକ ଭଞ୍ଜ ଭଗୀରଥ ବିଛନ୍ଦ ପଟ୍ଟନାୟକ, ଅଧ୍ୟକ୍ଷତା ଉତ୍କଳ ସାହିତ୍ୟର ପ୍ରାତଃ ସ୍ମରଣୀୟ ବାଗ୍ମୀ ଗୋପାଳ ପ୍ରହରାଜ, ଆଲୋଚକ ଭାବେ ଯୋଗ ଦେଇଥାନ୍ତି ବହୁ ପ୍ରାବନ୍ଧିକ, ବକ୍ତା । ବିଦଗ୍ଧ ଶ୍ରୋତା ମଣ୍ଡଳୀରେ ଭରପୂର ଥାଏ ସଭାସ୍ଥଳ । ଦର୍ଶକ ମଣ୍ଡଳୀରେ ଉପସ୍ଥିତ ଶ୍ରୋତା ମାନଙ୍କ ମଧ୍ୟରୁ ଅଳ୍ପ ବୟସର ବାଳକ ଜଣେ ଏହି ଆଲୋଚନାରେ ବକ୍ତବ୍ୟ ରଖିବାକୁ ସ୍ଵଇଚ୍ଛା ପ୍ରକଟ କଲେ ଆଉ ଜଣେ ଆଲୋଚକଙ୍କୁ ଅନୁରୋଧ କରି । ଅନୁରୋଧ ଫଳବତୀ ହେଲା ନାହିଁ, ପ୍ରକାରାନ୍ତରେ ସଭାପତି କହିଲେ, “ବାପା ! ଆଉଟିକେ ତମର ବୟସ ବଢି଼ଯାଉ, ତମକୁ ସୁଯୋଗ ଦିଆହେବ ।” ବାଳକ କିନ୍ତୁ ନିହାତି ଚାହୁଁଥିଲେ ଦି’ପଦ ଆଲୋଚନା କରିବା ପାଇଁ । ଅନ୍ୟ ଉପାୟ ନ ଦେଖି ଅଳ୍ପ ଦୂରରେ ଆଲୋଚନା ସଭାର ବାହାରେ ଗୁଡ଼ାଖୁ ଘଷୁଥିବା ଜଣେ ବରିଷ୍ଠ ଲୋକଙ୍କ (ପରବର୍ତ୍ତୀ ଆଲୋଚକ) ପାଖରେ ପହଞ୍ଚି ତାଙ୍କୁ ମନ କଥା ଜଣେଇଲେ ଓ ବିନତି କଲେ ତାଙ୍କୁ ଟିକେ ସୁଯୋଗ ଦେବାପାଇଁ । ହସିହସି ପ୍ରୌଢ଼ ଜଣକ ବାଳକଟିକୁ ସୁଯୋଗ ଦେବା ପାଇଁ ସଭାପତିଙ୍କୁ ଅନୁରୋଧ କରିବେ ବୋଲି କଥା ଦେଲେ । ନିଜର ବକ୍ତବ୍ୟ ରଖିବା ପୂର୍ବରୁ ସଭାପତିଙ୍କୁ ସବିନୟ ଅନୁରୋଧ କଲେ, ସେହି କିଶୋରଙ୍କୁ ଥରେ ସୁଯୋଗ ଦେବାପାଇଁ । ସେଦିନର ସେହି କିଶୋର ଥିଲେ ପରବର୍ତ୍ତୀ ସମୟରେ ଆମର ଛନ୍ଦକବି ରାଧାମୋହନ ଗଡ଼ନାୟକ ଓ ଗୁଡ଼ାଖୁ ଘଷୁଥିବା ପ୍ରୌଢ଼ ଥିଲେ ଓଡ଼ିଆ ସାହିତ୍ୟର ବିଶିଷ୍ଟ ଅସାଧାରଣ ପ୍ରାବନ୍ଧିକ, ଓଡ଼ିଆ ଭାଷାରେ ପ୍ରଥମ ପ୍ରକାଶିତ ଭ୍ରମଣ ବୃତ୍ତାନ୍ତ ରଚୟିତା, ପ୍ରକୃତିର ଉପାସକ, ଉତ୍ତରଦାୟାଦଙ୍କ ପାଇଁ ପଥ ପ୍ରଦର୍ଶକ ଲେଖକ ତଥା ଆଧୁନିକ ଯୁଗର ଯୁଗସ୍ରଷ୍ଟା କବିବର ରାଧାନାଥ ରାୟଙ୍କ ସୁପୁତ୍ର ଶଶୀଭୂଷଣ ରାୟ ।
