ରାଜା ଶ୍ୟାମାନନ୍ଦ ଦେ

ଲେଖା: ନିରଞ୍ଜନ ସାହୁ

ସମାଜସେବା, ସ୍ବଦେଶପ୍ରୀତି, ବଦାନ୍ୟତାର ପ୍ରତୀକ ଏହି ରାଜନ୍ ଙ୍କୁ ୧୮୮୭ ମସିହା ଫେବୃଆରୀ ମାସ ୧୬ ତାରିଖରେ ବ୍ରିଟିଶ ସରକାର ଅତ୍ୟନ୍ତ ପ୍ରୀତ ହୋଇ ଦେଇଥିଲେ ଏକ ସନନ୍ଦ:

ROYAL MEMORIAL BEARING SANAND

To
Raja Shyamananda Dey
of Balasore, Orissa

I hereby confer upon you the title of
“Raja Bahadur” as a personal distinction .

Sd/- Dufferin
Viceroy and Governor General of India
Fort William
The 16th February 1887.

ଏହି ରାଜନ୍ ହେଉଛନ୍ତି ବାଲେଶ୍ଵରର ରାଜା ଶ୍ୟାମାନନ୍ଦ ଦେ । ସଂଗ୍ରାମୀ ନୁହନ୍ତି, କବି ବା ଲେଖକ ନୁହନ୍ତି, କିନ୍ତୁ ମହାନୁଭବ ମଣିଷ ଜଣେ । ତାଙ୍କର ପୂର୍ବପୁରୁଷ ମେଦିନୀପୁର ଜିଲ୍ଲାର ବରଦା ଗ୍ରାମରୁ ଉଠି ଆସି ବାଲେଶ୍ବର ସହରରେ ବ୍ୟବସାୟ ଉଦ୍ଦେଶ୍ୟରେ ସ୍ଥାୟୀ ଭାବରେ ବସବାସ କଲେ । ସେତେବେଳେ ବାଲେଶ୍ଵର ଜିଲ୍ଲା ଥିଲା କଟକ ଜିଲ୍ଲାର ଏକ ସବଡିଭିଜନ । ବ୍ୟବସାୟରେ ଲାଭବାନ ହୋଇ ଦେ ପରିବାର ବିପୁଳ ପରିମାଣର ଜମିବାଡ଼ି କ୍ରୟ କରି ‘ଜମିଦାର’ ଆଖ୍ୟାରେ ନାମିତ ହେଲେ । ପରବର୍ତ୍ତୀ ସମୟରେ ସେମାନେ ଇଂରେଜ ସରକାରଙ୍କ ତରଫରୁ ରାଜା ଉପାଧି ପ୍ରାପ୍ତ ହେଲେ। ସମଗ୍ର ପରିବାରଟି ସାଧୁତା ଓ ବଦାନ୍ୟତା ପାଇଁ ବାଲେଶ୍ବର ବାହାରେ ଆଦୃତ ହୋଇଉଠିଲା । ସେହି ରାଜା ଥିଲେ ରଘୁନାଥ ଦେ । ସେ ସମୟରେ ବାଲେଶ୍ଵରରେ ଶାନ୍ ନାମକ ଏକ ସୂକ୍ଷ୍ମବସ୍ତ୍ର ଥିଲା ଅନନ୍ୟ । ସେହି ବସ୍ତ୍ରକୁ ବହୁ ପରିମାଣରେ ରପ୍ତାନି କରୁଥିଲେ ରାଜା ରଘୁନାଥ, ଇଂଲଣ୍ଡ, ଡେନମାର୍କ, ହଲାଣ୍ଡ ଓ ପର୍ତ୍ତୁଗାଲ ଇତ୍ୟାଦି ଦେଶମାନଙ୍କୁ । ବ୍ୟବସାୟର ଏକ ବୃହତ ଲାଭାଂଶ କୂଅ, ପୋଖରୀ ଖୋଳିବା, ଜୀର୍ଣ୍ଣ ମନ୍ଦିର ମରାମତି ଓ ସର୍ବସାଧାରଣଙ୍କ ମଙ୍ଗଳ କାର୍ଯ୍ୟରେ ଖର୍ଚ୍ଚ କରୁଥିଲେ ରାଜା ।