ଶଶୀଭୂଷଣ ରାୟ, କବିବରଙ୍କ ପ୍ରିୟପୁତ୍ର । ଜନ୍ମ ୧୮୭୬ ମାର୍ଚ୍ଚ ମାସ ୧୦ ତାରିଖ, ସ୍ଵର୍ଗାରୋହଣ ୧୯୫୩ ମସିହା । କବିବରଙ୍କ ଚିର ସହଚର ଯେମିତି ଥିଲା ଶ୍ଵାସ, ସେମିତି ଶଶୀଭୂଷଣ ଥିଲେ ତାଙ୍କର ଚିର ସହଚର । ତେଣୁ ମନେହୁଏ ଯେପରି, ଶଶୀଭୂଷଣ ଉତ୍ତରାଧିକାରୀ ସୂତ୍ରରେ ଲାଭ କରିଥିଲେ ସାରସ୍ଵତ ସାଧନା !! କବି ନୁହଁନ୍ତି, କିନ୍ତୁ ଅସାଧାରଣ ପ୍ରାବନ୍ଧିକ ଓଡ଼ିଆ ଭାଷାରେ । କବିବର ନିଜ କାବ୍ୟକବିତାରେ ଉତ୍କଳ ପ୍ରକୃତିର ସୁଷମା, ଇନ୍ଦ୍ରିୟଗ୍ରାହ୍ୟ ରୂପକୁ ରସମୂର୍ତ୍ତି ଦାନ କରିଛନ୍ତି । ରାଧାନାଥଙ୍କ ଏହି ନିସର୍ଗ ପ୍ରୀତି ଶଶୀଭୂଷଣଙ୍କ ରଚନାବଳି ମଧ୍ୟରେ ଯଥାଯଥ ଭାବେ ପ୍ରକଟିତ । ତାଙ୍କଠାରେ ଏହି ପ୍ରକୃତି ପ୍ରେମ ରାଧାନାଥଙ୍କ ପ୍ରେରଣାର ଫଳ । ଶଶୀଭୂଷଣ ନିଜେ ଉଲ୍ଲେଖ କରିଛନ୍ତି, “ମୋର ପରମାରାଧ୍ୟ ପିତୃଦେବଙ୍କ ସାନୁଗ୍ରହ ନିର୍ଦ୍ଦେଶରୁ ପାର୍ବତ୍ୟ ପ୍ରକୃତି ସହିତ ମୁଁ ଚାରି ବର୍ଷ ବୟସରୁ ସୁପରିଚିତ । ବିଗତ ୬୮ ବର୍ଷ ହେଲା ପ୍ରକୃତିକୁ ନାନାଭାବରେ ଦେଖୁଅଛି ଏବଂ ପ୍ରାୟ ୫୫ ବର୍ଷ ହେଲା ଏହା ସମ୍ବନ୍ଧରେ ବହୁ ପ୍ରକାର ଅଧ୍ୟୟନରତ (ବଡ଼ାମ୍ବା ପ୍ରକୃତି) । ଏହି ସ୍ଵୀକାରୋକ୍ତି ପ୍ରବୀଣ ଲେଖକଙ୍କ ଆତ୍ମସମୀକ୍ଷଣ ନୁହେଁ, ମାତ୍ର ଜୀବନବ୍ୟାପୀ ସତ୍ୟ ଉପଲବ୍ଧିର ନମ୍ର ପ୍ରକାଶ । ପୁଣି ପ୍ରକୃତି ପର୍ଯ୍ୟବେସିତ ରଚନାମାନଙ୍କରେ ଲେଖକ ଉଲ୍ଲେଖ କରନ୍ତି, “ମୋହର ଗୋଟିଏ ଅଧ୍ୟୟନର ନାମ ପ୍ରକୃତି ଅଧ୍ୟୟନ । ମୁଁ ବିବିଧ ସ୍ଥାନର ଓ ବିବିଧ ଋତୁର ବିଚିତ୍ର ଶୋଭା ମଗ୍ନ ହୃଦୟରେ ଅଧ୍ୟୟନ କରେ । ବେଗବତୀ ନଦୀ, ଅଭ୍ରଭେଦୀ ପର୍ବତ, ଶ୍ୟାମଳ ଶସ୍ୟକ୍ଷେତ୍ର, ପ୍ରଶାନ୍ତ ସମୁଦ୍ର, ବିହଙ୍ଗ ମୁଖରିତ କାନନର ବିଚିତ୍ର ଦୃଶ୍ୟ, ମୁଁ ଅଧ୍ୟୟନ କରେ । ବାଳକ ଚରିତ୍ର ସରଳତା, ଯୁବକ ଚରିତ୍ରର ଉତ୍ସାହ ଓ ଉଦ୍ୟମଶୀଳତା, ପ୍ରୌଢ଼ ଚରିତ୍ରର ଦୃଢ଼ ପ୍ରତିଜ୍ଞା ଓ କର୍ମଠ ଭାବ, ବୃଦ୍ଧ ସ୍ଵଭାବର ପ୍ରବୀଣତା ଓ ସହିଷ୍ଣୁତା ଅବଲୋକନ କରେ ।”
ଯଥାର୍ଥରେ ବହିଃପ୍ରକୃତିର ବିଚିତ୍ର ଇନ୍ଦ୍ରିୟଗ୍ରାହ୍ୟ ଦୃଶ୍ୟାବଳି ଓ ଅନ୍ତଃ ପ୍ରକୃତିର ଶିକ୍ଷଣୀୟ ସ୍ଵଭାବ ସମୂହ ଲେଖକଙ୍କ ଚିତ୍ତ ଆକର୍ଷକ । ଏହି ଚିତ୍ତବୃତ୍ତିର ସାହିତ୍ୟିକ ଅଭିବ୍ୟକ୍ତ ରଚନାବଳି ଓଡ଼ିଆ ଗଦ୍ୟସାହିତ୍ୟରେ ଶଶୀଭୂଷଣଙ୍କୁ ଏକ ସ୍ବତନ୍ତ୍ର ଗୈାରବ ପ୍ରଦାନ କରେ ।
~ ପର୍ଯ୍ୟଟନ ସାହିତ୍ୟ ଶିଳ୍ପୀ ଶଶୀଭୂଷଣ ରାୟ ~
ଓଡ଼ିଆ ପର୍ଯ୍ୟଟନ ସାହିତ୍ୟ ଶିକ୍ଷିତ, ବୁଦ୍ଧିଜୀବୀ ସମ୍ପ୍ରଦାୟର ଦେଶ ଭ୍ରମଣ, ଭାରତର ବିଭିନ୍ନ ସ୍ଥାନ ଦର୍ଶନ ଓ ବିଦେଶାଗତ ଭ୍ରମଣ ଅନୁଭୂତିରେ ପର୍ଯ୍ୟଟନ ସାହିତ୍ୟ ପୁଷ୍ଟ । ଓଡ଼ିଆ ସାହିତ୍ୟରେ ଭ୍ରମଣ ବୃତ୍ତାନ୍ତ କିଛି କମ୍ ନୁହେଁ । ଶଶିଭୂଷଣଙ୍କ ଦାକ୍ଷିଣାତ୍ୟ ଭ୍ରମଣ ଓଡ଼ିଆ ସାହିତ୍ୟରେ ପୁସ୍ତକାକାରରେ ପ୍ରଥମ ପ୍ରକାଶିତ ଭ୍ରମଣ ବୃତ୍ତାନ୍ତ। ଯଦିଓ ସେତେବେଳକୁ ପଣ୍ଡିତ ଗୋବିନ୍ଦ ରଥଙ୍କ କଲିକତା ଦର୍ଶନ ଓ କବିବରଙ୍କ ଭ୍ରମଣକାରୀର ପତ୍ର ଦୁଇଟି ଭ୍ରମଣ କାହାଣୀ ଥିଲା, କିନ୍ତୁ ପ୍ରଥମେ ପ୍ରକାଶିତ ହୋଇଥିଲା ଶଶିଭୂଷଣଙ୍କ ଭ୍ରମଣ ଅନୁଭୂତି ପୁସ୍ତକ ଆକାରରେ । ଲେଖକଙ୍କ ସ୍ଥାନ ଦର୍ଶନର ଅନୁଭୂତି, ପ୍ରକୃତିର ରୂପବୈଚିତ୍ର୍ୟ, କବିତ୍ଵପୂର୍ଣ୍ଣ ଓ ଚିନ୍ତାତ୍ମକ ଉପସ୍ଥାପନ ତାଙ୍କୁ ଜଣେ ପ୍ରକୃତି ଉପାସକ ଭାବେ ବିଦିତ କରାଏ । ଭ୍ରମଣବୃତ୍ତାନ୍ତ ଦାକ୍ଷିଣାତ୍ୟ ଭ୍ରମଣରେ ତଥ୍ୟମୂଳକତା ଭାବୁକତା, କବିତ୍ଵମୟତାର ମଧୁର ସମନ୍ଵୟ । ତା ସହ ଉତ୍କର୍ଷତାର ପ୍ରତିଲିପି ଚିନ୍ତାତ୍ମକ ଭାଷାରେ ଅନେକତ୍ର ଉଲ୍ଲିଖିତ:
“ସୂର୍ଯ୍ୟାପେକ୍ଷା ଚନ୍ଦ୍ରରେ ଅଧିକ ବୈଚିତ୍ର୍ୟ ଅଛି ।