ରାଜାଙ୍କ ଔରସରୁ ଜନ୍ମ ନେଇଥିଲେ ଚାରିପୁତ୍ର । ପ୍ରଥମ ତିନି ପୁଅଙ୍କର ପିଲାପିଲି ନ ଥିବାରୁ ସାନପୁଅ ଶ୍ୟାମାନଂଦ ସମସ୍ତ ସଂପତ୍ତିର ଉତ୍ତରାଧିକାରୀ ହୋଇଥିଲେ । ପୂର୍ବ ପୁରୁଷର ଏବଂ ବିଶେଷ କରି ବାପା ରଘୁନାଥ ଦେଙ୍କର ପ୍ରଭାବ ପଡ଼ିଥିଲା ଶ୍ୟାମାନନ୍ଦଙ୍କ ଜୀବନ ଉପରେ ପିଲାଟି ଦିନରୁ ।

୧୮୧୭ ମସିହା ମାର୍ଚ୍ଚ ମାସ (ଫାଲଗୁନ ଦିନାଙ୍କ ୨୫) ରେ ଜନ୍ମ ଗ୍ରହଣ କରିଥିଲେ ରାଜା ଶ୍ୟାମାନନ୍ଦ । ବାପାଙ୍କ ଦେହାନ୍ତେ ଛବିଶ ବର୍ଷ ବୟସରେ ଅଭିଷିକ୍ତ ହେଲେ ରାଜା ଭାବରେ । ଦକ୍ଷତା ଏବଂ ସାଧୁତା ସହ ଜମିଦାରିର କାର୍ଯ୍ୟ ତୁଲାଇବା ହେତୁ ପ୍ରଜାମାନଙ୍କ ନିକଟରେ ବହୁ ଉଚ୍ଚ ଆସନରେ ପ୍ରତିଷ୍ଠିତ ହୋଇପାରିଥିଲେ ସେ ।

ବାଲେଶ୍ଵର ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ତାଙ୍କର ଯଥେଷ୍ଟ ଅବଦାନ ଥିଲା । କିନ୍ତୁ ଅତ୍ୟନ୍ତ ଧର୍ମପରାୟଣ ଓ ରକ୍ଷଣଶୀଳ ଥିବା ହେତୁ ପ୍ରଥମେ ନାରୀ ଶିକ୍ଷାର ପ୍ରସାର ନିମନ୍ତେ ବିମୁଖ ଥିଲେ, ଯାହା ପରବର୍ତ୍ତୀ ସମୟରେ ଅବଶ୍ୟ ତାଙ୍କ ମନରୁ ଦୂରୀଭୂତ ହୋଇଥିଲା । ଏହି ସଂପର୍କରେ ସରସ୍ଵତୀ ଫକୀରମୋହନ ସେନାପତିଙ୍କ ସହ ରାଜାଙ୍କ କଥୋପକଥନକୁ ଲକ୍ଷ୍ୟ କରାଯାଇପାରେ . .