ସୂର୍ଯ୍ୟର ପ୍ରଖର ମୂର୍ତ୍ତି ନୟନ ମନ ଆକର୍ଷଣ କରିପାରେ ନାହିଁ, କିନ୍ତୁ ଚନ୍ଦ୍ରର ପ୍ରତି କଳାରେ ସୌନ୍ଦର୍ଯ୍ୟ । ×× ଚନ୍ଦ୍ରର ହ୍ରାସବୃଦ୍ଧି, ଆବିର୍ଭାବ ଓ ତିରୋଭାବ ଅଛି । ଚନ୍ଦ୍ର ସତେ ଯେମନ୍ତ ଆମ୍ଭମାନଙ୍କ ପ୍ରକୃତି ବୁଝିପାରେ । ଯେ ପଦାର୍ଥର ଅଭାବବୋଧ ହୁଏନାହିଁ, ତାହାର ସୌନ୍ଦର୍ଯ୍ୟ ଆମ୍ଭମାନଙ୍କ ମନକୁ ଲାଗେ ନାହିଁ ଏବଂ ଆମେ ତାହା ପାଇଁ ଆଦୌ ବ୍ୟାକୁଳ ହେଉନାହିଁ । ଯାହାର ଅଭାବ, ତାହାହିଁ ଆଦର, ପ୍ରିୟ ବସ୍ତୁ ଯେତିକି ଦୁଷ୍ପ୍ରାପ୍ୟ ହୁଏ, ତେତିକି ତାହାର ଆଦର ବୃଦ୍ଧି ପାଉଥାଏ ।”
ଏହି ପୁସ୍ତକର ଉତ୍କର୍ଷତା ଯୋଗୁଁ ଊନବିଂଶ ଶତକରେ ଏହା ପାଠକ, ସମାଲୋଚକମାନଙ୍କ ଦ୍ଵାରା ହୋଇଥିଲା ସମାଦୃତ ଓ ଗୌରବାନ୍ଵିତ ।
~ ଉତ୍କଳ ପ୍ରକୃତି ~
୧୯୧୪ ମସିହାରେ ପ୍ରକାଶିତ ଏହି ପୁସ୍ତକ କବିସୁଲଭ ସୌନ୍ଦର୍ଯ୍ୟବୋଧ, ଦାର୍ଶନିକ ସୁଲଭ, ମନନଶୀଳ ଆତ୍ମଚିନ୍ତନ ଓ ଜୀବନ ବିଶ୍ଳେଷଣରେ ବିଲକ୍ଷଣ କୃତିତ୍ୱ ପରିପୁଷ୍ଟ । ନିସର୍ଗ ସୁଷମାର ଆଲେଖ୍ୟ ଉତ୍କଳ ପ୍ରକୃତି କେବଳ ପ୍ରକୃତିର ମନୋରମ ଦୃଶ୍ୟରାଜିରେ ଚିତ୍ରିତ ନୁହେଁ, ଉତ୍କଳର ଶିଳ୍ପ, ସଭ୍ୟତା, ଇତିହାସ, ଲୋକଚରିତ୍ର ଇତ୍ୟାଦି ତାତ୍ପର୍ଯ୍ୟପୂର୍ଣ୍ଣ ପରିବେଷଣ, ଯାହା ଅନ୍ୟାନ୍ୟ କୌଣସି ନା କୌଣସି ଲେଖକଙ୍କ ପ୍ରକୃତି ଚିତ୍ରଣ ପୁସ୍ତକରେ ଦୁଷ୍ପ୍ରାପ୍ୟ ! ପୁନଶ୍ଚ ଦିବସ ଓ ରଜନୀକୁ ଛ’ଟି କାଳରେ ବିଭକ୍ତ କରି ଯଥା: ପ୍ରଭାତ, ସାୟାହ୍ନ, ଗୋଧୂଳି, ସନ୍ଧ୍ୟା, ଜ୍ୟୋତ୍ସ୍ନା ଓ ଅନ୍ଧକାର ଆଧାରରେ ଉତ୍କଳର ପନ୍ଦରଟି ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଚିତ୍ରିତ ମହାର୍ଘ ରଚନାବଳୀ ।
~ ଉତ୍କଳର ଋତୁଚିତ୍ର ~
ଋତୁରାଜ ବସନ୍ତଙ୍କ ଆଗମନରେ ଜୟଗାନ ଆରମ୍ଭ ହୋଇ ଋତୁଚକ୍ରର ବିବର୍ତ୍ତନ କ୍ରମାନ୍ୱୟରେ ବର୍ଣ୍ଣିତ ଏହି ଗ୍ରନ୍ଥରେ । ବହିଃ ପ୍ରକୃତିର ବିଚିତ୍ର ପରିବର୍ତ୍ତନ ସହ ଜାତୀୟ ପ୍ରାଣସ୍ରୋତର ଐକତାନିକ ସମନ୍ୱୟ ହିଁ ରଚନାରେ ପରିଦୃଷ୍ଟ । ଉଭୟ ପ୍ରକୃତି ଓ ଉତ୍କଳୀୟତା ଦିନେ ଭରିରହିଥିଲା କବିବରଙ୍କ କାବ୍ୟାବଳିରେ । ତେଣୁ ରାଧାନାଥ ବିଦିତ ହେଲେ ପ୍ରକୃତି ଓ ଜାତୀୟ କବି ।