(ଫକୀରମୋହନଙ୍କ ଦ୍ଵାରା ବାଳିକା ବିଦ୍ୟାଳୟ ସ୍ଥାପନର ପରଦିନ)
“ସ୍କୁଲ କାର୍ଯ୍ୟାରମ୍ଭ ବାସିଦିନ କଚେରୀରେ ଭୟଙ୍କର ଆନ୍ଦୋଳନ ଉପସ୍ଥିତ । ଅମଲାମାନେ ଏବଂ କଚେରିରେ ଉପସ୍ଥିତ ଭଦ୍ରଲୋକେ ସମସ୍ତେ ଆପଣା ଆପଣା କାର୍ଯ୍ୟ ଛାଡ଼ି ଗାଲରେ ହାତ ଦେଇ ଗୋଟିଏ ଜାଗାରେ ବସିଛନ୍ତି । ସବୁଗଲା ! ମାନମହତ, କୁଳ, ଜାତି, ଧର୍ମ ସବୁ ବୁଡ଼ିବାକୁ ବସିଲାଣି। ତିରିଲା ଗୁଡ଼ାକ ପାଠ ପଢ଼ିଲେ, ଆଉ କ’ଣ ସମ୍ଭଳା ଯିବେ ? ଉପାୟ କ’ଣ ? ସେହି ବଦମାସ୍ ଭୂତ ସଇତାନର ସବୁ କାର୍ଯ୍ୟ । ଦେଖତ ଟୋକାଟା କିପରି ହସିହସି ମିଠାକଥା କୁହେ, ଲୋକଙ୍କୁ ମାନ୍ୟକରେ, ଭଲ ମଣିଷ ବୋଲି ଜାଣିଥିଲୁଁ । ତା’ ପେଟରେ ଏତେ ଛନ୍ଦକପଟ, ଏପରି ବେକକଟା ଛୁରୀ ରଖିଛି ବୋଲି କାହାକୁ ଜଣାଥିଲା ? ଏବେ ଉପାୟ କ’ଣ, ସେ ବଦମାସଟା ତ କଥା ଶୁଣିବ ନାହିଁ ।

ପ୍ରକାଶ୍ୟରେ କିଛି କହି ହେଉ ନାହିଁ । ସାହେବମାନଙ୍କ କାନରେ ଫୁଙ୍କି ଦେଲେ କ’ଣଟା କ’ଣଟାଏ ହୋଇଯିବ । ଉପସ୍ଥିତ ଘୋର ବିପଦରୁ ରକ୍ଷା ପାଇବା ନିମନ୍ତେ ବଡ଼ ବଡ଼ ଅମଲା ସହରର ମୁଖଣ୍ଡ ମୁଖଣ୍ଡ ଲୋକେ ଯାଇ ରାଜା ଶ୍ୟାମାନନ୍ଦ ଦେ ମହୋଦୟଙ୍କୁ ଧଇଲେ । ସେ ସମୟରେ ରାଜା ସାହେବ ବାଲେଶ୍ଵର ଲୋକମାନଙ୍କ ମୁରବି । ତାହାଙ୍କ କଥା ଏଡ଼ିବାକୁ କାହାରି ଆୟତ୍ତ ନଥିଲା ।

ସଂଧ୍ୟା ସମୟରେ ରାଜା ସାହେବଙ୍କ ଲୋକ ଆସି ମୋତେ ଡ଼ାକି ଘେନିଗଲା, ପନ୍ଦର କୋଡ଼ିଏ ହାତ ଦୂରରୁ ରାଜା ସାହେବଙ୍କ ମୋ ଉପରେ ଯେମିତି ଦୃଷ୍ଟି ପଡ଼ିଛି, ଭୟଙ୍କର ଗର୍ଜନଟାଏ କରି କହିଲେ, “ଆହେ ସେନାପତି ! ଭଲ କାର୍ଯ୍ୟଟାଏ କଲ ?”

ମୁଁ ହାତଯୋଡ଼ି ନମସ୍କାର କରି ଖୁବ୍ ଭକ୍ତିଭାବରେ ପଚାରିଲି, “ଆଜ୍ଞା, ମୁଁ କ’ଣ କଲି ?”

ରାଜା – “ତୁମ୍ଭେ ପରା ଗୋଟାଏ ମାଇ ସ୍କୁଲ ବସାଇଛ ?”
ମୁଁ – ଆଜ୍ଞା – ଆଜ୍ଞା ।
ରାଜା – ଉଠାଓ – ଉଠାଓ – ଉଠାଓ ।
ମୁଁ – ଆଜ୍ଞା, କାରଣ କ’ଣ ।
ରାଜା – ସବୁ ତିର୍ଲା ଦୁଶ୍ଚରିତ୍ରା ହୋଇଯିବେ ।
ମୁଁ – ଆଜ୍ଞା ପାଠ ପଢ଼ିଲେ ସିନା ସଚ୍ଚରିତ୍ରା ହୁଅନ୍ତି ।
ରାଜା – ନାହିଁ – ନାହିଁ – ନାହିଁ – ପ୍ରଣୟୀ ଲୋକଙ୍କୁ ଗୋପନରେ ଚିଠି ଲେଖିବେ ।
ମୁଁ – ଆଜ୍ଞା ଭାଗବତ, ରାମାୟଣ ବି ତ ପଢ଼ିବେ ।

ରାଜା ସାହେବ ଦକ୍ଷିଣହସ୍ତଟି ଧନୁକାକାର କରି ଭୟଂକର ରୂପେ ମୁଂଡ ଝୁକାଇ କହିଲେ, କେଭେଁନା, କେଭେଁନା, ଉଠାଓ ସ୍କୁଲ – ଉଠାଓ ସ୍କୁଲ – ଉଠାଓ ।
ମୁଁ ହାତ ଯୋଡ଼ି ବିନୀତ ଭାବରେ ନମସ୍କାର କରି ଆଜ୍ଞା ଆଜ୍ଞା କହି “ସ୍ଥାନତ୍ୟାଗେନ . . ” ନୀତି ଅବଲମ୍ବନ କଲି ।”(ଫକୀରମୋହନ ଆତ୍ମଚରିତ)

ପରବର୍ତ୍ତୀ ସମୟରେ ରାଜା ଶ୍ୟାମାନନ୍ଦ ଦେ କିନ୍ତୁ ଅତ୍ୟନ୍ତ ଦାନଶୀଳ ଭାବେ ଶିକ୍ଷା ପ୍ରସାର ନିମନ୍ତେ ଯାହା କରିଥିଲେ, ତାହା ଅଦ୍ୟାବଧି ସ୍ମରଣୀୟ ।

~ ଓଡି଼ଆ ସାହିତ୍ୟର ଉନ୍ନତି କଳ୍ପେ ପ୍ରତିବଦ୍ଧ ରାଜା ଶ୍ୟାମାନନ୍ଦ ଦେ ~
ସେତେବେଳେ ବାଲେଶ୍ଵର ଥିଲା ଆଧୁନିକ ଶିକ୍ଷା ତଥା ସାଂସ୍କୃତିକ ଚେତନାର ଆଦ୍ୟ ବିକାଶସ୍ଥଳୀ । ଭାଷାବିଲୋପ ଆନ୍ଦୋଳନ ଯେତେବେଳେ ତେଜି ଉଠିଥିଲା ସେତିକିବେଳେ ପାଠ୍ୟ ପୁସ୍ତକ ପ୍ରଣୟନ, ବିବିଧ ସ୍କୁଲ ପ୍ରତିଷ୍ଠା ଇତ୍ୟାଦିର ସ୍ଵପ୍ନ ମଧ୍ୟ ଦେଖିଥିଲେ ରାଜା ଶ୍ୟାମାନନ୍ଦ ଦେ । ସବୁଠାରୁ ଆଶ୍ଚର୍ଯ୍ୟର କଥା, ଯେଉଁ ରାଜା ନିଜେ ପ୍ରଥମେ ବିରୋଧ କରିଥିଲେ ଫକୀରମୋହନଙ୍କ ବାଳିକା ବିଦ୍ୟାଳୟ ସ୍ଥାପନକୁ, ସେହି ରାଜନ୍ ସ୍ଵୟଂ ବ୍ୟାସକବିଙ୍କ ଦ୍ଵାରା ଅନୁଦିତ ରାମାୟଣ ବାଳକାଣ୍ଡ (୧୮୮୪), ଅଯୋଧ୍ୟା କାଣ୍ଡ (୧୮୮୪) , ଅରଣ୍ୟ କାଣ୍ଡ (୧୮୮୩ ), କିସ୍କିନ୍ଧ୍ୟା କାଣ୍ଡ (୧୮୮୪) ଓ ସୁନ୍ଦରାକାଣ୍ଡ (୧୮୮୭) ପୁସ୍ତକ ମାନଙ୍କୁ ନିଜ ବ୍ୟୟରେ ପ୍ରକାଶ କରାଇଥିଲେ । ଉଦ୍ଦେଶ୍ୟ ଥିଲା ପାଠ୍ୟକ୍ରମ ରୂପେ ଗୃହୀତ ହେଲେ ଏ ବହି ଗୁଡିକ ପିଲାମାନେ ପଢ଼ିବା ପାଇଁ ପାଇବେ ।