ଉତ୍କଳର ଋତୁଚିତ୍ରରୁ ମନେହୁଏ ପ୍ରକୃତି ଓ ଉତ୍କଳୀୟତା ଉଭୟ ଯେମିତି ରାଧାନାଥଙ୍କ ଆଶୀର୍ବାଦ ରୂପେ ଝରିପଡି଼ଥିଲା ତାଙ୍କ ପୁତ୍ର ଶଶୀଭୂଷଣଙ୍କ ଉପରେ ! କବିବର ତାଙ୍କର କାବ୍ୟ ମାଧ୍ୟମରେ ଯେମିତି ଉତ୍କଳୀୟତାର ସନ୍ଧାନ ପାଇଥିଲେ, ଗଦ୍ୟ ମାଧ୍ୟମରେ ସେମିତି ଶଶୀଭୂଷଣ ପାଇଥିଲେ ପ୍ରକୃତିର ସ୍ଵରୂପ ଓ ଉତ୍କଳୀୟତା । ଅତଏବ ଉତ୍କଳୀୟ ଜୀବନ ସ୍ଵାତନ୍ତ୍ର୍ୟର ଏକ ଅନୁପମ ଆଲେଖ୍ୟ ହିଁ ଉତ୍କଳ ପ୍ରକୃତି ! ଏହାର ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାଷା, ଆଡ଼ମ୍ବର ପୂର୍ଣ୍ଣ ଓ ଅଳଙ୍କାରିକ ଗଦ୍ୟ, ସ୍ରଷ୍ଟା ଶଶିଭୂଷଣଙ୍କୁ ଓଡ଼ିଆ ସାହିତ୍ୟରେ ପ୍ରକୃତି ଗଦ୍ୟକାର ଭାବେ ସ୍ଵତନ୍ତ୍ର ସ୍ଥାନ ଦେଇଥାଏ । ଅନ୍ତଃସାର ଯୁକ୍ତ ବର୍ଣ୍ଣନାରେ କି ସୁନ୍ଦର ପରିସ୍ଫୁଟନ:
“ବାହ୍ୟ ପ୍ରକୃତି ତେତେବେଳେ ଶବ୍ଦମୟୀ । ବାହ୍ୟ ପ୍ରକୃତିରେ ଯେଉଁ ଭାବର ବିକାଶ ଅନ୍ତଃ ପ୍ରକୃତି ମଧ୍ୟ ସ୍ଵତଃ ସେହିଭଳି ଭାବମୟୀ ହୋଇ ଥାଏ। ଯେତେବେଳେ ସଂଧ୍ୟା-ଶିଶିର-ସିକ୍ତ ଅମଳ-ଧବଳ ପ୍ରସୂନରାଜି ଶୀତାଂଶୁର ଅଂଶୁମାଳା ବକ୍ଷରେ ଧାରଣ କରି ହସି ହସି ଜଗଦବ୍ୟାପିନୀ ଏକ ଅପୂର୍ବ ଶୁଭ୍ରସୁଷମା ସୃଷ୍ଟିକରେ ସେତେବେଳେ ଦେବୀଙ୍କର ପୂଜା ହୋଇଥାଏ । ଧରିତ୍ରୀ ନିଜର ଜଡ଼ଭାବ ପରିତ୍ୟାଗ କରି ନୂତନ ଉଦ୍ୟମରେ ଉତ୍ତେଜିତା ହୋଇ ଉଠିଲେ ବୀଣାପାଣିଙ୍କର ପୂଜା ହୁଏ । ବସନ୍ତ ପଞ୍ଚମୀ ଦିନ ପ୍ରକୃତିର ହରିତ ବନାନ୍ତରାଳ-ଶାୟିତ ମଳୟାନିଳ ସମ୍ଭୋଗ କରୁଁ କରୁଁ ମଧୁର ଏବଂ ମୃଦୁଳଭାବ ସ୍ରୋତର ପ୍ରଥମ ଉଚ୍ଛ୍ୱାସ ଯୋଗୁଁ ସମସ୍ତେ ଶ୍ଵେତ ପଦ୍ମାସନା ବାଗଦେବୀଙ୍କ ଆରାଧନା କରନ୍ତି ।” ଲେଖକଙ୍କ ରମ୍ୟବୋଧ ପ୍ରକାଶକ୍ଷମ କବିତ୍ଵର ଉପାଦାନ ଭାବୁକତାର ସମ୍ମିଶ୍ରଣରେ ଋତୁଚିତ୍ର ଉପଭୋଗ୍ୟ ।
ଭ୍ରମଣ ବୃତ୍ତାନ୍ତରେ କେତେ ଯେ କବିତ୍ଵ !