~ ନଅଙ୍କ ଦୁର୍ଭିକ୍ଷର ଦେବଦୂତ ରାଜା ଶ୍ୟାମାନନ୍ଦ ଦେ ~
୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାର ଛାତି ଥରାଇ ଦେଇଥିଲା । ହାଅନ୍ନ ଚିତ୍କାର ସର୍ବତ୍ର । ରାଜା ଶ୍ୟାମାନନ୍ଦ ଦେ ମହୋଦୟଙ୍କ ହୃଦୟ ତରଳି ଯାଇଥିଲା। ଆଗେଇ ଆସିଥିଲେ ସେ ଲୋକମାନଙ୍କର ଦୁଃଖଦୁର୍ଦ୍ଦଶା ମୋଚନ ପାଇଁ । ସରକାରଙ୍କୁ ଦେଇଥିଲେ ଏକ ଲକ୍ଷ ଟଙ୍କାର ଦାନରାଶି, ଦୁର୍ଭିକ୍ଷ ପ୍ରପୀଡିତ ଲୋକମାନଙ୍କ ପ୍ରତିପୋଷଣ ପାଇଁ ।

ଏତଦବ୍ୟତୀତ ତାଙ୍କ ଜମିଦାରିର ପ୍ରଜାମାନଙ୍କ ଠାରୁ ପ୍ରାୟ ଏକ ଲକ୍ଷ ଟଙ୍କାର ଖଜଣା ଛାଡ଼ କରିଦେଲେ ! ବାଲେଶ୍ଵର ଜିଲ୍ଲାର ଦୁର୍ଭିକ୍ଷ ପ୍ରପୀଡିତ ମାନଙ୍କୁ ମାଗଣା ଖାଦ୍ୟ, ଲୁଗା ଓ ଟଙ୍କା ଆଦି ବଣ୍ଟନ କରି ସେ ସମୟରେ ଦେଶରେ ଜଣେ ସର୍ବଶ୍ରେଷ୍ଠ ଉଦାହରଣ ହୋଇ ଉଠିଲେ ରାଜା ଶ୍ୟାମାନନ୍ଦ ଦେ । ଏହି ବଦାନ୍ୟତା ଶତମୁଖରେ ପ୍ରଶଂସିତ ହେବା ସହ ସେ ବେଳର ବଙ୍ଗଳାର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମୁଗ୍ଧ ହୋଇ ଓଡ଼ିଶାର କମିଶନର ରେଭେନ୍ସା ସାହେବଙ୍କ ମାଧ୍ୟମରେ ନିଜର ଶୁଭେଚ୍ଛା, ପ୍ରଶଂସା ଶୁଣାଇଥିଲେ। ତାଙ୍କ ବଦାନ୍ୟତାର ସବିଶେଷ ଉଦାହରଣ ହେଲା, ଯେଉଁଠାରେ ଦୁର୍ଭିକ୍ଷ ପଡ଼ିଛି ସେ ଶୁଣିବାକୁ ପାଉଥିଲେ, ସଙ୍ଗେ ସଙ୍ଗେ ଯତକିଞ୍ଚିତ ସାହାଯ୍ୟ ପଠାଉଥିଲେ । ଯଥା,
ମାଡ୍ରାସ ଦୁର୍ଭିକ୍ଷ (୧୮୭୩)– ୧୦୦ ଟଙ୍କା,
ପୁରୀ ଦୁର୍ଭିକ୍ଷ (୧୮୭୯)– ୧୨୫୦ ଟଙ୍କା,
ଆଇରିସ୍ ଦୁର୍ଭିକ୍ଷ (୧୮୮୦)– ୫୦୦ ଟଙ୍କା,
ତାଳପଦା ଦୁର୍ଭିକ୍ଷ (୧୮୮୭)– ୭୦୦ ଟଙ୍କା,
ଭୋଗରାଇ ଦୁର୍ଭିକ୍ଷ –(୧୮୮୮)– ୫୦୦ ଟଙ୍କା,
ଭୋଗରାଇରେ ଲୁଗା ବଂଟନ (୧୮୮୮ )– ୫୦୦ ଟଙ୍କା,                                                                                        କେନ୍ଦ୍ରାପଡ଼ା ଦୁର୍ଭିକ୍ଷ ( ୧୮୮୭)– ୫୦୦ ଟଙ୍କା
ଭାରତୀୟ ଦାତବ୍ୟ ରିଲିଫ ( ୧୮୮୭)– ୧୦୦୦ ଟଙ୍କା ଇତ୍ୟାଦି।

~ ଶିକ୍ଷିତ ମେଧାବୀଙ୍କୁ ପ୍ରୋତ୍ସାହନ ~
ସଂସ୍କୃତ ଶିକ୍ଷାର ପ୍ରସାର ପାଇଁ ରାଜା ଶ୍ୟାମାନନ୍ଦ ଦେ ହାତ ମୁକୁଳା କରିଦେଇଥିଲେ । ମେଧାବୀ ଛାତ୍ର ମାନଙ୍କର ପାଠପଢ଼ା ପାଇଁ ଛାତ୍ରବୃତ୍ତି ବାର୍ଷିକ ଅନୁଦାନ ଥିଲା ତାଙ୍କର ଅନ୍ୟ ଏକ ମହତ କାର୍ଯ୍ୟ । ସେଥିପାଇଁ ନିମ୍ନମତେ ସୁବନ୍ଦୋବସ୍ତ କରିଥିଲେ,
ରେମୁଣା ମିଡିଲ୍ ଭର୍ଣ୍ଣାକୁଲାର — ୨୦୦ ଟଙ୍କା,
ବାଲେଶ୍ଵର ହିଂଦୁ ଗାର୍ଲ୍ ସ୍କୁଲ — ୨୦୦ ଟଙ୍କା,
ଭିକ୍ଟୋରିଆ ମି.ଇ. ସ୍କୁଲ — ୮୦୦ ଟଙ୍କା,
ଅନଂତପୁର ଏମ୍ ଭି ସ୍କୁଲ — ୨୦୦ ଟଙ୍କା,
ବାଲେଶ୍ଵର ସଂସ୍କୃତ ସମିତି — ୧୫୦ ଟଙ୍କା

~ ଶିକ୍ଷା ସଂସ୍କୃତି ଚେତନାର ଅଭିବୃଦ୍ଧି ~
ବାଲେଶ୍ଵର ରାଜବଂଶର ଅବଦାନ ଏଥିପାଇଁ କମ୍ ନ ଥିଲା । ଶିକ୍ଷା ପ୍ରସାର, ପାଠାଗାର ସ୍ଥାପନ ପାଇଁ ବଦ୍ଧପରିକର ଥିଲେ ରାଜା ଶ୍ୟାମାନନ୍ଦ ଦେ । ସେଥିପାଇଁ ସେ ମୁକ୍ତ ହସ୍ତରେ ଦାନ କରିଥିଲେ,
ବାଲେଶ୍ଵର କ୍ରିଷ୍ଣୋଦାସ ପାଲ୍ ହଲ୍ — ୨୦୦୦ ଟଙ୍କା,
ବାଲେଶ୍ଵର ଜିଲ୍ଲା ସ୍କୁଲ କୋଠା — ୧୦୦୦ ଟଙ୍କା,
ରେଭେନ୍ସା କଲେଜ୍ କୋଠା — ୧୦୦୦ ଟଙ୍କା,
କଲିକତା ଇଡେନ୍ ଛାତ୍ରାବାସ — ୫୦୦ ଟଙ୍କା,
ରାଜା ଶ୍ୟାମାନନ୍ଦ ଚାରିଟେବୁଲ ଡିସ୍ପେନସାରୀ କୋଠା — ୨୦୦୦ ଟଙ୍କା