ଭାରତର ବହୁ ଦର୍ଶନୀୟ ସ୍ଥାନ ଦର୍ଶନ କରି, ସାଧାରଣ ଭାବରେ ଧାରାବାହିକରେ ପ୍ରକାଶିତ ହେଉଥିଲା ଉତ୍କଳ ସାହିତ୍ୟ, ମୁକୁର ଇତ୍ୟାଦି ସୁନାମଧନ୍ୟ ପତ୍ରିକା ମାନଙ୍କରେ । ବାବା ବୈଦ୍ୟନାଥ, ବାରାଣସୀ, ଆଗ୍ରା, ଦିଲ୍ଲୀ, ଅଯୋଧ୍ୟା, ହରଦ୍ଵାର, ଦାର୍ଜିଲିଂ ଏବଂ ଓଡ଼ିଶାର କନିକା, ବଡ଼ମ୍ବା, ତାଳଚେର ତାଙ୍କ ଭ୍ରମଣ ବୃତ୍ତାନ୍ତରେ ରୁଦ୍ଧିମନ୍ତ । ପୌରାଣିକ ମହତ୍ତ୍ଵ, ଐତିହାସିକ ଗୌରବ ବିବରଣ ଦେବାବେଳେ ପ୍ରକୃତିର ସୌନ୍ଦର୍ଯ୍ୟବୋଧ, ରମଣୀୟତା, କଳାତ୍ମକ ଦୃଷ୍ଟିଭଙ୍ଗୀର ଅବତାରଣା ପାଠକ ପାଇଁ ଚିତ୍ତାକର୍ଷକ ଓ ସହଜସାଧ୍ୟ । ଗଦ୍ୟ ରଚନାରେ କବିତ୍ଵର ଛଟା ! କବି ବର୍ଣ୍ଣନାରେ ବୃନ୍ତଚ୍ୟୁତ ଗୋଲାପଟିଏ ଆମ ମନଶ୍ଚକ୍ଷୁରେ ଯେପରି ସତେଜ ସୁନ୍ଦରୀ ହୋଇ ପ୍ରତିଭାତ ହୁଏ, ଗଦ୍ୟ ରଚନାରେ ସେହି ଚାତୁରୀ ମଧ୍ୟ ଛତ୍ରେ ଛତ୍ରେ ପ୍ରଷ୍ଫୁଟିତ ଶଶିଭୂଷଣଙ୍କ ରଚନାରେ:
“ହରଦ୍ଵାରର ଗଙ୍ଗା ଯେପରି କିଶୋରୀ ବାଳିକା । ବାଲ୍ୟର ଚଞ୍ଚଳତା, ଯୌବନର ଉଦ୍ଭିନ୍ନଶ୍ରୀ ଏବଂ ଲଜ୍ଜାଶୀଳତା ଏକତ୍ର ସମାବେଶରେ କିଶୋରୀ ଗଙ୍ଗାର କେତେ ସୌନ୍ଦର୍ଯ୍ୟ ବିକଶିତ ହେଉଅଛି । କିଶୋରୀ ବାଳିକା ପର୍ବତରେ ଜନ୍ମଗ୍ରହଣ କରି କୂଳ ଛାଡ଼ି ଅକୂଳରେ ସମର୍ପଣ ପାଇଁ କଳକଳ ସ୍ଵରରେ ଅନନ୍ତ ପଥର ପଥିକ ହେଉଅଛି । ପ୍ରତିରୋଧକାରୀ ପର୍ବତର ଚରଣ ପ୍ରାନ୍ତରେ ପତିତ ହୋଇ ବାଟ ଛାଡ଼ିବାକୁ କେତେ ମିନତି କରୁଅଛି । ରସିକ ପର୍ବତ ପ୍ରତିଧ୍ଵନି ଛଳରେ କେତେ ଆମୋଦ ରଚନା କରୁଅଛି। ଏହି ରସିକତା ଓ ମିନତିର ଏକତ୍ର ସମବାୟରେ କି ଅପୂର୍ବ ସଙ୍ଗୀତ ରଚିତ ହେଉଅଛି।”
ଶଶୀଭୂଷଣଙ୍କ ଗଦ୍ୟରୀତି କେତେ ମହିମାନ୍ଵିତ !!