~ ପାନୀୟଜଳ ଜୀର୍ଣ୍ଣକୂପ ପୁଷ୍କରିଣୀ ଖନନ ~
ରାଜା ଶ୍ୟାମାନନ୍ଦ ଦେ ଥିଲେ ପ୍ରଜାବତ୍ସଳ ।  ତେଣୁ ପ୍ରଜାହିତ ଥିଲା ତାଙ୍କର ଅନ୍ତର୍ବେଦନା । ପାନୀୟ ଜଳର ଅଭାବମୋଚନ ପାଇଁ ତାଙ୍କର ରାଜକୋଷ ଉନ୍ମୁକ୍ତ ଥିଲା । ସେତେବେଳେ ଅର୍ଥାତ ୧୮୬୬ ର ନଅଙ୍କ ଦୁର୍ଭିକ୍ଷର ଭୟାବହତା ତାଙ୍କ ମନରୁ ଲିଭୁ ନଥିଲା । ତେଣୁ ଗୋଟିଏ ବଳିଷ୍ଠ ପଦକ୍ଷେପ ଗ୍ରହଣ କରି ସେ ପାନୀୟ ଜଳ ଯୋଗାଣ ପାଇଁ ଦୃଢ଼ମନା ହୋଇ କାର୍ଯ୍ୟ ଆରମ୍ଭ କରାଇଲେ ଏବଂ ପୋଖରୀ, କୂପ, ଜଳାଶୟ ନୂତନ ଓ ଜୀର୍ଣ୍ଣ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଏହି ପଦକ୍ଷେପ ପାଇଁ ଏ ପର୍ଯ୍ୟନ୍ତ ରାଜା ଶ୍ୟାମାନନ୍ଦ ଦେ ସ୍ମରଣୀୟ ହୋଇ ରହିଛନ୍ତି ।

ବାଲେଶ୍ଵର ଜିଲ୍ଲାର ରାଜରାସ୍ତା ପାର୍ଶ୍ଵ ମାନଂକରେ ଅଣଚାଶ (୪୯) ଗୋଟି କୂପ ଖନନ, ରଘୁନାଥ ସାଗର, ରାଣୀ ସାଗର ଏବଂ ଅନ୍ୟ ଏଗାରଟି ବଡ଼ ପୁଷ୍କରିଣୀ (ସାଗର) ତାଙ୍କର ଅନନ୍ୟ କୀର୍ତ୍ତି । ଯାଜପୁର ଜିଲ୍ଲାର ପାଣିକୋଇଲି ଠାରୁ ଆରମ୍ଭ କରି ବାଲେଶ୍ଵର ଜିଲ୍ଲାର ଶେଷ ଭାଗ ମଧ୍ୟରେ କୋଡ଼ିଏଟି ସରଗରା (ଯୋର) ଖନନ କରି କୃଷି ଜଳସେଚନ ପାଇଁ ପ୍ରାୟ ବାଇଶି ହଜାର ଟଙ୍କା ଖର୍ଚ୍ଚ କରିଥିବା ପ୍ରମୁଖ କାର୍ଯ୍ୟ ଯୋଗୁଁ ସର୍ବସାଧାରଣ ଉପକୃତ ହୋଇଥିଲେ ।

ଫକୀରମୋହନ ସେନାପତିଙ୍କ ଆତ୍ମଚରିତରୁ ଜଣାଯାଏ, ସେତେବେଳେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ଖୁବ୍ ସୁଲଭ ଥିଲା । ଯଥା: ବିରି ମହଣ– ଆଠ ଅଣା, ମୁଗ ମହଣ — ଆଠ ଅଣା ଦୁଇ ପଇସା, ହରଡ଼ ମହଣ — ଆଠ ଅଣା, ସୋରିଷ ତେଲ ଟଙ୍କାକୁ ସାତ ସେର, ଘିଅ ଟଙ୍କାକୁ ତିନି ସେର, ମାଛ — ଏକ ପଇସାରେ ଦୁଇ ସେର, ଲୁଗା ଏକ ଟଙ୍କାରେ ଦୁଇ ଖଣ୍ଡ ଇତ୍ୟାଦି । ଏଥିରୁ ଅନୁମାନ କରାଯାଇପାରେ ରାଜା ଶ୍ୟାମାନନ୍ଦ ଦେ କେତେ ପରିମାଣର ଅର୍ଥ ପ୍ରଜାହିତ ପାଇଁ ଖର୍ଚ୍ଚ କରିଥିବେ !

ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା । ସମାଜର ବିଭିନ୍ନ ଜନହିତକର କାର୍ଯ୍ୟ, ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଦାତବ୍ୟ ସେବାନୁଷ୍ଠାନ ପ୍ରତିଷ୍ଠା କରି ଆଦୃତ ହେଉଥିଲେ ସମଗ୍ର ବାଲେଶ୍ଵର, କଟକ, ପୁରୀ ଓ ମେଦିନୀପୁର ସମେତ ଆହୁରି ଅନେକ ଅଞ୍ଚଳରେ ।

ରାଜା ଶ୍ୟାମାନନ୍ଦ ଦେ ଥିଲେ ଜଣେ ସୁଦକ୍ଷ ଶାସକ ଓ ବିଚାରକ । ଓଡ଼ିଆ ଜାତି, ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି ଓ ଜନ୍ମଭୂମିର ସ୍ଵାର୍ଥ ରକ୍ଷା ପାଇଁ ରାଜା ଶ୍ୟାମାନନ୍ଦ ଦେ ଆତ୍ମୋତ୍ସର୍ଗ କରିଯାଇଛନ୍ତି । ସେତେବେଳେ ଅନ୍ୟ ରାଜାମାନଙ୍କ ଠାରୁ ଅଧିକ ଖଜଣା (୪୦ ହଜାର) ବାର୍ଷିକ ସେ ଇଂରେଜ ସରକାରଙ୍କୁ ଦେଇ ଆସୁଥିଲେ ।

ରାଜା ଶ୍ୟାମାନନ୍ଦ ଦେ ମହୋଦୟଙ୍କର ବଦାନ୍ୟତା, ସ୍ବଦେଶ ପ୍ରୀତି, ସମାଜସେବା ଇତ୍ୟାଦିରେ ମୁଗ୍ଧ ହୋଇ ବ୍ରିଟିଶ ସରକାର ତାଙ୍କୁ ରାୟବାହାଦୂର (୧୮୭୫ ମସିହା ), ରାଜା (୧୮୭୭ ମସିହା ), ରାଜାବାହାଦୂର (୧୮୮୭ ମସିହାରେ ) ଉପାଧି ପ୍ରଦାନ କରିଥଲେ ।

୧୮୮୮ ମସିହା ଅକ୍ଟୋବର ମାସ ୩୧ ତାରିଖ ଦିନ ଉତ୍କଳ ଜନନୀଙ୍କର ଏହି ସୁପୁତ୍ର ରାଜା ଶ୍ୟାମାନନ୍ଦ ଦେ ଇହଧାମ ତ୍ୟାଗ କଲେ, ପଶ୍ଚାତରେ କିନ୍ତୁ ରଖିଗଲେ ମହାନୁଭବତାର ପରିଚୟ ।

ଆଧାର: ଫକୀରମୋହନ ଆତ୍ମଚରିତ; ‘ଆମେ ଓଡ଼ିଆ’, ନୃସିଂହ ଚରଣ ସାହୁ; କବିବର ରାଧାନାଥ ଗ୍ରନ୍ଥାବଳୀ ।

1 thought on “ରାଜା ଶ୍ୟାମାନନ୍ଦ ଦେ”

  1. ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ , ରାଜା ଶ୍ୟାମାନନ୍ଦ ଦେ ପ୍ରାତଃ ସ୍ମରଣୀୟ ଅସାଧାରଣ ରାଜନ୍ । ଦୁଃଖର କଥା ଆଜି ତାଙ୍କର ସ୍ମୃତି ଟିଏ ବି ନାହିଁ ।

Leave a Comment

Your email address will not be published. Required fields are marked *

Scroll to Top