~ ଶିକ୍ଷା ସମ୍ପର୍କିତ ଚିନ୍ତାଧାରା ~
‘ଶିକ୍ଷା’ ଶିରୋନାମାରେ ଲେଖକଙ୍କ ଧାରାବାହିକ ପ୍ରବନ୍ଧମାନ ତାଙ୍କ ଦୂରଦୃଷ୍ଟିର ପରିଚାୟକ । ସମାଜରେ ଦୁର୍ନୀତି, ଦୂରାଚାର ପ୍ରତିରୋଧ ହିଁ ଶିକ୍ଷା। ସମସାମୟିକ ଶିକ୍ଷା ପ୍ରସଙ୍ଗ ଗୁଡ଼ିକ ଆଜି ମଧ୍ୟ ପ୍ରାସଙ୍ଗିକତା ବହନ କରେ । ବ୍ୟାବହାରିକ ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ବହୁ ପ୍ରବନ୍ଧରେ । ଏ ସମ୍ପର୍କରେ ଶିକ୍ଷା ପ୍ରବନ୍ଧାବଳିରେ ଉଲ୍ଲିଖିତ ପ୍ରସ୍ତାବମାନ ସର୍ବଦା ଅଭିନନ୍ଦନୀୟ । ତାଙ୍କ ଦୃଷ୍ଟିରେ, “ସାହିତ୍ୟ ସରସ୍ଵତୀ, ବିଜ୍ଞାନ ଲକ୍ଷ୍ମୀ, ସାହିତ୍ୟ ସ୍ଵର୍ଣ୍ଣ, ବିଜ୍ଞାନ ଲୌହ, ସାହିତ୍ୟ ଆତ୍ମାର ସଦଗତି, ମନର ଅନ୍ନ, ହୃଦୟର ପାନୀୟ, ବିଜ୍ଞାନ ସଂସାରର ସୁଖ, ଗୃହସ୍ଥଳୀର ସୁବିଧା, ପୃଥିବୀର ସମ୍ପଦ । ଉଭୟ ଲୋକ ହିତୈଷୀ, ତଥାପି ଉଭୟ ବ୍ୟଭିଚାର ଯୁକ୍ତ।”
~ ଓଡ଼ିଆ ସାରସ୍ଵତ ଭଣ୍ଡାର ପାଇଁ ଶଶୀଭୂଷଣ ରାୟ ~
ବହୁବିକ୍ଷିପ୍ତ ପ୍ରବନ୍ଧମାନ ଶଶୀଭୂଷଣଙ୍କ ରଚିତ। ପୁସ୍ତକାକାରରେ ଦାକ୍ଷିଣାତ୍ୟ ଭ୍ରମଣ (୧୮୯୬), ଉତ୍କଳ ପ୍ରକୃତି (୧୯୧୪), ଉତ୍କଳର ଋତୁଚିତ୍ର (୧୯୧୩ ), ଆଧୁନିକ ତାଳଚେର (୧୯୪୦), କନିକା ଦର୍ଶନ (୧୯୧୩), ଆର୍ଯ୍ୟାବର୍ତ୍ତ ଦର୍ଶନ (୧୯୧୧), ପିତୃସ୍ମୃତି (୧୯୧୨), ପଲ୍ଲୀ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବିବେକାନନ୍ଦ (୧୯୩୬), ପ୍ରବନ୍ଧ ପ୍ରବାହ (୧୯୪୪), ପ୍ରବନ୍ଧ ପ୍ରସୂନ, ଶିକ୍ଷା (୧୯୫୩ ), ପ୍ରବନ୍ଧ ସଂଗ୍ରହ (୧୯୫୩), ବଡ଼ାମ୍ବା ପ୍ରକୃତି (୧୯୪୭), ଚେତନ ଚିନ୍ତା (୧୯୩୭) ଇତ୍ୟାଦି ।
~ ନିଭୃତ ନିଳୟର ଶଶୀଭୂଷଣ ରାୟ ~
କବିବର ରାଧାନାଥ ଓ ତଦୀୟ ସୁପୁତ୍ର ଶଶୀଭୂଷଣ ଉଭୟେ ଥିଲେ ପ୍ରକୃତି ଉପାସକ । ପ୍ରକୃତି କୋଳରେ ନିଜକୁ ସମର୍ପିତ କରିଦେବା ଯେପରି ଦୁହିଁଙ୍କ ପାଇଁ ଥିଲା ବିଧିନିର୍ଦ୍ଦିଷ୍ଟ । ରାଧାନାଥଙ୍କ ବହିଃଚେତନା ଓ ଅନ୍ତଃଚେତନାରେ ପ୍ରକୃତିର ହୋଇଥିଲା ସ୍ଫୁରଣ । ତାହାହିଁ ଶଶିଭୂଷଣଙ୍କ କ୍ଷେତ୍ରରେ ! ବାପାଙ୍କ ଇଛା, ମନୋଭାବ ଓ ସ୍ଵଚିନ୍ତନ ମଧ୍ୟରେ ଉଜ୍ଜୀବିତ ହୋଇଥିଲା କଟକ ସ୍ଥିତ ମହାନଦୀ ବୁକୁରେ ପ୍ରକୃତିମୟୀ ଧବଳେଶ୍ଵର ପଠା । ସେଇଠି ନିର୍ମିତ ହୋଇଥିଲା ଶଶିଭୂଷଣଙ୍କ ଦ୍ଵାରା ନିଭୃତ ନିଳୟ । ଗୃହପ୍ରବେଶ ଦିନ ଭାବ ବିହ୍ଵଳିତ ହୋଇ କହି ପକାଇଥିଲେ କବିବର, “ମୁଁ ଏଇଭଳି ଏକ ସ୍ଥାନ ଓ ନିଳୟ ଚାହୁଁଥିଲି । ଆଜି ତମେ ମୋ ମନରେ ଅପାର ଆନନ୍ଦ ଭରିଦେଲ ।” ଏହି ନିଳୟ ଥିଲା ପ୍ରାଣୋପମ ପୁତ୍ରର ଶ୍ରଦ୍ଧାଞ୍ଜଳି ତାଙ୍କର ଆରାଧ୍ୟ ପିତୃଦେବଙ୍କ ପାଇଁ । ସେଇଠି ସୃଷ୍ଟି ହୋଇଥିଲା ରାଶି ରାଶି ରଚନା । (ଉତ୍କଳର ପବିତ୍ର ସ୍ମୃତି)
୧୯୦୮ ଅପ୍ରେଲ ପରେ ନିସଙ୍ଗ ହୋଇ ଯାଇଥିଲେ ଶଶୀଭୂଷଣ ରାୟ ପିତାଙ୍କ ତିରୋଧାନରେ । କିନ୍ତୁ ସେହି ନିଭୃତ ନିଳୟରେ ରହିଥିଲେ ଶେଷ ଜୀବନ ପର୍ଯ୍ୟନ୍ତ । ହାୟ ! ଆଜି ନିଭୃତ ନିଳୟ ବିସ୍ତୃତି ଗର୍ଭରେ (ଧବଳେଶ୍ଵର ଝୁଲାପୋଲ ତିଆରି ବେଳେ ଏହାକୁ ପୋଲ ସକାଶେ ଭାଙ୍ଗି ଦିଆଗଲା) ।
ପ୍ରକୃତି ପ୍ରତି ଗଭୀର ମମତା, ମାନବ ପ୍ରକୃତି ସହ ବହିଃପ୍ରକୃତିର ବିଚିତ୍ର ସମ୍ପର୍କ, ପ୍ରକୃତି ଚିତ୍ରଣରେ କବିତ୍ଵମୟୀ, ଚିତ୍ତାକର୍ଷକ କଳାତ୍ମକ ଗଦ୍ୟଶୈଳୀ ପ୍ରୟୋଗ, ପ୍ରବନ୍ଧାଦିର ସ୍ଵଛତା, ସ୍ପଷ୍ଟତା ଜନିତ ଶିଳ୍ପପାଟବ, ରଚନା ସୃଷ୍ଟିର ଆକାରଗତ ବିପୁଳତା, ଉଚ୍ଚକୋଟୀର ଚିନ୍ତା ଓ ଚେତନାର ବାହକ ପ୍ରବନ୍ଧ ସମୂହ ଆଜି ପର୍ଯ୍ୟନ୍ତ ଶଶିଭୂଷଣଙ୍କୁ ଓଡ଼ିଆ ସାହିତ୍ୟରେ ଜଣେ ଶ୍ରେଷ୍ଠ ସାହିତ୍ୟିକ ଭାବେ ପରିଚିତ କରାଏ ।
ଆଧାର: ରାଧାନାଥ ଗ୍ରନ୍ଥାବଳୀ; ଡ. ଶ୍ରୀନିବାସ ମିଶ୍ରଙ୍କ ନିବନ୍ଧ; ଧବଳେଶ୍ଵର ମନ୍ଦିର ପୂଜକ ଅରୁଣ ନନା; ଭଞ୍ଜପ୍ରଭା